Unknown

 

 

 

 

 

 

 

 

ହିରଣ୍ମୟ ପାତ୍ର

 

ଲେଖକ

ଶ୍ରୀ ଜାହ୍ନବୀ କୁମାର ଚକ୍ରବର୍ତ୍ତୀ

ଅନୁବାଦକ

ଶ୍ରୀ ବ୍ରହ୍ମାନନ୍ଦ ପଣ୍ଡା

 

‘ହିରଣ୍ମୟେନ ପାତ୍ରେନ ସତ୍ୟସ୍ୟାପିହିତଂ ମୁଖମ୍ଂ’–ହିରଣ୍ମୟ ପାତ୍ରଦ୍ଵାରା ପରମ ସତ୍ୟର ମୁଖ ଆବୃତ ରହିଚି । ‘ହିରଣ୍ମୟ ପାତ୍ର’ ଆବରଣ, ସତ୍ୟର ସଙ୍କୋଚାବରଣ । ସୂକ୍ଷ୍ମ ତାତ୍ତ୍ଵିକ ଦୃଷ୍ଟିରେ ବ୍ୟାକୃତା ମାୟାର ସତ୍ତ୍ଵ-ରଜ-ତମୋଗୁଣହିଁ ଏଇ ଆବରଣ । ଅତି ଉଜ୍ଜ୍ୱଳ, ଚକ୍ଷୁ ଝଲସାଇଲା ଭଳି ଏମାନଙ୍କର ରୂପ, ଅତି ମନୋରମ ଏମାନଙ୍କର ପ୍ରକୃତି । ସତ୍ୟର ପରମ ସୁନ୍ଦର, ଶୁଚିଶୁଭ୍ର ମୁଖଟିକୁ ଏମାନେ ଆବୃତ କରି ରଖନ୍ତି; ଏମାନେହିଁ ସତ୍ୟର ଆବରଣରୂପ ହିରଣ୍ମୟ ପାତ୍ର ବା G।ittering disc–ମଣିଷର ସତ୍ୟଦୃଷ୍ଟିକୁ ଆଚ୍ଛନ୍ନ କରି ରଖନ୍ତି ସେହି ‘ନିର୍ଋତି’, ‘ବାରୁଣୀ’ ଓ ‘ମହାମଦ’ । ଅସତ୍ୟର ଏହି ପାତ୍ର ଅପସାରିତ ହେବାମାତ୍ରେ ନିର୍ବିଶେଷ ସତ୍ୟର ଆନନ୍ଦଘନ ସ୍ୱରୂପଦର୍ଶନ ଘଟେ ।

 

ଏଇ ଅସତ୍ୟ ମୂର୍ତ୍ତିକୁ ଆମର ପୁରାଣମାନଙ୍କରେ ଅସ୍ୱୀକାର କରାହେଇନି । ସୃଷ୍ଟିର ପ୍ରଥମ ଲଗ୍ନରୁହିଁ ଏମାନେ ଅଛନ୍ତି । ଏମାନେହିଁ ‘ତାମସୀ-ସୃଷ୍ଟି’ ବା ‘ରୁଦ୍ର-ସର୍ଗ’ । ଏମାନେ ଧର୍ମର ନରବୈରୀ ହେଲେବି ସେଇ ଏକ ଲୋକପିତାମହଙ୍କ ଅଙ୍ଗଜ ସନ୍ତାନ । ସୃଷ୍ଟିର ଭାରସାମ୍ୟ ରକ୍ଷା କରିବା ନିମନ୍ତେ ଏମାନଙ୍କର ଉତ୍ପତ୍ତି । ‘ମୃତ୍ୟୁ’ ଯଦି ନଥାନ୍ତା, ଜଡ଼ବସ୍ତୁର ଭାରରେ ଓ ସ୍ୱାର୍ଥ ଗଭୀର ଅତ୍ୟାଚାରରେ ଜଗତ ଚିର-ନରକରେ ପରିଣତ ହୁଅନ୍ତା । ଆହୁରି ମଧ୍ୟ, ଆଲୋକ ପାର୍ଶ୍ଵରେ ଅନ୍ଧକାରକୁ ରଖି କେବଳ ଲୋକର ମହିମା ଦେଖାଇବାକୁ ହୁଏ, କେବେବି ଦେଖାଯାଏ–ଅନ୍ଧକାର ହୁଏ ଆଲୋକର ଦୂତୀ : ଯେପରି ‘ଦୁର୍ଭଗା’ (ଜର୍ଯା), ‘ଅନ୍ତକ’ (ମୃତ୍ୟୁ), ‘ନରକ’ ନବଜୀବନର ଅଭ୍ୟୁଦୟ ସୂଚକ ।

 

ଅସତ୍ ବୃତ୍ତିଗୁଡ଼ିକୁ ଅସତ୍ ଭାବି ଆମେ ଚିରକାଳ ଅବଜ୍ଞା କରି ଆସିଚୁ । କିନ୍ତୁ ଆମ ଦେଶର ସତ୍ୟଦ୍ରଷ୍ଟା ଋଷିଗଣ ଏଭାବରେ ସେସବୁ ବର୍ଜନ କରି ନାହାନ୍ତି । ସେମାନେ ଦେଖିଚନ୍ତି, ଯେଉଁ ‘ବାରୁଣୀ’ ବିଶ୍ୱରେ ମଦମତ୍ତତା ସୃଷ୍ଟି କରେ, ସେଇ ବାରୁଣୀ ପୁଣି କୁଣ୍ଡଳୀ ଶକ୍ତିର ଉଦ୍‍ବୋଧକ । ପଙ୍କର କୁତ୍ସିତ ରୂପ ଦେଖାଇବା ଏହି ଆଖ୍ୟାୟିକାଗୁଡ଼ିକର ଉଦ୍ଦେଶ୍ୟ ନୁହେଁ–ଏସବୁର ବିଚାର କରିବାକୁ ହେବ ଅନ୍ୟ ଦୃଷ୍ଟିକୋଣରୁ–ସାମଗ୍ରିକ ସୃଷ୍ଟିର ପଟ୍ଟଭୂମିକାରେ ରଖି ଏଗୁଡ଼ିକର ମୂଲ୍ୟ ନିରୂପଣ କରିବାକୁ ହେବ । ଚାର୍ବାକଙ୍କ କଥାହିଁ କହେ : ‘କାମ ଏକୈକ ପୁରୁଷାର୍ଥଃ–ଏହାର ଅର୍ଥ ବ୍ୟଭିଚାରୀ କାମନାକୁ ପ୍ରଶ୍ରୟ ଦେବା ନୁହେଁ; କାମକୁ ପ୍ରେମରେ ପରିଣତ କରିବା–ଯାହା ବୈଷ୍ଣବ, ପାଶୁପତ ଓ ଶାକ୍ତ ଧର୍ମର ମୂଳ କଥା । ଅଧର୍ମ ମଧ୍ୟ ଆମ ସାଧନାର ଅଙ୍ଗୀଭୂତ–ମହାମାୟାଙ୍କ ମହାସ୍ନାନରେ ପଣ୍ୟାଙ୍ଗନା ଭବନ ଧୂଳିକଣାର ମଧ୍ୟ ସ୍ଥାନ ରହିଚି ।

 

ସାଙ୍ଖ୍ୟସୂତ୍ରରେ (୪।୧୧) କୁହାଯାଇଚି, ‘ନିରାଶଃ ସୁଖୀ ପିଙ୍ଗଳାବତ୍ ।’

 

ଏହି ଆଖ୍ୟାୟିକାଗୁଡ଼ିକ ସଂଗ୍ରହ କରି ମୁଁ ଭୟରେ ଭୟରେ ‘ଦେଶ’ର* ଦ୍ଵାରସ୍ଥ ହେଇଥିଲି । ଶ୍ରଦ୍ଧେୟ ସମ୍ପାଦକ ଏଗୁଡ଼ିକ ପ୍ରକାଶ କରି ମତେ କୃତଜ୍ଞତା ପାଶରେ ଆବଦ୍ଧ କରିଚନ୍ତି-। ‘ଦେଶ’ର ସହ-ସମ୍ପାଦକ ଶ୍ରୀ ସାଗରମୟ ଘୋଷଙ୍କ ଉତ୍ସାହ ମତେ, ପ୍ରେରଣା ଦେଇଚି ସର୍ବାଧିକ-। ସେ ମତେ ପ୍ରିୟବନ୍ଧନରେ ବାନ୍ଧିଚନ୍ତି । ଏହି ଗ୍ରନ୍ଥ ତାଙ୍କ ନାମରେ ଉତ୍ସର୍ଗ କରି ଅତ୍ୟନ୍ତ ତୃପ୍ତି ବୋଧ କରୁଚି । ‘ଦେଶ’ ପତ୍ରିକାରେ ଏଗୁଡ଼ିକ ପ୍ରକାଶିତ ହେବା କାଳରେ ଭାରତର ବିଭିନ୍ନ ଅଞ୍ଚଳରୁ–ବମ୍ୱେ, ମାନ୍ଦ୍ରାଜ, ଦିଲ୍ଲୀ, ଆସାମରୁ ପ୍ରବାସୀ ବଙ୍ଗାଳୀଙ୍କ ଅକୁଣ୍ଠ ପ୍ରଶଂସାପତ୍ର ମୁଁ ପାଇଚି । କତିପୟ ବନ୍ଧୁ ଏଥିରୁ ଗୋଟାଏ ଦୁଇଟା ହିନ୍ଦୀରେ ଅନୁବାଦ କରି ଓ ପ୍ରକାଶ କରି ମତେ ଉତ୍ସାହିତ କରିଚନ୍ତି । ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଚି । ଆହୁରି ମଧ୍ୟ ଧନ୍ୟବାଦ ଜଣାଉଚି ମୋର ପ୍ରିୟବନ୍ଧୁ ସୁସାହିତ୍ୟିକ ଶ୍ରୀ ନାରାୟଣ ଗଙ୍ଗୋପାଧ୍ୟାୟଙ୍କୁ, ଯାହାଙ୍କ ବନ୍ଧୁତ୍ଵପୂର୍ଣ୍ଣ ସମାଲୋଚନା ମତେ ଏଗୁଡ଼ିକ ଗଳ୍ପାକାରେ ଗ୍ରହଣ କରିବାର ଇଙ୍ଗିତ ଦେଇଚି । ଗଳ୍ପଗୁଡ଼ିକ ପ୍ରକାଶିତ ହେବା ମୂଳରେ ବନ୍ଧୁବର ଶ୍ରୀ ପଶୁପତି ଚଟ୍ଟୋପାଧ୍ୟାୟ ମହାଶୟଙ୍କ ଦାନ ମୁଁ କେବେହେଲେ ଭୁଲି ନପାରେ-। ବିଖ୍ୟାତ ପ୍ରକାଶକ ‘ତ୍ରିବେଣୀ ପ୍ରକାଶନ’ ଏହି ଆଖ୍ୟାୟିକାଗୁଡ଼ିକ ଯତ୍ନ ଓ ସତର୍କତା ସହକାରେ ଗ୍ରନ୍ଥାକାରରେ ପ୍ରକାଶ କରି ମତେ ବାଧିତ କରିଚନ୍ତି ।

 

ହିରଣ୍ମୟ ପାତ୍ରର ଆଖ୍ୟାୟିକା ରଚନା ନିମନ୍ତେ ମତେ ବିଭିନ୍ନ ପୁରାଣ ଅନୁସନ୍ଧାନ କରିବାକୁ ପଡ଼ିଚି ଏବଂ ସେଥିଲାଗି ଗବେଷଣାଜନିତ ଯେଉଁ ପରିଶ୍ରମ କରିଚି, ଦେଶବାସୀଙ୍କ ପାଖରୁ ତା’ର ସ୍ଵୀକୃତି ପାଇଲେ ଶ୍ରମ ସାର୍ଥକ ମଣିବି ।

 

ପୋ : ଗଡ଼ିଆ

 

୨୪ ପ୍ରଗଣା

ନିବେଦକ

ବିଷୁବ ସଂକ୍ରାନ୍ତି

ଶ୍ରୀ ଜାହ୍ନବୀ କୁମାର ଚକ୍ରବର୍ତ୍ତୀ

୧୩୬୬

 

★★★

 

‘ହିରଣ୍ମୟ ପାତ୍ର’ ଓଡ଼ିଆରେ ପ୍ରକାଶ ପାଉଚି ଶୁଣି ମୁଁ ଆନନ୍ଦିତ । ମୋର ଏହି ପୁସ୍ତକର ଆଖ୍ୟାୟିକାଗୁଡ଼ିକ, କୌତୂହଳ କ୍ରମେ ପାଠ କରି, ଶ୍ରୀ ବ୍ରହ୍ମାନନ୍ଦ ପଣ୍ଡା ଓଡ଼ିଆରେ ଅନୁବାଦ କରିଛନ୍ତି ଏବଂ ଆଜି ଯେ ସେଗୁଡ଼ିକ ବହି ଆକାରରେ ପ୍ରକାଶ ପାଉଚି, ସେଥିପାଇଁ ସେ କେବଳ ପ୍ରଶଂସାର ପାତ୍ର । ଶ୍ରୀଯୁକ୍ତ ପଣ୍ଡା ଜଣେ ଖ୍ୟାତନାମା ଲେଖକ ଓ ସାମ୍ବାଦିକ ଏବଂ ସାହିତ୍ୟରେ ଆମର ପ୍ରାଚୀନ ଆଦର୍ଶମାନଙ୍କ ପ୍ରତି ସେ ଗଭୀର ଶ୍ରଦ୍ଧା ପୋଷଣ କରନ୍ତି । ଅନୁବାଦରେ ଆଖ୍ୟାୟିକାଗୁଡ଼ିକର ପ୍ରକୃତ ତାତ୍ପର୍ଯ୍ୟ ଓ ଉଦ୍ଦେଶ୍ୟ ସେ ଯେ ରକ୍ଷା କରିଥିବେ, ସେ ବିଶ୍ୱାସ ମୋର ଅଛି । ମୁଁ ତାଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଚି ।

 

‘ହିରଣ୍ମୟ ପାତ୍ର’ କେତେକ କାହାଣୀର ଏକ ସମାହାର । ଏହା ‘ନୂତନ ବୋତଲରେ ପୁରାତନ ସୁରା’ କହିଲେ ଚଳେ । ଆମର ପୁରାଣମାନ ଚିରପୂରାତନ ଓ ନିତ୍ୟନୂତନ । ହିନ୍ଦୁ ଧର୍ମର ବିଭିନ୍ନ ବିଭାବ ଓ ଦଶାର ସେଗୁଡ଼ିକ ପ୍ରତିନିଧିସ୍ୱରୂପ ଏବଂ ଆମ ସନାତନ ଧର୍ମର ମୌଳିକ ତଥା ପ୍ରାଚୀନ ଗୌରବ ସେଥିରେ ପ୍ରତିଫଳିତ । ଏହି କାହାଣୀଗୁଡ଼ିକ କେଉଁଠି ସରଳ ଭାବରେ ବିବୃତ, କେଉଁଠି ବା ପ୍ରତୀକ ଅର୍ଥରେ ଆବୃତ । କାହାଣୀଗୁଡ଼ିକରେ ଅସତ୍ ପ୍ରବୃତ୍ତିମାନଙ୍କର ଶକ୍ତି ଅନାବୃତ ଭାବରେ ପ୍ରକାଶ ପାଇଥିଲେ ମଧ୍ୟ, ବନ୍ୟ ଆବେଗ ସମୂହର ଦାସତ୍ଵ କଲେ ମଣିଷ ଯେ ଗୁରୁତର ବିପଦରେ ପତିତ ହୁଏ–ସେଥିପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି, ଜୀବନରେ ମହତ୍ତର ନୈତିକ ସଂଯମ ଅର୍ଥାତ୍ ‘ଋତ’ର ଆବଶ୍ୟକତା ସ୍ଵୀକାର କରାଯାଇଚି । ଏ ସମସ୍ତ ଅସତ୍ ଶକ୍ତିର ଅସ୍ତିତ୍ଵ କାହାଣୀଗୁଡ଼ିକରେ ଅସ୍ୱୀକାର କରାଯାଇନି ସତ୍ୟ, କିନ୍ତୁ ସେମାନଙ୍କର ମୌଳିକ ପ୍ରକୃତି ଉପରେ ଏପରି ଉଜ୍ଜ୍ୱଳ ଆଲୋକପାତ କରାଯାଇଚି, ମଣିଷ ପାପକ୍ଷାଳନ ପ୍ରକ୍ରିୟାର ଭୟାବହତା ବିଷୟରେ ଅବଗତ ହେଇ ପାପକର୍ମରୁ ଅବଶ୍ୟ ନିବୃତ୍ତ ହେବାକୁ ଚାହିଁବ । ଭାରତବର୍ଷର ଅମୂଲ୍ୟ ସମ୍ପଦ–ଆମ ପୌରାଣିକ ସାହିତ୍ୟର ମହତ୍ତ୍ୱ ଓ ତାତ୍ପର୍ଯ୍ୟ ପ୍ରଦର୍ଶିତ କରି, ବିଶୃଙ୍ଖଳାପୂର୍ଣ୍ଣ ଜୀବନର ଊର୍ଦ୍ଧ୍ଵକୁ ଉଠିବା ନିମନ୍ତେ ‘ହିରଣ୍ମୟ ପାତ୍ର’ଦ୍ୱାରା ଆବୃତ ପରମସତ୍ୟର ମୁଖ ଉନ୍ମୋଚିତ କରିବା ଏହି ପୁସ୍ତକର ପ୍ରକୃତ ଉଦ୍ଦେଶ୍ୟ ।

 

ପରିଶେଷରେ, ଏହି ପୁସ୍ତକର ଓଡ଼ିଆ ଭାଷାନ୍ତର ପ୍ରକାଶ କରି, ଓଡ଼ିଶାର ସୁଧୀସମାଜ ସଙ୍ଗେ ସମ୍ପର୍କ ସ୍ଥାପନରେ ସୁଯୋଗ ମତେ ଦେଇଥିବାରୁ ଓଡ଼ିଶା ବୁକ୍ ହାଉସ୍‍କୁ ମୋର ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଚି ।

 

ପୋ : ଗଡ଼ିଆ

ଜାହ୍ନବୀ କୁମାର ଚକ୍ରବର୍ତ୍ତୀ

୨୪ ପରଗଣା

ଅଧ୍ୟାପକ, ସିଟି କଲେଜ

ପଶ୍ଚିମବଙ୍ଗ

କଲିକତା

ତା ୯।୩।୬୫

 

★★★

 

‘ହିରଣ୍ମୟ ପାତ୍ର’ ଉପରେ ପ୍ରଥମ କରି ଓଡ଼ିଶା ବୁକ୍ ହାଉସ୍‍ରେ ମୋର ଦୃଷ୍ଟି ପଡ଼ିଥିଲା । ବହିଟି ନେଇ ପଢ଼ି ସାରିବା ସଙ୍ଗେ ସଙ୍ଗେ ଓଡ଼ିଆରେ ଅନୁବାଦ କରିବାପାଇଁ ନିଷ୍ପତ୍ତି କଲି ଦୁଇଟି କାରଣରୁ : ପ୍ରଥମତଃ, ଓଡ଼ିଆ ସାହିତ୍ୟରେ ଏପରି ଆଖ୍ୟାୟିକା ସଂଗ୍ରହ ନାହିଁ । ଦ୍ୱିତୀୟତଃ, ବଙ୍ଗଳା ଓ ଓଡ଼ିଆ ଭାଷା ଭିତରେ ଏତେ ଭାବରେ ମେଳ ରହିଚି, କୌଣସି ଯଶପ୍ରାର୍ଥୀ ଲେଖକ ଟିକିଏ ଅଦଳବଦଳ କରି କାହାଣୀଗୁଡ଼ିକୁ ନିଜର ବୋଲି ଚଳାଇ ନେବାକୁ ଯଦି ଚାହିଁବ, ଅକ୍ଳେଶରେ ପାରିବ । ମୋର ଏ ଆଶଙ୍କା ଅମୂଳକ ନୁହେଁ ବୋଲି ମୁଁ ଜାଣୁଥିଲି । ଅତଏବ, ଅନୁବାଦ କରିବାପାଇଁ ଅନୁମତି ଲୋଡ଼ି ଅଧ୍ୟାପକ ଚକ୍ରବର୍ତ୍ତୀଙ୍କ ପାଖକୁ ଖଣ୍ଡିଏ ପତ୍ର ଲେଖିଲି । ଅନୁମତି କେବଳ ନୁହେଁ, ବନ୍ଧୁତ୍ୱ ଦେଇ ସେ ମତେ ଅନୁଗୃହୀତ କରିଚନ୍ତି । ଓଡ଼ିଆ ପାଠକମାନେ ଏ ଧରଣର ରଚନାକୁ କିପରି ଭାବରେ ଗ୍ରହଣ କରୁଚନ୍ତି ଜାଣିବାପାଇଁ ପ୍ରଥମେ ‘ନିର୍ଋତି’ର ଅନୁବାଦ ‘ଝଙ୍କାର’କୁ ପଠାଇଲି । କାହାଣୀଟି ପ୍ରକାଶିତ ହେବାପରେ ଜାଣିପାରିଲି, ମୋର ପରୀକ୍ଷା ସଫଳ ହେଇଚି । ତା’ପରେ ମୋଦ୍ଵାରା ସମ୍ପାଦିତ ‘ସ୍ୱରୂପ’ର ପ୍ରତ୍ୟେକ ସଂଖ୍ୟାରେ ଗୋଟିଏ କରି କାହାଣୀ ପ୍ରକାଶ କଲି । ସତ୍ୟ କହିଲେ, ଜାହ୍ନବୀବାବୁଙ୍କ କାହାଣୀ ଥିଲା ‘ସ୍ୱରୂପ’ର ଦ୍ଵିତୀୟ ପ୍ରଧାନ ଆକର୍ଷଣ-

 

ଅନୁବାଦରେ ଶ୍ରୀଯୁକ୍ତ ଚକ୍ରବର୍ତ୍ତୀଙ୍କ ବାକ୍ୟଗଠନ ଶୈଳୀ ସୁଦ୍ଧା ରକ୍ଷା କରିବାକୁ ମୁଁ ଚେଷ୍ଟା କରିଚି । ଏହି ପୁସ୍ତକ ଯଦି କେଉଁ ପାଠକକୁ ଆନନ୍ଦ ଦିଏ, ସେଥିପାଇଁ ସେ ଧନ୍ୟବାଦ ଦିଅନ୍ତୁ ଶ୍ରୀଯୁକ୍ତ ଚକ୍ରବର୍ତ୍ତୀଙ୍କୁ । ସେଥିରେ ମୁଁ ଗର୍ବ ଅନୁଭବ କରିବି । ଯଦି କିଛି ଦୋଷ ତ୍ରୁଟି ପରିଲକ୍ଷିତ ହୁଏ, ହେବା ସ୍ଵାଭାବିକ ମଧ୍ୟ, ସେଥିପାଇଁ ମୁଁ ଆଗରୁ କ୍ଷମା ମାଗି ନେଉଚି ।

 

ମୁଁ ଅନୁରୋଧ କରିବା ପୂର୍ବରୁ ଓଡ଼ିଶା ବୁକ୍ ହାଉସ୍ ବହିଟିକୁ ପ୍ରକାଶ କରିବାପାଇଁ ଆଗୁସାର ଦେଇ ମତେ ଉପକୃତ କରିଚନ୍ତି । ‘ହିରଣ୍ମୟ ପାତ୍ର’ ଓଡ଼ିଆ ସାହିତ୍ୟପ୍ରେମୀଙ୍କ ସମାଦର ଲାଭ କଲେ ମୋର ଶ୍ରମ ସାର୍ଥକ ମଣିବି ।

 

ଗାନ୍ଧି ନଗର

ବ୍ରହ୍ମାନନ୍ଦ ପଣ୍ଡା

ବ୍ରହ୍ମପୁର

 

ତା ୧୪।୩।୬୫

 

★★★

 

ସୂଚିପତ୍ର

 

୧.

ନିର୍ଋତି

୨.

ଦର୍ପକ

୩.

ବାରୁଣୀ

୪.

ମହାମଦ

୫.

ସାଲକଟଙ୍କଟା

୬.

ଚାର୍ବାକ

୭.

ଦୁର୍ଭଗା

୮.

ଅନ୍ତକ

୯.

ସ୍ମୃତିହରା

୧୦.

ନରକ

୧୧.

ଭୟା

୧୨.

ପିଙ୍ଗଳା

★★★

 

ନିର୍ଋତି

 

ସାୟନ୍ତନ ସୂର୍ଯ୍ୟର ଶେଷରଶ୍ମି ସ୍ତିମିତ ହେଇ ଆସିଚି; ପୂର୍ବ ଚକ୍ରବାକ ଉପରେ ଧୀରେ ଧୀରେ ନଇଁ ଆସିଲା ସନ୍ଧ୍ୟା । ଗୋଧୂଳିର ରହସ୍ୟଘନ ଆଲୋକ-ଛାୟାରେ ସେ ଠିଆ ହେଇ ରହିଲା ଏକା ।

 

ସମ୍ମୁଖରେ ବିଶାଳ ପ୍ରାନ୍ତର–ନିର୍ଜନ, ନିସ୍ତବ୍ଧ । ବାମ ଓ ଦକ୍ଷିଣରେ ଅନ୍ତହୀନ ଶୂନ୍ୟତା । ଗୋଟିଏ ବୁଭୁକ୍ଷୁରାକ୍ଷସ ଯେପରି ବିସ୍ତାର କରିଚି କରାଳ ଗ୍ରାସ, ଅନ୍ଧକାର ଯେପରି ତା’ରହିଁ ମୁଖଗହ୍ଵର । ଆତଙ୍କରେ ପଳାୟନପର ପକ୍ଷୀକୁଳ, ପଳାୟନପର ତପନ ଦେବ ।

 

ଭୟରେ ଶିହରି ଉଠେ ତା’ର ଅନ୍ତରାତ୍ମା ମଧ୍ୟ । ସ୍ଵଭାବତଃ ଶୁଷ୍କ ତା’ର ବଦନ, ବିଶୁଷ୍କ ଅଧର । ଏବେ ଯେପରି ଆହୁରି ଶୁଷ୍କ ହେଇ ଯାଇଚି । ଶୁଷ୍କ ବକ୍ଷ, ଶୁଷ୍କ ରସନା । ଶଙ୍କାତୁର ଦୃଷ୍ଟିରେ ଗୋଟିଏ ସଶଙ୍କ ବ୍ୟାକୁଳ ଜିଜ୍ଞାସା, ‘ଏବେ ମଧ୍ୟ କେହି ତ ଆସୁନି ? ସେ କି ତାହାହେଲେ ପରିତ୍ୟକ୍ତା ! ସନ୍ଧ୍ୟାର ହୁହୁ ସମୀରଣରେ ମିଳାଇଯାଏ ତା’ର ବ୍ୟର୍ଥତାର ହାହାଶ୍ଵାସ ।

 

ନାମ ତା’ର ନିର୍ଋତି । ମହାନଭୀତି ସାର ଭ୍ରୂଭଙ୍ଗରେ, ବିଧାତାର ସେ ଆଉ ଏକ ସୃଷ୍ଟି–ପାପର ସହଚରୀ, କଲ୍ୟାଣର ଅରି, ଧର୍ମର ବୈରୀ । ଅସତ୍ୟର ବକ୍ର-କୁଟିଳ ପଥରେ ତା’ର ଗତି, ଗୋପନ ତା’ର ପଦକ୍ଷେପ, ଭ୍ରାନ୍ତି ସୃଷ୍ଟି କରିବାରେ ସେ ଅଦ୍ଵିତୀୟା । ଛଳନାମୟୀ, ଅତିଭୟଙ୍କରୀ । ଅଲକ୍ଷ୍ମୀ ସେ, ବିଶ୍ଵର ଅଶାନ୍ତି । ନିକୃତି ସେ, ଭୀଷଣା ବିଭ୍ରାନ୍ତି ।

 

ତିମିରାଦର୍ଶରେ ନିଜର ସ୍ୱରୂପ ଦେଖି ନିଜେ ଶିହରି ଉଠେ ସେ । ନିରନ୍ଧ୍ରଅନ୍ଧକାରର ମହାତମିସ୍ରା ତା’ର ଦେହରେ, ଜଟିଳ କେଶରେ । ରୁକ୍ଷ ନୟନରେ ଖଦ୍ୟୋତ ଭଳି ତୀବ୍ର କଟାକ୍ଷ । ସେ ଯେପରି ସ୍ଵୟଂ ରୁଦ୍ରାଧିକାରଭୁକ୍ତ ସନ୍ଧ୍ୟା । ବୁଦ୍ଧିରେ ଅବୁଦ୍ଧି–ସେ ସଂସାରତ୍ରାସ ।

 

କିନ୍ତୁ ଆଜି ସେ ନିଜେଇ ସନ୍ତ୍ରସ୍ତ । ଅନେକ ସମୟ ଧରି ନିର୍ଋତି ପ୍ରତୀକ୍ଷା କରିଚି । କାହାନ୍ତି ଋଷିସତ୍ତମ ଉଦାଳକ, ତା’ର ଭାବୀ ସ୍ଵାମୀ ? ଫେରି ଆସିବେ ବୋଲି କହି ବହୁତ ଗଲେଣି-। ଏବେବି ତ ଆସିଲେନି ! ମହାପ୍ରାନ୍ତରର ଅତି-ବୃଦ୍ଧ ଏକ ଅଶ୍ଵତ୍‍ଥ ତଳେ ସେ ଏକା, ସେଇ ପ୍ରାନ୍ତର ଭଳି ପରିତ୍ୟକ୍ତା । ସନ୍ଧ୍ୟାର ଅନ୍ଧକାର ଯେତେ ନିବିଡ଼ତର ହୁଏ, ସେତେ ଗଭୀର ନୈରାଶ୍ୟରେ ତା’ର ଅନ୍ତର ପୂର୍ଣ୍ଣ ହେଇ ଉଠେ । ଶଙ୍କାକୁଳ ଚିତ୍ତରେ ଚାଲେ ସ୍ମୃତିର ରୋମନ୍ଥନ-

 

ଆଜନ୍ମ ସ୍ଵେଚ୍ଛାଚାରିଣୀ, ଉଚ୍ଛୃଙ୍ଖଳ ନିର୍ଋତି । ଅଧର୍ମ ତା'ର ଜନକ, ହିଂସା ତା’ର ଜନନୀ । ଆଶୈଶବ ଅଧର୍ମ ଓ ହିଂସାରେ ତା’ର ମନ୍ତ୍ରଦୀକ୍ଷା । ନିୟମହୀନ ବିଶୃଙ୍ଖଳାର ପଥରେ ସ୍ଵାଧୀନ ତା’ର ଗତି । ତା’ର ବଂଶର ଚିରଶତ୍ରୁ ଧର୍ମ; ବଂଶର ଏକମାତ୍ର ଲକ୍ଷ୍ୟ ଧର୍ମର ନିର୍ଯାତନ ଓ ଉଚ୍ଛେଦନ-। ନିର୍ଋତିର ମଧ୍ୟ ସେଇ ଏକ ଲକ୍ଷ୍ୟ–ଧର୍ମର ରାଜ୍ୟରେ ସେ ସୃଷ୍ଟି କରିବ ଉପପ୍ଳବ । ନୀଡ଼ ରଚନା କରି, ଗୃହଧର୍ମର ପବିତ୍ର ବନ୍ଧନରେ ଆବଦ୍ଧ ହେବାର ଇଚ୍ଛା ତା’ର ଜାଗ୍ରତ ହେଇନି କେବେହେଲେ-। ଅଲକ୍ଷ୍ମୀ ସେ, ଚିରଚଞ୍ଚଳା । ଚଞ୍ଚଳ ଚରଣରେ ସେ ବିଶ୍ଵ ପରିକ୍ରମଣ କରେ, ସୁଯୋଗ ପାଇବାମାତ୍ରେ ଅଲକ୍ଷ୍ୟରେ ଆକ୍ରମଣ କରେ ଧର୍ମର ମିତ୍ରକୁ ।

 

ନିର୍ଋତିର ସହୋଦର ଅନୃତ । ସେ ମିଥ୍ୟାର ବିଗ୍ରହ, ମୂର୍ତ୍ତିମାନ ବ୍ୟଭିଚାର । କୃଷ୍ଣକାୟ, ବିରାଟ ଦେହ । ଯେଭଳି ଦୁର୍ନୀତିପରାୟଣ, ସେଭଳି କୁଟିଳ । ଚିର କାମାନୁଚର । ଶୈଶବରୁ ସେ ନିରୁଦ୍ଦିଷ୍ଟ । ନିର୍ଋତି ତାକୁ ଦେଖିନି କେବେହେଲେ, କିନ୍ତୁ ଶୁଣିଚି ତା’ର କଥା । ନିର୍ଋତିର ଏକାନ୍ତ ଆଗ୍ରହ, ଅନୃତକୁ ସେ ଖୋଜି ବାହାର କରିବ । ଭାଇ ଓ ଭଉଣୀ ଦୁଇଜଣ ମିଶି ବିପର୍ଯ୍ୟସ୍ତ କରିବେ ଧର୍ମର ରାଜତ୍ଵ ।

 

ଅନୃତ କାହିଁ ? ଅନୃତକୁ ସେ ଖୋଜେ, ସନ୍ଧାନ କରେ ଗୃହ ଗୃହାନ୍ତରେ । ଯେଉଁଠି ଶାନ୍ତି ଓ ସଂଯମ ସେଇଠି ନୁହେଁ, ଯେଉଁଠି ତୁଷ୍ଟି ଓ ପୁଷ୍ଟି ସେଇଠିବି ନୁହେଁ । ଅନୃତ ସେ ସବୁ ସ୍ଥାନରେ ନଥାଏ । ଅଧର୍ମର କ୍ଷେତ୍ରଜ ସନ୍ତାନ, ହିଂସାର ନୟନାନନ୍ଦ–ତା’ର ସ୍ଥିତି ପାପରେ, ମିଥ୍ୟା ଭାଷଣରେ, କୁଟିଳ କର୍ମରେ । ଇନ୍ଦ୍ରିୟ-ମିତ୍ର ଚଞ୍ଚଳ ଅନୃତ, ଆସକ୍ତି ତା’ର ପଞ୍ଚେନ୍ଦ୍ରୟର ଭୋଗଲୋକରେ ।

 

ସେଥିପାଇଁ ନିର୍ଋତିର ଅନୁସନ୍ଧିତ୍ସା ତାକୁ ଆକର୍ଷଣ କରେ ଉଚ୍ଛୃଙ୍ଖଳତାର ସର୍ପିଳ ସରଣୀ ଆଡ଼କୁ । ସେ ଘୂରିବୁଲେ ସ୍ଵାର୍ଥପର, ଲୋଭକୁଟିଳ, ପ୍ରମତ୍ତ ମଣିଷର ଘରେ ଘରେ–ଉଦ୍‍ଗ୍ରୀବ ହେଇ ସେ ବିଚରଣ କରେ ରୂପାସକ୍ତ ରିପୁକିଙ୍କରଙ୍କ ପ୍ରମୋଦ-ଭବନରେ । ଅସତ୍ୟ ଯେଉଁଠି ପଦେପଦେ ପ୍ରମାଦ ସୃଷ୍ଟି କରେ, ସେ ଅନୃତକୁ ଖୋଜେ ସେଠାରେ; ଶାନ୍ତିର ରାଜ୍ୟରେ ଅଶାନ୍ତି ଯେଉଁଠି ପ୍ରଳୟଶିଖା ବିସ୍ତାର କରେ, ସେଇଠି ନିର୍ଋତିର ସୋତ୍ସୁକ ପଦକ୍ଷେପ । କିନ୍ତୁ କାହିଁ ଅନୃତ, ନିର୍ଋତିର ପ୍ରିୟ ସହୋଦର !

 

ଅନୃତକୁ ସେ ପାଏନି, ବିରତବି ହୁଏନି ତା’ର କାମାଚାରୀ ଗତି । ସେ ବହୁରୂପିଣୀ । ବହୁରୂପ ଧାରଣ କରି ସେ ବିଶ୍ଵ ସଂଚରଣ କରେ । ଅଧାର୍ମିକ ଭବନରେ ଉନ୍ମୁକ୍ତ ତା’ର ପ୍ରବେଶଦ୍ୱାର । ଦୃଷ୍ଟିର ଅଗୋଚରରେ କେବେ ବା ମଣିଷ ମଣିଷ ଭିତରେ ସେ ବୈଷମ୍ୟ ସୃଷ୍ଟି କରେ, କୀଟ ରୂପରେ କାଟି ଦିଏ ବନ୍ଧୁତ୍ଵର ବନ୍ଧନ; କେବେ ବା ପ୍ରେମପାତ୍ରରେ କାମନାର ବିଷ ମିଶାଇ ଦେଇଥାଏ । ନିଜେ ସେ ବିକୃତ, କଦାକାର–ସୃଷ୍ଟିର ବିକୃତି ଓ କଦାଚାରରେ ତା’ର ଉତ୍କଟ ଉଲ୍ଲାସ । ଜଘନ୍ୟ କାମ, ଦୁର୍ଜୟ କ୍ରୋଧ, ଦୁରନ୍ତ ଲୋଭର ରାଜତ୍ୱରେ ସେ ବିଜୟିନୀ ସାମ୍ରାଜ୍ଞୀ । ସେଠାରେ ସ୍ଵରୂପରେ ତା’ର ଆତ୍ମପ୍ରକାଶ । ସେଠାରେ ସେ ମୂର୍ତ୍ତିମତୀ ନିକୃତି ।

 

ସର୍ବପେକ୍ଷା ବିଭ୍ରାନ୍ତିକର ତା’ର ଶୁଷ୍କବଦନର ମନ୍ଦହାସ । ସ୍ଥୂଳୋଦରୀ ସେ, ସ୍ଥୂଳୋଷ୍ଠୀ । ରକ୍ତାକ୍ତ ଲୋଚନରେ ମଦିରେକ୍ଷଣ । ସଲଜ୍ଜ ଭଙ୍ଗୀରେ ସେ ଯେବେ ହାସ୍ୟ କରେ, କଥା କହେ, ସେତେବେଳେ କେଜାଣି କାହିଁକି ସେ ଅସାମାନ୍ୟ ସୁନ୍ଦର ଭଳି ପ୍ରତୀତ ହୁଏ । ଅନନ୍ୟସାଧାରଣ ତା’ର ଉକ୍ତିର ପରିପାଟୀ, ବଚନରେ ମଧୁ-ଧାରା । ମିଥ୍ୟାକୁ ପ୍ରତ୍ୟକ୍ଷ ସତ୍ୟ ଭଳି ସେ ପ୍ରମାଣିତ କରେ । ଅକାଟ୍ୟ ଯୁକ୍ତି, ଅପ୍ରତର୍କ୍ୟ ତା’ର ସିଦ୍ଧାନ୍ତ । କିଏ କହିବ, ସେ ଛଳନାମୟୀ ? କିଏ କହିବ, ସେ ବିଷକୁମ୍ଭ–ପୟୋମୁଖ ? ମନେହୁଏ, ନିର୍ଋତି ସତ୍ୟର ପ୍ରତିମା ।

 

କିନ୍ତୁ ନିର୍ଋତିର ଏଇ ନିକୃତି-ଜାଲରେ ଆବଦ୍ଧ ହୁଅନ୍ତି ସେମାନେ, ଯେଉଁମାନେ ଲୋଭୀ, କାମୁକ, ସ୍ଵାର୍ଥାନ୍ଧ । ମୁଖ୍ୟ ଲକ୍ଷ୍ୟ ଯେଉଁ ଧର୍ମରାଜ୍ୟ, ଶତ ଚେଷ୍ଟା ସତ୍ତ୍ଵେ ନିର୍ଋତି ସେଠାକୁ ପ୍ରବେଶପଥ ପାଏନି । ପଞ୍ଚଯଜ୍ଞରେ ପ୍ରତିଷ୍ଠିତ ଗୃହଦ୍ଵାର ତା’ପାଇଁ ରୁଦ୍ଧ । ସଂଯତାତ୍ମା ପୁରୁଷ ମୁହୂର୍ତ୍ତକରେ ତା’ର କୌଶଳ ବୁଝି ନେଇପାରେ । ସତ୍ୟସନ୍ଧୀ ମନୁଷ୍ୟ ତାକୁ ଚାହିଁ ଉପେକ୍ଷାର ହସ ହସେ । ନିର୍ଋତିର ଅନ୍ତରରେ ସେ ହାସ ବୃଶ୍ଚିକଦଂଶନର ଜ୍ଵାଳା ସୃଷ୍ଟି କରେ । ଧାର୍ମିକ ନିକଟରେ ତା’ର ଚିର ପରାଜୟ । ଶାନ୍ତ, ସ୍ଥିର ତପୋବନରେ ପ୍ରବେଶ କରିବାପାଇଁ ନିର୍ଋତିର ପ୍ରାଣରେ ଡର ।

 

ଏଇ ପରାଜୟ ତା’ର ଅନ୍ତରରେ ସୃଷ୍ଟି କରେ ରୁଦ୍ଧ ଆକ୍ରୋଶ । ରୁକ୍ଷ, କୃଷ୍ଣ କେଶପାଶଦ୍ୱାରା ଆବୃତ ତା’ର ମେଘପ୍ରଭ ଆନନର ଆରକ୍ତ ନୟନ ଭ୍ରୂକୁଟି-କୁଟିଳ ହେଇ ଉଠେ । ଭୟଙ୍କର ଆକାର ଧାରଣ କରେ ସେ । ସ୍ଥୂଳ ଓଷ୍ଠ ସ୍ଥୂଳତର ହୁଏ, ଶୁଷ୍କ ବଦନ ହୁଏ ଅଧିକତର ବିକଟ । ନିର୍ଋତି ପ୍ରତିଜ୍ଞା କରେ, ଅନୃତକୁ ସେ ଅବଶ୍ୟ ଖୋଜି ବାହାର କରିବ । ଭାଇ ଓ ଭଉଣୀ ମିଶି ତାପସଙ୍କ ତପୋବନରେ ସୃଷ୍ଟି କରିବେ ଘୋର ଆଲୋଡ଼ନ । କିଏ ଜାଣେ, ଅନୃତ ହୁଏତ ଛଦ୍ମବେଶରେ ଲୁଚି ରହିଚି ଧର୍ମର ସେଇ ଆଶ୍ରମରେହିଁ, ହୁଏତ ଅଧିକାର ଖୋଜୁଚି ଗୋପନରେ ।

 

କଳ୍ପନାକୁ ବାସ୍ତବ ରୂପ ଦେବାପାଇଁ ଉନ୍ମାଦ ହୁଏ ସେ । ନିକୃତିର ଆଶ୍ରୟରେ ନିର୍ଋତି କ’ଣ କରି ନ ପାରେ ! ଛଳନାର ଯାବତୀୟ କୌଶଳ ତା’ର କରାୟତ୍ତ । ଅତି କ୍ଷୁଦ୍ର ଛିଦ୍ର ପଥରେ ସେ ତୀବ୍ର କାଳକୂଟ ଗରଳ ଢାଳି ଦେଇପାରେ । ତା’ର ମିଥ୍ୟା ଚକ୍ରାନ୍ତରେ ଶାମଳ ଭୂମି ମୁହୂର୍ତ୍ତକରେ ଉଷର ମରୁଭୂମିରେ ପରିଣତ ହୁଏ । ଭୀଷଣ ଅଥଚ ଅବ୍ୟର୍ଥ ତା’ର ଷଡ଼ଯନ୍ତ୍ର । ଛଳନାର ଅଭିସନ୍ଧି ନେଇ ଛଳନାମୟୀ ସେଥିଲାଗି ଉପସ୍ଥିତ ହେଲା ବିଧାତା ନିକଟରେ । କୌଶଳରେ କରାୟତ୍ତ କରିବାକୁ ହେବ ସୃଷ୍ଟି-କୁଶଳୀ କମକଯୋନିଙ୍କୁ । ଅନ୍ତରର କୁତ୍ସିତ ଇଚ୍ଛା ଗୋପନ କରି, ସ୍ଥୂଳ ଓଷ୍ଠରେ ସୁସ୍ମିତ ହାସ୍ୟରେଖା ଟାଣି, ସେ ବିଧାତାକୁ ଜଣାଇଲା, 'ଜନ୍ମରୁ ମୁଁ ସ୍ଵେଚ୍ଛାଚାରିଣୀ, ଅତି ଚଞ୍ଚଳା । ଆଜି ମୁଁ କ୍ଳାନ୍ତ । ସ୍ଵେଚ୍ଛାବିହାର ପ୍ରତି ବୀତସ୍ପୃହ ମୁଁ, ଚାହେଁ ଘରର ବିଶ୍ରାମ । ଅବିବେକୀ ମିଥ୍ୟାକୁ ସମୂଳେ ବିନାଶ କରିବି । ଦୟାମୟ, ତମେ ମତେ ଏପରି ଜଣେ ସତ୍ୟସନ୍ଧୀ ଋଷିସତ୍ତମଙ୍କ ସଙ୍ଗ ଦିଅ, ଯାହାଙ୍କ ସାହଚର୍ଯ୍ୟରେ ମୋର ସ୍ଵଭାବ ପରିବର୍ତ୍ତିତ ହେଇ ପାରିବ ।’

 

କରୁଣାମୟ ବିଧାତାପୁରୁଷ । ନିର୍ଋତିର କାତର ପ୍ରାର୍ଥନାରେ ତାଙ୍କର ଅନ୍ତର ବିଗଳିତ ହେଲା, ନୟନ ଯୁଗଳ ଅଶ୍ରୁସଜଳ ହେଇ ଉଠିଲା । ସେ ବଚାର କଲେ, ‘ହାୟ, ୟାପରି ଦୁଃଖୀ ଆଉ କିଏ ଅଛି ! ଚିର ଅଶାନ୍ତ, ସେଥିଲାଗି କ୍ଳାନ୍ତ । ଶାନ୍ତି ଯଦି ଚାହେଁ ନିର୍ଋତି, ଆସୁ ତା’ର ଜୀବନରେ ଶାନ୍ତି; ନୀଡ଼ ରଚନା କରି ଯଦି ସୁଖୀ ହେବ ନିର୍ଋତି, ନୀଡ଼ ତାକୁ ମିଳୁ ।’

 

ଉଦାର ଦୃଷ୍ଟିମେଲି ବିଧାତାପୁରୁଷ ଦେଖିଲେ ବିରାଟ ସୃଷ୍ଟିର ରୂପ । ଦୃଷ୍ଟି ତାଙ୍କର ସଞ୍ଚରିଲା ଊର୍ଦ୍ଧ୍ଵ, ଅଧଃ, ଦକ୍ଷିଣ ଓ ବାମରେ । ସେଇ ସପ୍ତ ଲୋକ–ଭୂର୍ଲୋକ, ଭୂବର୍ଲୋକ, ସ୍ଵର୍ଲୋକ, ମହର୍ଲୋକ, ଜନର୍ଲୋକ, ତପୋର୍ଲୋକ, ସତ୍ୟର୍ଲୋକ; ସପ୍ତଲୋକରେ ସ୍ଥାପିତ ଚତୁର୍ଦ୍ଦଶ ଭୁବନ । କିଏ ସେପରି ଋଷି ଅଛନ୍ତି ଯାହାଙ୍କ କରୁଣାଛାୟାରେ ନିର୍ଋତି ଆଶ୍ରୟ ପାଇ ପାରିବ; ଜୀବନର ଜ୍ଵାଳା ସେ ଭୁଲିବ ସ୍ନେହର ସ୍ନିଗ୍ଧ ସ୍ପର୍ଶରେ ?

 

ସହସା ସ୍ମରଣ ହେଲା ଋଷିସତ୍ତମ ଉଦ୍ଦାଳକଙ୍କ କଥା । ଆରୁଣି ଉଦ୍ଦାଳକ–ଜ୍ଞାନୀ, ନିରହଙ୍କାର, ସତ୍ୟରେ ପ୍ରତିଷ୍ଠିତ ତାଙ୍କର ଧର୍ମ, ଯଜ୍ଞରେ ପ୍ରତିଷ୍ଠିତ ତାଙ୍କର ଆଶ୍ରମ । ଶୁଦ୍ଧ ସତ୍ତ୍ଵର ପ୍ରତିମୂର୍ତ୍ତି–ଶାନ୍ତ, ଉଦାର, ସ୍ଥିତଧୀ । ତାଙ୍କ ପାଖରେ ସମାନ ସୁଖ-ଦୁଃଖ, ସମାନ ଶୀତୋଷ୍ଣ । ଶତ୍ରୁ–ମିତ୍ରରେବି ତାଙ୍କର ସମଜ୍ଞାନ । ନିର୍ଋତି ଭଳି ଅଲକ୍ଷ୍ମୀକୁ ଆଶ୍ରୟ ଦେଇପାରିବେ କେବଳ ସେଇ ତପୋଧନ ।

 

କାଚରା ନିର୍ଋତି ପ୍ରତି କରୁଣାଘନ ଦୃଷ୍ଟି ଢାଳି ନିର୍ଦ୍ଦେଶ ଦେଲେ ବିଧାତାପୁରୁଷ, ‘ଋଷି ଉଦ୍ଦାଳକଙ୍କ ସ୍ନେହ ସ୍ପର୍ଶରେ ତୁମର ଶାନ୍ତି ହେଉ ନିର୍ଋତି; ଅନ୍ଧକାର ବିଦୁରିତ ହେଉ ସାଧନ-ସତ୍ୟର ଜ୍ୟୋତିର୍ମୟ ଆଲୋକରେ । ତୁମେ ତାଙ୍କର ତପୋବନକୁ ଯାଅ । ସେ ତୁମକୁ ଗ୍ରହଣ କରିବେ ।'

 

ଅନ୍ତର୍ଦ୍ଧାନ ହେଲେ ବିଧାତାପୁରୁଷ । ଉଲ୍ଲାସରେ ନାଚି ଉଠିଲା ନିର୍ଋତିର ଅନ୍ତର । ପରାଜୟର ପ୍ରତିଶୋଧ ନେବାପାଇଁ ମହାସୁଯୋଗ ଉପସ୍ଥିତ । ଅନୃତକୁ ସେ ଯଦି ଖୋଜି ନ ପାଏ, ସେ ଏକାକୀ ନିର୍ମୂଳ କରି ପାରିବ ଧର୍ମର ଆଶ୍ରମ । ଏତେଦିନ ରୁଦ୍ଧ ଥିଲା । ଯେଉଁ ପ୍ରବେଶଦ୍ଵାର, ଆଜି ବିଧାତାର ନିର୍ଦ୍ଦେଶରେ ତାହା ଉନ୍ମୁକ୍ତ । ଛଳନାରେ ସେ ମତିଭ୍ରଷ୍ଟ କରିବ ଧାର୍ମିକକୁ । କୌଶଳର ଅସାଧ୍ୟ କ’ଣ ? ଜଗତରେ ନିକୃତିର ଜୟଜୟକାର । ଉତ୍କଟ ଉଲ୍ଲାସଭରେ ସେ ଆସି ଉପସ୍ଥିତ ହେଲା ତପୋଋଦ୍ଧ ଋଷି ଉଦ୍ଦାଳକଙ୍କ ଆଶ୍ରମରେ ।

 

ସେତେବେଳକୁ ସନ୍ଧ୍ୟା ଅତୀତ ହେଇ ଯାଇଚି, ସମାପ୍ତ ହେଇଚି ସାୟଂ ସନ୍ଧ୍ୟାର କ୍ରିୟା-। ସ୍ତବ୍ଧ ବ୍ରାହ୍ମଣଗଣଙ୍କ କଳକଳଧ୍ଵନି । ଶାନ୍ତ ଆଶ୍ରମପଦରେ ନିବିଡ଼ ପ୍ରଶାନ୍ତି, ଉଚ୍ଚାରିତ ଶାନ୍ତିମନ୍ତ୍ରର କ୍ରିୟା ଯେପରି ବିସ୍ତାର କରିଚି ପ୍ରତ୍ୟକ୍ଷ ପ୍ରଭାବ । ଚତୁର୍ଦ୍ଦିଗରେ ‘ଓଁ ଶାନ୍ତିଃ‘ ବାଣୀର ଅନୁରଣନ-। ଉଲ୍ଲସିତ ନିର୍ଋତିର ଉତ୍ସାହ ଯେପରି ସ୍ତିମିତ ହେଇ ଆସୁଚି । ତେବେବି ପ୍ରାଣପଣ ଶକ୍ତିରେ ସାହସ ସଞ୍ଚୟ କରି ସେ ଧୀର ପଦକ୍ଷେପରେ ପ୍ରବେଶ କଲା ଆଶ୍ରମରେ । ମଧୁର ବଚନରେ ଋଷିଙ୍କୁ ଜଣାଇଲା ବିଧାତାର ଅଭିପ୍ରାୟ । ଋଷୀ ଉଦ୍ଦାଳକ ଦ୍ୱିଧା କରିଲେନି । ଅସଙ୍କୋଚରେ ସେ ନିର୍ଋତିକୁ ଗ୍ରହଣ କଲେ । ସତ୍ୟର ସ୍ପର୍ଶରେ ଅସତ୍ୟ ଯଦି ସତ୍ୟସନ୍ଧୀ ହୁଏ, କେଉଁ କଲ୍ୟାଣ-ମିତ୍ର ସେଥିରେ ପ୍ରତିବାଦୀ ହେବ ? ଋଷିର ତପସ୍ୟା ସତ୍ୟପାଇଁ, କଲ୍ୟାଣପାଇଁ । ସ୍ୱାର୍ଥାନ୍ୱେଷୀ, ଲୋଭୀ ମଣିଷର ମିଥ୍ୟାଚାରରେ ଯେଉଁ ପାପ ପୁଞ୍ଜୀଭୂତ ହୁଏ, ଋଷିର ତପଃଶକ୍ତିରେ ହୁଏ ତା’ର ବିନାଶ-। ସଂଶିତବ୍ରତ ତାପସର ତପସ୍ୟାର ଷଷ୍ଠାଂଶ କରରୂପେ ଗୃହୀତ ହୁଏ ବୋଲି ରାଜ୍ୟର କଲ୍ୟାଣ ଅକ୍ଷୁଣ୍ଣ ରହିଥାଏ । ତପୋବନର ପ୍ରଭାବ ଅସାମାନ୍ୟ । ଏ ପ୍ରଭାବ ତ ମଣିଷର ମଙ୍ଗଳପାଇଁ-। ଆହୁରି ମଧ୍ୟ ଭାବିଲେ ଋଷି ଉଦ୍ଦାଳକ–ନିର୍ଋତି ମୂର୍ତ୍ତିମତୀ ଅଲକ୍ଷ୍ମୀ, ନିର୍ଋତି ମିଥ୍ୟା ବ୍ୟଭିଚାର-। ସେଥିରେ ବା କ୍ଷତି କ’ଣ ? ଅଧମ-ସଂସ୍ପର୍ଶରେ ଉତ୍ତମର ଭୟ ବା କାହିଁକି ହେବ ? ‘ଋତଞ୍ଚ ସତ୍ୟଞ୍ଚ’ ଯାର ଜୀବନର ଧ୍ୟାନ, ସେ ତ ସତ୍ୟର ସ୍ପର୍ଶମଣି; ସେ ମଣି ଚିର ଅମଳିନ, ତା’ର ସ୍ପର୍ଶରେ କୃଷ୍ଣାୟସ ସ୍ଵର୍ଣ୍ଣରେ ପରିଣତ ହୁଏ । ସୁତରାଂ ବିନା ଦ୍ଵିଧାରେ ଋଷି ଉଦ୍ଦାଳକ ନିର୍ଋତିକୁ ଗ୍ରହଣ କଲେ-। ଶୁଣାଇଲେ ସତ୍ୟର ଦୁର୍ଜୟ ବାଣୀ : ‘ଧୃତିର ସାହଚର୍ଯ୍ୟରେ ତୁମର ମତି ସ୍ଥିର ହେଉ ନିର୍ଋତି, ସତ୍ୟର ସଂସ୍ପର୍ଶରେ ତୁମର ମିଥ୍ୟାଚର ସତ୍ୟସନ୍ଧାନୀ ହେଉ । ପୁଣ୍ୟର ପବିତ୍ର ସ୍ପର୍ଶରେ କଳଧୌତ ହେଉ ତୁମର କଳୁଷିତ ହୃଦୟ, ତୁମେ ଉଜ୍ଜ୍ୱଳ ହୁଅ ।’

 

ଋଷି ଉଦାଳକଙ୍କ ଆଶ୍ରମରେ ସେ ରାତିକପାଇଁ ଆଶ୍ରୟ ପାଇଲା ନିର୍ଋତି । ସ୍ଥିର ହେଲା, ପରଦିନ ଅଗ୍ନିସାକ୍ଷୀ କରି ଯଥାବିହିତ ନିୟମରେ ସେ ହେବ ଋଷି ଉଦ୍ଦାଳକଙ୍କ ଧର୍ମପତ୍ନୀ ।

 

କିନ୍ତୁ ଏ କ’ଣ ହେଲା ନିର୍ଋତିର ! ତିମିରଘନ ରାତ୍ରି, ନିର୍ଋତିର ମହାସୁଯୋଗ; ଅଥଚ କିଛି ସେ କରିପାରୁନି ! ଅନ୍ତର ଭିତରେ ଉତ୍କଟ ପାପ ଇଚ୍ଛା, କିନ୍ତୁ ନିସ୍ତେଜ ତା’ର କର୍ମେନ୍ଦ୍ରୟ । ପ୍ରକାଣ୍ଡ ଏକ ଅଗ୍ନିଉଚ୍ଛ୍ୱାସକୁ ପ୍ରକାଣ୍ଡ ଏକ ଶିଳାଖଣ୍ଡ ଯେପରି ଚିପି ରଖିଚି । ବିନିଦ୍ର ନୟନ, ଦେହମୟ ନିଦାରୁଣ ଉତ୍ତେଜନା । କୁଟୀରାଭ୍ୟନ୍ତର ଅସହ୍ୟ ମନେହୁଏ । ଅସ୍ଥିର ଭାବରେ ସେ ଆସି ଛିଡ଼ା ହେଲା କୁଟୀର ଦ୍ଵାରରେ ।

 

ଶାନ୍ତ ଆଶ୍ରମପଦ । ଗଭୀର ନିଦ୍ରାରେ ଆଚ୍ଛନ୍ନ ତପୋଧୀର ଋଷିବୃନ୍ଦ । ନିଦ୍ରିତା ପୃଥିବୀ–ସୁପ୍ତିମଗ୍ନ ଜୀବଜନ୍ତୁ । ହିଂସ୍ର ସର୍ପବ୍ୟାଘ୍ର ହିଂସାହୀନ । ଅନ୍ଧକାରରେ ସଦାଜାଗ୍ରତ ନିଶାଚର ପ୍ରାଣୀ ନିଶ୍ଚିନ୍ତ ଆରାମ କୋଳରେ ଆଶ୍ରୟ ନେଇଚି । ସ୍ତବ୍ଧ ବନସ୍ପତି ଓଷଧି, ନିସ୍ତବ୍ଧ ଗ୍ରହ-ତାରକା । ଅବ୍ୟକ୍ତ-ଚୈତନ୍ୟ ବିଶ୍ଵଚରାଚର ନିଶ୍ଚେଷ୍ଟ । ସେଭଳି ଏକ ନିଶ୍ଚେଷ୍ଟା ଆଶ୍ରୟ କରିଚି ନିର୍ଋତିର ଉଦ୍ଦାମ ପ୍ରକୃତିକୁ, ମନ୍ତ୍ର ବଳରେ ଯେପରି ସ୍ତବ୍ଧ ହେଇଚି ଉନ୍ନତଫଣ ଏକ କାଳନାଗିନୀ । ଅପୂର୍ବ ସୁଯୋଗ, କିନ୍ତୁ ନିଷ୍କ୍ରିୟ କ୍ରିୟାଶକ୍ତି । ଅସ୍ଥିର ନିର୍ଋତି–ଅସ୍ଥିର ଚିତ୍ତରେ ସେ ପଦଚାରଣା କରେ । ମସ୍ତିଷ୍କରେ ଅଗ୍ନିଜ୍ଵାଳା । ଛିଦ୍ର ପଥରେ ଛିଦ୍ରାନ୍ୱେଷଣ ବ୍ୟର୍ଥ ହେଇଚି ତା'ର । ଛଳନା ଏଥର ତାକୁ ଯେପରି ପ୍ରତ୍ୟାଘାତ କରିଚି । ପ୍ରଶାନ୍ତ ଆଶ୍ରମର ପ୍ରଶାନ୍ତି ତାକୁ ଉନ୍ମାଦ କରି ତୋଳେ । ବାହାରେ ଆଉ ରହି ହେବନି । ଆତଙ୍କରେ ଦ୍ରୂତ ପଦସଞ୍ଚାର କରି ସେ କୁଟୀର ଭିତରେ ପ୍ରବେଶ କରେ, କମ୍ପିତ ବିବଶ ଦେହଟିକୁ ଲୋଟାଇ ଦିଏ ଶଯ୍ୟା ଉପରେ ।

 

ଉତ୍ତପ୍ତ ମସ୍ତିଷ୍କ, କ୍ଳାନ୍ତ ଦେହ, ଶାନ୍ତ ନୟନ । ନିର୍ଋତି ଠିକ୍ ବୁଝି ପାରେନି, କ’ଣ ସେ ଚାହେଁ ? ତା’ର କାମନା ପ୍ରେମ ନା ପ୍ରତିଶୋଧ ! ଯଦି ପ୍ରେମ, କାହିଁକି ଏ ଉତ୍ତେଜନା ! ପ୍ରତିଶୋଧହିଁ ଯଦି ତା’ର କାମ୍ୟ, କାହିଁକି ଏ ନିଷ୍କ୍ରିୟତା ! ବିଚ୍ଛିନ୍ନ ଚିନ୍ତାର ସୂତ୍ର ଯୋଡ଼ି ହେଇ ପାରେନି । କେତେବେଳେ ଧୀରେ ଧୀରେ ମୁଦ୍ରିତ ହେଇ ଆସେ ତା'ର କାନ୍ତ ନୟନ । ମୁଦ୍ରିତ ନୟନପଲ୍ଲବ ସ୍ଵପ୍ନ ଆଚ୍ଛନ୍ନତାରେ ମଧ୍ୟ ଉତ୍ତେଜନାରେ କମ୍ପିତ ହେଉଥାଏ ।

 

ରଜନୀ ପ୍ରଭାତକଳ୍ପା । ଶୁଭ ବ୍ରାହ୍ମମୁହୂର୍ତ୍ତରେ ଜାଗ୍ରତ ହେଲା ଋଷି ଉଦ୍ଦାଳକଙ୍କ ଆଶ୍ରମ । ‘ନିଅ ସମିଧ, ରଖ ହବି, ଆଣ ଅରଣି’–ପ୍ରଭୃତି ଶବ୍ଦରେ ମୁଖର ହେଇ ଉଠିଲା ତପୋବନ । ଅଗ୍ନି ପ୍ରଜ୍ଜ୍ୱଳିତ ହେଲା; ‘କସୈ ଦେବାୟ ହବିଷ ବିଧେମ' ଉଚ୍ଚାରଣ ସଙ୍ଗେ ଯଜ୍ଞାଗ୍ନିରେ ଆହୁତ ହେଲା ହବି । ହୋମଧୂପ ସୌରଭରେ ଆମୋଦିତ ସମୀରଣ, ପଦକ୍ରମରେ ଉଚ୍ଚାରିତ ସୁଗମ୍ଭୀର ବେଦଧ୍ଵନିରେ ମନ୍ଦ୍ରିତ ଅରଣ୍ୟଭୂମି । ସୁନ୍ଦର ଦୃଶ୍ୟ, ସୁନ୍ଦର ଗନ୍ଧ, ସୁନ୍ଦର ଗୀତ ।

 

ନିଦ୍ରା ଭଙ୍ଗ ହେଲା ନିର୍ଋତିର । ଚକିତରେ ସେ ଆଖି ମେଲି ଚାହିଁଲା । ସେ ଯେପରି ଆତଙ୍କଗ୍ରସ୍ତ । ନୟନରେ ତ୍ରାସ, ସର୍ବାଙ୍ଗରେ ସ୍ଵେଦ, ମୁଖରେ ଆର୍ତ୍ତଚିହ୍ନ । ଉନ୍ମାଦଗ୍ରସ୍ତ ହେଲା ନିର୍ଋତି-। ଅସହ୍ୟ, ଅସହ୍ୟ ! ଅସହ୍ୟ ହୋମଧୂପର ସୌରଭ, ଅସହ୍ୟ ଗମ୍ଭୀର ବେଦଧ୍ୱନି । ମଦ୍ୟପ ଭଳି କୁଟୀର ଭିତରୁ ବାହାରି ଆସିଲା ସେ; କମ୍ପିତ ଅଙ୍ଗ, ସ୍ପଳିତ ଚରଣ । କିନ୍ତୁ ଅବରୁଦ୍ଧ ଆଶ୍ରମର ନିର୍ଗମନଦ୍ଵାର । ଉତ୍ତେଜନାର ବଶବର୍ତ୍ତୀ ହେଇ ସେ ଯାଇ ଉପସ୍ଥିତ ହେଲା ଋଷି ଉଦାଳକଙ୍କ ସମ୍ମୁଖରେ । ତ୍ରସ୍ତ କଣ୍ଠରେ କହିଲା, ‘ମୁଁ ରହିବିନି, ରହିପାରିବିନି ଏ ଆଶ୍ରମରେ । ମୋତେ କାହିଁ ଦୂରକୁ ନେଇ ଚାଲ ଋଷି । ଆଉ ମୁହୂର୍ତ୍ତେ ସୁଦ୍ଧା ଅପେକ୍ଷା କରିବା ମୋ ପକ୍ଷରେ ଅସମ୍ଭବ-।'

 

ବିସ୍ମିତ, ସ୍ତମ୍ଭିତ ଉଦ୍ଦାଳକ । କ’ଣ କହୁଚି ନିର୍ଋତି ! ଋଷି ମୁଖରୁ କଥା ବାହାରିବା ପୂର୍ବରୁ ଝଡ଼ବେଗରେ ନିର୍ଋତି ତାଙ୍କର ହାତ ଚାପି ଧରିଲା–ନେତ୍ରରେ ମିନତି, କଣ୍ଠରେ ଭୟାର୍ତ୍ତି : ‘ମୋତେ ପଥ ଦେଖାଇ ଦିଅ । ମୋତେ ନେଇ ଚାଲ ଆଶ୍ରମ ବାହାରକୁ ।'

 

'କିନ୍ତୁ, କାହିଁକି ?' ପ୍ରଶ୍ନକଲେ ଉଦ୍ଦାଳକ । ‘ସେ ପ୍ରଶ୍ନ ଏଠି କରନି, ମୁଁ ଏବେ କିଛି କହି ପାରିବିନି । ମତେ ଦୂରକୁ ନେଇ ଚାଲ । ସବୁକଥା ତୁମକୁ ଖୋଲି କହିବି,' ଗୋଟିଏ ନିଃଶ୍ଵାସରେ କହିଗଲା ନିର୍ଋତି । ଦ୍ରୂତ ଆକର୍ଷଣ କରୁଥାଏ ଋଷିଙ୍କୁ । ତାଙ୍କୁ ନେଇ ଆଶ୍ରମ ବାହାରକୁ ଯିବାଲାଗି ବାଧ୍ୟ ହେଲେ ଉଦ୍ଦାଳକ । ଋଷି ଯେତେଥର ପଚାରନ୍ତି, 'କ'ଣ ହେଲା, କହ,' ତା'ର ଏକମାତ୍ର ଉତ୍ତର, ଦିଏ ନିର୍ଋତି 'ଦୂରକୁ ଚାଲ, ଆହୁରି ଦୂରକୁ ।'

 

ଋଷିଙ୍କୁ ସାଙ୍ଗରେ ନେଇ ବିଦ୍ୟୁତ୍‍ବେଗରେ ଛୁଟିବ ନିର୍ଋତି, ଛୁଟିଚି ଭୂତଗ୍ରସ୍ତ ଆତଙ୍କିତ ଲୋକ ଭଳି । ସାରା ଦିନ ଘୂରିଚି ସେ, ଦଣ୍ଡେ ଠିଆ ହେବାର ସ୍ଥାନ ପାଇନି କେଉଁଠି । କଣ୍ଟକରେ କ୍ଷତବିକ୍ଷତ ହେଲାଣି ଚରଣ–ଭ୍ରୂକ୍ଷେପ ନାଇଁ, ଉଚ୍ଚନୀଚ ଭୂମିରେ ପଦସ୍ଖଳନ ହେଇଚି–ବୋଧ ନାଇଁ, ଊର୍ଦ୍ଧ୍ଵରେ ମଧ୍ୟାହ୍ନ ଭାସ୍କରର ପ୍ରଖର ଦୀପ୍ତି–ଆତପ୍ତ ପଦତଳ, ତଥାପି ଜ୍ଞାନ ନାଇଁ । ସଘନ ନିଃଶ୍ଵାସ, ପରିଶ୍ରାନ୍ତ ଦେହ । ତଥାପି ଚାଲିଚି ବିରତି-ବିହୀନ ପଥପରିକ୍ରମା । ଅବଶେଷରେ, ଅପରାହ୍ନ କାଳରେ ସେ ଆସି ସ୍ଥିର ହେଲା ଦିଗନ୍ତବିସ୍ତୃତ ପରିତ୍ୟକ୍ତ ଏକ ପ୍ରାନ୍ତରର ନିର୍ଜନ ଅଶ୍ଵତ୍‍ଥ ତଳେ । ସେଇଠି ମୁକ୍ତିର ନିଃଶ୍ଵାସ ଛାଡ଼ିଲା ନିର୍ଋତି । ଆଶ୍ରମ ନୁହେଁ, ଆଶ୍ରମଠାରୁ ଦୂରରେ, ବହୁଦୂରରେ ଜନଶୂନ୍ୟ ପ୍ରାନ୍ତରହିଁ ତା'ର ଯୋଗ୍ୟ ବାସଭୂମି । 'କାହିଁକି ଚାଲି ଆସିଲ,' ପଚାରିଲେ ଋଷି । ତାଙ୍କର ବିସ୍ମୟ ସେଯାଏଁ କଟିନି ।

 

ଉନ୍ମୁକ୍ତ ପ୍ରାନ୍ତରର ସମୀରଣ ବୁକୁଭରି ଗ୍ରହଣ କଲା ନିର୍ଋତି । କଣ୍ଠ ତା'ର ଅନର୍ଗଳ...'ଯେଉଁଠି ବେଦଧ୍ଵନି ଛନ୍ଦିତ ହୁଏ, ସେଠାରେ ମୁଁ ବାସ କରି ପାରେନା । ଯେଉଁଠି ଯଜ୍ଞ ଦେବପୂଜା ହୁଏ, ସେଠାରେ ମଧ୍ୟ ମୋର ବାସଯୋଗ୍ୟ ସ୍ଥାନ ନାଇଁ । ସଂଯମ, ଶୁଦ୍ଧି, ସତ୍ୟ ମୋ ପକ୍ଷରେ ବିଷସଦୃଶ । ଯଜ୍ଞହୀନ, ଦାନହୀନ, ଅତିଥିସତ୍କାରହୀନ ସ୍ଥାନ ମୋର ଆବାସଭୂମି । ମୁଁ ଅଲକ୍ଷ୍ମୀ, ମୋର ଉଲ୍ଲାସ ଶୂନ୍ୟତାରେ, ଶ୍ରୀହୀନତାରେ, ଧୂମକ ଧୂସରତାରେ । ମୁଁ ନିର୍ଋତି, ବିଶ୍ଵର ଅସତ୍ୟ–ମିଥ୍ୟାଚାରରେ, କୁଟିଳତାରେ, ବ୍ୟଭିଚାରରେ ମୋର ସ୍ଥିତି । ମୁଁ ନିକୃତି–ହିଂସାରେ, ଛଳନାରେ, ଷଡ଼ଯନ୍ତ୍ରରେ ମୋର ଆନନ୍ଦ ।’

 

ବିସ୍ମୟରେ ହତବାକ୍ ହେଲେ ଋଷି ଉଦ୍ଦାଳକ । ସୃଷ୍ଟିର ଏ କି ଅନିୟମ ନିର୍ଋତି ! ଧର୍ମ-କର୍ମର ବିରୋଧୀ, ଆଚାର-ନିୟମର ଅରି, ପାପ-ସହଚରୀ ସେ । ତାକୁ ନେଇ କ’ଣ ସେ କରିବେ, କେଉଁଠିକି ଯିବେ ? ବିଧାତାର ଅଭିପ୍ରାୟ କ’ଣ ? ଧର୍ମାଦି ତ୍ରିବର୍ଗ ସାଧନର ସହାୟିନୀ ଭାର୍ଯ୍ୟା, ପୁରୁଷର ଅର୍ଦ୍ଧାଙ୍ଗିନୀ ସ୍ତ୍ରୀ । ଯେଉଁ ପତ୍ନୀ ସେଇ ଧର୍ମାଚରଣର ପ୍ରତିବନ୍ଧକ, ଧାର୍ମିକ ଗୃହରେ ତା’ର ସ୍ଥାନ ହେଇ ପାରିବ କିପରି ?

 

ମୁନି ଉଦ୍ଦାଳକ ବିଚଳିତ ହେଇ ପଡ଼ିଲେ । ଭୂକମ୍ପନରେ ଈଷତ୍ ଚଞ୍ଚଳ ଯେପରି ସ୍ଥିର ଭୂଧର । ଋଷିଙ୍କୁ ମୌନ ଦେଖି ନିର୍ଋତି ଅସ୍ଥିର ହୁଏ । ତା’ର ମନସ୍କାମ କି ପୂର୍ଣ୍ଣ ହେବନି ! ବ୍ୟାକୁଳ ଭାବରେ ସେ ପ୍ରଶ୍ନ କଲା, ‘ତେବେ ମତେ କ’ଣ ତୁମେ ଗ୍ରହଣ କରିବନି ଋଷି ?’ ‘ନା, ନା–ସେ କଥା ନୁହେଁ’, ଭରସା ଦେଲେ ସ୍ଥିତଧୀ ଉଦ୍ଦାଳକ,-‘ତୁମେ ଅପେକ୍ଷାକର, ତୁମର ବାସଯୋଗ୍ୟ ଭୂମି କେଉଁଠି, ମୁଁ ବିଧାତାର ନିର୍ଦ୍ଦେଶ ଶୁଣି ଆସେ ।’

 

ଗମନୋଦ୍ୟତ ଉଦ୍ଦାଳକଙ୍କୁ ବାଧା ଦେଇ କାତର ଭାବରେ ପଚାରିଲା କ୍ଳାନ୍ତ ନିର୍ଋତି, ‘ସତରେ ତମେ ଫେରି ଆସିବ ତ !’ ‘ମିଥ୍ୟା ହୁଏନା ଋଷି-ବାକ୍ୟ । ସତ୍ୟରେ ପ୍ରତିଷ୍ଠିତ ତା’ର ଆଚରଣ, ସତ୍ୟରେ ପ୍ରତିଷ୍ଠିତ ତା’ର ବାଣୀ । ତୁମେ ଅପେକ୍ଷା କର, ମୁଁ କେବଳ ଜାଣି ଆସେ ବିଧାତାର ନିର୍ଦ୍ଦେଶ–ଧାର୍ମିକର ନିଳୟରେ କେଉଁଠି ନିର୍ଋତିର ସ୍ଥାନ ?’

 

ଧୀର ଚରଣରେ ଚାଲିଗଲେ ଋଷି । ଆଦିତ୍ୟ ପଥରେ ଯେପରି ଯାତ୍ରା କରେ ରାଜହଂସ, ଆକାଶପଥରେ ସେପରି ଅନ୍ତର୍ହିତ ହେଲେ ଯୋଗ–ସିଦ୍ଧ ଉଦ୍ଦାକଳ । ନିର୍ଋତିର କର୍ଣ୍ଣରେ ଜାଗ୍ରତ ରହିଲା ଗୋଟିଏ ମାତ୍ର ଅନୁରଣନ : ‘ମୁଁ ଆସିବି, ଆସିବି, ଆସିବି ।’

 

ସେତିକିବେଳୁ ପ୍ରତୀକ୍ଷା କରିଚି ନିର୍ଋତି, ପ୍ରତୀକ୍ଷା କରିଚି ଜନହୀନ ପରିତ୍ୟକ୍ତ ପ୍ରାନ୍ତରର ଶୁଷ୍କଶାଖା ଅଶ୍ଵତ୍‍ଥ ତଳେ–ଶାନ୍ତ ଦେହ, କାନ୍ତ ନୟନ । ତେବେବି କ୍ଷଣିକପାଇଁ ଚକ୍ଷୁ ତା’ର ମୁଦ୍ରିତ ହେଇନି । ଆରକ୍ତ ଲୋଚନରେ ଶାନ୍ତିହୀନ ପ୍ରତୀକ୍ଷା, ଉତ୍କଣ୍ଠିତ ଦୃଷ୍ଟି । ଅପରାହ୍ନର ବିଦାୟୀ ସୂର୍ଯ୍ୟର ଶେଷରଶ୍ମିପାତରେ ଆରକ୍ତ ହେଇଚି ଦିଗନ୍ତ, ଆରକ୍ତ ହେଇଚି ସୂର୍ଯ୍ୟର ବିରହରେ; ପ୍ରତୀକ୍ଷାବ୍ୟାକୁଳ ନିର୍ଋତିର ରକ୍ତରେ ଜାଗିଛି ଶିହରଣ । ଧୀରେ ଧୀରେ ଲିଭି ଯାଇଚି ସୁନେଲି କିରଣ, ଲିଭି ଯାଇନି ନିର୍ଋତିର ଆଶାର ଦୀପ । ତା’ପରେ ନଇଁ ଆସିଚି ସନ୍ଧ୍ୟା, ତିମିରାଞ୍ଚଳରେ ଆଚ୍ଛାଦିତ ଦିଗ୍‍ବଳୟ । କମ୍ପି ଉଠିଚି ନିର୍ଋତିର ଅନ୍ତର, ଋଷି କ’ଣ ଆସିବେନି !

 

ଘୋର ରାକ୍ଷସୀ ମୁହୂର୍ତ୍ତରେ ନିର୍ଋତି ମନରେ ଭୟ ସଞ୍ଚରିଲା । ସମୀରଣରେ ଯେପରି ପ୍ରେତ-ପିଶାଚର ହାହାଶ୍ଵାସ ! ତା’ର ଶୁଷ୍କ ବଦନ ଶୁଷ୍କତର ହେଇ ଉଠିଲା । ଯୌବନ-ଦର୍ପିତା, ମଦ-ବିହ୍ଵଳା, ଆଜନ୍ମ ସ୍ଵେଚ୍ଛାଚାରିଣୀ ଅନ୍ତରରେ ଆଜି ସଭୟ କମ୍ପନ । ଗଭୀର ନୈରାଶ୍ୟରେ ଯେପରି ଭାଙ୍ଗିପଡ଼ିଚି ନିର୍ଋତି । ବଡ଼ ସହାୟହୀନ, ବଡ଼ ନିଃସଙ୍ଗ ସେ । ପାପମତି ସେ, ନିର୍ବାସିତା । ଏ ନିର୍ବାସନରୁ ମୁକ୍ତି ନାଇଁ, ଚେଷ୍ଟା କଲେ ସୁଦ୍ଧା ସେ ମୁକ୍ତି ପାଇବନି । ବିଧାତା ବୁଝି ପାରିଚନ୍ତି ତା’ର ଛଳନା, ଜାଣି ପାରିଚନ୍ତି କୁହୁକିନୀର ମିଥ୍ୟା କୌଶଳ । ଏଇ ଗାଢ଼ ଅନ୍ଧକାର ବିଧାତାର ଉଦ୍ୟତ ବଜ୍ର, ଏଇ ନିଃସୀମ ନୀରବତା ପ୍ରଳୟର ପୂର୍ବାଭାସ ।

 

କିଏ ଯେପରି କଣ୍ଠରୋଧ କରିଚି ନିର୍ଋତିର । ଗୋଟାଏ କ୍ରନ୍ଦନ ଅନ୍ତର ବିଦୀର୍ଣ୍ଣ କରି ଉତ୍ଥିତ ହୁଏ, କିନ୍ତୁ ସ୍ତବ୍ଧ ହୋଇଯାଏ କଣ୍ଠଦେଶରେ । ଭୟରେ ନିମୀଳିତ ହେଇ ଆସେ ଅକ୍ଷିପୁଟ । ପ୍ରାଣପଣ ଚେଷ୍ଟାରେ ସେ ଆଖି ଦୁଇଟି ମେଲି ରଖେ । ଗୋଟାଏ ଅତି କ୍ଷୀଣ ଆଶା–ମିଥ୍ୟା ହୁଏ କି ଋଷି ବାକ୍ୟ ! ସତ୍ୟରେ ପ୍ରତିଷ୍ଠିତ ସେମାନଙ୍କର ଧର୍ମ, ସତ୍ୟରେ ପ୍ରତିଷ୍ଠିତ ସେମାନଙ୍କର ବାକ୍ୟ–ଘନତମିସ୍ରାର ଦିଗ୍‍ଦର୍ଶନ ସେମାନଙ୍କର ଶବ୍ଦ ଜ୍ୟୋତି ।

 

ନିରାଶ ହେଲେହେଁ ନିର୍ଋତି ପ୍ରତୀକ୍ଷା କରେ । ଉତ୍ତରଙ୍ଗ ସମୁଦ୍ରରେ ନିମଜ୍ଜମାନ ବ୍ୟକ୍ତିର ଶେଷ ଆଶା–କାହାନ୍ତି ଋଷି, କାହାନ୍ତି ସତ୍ୟବାଦୀ ଉଦାଳକ !

 

ସହସା ସେଇ ଗାଢ଼ ତମସାରେ ପରିତ୍ୟକ୍ତ ପ୍ରାନ୍ତରରେ ଗୋଟାଏ ଶବ୍ଦ ହୁଏ–କାହାର ଗୋପନ ପଦ-ସଞ୍ଚାର ଯେପରି । ଋଷି କି ଆସିଲେ ତାହାହେଲେ ! ଭର୍ତ୍ତା କି ଆସିଲେ ଭୀତା ଭାର୍ଯ୍ୟାକୁ ଆଶ୍ରୟ ଦେବାପାଇଁ ? କମ୍ପ୍ରକଣ୍ଠରେ ପ୍ରଶ୍ନ କରେ ନିର୍ଋତି, ‘ତମେ କି ଆସିଚ ଋଷି’ !

 

ଅନ୍ଧକାରରେ କିଛି ଦେଖା ଯାଉନି, କିନ୍ତୁ ଶୁଭୁଚି କିଏ ଯେପରି ଉତ୍ତର କଲା, ‘ମୁଁ ଆସିଚି-!’

 

ଆସିଚନ୍ତି, ସେ ହିଁ ଆସିଚନ୍ତି I ଆନନ୍ଦରେ ଉଚ୍ଛ୍ଵସିତ ହୁଏ ନିର୍ଋତି I କି ଗଭୀର ଆଶ୍ଵାସ-! ଆଜି ଯେପରି ନବଜନ୍ମ ହେଇଚି ନିର୍ଋତିର I ନୈରାଶ୍ୟର ତୀର୍ଥନୀରରେ ସ୍ନାନ କରି ପାପମତି ନିର୍ଋତି ଆଜି ଶୁଭ୍ର, ପବିତ୍ର I ସତରେ ଆଜି ସେ ପ୍ରେମାର୍ଥିନୀ I ଆଜି ଆଉ ସଂଶୟ ନାଇଁ, ଦ୍ଵିଧା ନାଇଁ I ଲୋଭ, ଲାଳସା ଓ ମିଥ୍ୟାର ବ୍ୟଭିଚାରକୁ ସେ ସମୂଳେ ବିସର୍ଜନ କରିବ, ନିବିଡ଼ ଭାବରେ ଗ୍ରହଣ କରିବ ସତ୍ୟଦ୍ରଷ୍ଟା ଋଷିର ପ୍ରେମାଲିଙ୍ଗନ । ସେ ଆଉ କିଛି ଚାହେଁନି । ଆଜି ଏକାନ୍ତଭାବେ ସେ କାମନା କରେ ସତ୍ୟର ସ୍ପର୍ଶ ।

 

ନିର୍ଋତି ଭାବିବାକୁ ଚେଷ୍ଟା କରେ, ଏହା ମଧ୍ୟ କି କୃତ୍ରିମ ଆଚରଣ, ଛଳନା ? ହୁଏତ ଏଥିରେ କୃତ୍ରିମତା ନାଇଁ, ଛଳନା ନାଇଁ । ଲୋପ ପାଇଚି ତା’ର ବିଚାରବୁଦ୍ଧି । ବିମୁଡ଼ା ନିର୍ଋତି ।

 

ସହସା କିଏ ତାକୁ ଆଲିଙ୍ଗନ କଲା–ଉଷ୍ଣ, ଜ୍ଵାଳାମୟ ଅଶ୍ଳେଷ । ରୋମାଞ୍ଚିତ ନିର୍ଋତି । ସର୍ବାଙ୍ଗ ଅବଶ ହେଇ ଆସୁଚି, ଆଖିପତାରେ କି ନିଦାରୁଣ କାନ୍ତି ! ଆବେଶରେ ମୁଦ୍ରିତ ହେଇ ଆସେ ତା’ର ନୟନ । ନିର୍ଋତି ଭାବେ, ସତ୍ୟର ସ୍ପର୍ଶ ବୋଧହୁଏ ଏପରି ଉତ୍ତପ୍ତ, ଏପରି ପ୍ରଚଣ୍ଡ, ଏପରି ଆବଲ୍ୟ-ସଞ୍ଚାରୀ । ସେ କଥା କହି ପାରେନି । ଅନିର୍ବଚନୀୟ ଆନନ୍ଦରେ ହୃଦୟ ତା’ର ପୂର୍ଣ୍ଣ ହେଇ ଉଠେ; ନିଜକୁ ସେ ସମ୍ପୂର୍ଣ୍ଣରୂପେ ସମର୍ପଣ କରେ କାମନାର ନିବିଡ଼ ବାହୁପାଶରେ ।

 

ଆକାଶରେ କ’ଣ ଝଡ଼ ଉଠିଚି ? ଉନ୍ମାଦ ପ୍ରଳୟ ଯେପରି ଆଜି ନିର୍ବାଧ । ସମୁଦ୍ରମନ୍ଥନର ଘୋର ଗର୍ଜନରେ ଶ୍ରୁତିମୂଳ ଯେପରି ବଧିର । ସର୍ବାଙ୍ଗରେ ରକ୍ତକଣାର ଉତ୍ତାଳ ନୃତ୍ୟ । ଆଜି ନିର୍ଋତିର ରଭସ-ରଜନୀ । ଆଜି ନିର୍ଋତିର ଉଲ୍ଲାସ । ନିର୍ମମ ଋଷିକୁ ସେ ଜୟ କରିଚି, ଧର୍ମଧୀରର ତେଜକୁ ସେ ଗ୍ରହଣ କରିଚି ନିଜ ଗର୍ଭରେ । ଆଜି ତା’ର ଜୟ, ଋଷିର ପରାଜୟ–ନିର୍ଋତିର ବିଜୟ, ସତ୍ୟର ପରାଭବ । ଅନ୍ଧକାରବୃତ୍ତ ନିର୍ଜନ ପ୍ରାନ୍ତରରେ ଦଣ୍ଡାୟମାନ ଶୁଷ୍କଶାଖା, ନିଷ୍ପତ୍ର ଅଶ୍ଵତ୍‍ଥବୃକ୍ଷ ଅଲକ୍ଷ୍ମୀ ନିର୍ଋତିର ଜୟ ଗୌରବର ସାକ୍ଷୀ ।

 

ବିଭାବରୀ ପ୍ରଭାତିଲା । ଶାନ୍ତ ହେଲା ଯେପରି ପ୍ରଳୟର ମଦମତ୍ତତା । ତମଃପ୍ରଚ୍ଛାଦିତ ଦିଗ୍‍ବଳୟ ପ୍ରଥମ ଆଲୋକର ଶୁଭ୍ରକିରୀଟ ମସ୍ତକରେ ଧାରଣ କରି ଘୋଷଣା କଲା ଜ୍ୟୋତିର୍ମୟ ସତ୍ୟର ଆଗମନ ବାର୍ତ୍ତା । ଉଷାର ଗୋଧୂଳିରେ ଆଖି ମେଲି ଚାହିଁଲା ରମଣକ୍ଳାନ୍ତ, ତୃପ୍ତ ନିର୍ଋତି । କିନ୍ତୁ ମୁହୂର୍ତ୍ତକରେ ଚିତ୍କାର କରି ଉଠି ବସିଲା ସେ ଆତଙ୍କରେ । ଏ କ’ଣ ! କାହାର ଆଲିଙ୍ଗନପାଶରେ ଧରା ଦେଇଚି ନିର୍ଋତି ! ଏ ତ ସ୍ଵର୍ଣ୍ଣକାନ୍ତିକାନ୍ତ ଋଷିସମତ୍ତମ ଉଦ୍ଦାଳକ ନୁହନ୍ତି । ଏ ଯେ ତାହାରି ପରି ଭୀମଦର୍ଶନ, କୃଷ୍ଣକାନ୍ତ-ଆସଙ୍ଗଲୋଭୀ, ଲାଳସାକୁଟିଳ, କଦର୍ଯ୍ୟ ! ଆତଙ୍କରେ ଆର୍ତ୍ତକଣ୍ଠରେ ପାଗଳ ପରି ଚିତ୍କାର କରି ଉଠେ ନିର୍ଋତି, ‘କିଏ ତୁ, ତୁ କିଏ ?’ ଉତ୍ତର ଆସେ, ‘ମୁଁ ଅନୃତ ।’

 

ଅନୃତ ! ଅଧର୍ମ-ନନ୍ଦନ, ନିର୍ଋତିର ସହୋଦର ଅନୃତ ! ହୃଦୟବିଦାରକ ଆର୍ତ୍ତନାଦ କରି ଭୂଲୁଣ୍ଠିତ ହେଲା ନିର୍ଋତି । ଏକି ସର୍ବନାଶ ହେଲା ତା’ର ! ସତ୍ୟକୁ ଆଘାତ କରିବାକୁ ଯାଇ, ଧର୍ମକୁ ଜୟ କରିବାକୁ ଯାଇ, ଅସତ୍ୟର ସୂତାତନ୍ତୁରେ ନିଜେହିଁ ଆବଦ୍ଧ ହେଇଚି ସେ । ଭୀମ ଭଲ୍ଲାହତା ବରାହୀପରି ମୂର୍ଚ୍ଛିତା ହେଲା ନିର୍ଋତି ।

 

ବିମୂଢ଼, ହତବାକ୍ ଅନତ ! ଭୟରେ ପଳାଇଗଲା ଲମ୍ପଟ । ଦୂରରୁ ଶୁଣାଗଲା ଋଷି ଉଦ୍ଦାଳକଙ୍କ ଆଶ୍ଵାସଭରା ଗମ୍ଭୀର ମଧୁର କଣ୍ଠ : ‘କେଉଁଠି ଅଛ ନିର୍ଋତି ! ମୁଁ ଆସିଚି ।’

 

ଅନୃତ ଓ ନିର୍ଋତି–ଅସତ୍ୟ ଆଉ ମିଥ୍ୟା I ଅଧର୍ମ ଓ ହିଂସାର ପୁତ୍ର ଓ କନ୍ୟା ସେ ଦୁହେଁ–ବିଶ୍ଵର ବ୍ୟଭିଚାର ଓ ଅଲକ୍ଷ୍ମୀ । ସେମାନଙ୍କ ଅସତ୍ୟସାଧନାର ବିଷମୟ ଫଳ ସର୍ବାନ୍ତକ ମୃତ୍ୟୁ । ମୃତ୍ୟୁ ବ୍ୟଭିଚାରୀ କାମନାର କାଳକୂଟ, ମହାଭୟ । ବିଶ୍ଵବ୍ୟାପୀ ତା’ର ସଦମ୍ଭ ନିଷ୍ଠୁର ଆସ୍ଫାଳନ । ଜନନୀ ତା’ର ଋତ-ରିପୁ, ନିକୃତି-ନିପୁଣ ନିର୍ଋତି । *

 

*ପଦ୍ମପୁରାଣ, ଉତ୍ତର ଖଣ୍ଡ ।

★★★

 

Unknown

ଦର୍ପକ

 

ଦର୍ପକ ସଦର୍ପରେ ଉପସ୍ଥିତ ହେଲା ରାଜର୍ଷି ବିଶ୍ଵାମିତ୍ରଙ୍କ ଆଶ୍ରମପଦରେ । ଦେବରାଜ ଇନ୍ଦ୍ରଙ୍କ ଆଦେଶ, ବିଶ୍ଵାମିତ୍ରଙ୍କୁ ତପୋଭ୍ରଷ୍ଟ କରିବାକୁ ହେବ । ଅମିତତେଜା ବିଶ୍ୱାମିତ୍ର–ଦର୍ପିତ, ଉଗ୍ର, କ୍ରୋଧାନ୍ୱିତ । ସେ ପ୍ରତିଜ୍ଞା କରିଚନ୍ତି, ସୃଷ୍ଟି କରିବେ ନୂତନ ସ୍ୱର୍ଗ, ନୂତନ ଇନ୍ଦ୍ର । ସ୍ଥିରାସନରେ, ଅତ୍ୟୁଗ୍ର ତପସ୍ୟାରେ ସେ ଆସୀନ; ନିଶ୍ଚଳ ଦେହ, ନିମୀଳିତ ନୟନ, ନିରୁଦ୍ଧ ନିଃଶ୍ୱାସ । ଧୃତବ୍ରତ ତାପସ ଦେହରୁ ବିଚ୍ଛୁରିତ ହେଉଚି ଉଗ୍ର ତପସ୍ୟାର ଉଗ୍ର ଦୀପ୍ତି ।

 

ଶଙ୍କିତ ହେଇଚନ୍ତି ବଜ୍ରୀ ଇନ୍ଦ୍ର । ସ୍ଵର୍ଗରାଜ୍ୟର ଏକାଧିକାର ଏଥର ବୋଧହୁଏ ବିପନ୍ନ ହେଲା । ବିଶ୍ଵାମିତ୍ରଙ୍କୁ ପଦଭ୍ରଷ୍ଟ କରିବାର ଆୟୋଜନରେ ସେ ତ୍ରୁଟି କରି ନାହାନ୍ତି । ଭୂତ-ପ୍ରେତ-ପିଶାଚ ପଠାଇଚନ୍ତି, ଛଦ୍ମବେଶ ଧାରଣ କରି ଆସିଚି ପ୍ରରୋଚକ କ୍ରୋଧ, ଲୋଭ । ବ୍ୟର୍ଥ ହେଇଚନ୍ତି ସମସ୍ତେ; ବ୍ୟର୍ଥ ହେଉଚି ଇନ୍ଦ୍ରମାୟା । ନିରୁପାୟ ଭାବରେ ଦେବରାଜ କାମଦେବଙ୍କ ଶରଣାପନ୍ନ ହେଇଚନ୍ତି । ମିନତି କରି କହିଚନ୍ତି, ‘ଅପରାଜେୟ ତୁମର ବିକ୍ରମ, ମୁହୂର୍ତ୍ତକରେ ତୁମେ ଚୂର୍ଣ୍ଣ କରିପାର ତ୍ରିଜଗତର ଦର୍ପ । କନ୍ଦର୍ପ, ତୁମେ ମୋର ସହାୟ ହୁଅ ।’

 

ବଜ୍ରଧାରୀ ଯେଉଁ ଇନ୍ଦ୍ରର ଭୟରେ ସନ୍ତ୍ରସ୍ତ ହୁଏ ତ୍ରିଭୁବନ, ତା’ର କରୁଣ ମୁଖଛବି ଦେଖି ହସି ଉଠିଚି କନ୍ଦର୍ପ । ଗର୍ବରେ ପୂର୍ଣ୍ଣ ହେଇଚି ତା’ର ଅନ୍ତର । ସାର୍ଥକ ତା’ର କନ୍ଦର୍ପ ଅଥବା ଦର୍ପକ ନାମ । ବିଶ୍ୱାମିତ୍ର କିବା ଛାର, ସ୍ଵୟଂ ବିଧାତାକୁ ମଧ୍ୟ ସେ ବିଭ୍ରାନ୍ତ କରିପାରେ ।

 

ପୁଷ୍କର ତୀର୍ଥର ରମଣୀୟ ପ୍ରସ୍ଥରେ ଧ୍ୟାନାସୀନ ବିଶ୍ଵାମିତ୍ର । ଆଦିତ୍ୟତୁଲ୍ୟ ତେଜ, ସମୁଦ୍ର ସମାନ ଗମ୍ଭୀର୍ଯ୍ୟ, ମନ ନିର୍ବିକଳ୍ପ ସମାଧି ଲାଭ କରିଚି ବ୍ରହ୍ମ-ତନ୍ମୟତାରେ । ଧୀରେ ଆଗେଇ ଆସିଲା ଦର୍ପକ, ବିଶ୍ଵବିଜୟୀ ବୀର । ଅଲକ୍ଷ୍ୟରେ ସେ ଲକ୍ଷ୍ୟ କଲା ଋଷିଙ୍କୁ, ଲକ୍ଷ୍ୟ କଲା ଚତୁଃପାର୍ଶ୍ଵସ୍ଥ ଅରଣ୍ୟଭୂମି । ଇନ୍ଦ୍ରଙ୍କ ନିର୍ଦ୍ଦେଶରେ ସ୍ଵରପ୍‍ସରୀ ମେନକା ଉପନୀତ ହେଇଚି ଆଶ୍ରମପଦରେ । ଅପରୂପ ରୂପ, ଆନନ୍ଦିତ କାନ୍ତି । ବିଭ୍ରମ ଉତ୍ପାଦନରେ ଅତ୍ୟନ୍ତ କୁଶଳୀ । କିନ୍ତୁ ସସଂକୋଚରେ ସେ ନୀରବରେ ଦଣ୍ଡାୟମାନ ରହିଛି ଗୋଟାଏ ପାର୍ଶ୍ଵରେ, ପ୍ରାଣହୀନ ଗୋଟାଏ ରୂପମୂର୍ତ୍ତି ପରି । କାହିଁ ସେ ଶକ୍ତି ମେନକାର, ଋଷିକୁ ଯେ ପଦଭ୍ରଷ୍ଟ କରିବ ! ଝଟିକା ଯେତେ ପ୍ରଚଣ୍ଡ ହେଉନା କାହିଁକି, ଅଚଳ ହିମାଚଳକୁ ବିଚଳିତ କରିବା କି ତା’ର ସାଧ୍ୟ !

 

ନର ହେଉ କି ନାରୀ ହେଉ, ସ୍ଥାୟୀ ରତିଭାବ ସକଳ ହୃଦୟରେ ବର୍ତ୍ତମାନ । କିନ୍ତୁ ଉଦ୍‍ବୋଧନର କାରଣ ନ ପାଇଲେ ରତି କେବେହେଲେ ସ୍ୱୟଂକ୍ରିୟ ହୁଏନି । କାଷ୍ଠ ଆହିତାଗ୍ନି, କିନ୍ତୁ କାଷ୍ଠରେ କାଷ୍ଠ ଘର୍ଷଣ ନହେଲେ ସେ ଅଗ୍ନି ପ୍ରକାଶିତ ହୁଏନି । ତିମିର ଗର୍ଭରେ ନିଷ୍ପ୍ରଭ ସୂର୍ଯ୍ୟକାନ୍ତମଣି । ସୌରକର ସ୍ପର୍ଶମାତ୍ରେ ତା’ର ଦୀପ୍ତିର ପ୍ରକାଶ । ବିଶ୍ଵଲୋକରେ ଦର୍ପକ ମଦନ ସେଇ ରତିଭାବର ଉଦ୍‍ବୋଧକ । ମଦନ ଅଛି ବୋଲି ପୁରୁଷର ପ୍ରକୃତି-ସମ୍ଭୋଗ ଇଚ୍ଛା; ସେଥିପାଇଁ ନାରୀ ପ୍ରତି ନରର ସାନୁରାଗ ଆକର୍ଷଣ ଓ ସଂସର୍ଗ । ପ୍ରଜାପତି ରୂପରେ ମଦନ ପୁଂକେଶରର ପରାଗ ବୋଳିଦିଏ ଗର୍ଭକେଶରରେ I ସେଥିପାଇଁ ସୁନ୍ଦର ହେଇ ଫୁଟେ ସୃଷ୍ଟିର ଫୁଲ-

 

ମଦନ ଯଦି ନଥାନ୍ତା, ଭାବେ ମଦନ, ବ୍ୟର୍ଥ ହୁଅନ୍ତା ପ୍ରଜାପତିଙ୍କ ପୂଜାସୃଷ୍ଟି କାମନା । ଅକାମ ହୁଅନ୍ତା ନର, ଅକାମା ହୁଅନ୍ତା ନାରୀ । ବ୍ୟର୍ଥ ହୁଅନ୍ତା ନାରୀର ହାବଭାବ, ବିକାସ-ବିଲୋକ-କଟାକ୍ଷ । ଏଇ ତ ବିଶ୍ୱାମିତ୍ର, ଏଇ ତ ବିଶ୍ଵମୋହିନୀ ମେନକା । ଧ୍ୟାନମଗ୍ନ ଋଷି, କ୍ରୀଡ଼ାଚଞ୍ଚଳା ନାରୀ । କେତେ ତା’ର କୌଶଳ । ନୂପୁରରେ ଶିଞ୍ଜନ, କଙ୍କଣରେ ଝଙ୍କାର, କିନ୍ତୁ ମୌନ ନିର୍ବିକାର ତାପସ । କେତେ ଚେଷ୍ଟା କରି ମଧ୍ୟ ମୋହିନୀ ଭାଙ୍ଗିପାରିନି ମୌନୀର ମୌନ ।

 

ବିଦ୍ରୂପହାସ୍ୟରେ ମୁଖର ହୁଏ ଦର୍ପକ । ନୀରସ ତରୁ କି ମଞ୍ଜରିତ ହୁଏ କେବେ ? ମଦନହୀନ ସୃଷ୍ଟି ଅନୁର୍ବର ମରୁଭୂମି । ଆତ୍ମଦର୍ପରେ ଉଲ୍ଲସିତ ହେଇ ସେ ଅଗ୍ରସର ହୁଏ ଅଲକ୍ଷ୍ୟରେ । ଅଲକ୍ଷ୍ୟଚାରୀ ସେ; ସେ ସବୁରି ଦୃଷ୍ଟିର ଅନ୍ତରାଳରେ । ଚକ୍ଷୁର ଅନ୍ତରାଳରେ ଗୁପ୍ତ ଶାୟକ ସମାନ ଗୋପନ ତା’ର ସଂଚରଣ, ଅନିରୁଦ୍ଧ ତା’ର ଗତି ।

 

ସେତେବେଳେ ପ୍ରଭାତ କାଳ । ଏକ ଦିଗେ ତପୋମଗ୍ନ ମୌନୀ ତାପସ, ଅନ୍ୟ ଦିଗେ ସ୍ଵାଧ୍ୟାୟଘୋଷମୁଖର ଋଷିର ଆଶ୍ରମ । ଏ ଦିଗରେ ନିବିଡ଼ ନୀରବତା, ସେ ଦିଗରେ ମଧୁର ଝଙ୍କାର-। ଦୂରରୁ ଭାସି ଆସୁଚି ପଦକ୍ରମେ ଉଚ୍ଚାରିତ ମଧୁର ଗୀତଧ୍ଵନି । ହୁଏତ ଋଷି ବିଶ୍ଵାମିତ୍ରଙ୍କ ଶିଷ୍ୟ ସେମାନେ । ଗୁରୁଙ୍କ ଅନ୍ତରର ବ୍ରହ୍ମଧ୍ୟାନର ଏକତାନତା ମଧୁର ଲୟରେ ଝଙ୍କୃତ ହେଉଚି ଶିଷ୍ୟମାନଙ୍କ କଣ୍ଠରେ ଯେପରି :

 

‘ଅପାଣିପାଦୋ ଜବନୋ ଗ୍ରହୀତା

ପଶ୍ୟତ୍ୟଚକ୍ଷୁଃ ସ ଶୃଣୋତ୍ୟ କର୍ଣ୍ଣଃ ।’

 

ନିରାକାର, ନିର୍ବିଶେଷ ବ୍ରହ୍ମସ୍ତୁତି । ସେ ଆକାରହୀନ, ଅପାଣିପାଦ–ତଥାପି ସେ ଗ୍ରହଣ କରେ, ଚାଲେ । ସେ ଅଚକ୍ଷୁ, ଅକର୍ଣ୍ଣ–ତଥାପି ସେ ଦର୍ଶନ କରେ, ଶ୍ରବଣ କରେ । ବିସ୍ମୟର ବିସ୍ମୟ ସେ, ତାକୁ କେହି ଜାଣନ୍ତିନି–କିନ୍ତୁ ସେ ସବୁ ଜାଣେ ।

 

କି ମଧୁର ସଙ୍ଗୀତ, କି ସୁମିଷ୍ଟ କଣ୍ଠ, କି ଉଦାର ରହସ୍ୟଘନ ଭାବ ! କିନ୍ତୁ ମୁହୂର୍ତ୍ତକରେ କ୍ରୋଧରେ ଆରକ୍ତ ହେଇ ଉଠେ ଦର୍ପକ । ଏହା ବ୍ରହ୍ମସ୍ତୁତି ନା ତା’ପ୍ରତି ବିଦ୍ରୂପ କଟାକ୍ଷ ! ସେ ତ ଦେହହୀନ, ଅପାଣିପାଦ । ତାକୁ କେହି ଦେଖି ପାରନ୍ତିନି, କିନ୍ତୁ ସେ ସବୁ ଦେଖେ, ସବୁ ଶୁଣେ । ଏ ସ୍ତୁତିରୂପକ ବିଦ୍ରୂପ କି ତାକୁ କରାଯାଉଚି ? କ୍ରୋଧ ଉଦ୍ଦାମ ହେଇ ଉଠେ ଦର୍ପକ ଅନ୍ତରରେ । ଦର୍ପାନ୍ଧର କ୍ରୋଧ, ଅତି ଭୟଙ୍କର ତା’ର ମୂର୍ତ୍ତି ।

 

ଆଚ୍ଛା, ସେ ଦେଖାଇବ ଅପାଣିପାଦ ହେଲେ ମଧ୍ୟ କି ପ୍ରଚଣ୍ଡ ତା’ର ବିକ୍ରମ ! ସେ ଅଚକ୍ଷୁ ହେଇ ମଧ୍ୟ ବିଶ୍ଵଚକ୍ଷୁ; ସେ ଅକର୍ଣ୍ଣ ହେଲେହେଁ ଅତି ସୂକ୍ଷ୍ମ ଧ୍ଵନି ମଧ୍ୟ ତା’ର କର୍ଣ୍ଣଗୋଚର ହୁଏ-। ତା’ର ଅବ୍ୟର୍ଥ ସନ୍ଧାନରେ ବିଭ୍ରାନ୍ତ ହୁଏ ସ୍ଵର୍ଗର ଦେବତା, ମର୍ତ୍ତ୍ୟର ମନୁଷ୍ୟ, ପାତାଳର ଅସୁରସଂଘ । ଚତୁର୍ଦ୍ଦଶ ଭୁବନରେ ନିର୍ବାଧ ତା’ର ପରାକ୍ରମ ।

 

ଭୀରୁ ବାମୋୠ ମେନକା । ହେଇପାରେ ସେ ଭୁବନମୋହିନୀ ରୂପସୀ । କିନ୍ତୁ ବିଶ୍ଵାମିତ୍ରଙ୍କ ଅତିବଳା ଶକ୍ତି ନିକଟରେ ସେ ଅ–ବଳା । ମର୍ତ୍ତ୍ୟରେ ଦ୍ୱିତୀୟ ବିଧାତା ବିଶ୍ଵାମିତ୍ର । ହୁତାଶନ ଭଳି ଚିରଦୀପ୍ତ ତାଙ୍କର କ୍ରୋଧ । ସେ କ୍ରୋଧାଗ୍ନିର ଆହୂତି ହେଇଚନ୍ତି ବ୍ରହ୍ମର୍ଷି ବଶିଷ୍ଟଙ୍କ ଶତ ସନ୍ତାନ । ସେଥିପାଇଁ ତ ଭୟରେ ସଂକୁଚିତ ମେନକା । ଉଭୟ-ସଙ୍କଟ ତା’ର । ଏକ ଦିଗେ ଆହିତାଗ୍ନି ଋଷି, ଅନ୍ୟ ଦିଗେ ବଜ୍ରଧାରୀ ଇନ୍ଦ୍ର–ମଧ୍ୟେ ଭୀତା, କମ୍ପିତା ଅପ୍‍ସରୀ ।

 

କିନ୍ତୁ ନିର୍ଭୟ ଦର୍ପକ । ବିଶ୍ଵାମିତ୍ର ଦ୍ୱିତୀୟ ବିଧାତା, ଜ୍ୟୋତିଶ୍ଚକ୍ର ବହିର୍ଭାଗରେ ସପ୍ତର୍ଷି ମଣ୍ଡଳ ତାଙ୍କର ନବ ସୃଷ୍ଟି । ତଥାପି ଦର୍ପକ ଭୟଶୂନ୍ୟ । ଅମିତଦ୍ୟୁତି ଭାସ୍କରର ତେଜରେ ନୀହାର ଯେପରି ବିଗଳିତ ହୁଏ, ସେପରି ସେ ବିଗଳିତ କରିବ ଉଗ୍ରତପସ୍ଵୀକୁ । ତ୍ରିଭୁବନରେ ନିରଙ୍କୁଶ ତା’ର କ୍ଷମତା, ସେ ଅଜେୟ ।

 

ଅଜେୟ ? ଗୋଟାଏ ଜିଜ୍ଞାସା-ଚିହ୍ନ ତୀକ୍ଷ୍ଣ ଖଡ଼୍‍ଗ ଭଳି ଉଦ୍ୟତ ହୁଏ ଦର୍ପକର ସମ୍ମୁଖରେ ଯେପରି । ହୃଦୟରେ ଏ କି ସଭୟ କମ୍ପନ ! କେଉଁ ଦୂର ଦିନର ଗୋଟାଏ ସ୍ମୃତି ଦୁଃସ୍ଵପ୍ନ ଭଳି ଜାଗିଉଠେ ତା’ର ମନରେ । ଏ କ’ଣ ! ଏ କାହାର ବହ୍ନିଶିଖା ! କଳ୍ପାନ୍ତର କାଳାନଳ, କାହାର ଯେପରି ପ୍ରଦୀପ୍ତ କ୍ରୋଧ ! ସୁତୀବ୍ର ଗତି, ଅତ୍ୟୁଗ୍ର ଜ୍ଵାଳା–ବିଦ୍ୟୁତ୍ ବେଗରେ ଛୁଟି ଆସୁଚି ତା’ରି ଆଡ଼କୁ । ଏ କି ପ୍ରଚଣ୍ଡ ଦାହ ! କାହିଁ ତା’ର ଦେହ ? ଆଗ୍ନେୟ ନିଃସ୍ରାବରେ ନିଶ୍ଚିହ୍ନ ତା’ର ଅବୟବ-

 

ଶିହରି ଉଠେ ଦର୍ପକ । ଅଚକ୍ଷୁ ଦୃଷ୍ଟି ମେଲି ଚାହେଁ ନିଜକୁ । ସତରେ ସେ ଦେହହୀନ ଅନଙ୍ଗ । ଦାରୁଣ ବିତୃଷ୍ଣାରେ ତା’ର ଅନ୍ତର ପୂର୍ଣ୍ଣ ହୁଏ । ସେ କି ରାହୁ ଭଳି କଦର୍ଯ୍ୟ, କବନ୍ଧ ଭଳି କୁତ୍ସିତ ?

 

ପୁଣି ଭାସି ଆସେ ଋଷିକଣ୍ଠ ସଙ୍ଗୀତ, ‘ଅପାଣିପାଦୋ ଜବନୋ ଗ୍ରହୀତା’–ଦର୍ପକର ଧୈର୍ଯ୍ୟର ବନ୍ଧ ଭାଙ୍ଗିଯାଏ, ମଧୁର ସଙ୍ଗୀତ ମନେ ହୁଏ ବିଷତିକ୍ତ । ଅସହ୍ୟ ଶେଷୋକ୍ତି । ଦେହହୀନ, ସେ ଦେହହୀନ । ସେ ଅନଙ୍ଗ–ଅପାଣିପାଦ, ଅଚକ୍ଷୁ, ଅକର୍ଣ୍ଣ । ଦେହହୀନ ଗୋଟାଏ ସତ୍ତାର ପିଣ୍ଡ–କେବଳ ଅନୁଭୂତି-ପ୍ରବଣ, ସ୍ପର୍ଶକାତର । ସେ କିମ୍ଭୂତକିମାକାର କିଂପୁରୁଷ । ନିଜ ପ୍ରତି ଘୃଣାରେ ଧିକ୍‍କାରରେ ପୂର୍ଣ୍ଣ ହେଇ ଉଠେ ସେ । ସଙ୍ଗେ ସଙ୍ଗେ ମନର ଅତଳରେ ଜାଗେ ପୁଞ୍ଜିତ ପ୍ରଶ୍ନ । ଦେହ କି ତା’ର ନଥିଲା ? ଦେହ ଥିଲା, ଅନିନ୍ଦ୍ୟ ସୁନ୍ଦର ଦେହ; ରୂପ ଥିଲା, ଭୁବନମୋହନ ରୂପ । ତେବେ କାହିଁକି ସେ ଅଙ୍ଗହୀନ ? ଅନ୍ୟମନସ୍କ ହେଇଯାଏ ତା’ର ମନ । ଆଚ୍ଛନ୍ନ ହେଇଯାଏ ମେନକା ଆଉ ବିଶ୍ଵାମିତ୍ରର କଥା । ଦୂର ଦିନର ଗୋଟିଏ ପ୍ରତିବିମ୍ବ ପଡ଼େ ମନ-ମୁକୁରରେ ।

 

କଳ୍ପାନ୍ତକାଳର କଥା । ଚତୁର୍ଦ୍ଦିଗରେ ଅନନ୍ତ ଶୂନ୍ୟତା । ବ୍ରାହ୍ମୀନିଶାର ଗାଢ଼ ତମସାରେ ଆଚ୍ଛନ୍ନ ଶୂନ୍ୟତଳ । ନିମ୍ନରେ ସୀମାହୀନ ଅତଳାନ୍ତ କାରଣ-ସଲିଳ । ପ୍ରଚଣ୍ଡ ବାତ୍ୟାରେ ବିକ୍ଷୁବ୍ଧ ଊର୍ମିମାଳା । ସେଇ ଗର୍ଜ୍ଜନମୁଖର ନିଃସୀମ କାରଣ-ଜଳରେ ଅଧିଶୟାନ ବିରାଟପୁରୁଷ । ତାଙ୍କର ଦେହରେ ତିରୋହିତ ସମଗ୍ର ସୃଷ୍ଟି ।

 

ବିରାଟପୁରୁଷଙ୍କ ନାଭିକମଳରେ ପ୍ରସୁପ୍ତ ବିଧାତା ବ୍ରାହ୍ମୀନିଶା ଅବସାନରେ ନୟନ ମେଲି ଚାହିଁଲେ । ଧୀରେ ତାଙ୍କର ଅନ୍ତରରେ ଜାଗ୍ରତ ହେଲା ସୃଷ୍ଟି କରିବାର ଇଚ୍ଛା । ତାଙ୍କର ଅଭିଧ୍ୟାନରେ କ୍ରମେ ପ୍ରକାଶିତ ହେଲା ରାତ୍ରି, ଦିବା, ସନ୍ଧ୍ୟା ଓ ଜ୍ୟୋତ୍ସ୍ନା । ପ୍ରକାଶିତ ହେଲା ମୁଖ୍ୟସର୍ଗ ସ୍ଥାବର-ଜଙ୍ଗମ–ତିର୍ଯ୍ୟକଶ୍ରୋତା ପଶୁ, ଊର୍ଦ୍ଧ୍ଵଶ୍ରୋତା ଦେବତାବୃନ୍ଦ, ଅର୍ବାକଶ୍ରୋତା ମନୁଷ୍ୟ-। ସୁନ୍ଦର ସୃଷ୍ଟି ଓ ସୁନ୍ଦର ତା’ର ଶୃଙ୍ଖଳା ।

 

ତଥାପି ପରିତୃପ୍ତ ହେଲାନି ପଦ୍ମଯୋନି ବ୍ରହ୍ମାଙ୍କ ହୃଦୟ । ପ୍ରଜାପ୍ରତି ସେ, କିନ୍ତୁ ପ୍ରଜାସୃଷ୍ଟି କି ଏତିକିରେ ସମ୍ପୂର୍ଣ୍ଣ ହେଇଯିବ ? ରାଜ୍ୟ ଅଛି, ପ୍ରଜା ନାହିଁ । ଆବାସ ଅଛି, ଆବାସିକ ନାଇଁ । ଅବଶ୍ୟ ମାନସ-ପ୍ରଜା ଭୃଗୁ, ପୁଲସ୍ତ୍ୟ, ପୁଲହ, କ୍ରତୁ, ଅଙ୍ଗିରା, ମରୀଚି, ଦକ୍ଷ, ଅତ୍ରି ଓ ବଶିଷ୍ଠ ଅଛନ୍ତି-। ମିଥୁନବି ଅନେକ ସୃଷ୍ଟି ହେଇଚନ୍ତି କିନ୍ତୁ ଆଶାନୁରୂପ ପ୍ରଜା ସୃଷ୍ଟି ହେଇ ପାରେନି ।

 

କରୁଣାଘନ କାମନାରେ ପୂର୍ଣ୍ଣ ହେଇ ଉଠିଲା କମଳଯୋନିଙ୍କ ମାନସ-କମଳ । ଦେଖୁଦେଖୁ ସୃଷ୍ଟି ହେଲା ଆରକ୍ତ । ପୁଷ୍ପସମ୍ଭାର ଘେନି ପ୍ରକାଶିତ ହେଲା ୠତୁରାଜ ବସନ୍ତ । ପ୍ରସ୍ଫୁଟିତ ହେଲା ରକ୍ତାଶୋକ । ଶୁଭ୍ର ସୁହାସ ଭରି ଫୁଟି ଉଠିଲା ନବମଲ୍ଲିକା । ବକୁଳଗନ୍ଧରେ ଆମୋଦିତ ସମୀରଣ । କାନ୍ତିରସର ଧାରାରେ ଅଭିସ୍ନାତ ପ୍ରକୃତି ।

 

ସେଇ ମୁହୂର୍ତ୍ତରେ ବିଧାତାର ସକାମ ସଂକଳ୍ପରୁ ଆବିର୍ଭୂତ ହେଲା କମନୀୟ ଅଥଚ ତେଜସ୍ଵୀ, ପୂର୍ଣ୍ଣଯୌବନ-ମନୋହର ଜଣେ ମନସିଜ ପୁରୁଷ । ଅନିନ୍ଦ୍ୟସୁନ୍ଦର ତା’ର ରୂପ । ସୁପୁଷ୍ଟ, ସୁଠାମ, ସୁବଳିତ ଦେହ–ଉନ୍ନତ ଗ୍ରୀବା, ସୁଚାରୁ ନାସିକା, ସୁବିଶାଳ ନୀଳ ନୟନ । ସେ ନୟନରେ ଆଶ୍ଚର୍ଯ୍ୟ ଦୃଢ଼ତା । କଟି, ଉରୁ, ଜଙ୍ଘା ନିଟୋଳ, ନିଖୁଣ । ରକ୍ତାଭ ଅଙ୍ଗବର୍ଣ୍ଣ, ରକ୍ତାଭ କରଦ୍ଵୟ ପଦତଳ–ସଦ୍ୟ ଯେପରି ପ୍ରସ୍ଫୁଟିତ ଶିଶିରଧୌତ ରକ୍ତକହ୍ଲାର ।

 

ରୂପସଜ୍ଜା ମଧ୍ୟ ତା’ର ରୂପର ଅନୁରୂପ । କୁଞ୍ଚିତ କେଶରେ ମୀନକେତନ ମୁକୁଟ, ଅଙ୍ଗେ ବସନ୍ତ ପୁଷ୍ପର ପୁଷ୍ପାଭରଣ । ରକ୍ତାଶୋକର ଅଙ୍ଗଦ, କୁରୁବକ ଚୂଡ଼ା, ଚମ୍ପକ କୁସୁମର କଣ୍ଠହାର, ଚରଣମଞ୍ଜିର ତା’ର ମଞ୍ଜୁଳ ପୁଷ୍ପମଞ୍ଜରୀ । ଦେହଭରା ବକୁଳ ଗନ୍ଧ । ହସ୍ତରେ ତା’ର ପୁଷ୍ପଧନୁ । ପୃଷ୍ଠରେ ପୁଷ୍ପମୟ ତୂଣୀର ଭିତରେ ଅରବିନ୍ଦ, ଅଶୋକ, ଆମ୍ର, ନବମଲ୍ଲିକା ଓ ନୀଳୋତ୍ପଳ ନିର୍ମିତ ପଞ୍ଚପୁଷ୍ପ-ଶାୟକ ।

 

ମଦମତ୍ତ ଗଜେନ୍ଦ୍ର ସମାନ ପଦବିକ୍ଷେପ କରି, କମଳ ନୟନରେ ବିଭ୍ରମ ବିସ୍ତାର କରି, ଦେହର ବକୁଳ ଗନ୍ଧରେ ଦିଗମଣ୍ଡଳ ସୁରଭିତ କରି ଦର୍ପିତ ଭଙ୍ଗୀରେ ସେ ଆସି ଉଭା ହେଲା ପ୍ରଜାପତି ବିଧାତା ସମୁଖରେ । ଆଶ୍ଚର୍ଯ୍ୟ ତା’ର ପ୍ରଭାବ । ସୃଷ୍ଟି-ସଭାରେ ଯେଉଁମାନେ ଉପସ୍ଥିତ ଥିଲେ–ସ୍ଵର୍ଗର ଦେବତା, ଅନ୍ତରୀକ୍ଷର ସିଦ୍ଧଚାରଣ, ମର୍ତ୍ତ୍ୟର ମନୁଷ୍ୟ, ପାତାଳର ଅସୁର–ମୁହୂର୍ତ୍ତକରେ ଉନ୍ମଥିତ ହେଲା ସେମାନଙ୍କର ଚିତ୍ତପ୍ରଦେଶ । ‘କିଏ ଏହି ମନୋଭବ ପୁରୁଷ’–ଭାବି ବିସ୍ମିତ ହେଲେ କିନ୍ନର ଓ ଗନ୍ଧର୍ବ । ଅସୁରଙ୍କ ସୁରା ନିଶା ଛାଡ଼ିଗଲା, ସ୍ଵରପ୍‍ସରୀମାନେ ନିଷ୍ପଲକ ନୟନରେ ଚାହିଁ ରହିଲେ ସେଇ ସୁବେଶଧାରୀ ସୁନ୍ଦର ପୁରୁଷ ପ୍ରତି । ଖାଲି ସେତିକି ନୁହେଁ, ସହସ୍ର ମିଥୁନ ମନ୍ତ୍ରମୁଗ୍ଧ ଭଳି ସାନୁରାଗରେ ପରସ୍ପର ସନ୍ନିହିତ ହେଲେ । ସବୁରି ଆଖିରେ କୌତୂହଳୀ ଜିଜ୍ଞାସା ।

 

ବିକଶିତ ଚରଣରେ, ଦର୍ପିତ ଭଙ୍ଗୀରେ ବିଧାତା ପାଖକୁ ଆଗେଇ ଆସିଲା ସେ, ଚାହିଁଲା ତା’ର ସୁବିଶାଳ ନୟନ ମେଲି । କଣ୍ଠରେ ମଧୁର ଝଙ୍କାର ତୋଳି କହିଲା, ‘ଜାଣେନା, ମୋର ନାମ କ’ଣ, ଆଶ୍ରୟ ବା କେଉଁଠି I ମୋର ନାମ ଓ ଧାମ ନିର୍ଦ୍ଦେଶ କରନ୍ତୁ ।’

 

ବିଧାତା ଏତେ ସମୟ ତନ୍ମୟ ଦୃଷ୍ଟିରେ ଚାହିଁ ରହିଥିଲେ ନିଜର ମନୋଭବ ସୃଷ୍ଟି ପ୍ରତି; ସବିସ୍ମୟରେ ହୁଏତ ଭାବୁଥିଲେ–‘ଅହୋ ରୂପମ୍, ଅହୋ ରୂପମ୍ !’ ପ୍ରଶ୍ନ ଶୁଣି ସମ୍ବିତ ଫେରିଲା ତାଙ୍କର । ନିମିଷେ ହର୍ଷୋଦ୍‍ଭାସିତ ଦେଲା ତାଙ୍କର ବଦନମଣ୍ଡଳ । ସିଶ୍ରୁକ୍ଷୁ ସେ । କିନ୍ତୁ ଭୂରି ସୃଜନରେ ମଧ୍ୟ ପୂର୍ଣ୍ଣ ହେଇନି ତାଙ୍କର ସୃଷ୍ଟି । ମିଥୁନ ସୃଷ୍ଟି ହେଇଚି, ପ୍ରଜା ସୃଷ୍ଟି ହେଇନି । ନାରୀ ଓ ପୁରୁଷର ପରସ୍ପର ସଂସର୍ଗରେ ଯେଉଁ ସୃଷ୍ଟି ସମ୍ଭବ, ପଦ୍ମସମ୍ଭବ ବିଧାତାର ଋତଧ୍ୟାନରେ ତା’ର ପ୍ରକାଶ ଘଟିନି । ସପ୍ରଶଂସ ଦୃଷ୍ଟିରେ ସେ ଚାହିଁଲେ ମାନସଜାତ ନୂତନ ସୃଷ୍ଟି ପ୍ରତି–ଦେଖିଲେ ତା’ର ଅପୂର୍ବ ସମ୍ମୋହନ ରୂପ, ଦେଖିଲେ ତା’ର ମନୋମଥନକର ପ୍ରଭାବ, ଦେଖିଲେ ଚତୁର୍ଦ୍ଦଶ ଭୁବନର ସାନୁରାଗ ଚାଞ୍ଚଲ୍ୟ । ଏଇ ନବସୃଷ୍ଟି ତାଙ୍କର ନିଖିଳ ନରନାରୀର ହୃଦୟରେ ଜଗାଇବ ସହର୍ଷ ସୃଷ୍ଟି କାମନା; କୋଟି କୋଟି ସୃଷ୍ଟିର ବୀଜ ବୁଣି ଦେବ ମିଥୁନ ସମାଜରେ । ଆନନ୍ଦରେ ଉତ୍‍ଫୁଲ୍ଲ ବ୍ରହ୍ମା । ସଦ୍ୟୋଜାତ ସନ୍ତାନର ନାମ ନିର୍ଦ୍ଦେଶ କରିବା ଉଦ୍ଦେଶ୍ୟରେ ଜିଜ୍ଞାସୁ ନୟନରେ ଚାହିଁଲେ ସୃଷ୍ଟି-ସଭାରେ ଉପସ୍ଥିତ ମରୀଚି, ଅଙ୍ଗିରା, ଅତ୍ରି ପ୍ରଭୃତି ଋଷିମାନଙ୍କ ପ୍ରତି ।

ମନସ୍ତତ୍ତ୍ୱବିଦ୍ ତ୍ରିକାଳଦର୍ଶୀ ଋଷି । ଧ୍ୟାନବଳରେ ସେମାନେ ଜାଣିଲେ ବିଧାତାର ଅଭିପ୍ରାୟ । ଜଣେ ଜଣେ ସେମାନେ ନାମକରଣ କଲେ ଅନନ୍ତ-ଯୌବନ ନବଜାତକର । ହର୍ଷୋତ୍‍ଫୁଲ୍ଲ କଣ୍ଠରେ କହିଲେ ଋଷିପ୍ରବର ମରୀଚି, ‘ତ୍ରିଭୁବନରେ ଚିତ୍ତ ମଥିତ କରି ଉତ୍ପନ୍ନ ହେଇଚ ତୁମେ, ମନୋମଥନକର ତୁମର ପ୍ରଭାବ । ତୁମର ନାମ ହେଉ ମନ୍ମଥ ।’

ଷୋଡ଼ଶ ପ୍ରଜାପତିର ଅନ୍ୟତମ, ଋଷିସତ୍ତମ ଅତ୍ରି ସହର୍ଷରେ କହିଲେ, ‘ତ୍ରିଲୋକର ମତ୍ତତା ସଂପାଦନାରେ ମଧ୍ୟ ତୁମେ ଅଦ୍ୱିତୀୟ । ସୁତରାଂ ମଦନ ନାମରେ ମଧ୍ୟ ତୁମେ ଅଭିହିତ ହେବ ।’

ସହାସେ କହିଲେ ପ୍ରଜାପତି ଅଙ୍ଗିରା, ‘ତୁମର ମୁକୁଟ ଚୂଡ଼ାରେ ମକର-ପ୍ରତୀକ । ହସ୍ତରେ କୁସୁମଧନୁ–ଆୟୁଧ ପଞ୍ଚଶର । ତୁମେ ମକରଚୂଡ଼, କୁସୁମଧନ୍ଵା ଓ ପଞ୍ଚଶର ନାମରେ ଭୁବନବିଖ୍ୟାତ ହେବ ।’

ଏତେ ଯାଏଁ ନୀରବ ଥିଲେ ମହର୍ଷି ଭୃଗୁ । କହିଲେ, ‘ସର୍ବୋପରି ତୁମେ ଖ୍ୟାତିଲାଭ କରିବ କାମଦେବ ନାମରେ । ମିଥୁନ ସମାଜରେ ସୃଷ୍ଟି କାମନା ନେଇ ତୁମର ଜନ୍ମ । ତୁମେ ମୂର୍ତ୍ତିମାନ କାମ । ପଞ୍ଚଶରଦ୍ଵାରା ସ୍ତ୍ରୀ-ପୁରୁଷ ମନରେ କାମସଞ୍ଚାର କରି ତୁମେ ସନାତନ ସୃଷ୍ଟିର ପ୍ରବର୍ତ୍ତକ ହେବ । କିନ୍ତୁ ଅଧର୍ମତନୁଜ କାମଠାରୁ ତୁମେ ହେବ ସ୍ଵତନ୍ତ୍ର ।’

ବହୁ ନାମରେ ଅଭିହିତ, ଅଭିନନ୍ଦିତ ହେଲା ମନୋଭାବ ମଦନ । ପ୍ରଜାପତି ଦକ୍ଷ ହୃଷ୍ଟ ଚିତ୍ତରେ ତା’ର ହାତରେ ସମ୍ପ୍ରଦାନ କଲେ ସ୍ଵୀୟ ମାନସକନ୍ୟା ରତିକୁ । ସର୍ବାଙ୍ଗସୁନ୍ଦରୀ, ଅସିତେକ୍ଷଣା ରତି । ଏପରି ପତି ଲାଭକରି ନିଜକୁ ସେ କୃତକୃତାର୍ଥ ଜ୍ଞାନ କଲା ।

 

ରତିକୁ ଲାଭ କରି କିମ୍ବା ଋଷିମାନଙ୍କ ବାଚନରେ ମନୋଭାବ ମଦନର ବିନ୍ଦୁମାତ୍ର ବିଚାର ଲକ୍ଷିତ ହେଲାନି କିନ୍ତୁ । ଆନନରେ ସଦର୍ପ ଗାମ୍ଭୀର୍ଯ୍ୟ, ଅଧରେ ସ୍ମିତ ହାସ–ସତେ ଯେପରି ବଜ୍ରସୂଚକ ବିଦ୍ୟୁତ୍ । ବିଧାତା ଉପରେ ସ୍ଥିର ଦୃଷ୍ଟି ନିବଦ୍ଧ କରି ସେ କହିଲା, ‘ଏଥର ନିର୍ଦ୍ଦେଶ କରନ୍ତୁ ମୋର ଆଶ୍ରୟସ୍ଥଳ ।’

 

‘ତୁମର ଆଶ୍ରୟସ୍ଥଳ ?’ ମୁହୂର୍ତ୍ତେ ଦ୍ୱିଧା ନକରି ଘୋଷଣା କଲେ ପ୍ରଜାପତି ବ୍ରହ୍ମା, ‘ଚତୁର୍ଦ୍ଦଶ ଭୁବନରେ ତୁମର ଅବାଧ ଅଧିକାର ବିସ୍ତୃତ ହେବ । ହେ ମନ୍ମଥ ! ପାତାଳ, ମର୍ତ୍ତ୍ୟ, ସ୍ଵର୍ଗ–ସର୍ବତ୍ର ତୁମର ଗତି ହେବ ଅନିରୁଦ୍ଧ । ଇଚ୍ଛା କଲେ ତପୋଲୋକରେ ମଧ୍ୟ ତୁମେ ଆଶ୍ରୟ ନେଇ ପାରିବ । ମୁନିମାନସରେବି ତୁମର ସଞ୍ଚରଣରେ ବାଧା ନାଇଁ । ଏପରି କି ସତ୍ୟଲୋକରେ ସୁଦ୍ଧା–’ କ’ଣ କେଜାଣି ଭାବି ନିମିଷେ ନୀରବ ହେଲେ ବିଧାତାପୁରୁଷ । ସ୍ତବ୍ଧ-ବିସ୍ମୟରେ ତାଙ୍କୁ ଚାହିଁଚନ୍ତି ସିଦ୍ଧ-ଚାରଣ, ଚାହିଁଚନ୍ତି ତପୋଋଦ୍ଧ ଋଷିବୃନ୍ଦ । ବିଷ୍ଣୁ ଓ ମହେଶ୍ୱରଙ୍କ ଦୃଷ୍ଟି ମଧ୍ୟ ସୋତ୍କଣ୍ଠ । ବ୍ରହ୍ମା କହିଲେ, ‘ଏପରି କି ସତ୍ୟଲୋକରେ–ବିଷ୍ଣୁଲୋକ କିମ୍ବା ମହେଶ୍ୱରଲୋକରେ ମଧ୍ୟ କ୍ଷୁଣ୍ଣ ହେବନି ତୁମର ଗତି । ଏଇ ମୁଁ ସୃଷ୍ଟିକର୍ତ୍ତା–ହୃଦୟରେ ମୋର ସୃଷ୍ଟିର ତପସ୍ୟା, ବାକ୍ୟରେ ଅସ୍ଖଳିତ ସତ୍ୟ–ମତେବି ସମ୍ମୋହିତ କରିବାର ଶକ୍ତି ତୁମ ପାଖରେ ରହିବ ।’

 

ନୀରବ ହେଲେ କମଳଯୋନି ପ୍ରଜାପତି । ବିଧାତା ବାକ୍ୟରେ ମଦନ ଉଲ୍ଲସିତ ହେଲା; ଶକ୍ତି ଦର୍ପରେ ଆତ୍ମ–ଅହଂକାରବି ହେଲା ଉୟଙ୍କର । ଆଲୋହିତ ଆନନରେ ମଦୋଦ୍ଧତ ଉଲ୍ଲାସର ଦୀପ୍ତି ଖେଳିଗଲା କି ନା ବୁଝାଗଲାନି ଯଦିଓ, ଟଙ୍କାର ଜାଗିଲା ତା’ର ପୁଷ୍ପଧନୁରେ । ସେ ଟଙ୍କାରରେ ଭୁବନ ମୋହିତ ହେଲା । ମିଥୁନ ସମାଜ ହେଲା ବିହ୍ଵଳ । କୋମଳାଙ୍ଗୀ ନାରୀ କମ୍ପିତ କଳେବରରେ, ବିବଶ ଭାବରେ ଆଲିଙ୍ଗନ କଲା ପୁରୁଷକୁ । ନିବିଡ଼ କାମନାର ସେ ଆଲିଙ୍ଗନରେ ପୁରୁଷ ଅବଶ ହେଇ ପଡ଼ିଲା; ଦୂରୀଭୂତ ହେଲା ତା’ର ପୌରୁଷ । ମୁନି ମାନସବି ଚଞ୍ଚଳ ହେଇ ଉଠିଲା, ସର୍ବାଙ୍ଗରେ ଶିହରଣ । ଅବଶ ଆବେଶ ସଞ୍ଚାରିତ ହେଲା ବିଶ୍ଵଲୋକରେ ।

 

ଏଇ ମଦ-ବିହ୍ଵଳତାରେ ସ୍ଥିର ରହିଲେ କେବଳ କମଳଯୋନି ବ୍ରହ୍ମା, ଜିଷ୍ଣୁ ବିଷ୍ଣୁ ଆଉ ଯୋଗୀଶ୍ଵର ମହେଶ୍ଵର । ବିଶୁଦ୍ଧ, ସ୍ଥିତଧୀ ସେମାନେ । ମୋହାତୀତ ଅକଳ୍ପ ସେମାନଙ୍କ ମାନସ, ନିଶ୍ଚଳ ଦୃଢ଼ତା ।

 

କ୍ଷଣକାଳ ପାଇଁ କ୍ଷୁଣ୍ଣ ହେଲା ମଦନ । ବ୍ରହ୍ମାଙ୍କ ବରରେ ସେ ଅଜେୟ, ଅବ୍ୟର୍ଥ ତା’ର ଶକ୍ତି । ତ୍ରିଭୁବନ ମୋହିତ, ତାପିତ, ସ୍ତମ୍ଭିତ ତା’ର ଧନୁର ଟଙ୍କାରରେ । କିନ୍ତୁ ଏ ତ୍ରିମୂର୍ତ୍ତି ଅବିଚଳିତ କାହିଁକି ? ଅଜେୟ କି ସୃଷ୍ଟିକର୍ତ୍ତା ? ମିଥ୍ୟ କି ସତ୍ୟମୂର୍ତ୍ତି ବିଧାତାର ବାକ୍ୟ ? ତା’ର ସକଳ ଆକ୍ରୋଶ ଠୁଳ ହେଲା ପଦ୍ମସମ୍ଭବ ବ୍ରହ୍ମାଙ୍କ ଉପରେ ।

 

ଦର୍ପଭରେ ତୂଣରୁ ସେ ତୋଳିନେଲା ପୁଷ୍ପମୟ ପଞ୍ଚଶର । ଅରବିନ୍ଦ, ଅଶୋକ, ଆମ୍ର, ନବମଲ୍ଲିକା ଓ ନୀଳୋତ୍ପଳ ନିର୍ମିତ ପଞ୍ଚଶାୟକ–ସମ୍ମୋହନ, ଉନ୍ମାଦନ, ଶୋଷଣ, ତାପନ ଓ ସ୍ତମ୍ଭନ ନିମନ୍ତେ ଅଦ୍ୱିତୀୟ । କେବଳ ପରୀକ୍ଷା ଉଦ୍ଦେଶ୍ୟରେ–ସତ୍ୟ କି ନା କମଳଯୋନି ବ୍ରହ୍ମାଙ୍କ ବାକ୍ୟ–ମଦନ ବ୍ରହ୍ମାଙ୍କୁ ଲକ୍ଷ୍ୟକରି ସ୍ମିତହାସ୍ୟ-ବଦନରେ ନିକ୍ଷେପ କଲା ସେଇ କୁସୁମଶର ।

 

ପଲକେ ପ୍ରମାଦ ସୃଷ୍ଟି ହେଲା ବ୍ରହ୍ମାଙ୍କ ମନରେ । ପ୍ରଥମେ ସମ୍ମୋହିତ ହେଲେ ସେ । ମୁଗ୍ଧ ହୃଦୟ, ମୁଗ୍ଧ ଦୃଷ୍ଟି, ଅବଶ ସର୍ବାଙ୍ଗ । ପରମୁହୂର୍ତ୍ତରେ ଅନୁଭବ କଲେ ଅସ୍ଥିର ଉନ୍ମାଦନା । ବିଘୂର୍ଣ୍ଣିତ ମସ୍ତକ ମନରେ ମାଦକତା, ଦେହରେ ବିଦ୍ୟୁତ୍ ଶିହରଣ । ଶୋଷଣବାଣରେ ଲୋକ-ପିତାମହଙ୍କ ବକ୍ଷରୁ କଣ୍ଠ ପର୍ଯ୍ୟନ୍ତ ବିଶୁଷ୍କ ହେଇଗଲା । ରସନା, ଓଷ୍ଠାଧର ଶୁଷ୍କ ମରୁ ଭଳି ପିପାସିତ ହେଲା । ସଙ୍ଗେ ସଙ୍ଗେ ତାପନ-ତୀର ପ୍ରଭାବରେ ଦେହରେ ସୃଷ୍ଟି ହେଲା ଅସହ୍ୟ ଜ୍ଵାଳା । ସୁତୀବ୍ର ଉତ୍ତାପ–ଯେପରି କୋଟି ସୂର୍ଯ୍ୟର ଦାହନ । ସ୍ତମ୍ଭନ ଶାୟକରେ ସ୍ତମ୍ଭିତ ହେଲେ ପଦ୍ମସମ୍ଭବ–ବିଭ୍ରାନ୍ତ ବୃଦ୍ଧିବୃତ୍ତି, ଲୁପ୍ତ ସତ୍ୟର ତପୋବଳ ।

 

ସମ୍ମୁଖରେ ଉପସ୍ଥିତ ଥିଲେ ଚିରସ୍ଥିରକାନ୍ତି ସର୍ବଶୁକ୍ଳା ସରସ୍ଵତୀ । ବ୍ରହ୍ମାଙ୍କ ଅଙ୍ଗଜସନ୍ତାନ ସେ । ହତଚେତନ ବ୍ରହ୍ମା ସେ ମୁହୂର୍ତ୍ତରେ କାଳାକାଳ, ପାତ୍ରାପାତ୍ର ନିସୃତ ହେଲେ । ମନ୍ତ୍ରମୁଗ୍ଧ ଭଳି ଧାବିତ ହେଲେ କନ୍ୟା ବୀଣା ପ୍ରତି ।

 

ପ୍ରଜାପତି ବ୍ରହ୍ମାଙ୍କ ଭ୍ରାନ୍ତି ଦେଖି ଉଚ୍ଚ ବ୍ୟଙ୍ଗହାସ୍ୟ କରି ଉଠିଲେ ବିଷ୍ଣୁ ଓ ମହେଶ୍ଵର । ନିୟମର ଶୃଙ୍ଖଳା ଭଙ୍ଗ ହେବା ଦେଖି ମରୀଚି ପ୍ରଭୃତି ମାନସପୁତ୍ର ଯୋଡ଼କରେ ନିବେଦନ କଲେ ସବିନୟ ବଚନ : ‘ଶାନ୍ତ ହୁଅନ୍ତୁ, ଶାନ୍ତ ହୁଅନ୍ତୁ ପିତା ! ଯତାତ୍ମା ବିକାରହୀନ ପୁରୁଷ ଆପଣ, ଆପଣ କନ୍ୟାଗମନୋଦ୍ୟତ । ଏ କାର୍ଯ୍ୟ ଧର୍ମ-ବିରୁଦ୍ଧ । ଆପଣଙ୍କ ଭଳି ସତ୍ୟସନ୍ଧୀ ପୁରୁଷ ପକ୍ଷରେ ଏପରି କାତର ହେବା ଅଶୋଭନୀୟ । ବିଶେଷରେ ଏ କାମନା ଅସାମାଜିକ, ସୃଷ୍ଟି-ଶୃଙ୍ଖଳାର ବ୍ୟଭିଚାରୀ-।’

 

ଆତ୍ମପୁତ୍ରମାନଙ୍କ ବିନୟନମ୍ର କୁଶଳ ବଚନରେ ସମ୍ବିତ ଫେରି ପାଇଲେ ପ୍ରଜାପତି । ଦାରୁଣ ଲଜ୍ଜାରେ ଆନତ ହେଲା ତାଙ୍କର ମସ୍ତକ । ଛି, ଛି, କ’ଣ କରିବାକୁ ଯାଉଚନ୍ତି ସେ ।

 

ବ୍ରହ୍ମାଙ୍କ ଲଜ୍ଜା ଦେଖି କୌତୁକ ବୋଧକଲେ ମହେଶ୍ଵର । ଉଚ୍ଚ ବ୍ୟଙ୍ଗହାସ୍ୟ କରି ଉଠିଲେ ସେ । ବିଧାତା ପୁରୁଷଙ୍କ ଲଜ୍ଜା ଏଥର ପରିଣତ ହେଲା କ୍ରୋଧରେ । ଲଲାଟଫଳକ ହେଲା ଭ୍ରୂକୁଟି-କୁଟିଳ, କଣ୍ଠରେ ଧ୍ଵନିତ ହେଲା ବଜ୍ରନାଦ । ମଦନକୁ ଉଦ୍ଦେଶ୍ୟ କରି କହିଲେ, ‘ଦର୍ପିତ କାମ ! ସନାତନ ସୃଷ୍ଟିର ପତ୍ତନ ନିମନ୍ତେ ମୋର ସଂକଳ୍ପରୁ ଉତ୍ପନ୍ନ ହେଇଚ ତୁମେ । ପ୍ରୀତିମୁଗ୍ଧ ହେଇ ସର୍ବଲୋକରେ ତୁମର ଆଶ୍ରୟ ନିର୍ଦ୍ଦେଶ କରିଚି ମୁଁ । ତୁମଠି ସଞ୍ଚାର କରିଚି ଅମୋଘ ଶକ୍ତି । କିନ୍ତୁ ଆତ୍ମଦର୍ପରେ ସ୍ଫୀତ ହେଇ ତୁମେ କାମଶର ନିକ୍ଷେପ କଲ ମୋ ପ୍ରତି । ଏହାର ପ୍ରାୟଶ୍ଚିତ୍ତ କରିବାକୁ ହେବ ତୁମକୁ ।’

 

ଶଙ୍କିତ ଦେବସଂଘ, କମ୍ପିତ ସମଗ୍ର ସମାଜ । ଆତଙ୍କରେ ଶିହରି ଉଠିଲା ରତିର ହୃଦୟ-। ମଦନ କିନ୍ତୁ ନିର୍ଭୀକ । ସ୍ଥିର କଠିନ ଦୃଷ୍ଟିରେ ସେ ଚାହିଁ ରହିଲା ବିଧାତାଙ୍କ ପ୍ରତି ।

 

ବଜ୍ରରବରେ ପ୍ରଚାରିତ ହେଲା ବିଧାତାଙ୍କ ଅଭିଶାପ ‘ଚନ୍ଦ୍ରରେ କଳଙ୍କ ଭଳି ତୁମର ଭୁବନମୋହନ ସୌନ୍ଦର୍ଯ୍ୟରେ କଳଙ୍କ-ଚିହ୍ନରୂପେ ଜାଗ୍ରତ ରହିବ କଦର୍ଯ୍ୟ କାମନାର କୁଟିଳତା । ପ୍ରେମର ଅଧଦେବତା ରୂପରେ କେବଳ ସୃଷ୍ଟି କରିଥିଲି ତୁମକୁ । ଅଧର୍ମକ କାମଠାରୁ ତୁମେ ଥିଲ ସ୍ଵତନ୍ତ୍ର । ଆଜିଠାରୁ ଅଧର୍ମପ୍ରଭବ କାମ କଳଙ୍କ ମଧ୍ୟ ତୁମକୁ ବହନ କରିବାକୁ ପଡ଼ିବ । ଗୁରୁତଳ୍ପ ଗମନାଦି ବ୍ୟଭିଚାରୀ କାମନାର ପ୍ରେରକରୂପେ ସମାଜରେ ନିନ୍ଦିତ, ଧିକ୍‍କୃତ ହେବ ତୁମେ ।’

 

ନିମିଷେ ନୀରବ ହେଲେ ବିଧାତା ପୁରୁଷ । ଆନନରେ ନୟନରେ ରୋଷ-ଅରୁଣିମା । ନିସ୍ତବ୍ଧ ସମଗ୍ର ସୃଷ୍ଟି । ଆତଙ୍କରେ ଯେପରି ଚକ୍ଷୁ ମୁଦ୍ରିତ କରିଚନ୍ତି ଚତୁର୍ଦ୍ଦଶ ଭୁବନର ଜୀବ । ଝଟିକାର ସୂଚନା ମିଳିଚି; ଏଥର ହେବ ବଜ୍ରପାତ । ଭୟାର୍ଦିତ ସୃଷ୍ଟିରେ ତା’ର ଶଙ୍କାକୁଳ ପ୍ରତୀକ୍ଷା । କିନ୍ତୁ ଅବିଚଳିତ ଦର୍ପିତ ମଦନ । ନିରାତଙ୍କ ତା’ର ହୃଦୟ, ନୟନରେ ସୁକଠିନ ଦୀପ୍ତି, ଉଦ୍ଧତ ଅନମନୀୟ ଦେହଭଙ୍ଗୀ ।

 

ବଜ୍ରପତିତ ହେଲା । ସରୋଷେ ଉଚ୍ଚାରଣ କଲେ ବ୍ରହ୍ମା, ‘ହେ ଦର୍ପାନ୍ଧ ମନ୍ମଥ ! ଯେଉଁ ଦର୍ପରେ ତୁମେ ଆତ୍ମହରା, ଯେଉଁ ଦର୍ପ ଲିପ୍ତ କରିଚି ତୁମର ଲଘୁଗୁରୁ ବିଚାରବୁଦ୍ଧି, ସେ ଦର୍ପ ଚୂର୍ଣ୍ଣ ହେବ ତୁମର । ତ୍ରୈଲୋକ୍ୟ-ମୋହନ ତୁମର ରୂପ, ଅଙ୍ଗକାନ୍ତିର ଗୌରବରେ ତୁମେ ଆତ୍ମହରା । କପର୍ଦୀର ରୁଦ୍ରରୋଷରେ ସେଇ ରୂପ, ସେଇ ଅଙ୍ଗ ଭସ୍ମୀଭୂତ ହେବ । ଚାର୍ବାଙ୍ଗ, ତୁମେ ହେବ ଅଙ୍ଗହୀନ, ଅନଙ୍ଗ ।’

 

ବ୍ରହ୍ମାଙ୍କ ଅଭିଶାପରେ ବେଦନାତୁର ହେଲା ସୃଷ୍ଟି । ମନୋଭାବର ଜନ୍ମକ୍ଷଣରେ ଜାଗିଥିଲା ଯେଉଁ ଆନନ୍ଦ-ବିହ୍ୱଳତା, ତାହା ପୂର୍ଣ୍ଣ ହେଲା ଅଶ୍ରୁ-ଉଚ୍ଛ୍ୱାସରେ । ଶୋକରେ ଭାଙ୍ଗିପଡ଼ିଲା ମଦନପ୍ରିୟା ରତି । ତା’ର କମନୀୟ ନୟନରୁ ଝରିଲା ବରଷାର ଅଶ୍ରାନ୍ତ ଧାରା । କଣ୍ଠରେ ଭଣିତ ହେଲା କରୁଣ ଉତ୍ତରୋଳ । ରତି-ବିଳାପର ମୂର୍ଚ୍ଛନାରେ ମୂର୍ଚ୍ଛିତ ହେଲା ଜୀବକୁଳ । ସତୀ ଅରୁନ୍ଧତୀର ନୟନ ଛଳଛଳ, ମ୍ଳାନ ସାଧ୍ୱୀ ଅନସୂୟାର ବଦନ-କମଳ ।

 

ଦର୍ପିତ ମଦନ ମର୍ମାହତ ହେଲା, କିନ୍ତୁ କ୍ଷୁଣ୍ଣ ହେଲାନି ତା’ର ଦର୍ପ । ବିଧାତାଙ୍କୁ ଲକ୍ଷ୍ୟ କରି ଅକମ୍ପିତ କଣ୍ଠରେ କହିଲା, ‘ମତେ ଅଭିଶାପ ଦେବା ବିଧାତାଙ୍କର ଉଚିତ ହେଇନି । ଲୋକ-ପିତାମହ ରୁଷ୍ଟ ହେଇଚନ୍ତି । ଅବଶ୍ୟ ଯେ କାହାର ତୁଷ୍ଟି ଅବା ରୁଷ୍ଟି ନିଜର ଇଚ୍ଛାଧୀନ । କିନ୍ତୁ ମୁଁ ନିରପରାଧ ।’

 

ମଦନର ସ୍ପର୍ଦ୍ଧା ଦେଖି ବିସ୍ମିତ ହେଲେ ଋଷିବୃନ୍ଦ; ସ୍ତବ୍ଧ ହେଲେ ଊର୍ଦ୍ଧ୍ଵଶ୍ରୋତା ଦେବତା-ସମାଜ । ବ୍ୟର୍ଥ କାମନାରେ ବିକ୍ଷୁବ୍ଧ ବ୍ରହ୍ମା ଉଚ୍ଚସ୍ଵରରେ ଗର୍ଜନ କରି ଉଠିଲେ :–‘କ’ଣ, ନିରପରାଧ-!’

 

‘ନିରପରାଧ ନୁହେଁ ତ ଆଉ କ’ଣ ?’ ଶାନ୍ତ ଅଥଚ ଦୃଢ଼କଣ୍ଠରେ କହିଲା ଦର୍ପିତ କୁସୁମଧନ୍ଵା, ‘ଆପଣଙ୍କ ବାକ୍ୟର ସତ୍ୟତା ପରୀକ୍ଷା କରିବାପାଇଁ କେବଳ ମୁଁ ଆପଣଙ୍କ ପ୍ରତି ଶରାଘାତ କରିଚି । ପ୍ରମାଣ ପାଇଲି, ସତ୍ୟ ବିଧାତାର ବାକ୍ୟ, ସେ ସତ୍ୟର ବାଙ୍‍ମୂର୍ତ୍ତି । କିନ୍ତୁ ମୋର ଏ ପ୍ରକାର ଆଚରଣ ଆପଣଙ୍କ କ୍ରୋଧ ଉଦ୍ରେକ କରିବ, ମୁଁ ଧାରଣା କରି ପାରିନି । ପରୀକ୍ଷାଦ୍ଵାରା କେବଳ ଗୁରୁପ୍ରଦତ୍ତ ମନ୍ତ୍ର ବା ଶିକ୍ଷାର ଫଳାଫଳ ନିର୍ଣ୍ଣୟ କରାହୁଏ । ପୁତ୍ରର ସାଫଲ୍ୟରେ ପିତା ଆଶୀର୍ବାଦ କରନ୍ତିନି, ଅଭିଶାପ ଦିଅନ୍ତି–ଏ ଅଭିଜ୍ଞତା ମୋର ପ୍ରଥମ ।’

 

ନୀରବ ହେଲା ମନ୍ମଥ । ନୀରବ ନିଖିଳ ଭୁବନ । ବିସ୍ମୟରେ ହତବାକ୍ ହେଇ ଯାଇଚି କଳମୁଖର ସୃଷ୍ଟି । ଚମତ୍କୃତ ହେଲେ ବିଧାତା ପୁରୁଷ । ‘ପୁତ୍ରାଦିଚ୍ଛେତ୍ ପରାଜୟମ୍’–ଏ ବିଧାନ ତ ତାଙ୍କର । ମାନସପୁତ୍ର ମଦନର ଦୃଢ଼ତା ଦେଖି ସେ ତୁଷ୍ଟ ହେଲେ । କିନ୍ତୁ ପ୍ରଦତ୍ତ ଅଭିଶାପ ଜ୍ୟା-ମୁକ୍ତ ତୀର ଭଳି ଥରେ ନିକ୍ଷିପ୍ତ ହେଲେ ପ୍ରତ୍ୟାହୃତ ହୁଏ ନାହିଁ । ତାଙ୍କର ଚିତ୍ତପ୍ରଦେଶ ଆନ୍ଦୋଳିତ ହେଲା-

 

ବିଧାତାର କିଂକର୍ତ୍ତବ୍ୟବିମୂଢ଼ତା ଦେଖି ପୁଣି ହାସ୍ୟ କରି ଉଠିଲେ ମହାଦେବ । ସେ ବିଦ୍ରୂପହାସ୍ୟ ମଦନର ଶରାଘାତ ଭଳି ଜ୍ଵାଳାକର । ଏକ ଦିଗେ ଦର୍ପିତ ପୁତ୍ରର ଦୃଢ଼ତା, ଅନ୍ୟ ଦିଗେ କପର୍ଦୀର ହାସ୍ୟ-କଟାକ୍ଷ । କି ଦାମ୍ଭିକ ଏ ମହେଶ୍ୱର ! ଏହାର ପ୍ରତିକାର ଆବଶ୍ୟକ । ବାକ୍-ଚତୁର ବ୍ରହ୍ମା ମଦନକୁ ଉଦ୍ଦେଶ୍ୟ କରି କହିଲେ ସତ କିନ୍ତୁ ଲକ୍ଷ୍ୟ ହେଲେ ବିଦ୍ରୂପକାରୀ ମହେଶ୍ୱର : ‘ତୁମର ଦୃଢ଼ତା ଦେଖି ମୁଁ ତୁଷ୍ଟ ହେଇଚି । ପ୍ରଶଂସନୀୟ ତୁମର ଦର୍ପ । ତୁମର ଆଉ ଏକ ନାମ ହେବ ଦର୍ପକ-। ନିଖିଳ ସୃଷ୍ଟିରେ ସମସ୍ତଙ୍କର ଦର୍ପ ନାଶ କରିବାକୁ ତୁମେ ସମର୍ଥ ହେବ । ଏପରି କି, ଯୋଗ-ଦର୍ପରେ ଦର୍ପିତ ଯେଉଁ କପର୍ଦୀ ତାଙ୍କର ଦର୍ପ ମଧ୍ୟ ଚୂର୍ଣ୍ଣ ହେବ ତୁମ ହାତରେ । ଯୋଗୀଶ୍ଵର ମହେଶ୍ୱରଙ୍କ ଦର୍ପ ଚୂର୍ଣ୍ଣ କରି ତୁମେ ଜଗତର କନ୍ଦର୍ପ ନାମରେ ବିଖ୍ୟାତ ହେବ ।’

 

ବିମର୍ଷ ହେଲେ ମହେଶ୍ୱର । ତାଙ୍କର ଲଲାଟସ୍ଥ ଅର୍ଦ୍ଧଚନ୍ଦ୍ର ହେଲା ଦୀପ୍ତି-ମ୍ଳାନ । ପରିତୃପ୍ତ ହେଲେ ପ୍ରଜାପତି । ପ୍ରଶଂସା ଦୃଷ୍ଟିରେ ସେ ଚାହିଁଲେ ଗ୍ରୀବାଭଙ୍ଗାଭିରାମ ଦର୍ପୋଦ୍ଧତ ଦର୍ପକ ପ୍ରତି । ଏପରି ତ୍ରୈଲୋକ୍ୟୋନ୍ମାଦକ ଅଙ୍ଗ ତାଙ୍କର ଅଭିଶାପରେ ଅଙ୍ଗହୀନ ହେବ ଭାବି କରୁଣାର୍ଦ୍ର ହେଲା ତାଙ୍କର ଅନ୍ତର । ଶାନ୍ତକଣ୍ଠରେ ସେ ଉଚ୍ଚାରଣ କଲେ ସାନ୍ତ୍ଵନା ବାକ୍ୟ : ‘ରୁଦ୍ରରୋଷରେ ଅଙ୍ଗହୀନ ହେଲେ ମଧ୍ୟ ତୁମର କ୍ଷୋଭର କାରଣ ନାଇଁ । ହେ କନ୍ଦର୍ପ ! ଶମ୍ଭୁ ତୁମର ଦେହ ହରଣ କଲେ ମଧ୍ୟ ବଳ ହରଣ କରିପାରିବେନି । ତ୍ରିଭୁବନରେ ତୁମେ ହେବ ଅବାର୍ଯବୀର୍ଯ୍ୟ, ଅପ୍ରତିହିତ ହେବ ତୁମର ବଜ୍ରସାର ପୁଷ୍ପଶରର ଲକ୍ଷ୍ୟ । ଅଲକ୍ଷ୍ୟଚାରୀ ହେଇ ତୁମେ ତୁମର ଅମୋଘ ପ୍ରଭାବ ବିସ୍ତାର କରିବ-। ସୃଷ୍ଟିର ପ୍ରତ୍ୟେକ ନର, ପ୍ରତ୍ୟେକ ନାରୀ ହେବ ତୁମର ଅବ୍ୟର୍ଥ ପଞ୍ଚଶରର ଅଧୀନ ।’

 

ଅଦୂରରେ ଛିଡ଼ା ହେଇଥିଲା ଅଧର୍ମପୁତ୍ର କାମ । ସହସା ବିଧାତାଙ୍କ ଦୃଷ୍ଟି ପଡ଼ିଲା ତା’ର ଉପରେ । କଦାକାର ଦେହ, ଲାଳସାକୁଟିଳ ଜଘନ୍ୟ ଦୃଷ୍ଟି, ବିକୃତ ବକ୍ରଗତି । ବ୍ୟଭିଚାରୀ କାମନାର ପ୍ରେରକ ସେ । ଶିହରି ଉଠିଲେ ବିଧାତା । କ୍ରୋଧରେ ଆତ୍ମହରା ହେଇ ଏକ କଦର୍ଯ୍ୟ, କୁଟିଳ କାମ-କଳଙ୍କରେ ସେ ଅଭିଶପ୍ତ କରିଚନ୍ତି ମନୋଭାବ ମନ୍ମଥକୁ ? କାମ ଆଉ ପ୍ରେମକୁ ସେ ଏକାକାର କରି ଦେଇଚନ୍ତି !

 

ଅନୁଶୋଚନାରେ କାତର ହେଲେ ବିଧାତା । ମନସିଜ ମଦନ ପ୍ରତି ସହାନୁଭୂତିରେ ତାଙ୍କର ଅନ୍ତର ପୂର୍ଣ୍ଣ ହୋଇ ଉଠିଲା । ଶାନ୍ତ ସ୍ଵରରେ ସେ କହିଲେ, ‘ତୁମେ ଦୁଃଖିତ ହୁଅନି ଦର୍ପକ । କାମନାରେ ଭ୍ରାନ୍ତଚିତ୍ତ, ରୋଷାବିଷ୍ଟ ହୋଇ କାମ-କଳଙ୍କର ଭାର ବହନ କରିବା ଅଭିଶାପ ତୁମକୁ ଦେଇଚି । କାମର କଦର୍ଯ୍ୟ କଳଙ୍କରେ କଳଙ୍କିତ ହେଲେ ମଧ୍ୟ, ମୁଁ କହୁଚି, କାମ ଓ ପ୍ରେମର ସ୍ଵାତନ୍ତ୍ର୍ୟ ବରାବର ରହିବ । ତୁମେ ହେବ ପ୍ରେମର ଅଧିଦେବତା । କାମଗନ୍ଧହୀନ, ଅତୀନ୍ଦ୍ରିୟ ପ୍ରେମର ସୁଧାପାତ୍ର ଅଦୃଶ୍ୟ ହସ୍ତରେ ତୁମେ ନିଖିଳ ବିଶ୍ଵ ନରନାରୀର ଅଧରରେ ତୋଳି ଧରିବ । ତୁମର ଅଲକ୍ଷ୍ୟ ପଦସଞ୍ଚାରରେ ବାଜି ଉଠିବ ଶୁଦ୍ଧ, ସତ୍ତ୍ଵମୟ ସୃଷ୍ଟିର ସ୍ଵର । କାବ୍ୟ ଓ ଶିଳ୍ପରେ ରହିବ ତୁମରହିଁ ଅଗ୍ରାଧିକାର । ହେ ଅତନୁ ! ତନୁହୀନ ହେଲେ ମଧ୍ୟ ଅଖିଳ ଭୁବନରେ ତୁମେହିଁ ସୃଷ୍ଟି କରିବ ନବନବ ରୋମାଞ୍ଚ, କଳ୍ପନାରେ ଛନ୍ଦିତ ହେବ ତୁମର ଜୟଗାଥା । ଲୋକେ ତୁମକୁ ନମସ୍କାର କରିବେ ଏଇ ବାକ୍ୟରେ–

 

କର୍ପୂର ଇବ ଗନ୍ଧୋଽପି

ଶକ୍ତିମାନ ଯୋ ଜନେ ଜନେ

ନମୋଽସ୍ତୁ ଅବାର୍ଯବୀର୍ଯ୍ୟାୟ

ତସ୍ମୈ କୁସୁମଧନ୍ଵନେ ।

 

ନୀରବ ହେଲେ ଲୋକ-ପିତାମହ । ନୀରବରେ ସଭାଭଙ୍ଗ ହେଲା । ରତିକୁ ସଙ୍ଗେ ଘେନି ଦର୍ପିତ ବଙ୍କିମ ଭଙ୍ଗୀରେ ବିଧି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନୀରବରେ ଅଗ୍ରସର ହେଲା ଦର୍ପକ ମଦନ-। ଅଭିଶାପ ହେଉ କି ଆଶୀର୍ବାଦ ହେଉ–ସମାନ ତା’ର ମନୋଭାବ ।

 

ବିଧାତାର ଅଭିଶାପ ବ୍ୟର୍ଥ ହେଇନି । ରୁଦ୍ରରୋଷରେ ଦଗ୍ଧ ହେଇଥିଲା ମଦନ । ଦକ୍ଷ ଯଜ୍ଞରେ ଦେହତ୍ୟାଗ କରିଥିଲେ ପତିବ୍ରତା ସତୀ । ସତୀ ଶୋକରେ ଉନ୍ମତ୍ତ ଭୈରବ ମୃତା ପତ୍ନୀର ଦେହ ସ୍କନ୍ଧରେ ବହନ କରି ଭ୍ରମଣ କରିଥିଲେ ତ୍ରିଭୁବନ । ବିଷ୍ଣୁଚକ୍ରରେ ଛିନ୍ନ ସତୀର ଅଙ୍ଗରୁ ସୃଷ୍ଟି ହେଇଥିଲା ଏକାବନଟି ପୀଠସ୍ଥାନ । ତା’ର ପରେ ଆତ୍ମଭୋଳା ଯୋଗୀଶ୍ଵର ହିମାଳୟ ସାନୁଦେଶରେ ଧ୍ୟାନମଗ୍ନ ହେଇଥିଲେ କଳ୍ପାନ୍ତବ୍ୟାପୀ । ତାରକାସୁର ପ୍ରତାପରେ ଉପଦ୍ରୁତ ସ୍ଵର୍ଗଲୋକ । ତାରକ ନିଧନ ଲାଗି ପ୍ରୟୋଜନ ହେଇଥିଲା ‘କୁମାରସମ୍ଭବ’ । ସତୀ ଜନ୍ମ ନେଇଥିଲେ ହିମରାଜ ଗୃହରେ କନ୍ୟା ପାର୍ବତୀ ରୂପରେ । ମହାଦେବଙ୍କ ଔରସରେ, ସତୀଙ୍କ ଗର୍ଭରେ ଯେଉଁ କୁମାର ସମ୍ଭବ ହେବ ସେ ହେବ ତାରକ-ନିହନ୍ତା । ବିପନ୍ନ ଇନ୍ଦ୍ର ବିଧାତାର ନିର୍ଦ୍ଦେଶରେ ମଦନର ଶରଣାପନ୍ନ ହେଇଥିଲେ । ଯୋଗୀଶ୍ଵର ମହେଶ୍ଵର । ତାଙ୍କର ତପୋଭଙ୍ଗ କରିବାକୁ ପଡ଼ିବ; ତାଙ୍କୁ ଆକୃଷ୍ଟ କରିବାକୁ ହେବ ପାର୍ବତୀ ଗୌରୀଙ୍କ ପ୍ରତି । ଏଇ କଠିନ କାର୍ଯ୍ୟରେ ବ୍ରତୀ ହେଇଥିଲା ଦର୍ପକ ମନ୍ମଥ । ଯୋଗୀଶ୍ଵର ମହାଦେବ ଯେତେବେଳେ ନିବାତ-ନିଷ୍କମ୍ପ ଦୀପଶିଖା ଭଳି ଧ୍ୟାନ-ନିଲୀନ ଥିଲେ ଆଉ ପୁଷ୍ପାଭରଣରେ ସଜ୍ଜିତା, ଗୌରାଙ୍ଗୀ ଗୌରୀ ଯେତେବେଳେ ନତଜାନୁ ହେଇ ପ୍ରଣାମ କରୁଥିଲେ ସେଇ ଯୋଗୀବରଙ୍କୁ, ସେତେବେଳେ ହିମାଳୟ ପ୍ରସ୍ଥରେ ଅକାଳବସନ୍ତ ଉଦୟ ହେଇଥିଲା; ମଦନର କ୍ରିୟା ଚାଲିଥିଲା ଅଲକ୍ଷ୍ୟରେ । ଜିତେନ୍ଦ୍ରିୟ ମହାଦେବ ଆଖି ମେଲି ଚାହିଁଥିଲେ କିନ୍ତୁ ତେବେ ସୁଦ୍ଧା ବିନ୍ଦୁମାତ୍ର ବିକାରଗ୍ରସ୍ତ ହେଇନି ତାଙ୍କର ଅନ୍ତର । ସହସା ମଦନ-କୌଶଳରେ ପାର୍ବତୀଙ୍କ କେଶସ୍ଥିତ କର୍ଣ୍ଣିକାର ଭୂମିତଳେ ସ୍ଖଳିତ ହେଲା । ଯତାତ୍ମା ମହାଦେବ ଈଷତ୍ ଚଞ୍ଚଳ ହେଲେ; ଚନ୍ଦ୍ରୋଦୟରେ ସାଗରର ଅମ୍ବୁରାଶି ଯେପରି ଈଷତ୍ ଚଞ୍ଚଳ ହେଲା । ହିମରାଜ କନ୍ୟାର ଅନିନ୍ଦ ଅଙ୍ଗଲାବଣ୍ୟ ଚକିତେ ଯେପରି ଚମକ ସୃଷ୍ଟି କଲା ବିରୂପାକ୍ଷ ନୟନରେ । ବିରକ୍ତ ହେଇ, ଆକସ୍ମିକ ଚିତ୍ତଚାଞ୍ଚଲ୍ୟର କାରଣ ନିର୍ଣ୍ଣୟ କରିବା ନିମନ୍ତେ ସେ ଚାରିଦିଗେ ତାଙ୍କର ରୋଷ-ରକ୍ତ ନୟନ ବିସ୍ତାର କଲେ । ଦେଖିଲେ, ଅଦୂରେ ଅଲକ୍ଷ୍ୟରେ ରହିଚି ‘ଚକ୍ରୀକୃତ ଚାରୁଚାପ’ ଶରନିକ୍ଷେପୋଦ୍ୟତ ମଦନ । ରୁଦ୍ର କ୍ରୁଦ୍ଧ ହେଲେ । ଲଲାଟସ୍ଥ ନେତ୍ରରେ ଦପଦପ ଜଳି ଉଠିଲା ଭୀଷଣ ବହ୍ନିଶିଖା । ‘କ୍ରୋଧ ସମ୍ବରଣ କରନ୍ତୁ’ କହିବା ପୂର୍ବରୁ ନୟନନିମେଷରେ ରୁଦ୍ର ନୟନାଗ୍ନିରେ ଦଗ୍ଧ ହେଇଗଲା ଦର୍ପକ ମନ୍ମଥ; ପଡ଼ି ରହିଲା ଖାଲି ନିଷ୍ପ୍ରାଣ ଭସ୍ମସ୍ତୂପ ଗୋଟାଏ ।

 

ସେଇ ଦଗ୍ଧ ଭସ୍ମସ୍ତୂପ ପୁନର୍ବାର ପ୍ରସନ୍ନାକ୍ଷ ବିରୂପାକ୍ଷଙ୍କ ଅନୁଗ୍ରହରେ ପ୍ରାଣ ଫେରି ପାଇଥିଲା । କିନ୍ତୁ ସେ ଗୋଟାଏ ପ୍ରାଣମୟ ସତ୍ତା ମାତ୍ର । ଅନୁଭୂତିପ୍ରବଣ କିନ୍ତୁ ଦେହହୀନ । କ୍ରିୟାଶୀଳ କିନ୍ତୁ ଅପାଣିପାଦ । ଅନଙ୍ଗ ନାମର କଳଙ୍କ ଛାଡ଼ିନି ଅତନୁର ।

 

ସ୍ମୃତିର ଛାୟାଛବି ଲିଭି ଯାଏଁ । ବିଶ୍ଵାମିତ୍ରଙ୍କ ଆଶ୍ରମପଦରେ ଉଦାସ-ଦୃଷ୍ଟି ଅନଙ୍ଗ କିଛିକାଳ ସ୍ତବ୍ଧଭାବରେ ଦଣ୍ଡାୟମାନ ରହେ । ସେତେବେଳକୁ ‘ଅପାଣିପାଦୋ’ ମନ୍ତ୍ର ଋଷି କଣ୍ଠରେ ନୀରବ ହେଲାଣି । କିନ୍ତୁ ଏବେ ସୁଦ୍ଧା ଘଣ୍ଟାଧ୍ଵନିର ଶେଷ ଅନୁରଣନ ପରି ତା’ର ନାଦ ଯେପରି ସମଗ୍ର ତପୋବନକୁ ମନ୍ଦ୍ରିତ କରି ରଖିଚି । ଏବେ ମଧ୍ୟ ଯେପରି ଘୋଷଣା କରୁଚି ଅନଙ୍ଗ ନାମର କଳଙ୍କ । ସହସ୍ର ବୃଶ୍ଚିକଦଂଶନ ଅନୁଭବ କରେ ଦର୍ପକ ।

 

ମୁହୂର୍ତ୍ତକରେ ପ୍ରଦୀପ୍ତ ହୁଏ ସେଇ ଦର୍ପ, ଅଧରରେ ଦେଖା ଦିଏ ସ୍ମିତ ହାସ୍ୟରେଖା । ହଁ, ‘ଅପାଣିପାଦୋ ଜବନୋ ଗ୍ରହୀତା’ ସ୍ୱୟଂ ଅନଙ୍ଗ । ତା’ର ପ୍ରମାଣ ସେ ଏଥର ଦେବ । ଦୃଢ଼ସଂକଳ୍ପ ଧରି ପ୍ରସ୍ତୁତ ହେଲା ଅବାର୍ଯବୀର୍ଯ୍ୟ ଦର୍ପକ । ତପୋମଗ୍ନ ବିଶ୍ଵାମିତ୍ରଙ୍କୁ ଲକ୍ଷ୍ୟ କରି କୁସୁମ-ଚାପରେ ଶର ଯୋଜନା କଲା ସେ । ବଜ୍ରସାର ତା’ର ପୁଷ୍ପଶର; ଅତିଶୟ କୋମଳ, ଅତୀବ କଠିନ ।

 

ସହସା ଆରକ୍ତ ହେଇ ଉଠିଲା ପୁଷ୍କରତୀର୍ଥ ଅରଣ୍ୟଭୂମି । ମଧ୍ୟ-ବସନ୍ତର ରକ୍ତିମାରେ ରଞ୍ଜିତ ହେଲା ସ୍ଥଳ–ଅଶୋକ, ପାଟଳ ବକ୍ଷ । ରଞ୍ଜିତ ହେଲା ଜଳ–ଅରବିନ୍ଦ ଦଳ ବନଲକ୍ଷ୍ମୀର ଅଙ୍ଗଧୌତ ଅଲକ୍ତରାଗ ଯେପରି । ସମୀରିତ ହେଲା ବନଭୂମି । ନିଷ୍ପନ୍ଦ ଅରଣ୍ୟରେ ଜାଗିଲା ବିହଙ୍ଗର ସଙ୍ଗୀତ ସ୍ପନ୍ଦନ । ଅଦ୍ଭୁତ ଏକ ପ୍ରାଣ-ଚେତନାରେ ପୂର୍ଣ୍ଣ ହେଇ ଉଠିଲା ଅଚେତନ ପଦାର୍ଥ-

 

ଧ୍ୟାନମଗ୍ନ କୌଶିକଙ୍କ ଅନ୍ତର ଦେଲା ଚଞ୍ଚଳ । ବ୍ରହ୍ମଧ୍ୟାନର ଏକତାନତା ଆଉ ଏକ ସୁଗମ୍ଭୀର ସ୍ୱରଝଙ୍କାରରେ ବିଚ୍ଛିନ୍ନ ହେଇଗଲା ଯେପରି । ଧୀରେ ଉନ୍ନିଳିତ ହେଲା ତାଙ୍କର ନିମୀଳିତ ନୟନ । ପ୍ରଥମ ପ୍ରଭାତରେ ଯେପରି ପାଖୁଡ଼ା ମେଲି ବିକଶିତ ହେଲା ଗୋଟିଏ ନୀଳପଦ୍ମ । ବିମୋହିତ ଅନ୍ତର, ବିମୋହିତ ନୟନ । ବନଭୂମିରେ ଆଜି ପ୍ରାଣର ଏ କି ଚଞ୍ଚଳ ଲୀଳା ! ପୁଷ୍ପିତା ଲତିକା ଆବେଶରେ ଜଡ଼ାଇ ଧରିଚି ମହିରୁହର କଣ୍ଠ ଦେଶ–ପ୍ରିୟତମା ଯେପରି କଣ୍ଠଲଗ୍ନ ହେଇଚି ପ୍ରେମିକର । ଆଉ ଆନତଭଙ୍ଗୀରେ ବିନମ୍ର ତରୁଶାଖା ଯେପରି ଚୁମ୍ବନ କରୁଚି ଦୟିତ ଧରଣୀର ରୋମାଞ୍ଚିତ ଅଙ୍ଗ । ଚୂତ-ମଞ୍ଜରୀରେ ପ୍ରଣୟର ପୂର୍ବରାଗ । ଭ୍ରମରପଂକ୍ତି, ବିହଙ୍ଗକୁଳ, ମୃଗ-କଦମ୍ବ, ଚକ୍ରବାକ-ମିଥୁନ ଆଦି ବିଳାସ-ଚଞ୍ଚଳ । ପୁଷ୍ପେ ପୁଷ୍ପେ ମଧୁପର ମଧୁର ଗୁଞ୍ଜନ, ଡାଳେ ଡାଳେ ପକ୍ଷୀକୁଳର ସୁମିଷ୍ଟ କାକଳି । ଗୁଞ୍ଜନେ, କୂଜନେ, କେଳିକଳୋଚ୍ଛ୍ୱାସରେ ମୁଖରିତ ତପସ୍ଵୀର ତପୋଭୂମି । ଖାଲି ସେତିକି ନୁହେଁ, ସମ୍ମୁଖରେ ବିଶ୍ଵବିମୋହିନୀ କାମିନୀ । ଅପରୂପ ରୂପ, ଚାରୁ ଅଙ୍ଗରେ ରୂପର ତରଙ୍ଗ, ଆର୍ଦ୍ରନୟନରେ ମୋହମୟ ଆକର୍ଷଣ । ମୁହୂର୍ତ୍ତକରେ ରାଜର୍ଷି ବିଶ୍ଵାମିତ୍ରଙ୍କ ସାନୁରାଗ ଦୃଷ୍ଟି ନିବଦ୍ଧ ହେଲା ମୋହିନୀର ଚାରୁ ଅଙ୍ଗରେ ।

 

ସେଇ ମୁହୂର୍ତ୍ତରେ ଅନଙ୍ଗ ନିକ୍ଷେପ କଲା ତା’ର ଉନ୍ମାଦନ ତୀର । ବିଦ୍ୟୁତ୍-ତରଙ୍ଗ ମାତିଗଲା ଋଷିଙ୍କ ଶୋଣିତ ସ୍ରୋତରେ । ମଦମତ୍ତ ଅବସ୍ଥାରେ ସିଦ୍ଧାସନ ତ୍ୟାଗ କରି କମ୍ପିତ ପଦରେ ସେ ଅଗ୍ରସର ହେଲେ ମୋହିନୀ ମେନକା ଆଡ଼କୁ । ତାଙ୍କର ନୟନରେ ନଥିଲା ରୁଦ୍ରାର ରୋଷାରୁଣ; ଥିଲା ଅନୁରାଗର ସ୍ନିଗ୍ଧ ଦୀପ୍ତି ।

ବିଜୟୀ ଦର୍ପକ । ତା’ର ଅନ୍ତରରେ ବିଜୟର ଦୃପ୍ତ ଉଲ୍ଲାସ; ବାହାରେ ପ୍ରକାଶିତ ଦର୍ପିତ, ବକ୍ରକୁଟିଳ ସ୍ମିତହାସ । ଗର୍ଜ-ମୁଖର ଊର୍ମି ମୁହଁରେ ଶୁଭ୍ର ଫେଣ ଭଳି କ୍ଷଣଦୀପ୍ତ ସେ ହାସ ଦର୍ପଭରେ ଯେପରି ଘୋଷଣା କରୁଚି : ‘କାହିଁ ବିଶ୍ଵାମିତ୍ର, ଦର୍ପିତ ରାଜର୍ଷି ? ବିଲୁପ୍ତ-ଧୈର୍ଯ୍ୟ ଦ୍ଵିତୀୟ ବିଧାତା, ଚନ୍ଦ୍ରୋଦୟରେ ପ୍ରଶାନ୍ତ ସାଗର ଭଳି ଚଞ୍ଚଳ, ଉଚ୍ଛନ୍ନ ! କାହାନ୍ତି ବିଶ୍ଵାମିତ୍ରର ଅର୍ବାଚୀନ ଶିଷ୍ୟବୃନ୍ଦ ? ସେମାନେ ଏବେ ଦେଖନ୍ତୁ ଅପାଣିପାଦ ଦର୍ପକର ଦର୍ପସୀମା । ଅତନୁ ସେ, କିନ୍ତୁ ଅପରାଜେୟ ତା’ର ବିକ୍ରମ ।

ବିଜୟ ଗୌରବରେ ଅଲକ୍ଷ୍ୟ ପଦବିକ୍ଷେପ କରି ଅଗ୍ରସର ହେଲେ ଅନଙ୍ଗ ଦର୍ପକ । ସେତେବେଳକୁ ମେନକାର ବାହୁବେଷ୍ଟନରେ ଆବଦ୍ଧ ହେଲେଣି ରାଜର୍ଷି ବିଶ୍ଵାମିତ୍ର–ରାହୁ ଗ୍ରାସରେ ଯେପରି ଗ୍ରସ୍ତ ହେଇଚି ଦୀପ୍ତ ଦୀଧିତି; ଉତ୍ତରଙ୍ଗ ସମୁଦ୍ର ଯେପରି ନିସ୍ତରଙ୍ଗ ହେଇ ଧରା ଦେଇଚି ବେଳାଭୂମିର ବଳୟବେଷ୍ଟନୀରେ ।

ଦର୍ପକର ଦର୍ପ ଆଜିସୁଦ୍ଧା ବିଶ୍ଵଭୁବନରେ ଅପରିମ୍ଳାନ । ନିଖିଳ ନରନାରୀର ଅନ୍ତରରେ ଅବ୍ୟର୍ଥ ତା’ର ଶରସନ୍ଧାନ । ବିଧାତାଙ୍କ ଆଶୀର୍ବାଦ ଯେପରି ସତ୍ୟ ହେଇ ରହିଚି, ସତ୍ୟ ରହିଚି ତାଙ୍କର ଅଭିଶାପ ମଧ୍ୟ । ପ୍ରେମରେ ଓ ନନ୍ଦନତତ୍ତ୍ୱରେ ଦର୍ପକର ଅଗ୍ରାଧିକାର ବିସ୍ତୃତ ରହିଚି ସତ୍ୟ, କିନ୍ତୁ ବ୍ୟଭିଚାରୀ କାମନାର କଳଙ୍କ ଆଜି ସୁଦ୍ଧା ତାଙ୍କୁ ବହନ କରିବାକୁ ହେଇଚି । ସନାତନ ସୃଷ୍ଟିରେ ତିର୍ଯ୍ୟକ କାମ-କନ୍ଦର୍ପ ଧିକ୍‍କୃତ ହୁଏ, ନିନ୍ଦିତ ହୁଏ । ତଥାପି ଲଜ୍ଜିତ ଅବା ନିଷ୍କ୍ରିୟ ହୁଏନି ଦର୍ପିତ ଦର୍ପକ । ତ୍ରିଭୁବନରେ ଅପରାଜେୟ ତା’ର ହୃଦୟ-ପ୍ରମାଥୀ ବିକ୍ରମ । *

* (୧) କାଳିକା ପୁରାଣ (୨) ରାମାୟଣ ବାଳକାଣ୍ଡ ।

★★★

 

ବାରୁଣୀ

 

ବିଶ୍ଵବ୍ୟାପୀ ଅପରିସୀମ ପ୍ରଭାବ ତା’ର । ଦର୍ପିଣୀ, ବିଜୟିନୀ ନାମ ବାରୁଣୀ । ଆଲୋହିତ ଅଙ୍ଗବର୍ଣ୍ଣ, ପ୍ରତ୍ୟଙ୍ଗରେ ସୁବଳିତ ସୁଷମାର ରକ୍ତିମ ଦୀପ୍ତି । ପୂର୍ଣ୍ଣାସ୍ରୋତସ୍ଵିନୀ ସମାନ ପୂର୍ଣ୍ଣଯୌବନା, ଉଦ୍ଦାମ–ଯେପରି ଉଚ୍ଛଳ ତାରଲ୍ୟରେ ଦୃପ୍ତ ଔଦ୍ଧତ୍ୟ । ଯୌବନ-ମଦରେ ସେ ମଦବିହ୍ୱଳା, ଚଞ୍ଚଳା, ସ୍ଖଳିତଚରଣା ।

 

ପିତା ତା’ର ବରୁଣରାଜ । ଉରୁ ଚକ୍ଷୁ ବ୍ୟୋମ-ଦେବତା ସେ । ଅନ୍ତରୀକ୍ଷପତି ମିତ୍ର ଦେବତାର ପରମ ମିତ୍ର, ସୃଷ୍ଟିଲୋକରେ ଏକ ସଙ୍ଗେ ଉଚ୍ଚାରିତ ‘ମିତ୍ରାବରୁଣ’ ନାମ । ସପ୍ତ ସମୁଦ୍ରର ଅଧୀଶ୍ଵର ମଧ୍ୟ ବରୁଣ । ଊର୍ଦ୍ଧ୍ଵଲୋକରେ ଓ ଅଧୋଲୋକରେ ସମାନ ବିସ୍ତୃତ ତା’ର ବିକ୍ରମ ।

 

ବୀର୍ଯ୍ୟବାନ ପିତା ବରୁଣର ଔରସରେ ବାରୁଣୀର ଜନ୍ମ । ପିତା ପରି ସେ ମଧ୍ୟ ପ୍ରତାପଶାଳିନୀ । ବ୍ୟୋମଚାରୀ ଅସଂଖ୍ୟ ପ୍ରଜା ତା’ର ପ୍ରସ୍ତୋତା, ସାଗରାଶ୍ରୟୀ ଅସଂଖ୍ୟ ପ୍ରାଣୀ ତା’ର ବନ୍ଦୀ । ଉଦ୍ଧତ ରତ୍ନାକର ମନ୍ତ୍ରମୁଗ୍ଧ ଭୁଜଙ୍ଗ ଭଳି ତା’ର ଇଙ୍ଗିତରେ ମସ୍ତକ ଆନତ କରେ । ନିୟତ ଅବିନ୍ୟସ୍ତ ତା’ର ମେଘନିଭ କେଶକଳାପ–ପ୍ରଳୟକାଳୀନ ମେଘ ଭଳି କ୍ଷଣକେ ଫୁଲି ଉଠେ, କ୍ଷଣକେ ଆନ୍ଦୋଳିତ ହୁଏ, ପରକ୍ଷଣରେ ପୁଣି ପିଙ୍ଗଳ ଆନନ ଆଚ୍ଛନ୍ନ କରି ସୃଷ୍ଟି କରେ ଘନକୃଷ୍ଣ ଅନ୍ଧକାର । ସେଇ ଘନନୀଳ କେଶପାଶରେ ଚପଳାସଦୃଶ୍ୟ ତା’ର ଆନନ, ରକ୍ତାକ୍ତ ଲୋଚନର ସୁତୀବ୍ର ଶାସନ । ମହାସମୁଦ୍ରର ସହସ୍ର ଊର୍ମିଶୀର୍ଷରେ ମଦମତ୍ତ ପଦବିକ୍ଷେପ କରି ସଦର୍ପରେ ବିଚରଣ କରେ ବରୁଣ-ନନ୍ଦିନୀ ବାରୁଣୀ–ସସାଗରା ବରୁ-ରାଜ୍ୟର ରାଜରାଜେଶ୍ୱେରୀ ଯେପରି ।

 

ପିତାର ପ୍ରକୃତି ଯେପରି ସନ୍ତାନରେ ଆତ୍ମପ୍ରକାଶ କରେ, ସେଭଳି ଆତ୍ମପ୍ରକାଶ କରେ ମାତାର ସ୍ଵଭାବ ମଧ୍ୟ । ବାରୁଣୀର ମାତା ଶୁକ୍ରା । ସ୍ଵାମୀ ବରୁଣ ଭଳି ସେ ବି ବୀର୍ଯ୍ୟବତୀ, ଅଭିମାନରେ ସ୍ଫୀତା । ମୋହକର ତା’ର ରୂପ, ମୋହିନୀ ତା’ର ଶକ୍ତି । ତିଳତିଳ ବିଷପାନରେ ବିଷକନ୍ୟା ଯେପରି ବର୍ଦ୍ଧିତ ହୁଏ, ଜନନୀ ଶୁକ୍ରାର ସ୍ନେହଦର୍ପରେ ସେପରି ଲାଳିତ ହେଇଚି ବାରୁଣୀ-। ମାତାର ସ୍ନେହର ଦୁଲାଳୀ, ଆଦରର ନାମ ତା’ର ସୁରା । ସ୍ଵାମୀ ପାଶୀ ବରୁଣ, ସୁରସଂଘରେ ପ୍ରତିଷ୍ଠିତ ତା’ର ମର୍ଯ୍ୟାଦା । ଜନନୀର ଅଭିଳାଷ, ତା’ର ନନ୍ଦିନୀବି ହେବ ସୁରଭୋଗ୍ୟା ।

 

ବାରୁଣୀ ମନରେବି ଅହଂକାରର ଅନ୍ତ ନାଇଁ । ତା’ର ରୂପବହ୍ନିକୁ ପତଙ୍ଗ ଭଳି ଆକୃଷ୍ଟ ହୁଅନ୍ତି ଜୀବକୁଳ । ତା’ର ଥରେ ମାତ୍ର ଅପାଙ୍ଗ ଦୃଷ୍ଟିରେ ଗଜେନ୍ଦ୍ର, ଐରାବତ ମଦସ୍ରାବ କରେ, ସ୍ୱର୍ଗତୁରଗ ଉଚ୍ଚୈଃଶ୍ରବା ହୁଏ ଅସ୍ଥିର । ଅତୁଳନୀୟ ରୂପ, ଅପ୍ରମେୟ ଐଶ୍ଵର୍ଯ୍ୟ, ଅପରିମିତ ମୋହିନୀ ଶକ୍ତି । ବିଶ୍ଵରେ କେଉଁ ନାରୀ ତା’ର ସମକକ୍ଷ ? ତା’ର ଧାରଣା, ଅନାୟାସରେ ସେ ପଦାନତ କରି ପାରିବ ତ୍ରିଲୋକ ।

 

ଦର୍ପିଣୀର ଏ ଦର୍ପ ଆହତ ହେଲା ସେଇ ପ୍ରଥମ, ଯେଉଁଦିନ ଅମୃତଲାଭ ଉଦ୍ଦେଶ୍ୟରେ ସୁରାସୁର ପ୍ରବୃତ୍ତ ଦେଲେ ସାଗର ମନ୍ଥନରେ । ମନ୍ଦର ପର୍ବତ ଦଣ୍ଡ, ବାସୁକିନାଗ ରଜ୍ଜୁ । ସେଇ ରଜ୍ଜୁର ପୁଚ୍ଛାଂଶ ଧରିଛନ୍ତି ଦେବତା, ଶୀର୍ଷାଂଶ ଧରିଚନ୍ତି ଅସୁର ଦାନବ । ପରିଚାଳକ ସ୍ଵୟଂ ପ୍ରଭୁବିଷ୍ଣୁ ବିଷ୍ଣୁ । ଭୀଷଣ ଶବ୍ଦରେ ସନ୍ତ୍ରସ୍ତ ବିଶ୍ଵଲୋକ, ଆକର୍ଷଣେ ଓ ଘର୍ଷଣେ ଟଳମଳ ବରୁଣରାଜ୍ୟ । ପ୍ରମଥିତ ବରୁଣାଳୟ ଭିତରୁ ବାହାରକୁ ଆସୁଚି ନାନା ଜୀବ, ନାନା ଦ୍ରବ୍ୟ–ତିମି, ତିମିଙ୍ଗିଳ, ତିମିଙ୍ଗି କାହାରୀ ରାଘବ, କେତେ ରତ୍ନ, କେତେ ଔଷଧ ! କ୍ରମେ ଉପରକୁ ଉଠି ଆସିଲେ ବିଷ୍ଣୁବଲ୍ଲଭା ଲକ୍ଷ୍ମୀ, ଇନ୍ଦ୍ରାଶ୍ଵ ଉଚ୍ଚୈଃଶ୍ରବା, ମେଘବାହନ ଐରାବତ, ଅମୂଲ୍ୟ ରତ୍ନକୌସ୍ତୁଭ, କାମଦୁଗ୍ଧା ସୁରଭୀ । ମନ୍ଥନଜାତ ଦ୍ରବ୍ୟ ସବୁ ଦେବତା ଓ ଦାନବଙ୍କ ଭିତରେ ବିଷ୍ଣୁବଣ୍ଟନ କରିଦେଲେ । ଉତ୍କୃଷ୍ଟ ଦ୍ରବ୍ୟ ଯେତେକ ସବୁ ହେଲା ଦେବଭୋଗ୍ୟ । କ୍ଷୁବ୍ଧ ଆକ୍ରୋଶରେ ପୂର୍ଣ୍ଣ ହେଲା ଅସୁର-ଦାନବ ଅନ୍ତର, ତଥାପି ସେମାନେ ପ୍ରତିବାଦ କଲେନି । ଯେଉଁ ଦୁର୍ଲ୍ଲଭ ଅମୃତ ନିମନ୍ତେ ସମୁଦ୍ରମନ୍ଥନ ତାହା ଯଦି ହସ୍ତଗତ ହୁଏ, ତାହାହେଲେ ତୁଚ୍ଛ ଲକ୍ଷ୍ମୀ, ତୁଚ୍ଛ ଉଚ୍ଚୈଃଶ୍ରବା ଓ ଐରାବତ । ଦ୍ଵିଗୁଣ ଉତ୍ସାହରେ ମନ୍ଥନ-ରଜ୍ଜୁ ଆକର୍ଷଣ କଲେ ସେମାନେ ।

 

ଏଦିଗେ ଶ୍ରମକ୍ଳାନ୍ତ ହେଲେ ଦେବତାମାନେ । ନିସ୍ତେଜ ହେଲେ ବଜ୍ରୀ ଇନ୍ଦ୍ର, ସୂର୍ଯ୍ୟର ଦୀପ୍ତି ମ୍ଳାନ ହେଇ ଆସିଲେ, ଆଖିରେ ଅନ୍ଧକାର ଦେଖିଲେ ଦେବବୈଦ୍ୟ ଦସ୍ର ଓ ନାସତ୍ୟ । ବ୍ରହ୍ମା ମନେମନେ ପ୍ରମାଦ ଗଣିଲେ । ଦେବ ଦେହରେ ବଳାଧାନ କରିବାପାଇଁ ସେ ବିଷ୍ଣୁଙ୍କୁ ନିର୍ଦ୍ଦେଶ ଦେଲେ । ରସାଧାର ସୋମ । ବିଲୋଡ଼ିତ ସାଗର ଜଳ ଭିତରୁ ଏଥିପୂର୍ବରୁ ତା’ର ଉଦ୍ଭବ ହେଇ ସାରିଚି । ଶ୍ୱେତଶୁଭ୍ର କାନ୍ତି, ସ୍ନିଗ୍ଧ ଦୀପ୍ତି, ଅଙ୍ଗରେ ଶୁଦ୍ଧ ସାତ୍ତ୍ୱିକ ରସର ଉଜ୍ଜ୍ୱଳ ତରଙ୍ଗ । ବିଷ୍ଣୁ ଏଇ ସୋମ ବଣ୍ଟନ କରିଦେଲେ ଦେବତା ସମାଜରେ । ସୋମରସ ପାନ କରି ସାତ୍ତ୍ୱିକ ଶକ୍ତିରେ ବଳ ଲାଭ କଲେ ଦେବତାମାନେ ।

 

ସେ ଦିଗରେ ଦାନବ ଶକ୍ତି ମଧ୍ୟ ସ୍ତିମିତପ୍ରାୟ । ପର୍ବତ-ଭଳି ତା’ର ବିଶାଳ ଦେହରୁ ଝରଣାଧାର ପରି ସ୍ଵେଦ ନିର୍ଗତ ହେଉଚି, ଘନଶ୍ଵାସରେ ଅଗ୍ନିର ଉଚ୍ଛ୍ୱାସ । ତେବେ ସୁଦ୍ଧା ସମସ୍ତ ଶକ୍ତି ସଞ୍ଚୟ କରି ଶ୍ରାନ୍ତ ଦାନବଗଣ ପୁନର୍ବାର ପ୍ରାଣପଣେ ଆକର୍ଷଣ କଲେ ମନ୍ଥରରଜ୍ଜୁ । ପ୍ରବଳ ବେଗରେ ଘୂର୍ଣ୍ଣିତ ହେଲା ମନ୍ଥନ-ଦଣ୍ଡ ମନ୍ଦର; ପରିଶ୍ରାନ୍ତ ବାସୁକିନାଗର ମୁଖ ହେଲା ଆରକ୍ତ । ଉତ୍ତପ୍ତ ଦୃଷ୍ଟି, ବ୍ୟାକୁଳ ପ୍ରତୀକ୍ଷା ।

 

ସହସା ପ୍ରମଥିତ ବରୁଣାଳୟରୁ ଉତ୍ଥିତ ହେଲା ପ୍ରମାଥିନୀ ବାରୁଣୀ । ଆଲୋହିତ ଅଙ୍ଗ-କାନ୍ତି, ମଦିରାକ୍ଷରା ନୟନ, ଘନ-ନୀଳ, କୁଟିଳ କୁନ୍ତଳ । ପରିଧାନରେ ରକ୍ତାମ୍ବର, କଣ୍ଠରେ ପଦ୍ମରାଗ ରତ୍ନହାର, କଟିତଟେ ରତ୍ନମୟ ମେଖଳା । ସର୍ବ-ଶୃଙ୍ଗାର ବେଶାଢ଼୍ୟ ମୂର୍ତ୍ତି ।

 

ରୂପ ଛଟାରେ ବିଭ୍ରମ ସୃଷ୍ଟି କରି ଚଞ୍ଚଳା ତଟିନୀ ସମାନ ଆଗେଇ ଆସିଲା ନଟିନୀ । ଢଳଢ଼ଳ କାନ୍ତି, ଟଳମଳ ସ୍ଖଳିତ ଗତି । ମଦବିହ୍ଵଳ ଦେହ, ମୋହମଦିର ବିଲୋଳ କଟାକ୍ଷ ଯେପରି ଚଞ୍ଚଳ ଲୋହିତସାଗରରେ ସଚଞ୍ଚଳ ଊର୍ମିଦୋଳା । ସ୍ତମ୍ଭିତ ଦେବତା ଓ ଦାନବ; ସ୍ତିମିତ ଯେପରି କର୍ମଶକ୍ତି । ହସ୍ତରେ ମନ୍ଥନ-ରଜ୍ଜୁ ଧାରଣ କରି ଚିତ୍ରାର୍ପିତ ପରି ସେମାନେ ପ୍ରଥମେ ସ୍ଥିର ରହିଗଲେ-। ମନ୍ତ୍ରବଳରେ ଯେପରି କ୍ଷଣେ ସ୍ଥିର ହେଇଗଲା ଅଶାନ୍ତ ସାଗର ତରଙ୍ଗ । କିନ୍ତୁ ପରମୁହୂର୍ତ୍ତରେହିଁ ବିତର୍କ ଉଠିଲା ବିମୁଗ୍ଧ ଦେବତା ଓ ବିମୂଢ଼ ଦାନବ ମଧ୍ୟରେ ।

 

ଦେବରାଜ ଇନ୍ଦ୍ର ଭାବିଲେ, ‘କିଏ ଏ ସୁନ୍ଦରୀ ? ଏ କି ଦ୍ଵିତୀୟ କମଳା ? ସର୍ବାଙ୍ଗସୁଲକ୍ଷଣା ଅପୂର୍ବ ଶ୍ରୀମଣ୍ଡିତ ଦେହ, ଏ କି ସର୍ବକଲ୍ୟାଣଆକର ସର୍ବମଙ୍ଗଳା ଷୋଡ଼ଶୀ ?’

 

କାମମୋହିତ ଦାନବପ୍ରଧାନ ଭାବିଲେ, ‘ମଦିରେକ୍ଷଣା, ଲାସ୍ୟମୟୀ କିଏ ଏହି ସମୁଦ୍ରୋଦ୍ଭବା ? ଅଙ୍ଗେ କାଞ୍ଚନ-ଦୀପ୍ତି, ଅସମ୍ବୃତ କଟିମେଖଳାରେ ମଦନର ସ୍ମରାଳାପ । ଏ କି ସ୍ଵୟଂ ରତି ନା ମୂର୍ତ୍ତିମତୀ ଉଦ୍ଦୀପନ-ଶକ୍ତି ?’

 

ଦେବାସୁର ଯେତେବେଳେ ବିଚାର-ବିମୂଢ଼, ମଦବିହ୍ଵଳା ବାରୁଣୀର କଣ୍ଠରେ ସେତେବେଳେ ଉଚ୍ଚାରିତ ହେଲା ମଦସ୍ଖଳିତ ବଚନ–ସତେ ଅବା ମଧୁ ବୃଷ୍ଟି କଲା କିନ୍ନର କଣ୍ଠର ଅସ୍ଫୁଟ ଗାନ : ‘ମୁଁ ବରୁଣ କନ୍ୟା ବାରୁଣୀ । ମୁଁ ବଳଦାୟିନୀ ଶକ୍ତି । ମାତା ମୋର ଶୁକ୍ରା । ଶୁକ୍ରା-ତେଜର ବହ୍ନିଦୀପ୍ତି ମୋର ଦେହରେ । ମୋର ସ୍ପର୍ଶରେ ଅସୀମ ଉଦ୍ଦୀପନା ।’

 

ନିର୍ବାକ୍ ଦେବତା, ସ୍ତବ୍ଧ ଦାନବ ସମାଜ । ବାରୁଣୀ ଦେଖିଲା, ତା’ର ରୂପର ବିଭ୍ରମରେ ସମ୍ମୋହିତ ସୁରାସୁର । ରୂପଗର୍ବରେ ଉତ୍‍ଫୁଲ୍ଲ ହେଇ ଉଠିଲା ସେ, ଅଧର କୋଣରେ ଫୁଟି ଉଠିଲା ସଦର୍ପ ଏକ ସ୍ମିତ ହାସ୍ୟରେଖା । ବିଶ୍ଵମୋହିନୀ ସେ । କିଏ ତା’ର ରୂପରେ ମୋହିତ ନହେବ ! କିନ୍ତୁ ସେ ସୁରା, ସୁରଭୋଗ୍ୟା । ସୁରସମାଜରେହିଁ ସେ ହେବ ବରଣୀୟା । କି ସୁନ୍ଦର ଦେବତାର ରୂପ–ଯେପରି ସ୍ୱପ୍ନାଲୋକର ଏକ ମୋହମୟ ସ୍ୱପ୍ନ । ସେମାନେ ମନ୍ଥନକ୍ଳାନ୍ତ, ତଥାପି ଦେହର ଅପୂର୍ବ ଦୀପ୍ତି । ସୁନ୍ଦରକୁ ଜୟ କରି ସିନା ଜୟର ଗୌରବ ! ଲୋକେ କହିବେ–ସୁରବିଜୟିନୀ ସୁରା-

 

ସୁଦୃଢ଼ ଆତ୍ମବିଶ୍ଵାସରେ ବାରୁଣୀ ଉପସ୍ଥିତ ହେଲା ଦେବତାମାନଙ୍କ ସମ୍ମୁଖରେ । ନୂପୁରରେ ଶିଞ୍ଜନ, କାଞ୍ଚରେ କ୍ୱଶନ ତୋଳି, କଟାକ୍ଷରେ ମଦିରାବେଶ ବୋଲି, ଗଦ୍‍ଗଦ୍ ଭାବରେ କହିଲା ରୂପଗର୍ବିତା, ‘କହ, ଦେବ ସଂଘର କେଉଁ ଦେବତା ମତେ ଗ୍ରହଣ କରିବ ? ସୁରପ୍ରଧାନ ବରୁଣ ଔରସରେ ଦେବ ଗୋତ୍ରରେ ମୋର ଜନ୍ମ । ମୋର ଆଉ ଏକ ନାମ ସୁରା । ଲକ୍ଷ୍ମୀ ଅପେକ୍ଷା ମୁଁ ଅଧିକ ରୂପବତୀ, ଶକ୍ତି ସଞ୍ଚାରରେ ସୋମ ଅପେକ୍ଷା ମଧ୍ୟ ଅଧିକ ଯୋଗ୍ୟତା ମୋର ।’

 

ବାରୁଣୀ ବାକ୍ୟରେ ଚଞ୍ଚଳ ହେଲେ ଇନ୍ଦ୍ର, ଚଞ୍ଚଳ ହେଲେ ବିଶ୍ଵଦେବ-ମରୁଗ୍‍ଗଣ; ଦେବବୈଦ୍ୟ ଅଶ୍ଵିନୀକୁମାର ଯୁଗଳଙ୍କ ଅନ୍ତରରେ ଅଶାନ୍ତ ଉନ୍ମାଦନା । ସ୍ଵୟମାଗତ ସୁଦୁର୍ଲ୍ଲଭ ସାମଗ୍ରୀ, ମଧୁରଠାରୁ ମଧ୍ୟ ମଧୁମତ୍ତର; ହୁଏତ ଅମୃତଠାରୁ ମଧ୍ୟ ଅଧିକ ସ୍ଵାଦିଷ୍ଟ । ସୋମପାୟୀ ଦେବବୄନ୍ଦଙ୍କ ନିକଟରେ ତୁଚ୍ଛ ମନେ ହେଲା ଶୁଦ୍ଧ ସତ୍ତ୍ଵଗୁଣ ଉଦ୍ଦୀପକ ସୋମରସ ଆସ୍ଵାଦନ । କାହିଁ ଅରୁଣଦୀପ୍ତ ସୁରା, କାହିଁ ଶୁଭ୍ରକାନ୍ତି ସ୍ନିଗ୍ଧ ସୋମ ! କିନ୍ତୁ ସମ୍ମୁଖରେ ଉପସ୍ଥିତ ପ୍ରଭୁବିଷ୍ଣୁ ବିଷ୍ଣୁ । ମନ୍ଥନଜାତ ଦ୍ରବ୍ୟ ସମୂହର ବଣ୍ଟନକାରୀ ସେ । ତାଙ୍କର ନିର୍ଦ୍ଦେଶ ବ୍ୟତୀତ କୌଣସି ଦ୍ରବ୍ୟ ସ୍ୱେଚ୍ଛାରେ ଗ୍ରହଣ କରିବାର ଅଧିକାର ନାହିଁ ଦେବତାମାନଙ୍କର । ଅତଏବ ପିପାସୁ ଦୃଷ୍ଟି ମେଲି ସେମାନେ ଥରେ ଚାହିଁଲେ ମନମୋହିନୀ ବାରୁଣୀ ପ୍ରତି, ପୁଣି ଥରେ ଚାହିଁଲେ ଜିଜ୍ଞାସୁ ନେତ୍ରରେ ବିଷ୍ଣୁଙ୍କ ପ୍ରତି । କେବଳ ଆଦେଶର ଅପେକ୍ଷା ।

 

ମାୟାଧୀଶ ବିଷ୍ଣୁ । ସେ ବୁଝି ପାରିଲେ ବାରୁଣୀର ମାୟା । ଗଭୀର ଅନ୍ତର୍ଦୃଷ୍ଟି ମେଲି ସେ ଦେଖିନେଲେ ତା’ର ସ୍ଵରୂପ ।

 

ପୁଷ୍ପଦ୍ରବ-ତରକକାନ୍ତିର ନିର୍ଯ୍ୟାସ ତା’ର ଲାବଣ୍ୟରେ, ଅଙ୍ଗରେ ତାରଲ୍ୟତରଙ୍ଗ । ଅତି ଉପଭୋଗ୍ୟ ଏ କାନ୍ତିରସ । ବଳ ସଞ୍ଚାରରେ ଅଦ୍ଭୁତ କ୍ଷମତା । କିନ୍ତୁ ସର୍ବନାଶୀ ଏ ରୋହିତାଙ୍ଗୀ । କଳ୍ପାନ୍ତର ରଞ୍ଜିତ-ସନ୍ଧ୍ୟାଭ୍ର–ନୟନମୋହନ କିନ୍ତୁ ପ୍ରଳୟସୂଚକ । ସଂଜ୍ଞା ନାଶକରି ସେବକର ସର୍ବନାଶ କରେ ସେ । ସୋମପାୟୀ ଦେବତାମାନଙ୍କୁ ସେଥିଲାଗି ସାବଧାନ କରି ସଙ୍କେତଦ୍ଵାରା ଜଣାଇ ଦେଲେ ବିଷ୍ଣୁ, 'ବୈରିମିତ୍ର ବିଷକନ୍ୟା ଏ ବାରୁଣୀ; ବୈରୀପକ୍ଷର ବଳାଧାନ କରୁ, ତୁମେମାନେ ଏହାକୁ ପ୍ରତ୍ୟାଖ୍ୟାନ କର ।'

 

ବିଷ୍ଣୁଙ୍କ ଇଙ୍ଗିତରେ ସ୍ତବ୍ଧ ହେଇ ରହିଲେ ଦେବତାଗଣ–ଉତ୍ସାହ-ଦୀପ ଯେପରି ନିର୍ବାପିତ-। ଦେବତାମାନଙ୍କ ନିରୁତ୍ସାହ ନିମିଷକରେ ବାରୁଣୀକୁ ଚଞ୍ଚଳ କରି ତୋଳିଲା । ତା’ର ରୂପ ତେବେ ବ୍ୟର୍ଥ ? ପଲକ ପାତରେ ସେ ଦେଖିନେଲା ଅଙ୍ଗସଜ୍ଜା; ତା’ର ପରେ ଅପାଙ୍ଗରେ ଦେବଅଙ୍ଗେ ବିଲୋକ କଟାକ୍ଷ ବିସ୍ତାର କରି, ନୟନାଭିରାମ ଗ୍ରୀବାଭଙ୍ଗୀ କରି ଆଉଥରେ କହିଲା ଅନଙ୍ଗ ମୋହିନୀ, 'ସୂର୍ଯ୍ୟମଣ୍ଡଳ ସମୁଦ୍‍ଭୁତା ମୁଁ ସୁରା, ସୁରଗମ୍ୟା । ସୁରଲକ୍ଷ୍ମୀ ସମାନ ମୋର ଐଶ୍ଵର୍ଯ୍ୟ, ସନାତନୀଶକ୍ତି ସମାନ ମୋର ଶକ୍ତି । କହ କେଉଁ ଦେବତା ଗ୍ରହଣ କରିବ ମୋତେ ?'

 

ଆଉଥରେ ବିଦ୍ୟୁତ୍ ତରଙ୍ଗ ଖେଳିଗଲା ଦେବତାମାନଙ୍କ ଅଙ୍ଗରେ । କିନ୍ତୁ ଅପ୍ରମତ୍ତ ରହିଲେ ଜିଷ୍ଣୁବିଷ୍ଣୁ ।

 

ସେ ବାକ୍‍ଚତୁର I ସୁର ଓ ସୁରା ଉଭୟଙ୍କୁ ଲକ୍ଷ୍ୟ କରି କହିଲେ ‘ସୋମପାୟୀ ଦେବତା ସୋମରସ ପାନକରି କେବଳ ଶକ୍ତି ସଞ୍ଚୟ କରେ । ବାରୁଣୀ ପ୍ରତି ସେ ନିସ୍ପୃହ ।'

 

'ମୁଁ କେବଳ ବାରୁଣୀ ନୁହେଁ । ମୁଁ ସୁରସମ୍ଭବା ସୁରା ସୁରଭୋଗ୍ୟା ।'

 

‘ସୁରସମ୍ଭବା ହେଲେହେଁ ରାଜସିକ ତୁମର ପ୍ରକୃତି, ତାମସିକ ତୁମର ଆଚରଣ । ଦେବତାର ଭୋଗ୍ୟା ତୁମେ ନୁହ ।'

 

ଆଘାତରେ ଆରକ୍ତ ହେଲା ରକ୍ତମୁଖୀ । ଆଜନ୍ମ ସ୍ୱେଚ୍ଛାଚାରିଣୀର ଇଚ୍ଛାରେ ଏଇ ପ୍ରଥମ ବାଧା । ପୁଞ୍ଜିତ ହେଲା ମଦୋଦ୍ଧତ ଅଭିମାନ । ପୌରୁଷଦୀପ୍ତ କଣ୍ଠରେ ପ୍ରଶ୍ନ କଲା ସେ, 'ତାହାହେଲେ କାହାର ଭୋଗ୍ୟା ସୁରା ?'

 

ଅସୁରମାନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଶାନ୍ତକଣ୍ଠରେ କହିଲେ ଅନ୍ତର୍ଯ୍ୟାମୀ ବିଷ୍ଣୁ, ‘ଆଗୋ ସୁରା ! ଭୁବନମୋହନ ତୁମର ରୂପ, ପ୍ରଚଣ୍ଡ ତୁମର ବଳଦାୟିନୀ ଶକ୍ତି I ତୁମର ଶକ୍ତି ଅସୁର ଦେହରେ ବଳାଧାନ କରୁ । କ୍ଳାନ୍ତ ଦୈତ୍ୟ-ଦାନବ ମଧ୍ୟ ତୁମର ରୂପମୁଗ୍ଧ । ତୁମେ ସେମାନଙ୍କର ଭୋଗ୍ୟା ହୁଅ ।'

 

ଅପମାନରେ ଆହତ, ଫଣିନୀ ଭଳି ଫଣା ଟେକି ଠିଆ ହେଲା ବାରୁଣୀ । ତା’ର ସଂକଳ୍ପ ପ୍ରତିହତ ହେଇପାରେ, ସେ କଳ୍ପନାବି କେବେ କରିନି ମଦୋଦ୍ଧତା । ଗର୍ଜନ କରି ଉଠିଲା ଦର୍ପିତାର ଅହଂକାର, ‘ଏତେ ସ୍ପର୍ଦ୍ଧା ! ସୁରସମ୍ଭବା, ସୁରଗମ୍ୟା ସୁରା ମୁଁ । ମତେ ପ୍ରତ୍ୟାଖ୍ୟାନ !’

 

ପ୍ରଳୟକାଳର ଦୁର୍ନିମିତ୍ତ ସୂଚିତ ହେଲା ତା’ର ଆନନରେ, ନେତ୍ରରେ I ଆଲୋହିତ ଆନନର ପିଙ୍ଗଳ ମେଘଦ୍ୟୁତି, ରକ୍ତାକ୍ତ ସ୍ତବ୍ଧ ଲୋଚନରେ ମଦଘୂର୍ଣ୍ଣିତ ବିଦ୍ୟୁତ୍-କଟାକ୍ଷ, ପ୍ରମୁକ୍ତ କେଶପାଶରେ ସହସ୍ର ଶକୁନର ମତ୍ତତା । କଳ୍ପାନ୍ତର ଭୂକମ୍ପନ ଦେଖା ଦେଲା ଅଙ୍ଗରେ, ସ୍ଖଳିତ ଚରଣରେ ମୁହୁର୍ମୂହୁଃ ସ୍ଖଳନ । ଦେବତା କି ଏତେ ଶକ୍ତିଶାଳୀ ? ସେ କି ନିତାନ୍ତ ଶକ୍ତିହୀନା ? ଦୃଢ଼ସଂକଳ୍ପରେ ମନ ସ୍ଥିର କରି ଅଗ୍ରସର ହେଲା ପ୍ରଳୟ-ଝଟିକା । ଯେ ପ୍ରକାରେ ହେଉ, ଏହାର ପ୍ରତିଶୋଧ ଗ୍ରହଣ କରିବ ସେ I ସେ ଜାଣେ, ଦେବତାର ଚିରଶତ୍ରୁ ଦାନବ; ଅନାଦିକାଳରୁ ସୁରବିରୋଧୀ ଅସୁର I ଦାନବକୁ ପ୍ରରୋଚିତ କରି ସେ ଚୂର୍ଣ୍ଣ କରିବ ଦେବତାର ଅହଂକାର I

 

କ୍ଳାନ୍ତ ବାସୁକୀର ବିଷାକ୍ତ ଫଣା ମୁହଁରେ ଦଣ୍ଡାୟମାନ ରହିଚନ୍ତି ଦର୍ପିତ ଦାନବବଳ, ଶକ୍ତିପ୍ରମତ୍ତ ଅସୁର–ଉଦ୍ୟତ ବଜ୍ର ସମ୍ମୁଖରେ ଯେପରି ଉଦ୍ଧତ ମସ୍ତକ ତୋଳି ସ୍ଥିର ରହିଛି ମୂର୍ତ୍ତିମାନ୍ ମଦ । ବାରୁଣୀର ରୂପରେ ସେମାନେ ସମ୍ମୋହିତ । ଏଇ ମୁଗ୍ଧତାକୁ କୋଟି ଗୁଣରେ ବର୍ଦ୍ଧିତ କରି, ଆଲୋଳ କଟାକ୍ଷରେ ଶିହରଣ ଜାଗ୍ରତ କରି କହିଲା ମୋହିନୀ ବରୁଣ-ନନ୍ଦିନୀ, 'ଅସୁର, ଦାନବ ତୁମେମାନେ ଶୁଣ । ଅମିତ ଶକ୍ତିଧର ପାଶୀ ବରୁଣର କନ୍ୟା ମୁଁ ବାରୁଣୀ । ଜନନୀ ଶୁକ୍ରାର ବହ୍ନିଦୀପ୍ତି ମୋର ସର୍ବାଙ୍ଗରେ । ମୁଁ ଶକ୍ତି-ସଞ୍ଚାରିଣୀ ସୁରା । ସ୍ୱେଚ୍ଛାରେ ବରଣ କରୁଚି ତୁମମାନଙ୍କୁ I ମତେ ଗ୍ରହଣ କର ।’

 

ବ୍ୟାକୁଳ ହୃଦୟରେ ଏଇ ବାକ୍ୟଟିର ପ୍ରତୀକ୍ଷା କରୁଥିଲେ ଅସୁର ଓ ଦାନବ । ଏପର୍ଯ୍ୟନ୍ତ ଅଶାନ୍ତ କ୍ରୋଧଭରେ ସେମାନେ ପ୍ରତ୍ୟକ୍ଷ କରୁଥିଲେ ବିଷ୍ଣୁର ଆଚରଣ । ଚିରକାଳ ଚକ୍ରୀ ଚକ୍ରଧାରୀ ବିଷ୍ଣୁ । ସମୁଦ୍ରମନ୍ଥନରେ ଯେତେ ଉତ୍ତମ ଦ୍ରବ୍ୟ ଉତ୍ଥିତ ହେଇଚି, ବିଷ୍ଣୁର ନିର୍ଦ୍ଦେଶରେ ସମସ୍ତ ଅଧିକାର କରିଚନ୍ତି ଦେବତା । ସଦ୍ୟ ସମୁତ୍‍ଥିତା ଏଇ ମୋହିନୀ ରୂପସୀ–ଏଥିରୁ ମଧ୍ୟ ଯଦି ସେମାନେ ବଞ୍ଚିତ ହୁଅନ୍ତି, ତାହାହେଲେ ବିପର୍ଯ୍ୟୟ ଘଟିବ ଏଇ କ୍ଷୀରୋଦସାଗରକୂଳରେ; ପ୍ରଳୟ ସୃଷ୍ଟି ହେବ ପ୍ରମଦା ନିମନ୍ତେ । ଆଶ୍ଚର୍ଯ୍ୟ-ସୁନ୍ଦର ଏଇ ବାମୋଋ ନିତମ୍ବିନୀ । ଏହାର ରକ୍ତିମ ଆନନରେ ସଦ୍ୟ ପ୍ରସ୍ଫୁଟିତ ଅରବିନ୍ଦର ଦୀପ୍ତି, ମଦବିହ୍ଵଳ ନୟନରେ ଇନ୍ଦୀବର ନୀଳିମା, ସ୍ଖଳିତ ଚରଣତଳେ ସ୍ଥଳପଙ୍କଜର ଶୋଭା । ଏହାର ହାସ୍ୟରେ ସୌନ୍ଦର୍ଯ୍ୟର ଲହରୀ, ଲାସ୍ୟରେ ମଦନୋତ୍ସବ ।

 

କାମମୋହିତ ଦାନବରାଜ ମନ୍ତ୍ରମୁଗ୍ଧ ଭଳି ନତଜାନୁ ହେଲା ବାରୁଣୀର ଚରଣ ତଳେ; କାମାର୍ତ୍ତ ଅସୁର ଆଜ୍ଞାବହ ଭୃତ୍ୟ ଭଳି ଯୋଡ଼କରେ ଠିଆ ହେଲା ବାରୁଣୀ ସମ୍ମୁଖରେ । ଉଲ୍ଲାସରେ ଜୟଧ୍ଵନି କରି ଉଠିଲେ ଦୈତ୍ୟସଂଘ । ଅସୁରପୁରୀରେ ହେଲା ସୁରାର ଅଭିଷେକ ।

 

ସେହି ଦିନରୁ ବାରୁଣୀ ଅସୁର, ଦାନବ ଓ ଦୈତ୍ୟକୁଳର ଭୋଗ୍ୟା । ସେ ଏକବୀରା ନୁହେଁ, ବହୁବୀରା । ବାରୁଣୀ–ସମ୍ଭୋଗରେ ଅମିତ ଶକ୍ତିଧର ଦୈତ୍ୟ-ଦାନବ । ସେମାନେ ମଦୋଦ୍ଧତ, ଅଭିମାନରେ ସ୍ଫୀତ, ଅହଂକାରରେ ଉନ୍ମତ୍ତ । ବାରୁଣୀର ବହ୍ନିଜ୍ୱାଳା ସେମାନଙ୍କର ସର୍ବାଙ୍ଗରେ; ସେଥିଲାଗି ସେମାନେ ସତତ ଉତ୍ତପ୍ତ, ଚଞ୍ଚଳ, ମୋହାନ୍ଧ । ସେମାନଙ୍କ ଉନ୍ମତ୍ତତାରେ ପର୍ଯ୍ୟାକୁଳ ଦେବସଂଘ । ସୁରାସୁର ସଂଗ୍ରାମରେ ଇନ୍ଧନ ଓ ଅରଣି ସୁରା ବାରୁଣୀ ।

 

ଏଥିରେ କିନ୍ତୁ ତୃପ୍ତ ହେଇନି ଦର୍ପିଣୀ ବରୁଣକନ୍ୟା । ଅସୁରଭୋଗ୍ୟା ହେଲେହେଁ ସେ ସୁର-ପ୍ରତ୍ୟାଖ୍ୟାତା । ଏ ଅପମାନ ଶେଳ ଭଳି ତା’ର ଅନ୍ତର ବିଦ୍ଧ କରେ । ସ୍ଵର୍ଗର ଦେବତାକୁ ସେ ପଦଭ୍ରଷ୍ଟ କରିବାକୁ ଚାହେଁ; ପାରେନା । ସ୍ଵର୍ଗ ସୀମାରେ ତା’ର ପ୍ରବେଶ ନିଷିଦ୍ଧ । ସେ ଧିକ୍‍କୃତ ହୁଏ, ବ୍ୟର୍ଥ ହୁଏ ତା’ର ଚେଷ୍ଟା, ତଥାପି ଅନ୍ତରରେ ଅନିର୍ବାଣ ଜାଗ୍ରତ ଥାଏ ସୁର ସମ୍ଭୋଗ କାମନା-

 

ବହୁଦିନ ପରେ ଉପସ୍ଥିତ ହେଲା ସୁଯୋଗ । ଦେବଗୁରୁ ବୃହସ୍ପତିପୁତ୍ର କଚ ସଞ୍ଜୀବନୀ ବିଦ୍ୟା ଶିକ୍ଷା କରିବା ଉଦ୍ଦେଶ୍ୟରେ ଆସିଥିଲେ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ । ସୁରାର ପ୍ରରୋଚନାରେ ସୁରାଶକ୍ତ ଦାନବ ନିହତ କଲେ ସେଇ ସୁନ୍ଦର ବ୍ରାହ୍ମଣ ସନ୍ତାନକୁ । ରକ୍ତଜବା ଭଳି କଚ ଦେହର ରକ୍ତ, ଉଗ୍ର ନିଷ୍ପଲକ ଦୃଷ୍ଟିରେ ପୈଶାଚିକ ଉଲ୍ଲାସରେ ଚାହିଁ ଦେଖିଲା ବାରୁଣୀ । ସେଇ ରକ୍ତ ତା’ର ଧମନୀରେ ମଧ୍ୟ ପବାହିତ ହେଉଚି । କିନ୍ତୁ ସେ ସୁରଲୋକ-ଭ୍ରଷ୍ଟା ।

 

ପିଶାଚୀର ମନ୍ତ୍ରଣାରେ ସ୍ଥିର ହେଲା, କଚ ଅସ୍ଥିଚୂର୍ଣ୍ଣରେ ଗୁରୁ ତର୍ପଣ କରିବେ ଦାନବଗଣ । କଚର ଚୂର୍ଣ୍ଣାସ୍ଥିରୂପ ଆହାର୍ଯ୍ୟ ପରିବେଷଣ କରିବାର ଭାର ଗ୍ରହଣ କରିବ ସ୍ଵୟଂ ବାରୁଣୀ । ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ–ଦେବ ଅଂଶରେ ତାଙ୍କର ଜନ୍ମ । ତପୋବଳରେ ସେ ସଞ୍ଜୀବନୀ-ବିଦ୍ୟାର ଅଧିକାରୀ । ସୁରାର କାମନା, ସୁର ଅଂଶ ଜାତ ଏଇ ଋଷିଙ୍କୁ ମୋହିତ କରି ସେ ପୂର୍ଣ୍ଣ କରିବ ସୁର-ସମ୍ଭୋଗର ଅତୃପ୍ତ ବାସନା ।

 

ଦୈତ୍ୟପୁରୀରେ ପଦାର୍ପଣ କଲେ ନିମନ୍ତ୍ରିତ ଦୈତ୍ୟାଚାର୍ଯ୍ୟ ଭାର୍ଗବ । ଦାନବପୁରୀ ଉତ୍ସବପ୍ରମତ୍ତ । ଚତୁର୍ଦ୍ଦିଗରେ ମୋହମୟୀ ସୁରାର ପ୍ରଭାବ । ମଦମତ୍ତ ହାସ୍ୟ, ମଦୋନ୍ମତ୍ତ ଗର୍ଜନ, ସ୍ଖଳିତ ବଚନର ହୁଙ୍କାର–ଦାନବ ଗୃହରେ ଆଜି ଯେପରି ତାଳ-ବେତାଳଗଣର ତାଣ୍ଡବ । ଆଲୋକ ସଜ୍ଜାରେ ପ୍ରମୋଦ-ଭବନ, ସହସ୍ର ଦୀପର ଦୀପ୍ତିରେ ସମୁଜ୍ଜ୍ୱଳ ମଣିମାଣିକ୍ୟଖଚିତ କକ୍ଷ । ଶୁକ୍ରାଚାର୍ଯ୍ୟ ବିସ୍ମିତ । ଶିଷ୍ୟ ମୟଦାନବର ଅଦ୍ଭୁତ ଏ କୀର୍ତ୍ତି ବିଶ୍ଵକର୍ମାର କାରୁଶିଳ୍ପକୁ ଲଜ୍ଜିତ କରେ । ଶିଷ୍ୟ-ଗର୍ବରେ ଗର୍ବିତ ଦୈତ୍ୟଗୁରୁ–ନୟନରେ କଳ୍ପନାର ସ୍ଵପ୍ନ । ଇନ୍ଦ୍ରପୁରୀରେ କି ଏତେ ଐଶ୍ଵର୍ଯ୍ୟ ସମ୍ଭବ ? ଏତେ ଆନନ୍ଦ ବା କାହିଁ ନନ୍ଦନକାନନରେ ।

 

ମୋହିନୀ ବେଶରେ ବାରୁଣୀ ଆସି ଉପସ୍ଥିତ ହେଲା ପ୍ରମୋଦ କକ୍ଷରେ । ପ୍ରଣାମ କଲା ଗୁରୁଙ୍କ ଚରଣରେ । ତା’ର ସ୍ପର୍ଶରେ ଚମକି ଉଠିଲେ ମହର୍ଷି ଶୁକ୍ରାଚାର୍ଯ୍ୟ । କଳ୍ପଲୋକରୁ ତାଙ୍କର ଦୃଷ୍ଟି ନଇଁ ଆସିଲା ତଳକୁ; ସ୍ଥିରବଦ୍ଧ ହେଲା କାମିନୀର କମନୀୟ ଅଙ୍ଗରେ । କି ଅପରୂପ ରୂପ ! ଆଲୋହିତ ଅଙ୍ଗକାନ୍ତି, ରୂପତରଙ୍ଗରେ ଉଚ୍ଛଳିତ ଅଙ୍ଗପ୍ରତ୍ୟଙ୍ଗ । ପରିଧାନରେ ରକ୍ତାମ୍ବର, ବିସ୍ରସ୍ତ ଘନନୀଳ କୁଟିଳ କୁନ୍ତଳ–ଇନ୍ଦ୍ରକାନ୍ତମଣିରେ ସତେ ଅବା ଛିଡ଼ିକି ପଡ଼ିଚି ମରକତଦ୍ୟୁତି । କଟାକ୍ଷରେ ମୋହମୟ ମଦିରାବେଶ, ଅଧରରେ ରହସ୍ୟମୟ ମନ୍ଦହାସ । ବିଶ୍ଵକାମନାର ରକ୍ତକମଳ ଯେପରି ସଦ୍ୟ ପ୍ରସ୍ଫୁଟିତ ।

 

ଶୁକ୍ରାଚାର୍ଯ୍ୟ ଉଶନା ବିମୁଗ୍ଧ । ଇନ୍ଦ୍ରଜାଲନିପୁଣା ଭାନୁମତୀ ବାରୁଣୀକୁ ସେ ଚିହ୍ନିଚନ୍ତି । ଅସୀମ ତା’ର ଶକ୍ତି, ଅଶେଷ ତା’ର ଦର୍ପ । ତେବେ ସୁଦ୍ଧା କି ଦୀପ୍ତି ସେ ଫୁଲ୍ଲ ଆନନରେ, କି ଅନମନୀୟ ଦୃଢ଼ତା ସେ ତରଳ କଟାକ୍ଷରେ ! ମରାଳନିନ୍ଦି ଉନ୍ନତ ଗ୍ରୀବାଭଙ୍ଗ, ମଦମତ୍ତା କରିଣୀ ସମାନ ଦୃପ୍ତ ପଦକ୍ଷେପ । କବି ସେ, ‘କବିମାନ୍ ଉଶନା କବିଃ’–ସେ ସୁନ୍ଦରର ଉପାସକ । ସୁନ୍ଦର କି କେବଳ ନାରୀର ନମନୀୟତା ? ସୁନ୍ଦର କି କେବଳ କୋମଳାଙ୍ଗର କମନୀୟ ମାଧୁରୀ ? ଏଇ ଯେ ରୁଦ୍ର କାଠିନ୍ୟ ଏଇ ଯେ ସନ୍ନତ ଭୀମକାନ୍ତି–ଏ କି ସୁନ୍ଦର ନୁହେଁ ? ସୁନ୍ଦର, ଅତୀବ ସୁନ୍ଦର । କବିର ଶିଳ୍ପଦୃଷ୍ଟି ଖୋଲି ଯାଇଚି । ବିଶ୍ଵମାଧୁରୀର ସୌନ୍ଦର୍ଯ୍ୟ ଅତିକ୍ରମ କରି ତାଙ୍କର ନୟନରେ ନାଚି ଉଠେ କରାଳୀର ରୁଦ୍ରରୂପ । ଢଳଢ଼ଳ ଆସବମତ୍ତା ମନୋମୋହିନୀ ! ସେ ରୂପର ତୁଳନା ନାହିଁ ।

 

ସ୍ଥୂଳ ସୌନ୍ଦର୍ଯ୍ୟରେ ସମସ୍ତେ ମୁଗ୍ଧ ହୁଅନ୍ତି । ଭୟଙ୍କରର ଭୟାବହ ମୂର୍ତ୍ତି ସମସ୍ତଙ୍କ ମନରେ ତ୍ରାସ ସଞ୍ଚାର କରେ । କିନ୍ତୁ ଅନ୍ଧକାର ଦେହରେ ସୌନ୍ଦର୍ଯ୍ୟ ଦେଖେ କିଏ ? ଉଦ୍ୟତଫଣା ବିଷଧର ସର୍ପ ଦେହରେ ପରମପଦ ଚିହ୍ନ କା’ର ଆବିଷ୍କାର ? ସେ ଆବିଷ୍କାର ଶିଳ୍ପୀର । କବି ସେଇ ଶିଳ୍ପୀ । ତା’ର ଅନ୍ତରରେ ରୁଦ୍ରର ଶିବମୟ ଦକ୍ଷିଣମୁଖର ଅନୁଧ୍ୟାନ । ବାରୁଣୀକୁ ନୂତନ କରି ଯେପରି ଆବିଷ୍କାର କଲେ କବିପୁତ୍ର ଉଶନା । ରୂପରାଗରେ ଅନୁରାଗର ରକ୍ତିମ ଛଟା, କ୍ରମଶଃ ତୀବ୍ର ଆକର୍ଷଣ । ମୁଗ୍ଧ କବି ଚକିତେ ସ୍ପର୍ଶ କଲେ ବାରୁଣୀର ଅଙ୍ଗ ।

 

ସ୍ପର୍ଶମାତ୍ରେ ଚିତ୍ତ ବିକ୍ଷିପ୍ତ ହେଇ ଉଠିଲା । ମସ୍ତିଷ୍କରେ ଭୀଷଣ ଉତ୍ତେଜନା, ପ୍ରଦାହ ସର୍ବଦେହମୟ । ଉଗ୍ରତେଜା ଋଷି ଅନ୍ତରରେ ଅନୁଭବ କଲେ ବିଚିତ୍ର ମଦନ-ବିହ୍ଵଳତା; ଚନ୍ଦ୍ର ସ୍ପର୍ଶରେ ଉଚ୍ଛ୍ଵସିତ ସାଗରାମ୍ବୁ ଯେପରି । ଅର୍ଦ୍ଧମୂର୍ଚ୍ଛିତ ଚେତନା, ମଦିରା-ବିହ୍ଵଳ ନେତ୍ରରେ ତନ୍ଦ୍ରାର ଘୋର । କବିପୁତ୍ର ଉଶନା ସ୍ଵପ୍ନ ଦେଖୁଚନ୍ତି ଯେପରି : ସୁରା ସଙ୍ଗେ ଦେହମୟ ପୁଲକ ଶିହରଣ, ଜାଗ୍ରତ ଦୀପ୍ତ କୁଣ୍ଡଳିନୀ; କୋଟି ସୂର୍ଯ୍ୟ ସମାନ ସମୁଜ୍ଜ୍ୱଳ, କୋଟି ଚନ୍ଦ୍ର ସମାନ ସ୍ନିଗ୍ଧ । କି ଆଶ୍ଚର୍ଯ୍ୟ ଦୀପ୍ତି ! ସତେ ଯେପରି ସମୁଲ୍ଲସିତ ବିଦ୍ୟୁତ୍ । ବିଦ୍ୟୁତ୍ ବେଗରେ ସେଇ କୁଣ୍ଡଳିନୀ ସାହାଯ୍ୟରେ ସେ ଉଠୁଚନ୍ତି ଊର୍ଦ୍ଧ୍ଵକୁ । ନିମିଷକରେ ଲୁପ୍ତ ହେଇ ଯାଇଚି ନିମ୍ନସ୍ଥ ଭୂଲୋକ । ବରୁଣାଳୟ, ଅଗ୍ନିମୟ କାମଭବନ, ଅନାହତନାଦଲୋକ ଅତିକ୍ରମ କରି ପଲକପାତମାତ୍ରେ ନିରାଲମ୍ବ ଶୂନ୍ୟଲୋକରେ ସେ ଉପସ୍ଥିତ ହେଇଚନ୍ତି । ନିଃସୀମ ନୀଳାଭ । ଶବ୍ଦତରଙ୍ଗ ଯେପରି ବିପୁଳ କମ୍ପନରେ ଆତ୍ମହରା । ଜ୍ୟୋତିଶ୍ଚକ୍ରର ସୀମାସଂଲଗ୍ନ ଏଇତ ସେ ତପୋଲୋକ । କି ଅତଳ ପ୍ରଶାନ୍ତି ! ଲୁପ୍ତ ବୁଦ୍ଧି, ଲୁପ୍ତ ଅହଂକାର, ଲୁପ୍ତ ପ୍ରାକୃତ ପ୍ରକୃତି, ଶୁଦ୍ଧ ଏକ ଚେତନାର ଉଲ୍ଲାସ କେବଳ । ଏଇ ସେ ପରମ ଶିବଧାମ–ଅମେୟ ପ୍ରଶାନ୍ତି, ପ୍ରଶାନ୍ତ ବସନ୍ତୋଲ୍ଲାସ । ଗୁଚ୍ଛଗୁଚ୍ଛ ପ୍ରସ୍ଫୁଟିତ ପୁଷ୍ପ; ପୁଷ୍ପେ ପୁଷ୍ପେ ଗୁଞ୍ଜରିତ ମଧୁପ ଝଙ୍କାର । ଦିବ୍ୟ ଗନ୍ଧରେ ଆମୋଦିତ ଦିଙ୍‍ମଣ୍ଡଳ । ସହସ୍ର ଗନ୍ଧର୍ବ କିନ୍ନର ଯୋଡ଼କରେ ଦଣ୍ଡାୟମାନ । ପୁଲକ-ବିସ୍ମୟରେ ଋଷି ପ୍ରତ୍ୟକ୍ଷ କଲେ ସହସ୍ରାର କମଳ କର୍ଣ୍ଣିକା ବିନ୍ଦୁରେ, ମନୋମୟ ସ୍ଵର୍ଣ୍ଣ ପର୍ଯ୍ୟଙ୍କରେ ଶିବସମାଲିଙ୍ଗି ତା’ ଉଲ୍ଲାସମୟୀ ପରାନାଦ । କି ମଧୁର କେଳି-କାକଳି ! ମଧୁର ଉତ୍ସ ଯେପରି ଅବାରିତ ହେଇ ଯାଇଚି । ସହସ୍ରାର କମଳରେ କ୍ଷରିତ କୋଟି ଲାକ୍ଷାରସ ସମାରୁଣ ସାମରସ୍ୟଧାରା । ସେଇ ଧାରାରେ ଅଭିସ୍ନାତ ଦେହ, ରୋମାଞ୍ଚତ ଅଙ୍ଗ, ପରମାନନ୍ଦରେ ଆଚ୍ଛନ୍ନ ଚୈତନ୍ୟ । ଆବେଶରେ ଦୈତ୍ୟ ଗୁରୁଙ୍କର ନୟନ ମୁଦ୍ରିତ ହେଲା । ସେଇ ସ୍ଵପ୍ନ–ବିହ୍ଵଳତାର ସୁଯୋଗରେ ମୋହିନୀ ବାରୁଣୀ ଶୁକ୍ରାଚାର୍ଯ୍ୟଙ୍କୁ ଭୁଞ୍ଜାଇଲା ବୃହସ୍ପତି-ପୁତ୍ର କଚର ଅସ୍ଥିଚୂର୍ଣ୍ଣମିଶ୍ରିତ ଆହାର୍ଯ୍ୟ । ସୁରା ସଙ୍ଗେ ଅପୂର୍ବ ସ୍ଵାଦୁ ସେ ଭୋଜ୍ୟଦ୍ରବ୍ୟ ।

 

କିନ୍ତୁ ଭାର୍ଗବଙ୍କର ଏ ମୋହମୁଗ୍ଧତା ମୁହୂର୍ତ୍ତକ ପାଇଁ ମାତ୍ର । ସତ୍ୟଭ୍ରଷ୍ଟା ଋଷି ଉଶନା–ଶମ, ଦମ, ତପସ୍ୟାହିଁ ତାଙ୍କର ଆଚରଣୀୟ । ବାରୁଣୀ ମୋହରେ ବିହ୍ଵଳ ହେବା ଶଂସିତବ୍ରତ ଭାର୍ଗବଙ୍କର ପ୍ରକୃତି ବିରୁଦ୍ଧ । ପରକ୍ଷଣରେ, ଧ୍ୟାନବଳରେ ସେ ବୁଝି ପାରିଲେ ଯେ ମୁହୂର୍ତ୍ତକର ବିଭ୍ରାନ୍ତିରେ ଭୟଙ୍କର ଅଘଟଣ ଘଟି ଯାଇଚି । ମୋହମୁଗ୍ଧ ହେଇ ପାନୀୟ ସଙ୍ଗେ ସେ ପାନ କରିଚନ୍ତି ପ୍ରିୟ ଶିଷ୍ୟ କଚର ଅସ୍ଥିଚୂର୍ଣ୍ଣ । ବ୍ରହ୍ମପାତକରେ ଭାଗୀ ହେଇଚନ୍ତି ସେ ।

 

ଏ ବିଭ୍ରାନ୍ତି ସୃଷ୍ଟି କରିଚି କିଏ ? କ୍ଷୁବ୍ଧ ଦୃଷ୍ଟି ମେଲି ଦେଖିଲେ ଭାର୍ଗବ । ସମ୍ମୁଖରେ ଦଣ୍ଡାୟମାନା ନିକୃତିନିପୁଣା, ପ୍ରମାଥିନୀ ବାରୁଣୀ । ରକ୍ତାମ୍ଭରା, ରକ୍ତବର୍ଣ୍ଣା ରୂପସୀ–ତୀବ୍ର ତା’ର ଆକର୍ଷଣ, ଜ୍ଵାଳାମୟ ତା’ର ସ୍ପର୍ଶ, ଉନ୍ମାଦକ ତା’ର ଆଲିଙ୍ଗନ । ସେ ଆଲିଙ୍ଗନରେ ରକ୍ତବିନ୍ଦୁରେ ଅଗ୍ନିସ୍ଫୁଲିଙ୍ଗ ନୃତ୍ୟ କରେ; ଚୁମ୍ବନରେ ଓଷ୍ଠାଧର, ରସନା, କଣ୍ଠ ଓ ବକ୍ଷ ଜଳି ଉଠେ । ସଙ୍ଗେ ସଙ୍ଗେ ଜାଗେ ଦୁର୍ଦ୍ଦମ ଦମ୍ଭ । କାମତରଙ୍ଗ ମଧ୍ୟ ଉଦ୍‍ବେଳ ହୁଏ ସେଇ ମୁହୂର୍ତ୍ତରେ । କାଳାକାଳ, ପାତ୍ରାପାତ୍ର ବିଚାରହୀନ ସେ କାମବେଗ । ସୁତୀବ୍ର ଆବେଗରେ ପରିଣାମ ପ୍ରଚଣ୍ତ ଆତ୍ମବିସ୍ମରଣ । ଉଲ୍ଲାସ ନା ଉଦ୍ଭ୍ରାନ୍ତି, ଆନନ୍ଦ ନା ବେଦନା, ଆରାମ ନା ଅସ୍ଵସ୍ତି–ଲୁପ୍ତ ହୁଏ ସମସ୍ତ ବୋଧ । ଅନ୍ତରରେ ଉଦ୍‍ବେଗ, ମସ୍ତିଷ୍କରେ ଉଲ୍ଲୋଳ, ଶତଧା ଖଣ୍ଡିତ ଚିନ୍ତାର ସୂତ୍ର । ସୂତ୍ରହୀନ ସଂଳାପ ପ୍ରଳାପରେ ପରିଣତ ହୁଏ । ସ୍ଖଳିତ ବଚନରେ କେବେ ପ୍ରକାଶ ପାଏ ପ୍ରମତ୍ତ ହୁଙ୍କାର, କେବେ ବା ଗଦ୍‍ଗଦ୍ ଭାଷ । ସ୍ମୃତି ଓ ବିସ୍ମୃତିର ସେ ଏକ ମୋହକର ଅବସ୍ଥା । ମହାଭୟଙ୍କରୀ ଏ ଲୋହିତବର୍ଣ୍ଣା ବାରୁଣୀ; ସଂଜ୍ଞା ନାଶନରେ ନିପୁଣ ତା’ର ନିକୃତି ।

 

ଉତ୍ତେଜିତ ଓ କ୍ରୁଦ୍ଧ ହେଇ ଉଠିଲେ ଉଗ୍ରତେଜା ଭାର୍ଗବ । ଦର୍ପିଣୀ ବରୁଣ-ନନ୍ଦିନୀକୁ ଲକ୍ଷ୍ୟ କରି ସେ ଉଚ୍ଚାରଣ କଲେ ଅଭିଶାପବାଣୀ :

 

‘ସୁରା ହେଲେହେଁ ଆତ୍ମଦର୍ପ ଲାଗି ତୁମେ ସୁରପରିତ୍ୟକ୍ତା । ତଥାପି ଦର୍ପ ତୁମର ଚୂର୍ଣ୍ଣ ହେଇନି । ଅସୁର-ଦାନବ ଭୋଗ୍ୟା ହେଲେବି ସମ୍ଭୋଗକାମନାରେ ତୁମେ ଅସ୍ଥିର, ବିଚାରହୀନ । ତୁମର କଦର୍ଯ୍ୟ ଲାଳସା ବିସ୍ତାର ଦେବଧର୍ମୀ ଋଷିବ୍ରାହ୍ମଣ ଉପରେ । ମୁଁ ଅଭିଶାପ ଦେଉଚି ଯେ ଆଜିଠାରୁ ଯେକୌଣସି ବ୍ରାହ୍ମଣ ପକ୍ଷରେ ତୁମେ ହେବ ପରିତ୍ୟାଜ୍ୟ, ଅସ୍ପୃଶ୍ୟା । ଯତାତ୍ମା ବ୍ରାହ୍ମଣ ଘୃଣାରେ ତୁମ ଉପରୁ ମୁହଁ ଫେରାଇ ନେବ । ଗୋ ଦର୍ପିତା ! ଏ ଅଶେଷ ଦର୍ପ ମଧ୍ୟ ଚୂର୍ଣ୍ଣ ହେବ ତୁମର । ଧୃତବ୍ରତ ବୀରସାଧକ ହସ୍ତରେ ସମ୍ପୂର୍ଣ୍ଣରୂପେ ଖର୍ବ ହେବ ତୁମର ଦର୍ପ ।’

 

ନୀରବ ହେଲେ ଭୂରିତେଜା ଭାର୍ଗବ–କଳ୍ପାନ୍ତର ବଜ୍ରନିର୍ଘୋଷ ନୀରବ ହେଲା ଯେପରି । ସ୍ପର୍ଦ୍ଧିତା ବାରୁଣୀ ମୁହୂର୍ତ୍ତକ ପାଇଁ ବିଚଳିତ ହେଲା ଅବଶ୍ୟ, କିନ୍ତୁ ଭାଙ୍ଗି ପଡ଼ିଲାନି । ପ୍ରାଂଶୁ ଶାଳ ବଜ୍ରାଘାତରେ ବିଦୀର୍ଣ୍ଣ ହୁଏ; ନମିତ ହୁଏନା । ବରୁଣ-ନନ୍ଦିନୀ ବାରୁଣୀ ସେ, ଜନନୀ ଶୁକ୍ରାର ବହ୍ନିଦୀପ୍ତି ତା’ର ଦେହ ଓ ମନରେ । ସାଧ୍ୟ କାହାର ତା’ର ଦର୍ପ ଖର୍ବ କରିବ ?

 

ବିସ୍ମିତ ହେଲେ ମହାତେଜା ଶୁକ୍ରାଚାର୍ଯ୍ୟ । ଯାର ଭୟରେ ସନ୍ତ୍ରସ୍ତ ବଜ୍ରୀ-ଇନ୍ଦ୍ର, ତା’ର ସେଇ ହୁତାଶନ କ୍ରୋଧ ସମ୍ମୁଖରେ ନିର୍ଭୟରେ ତିଷ୍ଠି ରହିଚି ଦର୍ପିଣୀ । ଏ କି ଅନମନୀୟ ଦର୍ପ ! ଏ କି କଠିନ ତେଜ ! ତାଙ୍କର ବାଗ୍‍ବଜ୍ର ତାଙ୍କୁହିଁ ଯେପରି ପ୍ରତ୍ୟାଘାତ କରିଚି ।

 

କବିର କଳ୍ପନାରେ କୋମଳ ଆଲୋଚନ, ସମବେଦନାରେ ସିକ୍ତ ଅନ୍ତର । କ୍ରୋଧଶାନ୍ତି ପରେ ଭାର୍ଗବ ବିଚାରନ୍ତି, ବାରୁଣୀ ତ କେବଳ ମଦାନ୍ଧତା ସୃଷ୍ଟି କରେନା, କାନ୍ତି ଓ ପୁଷ୍ଟି ବର୍ଦ୍ଧନ କରେ ମଧ୍ୟ । ବିଷର ସୂଚିକାଭରଣ ଭଳି ବହୁ ବିଷବୀଜ ସେ ବିନଷ୍ଟ କରେ । ଦୁଃଖର ଅନ୍ଧାର ଘରେ ସ୍ଫୂର୍ତ୍ତିର ଦୀପଶିଖା ଜାଳି ରଖେ ବାରୁଣୀ; କେତେ କାନ୍ତି, କେତେ ଶୋକର କାଳିମା ମୁହୂର୍ତ୍ତକରେ ପୋଛି ଦିଏ କ୍ଳାନ୍ତିହରା, ଶୋକହରା ସୁରା । ସୁରା ନିଜେ ସୁରଲୋକ ଭ୍ରଷ୍ଟା, କିନ୍ତୁ ଏ ମରଲୋକରେ ସେ କେବଳ ଅମରଲୋକର ସୁଧା ବର୍ଷଣ କରେ । ନିଜେ ଅନୁଭବ କରିଚନ୍ତି କବି ଉଶନା । ସୁରା ସଙ୍ଗେ ଦୀପ୍ତ କୁଣ୍ଡଳିନୀର ସେ କି ସୁଖକର ଜାଗରଣ !

 

ଋଷି ଅନ୍ତର ନରମ ହେଇ ଆସେ । ବଜ୍ର-କଠିନତା ଓ କୁସୁମ-କୋମଳତା ଋଷି ଅନ୍ତରରେ କେବଳ ସମ୍ଭବ । କରୁଣାଘନ କବି ଗଭୀର ଅନୁକମ୍ପାରେ ସୁରାକୁ ଲକ୍ଷ୍ୟ କରି କହିଲେ, ‘ସୁରା, ତୁମର ମଦାନ୍ଧତାରେ କ୍ରୁଦ୍ଧ ହେଇ ତୁମକୁ ଅଭିଶାପ ଦେଇଚି ସତ୍ୟ କିନ୍ତୁ ତୁଷ୍ଟ ହେଇଚି ତୁମର ଦୃଢ଼ତା ଦେଖି । ଅଶେଷ ତୁମର ରୂପ-ଦର୍ପ, ପ୍ରବଳ ତୁମର ଭୋଗବାସନା । ପ୍ରଜାପତିଙ୍କ ସୃଷ୍ଟିର ଭାରସାମ୍ୟ ରକ୍ଷା ଲାଗି ତୁମର ମଧ୍ୟ ଆବଶ୍ୟକତା ଅଛି । ତୁମର ଭୋଗବାସନା କ୍ଷୁଣ୍ଣ ହେବନି । ଦାନବ ଓ ଅସୁର ରାଜ୍ୟରେ ତୁମେ ବହୁଭୋଗ୍ୟା । ମର୍ତ୍ତ୍ୟଲୋକରେ ମଧ୍ୟ ଅକ୍ଷୁଣ୍ଣ ରହିବ ତୁମର ଅଧିକାର । ଧୃତବ୍ରତ ବ୍ରାହ୍ମଣ ଉପରେ ତୁମର ଅଧିକାର ଚଳିବନି ସିନା, ଦାନବଧର୍ମୀ ମନୁଷ୍ୟ ହେବ ତୁମ ଇଙ୍ଗିତର ଦାସ । ଇହଲୋକରେ ଯେଉଁମାନେ କାମାସକ୍ତ, ମୃଗୟାସକ୍ତ ଓ ଅକ୍ଷକ୍ରୀଡ଼ାମତ୍ତ ସେମାନଙ୍କ ହୃଦୟରେ ଅବାଧରେ ବିଚରଣ କରି ପାରିବ ତୁମେ । ଅହଂକାରୀ ଯେଉଁମାନେ, ଦାମ୍ଭିକ ଯେଉଁମାନେ, ଇନ୍ଦ୍ରିୟାଧୀନ, ଦୁର୍ବଳଚିତ୍ତ ଯେଉଁମାନେ ସେମାନଙ୍କ ଘରେ ତୁମେ ହେବ ଏକେଶ୍ଵରୀ । କିନ୍ତୁ–’ କହୁ କହୁ ଉଦାସ ହେଲେ ଋଷି । ପ୍ରମୋଦକକ୍ଷରେ ଶାନ୍ତ ହେଇ ଯାଇଚି ମଦମତ୍ତ ଉଲ୍ଲାସ, ନୀରବ ହେଇଚି ସ୍ଖଳିତ ବଚନର ହୁଙ୍କାର । ଉଜ୍ଜ୍ଵଳ ଦୀପାବଳି ବଡ଼ ସ୍ନିଗ୍ଧ ମନେ ହେଉଚି । ଅନ୍ତିମ ତ୍ରିଯାମାର ସମୀରଣ ଶାନ୍ତିର ସ୍ପର୍ଶ ବୁଲାଇ ଯାଉଚି ଅଶାନ୍ତ, ଦର୍ପୋଦ୍ଧତ ଦେହରେ । କରୁଣାରେ ଋଷି କଣ୍ଠ ରୁଦ୍ଧ ହେଇ ଆସେ । କହିଲେ, ‘କିନ୍ତୁ ଏ ଦର୍ପ କି ଭଲ ? ଭଲ କି ଏ ଉଗ୍ର ଭୋଗ-କାମନା ? ସୁରା ! ତୁମେ ସୁରନନ୍ଦିନୀ, ସୂର୍ଯ୍ୟମଣ୍ଡଳରେ ତୁମର ଜନ୍ମ, ଦେହରେ ତୁମର ସୌରଦୀପ୍ତି, ନୟନରେ ସୂର୍ଯ୍ୟ-ପ୍ରଭା, କିନ୍ତୁ ତୁମେ ସୁର ପରିତ୍ୟକ୍ତା । ଇତର ଭୋଗରେ ଅଶୁଚି ତୁମର ଦେହ, ତୁମେ ତାମସିକତାରେ ଅପବିତ୍ର ।’

 

କ୍ଷଣକପାଇଁ ନୀରବ ରହିଲେ କବି ଉଶନା । ନୟନରେ ସ୍ନିଗ୍ଧ କୋମଳତା, ବଦନରେ ଜ୍ୟୋତିର୍ମୟ ପ୍ରଭା । ନିଷ୍କମ୍ପ ଦେହରେ ଠିଆ ହେଇଚି ଦର୍ପିତା ବାରୁଣୀ । ସବୁକାଳ ପରି ଉଦ୍ଧତ ଭଙ୍ଗି, ବଙ୍କିମ ଗ୍ରୀବାଭଙ୍ଗି–ଶେଷ ରାତ୍ରିର ଦୀପ୍ତ ଶୁକ୍ରତାରକା ଯେପରି; ତମୋମୟ ନିଶାନ୍ତର ପ୍ରଦୀପ୍ତ ଔଦ୍ଧତ୍ୟ । ନୟନେ କି ତା’ର ପୂର୍ବାଶାର ସ୍ଵପ୍ନ ? କରୁଣାବିଗଳିତ କଣ୍ଠରେ ସତ୍ୟର ବାଙ୍‍ମୂର୍ତ୍ତି କବି କହିଲେ, ‘ମୋର ଆଶୀର୍ବାଦରେ ତୁମେ ଶାପମୁକ୍ତ ହେଇ ପାରିବ । ଯେଉଁ ବୀର୍ଯ୍ୟବାନ ବୀରସାଧକ ହସ୍ତରେ ଦର୍ପ ତୁମର ଖର୍ବ ହେବ, ତା’ର ବାଙ୍‍ମନ୍ତ୍ରରେହିଁ ହେବ ତୁମର ଶାପମୁକ୍ତି । ଅଶୁଚି ଲୌକିକୀ ସୁରା ତୁମେ ମନ୍ତ୍ରସଂସ୍କାର ଫଳରେ ହେବ ଶୁଚିସ୍ମିତା । ସେ ଦିନ ତୁମେ ହେବ ଅମିତ ସାତ୍ତ୍ଵିକ ଶକ୍ତିର ଅଧିକାରିଣୀ । ତୁମର ସ୍ପର୍ଶରେ ସାଧକ ହେବ ସୁର; ସାର୍ଥକ ହେବ ତୁମର ସୁରା ନାମ ।’

 

ବ୍ରାହ୍ମମୁହୂର୍ତ୍ତରେ ଶୁଭ୍ର ଜ୍ୟୋତିରେଖା ଦେଖା ଦେଇଚି ପୂର୍ବ ଦିଗ୍‍ବଳୟରେ । ସୁରାସଙ୍ଗ କରି ବ୍ରହ୍ମପାତକରେ ଭାଗୀ ହେଇଚନ୍ତି ଶୁକ୍ରାଚାର୍ଯ୍ୟ । ତାଙ୍କୁ ଶୁଦ୍ଧ ହେବାକୁ ହେବ, ମୁକ୍ତ କରିବାକୁ ପଡ଼ିବ ବୃହସ୍ପତିପୁତ୍ର ପ୍ରିୟଶିଷ୍ୟ କଚକୁ । ଆଉ ଅପେକ୍ଷା ନ କରି ଦ୍ରୁତ ପଦକ୍ଷେପରେ ସେ ଦାନବଭବନ ତ୍ୟାଗ କଲେ ।

 

ସ୍ତବ୍ଧ ଭାବରେ ପୂର୍ବପରି ଠିଆହେଇ ରହିଚି ସ୍ପର୍ଦ୍ଧିତା ବରୁଣ-ନନ୍ଦିନୀ । ଏ ତା’ର ପରାଜୟ ନା ବିଜୟର ପୁରସ୍କାର ? ସ୍ତିମିତପ୍ରାୟ ଆଲୋକରେ ଚକ୍‍ଚକ୍ କରି ଉଠିଲା ତା’ର ରକ୍ତାଭ ଉଗ୍ର ଲୋଚନ ଯୁଗଳ; ଗର୍ଜନ କରି ଉଠିଲା ଅମିତ ଦର୍ପ । ଚାହେଁନା ସେ ସ୍ଵର୍ଗଲୋକ, ଚାହେଁନା ସେ ଭୀରୁ ବ୍ରାହ୍ମଣର ସ୍ପର୍ଶ । ତା’ର ପ୍ରତି ରକ୍ତବିନ୍ଦୁରେ ପିତା ବରୁଣର ଶକ୍ତିଦର୍ପ, ନଖାଗ୍ରରୁ କେଶାଗ୍ର ପର୍ଯ୍ୟନ୍ତ ମାତା ଶୁକ୍ରାର ବହ୍ନିଦୀପ୍ତି ତା’ର ଦେହରେ । ତ୍ରିଭୁବନରେ କିଏ ତା’ର ଗତିରୋଧ କରିବ ? ପ୍ରଜ୍ଜ୍ଵଳିତ ହୁତାଶନ ଭଳି ଜଳି ଉଠିଲା ତା’ର ଆରକ୍ତ ଆନନ । ସ୍ଖଳିତ ଚରଣରେ, ପ୍ରମତ୍ତା କରିଣୀ ଭଳି କକ୍ଷରୁ ନିଷ୍କ୍ରାନ୍ତ ହେଲା ଦର୍ପିତା କାମୋନ୍ମତ୍ତା କ୍ରୁଦ୍ଧା କାମିନୀ ।

 

ସେଇ ଦିନରୁ ବିଶ୍ୱଲୋକରେ ଆରମ୍ଭ ହେଲା ବାରୁଣୀର ପ୍ରଚଣ୍ଡ ଆକ୍ରମଣ । ସୁର-ସମ୍ଭୋଗର ବ୍ୟର୍ଥ କାମନାରେ ସୁରା ହେଲା ରୁଦ୍ର-ଭୟଙ୍କରୀ । ସ୍ୱର୍ଗ-ପ୍ରବେଶ ଅଧିକାରରୁ ସେ ବଞ୍ଚିତା ସତ୍ୟ, କିନ୍ତୁ ତା’ର ପ୍ରରୋଚନାରେ ପ୍ରମତ୍ତ ଅସୁର ସ୍ୱର୍ଗଲୋକ ଆକ୍ରମଣ କରେ, ମଦୋନ୍ମତ୍ତ ଦାନବର ହିଂସ୍ରତାରେ ଶିହରି ଉଠେ ସୁରଲୋକ । ଭୂଗର୍ଭସ୍ଥ କାଳାଗ୍ନି ତା’ର ରୁଦ୍ଧ ହୃଦୟର ଜ୍ଵାଳାକରାଳ ଶିଖା । ସେ ଶିଖା ସୁର-ସୀମନ୍ତିନୀର ମହାଭୟ । ଅସୁର-ଦାନବର ଅନ୍ତଃପୁରରେ ଦର୍ପିତା ବାରୁଣୀର ଦୃପ୍ତ ପଦକ୍ଷେପ । ଦୈତ୍ୟର ରକ୍ତ ଚକ୍ଷୁରେ ରକ୍ତଲୋଚନା ବାରୁଣୀର ରୋଷ-କଟାକ୍ଷ । ସେମାନଙ୍କ ଭୀମ ଭ୍ରୂକୁଟିରେ ତା’ର କୁଟିଳ ଭ୍ରୂକୁଞ୍ଚନ, ସେମାନଙ୍କ ହୁଙ୍କାର ଗର୍ଜନରେ ବାରୁଣୀର କ୍ରୋଦ୍ଧାନ୍ଧ ହୁଙ୍କାର ।

 

ମର୍ତ୍ତ୍ୟଲୋକରେ ବାରୁଣୀର ସ୍ୱାଧିକାର-ପ୍ରମତ୍ତତା ଆହୁରି ଭୟଙ୍କର । ଦାନବଧର୍ମୀ ମନୁଷ୍ୟ ତା’ର କରତଳଗତ । ସେମାନଙ୍କ ବିକଟ ଚିତ୍କାରରେ ତଟସ୍ଥା ମେଦିନୀ । ଦୁର୍ବଳ ଉପରେ ସବଳର ଅତ୍ୟାଚାରରେ, ଶୋଷିତ ପ୍ରତି ଶୋଷକର ମର୍ମ୍ମନ୍ତିକ ଅବିଚାରରେ, ଶକ୍ତିର ଅପବ୍ୟବହାରରେ ବାରୁଣୀର ଉତ୍କଟ ଉଲ୍ଲାସ । କାମାସକ୍ତ, ଦ୍ୟୂତାଶକ୍ତ, ମୃଗୟାଶକ୍ତ ନରନାରୀ ବାରୁଣୀର କଟାକ୍ଷର ଦାସ । ଅଜିତେନ୍ଦ୍ରିୟ ମନୁଷ୍ୟକୁ ବ୍ୟଭିଚାରୀ-କାମନାରେ ଉନ୍ମତ୍ତ କରେ ବାରୁଣୀ; ପୃଥିବୀବ୍ୟାପୀ ଶକ୍ତିର ଦ୍ୟୂତକ୍ରୀଡ଼ାରେ ପ୍ରରୋଚନା ଦିଏ ବାରୁଣୀ; ମଣିଷ ହେଇ ଯେଉଁମାନେ ମୃଗୟାସକ୍ତ ବ୍ୟାଧ ଭଳି ମଣିଷକୁ ଆକ୍ରମଣ କରନ୍ତି, ସେମାନଙ୍କର ମଧ୍ୟ ବାରୁଣୀ ପ୍ରରୋଚିକା । ସେ ବିରୋଧିନୀ, ବିଶ୍ୱ ବୁକୁରେ ବିରାଟ ଅକ୍ଷମା । ହିଂସା ଓ ହତ୍ୟାରେ ସେ ବିଜୟର ଅଟ୍ଟହାସ କରେ; ଘରେ ଘରେ ଜାଳିଦିଏ ଧ୍ୱଂସର ଅଗ୍ନିଶିଖା । ଅତି ଭୀଷଣ ଲେଲିହ ତା’ର ରସନା, ପୁରନ୍ଧ୍ରୀ ନାରୀର ଅଶ୍ରୁ ତା’ର ପାନୀୟ । ସତୀ ନାରୀର ସୀମନ୍ତ-ସିନ୍ଦୂର ତା’ର ରକ୍ତାମ୍ବରର ମଞ୍ଜିଷ୍ଠାରାଗ ।

 

ହିଂସାରେ ଓ କୁଟିଳ କାମନାରେ ବୁଦ୍ଧିଭ୍ରଷ୍ଟା ବରୁଣ-ନନ୍ଦିନୀ, ଉଦ୍ଧତ-ଅନ୍ଧ ଦମ୍ଭ । ବ୍ରାହ୍ମଣର ଅସ୍ପୃଶ୍ୟା ସେ–ଶୁକ୍ରାଚାର୍ଯ୍ୟଙ୍କ ଅଭିଶାପ । ଅହଂକାରରେ ହସେ ଉନ୍ମତ୍ତା । ଦୁର୍ବଳ ବ୍ରାହ୍ମଣ–ସେ ପୁଣି ବାରୁଣୀର ପ୍ରତିସ୍ପର୍ଦ୍ଧୀ ! କାଳାନ୍ତର ମେଘରେ ଯିଏ ରକ୍ତାକ୍ତ ବିଦ୍ୟୁତ୍‍ଶିଖା, ଫେନିଳ ଊର୍ମି ମୁଖରେ ଯାର ଦର୍ପୋଲ୍ଲାସ, ତା’ର ପ୍ରତିସ୍ପର୍ଦ୍ଧୀ ଭୀରୁ ବ୍ରାହ୍ମଣ ! କବଳିତ କରିବାକୁ ସେ ଚାହେଁନି ବୋଲି ମୁକ୍ତିପାଏ ଆତପାନ୍ନଭୋଜୀ, ଶିଖାଧାରୀ ବ୍ରାହ୍ମଣ । ‘ଲୌକିକୀ ସୁରା ସେ’–କହିଚନ୍ତି ଦୈତ୍ୟାଚାର୍ଯ୍ୟ ଭାର୍ଗବ । ଅସୁର-ଦାନବ ଭୋଗରେ ସେ କୁଆଡ଼େ ଅଶୁଚି, ତାକୁ କୁଆଡ଼େ ମନ୍ତ୍ରପୂତ କରିବ ବୀରସାଧକ, ତା’ର ହାତରେ କୁଆଡ଼େ ଦର୍ପ ଚୂର୍ଣ୍ଣ ହେବ ବାରୁଣୀର ! ପ୍ରମତ୍ତ ହାସ୍ୟରେ ଫାଟିପଡ଼େ ବାରୁଣୀ, ସଂଶ୍ଳେଷ ବକ୍ରୋକ୍ତି ଉଚ୍ଚାରିତ ହୁଏ ତା’ର ମୁଖରେ । ‘ଭଣ୍ଡ କାପାଳିକ ! ରକ୍ତ ଗୈରିକ ଅନ୍ତରାଳରେ ତା’ର ବ୍ୟଭିଚାରୀ କୁଟିଳ କାମନା । ସୁରାସମ୍ଭୋଗ ଲାଳସା ନେଇ ଏମାନେ ସାଧୁ; କାମିନୀ-ସମ୍ଭୋଗ କାମନା ଧରି ଏମାନେ କାପାଳିକ । ବାରୁଣୀର ଗୋଟିଏ ମାତ୍ର ଚୁମ୍ବନରେ ଚଳିତଚିତ୍ତ ହୁଅନ୍ତି ଯେଉଁମାନେ, ସେମାନେ ପୁଣି ବୀର ! ସେମାନେ ପୁଣି ଜୟ କରିବେ ବାରୁଣୀକୁ-!’ ସଂଶ୍ଳେଷ ହାସ୍ୟରେ ମୁଖର ହୁଏ ବାରୁଣୀ; ଦମ୍ଭରେ ଆତ୍ମହରା ହୁଏ ଦର୍ପିତା । ସେ ଅପରାଜିତା, ତ୍ରିଭୁବନ ତା’ର ଭୋଗପାତ୍ର । ଲୌକିକୀ ସୁର ସେ–ମର୍ତ୍ତ୍ୟଲୋକରେ ଏକେଶ୍ୱରୀ ।

 

କିନ୍ତୁ ଏତେ ଭୋଗରେ ମଧ୍ୟ ତୃପ୍ତି କାହିଁ ? ପ୍ରମୁକ୍ତ ସ୍ରୋତସ୍ୱତୀ ପରି ବଡ଼ ଉଦ୍ଦାମ ଭୋଗକାମନା । ଏତେ ବିଜୟ ତଥାପି ଅତୃପ୍ତ ବିଜୟ-ନିଶା; ମରୁତ ସଂଯୁକ୍ତ ଚଣ୍ଡ ବହ୍ନିଶିଖା ଯେପରି । ଚିର ଅଗ୍ନିମାନ୍ଦ୍ୟ ତା’ର ଉଦରରେ । ସ୍ଵସ୍ତି ନାଇଁ, ଶାନ୍ତି ନାଇଁ । ଅସ୍ଥିର, ଉନ୍ମାଦ ବାରୁଣୀ–ଅସ୍ଥିର ମସ୍ତିଷ୍କ, ଅସ୍ଥିର ସ୍ଖଳିତ ପଦକ୍ଷେପ । ନିଦ୍ରା ନାଇଁ–ବିନିଦ୍ରା, ଚଞ୍ଚଳ ତା’ର ଆରକ୍ତ, ମଦଘୂର୍ଣ୍ଣିତ ନୟନ । ଗଭୀର ନିଶୀଥରେ ପଣ୍ୟାଙ୍ଗନା ଭବନରେ ସେ ଅତନ୍ଦ୍ର ଭାବରେ ଚେଇଁ ରହେ, ଅନ୍ଧକାରରେ ଚକ୍ରୀ ରୂପରେ ସେ ଚକ୍ରାନ୍ତ କରେ । ରକ୍ତାକ୍ତ ଲୋଚନରେ ଆରକ୍ତ ଦୃଷ୍ଟି, ବିପର୍ଯ୍ୟସ୍ତ ବୁଦ୍ଧି । ସେ କ’ଣ ଉନ୍ମାଦ ହେଇଗଲା ? ଉନ୍ମତ୍ତତା ନୁହେଁ, ମଦାତଙ୍କ–ଅତିମଦର ଭୀଷଣ ପ୍ରତିକ୍ରିୟା-। ସର୍ବଦେହମୟ ପ୍ରଦାହ, ରସନାରେ ମରୁର ତୃଷ୍ଣା, କଣ୍ଠରେ ଅନନ୍ତ ଶୁଷ୍କତା । ଦୁରନ୍ତ ମଦାତ୍ୟୟ, ଘୋର ବିକାର । କେବେ କ୍ରୋଧରେ ସେ ଗର୍ଜନ ଛାଡ଼େ, କେବେ ବା ଅଟହାସ କରେ, କେବେ ଅବା ସମ୍ପୂର୍ଣ୍ଣ ନୀରବ ହେଇଯାଏ । ଉତ୍ତପ୍ତ କଳ୍ପନାରେ ଛିନ୍ନ ବିଛିନ୍ନ ହୁଏ ସ୍ମୃତିର ମାଳା । କିଏ ସେ ? ବରୁଣ-ନନ୍ଦିନୀ ? ନା, ସେ ସୁରା । କାହାନ୍ତି ରୂପକୁମାର ଅଶ୍ଵିନୀକୁମାର ? ଇୟେ ଯେ ପ୍ରଭୁବିଷ୍ଣୁ ବିଷ୍ଣୁ ! ଆଉ, ସେଇ ଲୋକଟା ପୁଣି କିଏ ? ସୁନ୍ଦର ବ୍ରାହ୍ମଣ ସନ୍ତାନ–ଓ, କଚ ନିଶ୍ଚୟ । ଶିଶୁ ଦେହଟାରେ ଏତେ ରକ୍ତ ! ହୃଦୟରେ ଉଲ୍ଲାସ, ନିଷ୍ପଲକ ବାରୁଣୀର ଦୃଷ୍ଟି । ଏଇ ତ ମହର୍ଷି ଶୁକ୍ରାଚାର୍ଯ୍ୟ ! କ’ଣ କହୁଚନ୍ତି ? ଏତେ ଦର୍ପ ଭଲ ନୁହେଁ ?

 

ନା, କୋମଳତା ତା’ର ଧାତୁର ନୁହେଁ । ସୃଷ୍ଟିର ମୂଳକମଳ କାମନା, ମହନୀୟ ଦର୍ପଶ୍ରୀ-। ଏଇ ତ ଦୂରରେ ଦେଖା ଯାଉଚି ଅସ୍ତଗମନୋଦ୍ୟତ ସ୍ୱର୍ଣ୍ଣଭାନୁ । କି ପ୍ରଚଣ୍ଡ ତା’ର ତେଜ-! ବାସନାର ସହସ୍ର କିରଣ ସହସ୍ର ମୁଖରେ ବିଶ୍ଵ-ରସ ଆହରଣ କରେ । ଅମ୍ଳାନ ତା’ର ଗରିମା-। ସେଇ ସୂର୍ଯ୍ୟମଣ୍ଡଳରେ ତା’ର ଜନ୍ମ । ତା’ର ଦେହରେ ମଧ୍ୟ ସେଇ ସୌରମଣ୍ଡଳରଦର୍ପ-ଦୀପ୍ତି-

 

ସହସା ସୂର୍ଯ୍ୟ ଅସ୍ତମିତ ହେଲେ; ଗୋଟାଏ ଜ୍ଵଳନ୍ତ ଶକ୍ତିଦର୍ପ ଯେପରି ଅସ୍ତମିତ ହେଲା-। ନିଜର ଅଜ୍ଞାତସାରରେ କମ୍ପି ଉଠିଲା ବାରୁଣୀର ଅନ୍ତର । କ’ଣ କହିଲେ ମାର୍ତ୍ତଣ୍ଡ ଦେବ ! ‘ଏତେ ଦର୍ପ ଭଲ ନୁହେଁ; ଅତି ଦର୍ପ ଚୂର୍ଣ୍ଣ ହୁଏ ।’ ମହର୍ଷି ଭାର୍ଗବଙ୍କର କଣ୍ଠସ୍ଵର ତା’ର ଅନ୍ତଃକର୍ଣ୍ଣରେ ଯେପରି ଗର୍ଜନ କରି ଉଠିଚି । ମସ୍ତିଷ୍କରେ ନିଆଁ ଧରେ ବାରୁଣୀର, ସଂଯତ କଳ୍ପନା ତାକୁ ଯେପରି ପ୍ରବଞ୍ଚିତ କରୁଚି ।

 

ସନ୍ଧ୍ୟା ନଇଁ ଆସୁଚି । ଅସ୍ପଷ୍ଟ ଗୋଧୂଳି । ସମ୍ମୁଖରେ ଅମାରଜନୀ । ସହସା ସେ ଯେପରି ଶୁଣିବାକୁ ପାଇଲା ଦୂରାଗତ ପଦଧ୍ଵନି । କିଏ ଯେପରି ଆସୁଚି ଆଉ ତା’ର ମୁଖରେ ଉଚ୍ଚାରିତ ହେଉଚି ‘ଶିବୋଽହମ୍ ସୁରୋଽହମ୍ ।’ କି ଗମ୍ଭୀର କଣ୍ଠନାଦ ! ବିସ୍ମିତ ଆଖିରେ ବାରୁଣୀ ଦେଖେ, ଅସ୍ପଷ୍ଟ ସନ୍ଧ୍ୟାଲୋକରେ ତା’ର ସମ୍ମୁଖରେ ଆସି ଉଭା ହେଇଚନ୍ତି ପର୍ବତ ଭଳି ବିରାଟ, ବିଭୀଷଣ ଜଣେ ଜଟାଧାରୀ । ବଳିଷ୍ଠ ଦେହ, ଲୌହଭୀମ ବାହୁ, ବିଶାଳ ବକ୍ଷ । ପରିଧାନରେ ରକ୍ତାମ୍ବର, ଲଲାଟରେ ରକ୍ତପୁଣ୍ଡ୍ର, କଣ୍ଠରେ ରୁଦ୍ରାକ୍ଷମାଳା, ହସ୍ତରେ କପାଳପାତ୍ର ।

 

ଭୟ ପାଉଚି କି ଭୟଙ୍କରୀ ବାରୁଣୀ ! ଉଗ୍ରତେଜା ଶୁକ୍ରାଚାର୍ଯ୍ୟଙ୍କୁ ଯିଏ ପରାଭୂତ କରିଚି ତା’ର ପୁଣି ଭୟ ? ମଦସ୍ଖଳିତ ଚରଣ ସ୍ଥିର କରିବାକୁ ଚେଷ୍ଟା କରେ ସେ । ମଦବିହ୍ଵଳ କଣ୍ଠ ଯଥାସମ୍ଭବ ସଂଯତ କରି ପ୍ରଶ୍ନ କରେ, ‘କିଏ’ ?

 

‘ଶିବୋଽହମ୍ ନ ଚୈବାନ୍ୟୋହସ୍ମି,–ମୁଁ ବାମାଚାରୀ କାପାଳିକ, ଗମ୍ଭୀର କଣ୍ଠରେ ଉତ୍ତର ଦେଲେ କପର୍ଦୀ ।

 

ଅନ୍ଧକାର ନଇଁ ଆସୁଚି ବାରୁଣୀର ରକ୍ତଲୋଚନ ଯୁଗଳରେ । ଦିନବେଳର ରକ୍ତପିଣ୍ଡଟାକୁ ତମସୀ ଆବରଣରେ ଆବୃତ କଲା କିଏ ? ବାମାଚାରୀ କାପାଳିକ–ସୋଚ୍ଚାର ହେଲା କି ଉଗ୍ରତେଜା ଭାର୍ଗବଙ୍କ କଣ୍ଠ ? କି ଘୋର ବଜ୍ରନାଦ, ବାରୁଣୀର କର୍ଣ୍ଣ ଯେପରି ବଧିର ହେଇ ଆସୁଚି ।

 

ଜଳଦଗମମ୍ଭୀର ସ୍ୱରରେ କହିଲେ ରକ୍ତଗୈରିକଧାରୀ, ‘ଆଦ୍ୟାଶକ୍ତ ରାମୁଣ୍ଡା ମୋର ଉପାସ୍ୟା ଦେବୀ । ଆଜି ଏ ଅମାବାସ୍ୟା ନିଶୀଥରେ ଶବସାଧନାରେ ତୁଷ୍ଟ କରିବି ତାଙ୍କୁ । ତୁମେ ମୋର ସହାୟ ହୁଅ ।’ ‘ମୁଁ ?’ –କଣ୍ଠ ତା’ର ଶୁଷ୍କ ହେଇ ଯାଉଚି । ବିଘୂର୍ଣ୍ଣିତ ମସ୍ତିଷ୍କ, ଘୂର୍ଣ୍ଣିତ ରକ୍ତଲୋଚନ । ଆତଙ୍କରେ ଅର୍ଦ୍ଧସ୍ଖଳିତ କଣ୍ଠରେ ସେ କହେ, ‘ନା, ନା–ମୁଁ କିପରି ହେବି ? ମୁଁ ଯେ ବାରୁଣୀ, ଦେବଭୋଗରେ ଅଧିକାର ମୋର ନାଇଁ ।’

 

‘କିଏ କହେ ଅଧିକାର ତୁମର ନାଇଁ ?’ ଉଚ୍ଚହାସ୍ୟରେ ଚତୁର୍ଦ୍ଦିଗ ଉଚ୍ଚକିତ କରି ବଜ୍ରସ୍ଵରରେ କହେ କାପାଳିକ, ‘ତୁମେ ଖାଲି ବାରୁଣୀ ନୁହ; ତୁମେ ସୁରା, ସୁରଭୋଗ୍ୟା :

 

ଦେବ ! ନାମମୃତଂ ବ୍ରହ୍ମ ତଦେବ ଲୌକିକୀ ସୁରା

ସୁରତ୍ଵଂ ଭୋଗମାତ୍ରେଣ ସୁରା ତେନ ପ୍ରକୀର୍ତ୍ତିତ ।’

 

କ’ଣ କହୁଛନ୍ତି ବୀର ସାଧବ ? ସେ ସୁରା । ବ୍ରହ୍ମଲୋକରେ ଅମୃତ ଯେପରି, ମର୍ତ୍ତ୍ୟଲୋକରେ ସୁରା ସେପରି । ତାକୁ ଭୋଗ କରି ସାଧକ ସୁରତ୍ଵ ଲାଭ କରେ । ଆଉ କିଛି ଯେପରି ଭାବି ପାରୁନି ବାରୁଣୀ । ଚେତନା ତାକୁ ଯେପରି ପ୍ରତାରଣା କରୁଚି । ଶକ୍ତି ମଧ୍ୟ ଲୁପ୍ତପ୍ରାୟ ଯେପରି । ତେବେ ସୁଦ୍ଧା ପ୍ରାଣପଣେ ଶେଷ ନିକୃତିର ଆଶ୍ରୟ ଗ୍ରହଣ କରେ ମୋହିନୀ : ‘ମୁଁ ସୁରା ହେଲେହେଁ ଲୌକିକୀ ସୁରା । ଶୁକ୍ର ଶାପରେ ପତିତା ମୁଁ । ଦାନବ-ମାନବ ଭୋଗଦ୍ଵାରା ଅଶୁଚି–ସାଧକର ଅସ୍ପୃଶ୍ୟା ।’ ‘ଅଶୁଚିକୁ ମୁଁ ଶୁଚିଶୁଦ୍ଧ କରିବି’ ପ୍ରାଣଖୋଲା ହସର ଉଚ୍ଛ୍ଵାସ ତୋଳି କହେ ବୀର ସାଧକ, ‘ମୋର ଧର୍ମରେ କେହି ଅଶୁଚି ନୁହନ୍ତି, କେହି ଆସ୍ପୃଶ୍ୟା ନୁହନ୍ତି । ମୋ ମାଆର କୋଳରେ ଶୁଚି-ଅଶୁଚି, ସ୍ପୃଶ୍ୟାସ୍ପୃଶ୍ୟର ଭେଦ ବିଚାର ନାଇଁ । ଆସ–’

 

ବୀରବାହୁ ପ୍ରସାରିତ କରନ୍ତି ବୀର କାପାଳିକ । ଆତ୍ମଗୋପନ କରିବାପାଇଁ ବିଫଳ ଚେଷ୍ଟା କରେ ବାରୁଣୀ । ପଦତଳେ କମ୍ପିତା ଧରଣୀ, ସ୍ଥିର ହେଇ ଚାଲି ପାରୁନି ସେ । ସ୍ଖଳିତ ଗତି । ଗୋଟାଏ ମୁହୂର୍ତ୍ତରେ ଦୃଢ଼ ହସ୍ତରେ ସାଧକ ତାକୁ କବଳିତ କରନ୍ତି । କି ବଳିଷ୍ଠ ବାହୁ ! ବାରୁଣୀର ଶକ୍ତି ନାଇଁ ଯେ ବାଧା ଦେବ, ସାଧ୍ୟ ନାଇଁ ଯେ ଚିତ୍କାର କରିବ । ଯାଦୁମନ୍ତ୍ରରେ ନିର୍ଜିତ ସର୍ପିଣୀର ଶକ୍ତି । ଅମାନିଶାର ଅନ୍ଧକାର ତା’ର ଆଖିରେ ।

 

କାପାଳିକ ମୁହଁରେ କଥା ନାଇଁ । କ୍ଷୁଦ୍ର କ୍ରୀଡ଼ନକ ଭଳି ବାରୁଣୀର ଦେହଟିକୁ ଗ୍ରହଣ କରି ସେ ସ୍ଥାପନ କରନ୍ତି କପାଳପାତ୍ରରେ । ସେଇ ଶକ୍ତିମତ୍ତ ଦେହ ଜଳ ହେଇ ଯାଇଚି । ଅମେୟ ଶକ୍ତିର ଅଧୀଶ୍ଵରୀ, ବରୁଣ-ନନ୍ଦିନୀ ବାରୁଣୀ–ଆଜି ଖର୍ବ ତା’ର ଗର୍ବ । କପାଳପାତ୍ରରେ ସ୍ତବ୍ଧ ନିସ୍ତରଙ୍ଗ ଲୋହିତସାଗର । ସମ୍ମୁଖରେ ଉଦ୍ୟତ ରକ୍ତପୁଣ୍ଡ୍ରରୂପ କରାଳ ଖଡ଼୍‍ଗ । ଆତଙ୍କରେ ଅର୍ଦ୍ଧମୁଦ୍ରିତ ତା’ର ଚେତନା । ପ୍ରାଣପଣ ଶକ୍ତିରେ ଅବଶିଷ୍ଟ ଚେତନା ଟିକକ ଜାବୁଡ଼ି ଧରେ ବାରୁଣୀ-

 

ବୀର କାପାଳିକ ବାରୁଣୀକୁ ନେଇଗଲେ ଅନ୍ଧକାରଘନ ନିର୍ଜନ ଶ୍ମଶାନଭୂମିକୁ । ମହାଶ୍ମଶାନ ଅମାଅନ୍ଧକାରରେ ମହାଭୟଙ୍କର ଦେଖାଯାଉଚି । ଅଦୂରେ କ୍ରବ୍ୟାଦ ଅଗ୍ନିର ଶିଖା, ବିକଟ ଶିବାଧ୍ଵନି । ନିର୍ଭୟ କାପାଳିକ ଦୃଢ଼ଭାବରେ ପୂର୍ବନିର୍ଦ୍ଦିଷ୍ଟ ଏକ ଶବାସନରେ ଆସନ କଲେ । ସୁନ୍ଦରାଙ୍ଗ ଶବ, ଏବେବି ନିମୀଳିତ ହେଇନି ତା’ର ଚକ୍ଷୁ । ହୁଏତ ସଦ୍ୟ ବଜ୍ରବିଦ୍ଧ ହେଇଚି ସେ । ନିର୍ଭୀକ କାପାଳିକ, ବଜ୍ରସାର ତା’ର ହୃଦୟ, ବଜ୍ରଦୃଢ଼ ଦେହ । ମୁହଁରେ ଏକାକ୍ଷରୀ ଶବ୍ଦମନ୍ତ୍ର । ବାରୁଣୀ ବିଶେଷ କିଛି ବୁଝି ପାରେନି । ଅତି ଅସ୍ପଷ୍ଟ ମନ୍ତ୍ର । ଅସ୍ପଷ୍ଟ ହୁଙ୍କାର-ମୂର୍ଚ୍ଛନା ଆହୁରି ଅସ୍ପଷ୍ଟ ଭାବରେ ଅର୍ଦ୍ଧଚେତନ ବାରୁଣୀର କର୍ଣ୍ଣରେ ଧ୍ଵନିତ ହୁଏ । ବାରୁଣୀପୂର୍ଣ୍ଣ କପାଳପାତ୍ର ହସ୍ତରେ ଧରି ମନ୍ତ୍ରୋଚ୍ଚାରଣ କରେ ବୀର କାପାଳିକ :

 

ଓଁ ସୂର୍ଯ୍ୟମଣ୍ଡଳସମ୍ଭୂତେ ବରୁଣାଜୟସମ୍ଭବେ

ଅମାବୀଜମୟେ ଦେବୀ ଶୁକ୍ରଶାପାତ୍ ପ୍ରମୁଚ୍ୟତାମ୍ ।

 

ଏ କ’ଣ ହେଲା ବାରୁଣୀର !ମୁହୂର୍ତ୍ତକରେ ଏକି ଅଦ୍ଭୁତ ପରିବର୍ତ୍ତନ ! ଶୁକ୍ରଶାପ ଅପହୃତ ହେଇଚି । ଶୁଦ୍ଧ ସେ, ଶୁଚିଶୁଭ୍ର । ଆଲୋହିତ ଅଙ୍ଗବର୍ଣ୍ଣ କଳଧୌତ କାଞ୍ଚନ ଭଲି ଉଜ୍ଜ୍ୱଳ । ରକ୍ତଆନନରେ ସୂର୍ଯ୍ୟମଣ୍ଡଳର ଜ୍ୟୋତିର୍ମୟ ଦୀପ୍ତି । ସେ ଯେପରି ନିର୍ମୋକମୁକ୍ତ ଗୋଟିଏ ରକ୍ତପ୍ରବାଳ । ସର୍ବାଙ୍ଗରେ ତା’ର ଆନନ୍ଦ ଶିହରଣ । କାମନା ଆଉ କାହିଁ ? ନିସ୍ତରଙ୍ଗ କାମନା-ସାଗର । କାହିଁ ତା’ର ମୋହିନୀ ମାୟା ? ନିଜେଇ ସେ ମୋହତା । ଏ ମୂର୍ଚ୍ଛିତ ଚେତନା ଶୁଦ୍ଧ ଚୈତନ୍ୟର ଶୁଭ୍ର ଦୀପ୍ତି ଯେପରି–ସ୍ଵଳ୍ପସ୍ପନ୍ଦିତ ବିପୁଳ ପୁଲକରେ ପୁଲକିତ । ସେ ବାରୁଣୀ ନୁହେଁ, ସେ ସୁରା । ଲୌକିକୀ ସୁରା ନୁହେଁ, ରସସାର କୁଳାମୃତ ।

 

ଶୁଦ୍ଧଶୁଚି ଏଇ ସୁରାକୁ ନିଜ ଦେହରେ କୁଣ୍ଡଳିନୀ ମୁଖରେ ଅର୍ପଣ କରନ୍ତି ବୀରସାଧକ । ସାର୍ଦ୍ଧତ୍ରିବଳୟାକୃତି ସୁପ୍ତା କୁଣ୍ଡଳିନୀ ନିମେଷକରେ ଜାଗ୍ରତ ହୁଅନ୍ତି । ସୂକ୍ଷ୍ମ କେଶାଗ୍ରର କୋଟିଏ ଭାଗରୁ ଗୋଟିଏ ଭାଗ ସମାନ ସୁକ୍ଷ୍ମ, ଅଥଚ ଆଶ୍ଚର୍ଯ୍ୟ କାନ୍ତିମତୀ । ସମୁଲ୍ଲସିତ କୋଟି ବିଦ୍ୟୁତ୍ ଯେପରି । ଯାହା ଟିକିଏ ଦର୍ପ ଅବଶିଷ୍ଟ ଥିଲା ବାରୁଣୀର, ନିମେଷକରେ ନିଃଶେଷ ହେଇଗଲା । କାହିଁ ବାରୁଣୀର ରୂପ-ଗର୍ବ ? କୋଟି ଅରୁଣ-କାନ୍ତି ସମ୍ମୁଖରେ ନିଷ୍ପ୍ରଭ ସୁରାର ଦେହ-ଦୀପ୍ତି । କାହିଁ ତା’ର ଶକ୍ତି-ଗର୍ବ ? ସୂକ୍ଷ୍ମ ଭୁଜଙ୍ଗୀର ଅମିତ ଶକ୍ତି ସମ୍ମୁଖରେ ଆତ୍ମଗୋପନ କରିବାର ପଥ ଯେପରି ସେ ଖୋଜି ପାଉନି ।

 

ବଜ୍ର-କୁଣ୍ଡଳିନୀ ଦଣ୍ଡ ଭଳି ୠଜୁ ହେଇ ବିଦ୍ୟୁତ୍ ବେଗରେ ଊର୍ଦ୍ଧ୍ଵକୁ ଉତ୍ଥିତ ହେଉଚନ୍ତି । ସେ ବେଗ ସୁରା ସହ୍ୟ କରିପାରୁନି । ଊର୍ମି ଶୀର୍ଷରେ ବିଚରଣଶୀଳା ସ୍ପର୍ଦ୍ଧିତା କାହିଁ ? ଶକ୍ତିବେଗରେ ସେ ଯେପରି ଶୁଷ୍କ ହେଇ ଯାଉଚି । ତା’ର ଚୈତନ୍ୟର ଅବଶେଷବି ଲୋପ ହେଇ ଯାଉଚି । ଏ ପରାଜୟ ଚରମ ପରାଜୟ; ତଥାପି, ମନେ ହୁଏ, ଏ ଆନନ୍ଦ ବିପୁଳ ଆନନ୍ଦ । କୋଟି ଲାକ୍ଷାରସର ଧାରା ଭଳି ଦୀପ୍ତାରୁଣ ପରମାନନ୍ଦ ସ୍ରୋତରେ ନିଃଶେଷରେ ବିଲୀନ ହେଇଯାଏ ଦର୍ପିତା, ମଦୋଦ୍ଧତା ।

 

କିନ୍ତୁ ଲୌକିକୀ ସୁରାର ଏ ଶୁଦ୍ଧି ସାମୟିକ; ଏହାର କ୍ଷେତ୍ର ମଧ୍ୟ ସୀମାବଦ୍ଧ । ଦର୍ପିତା ବାରୁଣୀର କାମାନ୍ଧ ଶକ୍ତି-ଦର୍ପ ବିଶ୍ୱଲୋକରେ ବିସ୍ତୃତ । ତା’ର ଆକ୍ରମଣରେ ମନୁଷ୍ୟଲୋକ ଅସ୍ଥିର । ଦେବଧର୍ମୀ ମାନବକୁ ବୁଦ୍ଧିଭ୍ରଂଶ କରିବାର ଉତ୍କଟ ଲାଳସାରେ ସେ ସୁଯୋଗ ଅନୁସନ୍ଧାନ କରେ । ନିଦାରୁଣ ବିଭୀଷିକା ପରି ପ୍ରତି ଭୁବନରେ ବିଚରଣ କରେ ରକ୍ତାମ୍ବରା, ରକ୍ତବର୍ଣ୍ଣା, ରକ୍ତାକ୍ତସ୍ତବ୍ଧ-ଲୋଚନା, ମଦସ୍ଖଳିତ-ଚରଣା ବାରୁଣୀ । *

 

* ପଦ୍ମପୁରାଣ ଓ ମହାଭାରତରୁ କଥାବସ୍ତୁ ସଂଗୃହୀତ ।

★★★

 

Unknown

ମହାମଦ

 

ପାତ୍ର ମିତ୍ର ଘେନି ସଭା କରି ବସିଚି ମହାମଦ । ‘ଧନ ମାନମଦାନ୍ଵିତ’ ମହାମଦ–ଦମ୍ଭ, ଦର୍ପ ଓ ଅତିମାନିତାର ମୂର୍ତ୍ତ ବିଗ୍ରହ । ପ୍ରକୃତିର ଅନୁରୂପ ଆକୃତି । ମନ୍ଦର ସଦୃଶ୍ୟ ମହାକାୟ । ଗାଢ଼ ରକ୍ତ ଭଳି କୃଷ୍ଣବର୍ଣ୍ଣ ଦେହ, ତମୋମୟ ରଜଃଛଟା ଯେପରି । ଅତି ଭୟଙ୍କର ବଦନ–ସେ ବଦନରେ ଅଗ୍ନିପିଣ୍ଡୁଳା ଭଳି ଅଗ୍ନିବର୍ଷା ଦୁଇଟି ନୟନ । ରୁକ୍ଷ, ପିଙ୍ଗଳ କେଶ; ଅସହିଷ୍ଣୁ ରୋଷରେ କୁଞ୍ଚିତ ଲଲାଟ ।

ମହାମେଘରେ ବଜ୍ରନିର୍ଘୋଷ ଯେପରି, ସଦମ୍ଭ ହୁଙ୍କାରରେ କହୁଚି ମହାମଦ, ‘ଏ ଜଗତରେ ମୋର ସମକକ୍ଷ କିଏ ? ଶକ୍ତିରେ, ଐଶ୍ୱର୍ଯ୍ୟରେ ତ୍ରିଲୋକରେ କିଏ ମୋର ପ୍ରତିସ୍ପର୍ଦ୍ଧୀ ?’

‘କିଏ ନାଇଁ, କିଏ ନାଇଁ’–ସମସ୍ଵରରେ ସମର୍ଥନ କଲେ ମହାମଦର ସ୍ତାବକଦଳ । ଯେପରି ରାଜା, ସେପରି ପ୍ରଜା, ସେପରି ପାର୍ଷଦ । କିଏ କୁଟିଳ, କିଏ କ୍ରୋଧବଶ, କିଏ ଅଭିମାନୀ, କିଏ ମଦାନ୍ଧ । ହେତୁବାଦୀ ସଭା-ପଣ୍ଡିତ, କାମଶାସ୍ତ୍ରନିପୁଣ ସଭା-କବି, ସ୍ଵାର୍ଥାନ୍ୱେଷୀ ସଦସ୍ୟ । ମୁହଁରେ ସେମାନଙ୍କର ଅନ୍ଧସ୍ତୁତି । ପ୍ରଭୁର ବାକ୍ୟ ସମର୍ଥନ କରି ମନ୍ତ୍ରୀ କହିଲା, ‘ବିଶ୍ଵର ବସୁ ଆପଣଙ୍କ ଭଣ୍ଡାରରେ, ମୃତ୍ୟୁର ଉତ୍‍କ୍ରାନ୍ତିଦା ଶକ୍ତି ଆପଣଙ୍କ ଦେହରେ । ତ୍ରିଲୋକରେ ଆପଣ ଅତୁଳନୀୟ ।’

‘ନୁହନ୍ତା କିମିତି ? ଯେପରି ବଂଶ, ସେପରି କୀର୍ତ୍ତି’, ମନ୍ତବ୍ୟ କଲା ସଭାପଣ୍ଡିତ, ‘ଅହଂକାର କୁଳର ଧୁରନ୍ଧର ମହାରାଜ ମହାମଦ । ମାଦ୍ୟତି ମନ୍ଦତେ ମଦଃ । କିଏ ତା’ର ପ୍ରତିସ୍ପର୍ଦ୍ଧୀ-। ତ୍ରିଭୁବନରେ ଅଦ୍ଵିତୀୟ ସେ ।'

 

ବାଧା ଦେଇ କହିଲା ବାକ୍‍ଚତୁର କବି, ‘ନା‚ ନା କଥାଟା ଠିକ୍ ହେଲାନି । ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରର ମାଳାକାର ମୁଁ, ମତେ କହିବାକୁ ଦିଅ । ଦ୍ୱିତୀୟ ଦେଇ କେବଳ ଅଦ୍ଵିତୀୟର ପ୍ରତିଷ୍ଠା କରିବାକୁ ହୁଏ । ଅଗ୍ନି ଅଛି, ସୋମ ଅଛି, ଅଛି ସୂର୍ଯ୍ୟ । ସେମାନଙ୍କଠାରୁ ବହୁତ, ବହୁତ ବଡ଼ ମହାରାଜ ମହାମଦ । ଅଗ୍ନି ସପ୍ତଜିହ୍ୱ; ସେପରି ସପ୍ତସପ୍ତତି ଅଗ୍ନି ମହାରାଜଙ୍କ ରସନାରେ । ଚନ୍ଦ୍ରର ମାତ୍ର ଷୋଡ଼ଶ କଳା; ଚଉଷଠି କଳାରେ ପରିପୂର୍ଣ୍ଣ ଆମ୍ଭମାନଙ୍କ ପ୍ରଭୁ । ସୂର୍ଯ୍ୟ ମାତ୍ର ସହସ୍ର ରଶ୍ମି; ମହାରାଜାଙ୍କର କୋଟି କର । ପ୍ରଭୁଙ୍କ ପଣ୍ୟା ମଦିରେଷଣା ବାରୁଣୀ । ପଶୁମତୀ ବସୁମତି ସ୍ୱେଚ୍ଛାରେ ମହାରାଜଙ୍କ ଅଙ୍କଲକ୍ଷ୍ମୀ ।’

 

ସ୍ତୁତିବାଦରେ ତୁଷ୍ଟ ହୁଏ ମହାମଦ । ଆତ୍ମପ୍ରଶଂସାରେ ଅତି ଆନନ୍ଦ ଦାମ୍ଭିକର । ତୁଷ୍ଟିରେ ବିକଶିତ ହୁଏ କୃଷ୍ଣବଦନର ସିତ ଦନ୍ତପଂକ୍ତି–ମହାମେଘରେ କରାଳୀ ବିଦ୍ୟୁତ୍ ଯେପରି ।

 

ଅଧରରେ ମନ୍ଦହାସ, ସେ ବୋଲେ, ‘ତୁମମାନଙ୍କ ଉକ୍ତି ଅତ୍ୟୁକ୍ତି ନୁହେଁ । ମହାମଦ ମୁଁ, ମହାବଳ । ବିଶ୍ଵରେ ଅଜେୟ । ତୁମେମାନେ ବୋଧହୁଏ ଜାଣ ସେଇ ପୁରାଣ-ବିଶ୍ରୁତ କାହାଣୀ–ବଜ୍ରଧାରୀ ବାସବର ବଜ୍ରକୁ ମଧ୍ୟ ମୁଁ ପ୍ରତିହତ କରିଚି ।’

 

ନିଜର ଅଜ୍ଞତାରେ ସଙ୍କୁଚିତ ହେଲେ ସ୍ତାବକଦଳ । କିନ୍ତୁ ସେ ସଙ୍କୋଚ ମୁହୂର୍ତ୍ତକ ପାଇଁ ମାତ୍ର । ସ୍ତାବକମାତ୍ରେ ଦକ୍ଷ ଅଭିନେତା; କ୍ଷଣକୁ କ୍ଷଣ ନୂତନ ଅଭିନୟ କରିବାରେ ଚିରାଭ୍ୟସ୍ତ ସେମାନେ । ଦୁଃଖରେ ଯେପରି ସତରେ ଭାଙ୍ଗିପଡ଼ିଚି, ସେପରି ଭାବ ଦେଖାଇ ଜଣେ କହେ, ‘କି ଦୁର୍ଭାଗ୍ୟ ଆମର ! ମହାରାଜଙ୍କର ଏପରି ଗୌରବମୟ ଇତିହାସଟାଏ ଆମ କାନରେ ପଡ଼ିଲାନି !’ ପରମୁହୂର୍ତ୍ତରେ ସେ ପୁଣି ଅନ୍ୟ ସ୍ଵର ଧରେ, ‘ସମୁଦ୍ରର ଅନନ୍ତ ତରଙ୍ଗଭଙ୍ଗ ଭଳି ମହାରାଜଙ୍କ ଜୀବନ କୀର୍ତ୍ତିମୟ । ସାମାନ୍ୟ ମଣିଷର କି ସାଧ୍ୟ ଯେ ତାହା ଗଣନା କରିବ !’

 

ଦୃଷ୍ଟାନ୍ତ ଦେଇ କହେ ସଭାପଣ୍ଡିତ, ‘ଆକାଶସ୍ଥ ନକ୍ଷତ୍ରାଣି କୋ ନିର୍ଣ୍ଣେତୁଂ ସମର୍ଥଃ ସ୍ୟାତ୍-!' ତୃପ୍ତିର ହସ ହସି ସଗର୍ବରେ ଆରମ୍ଭକରେ ମହାମଦ, ‘ସେ ଏକ ବିଚିତ୍ର ଇତିହାସ-। ସ୍ୱର୍ଗର ଅଧୀଶ୍ଵର ବୋଲି ଅଶେଷ ଦର୍ପ ଥିଲା ଇନ୍ଦ୍ରର । ଅତୁଳ ବୈଭବ, ଅମିତ ଦୈବଶକ୍ତି, ଅହଂକାରରେ ସ୍ଫୀତ ଇନ୍ଦ୍ର । ତା’ର ନିର୍ଦ୍ଦେଶରେ ଯଜ୍ଞର ସୋମଭାଗରୁ ବଞ୍ଚିତ ଥିଲେ ଦେବବୈଦ୍ୟ ଅଶ୍ୱିନୀକୁମାର ଯୁଗଳ । ଦେବବୈଦ୍ୟ ଭାବରେ ତାଙ୍କର କ୍ଷମତା କିନ୍ତୁ ଥିଲା ଅସାଧାରଣ । ବୃଦ୍ଧ, ଅନ୍ଧ, ଚ୍ୟବନ ମୁନିଙ୍କୁ ସେମାନେ ଦିବ୍ୟ ରୂପଯୌବନ ଓ ଦୃଷ୍ଟିର ଅଧିକାରୀ କରି ଦେଇଥିଲେ । ମହାତେଜା ଚ୍ୟବନ ମୁନି । ସେ ଭାବିଲେ, ପ୍ରତ୍ୟୁପ୍ରକାରରେ ତାଙ୍କର କିଛି କରିବା ଦରକାର । ଅଶ୍ଵିଦ୍ୱୟଙ୍କୁ ସୋମଭାଗୀ କରିବା ଉଦ୍ଦେଶ୍ୟରେ ସେ ଗୋଟାଏ ବିରାଟ ଯଜ୍ଞ ଆରମ୍ଭ କଲେ । ସେ ଯଜ୍ଞରେ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର–ସିଦ୍ଧ, ସାଧ୍ୟ, ଦେବର୍ଷି, ମହର୍ଷି–ତ୍ରିଲୋକ ଟଳମଳ ହେଲା । ସକଳ ସମ୍ମୁଖରେ ରବିତନୟନଙ୍କ ପାଇଁ ମୁନି ସୋମପାତ୍ର ଗ୍ରହଣ କଲେ । ମୁନିଙ୍କୁ ସୋମ ଗ୍ରହଣରେ ଉଦ୍ୟୋଗୀ ଦେଖି କ୍ରୋଧଭରେ କହିଲା ଅହଂକାରୀ ବାସବ, 'ସାମାନ୍ୟ ଚିକିତ୍ସକ ଦସ୍ର ଓ ନାସତ୍ୟ-। ସେମାନଙ୍କର ଜାତି ବିଚାର ନାହିଁ । ମର୍ତ୍ତ୍ୟଲୋକରେ ସେମାନେ ଅବାଧରେ ବିଚରଣ କରନ୍ତି-। ଦେବତାର ସମ୍ମାନ ସେମାନଙ୍କର ପ୍ରାପ୍ୟ ନୁହେଁ ।’ ଶତକ୍ରତୁକୁ ଅବଜ୍ଞା କରି ରୌଦ୍ରକର୍ମା ଚ୍ୟବନ ସୋମପାତ୍ର ଉତ୍ତୋଳନ କଲେ । ବଜ୍ରରବରେ ଗର୍ଜନ କରି ଉଠିଲା ବଜ୍ରୀ ବାସବ, ‘ବୈଦ୍ୟଙ୍କୁ ସୋମାହ କଲେ ମୁଁ ନିଶ୍ଚୟ ବଜ୍ରାଘାତ କରିବି ।’ ଭ୍ରୂକ୍ଷେପ ମାତ୍ର କଲେନି ଉଗ୍ରତେଜା ମହର୍ଷି-। ମନ୍ତ୍ରୋଚ୍ଚାରଣ କରି ସେ ସୋମପାତ୍ର ଉତ୍ତୋଳନ କଲେ । ଉଦ୍ୟତ ହେଲା ଇନ୍ଦ୍ରର ଅଶନି-। କି ଭୀଷଣ ସେ ବଜ୍ର ! ଦଧୀଚି ମୁନିଙ୍କ ଅସ୍ଥିରେ ନିର୍ମିତ ଅସ୍ତ୍ର, କୋଟି ସୂର୍ଯ୍ୟ ସମାନ ସମଜ୍ଜ୍ୱଳ, କଳ୍ପାନ୍ତର ମେଘନିର୍ଷୋଷ ଭଳି ଘୋର ନାଦ ।’

 

କ୍ଷଣକାଳ ନୀରବ ହେଲା ମହାମଦ । ବିସ୍ମିତ, ସଭୀତ ସଭାତଳ; ନେତ୍ରରେ ନିର୍ବାକ୍ କୌତୂହଳୀ ଜିଜ୍ଞାସା । ଚକିତେ ଚତୁର୍ଦ୍ଦିଗ ଲକ୍ଷ୍ୟ କରି କହି ଚାଲିଲା ସେ, 'ମୁହୂର୍ତ୍ତକରେ ଏକ ବିସ୍ମୟକର କାଣ୍ଡ ସଙ୍ଗଠିତ ହେଲା । ଅଶନି ଉଦ୍ୟତ ଦେଖି ରୁଦ୍ରତେଜା ଋଷିନୟନରେ କୋପବହ୍ନି ଜଳି ଉଠିଲା । ‘ତିଷ୍ଠ’–ଏତିକି କହି, ମତେ ସ୍ମରଣ କରି ସେ ହୁତାଶନରେ ମନ୍ତ୍ରପୂତ ହବି ଆହୂତି ଦେଲେ ।’

 

‘ଆପଣଙ୍କୁ ?’ ବିସ୍ମୟରେ ପ୍ରଶ୍ନ କଲା ମନ୍ତ୍ରୀ, ‘ଆପଣଙ୍କୁ କାହିଁକି ?’

 

ସଦମ୍ଭ ଗମ୍ଭୀର ନାଦରେ ସଭାତଳ କମ୍ପିତ କରି କହିଲା ମଦ-ଦର୍ପିତ ମହାମଦ, ‘ମୁଁ ତ ତୁଚ୍ଛ ନୁହେଁ । ସ୍ଵୟଂ ମହାମଦ–ମହାଘୋର, ମହାଭୟଙ୍କର । ସୁଦୀର୍ଘ ମୋର ବାହୁ, ବିଶାଳ ମୋର ଦେହ । ମୁଁ ତ୍ରିଭୁବନ ଆକ୍ରମଣ କରିବାକୁ ସମର୍ଥ ।’

 

ଗର୍ବିତ ଲୋଚନରେ ନିଜର ଦେହ ପ୍ରତି ଦୃଷ୍ଟିପାତ କଲା ସେ । ସତରେ ଅତି ବିଶାଳ ସେ ଦେହ । ଗିରିଶୃଙ୍ଗ ଭଳି ସମୁନ୍ନତ ଗ୍ରୀବା, ଅନଳୋଜ୍ଜ୍ୱଳ ନୟନ, ବିକଟ କରାଳ ବଦନ । ସେ ଦେହର ପରିମାଣ ନିର୍ଦ୍ଦେଶ କରିବା ଦୁଃସାଧ୍ୟ । ବିଶ୍ୱଗ୍ରାସୀ କ୍ଷୁଧା ସେ ଦେହରେ, ମନେ ହୁଏ, ଗ୍ରାମ, ନଗର, ଜନପଦ, ଦେଶ, ମହାଦେଶ, ସସାଗରା ବସୁନ୍ଧରା, ଏପରି କି ଚତୁର୍ଦ୍ଦଶ ଭୁବନ ଗ୍ରାସ କରି ମଧ୍ୟ ତୃପ୍ତ ହେବନି । ଭୟରେ, ନିରୁଦ୍ଧ ନିଃଶ୍ୱାସରେ, ନିଷ୍ପଲକ ଦୃଷ୍ଟିରେ ଚାହିଁ ରହିଲେ ସଭାର ସକଳ ଦର୍ଶକ ।

 

ଦ୍ରୁତ କହି ଚାଲିଲା ମହାମଦ, 'ସ୍ମରଣମାତ୍ରେ ନିମେଷକରେ କୋଟି ଯୋଜନ ପଥ ଅତିକ୍ରମ କରି ଯଜ୍ଞପୁରୁଷ ଭଳି ଆବିର୍ଭୂତ ହେଲି ମୁଁ । ସ୍ତମ୍ଭିତ ଯଜ୍ଞସ୍ଥଳ–ନିର୍ବାକ୍ ସୁରାସୁର, ସ୍ତବ୍ଧ ଉଦ୍‍ଗାତା, ଅଧ୍ଵର୍ଯ୍ୟୁ । ନୟନରେ ଇଙ୍ଗିତ କେବଳ କଲେ ଋଷି । କ୍ରୋଧରେ ଆରକ୍ତ ହେଲି ମୁଁ । ଏତେ ଦର୍ପ ଶତକ୍ରତୁ ଇନ୍ଦ୍ରର ! ଦକ୍ଷିଣହସ୍ତ ମୁଷ୍ଟିବଦ୍ଧ କରି, ଘୋର ଗର୍ଜନ ଛାଡ଼ି ଅଗ୍ରସର ହେଲି ବଜ୍ରାୟୁଧ ପ୍ରତି ।’

 

ବଜ୍ରବାହୁ ଉତ୍ତୋଳନ କରି ସତରେ ପ୍ରଚଣ୍ଡ ଗର୍ଜନ କରି ଉଠିଲା ବଳଦର୍ପିତ ମହାମଦ । ମନେ ହେଲା, ପ୍ରଳୟକାଳୀନ ସହସ୍ର ବଜ୍ର ଯେପରି ଏକ ସଙ୍ଗେ ଗର୍ଜନ କରି ଉଠିଲା । ବିରାଟ ମୁଖଗହ୍ୱରରେ ସିତ, ତୀକ୍ଷ୍ଣ ଦଶନ ନୀଳ ସମୁଦ୍ର ଶୀର୍ଷରେ ଶୁଭ୍ର ଫେନ ଭଳି ଝଲମଲ କରି ଉଠିଲା-। ରକ୍ତ ଶୁଶୁକ ଭଳି ଚକିତରେ ପ୍ରକାଶିତ ହେଲା ତା’ର ରକ୍ତାକ ଲୋଳ ରସନା । ସଭୟେ ଚକ୍ଷୁ ମୁଦ୍ରିତ କଲେ ସଭାଜନ । କବି ନେତ୍ରରେ ଦୁଃସ୍ୱପ୍ନ । ଆସନ୍ନ ବୋଧହୁଏ ଯୁଗାନ୍ତର ପ୍ରଳୟ-!

 

ଅଟହାସ୍ୟରେ ସଭା ସଚକିତ କରି ନିତାନ୍ତ ତାଚ୍ଛିଲ୍ୟ ଭାବରେ କହିଲା ମହାମହ, ‘କାହିଁ ସେ ଇନ୍ଦ୍ର ! କାହିଁ ତା’ର ଉଦ୍ୟତ ବଜ୍ର ! ସ୍ତମ୍ଭିତ ବାହୁ, ସ୍ତବ୍ଧ ଅମୋଘ ବଜ୍ର । ଶୁଷ୍କ ତାଳୁ, ବିଶୁଷ୍କ ରସନା–‘ହା-ହତୋସ୍ମି’ କହି କରୁଣ ଆର୍ତ୍ତନାଦ କରି ଋଷି ଉଦ୍ଦେଶ୍ୟରେ କାତର କଣ୍ଠରେ କହିଲା ପୁରନ୍ଦର, ‘ପ୍ରସନ୍ନ ହୁଅନ୍ତୁ, ରକ୍ଷା କରନ୍ତୁ । ଆପଣଙ୍କ ସଂକଳ୍ପ ସତ୍ୟ ହେଉ । ଦେବତାମାନଙ୍କ ପରି ଅଶ୍ୱିନୀକୁମାର ଯୁଗଳ ଗ୍ରହଣ କରନ୍ତୁ ହୋମର ସୋମଭାଗ । ଦୁରନ୍ତ ମହାମଦକୁ ନିବାରଣ କରନ୍ତୁ ମହର୍ଷି !’

 

‘ତା’ପରେ, ତା’ପରେ !’ ସାତଙ୍କ ସହସ୍ର ପ୍ରଶ୍ନ । ନିର୍ଘାତ ପଦଚାପରେ ଭୂମି କମ୍ପିତ କରି, ବିରକ୍ତିଭରେ କହିଲା ମହାମଦ ‘ତା’ପରେ ଆଉ କ’ଣ ? କାମିନୀର ମନ କି ଋଷିର କୋମଳ ମନ-। ଭୀରୁ ଅବ୍ୟବସ୍ଥିତ ଚିତ୍ତ । ମୁହୂର୍ତ୍ତକରେ ତୁଷ୍ଟି, ମୁହୂର୍ତ୍ତକରେ ରୁଷ୍ଟି । ଇନ୍ଦ୍ରର କାକୁତିରେ କ୍ରୋଧଶାନ୍ତ ହେଲା ଋଷିର । ହସ୍ତ ସଙ୍କେତରେ ମୋର ଉପରେ ନିଷେଧାଜ୍ଞ ଜାରି କଲେ । ବାଧ୍ୟ ହେଇ ଆକ୍ରମଣରୁ ନିରସ୍ତ ହେଲି ।’

 

ହତାଶାର ବାହୁ ସଙ୍କୁଚିତ କଲା ମହାମଦ । ଦୁଃସ୍ଵପ୍ନର ଘୋର କଟିଗଲା କବିର । ସ୍ଵସ୍ତିର ନିଃଶ୍ଵାସ ଛାଡ଼ି କହିଲା ସେ, ‘ଅସୀମ କ୍ଷାନ୍ତି ମହାରାଜାଙ୍କର । କ୍ଷମତାବାନ ହେଇ ମଧ୍ୟ କ୍ଷମାର ଅବତାର ।’ 'ଦ୍ୱିତୀୟ ବଶିଷ୍ଠ ଇବ’, କହିଲା ସଭା-ପଣ୍ଡିତ । 'କି ରୋମାଞ୍ଚକର କାଣ୍ଡ ! ତା’ପରେ କ’ଣ ହେଲା ?’ ସଦସ୍ୟଗଣ ଏକ ସ୍ଵରରେ ଉଚ୍ଚାରଣ କଲେ ।

 

କୌତୂହଳୀ ସଦସ୍ୟମାନଙ୍କୁ ଲକ୍ଷ୍ୟ କରି କହିଲା କବି, ‘ଏହାପରେ ମଧ୍ୟ କି ଶୁଣିବାକୁ ଚାହଁ ଏଇ ଲୋକଶ୍ରୁତ କାହାଣୀ ? ତେବେ ମୁଁ କହୁଚି ଶୁଣ । ତା’ର ପରେ ମହାରାଜାଙ୍କର ଏଇ ବିଜୟ କୀର୍ତ୍ତି ଦେଖି, ସ୍ଵୟଂ ଇନ୍ଦ୍ର ସକିରୀଟ ତା’ର ମସ୍ତକ ଆନତ କଲା ଏଇ ରାଜଚୂଡ଼ାମଣିଙ୍କ ଚରଣ ପ୍ରାନ୍ତରେ । ଚରଣ ସ୍ପର୍ଶ କରିବାକୁ ଭୟ କଲା ପୁରନ୍ଦର । ତା’ର କିରୀଟର ରତ୍ନ ପ୍ରଭାରେ ସମୁଜ୍ଜ୍ଵଳ ହେଲା ମହାରାଜାଙ୍କ ପାଦପୀଠର ସନ୍ନିହିତ ଭୂମି କେବଳ । ସ୍ତୁତିରେ ମୁଖର ହେଲେ ଗନ୍ଧର୍ବ, ଚାରଣ । ଅପ୍‍ସରୀ ଓ କିନ୍ନରୀମାନଙ୍କୁ ସଙ୍ଗେ ଘେନି ସ୍ଵୟଂ ଇନ୍ଦ୍ରାଣୀ ବିହ୍ଵଳା ଭଳି–’

 

‘ନା, ତାହା ନୁହେଁ,’ ବାଧା ଦେଇ ଭୂଭଙ୍ଗୀ କରି ଉଠିଲା ମହାମଦ । କବି ଯେପରି ଜିଆ ହେଇଗଲା । ମଦଘୂର୍ଣ୍ଣିତ ଲୋଚନରେ ଗର୍ଜନ କରି ଉଠିଲା ମଦୋଦ୍ଧତ ରାଜା, ‘ଇନ୍ଦ୍ରର ଅର୍ଦ୍ଧାସନ ମୁଁ କାମନା କରେନା; ତୁଚ୍ଛ ଇନ୍ଦ୍ରତ୍ଵ, ତୁଚ୍ଛ ଇନ୍ଦ୍ରାଣୀର ସେବା । ମୁଁ ବିସ୍ମିତ ହେଲି ଚ୍ୟବନ ମୁନିର ବ୍ୟବହାର ଦେଖି । ସୁମହତ୍ ଏଇ କର୍ମର ପୁରସ୍କାରସ୍ୱରୂପ ସେ କିନା କହିଲେ, ‘ଆଜିଠାରୁ ସ୍ତ୍ରୀ, ପାନ, ଅକ୍ଷ ଓ ମୃଗୟାସକ୍ତ ବ୍ୟକ୍ତିଙ୍କ ମଧ୍ୟରେ ତୁମର ଅଧିକାର ବିସ୍ତୃତ ହେଲା । ଧାର୍ମିକ ନିଳୟରେ ତୁମର ପ୍ରବେଶ ନିଷିଦ୍ଧ । ଅଧାର୍ମିକ ହୃଦୟରେ ସ୍ଥାୟୀ ହେଉ ତୁମର ଆସନ । ଯାଅ ବତ୍ସ, ଏଇ ଅଧିକାର ଭୋଗ କର ।’ ନାସିକା କୁଞ୍ଚିତ କରି କହେ ରୁଷ୍ଟ ମହାମଦ, ‘ଚିରକାଳ ସ୍ୱାର୍ଥପର, ସଂକୀର୍ଣ୍ଣଚେତା ବ୍ରାହ୍ମଣ । ମହାମଦର ଅଧିକାର କେବଳ ଅଧର୍ମ-ଭୂମିରେ ସୀମାବଦ୍ଧ ରହିବ କାହିଁକି-? ମହାମଦ କି ହୀନବଳ ? ଯାର ଆକ୍ରମଣରେ ସ୍ତମ୍ଭିତ ଇନ୍ଦ୍ରର ବଜ୍ର–’

 

କ୍ରୋଧରେ ଉନ୍ମତ୍ତ ହୁଏ ସେ । ବୃହତ୍ ଅଗ୍ନିକୁଣ୍ଡସମ ନେତ୍ର ଯୁଗଳରୁ ନିର୍ଗତ ହୁଏ ଆଗ୍ନେୟ ନିଃସ୍ରାବ । ପ୍ରକାଣ୍ଡ ଦେହଟା କ୍ରମଶଃ ସ୍ଫୀତ ହେଉଥାଏ । ଯୋଜନ ବିସ୍ତୃତ ପଦ, ଯୋଜନ ବିସ୍ତୃତ ବାହୁ । ମନେ ହୁଏ, ମୁଣ୍ଡ ଯେପରି ଆକାଶ ସ୍ପର୍ଶ କରିଚି । ସିଂହନାଦ କରି କହେ, 'ବିଶ୍ଵ ଜଗତରେ ସ୍ୱରାଟ ମୁଁ, ସାର୍ବଭୌମ ସମ୍ରାଟ ମୁଁ । ମୋର ରାଜ୍ୟ ଋଷି ନିର୍ଦ୍ଦିଷ୍ଟ ସୀମାଠାରୁ ବହୁଦୂର ବିସ୍ତୃତ । ଧର୍ମରାଜ୍ୟକୁ ଆକ୍ରମଣ କରିଚି ମୁଁ । ଶାନ୍ତି ଓ ସନ୍ତୋଷ ମୋର ପରାକ୍ରମରେ ଅସ୍ଥିର । ଗ୍ରାମ ନୁହେଁ, ଜନପଦ ନୁହେଁ, ମହାଦେଶ ନୁହେଁ–ସପ୍ତଲୋକରେ ମୋର ଅବାଧ ଅଧିକାର । ମୁଁ ମାନ୍ଧାତାକୁ ମଦୋଦ୍ଧତ କରେ, ବିଶ୍ୱାମିତ୍ରକୁ ସ୍ୱର୍ଗଭ୍ରଷ୍ଟ କରେ । ମୋର ପରାକ୍ରମରେ ସ୍ତବ୍ଧ ଇନ୍ଦ୍ରର ବଜ୍ର । କିଏ ମୋର ସମକକ୍ଷ ?’

 

‘କେହି ନୁହେଁ ମହାରାଜ !' ପ୍ରଳାପରେ, ହୁଙ୍କାରରେ ମତ୍ତ କୋଳାହଳ ଉଠେ ସଭାସ୍ଥଳରେ । ଏପରି ସମୟରେ ସମସ୍ତ କୋଳାହଳକୁ ଅତିକ୍ରମ କରି ଜଳଦପ୍ରତିମ ସ୍ଵରରେ ବାହାରେ ନିନାଦିତ ହୁଏ ଏକ ମହାଗମ୍ଭୀର ନାଦ–‘ଅୟମହଂ ଭୋଃ ।’ 'କିଏ ?' ବିସ୍ମିତ ପ୍ରଶ୍ନ ଶେଷ ହେବା ଆଗରୁ ପ୍ରବେଶ କରନ୍ତି ପ୍ରବୃଦ୍ଧ ମହାକାଳ ଭଳି ବିପୁଳକାୟ ଜଣେ ବୃଦ୍ଧ । ଦେଖିବାକୁ ଅନେକାଂଶରେ ମହାମଦ ଭଳି । ତେବେ ମହାମଦ ଯୁବକ, ଆଗନ୍ତୁକ ବାର୍ଦ୍ଧକ୍ୟ ଭାବରେ ଈଷତ୍ ନତ । ଗାଢ଼ ରକ୍ତ ଭଳି ମହାମଦ ଘୋର କୃଷ୍ଣବର୍ଣ୍ଣ, ବୃଦ୍ଧ ଈଷତ୍ ତ୍ରାମ୍ରାଭ । ମହାମଦର ରକ୍ତବର୍ଣ୍ଣ ଦୀପ୍ତ ଚକ୍ଷୁ, ବୃଦ୍ଧର ନୟନ କିଞ୍ଚିତ୍ ନିଷ୍ପ୍ରଭ ଶ୍ଵେତସ୍ଫଟିକରେ ଗୋଟିଏ ମ୍ଳାନ ନୀଳା ଯେପରି । ଇୟେବି ମହାମଦ ଭଳି ଉଦ୍ଧତ, ଦାମ୍ଭିକ । ତେବେ ଭୂୟୋଦର୍ଶନ ଓ ବହୁଦର୍ଶନର ଏକପ୍ରକାର ସ୍ଥୈର୍ଯ୍ୟ ମୁଖ, ଚକ୍ଷୁ ଓ ସର୍ବାଙ୍ଗରେ । ତୁଳନାରେ ମନେ ହେବ, ମହାମଦ ତମୋଘନ ରଜ ଓ ବୃଦ୍ଧ ରଜୋଘନ ସତ୍ତ୍ୱମୂର୍ତ୍ତି ।

 

ସିଂହାସନରୁ ଉଠିଲାନି ଗର୍ବିତ ମହାମଦ । ମାନୀର ମର୍ଯ୍ୟାଦା ସୀମାଲଙ୍ଘନ କରିବାହିଁ ତା’ର ସ୍ଵଭାବ, ମଦୋଦ୍ଧତାରେ ପାତ୍ରାପାତ୍ର ବିଚାରହୀନ । ବୃଦ୍ଧ ଆଗେଇଗଲେ ସିଂହାସନ ଆଡ଼କୁ । ମନ୍ତ୍ରୀ ବାଧା ଦେଇ କହିଲା, ‘ସେଠାରେହିଁ ଅପେକ୍ଷା କରନ୍ତୁ, ମହାରାଜ କ୍ରୁଦ୍ଧ ହେଇ ପାରନ୍ତି ।' ସବିସ୍ମୟରେ ବୃଦ୍ଧ ପ୍ରଶ୍ନ କଲେ, ‘ଏହା କ’ଣ ମହାରାଜ ମହାମଦଙ୍କ ସଭା ନୁହେଁ ?' 'ଯାହାର ହେଉ, ଏହା ଏପରି ଜଣକର ସଭା, ଯାର ନିକଟରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ମସ୍ତକ ଆନତ କରନ୍ତି,’ କହିଲା ମନ୍ତ୍ରୀ । ‘ଅସ୍‍ପରୀ, କିନ୍ନରୀ, ବିଦ୍ୟାଧରୀ ଯାହାଙ୍କର ସେବା କରି ଧନ୍ୟା ହୁଅନ୍ତି,' ଚଟୁଳ ବାକ୍ୟରେ କହିଲା କବି । ‘ଯସ୍ୟ ନାସ୍ତି ତ୍ରିଲୋକେ ତୁଲ୍ୟ,' ଦେବ-ଭାଷାରେ କହିଲା ସଭାପଣ୍ଡିତ । 'ସତେ !' ସହାସ୍ୟରେ କହିଲେ ବୃଦ୍ଧ । ବୃଦ୍ଧର ସିତ ଦଶନ ମହାମଦର ଦନ୍ତପଂକ୍ତି ପରି ତୀକ୍ଷ୍ଣ ନୁହେଁ, କିନ୍ତୁ ସମୁଜ୍ଜ୍ଵଳ । ଶୁଭ୍ର ଭ୍ରୂ ଆକୁଞ୍ଚିତ କରି କହିଲେ ସେ, ‘ମୁଁ ମଧ୍ୟ କମ୍ ନୁହେଁ । ମୋର ତପୋବଳରେ ମୁଁ ଶତ ଶତ ବିଷ୍ଣୁ, ଶତ ଶତ ରୁଦ୍ର ନିପାତ କରିପାରେ । ସଂସାର ବୃକ୍ଷର ଆଦିମୂଳ ମୁଁ ।' ‘ଏତେ ସ୍ପର୍ଦ୍ଧା !' ସନ୍ନତ ଗ୍ରୀବା ଭଙ୍ଗୀ କରି କହିଲା ମହାମଦ, ‘କିଏ ତୁମେ ଏତେ ଶକ୍ତିମାନ ? ଜାଣ ମୋର ପରିଚୟ ? ଏହା କଳ୍ପନା ନୁହେଁ, କାହାଣୀ ନୁହେଁ–ଇନ୍ଦ୍ରର ବଜ୍ରକୁ ପ୍ରତିହତ କରିଚି ମୁଁ-।' ‘ସ୍ରକ ଚନ୍ଦନ ଘେନି ସ୍ଵୟଂ ଇନ୍ଦ୍ରାଣୀ ଯାହାଙ୍କୁ ବରଣ କରିଥିଲେ,' କହେ କବି । ‘ଯିଏ ଅହଂକାର–ମୂଳ ବଂଶର କୁଳପ୍ରଦୀପ,' କହେ ସଭା ପଣ୍ଡିତ । ‘ଓହୋ, ତାହାହେଲେ ତୁମେ ମହାମଦ,’ ରାଜାକୁ ଲକ୍ଷ୍ୟ କରି ସୋଲ୍ଲାସରେ କହିଲେ ବୃଦ୍ଧ, ‘ତୁମକୁହିଁ ଖୋଜୁଚି ମୁଁ । ମୁଁ ତୁମର ବୃଦ୍ଧ ପ୍ରପିତାମହ ଅହଂକାର ।’ ‘ଆପଣ !' କିଞ୍ଚିତ୍ ନତ ହେଲା ମହାମଦ । ‘ସ୍ୱାଗତମ୍ ସୁସ୍ୱାଗତମ୍ ! ଆସନ ଗ୍ରହଣ କରନ୍ତୁ ପ୍ରପିତାମହ,’ ଏକ ସ୍ଵରରେ କହିଲେ ସମସ୍ତେ ।

 

ଆସନ ଗ୍ରହଣ କଲେ ପ୍ରବୄଦ୍ଧ ଅହଂକାର । ବହୁଦିନରୁ ବାନପ୍ରସ୍ତ ଅବଲମ୍ୱନ କରିଚନ୍ତି ସେ । ଆଜି ହଠାତ୍ ଫେରି ଆସିଚନ୍ତି । କୁଶଳ ବାଚନ ଅନ୍ତେ ମହାମଦକୁ ଲକ୍ଷ୍ୟ କରି ସେ କହିଲେ, ‘ସାଧୁ, ସାଧୁ ! ଦେଖୁଚି, ଖୁବ୍ ବଡ଼ ହେଇଚ । ଦ୍ୱାପର ଯୁଗ ଶେଷରେ ତୁମର ଜନ୍ମ । ସେତେବେଳେ ଛୁଆଟିଏ ଥିଲ । କଳିରେ ତୁମର ଶରୀର ବେଶ୍ ବିଶାଳ ହେଇଚି ।’

 

ମହାମଦ ଆନନ୍ଦରେ ତୃପ୍ତିର ସ୍ମିତହାସ୍ୟ । ସଗର୍ବରେ ଉତ୍ତର କଲା ସଭାପଣ୍ଡିତ, ‘ଦେହ ଦିଗରୁ କେବଳ ମହାରାଜ ବଡ଼ ହେଇ ନାହାନ୍ତି, ବଂଶର ମର୍ଯ୍ୟାଦା ମଧ୍ୟ ଶତଗୁଣରେ ବର୍ଦ୍ଧିତ କରିଚନ୍ତି । ଅକ୍ଷସ୍ଥଳୀ ଓ ମୃଗୟା ସ୍ଥଳୀରେ ସୀମାବଦ୍ଧ ରାଜ୍ୟ ଆଜି ଧର୍ମରାଜ୍ୟ ପର୍ଯ୍ୟନ୍ତ ପ୍ରସାରିତ ।'

 

‘ତାହା ତ ପ୍ରତ୍ୟକ୍ଷରେ ଦେଖି ପାରୁଚି,’ କହିଲେ ଅହଂକାର, ଧର୍ମ ଆମର ଚିର ଶତ୍ରୁ । ତଥାପି ଆତ୍ମୀୟ ବୋଲି ଆମେ ତାକୁ ଟିକିଏ ଖାତିରି କରି ଚଳୁଥିଲୁ । ମହାମଦ ସେତକ ମଧ୍ୟ ବର୍ଜନ କରିଚନ୍ତି–ଉତ୍ତମ କରିଚନ୍ତି । ତେବେ ଗୋଟାଏ ବିଷୟ ଜଣାଇ ଦେବାକୁ ମୁଁ ଆଜି ଆସିଚି । ଆମର କୁଳ-ପଞ୍ଜି ତୁମକୁ ତ ଜଣାଥିବ ।' ମସ୍ତକ ସଞ୍ଚାଳନରେ ସ୍ଵୀକୃତି ଜଣାଇ ପଣ୍ଡିତକୁ କହିଲା ମହାମଦ, ‘ଆମର ବଂଶାବଳୀଟା ପିତାମହଙ୍କୁ ଶୁଣାଇ ଦିଅ ତ ପଣ୍ଡିତେ ।'

 

ପଣ୍ଡିତ ଆବୃତ୍ତି କଲା, ‘ପ୍ରକୃତେମହାନ୍, ମହତୋହଙ୍କାରଃ, ଅହଂକାରାତ୍ ମଦଃ । ମାଦ୍ୟତି ମନ୍ଦତେ ମଦଃ ।’ 'ଏତିକି ମାତ୍ର !' ବିଜ୍ଞତାର ହସ ହସିଲେ ପିତାମହ, ‘ଦେଖ, ବିସ୍ତୃତ ବଂଶ ପୀଠିକା ତୁମେ ଜାଣନି । କିମିତି ଜାଣନ୍ତ ? ବିଧିରେ, କଳିକାଳରେ ବଂଶ ଚରିତ ବିଶେଷ କେହି ମନେ ରଖନ୍ତିନି । ତା’ ଛଡ଼ା ତୁମର ଜନ୍ମ ତ ଏଇ ସେଦିନ ମାତ୍ର । ପ୍ରାକୃତ ସୃଷ୍ଟିର କ୍ରମାନୁସାରେ ତୁମେ ଷଷ୍ଠ ସୃଷ୍ଟି, ଆଉ ମୋର ସୃଷ୍ଟି ଦ୍ଵିତୀୟ । ଦେଖୁଦେଖୁ କେତେ କଳ୍ପ, କେତେ ମନ୍ଵନ୍ତର, କେତେ ଯୁଗ ଅତୀତ ହେଇଗଲା–ସବୁ ଇତିହାସ ମୋର ନଖଦର୍ପଣରେ । ବିସ୍ତୃତ ବଂଶାବଳୀ ତୁମର ଶୁଣି ରଖିବା ଉଚିତ । ସମ୍ପ୍ରତି ଯେଉଁ ପାପ ଗ୍ରହର ଦୃଷ୍ଟି ତୁମ ଉପରେ ପଡ଼ିଚି, ତାହା ମଧ୍ୟ ଜାଣିବା ଆବଶ୍ୟକ ।’

 

କିଛି ସମୟ ନୀରବ ହୁଅନ୍ତି ବୃଦ୍ଧ ପିତାମହ । ତା'ର ପରେ ସ୍ମୃତି ରୋମନ୍ଥନ କରି ଆବୃତ୍ତି କରନ୍ତି କୁଳର ଇତିହାସ : ‘ସୃଷ୍ଟିର ମୂଳରେ ଥିଲେ ଅସଙ୍ଗ, ନିର୍ଲିପ୍ତ ପୁରୁଷ ଆଉ ଗୁଣମୟୀ ଅନାଦି ପ୍ରକୃତି । ଏଇ ପ୍ରକୃତି ପୁରୁଷ ସଂସ୍ପର୍ଶରହିତ ହେଇହିଁ ‘ମହତ୍’ ନାମକ ପୁତ୍ରକୁ ଜନ୍ମ ଦିଅନ୍ତି । ମହତ୍‍ର ଦୁଇ ସ୍ତ୍ରୀ–‘ପ୍ରବୄତ୍ତି’ ଓ ‘ନିବୄତ୍ତି’ । ଏଇ ଦୁଇ ସ୍ତ୍ରୀରୁ ଦୁଇ ବଂଶ–'ଅଧର୍ମ' ଓ ‘ଧର୍ମ' । ପ୍ରବୃତ୍ତି ଜନନୀଠାରୁ ମୋର ଉତ୍ପତ୍ତି । କିନ୍ତୁ ସେଇ କୃତ ଯୁଗରେ ବିମାତା ନିବୄତ୍ତିଙ୍କୁ ମଧ୍ୟ ମୁଁ କେବେ ଉପେକ୍ଷା କରିନି । ଶତ୍ରୁତାବୋଧ ମୋରବି ଥିଲା କିନ୍ତୁ ଅତି ସାମାନ୍ୟ । ମୋର ସନ୍ତାନ ‘ମନ’ । ଅତ୍ୟନ୍ତ ଅସ୍ଥିର ଚିତ୍ତ, ଏଇ ସଂକଳ୍ପତ ଏଇ ବିକଳ୍ପ, ଅତିଶୟ ଚଞ୍ଚଳ । ତଥାପି ନିଜ କୃତିତ୍ଵରେ ସେ ପାଞ୍ଚାଳେଶ୍ଵର ହେଇଥିଲା । ‘କୁମତି', ‘ସୁମତି’ ନାମରେ ତା’ର ଦୁଇ ପତ୍ନୀ ମୋର ଦୁଇ ସ୍ନୁଷା । କିନ୍ତୁ ଗର୍ଭଧାରଣ କରିବା ପରେ ପରେ ସୁମତି ସଂସାରବିରାଗୀ ହେଲା । ମନ ପ୍ରମତ୍ତ ହେଇ ରହିଲା ପତ୍ନୀ କୁମତିକୁ ଘେନି । ଆମର ବଂଶଲତିକାର ବିସ୍ତାର ଏଇ କୁମତିଠାରୁହିଁ । ଦଶ ଇନ୍ଦ୍ରିୟ ଭୋଗରେ ତା’ର ଆନନ୍ଦ । ଏଇ ଭୋଗାନନ୍ଦର ଅମୃତ ଫଳ ତୁମର ପିତାମହ ‘ମହାମୋହ’ । ଆଶ୍ଚର୍ଯ୍ୟ ସନ୍ତାନ ! ଏପରି ସଂସାରାସକ୍ତି ସଚରାଚର ଦୃଷ୍ଟିଗୋଚର ହୁଏନି । ସେଇ ମହାମୋହର ସନ୍ତାନ ତୁମର ପିତା ‘ଲୋଭ’ ଓ ପିତୃବ୍ୟ ‘କ୍ରୋଧ’ । ପିତା ଲୋଭର ଔରସରେ ମାତା ‘ତୃଷ୍ଣା’ର ଗର୍ଭରୁ ତୁମର ଜନ୍ମ । ‘ଅହଂକାରାତ୍ ମଦଃ’–ଏକଥା ମିଥ୍ୟା ନୁହେଁ କାରଣ କାମ, କ୍ରୋଧ, ଲୋଭ–ସମସ୍ତେ ତ ମୋର କୁଳଦୁଲାଳ । ଆମ ବଂଶର ଅମିତ ବିକ୍ରମ । ବ୍ରହ୍ମା, ବିଷ୍ଣୁ, ରୁଦ୍ରର ମଧ୍ୟ ଆମର ହାତରେ ନିସ୍ତାର ନାଇଁ । କାମ ସର୍ବଜୟୀ, ରୁଦ୍ର କ୍ରୋଧବଶ, ଲୋଭପୁତ୍ର ମହାମଦ–ତୁମର ଗୌରବ ମଧ୍ୟ କମ୍ ନୁହେଁ; ତୁମେ ଇନ୍ଦ୍ରର ବଜ୍ରକୁ ପ୍ରତିହତ କରିଚ । କିନ୍ତୁ ବର୍ତ୍ତମାନ ସମୂହ ବିପଦ ଉପସ୍ଥିତ ।’

 

‘ବିପଦ !’ ଭ୍ରୂ ଆକୁଞ୍ଚିତ କଲା ମହାମଦ । ପିତାମହ କହିଲେ, 'ହଁ, ସେଥିପାଇଁ କେବଳ ମୁଁ ଆସିଚି । ଜାଣ ତ ପୁରାଣ ବାକ୍ୟ–ଅତି ଦର୍ପେ ହତା ଲଙ୍କା, ଅତିମାନେ ଚ କୌରବା ।’

 

‘ସେଥିରେ ମୋର କ’ଣ ଅଛି ?’ ସିଂହାନାଦରେ ପ୍ରଶ୍ନ କଲା ମହାମଦ ।

 

'ତୁମେବି ଯେ ଅତ୍ୟନ୍ତ ବଢ଼ି ଉଠିଚ । ଦର୍ପରେ, ଅତିମାନରେ ଉନ୍ମତ୍ତ ହେଇଚ । ସେଥିପାଇଁ କେବଳ ଭୟ–’

 

‘ଭୟ !’ ସାବେଗରେ ଭୂମି ଉପରେ ପଦାଘାତ କରି ଉଠିଲା ମହାମଦ ।

 

ଧୀର ଚିତ୍ତରେ ମନେମନେ ଆଲୋଚନା କଲେ ପ୍ରବୃଦ୍ଧ ଅହଂକାର : ମଦ ତାମସିକ ଅହଂର ପରିଣାମ । ସ୍ଥୈର୍ଯ୍ୟ, ଧୈର୍ଯ୍ୟ ବୋଲି ତା’ର କିଛି ନାଇଁ । ମୁଁ ଆଟ୍ୟ, ମୁଁ ଅଭିଜନବାନ, ଆଜି ମୋର ଏହା ଦରକାର, ଆଜି ଅମୁକକୁ ମୁଁ ନିହତ କରିବି–ଏପରି ତା’ର ଦମ୍ଭୋକ୍ତି । ବୃଦ୍ଧ ପିତାମହର ସତ୍ତ୍ଵଗୁଣରୁ ସେ ବଞ୍ଚିତ ।

 

ପ୍ରପୌତ୍ରର ମଦାନ୍ଧତାରେ ବେଦନା ଅନୁଭବ କଲେ ସେ । ହାୟ, କାଳ ଯାହାର ପ୍ରତ୍ୟାସନ୍ନ, ତା’ର ମଦୋଦ୍ଧତାକୁ ନିବାରଣ କରିବ କିଏ ? ମଦରେ ସ୍ମୃତିଭ୍ରଂଶତା, ସେଥିରୁ ବୁଦ୍ଧିନାଶ ଆଉ ‘ବୁଦ୍ଧିନାଶାତ୍ ପ୍ରଣଶ୍ୟତି ।’ ମୂଢ଼ର ମୃତ୍ୟୁ ଅବଶ୍ୟମ୍ଭାବୀ । ଉପଦେଶ ମଧ୍ୟ ତା’ର କ୍ରୋଧର କାରଣ ହୁଏ । ତଥାପି ଶାନ୍ତ କଣ୍ଠରେହିଁ କହିଲେ ପ୍ରବୃଦ୍ଧ ଅହଂକାର, ‘ଭୟର କାରଣ ଉପସ୍ଥିତ ବୋଲି କେବଳ ମୁଁ ଆସିଚି । ତୁମର ପ୍ରପିତାମହ ମନର ସୁମତି ନାମ୍ନୀ ଯେଉଁ ପତ୍ନୀ, ସେ ଧର୍ମକୁଳରେ ଆଶ୍ରୟ ନେଇଚନ୍ତି । 'ବିବେକ' ତାଙ୍କର ଏକମାତ୍ର ପୁତ୍ର । ସେଇ ବିବେକର କନ୍ୟା 'ପରଶ୍ରୀ-ଭାବନା' । ଶୁଣିଚି, ଅତି ଅପୂର୍ବ ତା’ର ରୂପ, ଆଶ୍ଚର୍ଯ୍ୟ ତା’ର ଶକ୍ତି । ବିଶ୍ଵର ସୌନ୍ଦର୍ଯ୍ୟ ଲକ୍ଷ୍ମୀ, ଶକ୍ତିର ମୂଳାଧାର ପରଶ୍ରୀ-ଭାବନା ।'

 

କଥା ଶେଷ ହେଇନି, କ୍ରୋଧରେ ଜ୍ଞାନହରା ହୁଏ ମହାମଦ । ପରର ଶ୍ରୀ-ଗୌରବରେ ସେ ଅସହିଷ୍ଣୁ । ବିଶେଷତଃ ସେ ନିଜେ କୁରୂପ, ଅନ୍ୟର ରୂପ-ସ୍ତୁତିରେ ସେ ଉନ୍ମାଦ ହେଇ ଉଠେ । ନିଦାରୁଣ ରୋଷରେ ଦନ୍ତରେ ସେ ଦନ୍ତ ଘର୍ଷଣ କରେ । ଆସନ ତ୍ୟାଗ କରି ଉଠିଲେ ବୃଦ୍ଧ ପିତାମହ । ବହୁଦର୍ଶୀ ସେ, ବଂଶର ପ୍ରକୃତି ତାଙ୍କୁ ଅଜ୍ଞାତ ନୁହେଁ । କ୍ରୋଧ, ପୌରୁଷ୍ୟ, ଅତିବାଦ, ହିଂସା ପ୍ରଭୃତି ଅଷ୍ଟାଦଶ ଦୋଷ ମହାମଦର । ଆଉ ରହିଲେ ହୁଏତ ଅପମାନିତ ହେଇ ପାରନ୍ତି । ସୁତରାଂ ସତ୍ଵର ବିଦାୟ ନେବାବେଳେ କହିଲେ, 'ଆମର ବଂଶ ପ୍ରତି ଦୈବବାଣୀ ଅଛି, ସୁମତିକୁଳଦ୍ଵାରା କୁମତିକୁଳ ନିର୍ଜିତ ହେବ । ପାପଗ୍ରହ ତୁମ ପ୍ରତି ଦୃଷ୍ଟି ଦେଇଚି । ତୁମ ପକ୍ଷରେ ଏହା ଅତି ଦୁଃସମୟ । ସାବଧାନ ରହିବ । ଆଶୀର୍ବାଦ କରେ, ତୁମର ମଙ୍ଗଳ ହେଉ ।’

 

ପ୍ରଦୋଷକୁ ଦୋଷାର ଆଶ୍ରୟରେ ରଖି ଦିନାନ୍ତର ସୂର୍ଯ୍ୟ ଯେପରି ବିଦାୟ ନିଅନ୍ତି, ସ୍ତାବକ ଆଉ କୁମନ୍ତ୍ରୀର ନିକଟରେ ମହାମଦକୁ ରଖି ବିଦାୟ ନେଲେ ପ୍ରବୃଦ୍ଧ ଅହଂକାର । କ୍ରୋଧରେ କମ୍ପୁଥାଏ ମହାମଦ । ତା’ର ବିରାଟ ଦେହଟା ଆହୁରି ବିରାଟାକାର ଧାରଣ କରେ–ମେଘ ଉପରେ ଯେପରି ବିସ୍ତୃତ ହେଲା ପ୍ରଳୟକାଳୀନ ମେଘ । ରକ୍ତ-ଲୋଚନରେ ରୋଷାଗ୍ନି, ଯୁଗାନ୍ତର ବହ୍ନିଦୀପ୍ତି । ସେଇ ସର୍ବାନ୍ତକ ନୟନ ମେଲି ସେ ପଚାଶ କୋଟି ଯୋଜନ ବିଶ୍ୱ ପ୍ରତି କ୍ରୋଧ ଦୃଷ୍ଟିନିକ୍ଷେପ କରେ ।

 

ସହସା ଦ୍ରୁତପଦରେ ପ୍ରବେଶ କଲା ସୀମାନ୍ତର ଦୂତ । କରଯୋଡ଼ରେ ନିବେଦନ କଲା, 'ମହାରାଜ, ବିପଦ ଆସନ୍ନ । ସୀମାନ୍ତର ଧର୍ମରାଜ୍ୟରେ ପ୍ରଜାମାନେ ବିଦ୍ରୋହୀ ହେଇଚନ୍ତି ।’

 

‘ବିଦ୍ରୋହୀ !’ ରକ୍ତଲୋଚନରେ ଚାହେଁ ମହାମଦ ।

 

‘ଅଶାନ୍ତ ସେ ବିଦ୍ରୋହ, ଦୁର୍ଦ୍ଦମ ।’

 

‘ଅଶାନ୍ତ ! ଦୁର୍ଦ୍ଦମ ! ମୋର ଭଣ୍ଡାର ଉନ୍ମୁକ୍ତ କରିଦେଇ ପାରିଲନି ? ରତ୍ନ ମାଣିକ୍ୟ ବିଞ୍ଛି ଦେଇ ବଶ କରି ପାରିଲନି ସେମାନଙ୍କୁ ?’

 

‘ଅର୍ଥ ବିତରଣରେ ତ୍ରୁଟି କରାହେଇନି ମହାରାଜ ! ମନେ ହୁଏ, ସର୍ବଶ୍ରୀ ସେମାନଙ୍କର କରାୟତ୍ତ । କୁବେରର ଐଶ୍ୱର୍ଯ୍ୟ ସେମାନଙ୍କ ଅଧିକାରରେ ।’

 

‘ଏତେଦୂର ! ଶକ୍ତି କି କମ୍ ମହାମଦର ? ଶକ୍ତି ପ୍ରୟୋଗ କରି ପାରିଲନି ?’

 

‘ସମସ୍ତ ଶକ୍ତି ବ୍ୟର୍ଥ ହେଇଚି ମହାରାଜ ! ସତେ ଯେପରି ବିଶ୍ୱର ପୁଞ୍ଜିତଶକ୍ତି ସେମାନେ ଲାଭ କରିଚନ୍ତି । ଉଲ୍କା ଭଳି ଜ୍ଵାଳାମୟ, ଧୂମକେତୁ ଭଳି ଗତି, ବଜ୍ରଠାରୁ ଅଧିକ ସେ ଶକ୍ତି ।’

 

‘ସ୍ତବ୍ଧ ହୁଅ’, ସିଂହନାଦରେ ଗର୍ଜନ କରି ଉଠେ ମହାମଦ । ସେ ଗର୍ଜନରେ ଶ୍ରୁତିମୂଳ ବିଦୀର୍ଣ୍ଣ ହେଇଯାଏ । ଈର୍ଷାରେ ଆରକ୍ତ, ଅଗ୍ନିମୟ ଅକ୍ଷିଗୋଲକରୁ ଆଗ୍ନେୟ ଉଚ୍ଛ୍ୱାସ ଯେପରି ବିସ୍ଫୁରିତ ହେଉଚି । ମଦସ୍ଖଳିତ କଣ୍ଠରେ କହେ ସେ, ‘ଜାଣ ମୁଁ କିଏ ? କା’ର ସମ୍ମୁଖରେ ଠିଆ ହେଇ ଅନ୍ୟର ପ୍ରଶଂସାବାଣୀ ଉଚ୍ଚାରଣ କରୁଚ ସମ୍ବାଦବାହକ ?’

 

କମ୍ପିତ କଣ୍ଠରେ କହିଲା ଦୂତ, ‘ଜାଣେ ମହାରାଜ ! ବିଶ୍ଵର ମହାମଦ–ମହାଭୟଙ୍କର । ତ୍ରିଲୋକ-ବିଜୟୀ ଶକ୍ତି, ତ୍ରିଲୋକ ଆକର୍ଷକାରୀ ଐଶ୍ଵର୍ଯ୍ୟ । କିନ୍ତୁ ତଦପେକ୍ଷା–’

 

ଦୂତର ବାକ୍ୟ ଶେଷ ହୁଏନି । ମହାଦମ୍ଭରେ ହୁଙ୍କାର କରିଉଠେ ମହାମଦ, ’ମୁଁ ଦେଖିବି କେତେ ଶକ୍ତି ସେମାନଙ୍କର । ସୈନ୍ୟ ସଜ୍ଜିତ କର ସେନାପତି । ଦେଖିବି କେତେ ତେଜ ସେ ବିଦ୍ରୋହୀଙ୍କର ।’

 

ସଭା ଭାଙ୍ଗିଗଲା । ତୁମୂଳ ଆସ୍ଫାଳନ ଆଉ ଭଗ୍ର କୋଳାହଳରେ ପୂର୍ଣ୍ଣହୁଏ ଗଗନତଳ । ବନ୍ଦୀର ସ୍ତୁତି ମିଳାଇ ଯାଏଁ ରଣବାଦ୍ୟର ଶବ୍ଦରେ । ନିମେଷକରେ ଯୁଦ୍ଧସାଜରେ ସଜ୍ଜିତ ହେଇ ଯାତ୍ରା କରେ ଚତୁରଙ୍ଗ ସେନା । ସେନାବାହିନୀର ପୁରୋଭାଗରେ ଦୁର୍ମଦ ମହାମଦ ।

 

ମହାମଦ ରାଜ୍ୟର ପ୍ରତ୍ୟନ୍ତ ସୀମାରେ ତୀର୍ଥରାଜ ଚକ୍ରତୀର୍ଥ । ଏପାରି ବିଶାଳ ପ୍ରାନ୍ତର, ସେପାରି ସେଇ ଧର୍ମତୀର୍ଥ, ମଧ୍ୟରେ ଖରସ୍ରୋତା ନଦୀ । ଶମ, ଦମ, ଯମ ଓ ନିୟମରେ ଶାନ୍ତିମୟ ଧର୍ମନିକେତନ । ସେଠାରେ ମଦୋଦ୍ଧତା ନାଇଁ, ନାଇଁ ତାମସିକ ଅହଂକାର । ଲୋଭ ଓ ତୃଷ୍ଣା, କ୍ରୋଧ ଓ ହିଂସା ବିବର୍ଜିତ ଧର୍ମର ରାଜତ୍ୱ । ବେଦବିହିତ ଆଚରଣ, ଧର୍ମବିହିତ କର୍ମ, ଶାସ୍ତ୍ରବିହିତ ନିୟମରେ ପ୍ରତିଷ୍ଠିତ ତପସ୍ୟାସ୍ଥଳ । ସେଠାରେ ଅଛନ୍ତି–ଆର୍ଯ୍ୟା ବ୍ରହ୍ମବିଦ୍ୟା, ଦେବୀ ଶ୍ରଦ୍ଧା, ରହିଚନ୍ତି ବିବେକ ଓ ସନ୍ତୋଷ । ଗୃହେ ଗୃହେ ସ୍ନେହର ସ୍ପର୍ଶ ଦେଇଥାନ୍ତି ଶାନ୍ତି, ମିତ୍ରା, ଅନସୂୟା । ମହାମଦ ଅତିମଦରେ ସ୍ଫୀତ ହେଇ ଏଇ ରାଜ୍ୟର କିୟଦଂଶ ଅଧିକାର କରିଥିଲା ହେତୁବାଦୀ ଚାର୍ବାକ ଆଉ ବ୍ୟଭିଚାରୀ କାପାଳିକର ସହାୟତାରେ । ଆଜି ସେହି ଅଂଶ ବିଦ୍ରୋହୀ ।

 

ମହାଦମ୍ଭରେ ବିଦ୍ରୋହ ଦମନ କରିବାକୁ ଆସିଲା ମହାମଦ । ସୈନ୍ୟ କୋଳାହଳରେ, ହୟ, ହସ୍ତୀ, ପଦାତିର ‘ହଂ’ ହୁଙ୍କାରରେ ପୂର୍ଣ୍ଣ ହେଲା ଗଗନ । ଏପାରି ମହାମଦର ଅଜେୟ ବାହିନୀ, ସେପାରି ଧର୍ମବ୍ୟୂହ–ଶାନ୍ତି ରକ୍ଷାରେ ତତ୍ପର ମିତ୍ରା, ଅନସୂୟା ଓ ସନ୍ତୋଷ ।

 

ସନ୍ଧ୍ୟାର ଅନ୍ଧକାର ଘୋର ହେବା ସଙ୍ଗେ ସଙ୍ଗେ ମହାମଦର ସୈନ୍ୟ ଦଳ ଧର୍ମଚକ୍ର ଆକ୍ରମଣ କଲେ । ସନ୍ଧ୍ୟାରେ ପ୍ରଚଣ୍ଡ ହେଇ ଉଠିଲା ଅସୁରଶକ୍ତି । ଆସୁରିକ ଶକ୍ତି ମହାମଦର ସୈନ୍ୟ ଦଳରେ । କ୍ରୋଧରେ ପୀଡ଼ନରେ ସନ୍ତ୍ରସ୍ତ ହେଇ ଉଠିଲା ଶାନ୍ତିର ନୀଡ଼ । ନିର୍ମମ, ନିର୍ଦ୍ଦୟ, କ୍ଷମାହୀନ ପୀଡ଼ନ । ହୁଙ୍କାର ଗର୍ଜନରେ ହିଂସାର ମତ୍ତତା । ପ୍ରାନ୍ତର ବିଦୀର୍ଣ୍ଣ କରି ଉଠିଲା ମର୍ମବିଦାରୀ ଆର୍ତ୍ତନାଦ । ସର୍ବାପେକ୍ଷା ଭୟଙ୍କର ମହାମଦ । ଆଜି ତା’ର କାଳଭୈରବ ମୂର୍ତ୍ତି–ଭ୍ରୂକୁଟି–କୁଟିଳ, ଉଗ୍ର, ଭୟାବହ । ରାତ୍ରି ଯେତେ ଗଭୀର ହୁଏ, ସେତେ ଅଧିକ ହୁଏ ତା’ର ପ୍ରଚଣ୍ଡ ଆଲୋକ । ଅସ୍ଥିର ମସ୍ତିଷ୍କ । ବନ୍ଧନମୁକ୍ତ ଦିଗ୍‍ଗଜ ମୁଖରେ ମଦାନ୍ଧ ଗର୍ଜନ । ଭୀଷଣ ତା’ର ଆକୃତି-। ଶ୍ରାନ୍ତି ନାଇଁ, କ୍ଷାନ୍ତି ନାଇଁ–ଅଶାନ୍ତ, କ୍ରୋଧାନ୍ଧ କୃତାନ୍ତ ଯେପରି । ସାରା ରାତ୍ରିକାଳ-ରାତ୍ରିର ପ୍ରଳୟ–ସଂହାର ଲୀଳାରେ ସଂହୃତ ସୃଷ୍ଟି । ଚତୁର୍ଦ୍ଦିଗରେ ମହାମଦର ଜୟଧ୍ଵନି । ସତେ ଯେପରି ବିପର୍ଯ୍ୟସ୍ତ ଧର୍ମରାଜ୍ୟ–ମୂର୍ଚ୍ଛିତା ମିତ୍ରା, ଶାନ୍ତିର ଆନନ୍ଦ ନୀଡ଼ରେ ଆର୍ତ୍ତକ୍ରନ୍ଦନ, ଅଶ୍ରୁ ଛଳଛଳ ଅନସୂୟା ନୟନ-

 

କାଳରାତ୍ରି ସୁଚିରସ୍ଥାୟୀ ନୁହେଁ । ରାତ୍ରି ଶେଷରେ ଉଷାର ଶୁଭ୍ର ପ୍ରକାଶ ଦେଖା ଦିଏ ପୂର୍ବ ଆକାଶରେ । ଜ୍ୟୋତିର୍ମୟ ସୂର୍ଯ୍ୟର ଅଗ୍ରଦୂତୀ ଉଷା–କରୁଣାର କମକାନ୍ତି, ଅମୃତ ଓ ଅଭୟର ବାଣୀବାହିକା । ତା’ର ଚରଣରେ ମସ୍ତକ ଆନତ କରେ ସଦୋଷା ଅନ୍ଧକାର । ମହାଘୋର ଅନ୍ଧକାର ଭଳି ମହାମଦର ସୈନ୍ୟ ଦଳ–ଉଦ୍ୟତ ବାହୁ, ଉଦ୍ଦାମ ଔଦ୍ଧତ୍ୟ । ସେମାନଙ୍କ ସମ୍ମୁଖରେ ଧର୍ମବ୍ୟୂହ ଭିତରୁ ଆସି ଉଭା ହେଲା ଉଷା ଭଳି ଜ୍ୟୋତିର୍ମୟୀ ଏକ ନାରୀ । କାଞ୍ଚନ ପ୍ରଭାରେ ଭାସ୍ଵର ଅଙ୍ଗ, କୁଞ୍ଚିତ କୁନ୍ତଳରେ ମହାକାଶର ନୀଳିମା, ଆୟତ ନୟନରେ ସୁଧା ସାଗରର ପିୟୁଷଧାରା । ନବନୀତ ଭଳି କମନୀୟ ସ୍ନିଗ୍ଧ କାନ୍ତି । ମଦୋଦ୍ଧତ ସୈନ୍ୟ ଦଳ ନେତ୍ରଭରି ଦେଖୁଚନ୍ତି ଏ ଦିବ୍ୟ ସୌନ୍ଦର୍ଯ୍ୟ । ସ୍ତବ୍ଧ ମଦମତ୍ତ ଗର୍ଜନ, ଶାନ୍ତ ଅସ୍ତ୍ର ଝନତ୍‍କାର, ସ୍ତମ୍ଭିତ ଶକ୍ତି–ମୁହୂର୍ତ୍ତକରେ ସତେ ଯେପରି ମନ୍ତ୍ରଶାନ୍ତ ସହସ୍ର ଭୁଜଙ୍ଗ ।

 

ମହାମଦକୁ ମଧ୍ୟ ବିହ୍ୱଳତା ସ୍ପର୍ଶକରେ । କିନ୍ତୁ ତାହା ମୁହୂର୍ତ୍ତକ ପାଇଁ । ସ୍ୱସୈନ୍ୟ ଦଳର କ୍ଳୀବତ୍ଵ ତାକୁ ଉନ୍ମାଦ କରି ତୋଳେ । ଆରକ୍ତ ନୟନରେ, ଦମ୍ଭଭରେ ସେ ଠିଆ ହୁଏ ସେଇ ନାରୀର ସମ୍ମୁଖରେ । ମେଘମନ୍ଦ୍ର ଗର୍ଜନ କରି କହେ, ‘ଜାଣ, ବିଶ୍ଵତ୍ରାସ ମୁଁ ମହାମଦ ? ଜଗତରେ ଅଜେୟ । ଇନ୍ଦ୍ରର ବଜ୍ର ପ୍ରତିହତ ହୁଏ ମୋର ତେଜରେ ।’

 

‘ଜାଣେ; ଜାଣେ ବୋଲି ତ ଆସିଚି ମୁଁ; ବୀଣାନିନ୍ଦିତ କଣ୍ଠରେ ବୋଲି ବରବର୍ଣ୍ଣିନୀ, ‘ଆଶ୍ଚର୍ଯ୍ୟ ତୁମର ଶକ୍ତି, ବିଶ୍ଵବ୍ୟାପୀ କ୍ଷମତା । ଇନ୍ଦ୍ର ଅପେକ୍ଷା ଅମିତ ତେଜ, କୁବେରଠାରୁ ଅଧିକ ଆମେୟ ଐଶ୍ୱର୍ଯ୍ୟ, ବରୁଣ ଅପେକ୍ଷା ବିରାଟ ଗାମ୍ଭୀର୍ଯ୍ୟ । ତୁମ ସମକକ୍ଷ କିଏ ହେବ ! ତୁମର ଶ୍ରୀରେ ବଡ଼ ଆନନ୍ଦ ମୋର ।’

 

ସ୍ତମ୍ଭିତ ମହାମଦ । ମଦେ ମତ୍ତ ସେ, ସ୍ତୁତିବାଦରେ ତା’ର ଆନନ୍ଦ । କିନ୍ତୁ ସ୍ତାବକମାନଙ୍କ ମୁହଁରୁ ମଧ୍ୟ ଏପରି ସ୍ତୁତିବାଦ ସେ କେବେ ଶୁଣିନି । ସେମାନଙ୍କର ସ୍ତୁତି ମହାମଦକୁ ମାତାଳ କରେ, କିନ୍ତୁ ଏ ସ୍ତୁତିର ଏ କି ବିଗଳନ ସ୍ଵଭାବ ! ଅରୁଣ ସ୍ପର୍ଶରେ ଗଳନାଙ୍କ ସୀମାରେ ଯେପରି ଆସି ପହୁଞ୍ଚେ କଠିନ ତୁଷାର, ସେପରି ଅବସ୍ଥା ମହାମଦର । ସେ ମୋହିତ ହେଇଯାଏ ମୋହନ–ମୁଖର ମୋହିନୀ ମାୟାରେ । ମିତ୍ର, ସସ୍ମିତ ବାକ୍ୟରେ ବୋଲେ ମଞ୍ଜୁଭାଷିଣୀ, ‘ତୁମର ଶ୍ରୀରେ ବଡ଼ ଆନନ୍ଦ ମୋର । ରକ୍ତ, ନୀଳ, ଜରଦର ରଙ୍ଗ ଦେହରେ ବୋଳି ହେଇ ଶୁଭ ସ୍ଫଟିକ ଯେପରି ସୁଖ ଅନୁଭବ କରେ, ପରର ଐଶ୍ୱର୍ଯ୍ୟ ଚିନ୍ତାରେ ମୋର ସେ ପ୍ରକାର ସୁଖାନୁଭୂତି ହେଇଥାଏ । କି ବିରାଟ ତୁମର ଦେହ, ବିପୁଳ ତୁମର ଶକ୍ତି !’

 

ବିସ୍ମିତ ହୁଏ ମହାମଦ । କିଏ ଏହି ମଧୁଭାଷିଣୀ ? ଏ କି ତା’ର ଶତ୍ରୁ ? ଶତ୍ରୁ ଯଦି, ଏହାର ଆଖିରେ ରୋଷାରୁଣ କାହିଁ, ରଣଚଣ୍ଡୀର ଅଟ୍ଟହାସ କାହିଁ, ମୁହୁମୁହୁଃ ଗର୍ଜନ ବା କାହିଁ ? ନୟନରେ ଅଶ୍ରୁସଜଳ ସ୍ନିଗ୍ଧତା, ଅଧରରେ ଭୁବନ ଭୁଲାଣିଆ ହସ, କଣ୍ଠରେ ମଧୁର-ମଞ୍ଜୁଭାଷା, କିଏ ଏହି କାମିନୀ ? ନାଗେଶ୍ୱରର ମୋହନ ସ୍ଵରରେ କାଳଫଣୀ ମୁଗ୍ଧ ହେଲା ଭଳି, ମହାମଦ ମୋହଗ୍ରସ୍ତ ହେଇ ପଡ଼ୁଚି ଯେପରି ।

 

ମୁଦାରାରେ ମନ୍ଦ୍ରିତ ହୁଏ ବୀଣର ତାର । କଠିନ ଅଥଚ ସୁହୃତ୍-ସସ୍ମିତ ବାକ୍ୟରେ ବୋଲେ ଲାବଣ୍ୟମୟୀ ଲଳନା, ‘ଏତେ ପାଇ ସୁଦ୍ଧା କେତେ ବା ପାଇଲ ତୁମେ ? ଆକାଂକ୍ଷାର କି ଶେଷ ଅଛି ? ମଣିଷ ଇନ୍ଦ୍ରତ୍ଵ କାମନା କରେ, ଇନ୍ଦ୍ର କାମନା କରେ ବ୍ରହ୍ମତ୍ଵ, ବ୍ରହ୍ମା କାମନା କରନ୍ତି ବ୍ରହ୍ମଲୋକ । କିନ୍ତୁ ଶାନ୍ତି କାହିଁ ? ତୁମେ ଶକ୍ତିମାନ–ଶକ୍ତିର ଶେଷ ସୀମା ଦେଖିଚ କି ? ତୁମେ ଐଶ୍ୱର୍ଯ୍ୟଶାଳୀ–ଐଶ୍ୱର୍ଯ୍ୟର ଅନ୍ତ ପାଇଚ କି ? ଉଗ୍ର ମଦ, ବିପୁଳ ଦମ୍ଭ ମଣିଷକୁ ମାତାଲ କରି ତୋଳେ–ଉତ୍କଟ ପୀଡ଼ନରେ ପୀଡ଼ିତ ସୃଷ୍ଟି–’

 

କମ୍ପିତ ବୀଣାର ତାର । ବେଦନାର ଅନୁରଣନ । କରୁଣାମୟୀର ନୟନ ଅଶ୍ରୁ ଛଳଛଳ । ସଜଳ କଣ୍ଠରେ ସେ କହେ, ‘ଦମ୍ଭ, ଦର୍ପ, ଅତିମାନିତାରେ ଜଗତରେ କିଏ ସ୍ଥିର ପ୍ରତିଷ୍ଠା ଅର୍ଜନ କରିଚି ? ଗର୍ବିତ ବଳିରାଜ, ବିଶ୍ୱତ୍ରାସୀ ରାବଣ–କହିପାର କାହାର ପତନ ହେଇନି ? ଅହଂକାରର ଅବଶ୍ୟମ୍ଭାବୀ ପରିଣାମ ପତନ, ମଦର ଶେଷାଶ୍ରୟ ମୃତ୍ୟୁ ।’

 

ଥରି ଯାଉଚି ମହାମଦ । ଇନ୍ଦ୍ରର ବଜ୍ର ସମ୍ମୁଖରେ ଯିଏ ସ୍ଥିର, ମଞ୍ଜୁଭାଷିଣୀର ବାଣୀରେ ସେ ଅସ୍ଥିର । ଭୟରେ ନୁହେଁ, କ୍ରୋଧରେ । କ’ଣ କହୁଚି ଏ ସାମାନ୍ୟ ନାରୀ ? ଅହଂକାରର ଅବଶ୍ୟମ୍ଭାବୀ ପରିଣାମ ପତନ ? ମଦର ଶେଷାଶ୍ରାୟ ମୃତ୍ୟୁ ? ବିଶାଳ ଦେହ ଆଲୋଡ଼ିତ କରି ଜାଗେ କ୍ରୋଧର ପ୍ରଥମ ଶିହରଣ । ସେଇ ଶିହରଣକୁ ଏଥର ଉଗ୍ରତର କରେ କୋମଳ ନାରୀକଣ୍ଠର ଗୁରୁଗମ୍ଭୀର ଧ୍ଵନି, 'ଶେଷ ପରିଣାମ ସ୍ମରଣ କର ମହାମଦ । ଅତିମାତ୍ରାରେ ବର୍ଦ୍ଧିତ ହେଇଚ ତୁମେ । ମଦରେ ତୁମେ ଅନ୍ଧ, ଈର୍ଷାରେ ତୁମେ ଭ୍ରାନ୍ତ, ହିଂସାରେ ଆଚ୍ଛନ୍ନ ତୁମର ବୁଦ୍ଧି । ତୁମର ପତନ ଆସନ୍ନ ।’

 

‘ପତନ ଆସନ୍ନ ?' ମହାକ୍ରୋଧରେ ଦିଗ୍‍ବିଦିଗ୍ ଜ୍ଞାନଶୂନ୍ୟ ହୁଏ ମହାମଦ । ବିଶାଳ ବପୁରେ ବିପୁଳ କମ୍ପନ–ରକ୍ତରେ ଯେପରି ବିଦ୍ୟୁତର ସ୍ପର୍ଶ ! ପ୍ରଚଣ୍ଡ ଗର୍ଜନ କରି ସେ ଅଗ୍ରସର ହୁଏ କୋମଳାଙ୍ଗୀ ପ୍ରତି । କୋମଳତାର ଗଳା ଚିପି ମାରିବ ସେ ।

 

ପ୍ରଳୟ ମେଘ ମୁହଁରେ ଶାନ୍ତ, ସ୍ଥିର ଚନ୍ଦ୍ରଲେଖା ଭଳି ଉଦ୍ୟତ ଆକ୍ରମଣ ମୁହଁରେ ସ୍ଥିର ରହେ ମୋହିନୀ ତନ୍ଵଙ୍ଗୀ । କି ଅପରୂପ ଲାବଣ୍ୟ ! ଦେହରେ ସ୍ନିଗ୍ଧ ଚନ୍ଦ୍ରକାନ୍ତି, ନୟନରେ ସନ୍ଧ୍ୟାର କଜ୍ଜ୍ୱଳ, ଅଧରରେ ପ୍ରଭାତ ଅରୁଣର ରକ୍ତରାଗ । ସର୍ବାଙ୍ଗରେ ଅନମନୀୟ ଶକ୍ତି-ଦୀପ୍ତି । ସୌମ୍ୟା, ସୌମ୍ୟତରା ଅଥଚ ବଜ୍ର କଠିନ ଦୃଢ଼ତା ।

 

ମହାମଦର ମସ୍ତିଷ୍କରେ ଯୁଗାନ୍ତର ମେଘଡ଼ମ୍ବର, ସଘନ ଉଦ୍‍ବେଳନ । କିଏ ଏଇ ନାରୀ-? କିଏ ଏଇ ରୁଦ୍ରରୂପା ରୂପସୀ ? ବିଦ୍ୟୁତ୍ ଚମକ ଭଳି ଚକିତେ ଚମକ ଦେଇଯାଏ ପିତାମହଙ୍କ ବାଣୀ–ବିବେକ–କନ୍ୟା ପରଶ୍ରୀ-ଭାବନା, ଅଦ୍ଭୁତ ତା’ର ରୂପ, ଆଶ୍ଚର୍ଯ୍ୟ ତା’ର ଶକ୍ତି । ଚିତ୍କାର କରି ଉଠେ ମହାମଦ, ‘କିଏ ତୁମେ, କହ କିଏ ତୁମେ ?’

 

ଶାନ୍ତ ମଧୁର କଣ୍ଠରେ କହେ ତନ୍ୱୀ, ‘ମୁଁ ପରଶ୍ରୀ-ଭାବନା ।’ ‘ପରଶ୍ରୀ-ଭାବନା ! ଆମ ବଂଶର ଶତ୍ରୁ ? ଶତ୍ରୁପକ୍ଷର କନ୍ୟା ?’ ଉନ୍ମତ୍ତ ହୁଏ ମହାମଦ । ଉଚ୍ଚ ତଥା ଦ୍ରୁତ ସ୍ଵରରେ କହେ ପରଶ୍ରୀ ଭାବନା, ‘ନା, ନା, ଶତ୍ରୁ ନୁହେଁ । ଶତ୍ରୁ କାହିଁକି ହେବି ? ତୁମେ ମୋର ପର ନୁହ । ତୁମେ ଯେ ଆମରହିଁ–’

 

କଥା ଶେଷ ହୁଏନି । କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନୁହେଁ ମହାମଦ । କ୍ରୋଧାନ୍ଧ ଗର୍ଜନରେ ଶୁଣା ଯାଏନି କୌଣସି କଥା । ଗୋଟିଏ ଅତି ସ୍ଥିର ବିନ୍ଦୁକୁ କେନ୍ଦ୍ର କରି ଯେପରି ପ୍ରଚଣ୍ଡ ବେଗରେ ଘୂର୍ଣ୍ଣିତ ହୁଏ ଚକ୍ରନେମି, ପରଶ୍ରୀ–ଭାବନାକୁ କେନ୍ଦ୍ର କରି ସେପରି ପ୍ରବଳ ବେଗରେ ଘୂର୍ଣ୍ଣିତ ହୁଏ ମହାମଦର ମସ୍ତିଷ୍କ । ଘୂର୍ଣ୍ଣିତ ପାଦ ତଳର ମାଟି, ଘୂର୍ଣ୍ଣିତ ବାୟୁ, ଘୂର୍ଣ୍ଣିତ ବ୍ୟୋମ–ବିଘୂର୍ଣ୍ଣିତ ବସୁନ୍ଧରା । ଘୋର ମଦାତଙ୍କଗ୍ରସ୍ତ ବ୍ୟକ୍ତି ଭଳି ସେ ଅଗ୍ରସର ହୁଏ । ଶୂନ୍ୟରେ ଉତ୍ଥିତ ପଦ, ଶୂନ୍ୟରେ ଉଦ୍ୟତ ବାହୁ । ଶତ୍ରୁ କନ୍ୟାକୁ କବଳିତ କରି ପିଷ୍ଟ କରିବାକୁ ଚାହେଁ ସେ । କିନ୍ତୁ ତା’ର ଶକ୍ତି ଯେପରି ଲୁପ୍ତ ହେଇଯାଉଚି, ବୁଦ୍ଧି, କର୍ମେନ୍ଦ୍ରିୟ ବିଦ୍ରୋହୀ ହେଇଚନ୍ତି । ଗତିରେ ସ୍ଖଳିତ ଚରଣ, ମହାଶୂନ୍ୟରେ ବ୍ୟର୍ଥ ବାହୁ ଆସ୍ଫାଳନ । ଉତ୍କଟ ମଦାତ୍ୟୟ । ତଥାପି ଘୋର ଗର୍ଜନ କରି ସେ ଅଗ୍ରସର ହୁଏ, କିନ୍ତୁ ପଦସ୍ଖଳିତ ହେଇ, ଅଧିକତର ବିକଟ ଗର୍ଜନ କରି ଛିନ୍ନମୂଳ ବନସ୍ପତି ଭଳି ଭୂମିରେ ଲୁଣ୍ଠିତ ହୁଏ ଦୁର୍ମଦ ।

 

ଅନ୍ତରରେ ମୁକ୍ତ କରୁଣାର ନିର୍ଝର, ନୟନରେ ଉଚ୍ଛଳ ବେଦନାଶ୍ରୁ, ପରଶ୍ରୀ-ଭାବନା ଦ୍ରୁତପଦରେ ଆଗେଇ ଆସି ତ୍ୱରିତେ ନିଜ କୋଳକୁ ତୋଳିନିଏ ତା’ର ମୂର୍ଚ୍ଛିତ ମସ୍ତିକ । ଗଭୀର ମମତାରେ ସ୍ନେହସ୍ପର୍ଶ ବୁଲାଇ ଦିଏ ମହାମଦର ସର୍ବାଙ୍ଗରେ ।

 

ଅନାଦି ପ୍ରକୃତି, ସାର ଭୁବନମୋହିନୀ ମାୟା ଆକର୍ଷଣ କରେ ଅସଙ୍ଗ ପୁରୁଷକୁ, ଭୋଗର ବିଷପାତ୍ର ତୋଳିଧରେ ମୁହଁରେ, ସେଇ ତ ପୁଣି ସ୍ନିଗ୍ଧ ସୋମସମ ରସଧରାରେ ସିଞ୍ଚିତ କରେ ସାଗର-ବନସ୍ପତି, ମଧୁମୟ କରେ ସଂସାର । ସମ୍ପଦରେ ଅଧରା, ବିପଦର ଅଧୀରା, ମନ୍ତ୍ରଣାରେ କାନ୍ତବାକ୍, ଔଦ୍ଧତ୍ୟରେ ଶାନ୍ତି, ପରଶ୍ରୀ-ଭାବନାମୟ ପ୍ରେମ । ଏଇ ପ୍ରେମର ଶୃଙ୍ଖଳରେ ବନ୍ଦୀ ଜଗତ ଚରାଚର–ତା’ରହିଁ ଅରୁଣ ସ୍ପର୍ଶରେ ବିଗଳିତ ମଦ-ତୁଷାର ।*

 

*ମଦୋତ୍ପତ୍ତିର ଇତିହାସ ରହିଚି 'ଦେବୀ ଭାଗବତ' ୯ମ ସ୍କନ୍ଧ, ୧ମ ଅଧ୍ୟାୟରେ । ମଦ-ବିନାଶରେ କଳ୍ପନା କରାଯାଇଚି 'ପ୍ରବୋଧଚନ୍ଦ୍ରୋଦୟ' ନାଟକର ଛାୟାରେ ।

★★★

 

ସାଲକଟଙ୍କଟା

 

ଅଦୀନସତ୍ତ୍ଵ ମହର୍ଷି ଅଗସ୍ତ୍ୟ ରକ୍ଷୋବଂଶର ବିଚିତ୍ର ରହସ୍ୟ ଉଦ୍‍ଘାଟନ କରୁଥିଲେ । ବିସ୍ମିତ, ନିସ୍ତବ୍ଧ ସଭାକକ୍ଷ–ବିସ୍ମୟ-ବିମୁଗ୍ଧ ରଘୁପତି ରାମ ।

 

ରାବଣ-ବିଜୟୀ ରାମଚନ୍ଦ୍ର । ଅଯୋଧ୍ୟାକୁ ଫେରି ଆସି ସେ ରାଜ୍ୟଭାର ଗ୍ରହଣ କରିଛନ୍ତି-। ଅନ୍ଧକାରରେ ନିମୀଳିତ ପଦ୍ମ ଯେପରି, ବିମଳୀନ ଅଯୋଧ୍ୟା ସୂର୍ଯ୍ୟୋଦୟରେ ଅମ୍ଳାନ ପଙ୍କଜ ସଦୃଶ ଶୋଭା ଧାରଣ କରିଚି । ଏ ଯେପରି କେଉଁ ହେମଶିଳାର ସ୍ପର୍ଶ ! ରାଜ୍ୟର ଶ୍ରୀ ଫେରିଚି-। ରାମ-ରାଜ୍ୟରେ ତୁଷ୍ଟ, ପୁଷ୍ଟ, ନିରାମୟ ପ୍ରଜାବର୍ଗ–ନିର୍ଭୟ-ନିରାକୁଳ ଦଶଦିଶ ।

 

ନାନା ଦିଗ୍‍ଦେଶରୁ ଆସିଚନ୍ତି ବେଦ-ବେଦାଙ୍ଗ ବିତ୍, ଭୂରିତେଜା ବ୍ରହ୍ମର୍ଷି, ଦେବର୍ଷି, ମହର୍ଷି–କଶ୍ୟପ, ବଶିଷ୍ଠ, କୌଶିକ, ଅତ୍ରି, ଜମଦଗ୍ନି, ଭରଦ୍ୱାଜ । ପାଦ୍ୟ-ଅର୍ଘ୍ୟରେ ଅଭିନିନ୍ଦିତ ହେଇ ସେମାନେ ସଭା ଆଲୋକିତ କରି ବସିଚନ୍ତି, ଯେପରି ସୂର୍ଯ୍ୟକୁ ଘେରି ରହିଛି ଜ୍ୟୋତିର୍ମୟ ସୂର୍ଯ୍ୟମଣ୍ଡଳ ।

 

ଋଷିଗଣଙ୍କ ଲକ୍ଷ୍ୟ ରାମ-ରାଜତ୍ଵର ସର୍ବାଙ୍ଗୀନ ଋଦ୍ଧି । ଅତୁଳନୀୟ ରାମଚନ୍ଦ୍ରଙ୍କ କୀର୍ତ୍ତି, ଅତୁଳ ରାମ-ରାଜ୍ୟର ବୈଭବ । କିନ୍ତୁ ଋଷିମାନେ କହିଚନ୍ତି–‘କୀର୍ତ୍ତି ଓ କସୁଶ୍ରୀ ବାହାରର ସମ୍ପଦ; ଧର୍ମ ଓ ଶାନ୍ତି ଅନ୍ତରର ଐଶ୍ଵର୍ଯ୍ୟ । ଅନ୍ତର ଧନରେ ସମୃଦ୍ଧ ହେଉ ରାମରାଜ୍ୟ, ସବୁ ଦିଗରୁ ସର୍ବକଲ୍ୟାଣର ଆକାର ହେଇ ଉଠୁ ଅଯୋଧ୍ୟା ।’

 

ଆଜିର ସଭାର ପ୍ରଧାନ ପ୍ରବକ୍ତା ପରମଆର୍ଯ୍ୟ ଅଗସ୍ତ୍ୟ । ପୁଣ୍ୟଭୂମି ଭାରତବର୍ଷରେ ଆର୍ଯ୍ୟ ଧର୍ମର ପ୍ରସାରକଳ୍ପେ ତାଙ୍କର ଦାନ ଅବିସ୍ମରଣୀୟ । ବିନ୍ଧ୍ୟ ପର୍ବତର ଦୂରତିକ୍ରମଣୀୟ ବାଧା ଅପସାରଣ କରି ସେ ଦକ୍ଷିଣାପଥରେ ଆର୍ଯ୍ୟ ସଭ୍ୟତାର ଜ୍ୟୋତିର୍ମୟ ଆଲୋକ ବିକିରଣ କରିଚନ୍ତି; ସମୁଦ୍ର ଶାସନ କରି ସ୍ଵାଧ୍ୟାୟ ଓ ବଷଟ୍‍କାର ଲୋପକାରୀ କାଳେୟ ଦାନବକୁଳ ଧ୍ଵଂସ କରିବାରେ ସହାୟତା କରିଚନ୍ତି । ସେ ଜାଣନ୍ତି, ଅତି ଭୟଙ୍କର ଅସୁରଭାବର ପ୍ରଭାବ । ଦୈବଭାବକୁ ତିଳେ ତିଳେ କ୍ଷୟ କରି ଏଇ ଭାବ ଜୟ ଲାଭ କରେ; ନିଃଶେଷରେ ଗ୍ରାସ କରେ ମଣିଷର ମନୁଷ୍ୟତ୍ଵ । ଏହାକୁ ଜୟ କରିବ କିଏ ?

 

ଋଷି ନେତ୍ରରେ କେବେ ଜଳି ଉଠୁଚି ରୋଷାଗ୍ନି, କେବେ ବା ଅଶ୍ରୁ ଛଳଛଳ ସଜଳ ନୟନ, କେବେ ବା କରୁଣାରେ ରୁଦ୍ଧକଣ୍ଠ । ସେ ଭାବୁଚନ୍ତି, ହାୟ ! ଲବ୍ଧ ଆକାଂକ୍ଷାର ପେଷଣ ତଳେ ପିଷ୍ଟା ଧରଣୀର କି ସକରୁଣ ମୁଖଛବି ! କାମନାକ୍ଲିନ୍ନ ମଣିଷର ଜଘନ୍ୟ କାମନାରେ ମଣିଷର କି ଶୋଚନୀୟ ପରିଣାମ ! ଏଥିରୁ କି ମୁକ୍ତି ନାଇଁ ? ଏପରି କି ନାଇଁ କେଉଁ ଶକ୍ତିମାନ, ଯିଏ କାମନାର ଆକ୍ରମଣରୁ ମଣିଷକୁ ରକ୍ଷା କରି ପାରିବ ?

 

ନିବିଡ଼ ଅନ୍ଧକାର ଭିତରେ ଆଶାର ଆଲୋକ ଯେପରି ଦେଖିବାକୁ ପାଆନ୍ତି ଋଷି । ଏଇ ତ ସମ୍ମୁଖରେ, ନବଦୂର୍ବାଦଳ ଶ୍ୟାମ ନୟନାଭିରାମ ମୂର୍ତ୍ତି ! କି ତେଜ, କି ଗାମ୍ଭୀର୍ଯ୍ୟ ! ଦୀପ୍ତି ଓ କାନ୍ତି, ଶକ୍ତି ଓ କ୍ଷାନ୍ତିର ରୁଦ୍ରସୁନ୍ଦର ବିଗ୍ରହ । ଇୟେ ପାରିବେ; ଇୟେ ପାରିବେ ଅସୁରଭାବକୁ ନିର୍ଜିତ କରି ପ୍ରଶାନ୍ତ, ଭଦାର ଦୈବଭାବ ପ୍ରତିଷ୍ଠା କରିବାକୁ ।

 

ବୁକୁର ସ୍ଵପ୍ନ ନୟନରେ ପ୍ରଦୀପ ହେଇ ଜଳେ । ଗମ୍ଭୀର, ଉଦାତ୍ତ ସ୍ଵରରେ ବେଦମନ୍ତ୍ର ଯେପରି ଛନ୍ଦିତ ହୁଏ, ସେପରି ସ୍ଵରରେ ରାମଚନ୍ଦ୍ରଙ୍କୁ ଲକ୍ଷ୍ୟ କରି କହନ୍ତି ମହାତେଜା ଅଗସ୍ତ୍ୟ :

 

'ତ୍ରିଲୋକତ୍ରାସ ରାବଣକୁ ନିହତ କରି ଜଗତକୁ ତୁମେ ନିରାତଙ୍କ କରିଚ । ଅହଂକୃତ, ଆଶାନ୍ତିକର ନିଦାରୁଣ ରବହିଁ 'ରାବଣ' । ଜନ୍ମ କାଳରେ, ଏଇ ରବରେ ତ୍ରିଲୋକ ଧ୍ଵନିତ ହେଇଥିଲା; ସମଗ୍ର ଜୀବନ ଏଇ ଅଶାନ୍ତ ଘୋର ରବରେ ତ୍ରିଭୁବନ ଆକୁଳ କରିଚି ସେ । ସ୍ଵଭାବକ୍ରୂର ରାକ୍ଷସ ରାବଣ–କାମ, କ୍ରୋଧ, ଜିଗୀଷାର ମୂର୍ତ୍ତି । ତା’ର ଦୁରନ୍ତ କାମନାର ଗ୍ରାସ ବେଦବତୀ, ରମ୍ଭା; ଅପ୍‍ସରୀ, ବିଦ୍ୟାଧରୀ, ନାଗକନ୍ୟା ଓ ସତୀ ନାରୀର ଅଶ୍ରୁରେ ପୂର୍ଣ୍ଣତାର କାମ ଗତିରଥ । ଦୁର୍ଦ୍ଦମତାର ଅନ୍ଧକ୍ରୋଧ । ସେ କ୍ରୋଧର ଆହୂତି ହେଇଚି ନିଜର ଭଗ୍ନୀପତି ବିଦ୍ୟୁତଜିହ୍ଵ, ସେ କ୍ରୋଧର ହୁଙ୍କାରରେ ନିର୍ବାସିତ ହେଇଚି ଧାର୍ମିକ ବିଭୀଷଣ । କି ଦୁର୍ଜୟ ତା’ର ଜୟନିଶା ! ସେ ନିଶାରେ ବିଦ୍ରୁତ ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ । କାମ, କ୍ରୋଧ ଓ ଜିଗୀଷାର ଏଇ ଭୟଙ୍କର ଅଶାନ୍ତିକୁ ତୁମେ ଜୟ କରିଚ । ରାମ, ବିପୁଳ ବିସ୍ମୟକର ତୁମର କୀର୍ତ୍ତି ! କିନ୍ତୁ ବତ୍ସ, ତୁମେ ବିନାଶ କରିଚ ବାହାରର ରାବଣକୁ । ପ୍ରତ୍ୟେକ ମଣିଷର ଅନ୍ତରରେ ସୁପ୍ତ ରହିଚି ରାବଣ; ବକ୍ଷେ ବକ୍ଷେ ପ୍ରଚ୍ଛନ୍ନ ରହିଚି ରାକ୍ଷସରୂପୀ ଦୁର୍ଜୟ କାମ, କ୍ରୋଧ, ଲୁବ୍ଧତା । ସେମାନଙ୍କୁ ବିନଷ୍ଟ କରିବାକୁ ହେବ । ମନେରଖ, ଦଶଗ୍ରୀବ ରାବଣକୁ ନିହତ କରି ତୁମେ ଅର୍ଦ୍ଧରାକ୍ଷସ ମାତ୍ର ନିହତ କରିଚ ।'

 

'ଅର୍ଦ୍ଧ-ରାକ୍ଷସ ! ତା’ର ଅର୍ଥ ?' ସହସ୍ର କୌତୂହଳୀ ପ୍ରଶ୍ନ ଉଠିଲା ସଭାରେ ।

 

ଧୀର କଣ୍ଠରେ କହିଲେ ଅଗସ୍ତ୍ୟ, 'ରାବଣ ତ ପୂର୍ଣ୍ଣ ରାକ୍ଷସ ନୁହେଁ । ତା’ର ପିତା ଋଷି, ମାତା ରାକ୍ଷସୀ–ସେ ଅର୍ଦ୍ଧରାକ୍ଷସ । ତା’ର ପିତାମହ ପ୍ରଜାପତି ପୁଲସ୍ତ୍ୟ ବ୍ରହ୍ମାଙ୍କ ମାନସ-ସନ୍ତାନ; ପିତା ବିଶ୍ରବା–ଦ୍ୱିଜଶ୍ରେଷ୍ଠ । ବିଶ୍ରବା ଔରସରେ ରାକ୍ଷସୀ ନିକସା ଗର୍ଭରେ ରାବଣର ଜନ୍ମ–ସେ ଆର୍ଯ୍ୟ ଓ ଅନାର୍ଯ୍ୟର ସଙ୍କର । ପୂର୍ଣ୍ଣ ରାକ୍ଷସ ହେଲେ ଆଦି ରକ୍ଷୋବଂଶ, ଯେଉଁ ବଂଶର କନ୍ୟା ନିକସା । ରାବଣର ବହୁ ପୂର୍ବେ ସେଇ ବଂଶ ଲଙ୍କା ଅଧିକାର କରିଥିଲେ ।

 

ବହୁଦର୍ଶୀ ଋଷିଙ୍କ ବାକ୍ୟରେ ବିସ୍ମିତ ହେଲେ ରଘୁନନ୍ଦନ ରାମ । ରାକ୍ଷସ ରାବଣ ପୂର୍ବେ ମଧ୍ୟ ରାକ୍ଷସ ଥିଲେ, ଆଉ ସେମାନେ ସେଇ ଲଙ୍କାର ଅଧିବାସୀ, ଏହା ଯେପରି ଏକ ପରମ ବିସ୍ମିୟ । କାମଚାରୀ ନିଶାଚରକୁ ନିହତ କରି ସେ ଭାବିଥିଲେ, ସମଗ୍ର ରାକ୍ଷସ ବଂଶକୁହିଁ ଧ୍ଵଂସ କରିଚନ୍ତି । ଏ ଧାରଣା ତାହାହେଲେ ମିଥ୍ୟା ? ବିନୟ ନମ୍ର ବଚନରେ ପ୍ରଶ୍ନ କଲେ ରକ୍ଷୋବିଜୟୀ ରାମ, ‘ଦ୍ଵିଜବର, ବିଶ୍ରବାଠାରୁ କି ରକ୍ଷୋବଂଶର ସୂଚନା ନୁହେଁ ?’

 

ହସି ବୋଇଲେ ଅଗସ୍ତ୍ୟ, ‘ବୈଶ୍ରବଣ ରାକ୍ଷସ ଅନେକ ପରବର୍ତ୍ତୀ କାଳର । ସେଥିପୂର୍ବରୁ ଥିଲେ ସାଲକଟଙ୍କଟା ବଂଶୀୟ ରାକ୍ଷସ ।"

 

‘ସାଲକଟଙ୍କଟା ! କିଏ ସେ ?’

 

‘ରାବଣର ବୃଦ୍ଧପ୍ରମାତାମହୀ । ରାବଣର ମାତୃକୁଳ ତା’ର ନାମରେହିଁ ପରିଚିତ କାରଣ ସାଲକଟଙ୍କଟାଠାରୁହିଁ ସେ ବଂଶର ବିସ୍ତାର । ସାଲକଟଙ୍କଟା ପୁତ୍ର ସୁକେଶ; ସୁକେଶର ପୁତ୍ର ମାଲ୍ୟବାନ, ସୁମାଳୀ, ମାଳୀ; ସୁମାଳୀ କନ୍ୟା ନିକସାର ପୁତ୍ର ରାବଣ । ରାବଣ ବିଶ୍ଵର ଅଶାନ୍ତି, ଅତି ଭୀଷଣ । କିନ୍ତୁ ତା’ଠାରୁ ଭୟଙ୍କର ଆଦି ରକ୍ଷୋବଂଶ । ହେ ରଘୁନନ୍ଦନ, ତୁମେ ସେ ରାକ୍ଷସକୁ ନିହତ କରି ପାରିନ । ତୁମେ ଜାଣ, ରାକ୍ଷସ ମଣିଷ ଖାଏ । ଏହା କେବଳ ସ୍ଥୂଳ ଦେହ ମାଂସ ନୁହେଁ-। ଅଲକ୍ଷ୍ୟଚାରୀ ଭାବରେ ସେମାନେ ଭକ୍ଷଣ କରନ୍ତି ମଣିଷର ସଦ୍‍ବୁଦ୍ଧି, ସଦାଚାର । ସେମାନେ ଯଜ୍ଞଭୁକ୍, ଶସ୍ୟଭୁକ୍, ଧର୍ମଭୁକ୍–ପ୍ରଜ୍ଜ୍ୱଳିତ ବହ୍ନି ଭଳି ସର୍ବଭୁକ୍ । ଅତି ଭୟାବହ ସେମାନଙ୍କର ଇତିହାସ ।’

 

ସ୍ତବ୍ଧ ସଭାକକ୍ଷ । ନୀରବ ମନ୍ତ୍ରୀ, ସଦସ୍ୟ, ଋଷି । ବିସ୍ମୟାପୁତ ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ । ରଘୁପତି ରାମ ନିର୍ବାକ୍ । ତାଙ୍କର କମଳନୟନରେ କ୍ରୋଧ ଓ କରୁଣାର ତରଙ୍ଗଭଙ୍ଗ । ସକଳ ମୁଖରେ କୌତୂହଳୀ ନୀରବ ଜିଜ୍ଞାସା ।

 

କୌତୂହଳୀ ହେଇ କମ୍ପୁଚି ଯେପରି ରାଜସିଂହାସନର ବୈଦୁର୍ଯ୍ୟ, ବିଦ୍ରୁମ, ପଦ୍ମରାଗ । କମ୍ପୁଚି ଦୀର୍ଘୋନ୍ନତ ସ୍ତମ୍ଭାବଳୀର ଉଜ୍ଜ୍ୱଳ ନୀଳା । ସେ କୌତୂହଳ ନିବୃତ କଲେ ପୁରାଣପୁରୁଷ ଅଗସ୍ତ୍ୟ । ଶାନ୍ତ କଣ୍ଠରେ ସେ କହି ଚାଲିଲେ ପୁରାପରମ୍ପରାବ୍ୟକ୍ତ ଅଦ୍ଭୁତ ପୂରା କାହାଣୀ :

 

ସ୍ୱର୍ଣ୍ଣ-ଲଙ୍କା ନିର୍ମିତ ହେବାର ବହୁକାଳ ପୂର୍ବରୁ, ଯୁଗଯୁଗାନ୍ତ ଧରି ଏଇ ସଶୈଳ ସସାଗରା ସୃଷ୍ଟି ଅଧିକାର କରି ରହିଚନ୍ତି ଅସୁର, ରାକ୍ଷସ । କକଳଯୋନି ବ୍ରହ୍ମାଙ୍କ ଅବିଦ୍ୟାସମ୍ଭବ ସୃଷ୍ଟିର ଆଦିସୃଷ୍ଟି ସେମାନେ । ଜନ୍ମଲଗ୍ନରୁ କାମନା-ବୁଭୁକ୍ଷୁ–କ୍ଷୁତ୍‍କାମ । କାମନାରୁହିଁ ସୃଷ୍ଟି, ପୁଣି କାମନାରୁହିଁ କ୍ରୋଧ, ପ୍ରଳୟ । ସ୍ୱଭାବର ଆଦି ବିକୃତି ‘ମହାଶନୋ ମହାପାମ୍ପା’ ଏଇ କାମ, ଏଇ କ୍ରୋଧ । ଅସୁର, ରାକ୍ଷସ ତା’ରହିଁ ପ୍ରତୀକ ।

 

ସେତେବେଳେ କଳ୍ପର ସୂଚନା ମାତ୍ର । ରୁଦ୍ରକାଳାଗ୍ନି ନିର୍ବାପିତ ହେଇ ନଥାଏ । ରହି ରହି ଗର୍ଜନ କରୁଥାଏ ସମ୍ବର୍ତ୍ତ ମେଘ । ଘୋର ମହାତମିସ୍ରାରେ ସୃଷ୍ଟି କରି ଚାଲିଚନ୍ତି ପ୍ରଜାକାମ ବ୍ରହ୍ମା-। ତାଙ୍କର ସଂକଳ୍ପ ତପଃଶୁଦ୍ଧ ହେଇ ନଥାଏ । ବିପର୍ଯ୍ୟସ୍ତ ଏକାଣ୍ଣବ ପରି ବିପର୍ଯ୍ୟସ୍ତ ସଂକଳ୍ପ-। ସହସା ସକାମ ବ୍ରହ୍ମାଙ୍କ ଜଘନ ଦେଶରୁ ସୃଷ୍ଟି ହେଲା ପ୍ରଦୋଷ ଅନ୍ଧକାର ଭଳି କୃଷ୍ଣବର୍ଣ୍ଣ–ତମୋଘନ ‘ଅସୁର’ । କୁଟିଳ କାମନାର ବିଭୀଷଣ ମୂର୍ତ୍ତି । ଜନ୍ମମାତ୍ରେ ଦ୍ରୁତପଦରେ ସେ ଅଗ୍ରସର ହେଲା ବ୍ରହ୍ମାଙ୍କ ପ୍ରତି । ନେତ୍ରରେ ଉନ୍ନାଦଲାଳସା, ଚରଣରେ ମଦୋନ୍ମତ୍ତ କ୍ଷିପ୍ରଗତି । ଭୟରେ ଆର୍ତ୍ତନାଦ କରି ଉଠିଲେ କମଳଯୋନି; ଅନ୍ଧକାରରେ ଉଠିଲା ଆକୁଳ ସ୍ୱର–ତିଷ୍ଠ, ତିଷ୍ଠ । କିନ୍ତୁ ଅତିଷ୍ଠ କାମ-। ଉତ୍ତାଳ ସାଗରତରଙ୍ଗ ଭଳି ଗର୍ଜନ କରି ଅଗ୍ରସର ହେଲା ଅସୁର ।

 

ସହସା ସେଇ ମହାଶୂନ୍ୟରେ ଭୀତ ବ୍ରହ୍ମାଙ୍କ ଉଦ୍ଦେଶ୍ୟରେ ଉତ୍ଥିତ ହେଲା ଏକ ସୁଗମ୍ଭୀର ନାଦ : ‘ତାମସିକ ଭାବରେ ଆଚ୍ଛନ୍ନ ହୋଇ ତାମସୀସୃଷ୍ଟି କରିଚ ତୁମେ । ଅଶୁଚି ତୁମର ତନୁ । ଶୀଘ୍ର ଏ ତନୁ ତ୍ୟାଗ କର ।’

 

ଲଜ୍ଜାରେ, ଭୟରେ କାତର ବ୍ରହ୍ମା । ସର୍ପ ଯେପରି ନିର୍ମୋକ ତ୍ୟାଗ କରେ, ସେପରି ତ୍ୱରିତରେ ତାମସୀତନୁ ତ୍ୟାଗ କଲେ ସେ । ସେଇ ତନୁହିଁ ସାୟନ୍ତନୀ ‘ସନ୍ଧ୍ୟା’ । ଅପୂର୍ବ ସ୍ତ୍ରୀମୂର୍ତ୍ତି–ଦେହରେ ସୁଶ୍ୟାମ ଶାମଳତା, ଏକାୟିତ ଚୂର୍ଣ୍ଣକୁନ୍ତଳରେ ଘନମେଘର ନୀଳିମା, ସୀମାନ୍ତରେ ତାରାବିନ୍ଦୁ । ତା’ର ନୟନର ମଦିରାବେଶରେ ଅସୁର ମୁଗ୍ଧ ହେଇ ପଡ଼ିଲା । ସନ୍ଧ୍ୟାକୁ ସ୍ତ୍ରୀ ରୂପରେ ଗ୍ରହଣ କରି ଶାନ୍ତ ହେଲା ସେ । ଯେଉଁ ତନୁରୁ ଅସୁରର ଉତ୍ପତ୍ତି, ସେଇ ତନୁ-ପ୍ରତିମାହିଁ ହେଲା ତା’ର ସ୍ତ୍ରୀ । କାମନାର କି କୁତ୍ସିତ ଗତି ! ଲଜ୍ଜାରେ ଅନ୍ଧକାର ଅଞ୍ଚଳରେ ମୁଖ ଢାଙ୍କିଲା ସନ୍ଧ୍ୟା । ଆଜିବି ସେ ଲଜ୍ଜାର ଶେଷ ନାଇଁ ।

 

ଅସୁର ଶାନ୍ତ ହେଲା କିନ୍ତୁ ବ୍ରହ୍ମାଙ୍କ ମନୋଭାବ ନିର୍ମଳ ହେଲାନି । କାମନାର ବୀଭତ୍ସ ପରିଣାମ ଦେଖି ସେ ସନ୍ତ୍ରସ୍ତ, ଭୟରେ ଶୁଷ୍କ କଣ୍ଠ ଓ ବକ୍ଷ । ଉଗ୍ର କ୍ଷୁଧା ଓ ତୀବ୍ର ତୃଷ୍ଣା ଅନୁଭବ କଲେ ପଦ୍ମସମ୍ଭବ ।

 

ମୁହୂର୍ତ୍ତକରେ ଘଟିଲା ଆଉ ଏକ ଅଘଟଣ । ବ୍ରହ୍ମାଙ୍କ ଅତ୍ୟୁଗ୍ର କ୍ଷୁତ୍‍ପିପାସାରେ ତାଙ୍କର ପାପାଶ୍ରୟ ପାୟୁଦେଶରୁ ସହସା ଭୀଷଣଦର୍ଶନା ନିର୍ଋତିର ଉତ୍ପତ୍ତି ହେଲା । ଜଗତର ଚିର ଅସତ୍ୟରୂପିଣୀ ନିର୍ଋୁତି । ନୟନ ନିମେଷରେ ଏଇ ନିର୍ଋୁତି ଦେହରୁ ଉତ୍ପନ୍ନ ହେଲେ ମହାଭୀଷଣ, ପିଙ୍ଗଳବର୍ଣ୍ଣ, ଘୋରାରାବୀ, କ୍ରୂରସ୍ୱଭାବ ପ୍ରଜା । ସେମାନେ ବୃତ୍ତାକ୍ଷ, ମହାକାୟ, ଦୀର୍ଘବାହୁ । ସଭୟ କ୍ଷୁଧା ତୃଷ୍ଣାର ଆବେଗରେ ସେମାନଙ୍କର ଜନ୍ମ–କ୍ଷୁଧା ଓ ତୃଷ୍ଣାର ପ୍ରତିମୂର୍ତ୍ତି ଯେପରି । ଉଗ୍ର କ୍ଷୁତ୍‍ପିପାସାରେ ପାଗଳ ହେଇ ସେମାନେ ଛୁଟିଲେ ବ୍ରହ୍ମାଙ୍କୁ ପ୍ରତି–ବ୍ରହ୍ମାଙ୍କୁହିଁ ଭକ୍ଷଣ କରିବେ । କାତର କଣ୍ଠରେ ପ୍ରାଣପଣେ ଚିତ୍କାର କରି ଉଠିଲେ କମଳଯୋନି, ‘ଭକ୍ଷଣ କରନା, ରକ୍ଷା କର । ମୁଁ ତୁମମାନଙ୍କର ପିତା ।’

 

କ୍ଷୁଧାର ବିବେକ ନାଇଁ; ବିଚାର-ମୂଢ଼ କ୍ଷୁଧା । ଚିର ଅନିୟତ, ବିକୃତ ବଦନ, କ୍ରୋଧବଶ-। ‘ଦହ୍ୟତେ କ୍ଷୀୟତେ ମୂଢ଼, ଶୁଷ୍ୟତେ କ୍ଷୁଧାୟାର୍ଦିତଃ ।’ ବ୍ରହ୍ମାଙ୍କ କଥାରେ ବିକଟ ଚିତ୍କାର କରି ଉନ୍ମାଦପ୍ରାୟ ଦଳେ କହି ଉଠିଲେ, ‘ଭକ୍ଷଣ କର, ଭକ୍ଷଣ କର’ । ଆଉ ଏକ ଦଳ ପିଙ୍ଗଳାକ୍ଷ ପ୍ରଜା ପ୍ରମତ୍ତ ଶ୍ଳେଷରେ ଘୋର ଅଟହାସ୍ୟ କରି ଉଠିଲେ, ‘ରକ୍ଷା କର, ରକ୍ଷା କର ।’ ଅତିବକ୍ର, ଅତିଶୟ କୁଟିଳ ଏ ଶ୍ଳେଷ ! ତା’ର ପରେ ଭୀମ ବେଗରେ ଅଗ୍ରସର ହେଲେ ସେମାନେ ।

 

ସଭୟେ ପୁନର୍ବାର ଆର୍ତ୍ତନାଦ କରି ଉଠିଲେ ବ୍ରହ୍ମା । ଅନ୍ତରୀକ୍ଷରେ ପୁଣି ଉଚ୍ଚାରିତ ହେଲା ଅଭୟବାଣୀ : ‘ଭୟ ନାଇଁ । ହେ ବ୍ରାହ୍ମଣ, ତୁମେ ଅଶୁଚିବ୍ରତ, ଅଶୁଚି ତୁମର ତନୁ । ଶୀଘ୍ର ତନୁ ତ୍ୟାଗ କର । ମନେରଖ, ତାମସ ମନୋଭାବରେ ତାମସୀ ସୃଷ୍ଟିହିଁ ସମ୍ଭବ ହୁଏ । ସେ ସୃଷ୍ଟି କଲ୍ୟାଣର ଅନ୍ତରାୟ ।’

 

ଲଜ୍ଜିତ ହେଲେ ବ୍ରହ୍ମା । ନିମେଷକରେ ତାମସୀତନୁ ତ୍ୟାଗ କଲେ ସେ । ସେଇ ତନୁକୁ କହନ୍ତି ରାତ୍ରିରୂପିଣୀ ‘ଦୋଷା’ । ଦୋଷା କୃଷ୍ଣବର୍ଣ୍ଣା, ମଦୋଦ୍ଧତା, ମାୟାବିନୀ । ଆଶ୍ଚର୍ଯ୍ୟ ତା’ର ମୋହିନୀ ଶକ୍ତି ! ଅମୋଘ ମନ୍ତ୍ର ବଳରେ ଜୀବ ନେତ୍ରରେ ନିଦ୍ରା ସଞ୍ଚାର କରେ ସେ । ଦୋଷାର ମାୟାରେ କ୍ଷୁଧା ଭୁଲିଗଲେ କ୍ଷୁଧାତୁର; ତାକୁ ଗ୍ରହଣ କରି ଶାନ୍ତ ହେଲା ଉଦ୍ୟତବାହୁ ।

 

କ୍ଷୁଧାବଶରେ ଯେଉଁମାନେ ବ୍ରହ୍ମାଙ୍କୁ କହିଥିଲେ ‘ଯଷାମଃ’ ଅର୍ଥାତ୍ ଭକ୍ଷଣ କରିବି, ସେମାନେ ‘ଯକ୍ଷ’–ବିଶ୍ଵର ଆଦିଯକ୍ଷ–ସ୍ୱାର୍ଥପର, କୃପଣ, ଅର୍ଥଗୃଧ୍ନୁ । ଆଉ ଯେଉଁମାନେ କହିଥିଲେ ‘ରକ୍ଷାମଃ’ ଅର୍ଥାତ୍ ରକ୍ଷା କରିବି, ସେମାନେ ‘ରକ୍ଷ’–ବିଶ୍ଵର ଆଦି ରାକ୍ଷସ–କାମଚାରୀ, କ୍ରୋଧକୁଟିଳ, କ୍ଷୁଧାତୁର । ଦୋଷା ଏମାନଙ୍କର ପ୍ରିୟା । ସୁତରାଂ ଏମାନଙ୍କୁ ବୋଲାଯାଏ ‘ପ୍ରିୟଦୋଷ’ ବା ନିଶାଚର । ନିର୍ଋୁଠାରୁ ଉତ୍ପନ୍ନ ବୋଲି ଏମାନେ ନୈର୍ଋୁତ ରାକ୍ଷସ ନାମରେ ମଧ୍ୟ ପରିଚିତ’ ।

 

କିଛିକ୍ଷଣ ନୀରବ ହେଲେ ଋଷି ଅଗସ୍ତ୍ୟ । ଆତଙ୍କିତ ସଭାତଳ । ଅତି ଭୟାବହ ଏଇ ତାମସୀ ସୃଷ୍ଟିର ଇତିହାସ । ବିକୃତ କ୍ଷୁଧା-କାମନାର ଏ କାହାଣୀ ପୁରାଣଠାରୁ ମଧ୍ୟ ଯେପରି ପୁରାତନୀ, ଏ ଯେପରି ଭୟ-ରୋମାଞ୍ଚ ! ବ୍ୟଗ୍ର-ଜିଜ୍ଞାସାରେ ବିସ୍ଫାରିତ ସକଳ ନୟନ, ମୁହଁରେ ଶିଶୁସୁଲଭ କୌତୂହଳୀ ପ୍ରଶ୍ନ ‘ତା’ର ପରେ’ ? ପ୍ରାଚୀନବେତ୍ତା କୁମ୍ଭଜନ୍ମା ଅଗସ୍ତ୍ୟା । ଗମ୍ଭୀର କଣ୍ଠରେ ସେ କହି ଚାଲିଲେ ପରବର୍ତ୍ତୀ ଇତିହାସ :

 

ଏମାନେହିଁ ଆଦି ରାକ୍ଷସ । ‘ପରଦାରାବମର୍ଶିତ୍ଵଂ ପାରକ୍ୟାର୍ଥେ ଚ ଲୋଲୁପାଃ’ ଏମାନଙ୍କର ସ୍ଵଭାବଧର୍ମ । ଉଗ୍ର ବ୍ୟଭିଚାରୀ ଏମାନଙ୍କର କାମନା, ଅତି ଭୀଷଣ ଏମାନଙ୍କର ପରାର୍ଥଲୋଲୁପତା । ଏଇ କାମନାଲୁବ୍ଧତାହିଁ ରାକ୍ଷସୀ କ୍ଷୁଧା । ଏ କ୍ଷୁଧା ଖାଲି ଦେହର ନୁହେଁ, ଏ କ୍ଷୁଧା ମନର, ପ୍ରତି ରକ୍ତକଣିକାର । ଏଇ ରକ୍ଷୋବୃତ୍ତି କେବଳ ରକ୍ଷୋବଂଶର ନୁହେଁ, ବିଶ୍ଵର ପ୍ରତ୍ୟେକ ମୋହାନ୍ଧ ମଣିଷ ଏଇ ବୃତ୍ତିର ବଶ । ଏହାରହିଁ ବିଷକ୍ରିୟାରେ ଦୂଷିତ ରକ୍ତ, ଏହାର ପ୍ରରୋଚନାରେହିଁ ଉଦ୍‍ବେଳିତ ଜଗତ । ବିଶ୍ଵ ବୁକୁରେ ଅତ୍ୟାଚାର ଓ ଅନାଚାରର ଦାବାନଳ ସୃଷ୍ଟି କରେ କିଏ ? ଏଇ ରାକ୍ଷସୀ କ୍ଷୁଧା । ରାମ, ତୁମେ କି ଶୁଣିନାହଁ ଆର୍ତ୍ତର କରୁଣ କ୍ରନ୍ଦନ ? ଦେଖି ନାହଁ କି ଅନାଥା ନାରୀ ଓ ଅସହାୟ ଶିଶୁର ନୟନାଶ୍ରୁ ? ସେ କ୍ରନ୍ଦନ, ସେ ଅଶ୍ରୁ ରାକ୍ଷସୀକ୍ଷୁଧାର ସୃଷ୍ଟି । କାମାନ୍ଧ ଦର୍ପିତ ରାବଣ ସେ କ୍ଷୁଧାର କରାଳ ମୂର୍ତ୍ତି । କିନ୍ତୁ ତାକୁ ବଳି ଆହୁରି ଭୟଙ୍କର ରକ୍ଷୋବଂଶର ଆଦିମାତା ସାଲକଟଙ୍କଟା–କାମନାର କଦର୍ଯ୍ୟ ମୂର୍ତ୍ତି । ଏକ ବୀଭତ୍ସ, ଅତିକୁଟିଳ କାମନାର ଗ୍ରାସ ଯେପରି । ତା’ର କାହାଣୀ ଶୁଣିଲେ ଘୃଣାରେ ମୁହଁ ଘୋଡ଼ାଇବ ତୁମେ ।’

 

ଘୃଣାରେ ନିଜେହିଁ ଦେହ କୁଞ୍ଚିତ କରନ୍ତି ସ୍ଥିତଧୀ ଅଗସ୍ତ୍ୟ । ସଭାକକ୍ଷରେ ଉଠେ ସହସ୍ର କଣ୍ଠର କଳଗୁଞ୍ଜନ । ସେହି ଗୁଞ୍ଜନକୁ ସ୍ତବ୍ଧ କରି ୠଷି କହି ଚାଲିଲେ ରାକ୍ଷସୀ ସାଲକଟଙ୍କାଟାର କାହାଣୀ :

 

ନିବିଡ଼ ନିର୍ଜନ ବନତଳେ ତୃଣାସୃତ ଶାମଳ ଭୂମିରେ ଶଙ୍ଖ ଧରିଚି ଗୋଟିଏ କାଳନାଗ ଓ ଗୋଟିଏ କାଳନାଗୁଣୀ । ନିକଷକୃଷ୍ଣ କେଶଗୁଚ୍ଛ ଯେପରି ପରସ୍ପରକୁ ବେଷ୍ଟନ କରି ବେଣୀ ରଚନା କରେ, ସେପରି ନାଗ ନାଗୁଣୀର ଆବକ୍ଷ ପୁଚ୍ଛଭାଗ ଗୋଟାଏ ବେଶୀ ରଚନା କରି ଚକ୍ରାକାରରେ ଭୂମିତଳ ଆଶ୍ରୟ କରିଚି । ଊର୍ଦ୍ଧ୍ଵରେ ମୁହାଁମୁହିଁ ଦୁଇଟି ଉନ୍ନତ ଫଣା, ଆବେଶବିହ୍ଵଳ ନିର୍ନିମେଷ ନୟନ । କି ସୁଗଭୀର ପ୍ରୀତିର ଆଲୋକନ ! କି ସୁଖକର ମୃଦୁମନ୍ଦ ଆନନ୍ଦ ଦୋଳା ! ଅନ୍ୟ କୁଆଡ଼ିକି ଭ୍ରୂକ୍ଷେପ ନାଇଁ । ମିଳନରେ ନିଖିଳହରା ନାୟକ ନାୟିକା, ସମ୍ଭୋଗ ବାସରରେ ଲୁପ୍ତ ବିଶ୍ଵ ।

 

ନାଗ ନାଗୁଣୀର ଏଇ ସାନନ୍ଦ-ସମ୍ଭୋଗ ଅତ୍ୟଗ୍ର ତୃଷିତ ଦୃଷ୍ଟିରେ ଲକ୍ଷ୍ୟ କରୁଚି କାଳନାଗୁଣୀ ଭଳି କୃଷ୍ଣବର୍ଣ୍ଣା ଜଣେ କୁମାରୀ । ଘନନୀଳ-ବରଣୀ କାମିନୀ–ବିସ୍ରସ୍ତ କୁନ୍ତଳରେ ସୁନୀଳ ଆନନ, ନୀଳ ଜଳରେ ପ୍ରସ୍ଫୁଟିତ ନୀଳୋତ୍ପଳ ଯେପରି । କି ଏକପ୍ରକାର ରୋମାଞ୍ଚ ଚମକ ତା’ର ଦେହରେ । ସିରସିର ଅଙ୍ଗ ବିଧୂନନ, ରୋମ ମୁଖରେ ବିନ୍ଦୁ ବିନ୍ଦୁ ସ୍ୱେଦ । ତା’ର ପଲକହୀନ ନୟନରେ ମଧ୍ୟ ଲୁପ୍ତ ହେଇ ଯାଇଚି ତୃଣ, ବୃକ୍ଷ, ବନଭୂମି–ଲୁପ୍ତ ସମଗ୍ର ବିଶ୍ଵ ।

 

ସହସା ତନ୍ମୟତା ଭାଙ୍ଗିଯାଏ । କାହାର ପଦଶବ୍ଦରେ ଚମକି ବରୂଥିନୀ ପଛକୁ ଫେରି ଚାହେଁ । ଅବାକ୍ ବିସ୍ମୟରେ ଦେଖେ, ପାଖରେ ତା’ର ଠିଆ ହେଇଚି ବିଶାଳଦେହ ଏକ ଯୁବକ । ପ୍ରାବୃଟ କାଳର ରଞ୍ଜିତ ସନ୍ଧ୍ୟାଭ୍ର ପରି ପିଙ୍ଗଳ ବର୍ଣ୍ଣ, ଦେହଭରା ପୂର୍ଣ୍ଣ ଯୌବନର ଉଦ୍ଦାମ ତରଙ୍ଗ । କରିକର ସଦୃଶ ଉୠ, ଲୌହଭୀମ ବାହୁ, ପ୍ରଶସ୍ତ ବକ୍ଷ । ଦୀପ୍ତ ନୟନରେ ସୁତୀବ୍ର ସକାମ ଚାହାଣି-

 

ମୁଗ୍ଧା, ବିହ୍ଵଳା କୁମାରୀ କନ୍ୟା । ଚକିତେ ଥରେ ଏ ଦିଗକୁ ତ ଥରେ ଅପର ଦିଗକୁ ଦୃଷ୍ଟିନିକ୍ଷେପ କରେ ସେ । ସମ୍ଭୋଗୀ ଭୋଗି ଯୁଗଳ କେତେବେଳେ ଅନ୍ତର୍ହିତ ହେଇ ଯାଇଚନ୍ତି । ନିର୍ଜନ ଅରଣ୍ୟରେ ଜଣେ ପୁରୁଷ ସମ୍ମୁଖରେ ଉଭା ଜଣେ କାମିନୀ । ଲଜ୍ଜାହିଁ ଏ ସମୟର ସ୍ଵାଭାବିକ ନିୟମ । କିନ୍ତୁ ସେ ନିୟମର ବ୍ୟତିକ୍ରମ ସୁରାତୁରା ନାରୀ । ପୁରୁଷର ଦେହ-ଦର୍ପଣରେ ନିର୍ନିମେଷ ନୟନରେ ଆତ୍ମ-ପ୍ରତିବିମ୍ବ ଦର୍ଶନ କରି ଆତ୍ମଭୋଳା କାମିନୀ । ତନ୍ମୟ ହେଇ ସେ ଭାବେ–ମେରୁମନ୍ଦର ସଦୃଶ ବଳିଷ୍ଠ, କିଏ ଏହି ପୁରୁଷ ? ପୁରୁଷ ମଧ୍ୟ ଉଦାସୀନ ନୁହେଁ । ଦୃଷ୍ଟି-ଭୋଗରେ ସୁତୀବ୍ର ଉତ୍ତେଜନା । ଉଦ୍ଭ୍ରାନ୍ତ ଚିତ୍ତରେ ସେ ମଧ୍ୟ ଭାବେ–ଅଙ୍ଗରେ ପ୍ରଦୋଷର ଛାୟା, ନୟନରେ ମାୟାର ଅନ୍ଧାର-କଜ୍ଜ୍ୱଳ, ତ୍ରିବଳିତରଙ୍ଗରେ ଅଳଙ୍କୃତ ନାଭି, କିଏ ଏଇ ସୁନ୍ଦରୀ ?

 

‘କିଏ ତୁମେ !’

 

‘କିଏ ତୁମେ !’

 

ଏକା ସଙ୍ଗେ ଦୁଇଟି ସୋତ୍ସୁକ କଣ୍ଠର ଦୁଇ ପୂର୍ବପକ୍ଷ–ମନ୍ଦ୍ର ଓ ମଧୁରରେ ଝଙ୍କୃତ ଯେପରି ଦୁଇଟି ବୀଣାତନ୍ତ୍ରୀ । ମଦବିହ୍ଵଳ କଣ୍ଠରେ ବୋଲେ କାମଦର୍ପିତ ପୁରୁଷ, ‘ଅମିତପ୍ରଭ ରକ୍ଷୋବଂଶର ପରାକ୍ରାନ୍ତ ହେତି-ପୁତ୍ର ମୁଁ–ବିକ୍ରାନ୍ତ ବିଦ୍ୟୁତ୍‍କେଶ ।'

 

ବିଦ୍ୟୁତ୍ କେଶ ! ରାକ୍ଷସ ବିଦ୍ୟୁତ୍‍କେଶ ! ଯା’ର ଦୁର୍ଜୟ ପ୍ରତାପରେ ତଟସ୍ଥ ତ୍ରିଭୁବନ ! ଶାସନ ଓ ଶୋଷଣରେ ଅଦ୍ଵିତୀୟ, ସେଇ ବିଦ୍ୟୁତ୍‍କେଶ ! ବିଦ୍ୟୁତ୍-ଚାଞ୍ଚଲ୍ୟ ଖେଳିଯାଏ କୁମାରୀର ଦେହରେ, ଆଶାର ଆଲୋକ ଚମକ ଦେଇଯାଏ ନୟନରେ । ପୁଷ୍ପଧନୁ ସଦୃଶ୍ୟ ଭ୍ରୂଦୁଇଟି ବଙ୍କିମ କରି କଟାକ୍ଷରେ ପୁଷ୍ପଶର ନିକ୍ଷେପ କରି, ସହାସ୍ୟ-ମଦ-ସ୍ଖଳିତ କଣ୍ଠରେ ସେ କହିଲା, ‘ଅସୁର ପ୍ରିୟା ପ୍ରତାପଶାଳିନୀ ସନ୍ଧ୍ୟାର ନନ୍ଦିନୀ ମୁଁ–ସାଲକଟଙ୍କଟା ।’

 

ସାଲକଟଙ୍କଟା ! ମେଘଦ୍ୟୁତି ସନ୍ଧ୍ୟା ନନ୍ଦିନୀ ସାଲକଟଙ୍କଟା ! ରୂପସୀ, ମାୟାବିନୀ, ଅସୁର ସମାଜରେ ଯେ ଦ୍ଵିତୀୟା ରତି ? ଅଦ୍ଭୁତ ଆକର୍ଷଣ ଅନୁଭବ କରେ ଅମିତପ୍ରଭ ରାକ୍ଷସ ବିଦ୍ୟୁତ୍‍କେଶ । ପଲାଶ ବନ କି ସହସା ମତୁଆଳ ହେଇ ଉଠିଲା ?

 

ଶକ୍ତି ଦର୍ପରେ ଦର୍ପିତ ରାକ୍ଷସ । ସେ ଜାଣେ, ‘ବୀରଭୋଗ୍ୟା ବସୁନ୍ଧରା’-ବୀରଭୋଗ୍ୟା ଯେ କେଉଁ କାମିନୀ । ଇଚ୍ଛାହିଁ ଶକ୍ତିଶାଳୀର ପ୍ରାପ୍ତି । ସ୍ଵୟଂ ପ୍ରତିଗ୍ରାହୀ ହେଲେ ତାକୁ ପ୍ରତ୍ୟାଖ୍ୟାନ କରିବ କିଏ ? ଉଗ୍ରକାମର ଭୂମିକା ନାଇଁ, ଦୁର୍ଜୟ ଦମ୍ଭର ନାଇଁ ଧୈର୍ଯ୍ୟ । ଶାଳୀନତା, ସୌଜନ୍ୟ ଭୀରୁର ଭୂଷଣ । ସୁଦୀର୍ଘ ଲୋଲୁପ ବାହୁ ପ୍ରସାରିତ କରି ବୋଲେ କାମାର୍ତ୍ତ ରାକ୍ଷସ, ‘ମୁଁ ତୁମର ପାଣି-ପ୍ରାର୍ଥୀ ।’ ଅତ୍ୟନ୍ତ କୌତୁକ ଅନୁଭବ କରେ ସାଲକଟଙ୍କଟା । ଅଦ୍ଭୁତ ଶକ୍ତିମାନର ଯାଚଜ୍ଞା ! ବୁକୁଭରା ପୁଲକ, ତା’ର ସର୍ବ ଦେହରେ ରୋମାଞ୍ଚ । କି ଏକପ୍ରକାର ସଭୟ ଆନନ୍ଦ କମ୍ପନ ! ଧୀରେ ଧୀରେ ପାଦେ ପାଦେ ପଛେଇ ଯାଏଁ ସେ–ଆକ୍ରମଣୋଦ୍ୟତ ମହାମୁଖ ବ୍ୟାଘ୍ର ନେତ୍ରରେ ସୁତୀକ୍ଷ୍ଣ ସ୍ଥିରଦୃଷ୍ଟି ରଖି ସତର୍କତା ସଙ୍ଗେ କୁଶଳୀ ଶିକାରୀ ଯେପରି ପଛକୁ ହଟିଥାଏ । ତା’ର ପରେ ସହସା ଅତର୍କିତ ଭାବରେ, ବିଦ୍ୟୁତ୍-ଗତିରେ, ବନାନ୍ତରାଳରେ ଅଦୃଶ୍ୟ ହେଇଯାଏ ଚଞ୍ଚଳା । ବିଶାଳ ଅରଣ୍ୟ ଅନୁରଣିତ ହୁଏ ଏକ ଅଦ୍ଭୁତ ଚପଳ କଳହାସ୍ୟରେ । ଅସ୍ଥିର ହେଇ ଉଠେ ବିଦ୍ୟୁତ୍‍କେଶ । ଆଶ୍ଚର୍ଯ୍ୟ ମାୟାବିନୀ ! ଉନ୍ମାଦ ଭଳି ସେ ଡାକେ, ‘ସାଲକଟଙ୍କଟା ! ସାଲକଟଙ୍କଟା-!'

 

ଅଦୃଶ୍ୟ ବନତଳେ ଧ୍ଵନିତ ହୁଏ ଆବେଗକମ୍ପିତ ମାୟାକଣ୍ଠ, ‘ମୁଁ ମଧ୍ୟ ତୁମକୁ କାମନା କରେ ବିଦ୍ୟୁତ୍‍କେଶ । କୁମାରୀ ସ୍ଵାଧୀନ ନୁହେଁ । ମାତା ସନ୍ଧ୍ୟା ପାଖରେ ଆବେଦନ କର ।’ ନିର୍ଜନ ଅରଣ୍ୟରେ ପ୍ରତିଧ୍ଵନି ଉଠେ–ଆବେଦନ କର...

 

ଆର୍ଯ୍ୟେତର ଜାତିରେ ସଂସାରର ନେତ୍ରୀ ଜନନୀ । ଜନନୀହିଁ ସେଠାରେ ସମାଜର ନିୟନ୍ତ୍ରୀଶକ୍ତି, ମାତୃଗୋତ୍ରରେହିଁ ବଂଶର ପରିଚୟ । କନ୍ୟାର ପାଣିପ୍ରାର୍ଥୀ ହେଇ ରାକ୍ଷସ ବିଦ୍ୟୁତ୍‍କେଶ ସ୍ଵୟଂ ଆସି ଉଭାହେଲା ସାୟନ୍ତନୀ ସନ୍ଧ୍ୟାର ହାରରେ । ଅନ୍ତରାଳରେ କାନପାତି ଶୁଣିଲା ସାଲକଟଙ୍କଟା, ବିଦ୍ୟୁତ୍‍କେଶ କହୁଚି, ‘ହେତିପୁତ୍ର ମୁଁ, ବିଦ୍ୟୁତ୍‍କେଶ । ମୁଁ ଆପଣଙ୍କ କନ୍ୟାର ପାଣିପ୍ରାର୍ଥୀ ।'

 

ଦୁରୁଦୁରୁ କମ୍ପୁଚି ସାଲକଟଙ୍କଟାର ବକ୍ଷ–ଆଶା, ଉଦ୍‍ବେଗ ଓ ଆଶଙ୍କା । ମା’ କି ଅଭିମତ ଦେବ ? ତା’ର ମନସ୍କାମ କି ପୂର୍ଣ୍ଣ ହେବ ?

 

ଗଭୀର ଭାବରେ ମନେମନେ ବିଚାର କରୁଚନ୍ତି ବିଦୁଷୀ ସନ୍ଧ୍ୟା । ସେ ହିଁ ଏକାଧାରେ କନ୍ୟାର ମାତା, ପିତା, ବାନ୍ଧବୀ । ପିତା ବରର ଗୁଣାଗୁଣ ବିଚାର କରନ୍ତି, ମାତା କାମନା କରନ୍ତି ବରର ବିତ୍ତ । ପିତା ହେଇ ଭାବିଲେ ସେ : ବଂଶମର୍ଯ୍ୟାଦାରେ ଅତୁଳ ରକ୍ଷୋବଂଶ । ବିଦ୍ୟୁତ୍‍କେଶର ପିତା ହେତି, ସପ୍ତାଶ୍ଵବାହିତ ସୂର୍ଯ୍ୟ-ରଥରେ ତା’ର ଅବସ୍ଥାନ । ମାନବ, ଦାନବ, ଏପରିକି ରୁଦ୍ରଶୂଳ ଓ ବିଷ୍ଣୁଚକ୍ରର ମଧ୍ୟ ଅବଧ୍ୟ ସେ । ମାତା 'ଭୟା'ବି କାଳର ଭଗିନୀ । ଦୁଇ କୁଳର ଧନ୍ୟ ବିଦ୍ୟୁତ୍‍କେଶ । ନିଜେ ମଧ୍ୟ ସେ ଅମିତବିକ୍ରମ । କନ୍ୟାକୁ ତ କାହା ହାତରେ ହେଲେ ସମ୍ପ୍ରଦାନ କରିବାକୁହିଁ ହେବ । ସତ୍‍ପାତ୍ରରେ ତାକୁ ଅର୍ପଣ କରିବା ସଙ୍ଗତ । ବିଦ୍ୟୁତ୍‍କେଶ ଅବଶ୍ୟ ସତ୍‍ପାତ୍ର ।

 

ପୁନରପି ମାତା ହେଇ ଚିନ୍ତା କଲେ ବ୍ରହ୍ମ-ତନୁଜା : ଐଶ୍ଵର୍ଯ୍ୟ ସମ୍ପଦରେ ପ୍ରତିଷ୍ଠିତ ରାକ୍ଷସକୁଳ । ବିଦୁତ୍‍କେଶକୁ କନ୍ୟା ସମର୍ପଣ କଲେ ଅଦୀନା ହେଇ ସେ ରାଜୈଶ୍ଵର୍ଯ୍ୟ ଭୋଗର ଅଧିକାରିଣୀ ହେବ । ମାତାର ଚିରକାଳ କାମନା, କନ୍ୟା ମୋର ରାଜରାଣୀ ହେଉ । ପୁଣି ଟିକିଏ ଭୟବି ଉପୁଜିଲା ତାଙ୍କର । ଶକ୍ତି ଦର୍ପରେ ଉଦ୍ଧତ ରାକ୍ଷସ । ତା’ର ପ୍ରାର୍ଥନା ପୂର୍ଣ୍ଣ ନହେଲେ ହୁଏତ ବଳପୂର୍ବକ ବୀର୍ଯ୍ୟଶୁଳ୍କରେହିଁ କନ୍ୟାକୁ ହରଣ କରି ନେବ ।

 

ନାନା ଦିଗରୁ ବିଚାର କରି ବିଦ୍ୟୁତ୍‍କେଶ ହାତରେହିଁ କନ୍ୟାକୁ ସମର୍ପଣ କରିବେ ବୋଲି ସ୍ଥିର କଲେ ସନ୍ଧ୍ୟା । କହିଲେ, 'ମୋର କନ୍ୟା ତୁମର ପାଣିଗୃହୀତା ହେବ, ଏହା ଅସୁର କୁଳର ପରମ ସୌଭାଗ୍ୟ । ତୁମେ କୁଳୀନ, ରକ୍ଷୋବଂଶର ଗୌରବ । ମୁଁ ସାନନ୍ଦରେ ଏହି ବିବାହ ନିମନ୍ତେ ସମ୍ମତି ଦେଉଚି ।'

 

ମାତାର ବାକ୍ୟରେ ଉଲ୍ଲାସରେ ଉଲ୍ଲସିତା ହୁଏ ସାଲକଟଙ୍କଟା । ବରର ରୂପ-ଚିନ୍ତାରେ ବିଭୋର ଭାବୀ ବଧୂ–ଆହା, କି ଅପରୂପ ରୂପମାଧୁରୀ, ଆହା କି ଧୈର୍ଯ୍ୟ, ଆହା କି ଶୌର୍ଯ୍ୟ ! କି ଅମେୟ ଦ୍ୟୁତି, କି ପ୍ରଚଣ୍ଡ ଶକ୍ତି ବିଦ୍ୟୁତ୍‍କେଶ ! ଏଇ ଶୌର୍ଯ୍ୟର ନିୟନ୍ତ୍ରୀ ହେବ ସେ । ବିରାଟ ମନ୍ଦର ବନ୍ଦୀ ହେବ ତା’ର ଭୁଜ ବନ୍ଧନରେ ! କି ସୁଖ ! କି ତୃପ୍ତି !

 

କାମନାର ରଙ୍ଗ ଯାର ବୁକୁରେ, କାମନାର ମାଦକତା ଯାର ନେତ୍ରରେ, ତା’ପାଇଁ ବିଶ୍ଵଭୁବନ ଚିର ରଙ୍ଗିନ । ସେଇ ଭୁବନରେ କଳ୍ପନାରେ ରଙ୍ଗା ହେଇ ଉଠେ କୃଷ୍ଣା ଅସୁରକନ୍ୟା । ଏହା ମଧ୍ୟ ଏକପ୍ରକାର ରାଜଯୋଟକ । ଲଗ୍ନ-ରାଶି ମିଶିଲେ କେବଳ ରାଜଯୋଟକ ହୁଏନି । ବର ଯେଉଁଠି ସ୍ଵୟଂ ଯାଚକ, କନ୍ୟା ଯେଉଁଠି ସ୍ଵୟଂ ଯାଚିକା, ଅଭିଭାବକ ଯେଉଁଠି ଅନୁକୂଳ, ସେଇଠି ମହାରାଜଯୋଟକ । ଏ ଯେପରି ଯୁକ୍ତବେଣୀର ମଧୁର ସଙ୍ଗମ । ଯୋଗ୍ୟ ସଙ୍ଗେହିଁ ମିଳିତ ହେଲା ଯୋଗ୍ୟା । ବିଦ୍ୟୁତ୍‍କେଶ ସଙ୍ଗେ ମିଳିତ ହେଲା ସାଲକଟଙ୍କଟା–ରାକ୍ଷସଶକ୍ତି ସହିତ ଯୁକ୍ତ ହେଲା ଆସୁରିକତେଜ । କ୍ଷୁଧା ଓ କାମ ଗୋଟିଏ ବେଣୀରେ ମିଳିତ ହେଲେ; ସତେ ଯେପରି ଅନଳ ସଙ୍ଗେ ମିଳିତ ହେଲା ଅନିଳ, ଉନ୍ମତ୍ତ ସିନ୍ଧୁ ତରଙ୍ଗ ଯେପରି ବିପୁଳ ବିକ୍ଷୋଭ ସୃଷ୍ଟି କରି ଊର୍ମି ସଙ୍ଗେ ହାତ ମିଳାଇଲା ପ୍ରଳୟ ଝଟିକା ।

 

ଦୈବଭାବର ଆଜନ୍ମ ଶତ୍ରୁ ଅସୁରଭାବ । ଅସୁର, ରାକ୍ଷସ ଦେବତ୍ଵର ଚିର ବୈରୀ । ଦମ୍ଭ, ଦର୍ପ, ମଦ–କ୍ରୋଧ, ପାରୁଷ୍ୟ, ଅତିଦ୍ରୋହିତା–ଯାହା କିଛି ଆସୁରିକଭାବ, ସେଥିର ମୂଳ କଦର୍ଯ୍ୟ କାମ । କାମ ଆତ୍ମକ୍ଷୁଧା ଭିନ୍ନ ନୁହେଁ, ଭିନ୍ନ ନୁହେଁ ଅସୁର ଓ ରାକ୍ଷସ । ଗୋଟାଏ ପାପର ଦୁଇଟି ମୂର୍ତ୍ତି, ଗୋଟିଏ ବିଷବୃନ୍ତର ଦୁଇଟି ବିଷଫଳ । ବିଶ୍ଵର ଯାବତୀୟ ଅନାଚାର ଏଇ କ୍ଷୁଧା କାମନାର ସୃଷ୍ଟି । କ୍ଷୁଧାତୁର ବିକୃତ ବଦନ, ଉଗ୍ର, ଉଦ୍ୟତବାହୁ–କ୍ଷୁଧାକାତର ଜୀବ ଅନ୍ଧ, ବଧିର । ତା’ର ଦିଗ୍‍ବିଦିକ୍ ଜ୍ଞାନ ରହେନି । ଖାଲି କି ସେତିକି ? ମାୟା, ମମତା, ସ୍ନେହ–ସବୁ କିଛି ଭୁଲାଇ ଦିଏ କ୍ଷୁଧା ।

 

ଜନକଂ ଜନନୀଂ ପୁତ୍ରାନ୍ ଭାର୍ଯ୍ୟାଂ ଦୁହିତରଂ ତଥା

ଭ୍ରାତରଂ ସ୍ୱଜନଂ ବାପି ତ୍ୟଜତି କ୍ଷୁଧୟାର୍ଦିତଃ ॥

 

ଯେପରି କ୍ଷୁଧା, ସେପରି କାମ । କାମନା ମଧ୍ୟ ଅନ୍ଧ, ବଧିର, ନିଷ୍ଠୁର । ଦୁର୍ଦ୍ଦାନ୍ତ କ୍ଷୁଧା–କାମନାର ଭୀଷଣ ମୂର୍ତ୍ତି ରାକ୍ଷସ ବିଦ୍ୟୁତ୍‍କେଶ ଓ ଅସୁରନନ୍ଦିନୀ ସାଲକଟଙ୍କଟା । ମଣିଷର ଭାଷା ସେ କ୍ଷୁଧାର ବର୍ଣ୍ଣନା ଦେବାକୁ ଅକ୍ଷମ । ନିର୍ଦ୍ଦୟ ରତି ବୁଭୁକ୍ଷା, ଅତି ନିର୍ମମ ତା’ର ରୂପ । ମନେ ହୁଏ, ଜଗତରେ ଆଉ କିଏ ନାଇଁ, ଆଉ କିଛି ନାଇଁ–ଅଛି ଖାଲି ସମ୍ଭୋଗ, ବଢ଼ତି ସମ୍ଭୋଗ ।

 

ଏଇ ସମ୍ଭୋଗରେହିଁ ପ୍ରବୃତ୍ତ ହେଲେ ନବଦମ୍ପତି । ନବବଧୂ ତୁଳସୀ ମୂଳରେ ପ୍ରଦୀପ ଜାଳିଲାନି, ସନ୍ଧ୍ୟାରେ ଦେଲାନି ହୁଳହୁଳୀ; ବର ପଞ୍ଚଯଜ୍ଞରେ ପ୍ରତିଷ୍ଠିତ ହେଇ ଗୃହକୁ ପବିତ୍ର କଲାନି, ଶୋଧ କଲାନି ପଞ୍ଚୠଣ । ରାଜପ୍ରାସାଦପୂର୍ଣ୍ଣ ହେଲା ଭୋଗର ନୃତ୍ୟ ଗୀତରେ । ସମ୍ଭୋଗର ରସଦ ଅର୍ଥ । ପ୍ରଜାର ଭଣ୍ଡାର ଲୁଣ୍ଠନ କରି ଚରିତାର୍ଥ ହେଲା ରାଜାର ଭୋଗ ।

 

କ୍ରନ୍ଦନ କରି ଉଠିଲା ଧର୍ମ୍ନ କ୍ରନ୍ଦନ କରି ଉଠିଲେ ଆର୍ତ୍ତ ପ୍ରଜାପୁଞ୍ଜ । କରଗ୍ରାହୀର ରୁଦ୍ରକର ଅଗ୍ନିସଂଯୋଗ କଲା ପ୍ରଜା ଗୃହରେ ।

 

ଚତୁର୍ଦ୍ଦିଗରେ ଅଗ୍ନି, ଚତୁର୍ଦ୍ଦିଗରେ ହାହାକାର । ବିଦ୍ୟୁତ୍‍କେଶ ସାଲକଟଙ୍କଟାର ପ୍ରମୋଦ ଭବନରେ ଅବିରାମ ଭାବରେ ଚାଲିଚି ମଦନୋତ୍ସବ ।

 

କେବଳ ପ୍ରାସାଦ ସୀମାରେ ପ୍ରମୋଦର ତରଙ୍ଗ ଆବଦ୍ଧ ରହିଲାନି, ବିସ୍ତୃତ ହେଲା ସରୋବର, ସରିତ ସାଗର ଅବଧି । ବିସ୍ତୃତ ହେଲା କୁଞ୍ଜକାନନ ଓ ନିର୍ଜନ ଅରଣ୍ୟକୁ । ଆଲୋଡ଼ିତ ହେଲା ଶୈଳର ଶିଖର, ସାନୁଦେଶ, କନ୍ଦର । ଦିନ ନାଇଁ, କ୍ଷଣ ନାଇଁ, କାଳାକାଳ ବିଚାର ନାଇଁ–ସବୁ ସମୟରେ, ସବୁ ସ୍ଥାନରେ କାମନାର ବହ୍ନିରେ ବରବଧୂର ମଧୁଚନ୍ଦ୍ରିକା ।

 

ଅରଣ୍ୟର ସୁନ୍ଦର ଶୋଭା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ବୋଲେ ସାଲକଟଙ୍କଟା, ‘ଏଇ ଦେଖ, କି ମନୋରମ ସରୋବର, କି ସୁନ୍ଦର ହଂସଲୀଳା, କି ନୟନ ରଞ୍ଜକ ଶ୍ୟାମଦୂର୍ବାଦଳ, କି ଚମତ୍କାର ବେତସୀ ଲତାର ବନ୍ଧନ ।’

 

ହସି ଉତ୍ତର ଦିଏ ବିଦ୍ୟୁତ୍‍କେଶ, ‘ଶୋଭନାଙ୍ଗି ! ତୁମ ନୟନର ଆଚ୍ଛାଦପଟଳହିଁ ସରୋବର, କଟାକ୍ଷ ହଂସଲୀଳା; ତୁମର ସବୁଜ ମେଖଳା ଶ୍ୟାମଳ ବନବୀଥି; ତୁମର ସୁକୋମଳ ବାହୁହିଁ ବେତସୀଲତାର ବନ୍ଧନ ।’

 

ଖିଲ୍ ଖିଲ୍ ହସରେ ଲୋଟି ପଡ଼େ ସାଲକଟଙ୍କଟା । ପ୍ରତି ଅଙ୍ଗରେଖାରେ ଯେପରି କିନ୍ନରୀର ନୃତ୍ୟ । ବିଦ୍ୟୁତ୍‍କେଶ ରକ୍ତରେ ଉତ୍ତପ୍ତ ଉନ୍ମାଦନା–ମାତାଲ ଭଳି ଉନ୍ମାଦନା । ଉନ୍ମାଦ ରାକ୍ଷସ, ଉନ୍ମାଦ ଅସୁରକନ୍ୟା । ପ୍ରମତ୍ତା ବୋଧହୁଏ ସମଗ୍ର ପ୍ରକୃତି । ସାଗରର ଉତ୍ତାଳ ତରଙ୍ଗ ବେଳାବଳୟରେ ବେଷ୍ଟିତ ହୁଏ–ଚଞ୍ଚଳ ହେଇ ଉଠେ ବଦ୍ୟୁତ୍‍କେଶ । ସାଗର ଦିଗନ୍ତରେ ଦିଗ୍‍ବଧୂ ଆଲିଙ୍ଗନ କରେ ସମୁଦ୍ର-କଟି–ଚମକି ଉଠେ ସାଲକଟଙ୍କଟା । ସମୀରଣ ଆସି ସ୍ପର୍ଶ କରେ ନଦୀର ଜଳ, ଶିହରି ଉଠେ ସରିତ୍ ତରଙ୍ଗ–ଶିହରି ଉଠେ ବିଦ୍ୟୁତ୍‍କେଶ । କଳମୁଖର ସ୍ରୋତସ୍ଵିନୀ ତଟିନୀ ଭଳି ନାଚି ନାଚି ପ୍ରବେଶ କରେ ସାଗରରେ–ଅସ୍ଥିର ହେଇ ଉଠେ ସାଲକଟଙ୍କଟା । ସରୋବରେ ଚକ୍ରବାକ-ଚକ୍ରବାକୀ, ରାଜହଂସ-ରାଜହଂସୀର ମିଥୁନ-ଚେଷ୍ଟା କାମୀଯୁଗଳକୁ ପାଗଳ କରେ ।

ଗିରି ଶୀର୍ଷରେ ଆସି ଉଭା ହୁଅନ୍ତି ଦୁହେଁ । ଦେଖନ୍ତି, ଉଷା ପଶ୍ଚାତ୍‍ରେ ସବେଗରେ ଛୁଟିଚି ଅରୁଣ । ରଙ୍ଗା ଅରୁଣର କାମନା ରଙ୍ଗରେ ରକ୍ତମୁଖୀ ଶୁଭ୍ରା ଉଷା । ଆନନ୍ଦର ଭୟରେ ଶିଥିଳତାର ସଙ୍କୋଚ ଆବରଣ, ତର୍ଜନୀ ନିର୍ଦ୍ଦେଶରେ ପ୍ରଣୟ-ରୋଷର ଛଳନା, ବଙ୍କିମ ଆନନରେ ଆତ୍ମନିବେଦନର ତ୍ରାସ । କାହିଁ ଉଷା ? ଅରୁଣ ବକ୍ଷରେ ଆନନ୍ଦରେ ଲୀନା ଅରୁଣପ୍ରିୟା ।

କେବେ ବା ଦେଖନ୍ତି, ମତ୍ତ ହସ୍ତୀ ଭଳି ଛୁଟିଚି ମେଘ । ଉତ୍ତାଳ ହେଇ ଉଠିଚି ସିନ୍ଧୁ ତରଙ୍ଗ । ପ୍ରଳୟ ମେଘ ସବଳେ ଆକର୍ଷଣ କରୁଚି ସିନ୍ଧୁକୁ, ଉତ୍ତରଙ୍ଗ ସାଗର ପ୍ରଚଣ୍ଡ ବେଗରେ ଆକର୍ଷଣ କରୁଚି ମେଘକୁ । ଜଳସ୍ତମ୍ଭ ସୃଷ୍ଟି ହେଇଚି ସାଗର ବକ୍ଷରେ । ଏକାକାର ଜଳଦ ଓ ଜଳଧି-

ନିଦ୍ରାହୀନ ଉଦଗ୍ର କାମ, ଚନ୍ଦ୍ରାହୀନ ଉଦ୍ଦାମ ସମ୍ଭୋଗ । ଦିନ ଯାଇ କେବେ ରାତି ହୁଏ ତା’ର ଖିଆଲ ନାହିଁ । ଗୋଟିଏ ଯୁଗ ଯେପରି ଗୋଟିଏ ନିମେଷ । ତୃପ୍ତିହୀନ, ଶ୍ରାନ୍ତିହୀନ, ଶାନ୍ତିହୀନ କ୍ଷୁଧା । ପ୍ରମତ୍ତ ବିଦ୍ୟୁତ୍‍କେଶ ତପ୍ତସଲିକ ସାଗର ଯେପରି–ଚିରକ୍ଷୁଭିତ, ଚିରତରଙ୍ଗିତ, ଚିରଗର୍ଜିତ । ତା’ର ନୟନ ରକ୍ତବର୍ଣ୍ଣ, ବିଘୂର୍ଣ୍ଣିତ ମସ୍ତକ, ମୁଖରେ ଗଜରାଜର ମଦଶ୍ରାବ । ଅନଙ୍ଗ ରଙ୍ଗରେ ମତ୍ତା ଅସୁରକନ୍ୟା ବହ୍ନିର ଲେଲିହାନ ଶିଖା ଯେପରି କୃଷ୍ଣକୁଟିଳ, ଗର୍ଜ୍ଜମୁଖର, ସର୍ବଗ୍ରାସୀ-। ତା’ର ଲୋଚନ ମଦଘୂର୍ଣ୍ଣିତ, ଆରକ୍ତ; ବିପର୍ଯ୍ୟସ୍ତ ବିଭୂଷଣ, ବକ୍ଷରେ ଘନଶ୍ଵାସ ।

ଅଗ୍ନି-ଉଚ୍ଛ୍ୱାସରେ ଗର୍ଜନ କରି ଉଠେ ଆଗ୍ନେୟ ପର୍ବତ, ମତୁଆଳ ଝଡ଼ ଉଠେ ଅରଣ୍ୟରେ, ନଦୀ ବକ୍ଷରେ ଜାଗେ ରାକ୍ଷସୀ ବନ୍ୟା । କେତେ ଅଗ୍ନି ! ଆଉ ଜତୁଗୃହ । ପ୍ରଳୟରେ କି ଏତେ ଉଦ୍ଦାମ ହୁଏ ଝଡ଼ ? ବୃକ୍ଷେ ବୃକ୍ଷେ ସଘନ ଘର୍ଷଣ, ମାଟି ବକ୍ଷରେ ଅନଳଶ୍ଵାସ । ବନ୍ୟାଜଳ ଲାଲ ହେଇ ଉଠେ କାମିନୀର ଅଙ୍ଗରାଗରେ ।

ନିଷ୍ଫଳା ନୁହେଁ ଉଦ୍ଦଣ୍ଡ କ୍ଷୁଧା, ବ୍ୟର୍ଥ ହୁଏନା ମତ୍ତ ଝଡ଼ର ଆବେଗ । ଏଥିରେ ରିକ୍ତତା ଥାଏ, ପୂର୍ଣ୍ଣତାବି ଥାଏ । ପରକୁ ରିକ୍ତ କରି ପୂର୍ଣ୍ଣ କରେ ନିଜକୁ । ଅଗ୍ନି ଯେପରି ହବିରୁ ଅମୋଘ ରୁଦ୍ରତେଜ ଗ୍ରହଣ କରେ, ଊର୍ମି ମୁଖରୁ ସଂଜ୍ଞା ଯେପରି ଗ୍ରହଣ କରେ ସୂର୍ଯ୍ୟର ଶକ୍ତି, ସେପରି ବିଦ୍ୟୁତ୍‍କେଶର ରାକ୍ଷସୀତେଜ ଧାରଣ କଲା ଅସୁରନନ୍ଦିନୀ ସାଲକଟଙ୍କଟା । କ୍ରମେ ପ୍ରକାଶିତ ହେଲା ଦୌହୃଦ ଲକ୍ଷଣ । କ୍ଷୀଣ ଦେହ, ପାଣ୍ଡୁର ବଦନ–ଦିନେ ଦିନେ ପୁଣି ସୁପୁଷ୍ଟ ଦେହ, ସୁନ୍ଦର କାନ୍ତି ।

ଆର୍ଯ୍ୟ ଧର୍ମରେ ଗର୍ଭାଧାନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷର ଦଶବିଧ ସଂସ୍କାର । ପ୍ରତ୍ୟେକ କ୍ରିୟା ଧର୍ମର ସଂଯତ ଶୃଙ୍ଖଳରେ ଶୃଙ୍ଖଳିତ । ସେଇଠି ବଡ଼ କଠିଣ ଗର୍ଭିଣୀର ଦାୟିତ୍ୱ, ବଡ଼ କଠୋର ସ୍ୱାମୀର କର୍ତ୍ତବ୍ୟ । ସନ୍ତାତ ତ ସମ୍ଭୋଗର ଗରଳ ନୁହେଁ କିବା ଉଦ୍ଧତ କାମନାର ବଡ଼ବା । ସନ୍ତାନ ଧର୍ମଯଜ୍ଞର ପୁଣ୍ୟଫଳ, ଅଳକନନ୍ଦାର ଆନନ୍ଦଧାରା । ସେ ଯଜ୍ଞଫଳ ଲାଭର ନିୟମ ଅଛି, ସଂଯମ ଅଛି, ମନ୍ତ୍ର ଅଛି ।

 

କିଛି କ୍ଷୁଧାତୁର ରାକ୍ଷସ, କାମାତୁରା ଅସୁରନନ୍ଦିନୀ । ନିୟମରେ ସେ ଦୁହେଁ ଅନିୟମ, ଶୃଙ୍ଖଳାର ବ୍ୟତିକ୍ରମ । ଆସଙ୍ଗଲିପ୍‍ସାରେ ଆହୁରି ଉଦ୍ଦାମ ହେଇ ଉଠିଲେ ସେମାନେ । ଅନ୍ଧ ଇନ୍ଦ୍ରିୟ ସେବାରେ ଯେଉଁମାନେ ନିତ୍ୟ ପ୍ରମତ୍ତ, ସେମାନଙ୍କର ପାନ-ଭୋଜନ, ହାସ୍ୟ-ରୋଦନ, ଅବସ୍ଥାନ-ଗମନ ଗୋଟିଏ ସୂତ୍ରରେ ଗୁନ୍ଥା–ସେପରି ଗୋଟିଏ ସୂତ୍ରରେ ଗୁନ୍ଥି ହେଇଚନ୍ତି ବିଦ୍ୟୁତ୍‍କେଶ ଓ ସାଲକଟଙ୍କଟା । କ୍ଷଣକପାଇଁ ବିଦ୍ୟୁତ୍ ମେଘଯୁକ୍ତ ହେଲେ ଯେପରି ଗଭୀର ଭାବରେ ଗର୍ଜନ କରି ଉଠେ ମେଘ, ସେପରି ମୁହୂର୍ତ୍ତକ ପାଇଁ ଭାର୍ଯ୍ୟା ଦୃଷ୍ଟିର ଅନ୍ତରାଳ ହେଲେ ଘୋର ଗର୍ଜନ କରି ଉଠେ ବିଦ୍ୟୁତ୍‍କେଶ । ସାଲକଟଙ୍କଟା ମଦିରା ପାନ କରି ବିଦ୍ୟୁତ୍‍କେଶକୁ ପ୍ରସାଦ ଦିଏ, ବିଦ୍ୟୁତ୍‍କେଶ ସେଇ ସୁଧା ପାନ କରି ମତ୍ତ ହେଇ ଉଠେ । ଅର୍ଦ୍ଧଚର୍ବିତ ତାମ୍ବୁଳ ସାଲକଟଙ୍କଟା ମୁଖରେ ଅର୍ପଣ କରେ ବିଦ୍ୟୁତ୍‍କେଶ, ସେଇ ତାମ୍ବୁଳରାଗରେ ମଦମତ୍ତା କରିଣୀ ଭଳି ଭୀଷଣା ହେଇ ଉଠେ ମୁକ୍ତକେଶୀ । ତାରାରେ ବାଜେ ମେଘମହ୍ଲାର ।

 

ଜଳଭାରରେ ନମିତ ବର୍ଷାର ଘନମେଘ, ଜଳଭାରରେ ପୂର୍ଣ୍ଣା ବର୍ଷାର ତରଙ୍ଗିଣୀ । କି ଉତ୍ତାଳ ଝଡ଼ର ଆବେଗ ! ସେ ଝଡ଼ରେ ଚଞ୍ଚଳ ହୁଏ ମେଘ, ଚଞ୍ଚଳା ହେଇ ଉଠେ ପୂର୍ଣ୍ଣା ତଟିନୀ । ସେ ପ୍ରମତ୍ତତା, ସେ ଉନ୍ମତ୍ତ ଉଚ୍ଛ୍ଵାସରେ ଜଳର ଅଖଣ୍ଡ ଲୀଳା । ଝଡ଼ ବୁକୁରେ ଆହୁରି ଉଚ୍ଚତାନରେ, ଦ୍ରୁତ ଲୟରେ ବାଜେ ମେଘମହ୍ଲାର ରାଗ ଯେପରି ।

 

ସେଦିନ ରୁଦ୍ରାଧିକାରଭୁକ୍ତ ରାକ୍ଷସୀ ମୁହୂର୍ତ୍ତରେ ସାଲକଟଙ୍କଟା ବଦ୍ଧ ଥିଲା ବିଦ୍ୟୁତ୍‍କେଶର ବାହୁ ପାଶରେ । ସହସା ତ୍ରପ୍ତଭରେ ଆଲିଙ୍ଗନମୁକ୍ତ ହେଲା ସେ । ଭୀତା, ଚକିତା ବନ କରିଣୀ ଯେପରି । ଅବାକ୍ ହେଲା ବିଦ୍ୟୁତ୍‍କେଶ । ସଭୟେ ଦେଖିଲା, ଘନ ନୀଳ ହେଇ ଯାଇଚି ସାଲକଟଙ୍କଟା । ଗଭୀର ଏକ ଅବ୍ୟକ୍ତ ବେଦନାର ଚିହ୍ନ ତା’ର ଆଖିରେ, ଆନନରେ; ମୁମୁର୍ମୁହୁଃ କୁଣ୍ଡଳୀ ହେଉଚି ତା’ର ଦେହ । ବିଦ୍ୟୁତ୍‍କେଶ କିଛି ପଚାରିବା ଆଗରୁ କ୍ଷିପ୍ର ପଦକ୍ଷେପରେ ଶୈଳ କାନନାନ୍ତରାଳରେ ଅଦୃଶ୍ୟ ହେଇଗଲା ସେ । ଉନ୍ମାଦ ଭଳି ଡକା ପକାଉଚି ବିଦ୍ୟୁତ୍‍କେଶ, ‘ସାଲକଟଙ୍କଟା !’ ଆହ୍ଵାନ ଯେପରି ପ୍ରମତ୍ତ ବୃଂହଣ । ବନତଳ ପ୍ରତିଧ୍ଵନିତ କଲା ସେ, ନିଖାଦ ନିର୍ଘୋଷ ।

 

ଶୈଳ ସାନୁଦେଶରୁ ଧ୍ଵନିତ ହେଲା ବେଦନାଖିନ୍ନ ବିହ୍ଵଳ ପ୍ରତ୍ୟୁତ୍ତର, ‘ମୁହୂର୍ତ୍ତେ ଅପେକ୍ଷା କର ।’ ପ୍ରସ୍ତରଶୈଳର ଆଘାତରେ ପ୍ରତିଧ୍ଵନିତ ହେଲା ବିକଟ ସେ ରାସଭୀ ଧ୍ୱନି । ମହାତଙ୍କିତ ଭଳି ଅସ୍ଥିର ବିଦ୍ୟୁତ୍‍କେଶ । ଚଞ୍ଚଳ ଚିତ୍ତ, ଚଞ୍ଚଳ ସ୍ନାୟୁ–ସହସ୍ର ବିଦ୍ୟୁତ୍ ତରଙ୍ଗ ଯେପରି ଖେଳୁଚି ତା’ର ଦେହରେ । ଶଙ୍କାବ୍ୟାକୁଳ ଉତଳା ପ୍ରତୀକ୍ଷା । ମୁହୁର୍ମୂହୁଃ ବ୍ୟାକୁଳରେ ଗର୍ଜିତ ଆହ୍ଵାନ, ‘ସାଲକଟଙ୍କଟା ! ସାଲକଟଙ୍କଟା !'

 

ଅଲକ୍ଷ୍ୟ ଶୈଳକାନନରୁ ସେପରି ଉତ୍ଥିତ ହୁଏ ବେଦନା କାତର, କାମବିହ୍ଵଳ କଣ୍ଠସ୍ୱର, ‘କ୍ଷଣେ ଅପେକ୍ଷା କର ବିଦ୍ୟୁତ୍‍କେଶ ।’

 

ସମଗ୍ର ବନ ଯେପର ଘୂର୍ଣ୍ଣିତ ହେଉଚି । ଭୀଷଣ କମ୍ପନ ! ବ୍ୟଗ୍ର ପ୍ରତୀକ୍ଷାର ଆବେଗ-କମ୍ପନ, ଅବ୍ୟକ୍ତ ବେଦନାର ବ୍ୟାକୁଳ-କମ୍ପନ ! ବକ୍ଷ ଅତଳରେ କମ୍ପିତ ରକ୍ତସିନ୍ଦୂର ରକ୍ତବିନ୍ଦୁ, ନୟନର ଅଚ୍ଛୋଦ-ପଟଳରେ କମ୍ପିତ ତାରାରନ୍ଧ୍ର । ବିପୁଳ ସମ୍ଭାବନାରେ, ସଭୟ ସ୍ପନ୍ଦିତ ସୁକଠିଣ ବେଦନା । କମ୍ପିତ ଶୈଳ, ସରୋବର, କାନନ, କନ୍ଦର । ଗୋଧୂଳିର ଅସ୍ପଷ୍ଟ ଆଲୋକରେ କମ୍ପୁଚି ସହସ୍ର ତ୍ରସରେଣୁ, ପ୍ରଦୋଷର ଛାୟାରେ କମ୍ପିତ ହେଉଚି ଅସ୍ପଷ୍ଟ ଅନ୍ଧକାର ।

 

ସହସା ଦେଖାଯାଏ, ସନ୍ଧ୍ୟାର ଅନ୍ଧକାର ଆଲୋଡ଼ିତ କରି, ବିଜୟିନୀ ଭଳି କଳହାସ୍ୟରେ ବନତଳ ପ୍ରକମ୍ପିତ କରି ଛୁଟି ଆସୁଚି କାମୋନ୍ମତ୍ତା ସାଲକଟଙ୍କଟା; ଆଲିଙ୍ଗନ ଲିପ୍‍ସାରେ ଛୁଟି ଆସୁଚି ମଦପ୍ଲୁତା କରିଣୀ ଭଳି ରଜଃପ୍ଲୁତା ସଦ୍ୟପ୍ରସୂତି–ଯେପରି ଉଗ୍ରଭୀଷଣ କ୍ଷୁଧାର ଗ୍ରାସ ଆଉ ଗୋଟିଏ ନିଷ୍ଠୁର ଅନ୍ଧ କ୍ଷୁଧା ।

 

ସେତେବେଳେ ଶୈଳ ସାନୁଦେଶ ପ୍ରକମ୍ପିତ କରି ପ୍ରାଣପଣେ ଭୈରବ ରବରେ ଚିତ୍କାର କରୁଚି ଗୋଟିଏ ପରିତ୍ୟକ୍ତ, ସଦ୍ୟୋଜାତ ଶିଶୁ–ମମତାହୀନ କୁତ୍ସିତ କାମନାର ବିଷଫଳ ସେ–ରାକ୍ଷସ ସୁକେଶ, ରାବଣର ପ୍ରମାତାମହ ।

 

ନୀରବ ହେଲେ ଅଗସ୍ତ୍ୟ–ନୀରବ ହେଲା ଗୋଟିଏ କ୍ଷୁବ୍ଧ, ରୁଷ୍ଟ, କମ୍ପିତକଣ୍ଠ । ବଜ୍ରାହତ ଭଳି ସ୍ତବ୍ଧ ସଭାକକ୍ଷ । ରତ୍ନ ସିଂହାସନରେ ନିସ୍ତବ୍ଧ ରକ୍ଷୋବିଜୟୀ ରାମ–ବେଦନା-ସଜଳ କମଳନୟନ, କ୍ଷୋଭରେ ସ୍ଫୁରିତ କୋମଳ ଓଷ୍ଠାଧର । ସେ ଭାବୁଚନ୍ତି, 'ଏଇ ଉତ୍କଟ କ୍ଷୁଧା-କାମନାରୂପୀ ନିର୍ଦ୍ଦୟ ରାକ୍ଷସର ବୁଭୁକ୍ଷା-ଗ୍ରାସରୁ ରାମରାଜତ୍ଵ ମୁକ୍ତ ହେଇ ପାରିଚି କି ?

 

ଭବିଷ୍ୟୋତ୍ତର କାଳର କଣ୍ଠରେ ମଧ୍ୟ ଜାଗେ ଯେପରି ସେଇ ଗୋଟିକ ପ୍ରଶ୍ନ :

 

ଉତ୍କଟ କ୍ଷୁଧା-କାମନାରୂପୀ ରାକ୍ଷସର କବଳରୁ ରାମରାଜ୍ୟ ମୁକ୍ତ ହେଇ ପାରିଚି କି ?*

 

* ରାମାୟଣ–ଉତ୍ତରାକାଣ୍ଡ

★★★

 

Unknown

ଚାର୍ବାକ

 

ପ୍ରିୟଦର୍ଶନ ସୁକୁମାର ଚାର୍ବାକ । ତା’ର କଷିତ କାଞ୍ଚନ ଅଙ୍ଗବର୍ଣ୍ଣରେ ସୁଚାରୁ-ସୁଷମା, ଚାରୁ ଅଙ୍ଗରେ ଚାରୁତାର ଚାରୁଚିତ୍ର । ଚାରୁ କୁଞ୍ଚିତ ଚିବୁର, ଚାରୁ ଭ୍ରୂଲେଖା । ଚାରୁ ନେତ୍ରରେ ଚାରୁ ଚାହାଣି, ଅଧରେ ଚାରୁ ହାସ୍ୟରେଖା । ଯେପରି ମଧୁର ହାସ, ସେପରି ମଧୁର ଭାଷା । ଚାରୁବାକ୍ ଚାର୍ବାକ ।

 

ତା’ର ଜୀବନରେ ଦୁଃଖ ନାଇଁ; ଦୁଃଖକୁ ଯେପରି ନିଃଶେଷରେ ଜୟ କରିଚି ସେ, ନୀଳକଣ୍ଠ ଭଳି ପାନ କରିଚି ବିଶ୍ଵମଥିତ ବିଷ । ସଦାଶିବ ଭଳି ସଦାନନ୍ଦ–ଚିରମୁକ୍ତ ଯେପରି ସୁଖର ନିର୍ଝର, ସ୍ଵତଃସ୍ଫୁର୍ତ୍ତ ଯେପରି ଗୋଟାଏ ସ୍ଫୁର୍ତ୍ତି । ବିଶ୍ଵର ଆନନ୍ଦ-ମେଳାକୁ ଦୁଃଖୀ ମଣିଷ ସମାଜକୁ ନିମନ୍ତ୍ରଣ ଜଣାଇ ସେ କହେ, ‘ସୁଖମୟ ଏଇ ସାଗର-ମେଖଳା, ଶ୍ୟାମାଞ୍ଚଳା ଧରଣୀ, ସୁଖର ପୂର୍ଣ୍ଣ ବିଶ୍ଵର ହୃଦୟପାତ୍ର । କାହିଁକି ଦେହର ଏ ମିଥ୍ୟା ବିଡ଼ମ୍ବନା, ଏ ମିଥ୍ୟା ବୈରାଗ୍ୟ ସାଧନା ? ତୁମର ଇନ୍ଦ୍ରିୟ ଅଛି–ଚକ୍ଷୁ, କର୍ଣ୍ଣ, ଜିହ୍ଵା, ନାସିକା, ତ୍ୱକ୍–ପଞ୍ଚେନ୍ଦ୍ରିୟର ପ୍ରଦୀପରେ ଦେଖ ଏଇ ଭୋଗବତୀ ବସୁନ୍ଧରା, ଆକଣ୍ଠ ପାନ କର ତା’ର ରୂପ ଓ ରସ । ଦେହକୁ ସୁଖଭୋଗ କରାଅ–‘ଦେହ ଏବ ଆତ୍ମା ନ ଚାପରଃ ।’

 

ଚାର୍ବାକର ମୋହନ ବାକ୍ୟ ପ୍ରଭାତ-ସନ୍ଧ୍ୟାରେ, ମଧ୍ୟାହ୍ନ-ମଧ୍ୟରାତ୍ରିରେ ଦ୍ଵନ୍ଦ୍ୱ-ମଥିତ ଅନ୍ତରରେ ସୁଧା ବର୍ଷଣ କରେ । ଦୁଃଖକ୍ଳାନ୍ତ ଜୀବନପାଇଁ ଏହା ଯେପରି କିନ୍ନର କଣ୍ଠର ଗାନ, ଲୋଭୀର ଜୀବନପାଇଁ ଦୀପ୍ତ ସୁରା । ଚାର୍ବାକକୁ ଘେରି ଯେପରି ସମବେତ ହୁଅନ୍ତି ସହସ୍ରାଧିକ ପ୍ରଜା । ଭୋଗୀମାନେ ଚାର୍ବାକକୁ ଆତ୍ମୀୟ ମଣନ୍ତି । ଯଦୃଚ୍ଛାବାଦୀ ମହାମୋହ ଓ ମହାମଦ ତା’ର ଅଜ୍ଞାତରେ ତାକୁ ଗୁରୁପଦରେ ବରଣ କରନ୍ତି । ସର୍ବାପେକ୍ଷା ଅଧିକ ଆକୃଷ୍ଟ ହୁଅନ୍ତି ସର୍ବହରା ସାଧାରଣ ମଣିଷ । ସେମାନେ ଯୁଗଯୁଗାନ୍ତ ବ୍ୟାପୀ ବହ୍ନିଗ୍ରାସର ଅବଶେଷ । ଧର୍ମ ସେମାନେ ବୁଝନ୍ତିନି, ଅଧର୍ମକୁ ଭୟ କରନ୍ତି; ମିତାଚାରୀ ସେମାନେ ନୁହନ୍ତି, ଅମିତାଚାର ପ୍ରତି ମଧ୍ୟ ସେମାନଙ୍କର ଭୟ; ଦୁଃଖର ଜଗତରେ ସେମାନେ ସୁଖ କାମନା କରନ୍ତି, ପାଆନ୍ତିନି । ଚାର୍ବାକକୁ ସୁଖ ପାଆନ୍ତି ସେମାନେ, ଅନେକ କିଛି ପ୍ରଶ୍ନ କରନ୍ତି । ଚାର୍ବାକର ମଧୁର ହସ ସେମାନଙ୍କ ଜୀବନର କ୍ଷଣିକ ଆଲୋକ, ସଂଶୟାକୁଳ ଚିତ୍ତ ନିମନ୍ତେ ସୁଗନ୍ଧ ଧୂପ ଭଳି ତା’ର ମଧୁରାକ୍ଷରା ବାଣୀ ।

 

ଉଦାର ଅବିଚଳ ଜ୍ଞାନୀ ପୁରୁଷ ଚାର୍ବାକକୁ ଦେଖି ଉଦାସ ହସ ହସନ୍ତି–ସେମାନଙ୍କ ନିକଟରେ ଯେପରି ଚତୁର୍ବେଦ, ସେପରି ଚାର୍ବାକ । କିନ୍ତୁ ଚାର୍ବାକ ପ୍ରତି କଠୋର ହେଇ ଉଠନ୍ତି ତାର୍କିକ ବୈଦାନ୍ତିକ, ସାଂଖ୍ୟଯୋଗୀ, ନୈୟାୟିକ । ତର୍କଦ୍ଵାରା ସେମାନେ ଚାର୍ବାକ-ବାକ୍ୟ ଖଣ୍ଡନ କରନ୍ତି । ଚାର୍ବାକ ପ୍ରତି ଖଡ଼୍‍ଗହସ୍ତ ଯାଜକ ବ୍ରାହ୍ମଣ । ସେମାନେ କହନ୍ତି, ‘ନିପଟ ମୂର୍ଖ, ପାଷାଣ୍ଡ ।’ କିଏ ବା ମନ୍ତବ୍ୟ କରେ, ‘ନାସ୍ତିକ, ଘୋର ନାସ୍ତିକ ।’ କିଏ ବା ତିକ୍ତ କଣ୍ଠରେ କହେ, ‘କାମୁକ ଲମ୍ପଟ–ସେଥିଲାଗି ଦୁଃଖର ସଂସାରରେ ସେ ମିଥ୍ୟା ସୁଖର ମଦିର ସ୍ଵପ୍ନ ଦେଖୁଚି ।’

 

ନିନ୍ଦାବାଦରେ କ୍ଷୁଣ୍ଣ ହୁଏନି ଚାର୍ବାକ । ତା’ର ଭୁବନମୋହନ ହସ ଆବର୍ତ୍ତସଙ୍କୁଳ ତରଙ୍ଗ ଶୀର୍ଷର ଶୁଭ୍ର ଫେନ ଯେପରି । ହେତୁବାଦୀ ତାର୍କିକ ସେ; କ୍ଷୁରଧାର ବୁଦ୍ଧି, ଅକାଟ୍ୟ ଯୁକ୍ତି । ସହାସ୍ୟରେ ସେ ପ୍ରତ୍ୟୁତ୍ତର କରେ, ‘ମୂର୍ଖ କିଏ ? ଯିଏ ପ୍ରତ୍ୟକ୍ଷରେ ବିଶ୍ୱାସୀ ନା ଯିଏ କଳ୍ପନା-ବିଳାସୀ ? ମୋର ଦର୍ଶନ ମିଥ୍ୟା ସ୍ଵପ୍ନ ନୁହେଁ–ଏହାର ପ୍ରଣେତା ସ୍ୱୟଂ ସତ୍ୟଦ୍ରଷ୍ଟା ବୃହସ୍ପତି ।’

 

ଗୁରୁଙ୍କୁ ଭଲ ଭାବରେ ମନେ ପକାଇ ପାରେନି ଚାର୍ବାକ । ଅନେକ କାଳର ଅନେକ ପ୍ରଲେପ ପଡ଼ିଚି ସ୍ମୃତି ଉପରେ । ସ୍ଵପ୍ନ ଭଳି ମନେ ହୁଏ ସୁଦୂର ଅତୀତର କଥା । ସ୍ଵପ୍ନ ଯେପରି ସତ୍ୟ ନୁହେଁ କି ମିଥ୍ୟାବି ନୁହେଁ, ସେପରି ସତ୍ୟ-ମିଥ୍ୟାରେ ଗଢ଼ା ତା’ର ଜୀବନ-ପଞ୍ଜି । ଏହା ଯେପରି ତା’ର ଜୀବନର ପ୍ରାଗ୍‍ଐତିହାସିକ ଯୁଗର କାହାଣୀ । କିଛି ସ୍ମୃତିର କଙ୍କାଳ, କିଛି କିମ୍ବଦନ୍ତୀ, କିଛି କଳ୍ପନା ରଚିତ ଇତି-ସ୍ମୃତି ।

 

ଅନାଦି ଅତୀତର କଥା । ମରୁତ୍ତ ଯଜ୍ଞର ପୌରୋହିତ୍ୟରେ ବ୍ୟର୍ଥକାମ ବୃହସ୍ପତି ଆଶ୍ରମ କରିଥିଲେ ମର୍ତ୍ତ୍ୟରେ–ନନ୍ଦୀପୁରରେ । ଚାର୍ବାକ ଉପସ୍ଥିତ ହେଇଥିଲା ତାଙ୍କର ଆଶ୍ରମରେ । ନିରାଶ୍ରୟ, ଅନାଥ, କୈଶୋର-ଅତିକ୍ରାନ୍ତ ସ୍ଫୁଟୋନ୍ମୁଖ ଏକ ମୃଣାଳଚ୍ୟୁତ ପଦ୍ମକଳିକା । ଆୟତ ନୟନରେ ଭୀରୁ ଉତ୍ସୁକ ଦୃଷ୍ଟି, ପଥହରା ହରିଣ ଶାବକ ଅବା । ସେ ଜାଣେନା କ’ଣ ତା’ର ପରିଚୟ, କେଉଁ ଗୋତ୍ରରେ ତା'ର ଜନ୍ମ । ସାରା ଦିନ ସନ୍ଧିତ୍ସୁ ଦୃଷ୍ଟିରେ ସେ ଦେଖିଥିଲା ଋଷିଙ୍କ ଆଶ୍ରମ । କାହିଁ ଉଦାତ୍ତ ସାମଗାନ, କାହିଁ ବା ହୁତହବିର ସୌରଭ । କେଉଁଠି ଆଶ୍ରମବଟୁମାନଙ୍କ କଳରୋଳ, କେଉଁଠି ବା ଆଚାର୍ଯ୍ୟଙ୍କ ସୁଗଭୀର କଣ୍ଠ–‘ଅଥାତୋ ବ୍ରହ୍ମ-ଜିଜ୍ଞାସା’, ‘ଅଥାତୋ କର୍ମ-ଜିଜ୍ଞାସା’ । କିଶୋର ପ୍ରାଣରେ କୌତୂହଳ, ଅନ୍ତର ଭିତରେ ସହସ୍ର ପ୍ରଶ୍ନ–କିଏ ଏଇ ବ୍ରହ୍ମ, କ’ଣ ଏଇ କର୍ମ, କ’ଣ ଏ ସବୁର ଫଳଶ୍ରୁତି ?

 

ଦିନାନ୍ତେ ସନ୍ଧ୍ୟା ନିବିଡ଼ ହେଇ ଆସିଥିଲା । କ୍ଳାନ୍ତ ଚାର୍ବାକ ଶୋଇ ପଡ଼ିଥିଲା ଗୋଟାଏ କୁଟୀର ପାର୍ଶ୍ୱରେ । ସହସା ନିଦ ଭାଙ୍ଗିଗଲା । ମଧୁତ୍ଥ ପ୍ରଦୀପର ଉଜ୍ଜ୍ୱଳ ଆଲୋକରେ ସବିସ୍ମୟେ ଦେଖିଲା ଚାର୍ବାକ, ସମ୍ମୁଖରେ ହିରଣ୍ୟବର୍ଣ୍ଣ ଏକ ଋଷି । ଜ୍ୟୋତିର୍ମୟ ଦ୍ୟୁତି ତାଙ୍କର ଦେହରେ । ସ୍ନିଗ୍ଧ ଅଥଚ ମର୍ମଭେଦୀ ଦୃଷ୍ଟି । ଆଶ୍ରୟ ପ୍ରାର୍ଥନା କରି ତାଙ୍କର ଚରଣ ମୂଳରେ ଲୋଟି ପଡ଼ିଥିଲା ଚାର୍ବାକ ।

 

ଆର୍ଥବାନ୍ ଆଙ୍ଗିରସ ବୃହସ୍ପତି । ସେ ଋକ୍‍ମନ୍ତ୍ରର ବରଣୀୟ ଦେବତା, ଅମେୟ ତାଙ୍କର ତପୋବଳ । ସେ ଗଣପତି, ସତ୍ୟନିଷ୍ଠ ତାଙ୍କର ଦୃଷ୍ଟି । ସତ୍ୟର ସନ୍ଧାନୀ-ଆଲୋକ ଢାଳି କ’ଣ ଯେପରି ସେ ଦେଖିଲେ ସେଇ କମଳ-ନୟନରେ, କ’ଣ ଯେପରି ଆବିଷ୍କାର କଲେ ସେ ସେଇ କୋମଳ ପଦ୍ମ-କଳିକାରେ । ସସ୍ନେହରେ ବାଳକକୁ ଉଠାଇ ପରମ ଆଗ୍ରହରେ ମସ୍ତକ ଆଘ୍ରାଣ କଲେ । ଅନ୍ତର ଭରିଗଲା ଚାର୍ବାକର । କି ସ୍ନେହର ସ୍ପର୍ଶ !

 

ଆଜନ୍ମ ସ୍ନେହ-କାଙ୍ଗାଳ ଚାର୍ବାକ–ଅନାଥ ଯାଯାବର । ବହୁବାର ମାତା ପିତା ନିମନ୍ତେ ହୃଦୟ ତା’ର କାନ୍ଦି ଉଠିଚି । କିଏ କହୁଚି, ପ୍ରେତଲୋକରୁ ଅଙ୍ଗୁଷ୍ଠ ପ୍ରମାଣ ଦେହ ଘେନି ସେମାନେ ଚାର୍ବାକକୁ ଦେଖୁଚନ୍ତି । ସେ ଭାବେ–ପ୍ରେତଲୋକରୁ ତାହାହେଲେ ଜନନୀ ଫେରି ଆସୁନାହାନ୍ତି କାହିଁକି ? କାହିଁକି ତାକୁ ଦେଉନାହାନ୍ତି ତାଙ୍କର ସ୍ନେହସ୍ପର୍ଶ ? ମୃତ୍ୟୁପରେ ସତରେ କ’ଣ ମଣିଷର କିଛି ଅସ୍ତିତ୍ଵ ଥାଏ ? କେତେ ସେ ମୁଣ୍ଡ କୋଡ଼ିଚି ଦେବତା ଚରଣରେ । କେହି କିନ୍ତୁ କର୍ଣ୍ଣପାତ କରିନାହାନ୍ତି । ମନରେ ଜାଗିଚି ସଂଶୟ–ଦେବତା ଯଦି ଜଗତର ପିତା, ସନ୍ତାନ ତେବେ ନିରାଶ୍ରୟ କାହିଁକି ? ଦେବତା ଯଦି ଜଗନ୍ମାତା, ସନ୍ତାନ କାହିଁକି ସ୍ନେହ-ବଞ୍ଚିତ ?

 

ଆଜି ଏଇ ପ୍ରଥମ ସ୍ନେହର ଆସ୍ଵାଦନ, ପ୍ରଥମ ଏଇ ସୁଖର ଅନୁଭୂତି । ଚାର୍ବାକର ମନେ ହୁଏ–ମିଥ୍ୟା ଦେବତା, ମିଥ୍ୟା ପରଲୋକ । ସତ୍ୟ ଏଇ ପୃଥିବୀ, ପ୍ରତ୍ୟକ୍ଷ ସତ୍ୟ ଏଇ ମାଟିର ମମତା ! ସ୍ନେହର ଗଙ୍ଗୋତ୍ରୀ ଧରଣୀ, ବୁକୁରେ ତା’ର ସୋହାଗର ସହସ୍ର ଧାରା ।

 

ଆଶ୍ରମରେ ଦ୍ଵିତୀୟ ପ୍ରଭାତର କଥା । ରଜନୀ ଅତିବାହିତ ହେଇଥିଲା ଗୋଟାଏ ସ୍ୱପ୍ନମୟ ବିଭୋରତାରେ । ଶୁଭ ବ୍ରାହ୍ମ ମୁହୂର୍ତ୍ତରେ ତାକୁ ଡାକି ସସ୍ନେହରେ କହିଲେ କୁଳପତି ବୄହସ୍ପତି, ‘ଯାଅ ଚାର୍ବାକ, କ୍ରୌଞ୍ଚ ସରୋବରରେ ସ୍ନାନ କରି ଆସ । ଶୁଚି ହୁଅ, ଶୁଦ୍ଧ ହୁଅ । ହୋମାଗ୍ନିରେ ଯଜ୍ଞପୁରୁଷଙ୍କୁ ଆବାହନ କରି ଆଜି ତୁମକୁ ଗାୟତ୍ରୀ ଦିକ୍ଷା ଦେବି ।’

 

ସବିସ୍ମୟରେ ନୀଳ ଆୟତ ଦୁଇଟି ନୟନ ମେଲି, ନିର୍ବାକ୍ ଠିଆ ହେଇଥିଲା ଚାର୍ବାକ । ଗାୟତ୍ରୀ ଦୀକ୍ଷା ! କା’ର ଗାୟତ୍ରୀ ? ଦେବତାର ବରଣୀୟ ଶକ୍ତିରେ ତା’ର ସଂଶୟ । କେଉଁଠି ସେ ଯଜ୍ଞପୁରୁଷ ? ହୋମାଗ୍ନି ଉପରେ ସ୍ଥିର ଲକ୍ଷ୍ୟ ରଖି ସେ ଦେଖିଚି–ନୀଳ-ଲୋହିତ ଅଗ୍ନିଶିଖା, ଅଗ୍ନିଶିଖା ମାତ୍ର । ଯଜ୍ଞପୁରୁଷ କଳ୍ପନା ଅନୁମାନ କେବଳ ।

 

ଗମ୍ଭୀର କଣ୍ଠରେ କହିଲେ ବୃହସ୍ପତି, ‘ଠିଆହେଇ ରହିଲ ଯେ ! ବ୍ରାହ୍ମ ମୁହୂର୍ତ୍ତ ଅତୀତ ହେବା ଉପରେ । ଏଇ ଦେଖ, ପୂର୍ବ ଦିଗନ୍ତରେ ପ୍ରତ୍ୟୁଷର ପୂର୍ବାଭାସ । ଯାଅ, ଶୁଚିସ୍ନାନ କରି ଆସ-।’

 

ନିଶ୍ଚଳ ଚାର୍ବାକ, ନିଶ୍ଚଳ ଅଥଚ ଦାର୍ଢ଼୍ୟ; ସତେ ଅବା ଅଚଳ ବଜ୍ରଗର୍ଭ ବିଦ୍ୟୁତ୍ । ଅହୀନଦ୍ୟୁତି ନୟନରେ ଦୃଢ଼ତାବ୍ୟଞ୍ଜକ ଦୃଷ୍ଟି । ଅକମ୍ପ୍ର କଣ୍ଠରେ ସେ କହେ, ‘ମୁଁ ବିଶ୍ୱାସ କରେନା ଗାୟତ୍ରୀମନ୍ତ୍ର, ହୋମାଗ୍ନିରେ ହିରଣ୍ମୟ ପୁରୁଷଙ୍କ ଆବିର୍ଭାବ କଥାରେ ମୁଁ ଆସ୍ଥାହୀନ ।’

 

କ’ଣ କହୁଚି ଏ ବାଳକ ! ଜଡ଼ତାହୀନ କଣ୍ଠ, ଦ୍ୱିଧାହୀନ ଉକ୍ତି । ଦେବଗୁରୁଙ୍କ ସମ୍ମୁଖରେ ଠିଆ ହେଇ ଦେବ ଶକ୍ତିରେ ସଂଶୟ ପ୍ରକାଶ କରୁଚି ଗୋଟାଏ ଅର୍ବାଚୀନ ଶିଶୁ ! କିନ୍ତୁ ଏ କଥା ତ ଶିଶୁସୁଲଭ ନୁହେଁ । ବିସ୍ମୟରେ ହତବାକ୍ ହେଲେ ସୁରଗୁରୁ । କୋପନୟନରେ ନୁହେଁ, ଅମୃତନୟନରେ ସେ ନିର୍ନିମେଷ ଭାବରେ ଚାହିଁ ରହିଲେ ସେଇ ଚାରୁନୟନଶୋଭିତ ଚାରୁଅଙ୍ଗ ପ୍ରତି । କିଏ ଏଇ ବାଳକ ! କା’ର କଣ୍ଠରେ ଧ୍ଵନିତ ହେଉଚି ତାଙ୍କ ଅନ୍ତରର ଗୋପନ ଏକ ପ୍ରତ୍ୟକ୍ଷ ସତ୍ୟର ଅନୁଭୂତି ? ଧୀର କଣ୍ଠରେ ପ୍ରଶ୍ନ କଲେ, ‘ଦେବତାରେ ବିଶ୍ୱାସ କରନି ତମେ ?’ ‘ପରୋକ୍ଷ-ସତ୍ୟରେ ବିଶ୍ଵାସ ନାଇଁ ମୋର । ମୁଁ ବିଶ୍ୱାସ କରେ ପ୍ରତ୍ୟକ୍ଷ ଏଇ ଭୂସ୍ୱର୍ଗ, ବିଶ୍ୱାସ କରେ ଆପଣଙ୍କ ଭଳି ପ୍ରତ୍ୟକ୍ଷ ଦେବତାକୁ । ଯଦି ସେପରି କିଛି ଶାସ୍ତ୍ର ଅଛି ଯାହା ଏଇ ଜଗତକୁ ଭଲ ପାଇବାପାଇଁ ଶିକ୍ଷା ଦେବ, ମତେ ସେଥିର ଉପଦେଶ ଦିଅନ୍ତୁ’–ଦୃଢ଼କଣ୍ଠରେ ଉତ୍ତର କଲା ଚାର୍ବାକ ।

 

ନିଷ୍ଠାବାନ ଆସ୍ତିକ ବୃହସ୍ପତି । ବାଳକର ଏ ନାସ୍ତିକତାରେ କ୍ରୁଦ୍ଧ ହେଲେନି ସେ, କ୍ଷୁବ୍ଧବି ହେଲେନି । ସ୍ଵୀୟ ଅନ୍ତରର ରହସ୍ୟମୟ ପ୍ରତିମୂର୍ତ୍ତି ଏଇ ବାଳକ ଉପରେ ସେ ନିଃଶେଷରେ ଢାଳି ଦେଲେ ହୃଦୟର ସ୍ନେହଭାଣ୍ଡ । ସୁରଗୁରୁଙ୍କ ଆଶ୍ରମରେ ଶିଷ୍ୟରୂପରେ ଆଶ୍ରୟ ପାଇଲା ଚାର୍ବାକ ।

 

ଆଶ୍ରମର ଅନ୍ୟାନ୍ୟ ବାଳକମାନଙ୍କଠାରୁ ପୃଥକ୍ ଥିଲା ତା’ର ଆବାସ । ସହସ୍ର ସଶଙ୍କ କୌତୂହଳୀ ଦୃଷ୍ଟିର କେନ୍ଦ୍ର ସେ–ସ୍ୱତନ୍ତ୍ର । ନା ଥିଲା କର୍ମର ବନ୍ଧନ, ନା ଥିଲା ଗୁରୁଦାୟିତ୍ଵ । କଠିନ ବ୍ରହ୍ମଚର୍ଯ୍ୟ ମାର୍ଗର ତପଶ୍ଚର୍ଯ୍ୟା ତା’ର ନୁହେଁ । ତାକୁ ବ୍ରତଭିକ୍ଷା କରିବାକୁ ପଡ଼େନି, ଧାରଣ କରିବାକୁ ପଡ଼େନି ବଳ୍‍କଳ । ତା’ର ପରିଧେୟ କାର୍ପାସ ବସ୍ତ୍ର ଅଥବା ଚୀନାଂଶୁକ । ଆହାର ବିହାରରେ ମଧ୍ୟ ସେ ସମ୍ପୂର୍ଣ୍ଣ ସ୍ଵାଧୀନ । ଫଳମୂଳ ଆରପାନ୍ନ ନୁହେଁ, ରାଜସିକ ଆହାର ଚାର୍ବାକର ।

 

ମୁକ୍ତ ବିହଙ୍ଗ ଭଳି ଇଚ୍ଛାପକ୍ଷ ବିସ୍ତାର କରି ଚାର୍ବାକ ଭ୍ରମଣ କରେ ଆଶ୍ରମରେ, ଅରଣ୍ୟରେ । ସେ ହୃଦୟପୂର୍ଣ୍ଣ କରି ପାନକରେ ନିସର୍ଗ ସୌନ୍ଦର୍ଯ୍ୟ । ଆଶ୍ଚର୍ଯ୍ୟ ସୁନ୍ଦର ଏଇ ତୁଚ୍ଛ ଧୂଳିକଣା ! କେଉଁଠି କେଉଁ ସହକାର ତରୁରେ ଆଲୋକଲତାର ବନ୍ଧନ, କେଉଁଠି କେଉଁ ପୁଷ୍ପରେ କେଉଁ ରସିକ ପ୍ରଜାପତିର ସଞ୍ଚରଣ–ସବୁ ତା’ର କଣ୍ଠସ୍ଥ । ବନ-ତଟିନୀ ଭଳି ଲୀଳାଚଞ୍ଚଳ ତା’ର ଜୀବନ ପ୍ରକୃତି ସଙ୍ଗେ ଗୋଟିଏ ସୂତ୍ରରେ ଗୁନ୍ଥା ।

 

ଆଶ୍ରମର ବହିର୍ଭାଗରେ ରହନ୍ତି ସ୍ନେହମୟୀ ଜନନୀପ୍ରତିମ ଜଣେ ଯୋଗିନୀ । ତାଙ୍କର ରହସ୍ୟମୟ ଜୀବନ ଚାର୍ବାକର ପରମ ବିସ୍ମୟ । କାଞ୍ଚନଦୀପ୍ତ ଦେହ ବର୍ଣ୍ଣ, ପରିଧାନରେ ରକ୍ତଗୈରିକ, ଆଲୁଳାୟିତ କେଶଭାର । ସୀମନ୍ତରେ ଉଜ୍ଜ୍ଵଳ ସିନ୍ଦୂର, କଣ୍ଠରେ ରୁଦ୍ରାକ୍ଷମାଳା, ହସ୍ତରେ ସୁଦୀର୍ଘ ତ୍ରିଶୂଳ । ପ୍ରଦୀପ୍ତ ନୟନରେ ସ୍ନେହର ତରଳତା । ମାତୃହରା ହରିଣ, ମୟୂର, କରଭଶିଶୁର ସେ ଧାତ୍ରୀ, ଜୀବଧାତ୍ରୀ ଜନନୀ ଯେପରି ।

 

ମଧୁର ଏଇ ପ୍ରୀତିର ପୃଥିବୀରେ ଚାର୍ବାକକୁ ଅତ୍ୟନ୍ତ କୁତ୍ସିତ ବୋଧହୁଏ ନୈଷ୍ଠିକ ବ୍ରାହ୍ମଣର ବର୍ଣ୍ଣଗତ ଭେଦଜ୍ଞାନ । ଇଏ ବ୍ରାହ୍ମଣ, ସେ କ୍ଷତ୍ରିୟ, ସେ ବୈଶ୍ୟ–ବର୍ଣ୍ଣଭେଦରେ ପୃଥକ୍ ପୃଥକ୍ ବ୍ରହ୍ମଚାରୀ ବେଶ । ଶିକ୍ଷାର ବିଷୟ, ଏପରି କି, ଆଶୀର୍ବାଦ ବଚନ ପର୍ଯ୍ୟନ୍ତ ସ୍ଵତନ୍ତ୍ର ।

 

ଶୂଦ୍ର ପ୍ରତି ଆଶ୍ରମବାସୀଙ୍କ ଉନ୍ନାସିକ ଆଚରଣରେ ମର୍ମାହତ ହୁଏ ଚାର୍ବାକ । ଏକପ୍ରକାର ଅବୟବ, ଦେହରେ ଏକା ଶୋଣିତ ପ୍ରବାହ–ତଥାପି ସେମାନେ ଅସ୍ପୃଶ୍ୟ, ବେଦାଧ୍ୟୟନରୁ ବଞ୍ଚିତ । ଚିରକାଳର ମୂର୍ଖତ୍ଵର ଚିହ୍ନ ସେମାନଙ୍କ ମୁଖରେ, ଚିରକାଳର ଅବଜ୍ଞାର ଆତଙ୍କ ସେମାନଙ୍କ ନେତ୍ରରେ । ଶାୟକବିଦ୍ଧ ବିହଙ୍ଗମ ଭଳି ଚାର୍ବାକର ଆହତ ହୃଦୟ ଅରୁନ୍ତୁଦ ବେଦନାରେ କ୍ରନ୍ଦନ କରି ଉଠେ । ମଣିଷର ଅଧିକାରରେ ଏ ବଞ୍ଚନା କା’ର ବିଧାନ ? ଗୋଟାଏ କ୍ରୁଦ୍ଧ ବିଦ୍ରୋହ ପ୍ରଧୁମିତ ହୁଏ ଅନ୍ତରରେ ।

 

ଏଇ ବିଦ୍ରୋହରହିଁ ଗୋଟି ସ୍ଫୁଲିଙ୍ଗ ଛିଟିକି ପଡ଼ିଲା ଆଶ୍ରମରେ, ଯେଉଁଦିନ ଚାର୍ବାକ ସ୍ଵଇଚ୍ଛାରେ ପ୍ରବେଶ କଲା ସନ୍ନିହିତ ଶବରପଲ୍ଲୀରେ । ମୃଗୟାଜୀବୀ ଶବର–ଋଷି ଆଶ୍ରମରେ ତା’ର ପ୍ରବେଶ ନିଷିଦ୍ଧ । ଆଶ୍ରମର ବହିର୍ଦ୍ୱାରରେ ସେମାନେ ରଖି ଯାଆନ୍ତି ସେବାର ଅର୍ଘ୍ୟ–ଶ୍ଵେତ ଲୋଧ୍ର, ବଦରିଫଳ, ଗଣ୍ଡାରଶୃଙ୍ଗ–କେବେ ବା ମୟୂରପୁଚ୍ଛ, କୃଷ୍ଣାଜିନ । ନିଷ୍ଠାବାନ ବ୍ରାହ୍ମଣ ପରିଚର୍ଯ୍ୟା ଗ୍ରହଣ କରନ୍ତି, କିନ୍ତୁ ସ୍ପର୍ଶ କରନ୍ତିନି ସେମାନଙ୍କୁ । ସେମାନେ କୁଆଡ଼େ ଅନ୍ତ୍ୟଜ, ମ୍ଳେଚ୍ଛ ! ଅଥଚ ଚାର୍ବାକ ଲକ୍ଷ୍ୟ କରେ, ସ୍ନେହଶୀଳା ଯୋଗିନୀ ନିର୍ବିଚାରରେ ଭ୍ରମଣ କରନ୍ତି ଶବରପଲ୍ଲୀରେ, ତାଙ୍କର ହସ ମିଳାଇ ଦିଅନ୍ତି ସେମାନଙ୍କର ମାଦଳଧ୍ଵନି ସଙ୍ଗେ । ଅନ୍ତ୍ୟଜର ସୁଖଦୁଃଖର ସଙ୍ଗିନୀ ସେ ।

 

ଚାର୍ବାକକୁ ମଧ୍ୟ ଆକର୍ଷଣ କରେ ଶବରଶବରୀଙ୍କ ମୁକ୍ତ ଜୀବନ, ଆକାଶରେ ସଞ୍ଚରମାନ ମୁକ୍ତ କଳାମେଘ ଯେପରି । ଶବରୀ ବାଳିକା–ଅଙ୍ଗେ ସୁଠାମ ସ୍ୱାସ୍ଥ୍ୟର ପରିପୂର୍ଣ୍ଣ ସୁଷମା, କଣ୍ଠରେ ଗୁଞ୍ଜାହାର, କୁଟିଳକୁନ୍ତଳରେ ପିଞ୍ଛଚୂଡ଼ା । ସେମାନଙ୍କ ଭାଷା ବୁଝେନି ଚାର୍ବାକ, କିନ୍ତୁ ସେମାନଙ୍କ ଝଙ୍କାର ମୁଖର ଅନୁକାର ଧ୍ଵନି ଶ୍ରୁତିମୂଳରେ ସୁଧା ବର୍ଷଣ କରେ । ଅନେକ ଥର ଧରିବାକୁ ଚେଷ୍ଟା କରିଚି, ପାରିନି । ସର୍ପଗତି ସେମାନଙ୍କ ଚରଣରେ, ଚଞ୍ଚଳ ପ୍ରାଣ-ପ୍ରବାହ ସେମାନଙ୍କ ଦେହରେ । ଚକିତେ ଚମକ ସୃଷ୍ଟି କରି ନିବିଡ଼ ଅରଣ୍ୟରେ ଅଦୃଶ ହେଇଯାନ୍ତି । ନିର୍ଜନ ଅରଣ୍ୟ ସ୍ପନ୍ଦିତ ହୁଏ ଅଦ୍ଭୁତ ଏକ ହାସ୍ୟତରଙ୍ଗରେ ।

 

ଦିନେ ଧରି ପକାଇଲା ସେ, ହାତମୁଠାରେ ଧରା ପଡ଼ିଲା ଛୋଟ ଗୋଟିଏ ନୀଳାକାଶ ଯେପରି । ଆୟତ କୃଷ୍ଣ ନୟନ, ଚଞ୍ଚଳ ସଭୟ ଦୃଷ୍ଟି, ବକ୍ଷରେ ଘନଶ୍ୱାସ ! ନାଁ କ’ଣ ? ଚାର୍ବାକ ଶୁଣିଥିଲା, ନାମ ତା’ର ନନ୍ଦା । ସତରେ ନନ୍ଦା । ଦେହ-ରେଖାରେ ନନ୍ଦିତ ଝରଣାର କିନ୍ନରୀଲୀଳା । ସେ ଗୋଟାଏ ନୂତନ ଅନୁଭୂତି ! ସ୍ଵର୍ଶମାତ୍ରେ ସହସ୍ର ବିଦ୍ୟୁତ୍ ତରଙ୍ଗ ଏକ ସଙ୍ଗେ ନୃତ୍ୟ କରି ଉଠିଲା ଚାର୍ବାକ ଅଙ୍ଗରେ । ମୋହମୟ ଆକର୍ଷଣ ସେଇ ଅୟସ୍କାନ୍ତ ତନୁ ଦେହରେ ।

 

ତା’ର ଅନ୍ୟମନସ୍କତାର ସୁଯୋଗରେ ମୁକ୍ତ ହେଇ ଯାଇଥିଲା ଚଞ୍ଚଳା ବନ-ହରିଣୀ । ଚାର୍ବାକ ଦ୍ରୁତପଦରେ ତା’ର ପିଛା କରିବାକୁ ଉଦ୍ୟତ ହେଇଥିଲା । ବିସ୍ମୟ ଉପରେ ବିସ୍ମୟ ! ନନ୍ଦା ନୁହେଁ, ସମ୍ମୁଖରେ ସେଇ ଆନନ୍ଦଭୈରବୀ–ତ୍ରିଶୂଳଧାରିଣୀ ସ୍ନେହମୟୀ ଜନନୀ; ନୟନରେ କରୁଣାଧାରା, ଆନନରେ ରହସ୍ୟମୟ ହାସ । ସ୍ନେହସ୍ନାନରେ ଅଭିସ୍ନାତ ଚାର୍ବାକ । ଏତେ ସୁନ୍ଦର, ଏତେ ମଧୁର ଏ ପୃଥିବୀ ! ଆଶ୍ରମରେ ଉଠିଲା ଛିଛି ରବ । ଚାର୍ବାକ ସମ୍ପର୍କରେ ପ୍ରକାଶ୍ୟ ଗୁଞ୍ଜନ ଉଠିଲା ନନ୍ଦୀପୁରରେ । ବ୍ରାହ୍ମଣ୍ୟ ଧର୍ମର ଶାସନସୀମା ଲଙ୍ଘନ କରି ସେ ଶବରୀକୁ ସ୍ପର୍ଶ କରିଚି । ଯଜ୍ଞହୀନ ଚାର୍ବାକ, ସ୍ପୃଶ୍ୟାସ୍ପୃଶ୍ୟ ବୋଧ ମଧ୍ୟ ତା’ର ନାଇଁ । ଆଶ୍ରମବଟୁଙ୍କ ଭିତରେ ଜଳ୍ପନା ଚାଲିଲା, ନିକ୍ଷିପ୍ତ ହେଲା ବକ୍ର କଟାକ୍ଷ । ଜଣେ କହିଲା, ‘ନିଶ୍ଚୟ ଆସନ୍ନ ଘୋର କଳି । ତା’ ନହେଲେ ଏପରି କି କେବେ ବର୍ଣ୍ଣାଶ୍ରମ ଧର୍ମ ଲୋପ ହୁଏ ?’ କିଏ ବା ବକ୍ର ଶ୍ଳେଷ କରି କହିଲା, ‘ଦୁରାଚାର ବିତଣ୍ଡାବାଦୀ ଧୂର୍ତ୍ତ ! ଆହୁରି କହୁଚି କ’ଣ ନା ଆମେ ସୁଶିକ୍ଷିତ ।’ କିଏ ବା ନାସିକା କୁଞ୍ଚିତ କରି ମନ୍ତବ୍ୟ କଲା, ‘କାମ ଏଷ–ଏହା ଆଦିମତମ ପଶୁବୃତ୍ତି । ଆଶ୍ରମରେ ତ ସେଥିଲାଗି ସୁବିଧା ନାଇଁ, ବାପଧନ ଯାଇଚନ୍ତି ଶବରପଲ୍ଲୀକୁ ।’

 

ମନ୍ତବ୍ୟ ଶୁଣି ବିମୂଢ଼ ହୋଇଯାଏ ଚାର୍ବାକ । ବିଚାରହୀନ ଏ କି ସମାଲୋଚନା, ଏ କି କୁତ୍ସା ! କ୍ଷୋଭ, କ୍ରୋଧ ଓ ଘୃଣାରେ ଅନ୍ତରପୂର୍ଣ୍ଣ ହୁଏ ତା’ର, ପାଣ୍ଡିତ୍ୟର ଏ କି କଦର୍ଯ୍ୟ ହୀନତା ? ଏମାନେହିଁ ଶମ-ଦମ-ନିୟମାଧୀନ ବ୍ରହ୍ମଚାରୀ ? କ୍ଷୁବ୍ଧଚିତ୍ତ ଚାର୍ବାକ ଉପସ୍ଥିତ ହୁଏ ଗୁରୁ ବୃହସ୍ପତିଙ୍କ ସମ୍ମୁଖରେ :

 

'ଗୁରୁଦେବ !’

 

'କ’ଣ ଚାର୍ବାକ ?’

 

'ଶବର-କନ୍ୟା ନନ୍ଦାକୁ ମୁଁ ସ୍ପର୍ଶ କରିଚି ।’

 

'କ’ଣ ହେଲା ସେଥିରେ ?’

 

'ସେମାନେ କୁଆଡ଼େ ଅସ୍ପୃଶ୍ୟ !’

 

ପ୍ରଶାନ୍ତ ହାସ୍ୟରେଖା ଫୁଟି ଉଠେ ଗୁରୁଙ୍କ ଆନନରେ । କହିଲେ,

 

'ଏକା ଉପାଦାନରେ ପ୍ରତ୍ୟେକ ମଣିଷ ନିର୍ମିତ । କ୍ଷିତି, ଅପ, ତେଜ, ମରୁତ୍–ଚତୁର୍ଭୂତର ସମଷ୍ଟି ଜୀବଦେହ । ଏଥିରେ ଭେଦଜ୍ଞାନ କରନ୍ତି ସେମାନେ, ଯେଉଁମାନେ ମୂର୍ଖ । ତମେ କିଛି ଅନ୍ୟାୟ କରିନ ବତ୍ସ, ମଣିଷର ପରିଚୟ, ମଣିଷ । ଏହାଠାରୁ ବଡ଼ ପରିଚୟ ତା’ର କିଛି ନାଇଁ ।’

 

ଗୁରୁଙ୍କ ବାକ୍ୟରେ ମେଘର ଛାୟା ଅପସରି ଯାଏଁ ଚାର୍ବାକର । କି ମୁକ୍ତ ଦୃଷ୍ଟି ! କି ଉଦାର ମନୋଭାବ ! ସ୍ୱଚ୍ଛ ଦର୍ପଣ ଭଳି ମନୋଭାବ ! ତଥାପି ପର୍ବତ ପ୍ରମାଣ ଆଉ ଏକ ପୁଞ୍ଜିତ ଅଭିଯୋଗ ଘେନି ଦଣ୍ଡାୟମାନ ରହେ ଚାର୍ବାକ । ଫୁଲ୍ଲ ଯୌବନା ଶବରୀ ସ୍ପର୍ଶର ଯେଉଁ ନୂତନ ଅନୁଭୂତି, ତାକୁ କେନ୍ଦ୍ର କରି ଆଶ୍ରମବାସୀଙ୍କର ଯେଉଁ କୁତ୍ସିତ ଇଙ୍ଗିତ–ତାହା ସେ ଜଣାଇ ପାରୁନି ଗୁରୁଦେବଙ୍କୁ ।

 

ଅନ୍ତର୍ଦ୍ରଷ୍ଟା ଋଷି ବୃହସ୍ପତି । କ୍ଷୁବ୍ଧ ନୀରବ ଅଭିଯୋଗରେ ଉତ୍ତର ଧ୍ୱନିତ ହୁଏ ତାଙ୍କର କଣ୍ଠରେ : 'ସବୁ କିଛି ମୁଁ ଶୁଣିଚି ବତ୍ସ ! ପ୍ରକୃତିର ପ୍ରଥମ ସ୍ପର୍ଶରେ ପୁରୁଷ ଦେହରେ ଯେଉଁ ନବ ପୁଲକ ରୋମାଞ୍ଚ ଜାଗେ ତାହା ତ ମିଥ୍ୟା ନୁହେଁ । ଦୋଷାବହ ମଧ୍ୟ ନୁହେଁ ଏ ଅନୁଭୂତି । ଚିରନ୍ତନ ଏ ସୃଜନ-ଚୁମ୍ବକ । ଉତ୍ତାଳ ଭାଗୀରଥୀ ପ୍ରବାହ ଭଳି ଏ ଆବେଗ ମତ୍ତ ଦିଗ୍‍ଗଜକୁ ଭସାଇ ନେଇଯାଏ, ପୁଣି ଏହାର ପ୍ରଭାବରେହିଁ ସୃଷ୍ଟି ମଧୁମୟ ହେଇ ଉଠେ । ଅସତ୍ୟ, ଅସ୍ୱାଭାବିକ ବୋଲି ଯେଉଁମାନେ ଏହା ଅସ୍ୱୀକାର କରନ୍ତି, ସେମାନେ ଭଣ୍ଡ । ଭଣ୍ଡର କୁତର୍କରେ ବିଚଳିତ ହୁଅନି ବତ୍ସ !’

 

ଅଭ୍ରାନ୍ତ ସିଦ୍ଧାନ୍ତରେ ମୁଗ୍ଧ ହୁଏ ଚାର୍ବାକ । ଗୁରୁ କି ଶିଷ୍ୟରହିଁ ଦ୍ୱିତୀୟ ଅନ୍ତର ? ସାର୍ଥକ ତା’ର ଜୀବନ, ଏଭଳି ଗୁରୁର ଶିଷ୍ୟ ସେ ! ପରମ ତୃପ୍ତିରେ ବିଦାୟ ନିଏ ଚାର୍ବାକ । ଲୋକ ଜୀବନର ଏଇ ଗୂଢ଼ତତ୍ତ୍ୱ କଥା ଭୈରବୀ ଓ ନନ୍ଦାକୁ ଶୁଣାଇବାକୁ ପଡ଼ିବ ।

 

ସାରା ଦିନ ଚାର୍ବାକର ଅବାଧ ସ୍ୱାଧୀନତା । ନିଶାନ୍ତେ, ବ୍ରାହ୍ମମୁହୂର୍ତ୍ତରେ ବୃହସ୍ପତିଙ୍କ ଆଶ୍ରମ କଳମୁଖର ହୁଏ, ଚାର୍ବାକ ସେତେବେଳେ ଦିବ୍ୟ ଆରାମରେ ନିଦ୍ରାର ଆରାଧନା କରେ । କେବେକେବେ କୋଳାହଳରେ ନିଦ ଭାଙ୍ଗିଯାଏ, ବିରକ୍ତ ହୁଏ ଚାର୍ବାକ । କି ନିର୍ବୋଧ ଏ ତାପସ, ଯାଜ୍ଞିକ । ଯଜ୍ଞରୁ କୁଆଡ଼େ ପର୍ଜନ୍ୟର ସମୁଦ୍‍ଭବ ! ଇନ୍ଦ୍ର କୁଆଡ଼େ ପର୍ଜନ୍ୟର ଅଧିଦେବତା ! ସ୍ଵାଭାବିକ କାରଣରୁହିଁ ମେଘ ବାରି ବର୍ଷଣ କରେ । ସେଥିପାଇଁ ଇନ୍ଦ୍ରଯୋଗ କି ପ୍ରୟୋଜନ ? କିଏ ଏ ଇନ୍ଦ୍ର ? ଯଜ୍ଞାଗ୍ନିରେ ମିଥ୍ୟା ହବିର ଅପବ୍ୟବହାର । ଅଗ୍ନିରେ ଘୃତାହୁତି ନ ଦେଇ ମୂର୍ଖଗୁଡ଼ାକ ଯଦି ଘୃତ ସେବନ କରନ୍ତେ, ତାହାହେଲେ ପୁଷ୍ଟ ହୁଅନ୍ତା ସେମାନଙ୍କର ଶୀର୍ଣ୍ଣ ଦେହ, ସୁସ୍ଥ ହୁଅନ୍ତା ବିକୃତ ମସ୍ତିଷ୍କ ।

 

ନିଜ ମନରେ ବିଚାର କରେ ଚାର୍ବାକ । ଆତ୍ମା ଓ ପରଲୋକ ଚିନ୍ତାରେ ଏମାନେ ଅବସର ନଷ୍ଟ କରନ୍ତି । ଅନୁମାନରେ ଭ୍ରାନ୍ତ ଜଗତ । ଦେହର ଅତିରିକ୍ତ ଆତ୍ମା କାହିଁ ? ପୁଂ-ପ୍ରକୃତିଯୋଗରେ ଶୁକ୍ର ଶୋଣିତରୁ ଦେହର ଜନ୍ମ; ଚତୁର୍ଭୂତ ସଂଯୋଗରେ ମଦର ମାଦକଶକ୍ତି ଭଳି ଚୈତନ୍ୟର ଆବିର୍ଭାବ । ଯେତେଦିନ ଦେହ, ସେତେଦିନ ଚୈତନ୍ୟ । ତଥାପି ଏମାନେ ଭାବନ୍ତି, ମୃତ୍ୟୁ ପରେ ଦେହ ରହେ । ‘ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ’–ତାହାହେଲେ ଦଗ୍ଧ ବୃକ୍ଷରେ ମଧ୍ୟ ଫଳୋତ୍ପତ୍ତି କାମନା କରିବାକୁ ହେବ ।

 

ଉତ୍ତେଜିତ ହୋଇ ଉଠେ ଚାର୍ବାକ । ଜୀବନଯୁଦ୍ଧ ପରାଙ୍‍ମୁଖ ଧୂର୍ତ୍ତ ବ୍ରାହ୍ମଣର ଅବାସ୍ତବ କଳ୍ପନାରେ କେଉଁ ପଥରେ ଚାଲିଚି ବିଚାର-ମୂଢ଼ ମନୁଷ୍ୟ ! ମିଥ୍ୟା ଏଇ ପ୍ରତ୍ୟକ୍ଷ ଦେହ ? ମିଥ୍ୟା ଏଇ ସଂସାର ? ଚାର୍ବାକର ଇଚ୍ଛା ହୁଏ, ବେଦ-ବ୍ରାହ୍ମଣକୁ ସେ ଭସ୍ମସାତ୍ କରିବ ।

 

ଭୈରବୀ କଥା ମନେପକାଇ ଈଷତ୍ ଶାନ୍ତ ହୁଏ ସେ । ଭୈରବୀ ଆସ୍ତିକ, ରହସ୍ୟମୟ ତା’ର ସାଧନ । ସେ କହନ୍ତି, ‘ଦେହ ଭଳି ଦୁର୍ଲ୍ଲଭ ସାମଗ୍ରୀ ତ୍ରିଭୁବନରେ ଅନ୍ୟ କିଛି ନାଇଁ । ଆହୁରି କହିଚନ୍ତି, 'ନ ଗୃହଂ ବନ୍ଧନାଗାରଂ ।' ସଂସାର ମିଥ୍ୟା ନୁହେଁ, ଭୋଗ ଦେହ ମିଥ୍ୟା ନୁହେଁ । ଦେହତତ୍ତ୍ଵ ସାଧନ କର, ତ୍ରିଭୁବନକୁ ଭଲ ପାଅ ।’ କି ଜ୍ୟୋତିର୍ମୟ ଦୁଇଟି ନୟନ ! କି ସ୍ନେହପୂର୍ଣ୍ଣ ମଧୁକ୍ଷରା ବାଣୀ ! ଶ୍ରାଦ୍ଧରେ ଆନତ ହୁଏ ଚାର୍ବାକର ମସ୍ତକ ।

 

ଶଯ୍ୟା ତ୍ୟାଗ କରି ଉଠେ ସେ । ଅତିକ୍ରାନ୍ତ ପ୍ରଭାତବେଳା । ସୂର୍ଯ୍ୟରଶ୍ମିପାତରେ ଆଲୋକିତ ପୃଥିବୀ, ଶୁଚିସ୍ନାତା ପତିବ୍ରତା ଯେପରି । କି ସୁନ୍ଦର ତା’ର ନୟନମୋହନ ରୂପ ! ହାୟ, ମୂର୍ଖ ମଣିଷ ଏଇ ରୂପ-ରସ ହୃଦୟ ପୂର୍ଣ୍ଣ କରି ପାନ କରେନା । ପ୍ରତ୍ୟକ୍ଷ ସତ୍ୟ ଏଇ ଭୋଗ, ପ୍ରତ୍ୟକ୍ଷ ସିଦ୍ଧି ଏଇ ସୁଖ । ମାନୁଷିକ ଆସକ୍ତି ମରୀଚିକା ପ୍ରତି–ହାୟରେ ବିରକ୍ତ ନିବର୍ତ୍ତ ସାଧକ !

 

ଅବଶ୍ୟ ଏ ସକଳ ଗୁରୁ ବୃହସ୍ପତିଙ୍କ ବାକ୍ୟ, ‘ବାର୍ହସ୍ପତ୍ୟ ଦର୍ଶନ’ ନାମରେ ଯାହା ଜନସମାଜର ପରିଚିତ ସାରା ଦିନ ଗୁରୁ ବ୍ୟସ୍ତ ରହନ୍ତି ଆଶ୍ରମିକ ପର୍ବରେ । ସନ୍ଧ୍ୟାକାଳରେ ମଧ୍ୟ ଅବସର ତାଙ୍କର ନାଇଁ । କିନ୍ତୁ ଗଭୀର ନିଶୀଥରେ ନିଦ୍ରାର ଉତ୍‍ସଙ୍ଗରେ ଯେବେ ଆଶ୍ରୟ ନିଏ ଆଶ୍ରମ, ବେଦମନ୍ତ୍ରର ଶେଷ ଅନୁରଣନ ନିଃଶେଷରେ ଯେବେ ମିଳାଇ ଯାଏଁ, ସେତେବେଳେ ମଧୁତ୍ଥ ପ୍ରଦୀପର ଉଜ୍ଜ୍ୱଳ ଦୀପାଲୋକରେ ଉଟଜାଭ୍ୟନ୍ତରେ ମୁହାଁମୁହିଁ ବସନ୍ତ ଗୁରୁ ଓ ଶିଷ୍ୟ–ବୃହସ୍ପତି ଓ ଚାର୍ବାକ–ବୈଦିକ ବିଶ୍ୱାସ ଓ କ୍ରିୟାକର୍ମର ଦୁଇ ଜ୍ଵଳନ୍ତ ପ୍ରତିବାଦ । ବୃହସ୍ପତି ସେତେବେଳେ ସୁରଗୁରୁ ନୁହନ୍ତି, କପଟ ଅ–ସୁରଗୁରୁ–ଘୋର ସଂଶୟବାଦୀ, ଘୋର ନସ୍ତିକ । ଅନୁମାନ ସିଦ୍ଧାନ୍ତ ବିରୁଦ୍ଧରେ ନିନାଦିତ ହୁଏ ତାଙ୍କର ରୋଷାକୁଳ ସୁଗଭୀର କଣ୍ଠ :

 

‘ନ ସ୍ଵର୍ଗୋ ନାପବର୍ଗୋ ନୈବାତ୍ମା ପାରଲୌକିକଃ ।

ନୈବ ବର୍ଣ୍ଣାଶ୍ରମାଦୀନାଂ କ୍ରିୟାଶ୍ଚ ଫଳଦାୟିକାଃ ।।’

 

ଚାର୍ବାକ ତହୁଁ ଯୁକ୍ତି ବାଢ଼େ, 'ସ୍ଵର୍ଗ, ନରକ, ଆତ୍ମା, ପରଲୋକ ଯଦି ମିଥ୍ୟା, ମିଥ୍ୟା ଯଦି ବର୍ଣ୍ଣାଶ୍ରମ, କ୍ରିୟାଯଜ୍ଞ, ତାହାହେଲେ, ନୈଷ୍ଠିକ ବ୍ରାହ୍ମଣ କ୍ରିୟା କରେ କାହିଁକି ? କ୍ରୋଧରେ ଆରକ୍ତ ହେଇ ବୋଲନ୍ତି ଅମିତତେଜା ବୃହସ୍ପତି, ‘କ୍ରୟୋ ବେଦସ୍ୟ କର୍ତ୍ତାରୋ ଭଣ୍ଡ-ଧୂର୍ତ୍ତ-ନିଶାଚରାଃ'–ତ୍ରିବେଦର କର୍ତ୍ତା ଭଣ୍ଡ, ଧୂର୍ତ୍ତ, ରାକ୍ଷସ । ଅବୋଧ ସନ୍ତାନକୁ ମୋଦକ ଆଶା ଦେଇ ଅନେକ ଅଭିଭାବକ ଯେପରି ଛଳନା କରନ୍ତି, ସେଇପରି ସ୍ଵର୍ଗ, ନରକ ଆଦି ମିଥ୍ୟା ବାକ୍ୟ କହି ନିର୍ବୋଧ ଯଜମାନକୁ ପ୍ରତାରଣା କରନ୍ତି ଏଇ ସ୍ଵାର୍ଥଲୋଭୀ ଧୂର୍ତ୍ତ ଦଳ । ଶ୍ରାଦ୍ଧ-ତର୍ପଣ ନିର୍ଦ୍ଦେଶବି ସେମାନଙ୍କର । ହାୟରେ ମୂର୍ଖ, 'ନିର୍ବାଣ ଦୀପେ କିମୁ ତୈଳଦାନମ୍'–ଶ୍ରାଦ୍ଧରେହିଁ ଯଦି ମୃତ ବ୍ୟକ୍ତିର ତୃପ୍ତି, ତାହାହେଲେ ବିଦେଶଗାମୀ ପଥିକକୁ ପାଥେୟ ନଦେଇ ଗୃହରେ ବସି ଶ୍ରାଦ୍ଧ କଲେ ତା’ର କ୍ଷୁଧା ନିବୃତ୍ତ ଘଟିପାରେ ! ଯଜ୍ଞରେ ପଶୁ ବଳି ଦେଲେ ଯଦି ପଶୁର ମୁକ୍ତି ହୁଏ, ଯଜମାନ ନିଜ ପିତାକୁ ବଳି ନ ଦିଏ କାହିଁକି ?’

 

ଆକ୍ରୋଶରେ ଗର୍ଜନ କରି ଚାଲନ୍ତି ଲୋକାୟତ ବୃହସ୍ପତି । ଉତ୍ସାହିତ ହେଇ ଚାର୍ବାକ ପ୍ରଶ୍ନ କରେ, ‘ତାହାହେଲେ ପୁରୁଷାର୍ଥ କ’ଣ ? ମୋକ୍ଷ କ’ଣ ?'

 

ଉତ୍ତର କରନ୍ତି ଗଣପତି ଆଙ୍ଗିରସ, ‘ସୁଖମେବ ପୁରୁଷାର୍ଥଃ, କାମ ଏବୈକଃ ପୁରୁଷାର୍ଥଃ–ପ୍ରତ୍ୟକ୍ଷ ଗୋଚର ସୁଖ, ଇନ୍ଦ୍ରିୟଜ ଭୋଗର ସାର୍ଥକତାହିଁ ପୁରୁଷାର୍ଥ । ଦେଖ, ଲୋକସିଦ୍ଧ ରାଜାର ଜୀବନ, ଧରାତଳେ ମୂର୍ତ୍ତିମାନ ଈଶ୍ଵର–ଯେପରି ଐଶ୍ଵର୍ଯ୍ୟ, ସେପରି ଭୋଗ । ଏଇ ରାଜୋଚିତ ଭୋଗହିଁ କାମ୍ୟ । ‘ଭୂମିବାର୍ଯ୍ୟନ ଲାନିଳାଃ’–ଚତୁର୍ଭୂତର ସମଷ୍ଟି ଦେହ । ଦେହହିଁ ଆତ୍ମା । ଦେହର ସୁଖରେହିଁ ଆତ୍ମାର ସୁଖ । ଦେହୋଚ୍ଛେଦରେ ମୃତ୍ୟୁ । ଏଇ ମୃତ୍ୟୁହିଁ ମୋକ୍ଷ । ଯେତେଦିନ ମୋକ୍ଷ ଲଭି ନାହଁ, ବଞ୍ଚିବା ଭଳି ବଞ୍ଚ, ଜୀବନରେ ସୁଖ-ସମ୍ଭୋଗ କର, ‘ ଯାବଜ୍ଜୀବେତ୍ ସୁଖଂ ଜୀବେତ୍ ।’

 

ଚାର୍ବାକ ପ୍ରତିବାଦ କରେ, ‘ବିଶୁଦ୍ଧ ସୁଖ ଜଗତରେ କାହିଁ ? ସୁଖର ଅନ୍ତରାୟ ଦୁଃଖ, ମୃଣାଳରେ କଣ୍ଠକ ଯେପରି । ଦୁଃଖ ମିଶ୍ରିତ ଏଇ ସୁଖଭୋଗ ପାଇଁ ଆଗ୍ରହ ହେବ କାହିଁକି ?’ ସିଂହ ଗର୍ଜନରେ ଉତ୍ତର ଦିଅନ୍ତି ଲୌକ୍ୟ ବୃହସ୍ପତି, ‘ହାୟରେ ଅର୍ବାଚୀନ, ଦୁଃଖ ମିଶ୍ରିତ ବୋଲି ଯେଉଁମାନେ ସୁଖ ପରିହାର କରନ୍ତି ସେମାନେ ପଶୁବତ୍ ମୂର୍ଖ । ମତ୍ସ୍ୟ କଣ୍ଟକ ଓ ଶୁଳ୍କଯୁକ୍ତ ବୋଲି ମତ୍ସ୍ୟ ଭୋଜନରୁ ବିରତ ହେବା ନିର୍ବୋଧତା । ଶୁଣ ବତ୍ସ, ସୁଖ ସଙ୍ଗେ କିଞ୍ଚିତ୍ ଦୁଃଖ ମିଶି ରହିବହିଁ । ‘ଦୁଃଖଭୟାତ୍ ନ ଅନୁକୂଳ ବେଦନୀୟଂ ସୁଖଂ ତ୍ୟକ୍ତମୁଚିତମ୍ ।' ପୁରୁଷକାରଦ୍ଵାରା ଦୁଃଖ ଜୟ କରିବାକୁ ହେବ, ଅର୍ଥ ଦେଇ ଆହରଣ କରିବାକୁ ହେବ କାମ୍ୟ ସୁଖ । ଅର୍ଥ ଅର୍ଜନ ସମୟରେ ମନେ ରଖିଥିବ, ଜରା ନୁହେଁ, ମୃତ୍ୟୁ ନୁହେଁ–ଅଛି କେବଳ ଗୋଟିଏ ଲକ୍ଷ୍ୟ–‘ଅର୍ଥକାମୌ ପୁରୁଷାର୍ଥୋ ।' ସକଳ ସତ୍ୟର ଚରମ ଏଇ ସତ୍ୟ–ଜଗତ ଦୁଃଖମୟ ନୁହେଁ, ଅନନ୍ତ ସୁଖର ନିଳୟ ଧରଣୀ ।’

ପରିତୃପ୍ତ ହୁଏ ଚାର୍ବାକ । ଧ୍ରୁବତାରା ଭଳି ପ୍ରତ୍ୟକ୍ଷ, ସତ୍ୟ ମନେ ହୁଏ ଗୁରୁବାକ୍ୟ । ସେ କଥାରେ କି ତେଜ ! ସତେ ଯେପରି ଅନୁଭୂତ-ସତ୍ୟର ବାଙ୍‍ମୟ ପ୍ରକାଶ । ଗୁରୁଚରଣରେ ପ୍ରଣାମ ନିବେଦନ କରି ‘ସୁଶିକ୍ଷିତ’ ଚାର୍ବାକ ଯେବେ ବାହାରକୁ ଆସେ ରଜନୀର ମଧ୍ୟଯାମ ଅତୀତ ହେଇ ଯାଇଥାଏ । ନିସ୍ତବ୍ଧ ଚରାଚର, ନୀରବ ଘନକୃଷ୍ଣ ରାତ୍ରିର ଆକାଶତଳ । ଊର୍ଦ୍ଧ୍ଵରେ ନକ୍ଷତ୍ର ସଭା । ଉଦ୍ୟାନ ପୁଷ୍ପ ସଦୃଶ କାଞ୍ଚନବର୍ଣ୍ଣା ତାରକାରାଜି । ରାତ୍ରିର ପୁଷ୍ପ ସେମାନେ । କି ବିଚିତ୍ର ଏ ଭୂଲୋକ-! ଲୋକଚକ୍ଷୁର ଅନ୍ତରାଳରେ ମଧ୍ୟ ଏତେ ଶୋଭା, ଏତେ ଆନନ୍ଦର ଆୟୋଜନ ଆଉ କାହିଁ-? ସୁନ୍ଦରୀ ଧରଣୀ, ପ୍ରାଣମୟୀ ନନ୍ଦା, ସ୍ନେହମୟୀ ଭୈରବୀ । ଅନ୍ତଃକର୍ଣ୍ଣରେ ବାଜେ ଗୁରୁଙ୍କର ଶେଷ କେତୋଟି ପଦ–ଜଗତ ଦୁଃଖମୟ ନୁହେଁ, ଅନନ୍ତ ସୁଖର ନିଳୟ ଧରଣୀ ।’

ଗୋଟିଏ ବିଷୟରେ କିନ୍ତୁ ସଂଶୟ ତୁଟେନି ଚାର୍ବାକର । ଯଜ୍ଞକ୍ରିୟାର ବିରୋଧୀ ହେଲେ ମଧ୍ୟ ଗୁରୁ ଆଶ୍ରମରେ ଯାଗଯଜ୍ଞର ଏତେ ବାହୁଲ୍ୟ କାହିଁକି ? କଥା ଓ କର୍ମର ସାମଞ୍ଜସ୍ୟ କାହିଁ ? ଗୁରୁଙ୍କ ଲୋକାୟତ ଦର୍ଶନ କ’ଣ ସତ୍ୟୋପଲବ୍ଧିଜାତ ନୁହେଁ ? ବହୁବାର ମନେ କରିଚି ସେ, ଏ ବିଷୟରେ ପ୍ରଶ୍ନ କରିବ, କରିଚି ମଧ୍ୟ । କିନ୍ତୁ ଏ ପ୍ରଶ୍ନ ସେ ଏଡ଼ାଇ ଯାଇଚନ୍ତି । ଚାର୍ବାକର ଶିକ୍ଷା ସମାପ୍ତପ୍ରାୟ । ଗୁରୁଦେବ କହିଚନ୍ତି, ଜଗତରେ ପ୍ରଚାର କରିବାକୁ ହେବ ତାଙ୍କର ଦର୍ଶନ । କିନ୍ତୁ ଯେଉଁ ସତ୍ୟୋପଲବ୍ଧିରୁ ଦର୍ଶନର ଉତ୍ପତ୍ତି, ତାହା ଯଦି ଅଜ୍ଞାତ ରହେ, ଚାର୍ବାକ ପ୍ରେରଣା ପାଇବ କେଉଁଠାରୁ ?

ସେ ଦିନ ସନ୍ଧ୍ୟାରେ ଛାୟାରେ ବନାନ୍ତରାଳରେ ଠିଆ ହେଇଥିଲା ଚାର୍ବାକ–ପ୍ରଶ୍ନ–ବ୍ୟାକୁଳ ହୃଦୟ । ଅଦୂରେ ଚାଲିଚି ଆଶ୍ରମବଟୁଙ୍କ ଆଲୋଚନା, ଆସ୍ଫାଳନ, ପାଣ୍ଡିତ୍ୟର ଦମ୍ଭୋକ୍ତି ପରିଚର୍ଚ୍ଚା । ସହସା ସେ ଶୁଣିଲା, ପ୍ରସଙ୍ଗ ଉଠିଚି ତାକୁ କେନ୍ଦ୍ର କରି । ଉତ୍କର୍ଣ୍ଣ ହେଲା ଚାର୍ବାକ ।

ଜଣେ କହୁଚି, ‘ବୁଝିଲ, ସୁଶିକ୍ଷିତ ଚାର୍ବାକର ଉତ୍ତମ ଶିକ୍ଷା ହେଇଚି । ପାଷାଣ୍ଡକୁ ପାଷାଣ୍ଡଧର୍ମ ଶିକ୍ଷା ଦେଇଚନ୍ତି ଗୁରୁ । ଚାର୍ବାକ ହେଲା ପାଷାଣ୍ଡ ପଣ୍ଡିତ ।’ ଅନ୍ୟ ଜଣେ କହିଲା, ‘ମୂର୍ଖ ଭାବିଲାନି, ବୃହସ୍ପତି ସୁରଗୁରୁ–ସ୍ଵର୍ଗର ପୁରୋହିତ । ସେ ନାସ୍ତି ବାଦାର୍ଥ ଶିକ୍ଷା ଦେବେ କାହିଁକି-? ସୁର ଓ ସ୍ଵର୍ଗ ଯଦି ମିଥ୍ୟା, ସୁରଗୁରୁ ନାମଟାବି ଅଳୀକ !’ ତୀକ୍ଷ୍ଣ ବ୍ୟଙ୍ଗ କରି ଆଉ ଜଣେ କହି ଉଠିଲା, 'ନିର୍ବୋଧଟା ଜାଣେନି କିଛି, ବୁଝେନିବି କିଛି । ଇନ୍ଦ୍ରର ପ୍ରାର୍ଥନାରେ ଦେବଗୁରୁ ଏ ଦର୍ଶନ ରଚନା କରିଥିଲେ ଦାନବ ମୋହନାର୍ଥ । ‘ଇନ୍ଦ୍ରସ୍ୟ ଅଭୟାୟ, ଅସୁରାନାଂ କ୍ଷୟାୟ’ ଏହାର ସୃଷ୍ଟି-। ସେଇ ଦର୍ଶନ ବାଛିବାଛି ସେ ଶିକ୍ଷା ଦେଇଚନ୍ତି ଗଣ୍ଡମୂର୍ଖକୁ ।’

ଉତ୍ତେଜିତ ହେଇ ଉଠେ ଚାର୍ବାକ । ଗୁରୁ କି ତେବେ କପଟତା କରି କପଟ ଶିକ୍ଷା ଦେଇଚନ୍ତି ତାକୁ ? ଦାନବଧର୍ମରେ ଦୀକ୍ଷିତ ହେଇଚି ସେ ? ଦ୍ରୁତପଦରେ ସେ ଅଗ୍ରସର ହୁଏ ଗୁରୁ କୁଟୀର ଉଦ୍ଦେଶ୍ୟରେ । ଅନ୍ତରରେ ଅଶାନ୍ତ ବିକ୍ଷୋଭ-ପ୍ରଶ୍ନ । ଆକାଶର ସପ୍ତର୍ଷି-ମଣ୍ଡଳରେ କି ସେଇ ପ୍ରଶ୍ନ ?

 

କୁଟୀର ପ୍ରାଙ୍ଗଣରେ ପଦଚାରଣ କରୁଚନ୍ତି ଦେବାଚାର୍ଯ୍ୟ ବୃହସ୍ପତି । ଦୀର୍ଘଦର୍ଶନ ସୌମ୍ୟଶାନ୍ତ, ଊର୍ଦ୍ଧ୍ୱାକାଶେ ଧ୍ରୁବ ନକ୍ଷତ୍ରର ଜ୍ୟୋତିର୍ମୟ ସତ୍ୟର ଦୀପ୍ତି ତାଙ୍କର ନୟନରେ । ସତ୍ୟ କି ଗୋପନ କରିଚନ୍ତି ସତ୍ୟଦ୍ରଷ୍ଟା ? ତ୍ଵରିତେ ସରଳ ଭାବରେ ପ୍ରଶ୍ନ କଲା ଚାର୍ବାକ, ‘ଯେଉଁ ଲୋକାୟତ ଦର୍ଶନ ମତେ ଶିକ୍ଷା ଦେଇଚନ୍ତି, ତାହା କ’ଣ ଆପଣଙ୍କର ପରୀକ୍ଷିତ ସତ୍ୟ ? ସତ୍ୟ କ’ଣ ଆପଣଙ୍କର ଅର୍ଥଶାସ୍ତ୍ର ?’

 

ଗଭୀର ରାତ୍ରୀ । କାହାର ଇଙ୍ଗିତରେ ଯେପରି କୋଳାହଳମୁଖର ବିଶ୍ଵ ସ୍ତବ୍ଧ ହେଇ ଯାଇଚି । କୁଟୀର ଦ୍ଵାରଦେଶରେ ବିଚ୍ଛୁରିତ ଆଲୋକର ମ୍ଳାନ ଦୀପ୍ତି ଗୁରୁଙ୍କ ଆନନ୍ଦରେ । ଶିଷ୍ୟର ପ୍ରଶ୍ନରେ ଟିକିଏ ବିବ୍ରତ ହେଲେ ସେ, କିନ୍ତୁ ପରମୁହୂର୍ତ୍ତରେ ଆତ୍ମସମ୍ୱରଣ କରି ପ୍ରଶାନ୍ତ କଣ୍ଠରେ କହିଲେ, ‘ନିର୍ବିଶେଷ ନିରଞ୍ଜନ ସତ୍ୟର ମୁଖ କିଏ ଦେଖିଚି, ବତ୍ସ ! 'କୋ ଦଦର୍ଗ ପ୍ରଥମଂ ଜାୟମାନମ୍ ?’ ଜଗତରେ ଅବିମିଶ୍ର ସୁଖ-ଦୁଃଖ ଯେପେରି ନାଇଁ ସେପରି ନାଇଁ ନିର୍ବିଶେଷ ସତ୍ୟ ବା ମିଥ୍ୟା । ସଂଶୟ ପରିତ୍ୟାଗ କର । ଯାହା ଶିକ୍ଷା ଦେଇଚି, ତାହାକୁ ଧ୍ରୁବ ବୋଲି ଗ୍ରହଣ କର ।’ ‘ମୁଁ ଗ୍ରହଣ କରିପାରେ, କିନ୍ତୁ ଲୋକେ କହୁଚନ୍ତି–’ ‘କ’ଣ କହୁଚନ୍ତି, ବତ୍ସ ?’

 

‘କହୁଚନ୍ତି, ଗଣପତି ବୃହସ୍ପତିଙ୍କ ଲୋକାୟତ ଦର୍ଶନ କପଟ ଦର୍ଶନ । ବେଦବିରୋଧୀ ଏ ଦର୍ଶନ ମିଥ୍ୟା । ଦାନବ ଓ ଅସୁରଙ୍କୁ ବିଭ୍ରାନ୍ତ କରିବାର ଗୋଟିଏ ଅପକୌଶଳ ।’

 

ନୀରବ ହୁଏ ଚାର୍ବାକ । ଟିକିଏ ନୀରବ ରହି ଧୀର-ଗମ୍ଭୀର ସ୍ୱରରେ କହିଲେ ବୃହସ୍ପତି, ‘ଲୋକେ ଏ କଥା କହି ପାରନ୍ତି, ଚାର୍ବାକ, କାରଣ ଏହାର ପୌରାଣିକ ପ୍ରମାଣ ରହିଚି । ଇନ୍ଦ୍ରଙ୍କ ପ୍ରାର୍ଥନାରେ ମୁଁ ଏହି ମତବାଦ ବୀର୍ଯ୍ୟବାନ ରଜିପୁତ୍ରମାନଙ୍କ ନିକଟରେ ପ୍ରଚାର କରିଥିଲି । ରଜି ଥିଲେ ମହାପରାକ୍ରାନ୍ତ ନୃପତି । ତାଙ୍କର ପୁତ୍ରଗଣଙ୍କ ବିକ୍ରମରେ ସ୍ୱର୍ଗଭ୍ରଷ୍ଟ ଇନ୍ଦ୍ର ଅତି କାତର ଭାବରେ ମୋ ନିକଟରେ ପ୍ରତିକାର ପ୍ରାର୍ଥନା କରିଥିଲେ । କି କାତର ପ୍ରାର୍ଥନା ସେ ! ମୁଁ ଚମକି ଉଠିଲି । ଇୟେ ସେ ଇନ୍ଦ୍ର ସ୍ୱର୍ଗର ଅଧୀଶ୍ଵର ? ତାଙ୍କୁ ଅଭୟ ଦେଇ କହିଥିଲି ବେଶ୍, ଏହାର ପ୍ରତିକାର ମୁଁ କରିବି । ତା’ରପରେ ମୋର ଏ ଅର୍ଥଶାସ୍ତ୍ର ରଜିପୁତ୍ରଗଣଙ୍କୁ ଦାନ କରିଥିଲି । ସେମାନେ ବିଭ୍ରାନ୍ତ ହେଇଥିଲେ, ପରାଜିତବି ହେଇଥିଲେ । ଦେବତାମାନଙ୍କ ଅନୁରୋଧରେ, ଶୁକ୍ରାଚାର୍ଯ୍ୟଙ୍କ ଅନୁପସ୍ଥିତିରେ, ଚାର୍ବାକ ଛଦ୍ମ ଶୁକ୍ରାଚାର୍ଯ୍ୟ ବେଶ ଧାରଣ କରି ମୁଁ ଦାନବଙ୍କ ନିକଟରେ ମଧ୍ୟ ଏ ଶାସ୍ତ୍ର ପ୍ରଚାର କରିଥିଲି । ଫଳରେ, ଦାନବମାନେ ବିଭ୍ରାନ୍ତ ପଥରେ ପରିଚାଳିତ ହେଇଥିଲେ । ଦୈତ୍ୟ ପ୍ରଧାନ ଅରୁଣ ଥିଲା ଗାୟତ୍ରୀ ମନ୍ତ୍ରର ଉପାସକ–ତ୍ରିଭୁବନରେ ଅଜେୟ । ମୋରହିଁ ହେତୁବାଦରେ ସେ ଗାୟତ୍ରୀ ମନ୍ତ୍ର ତ୍ୟାଗ କରି ହୀନବୀର୍ଯ୍ୟ ହେଇଥିଲା । ବହୁବାର ଏ ଦର୍ଶନ ଦାନବ-ଅସୁରଙ୍କୁ ବିଭ୍ରାନ୍ତ କରିଚି । ସେଥିଲାଗି ଜନସମାଜରେ ପ୍ରଚାରିତ ହେଇଚି, ଦେବାଚାର୍ଯ୍ୟ ବୃହସ୍ପତି ଦାନବ-ମୋହନାର୍ଥ ଏ ଲୋକାୟତ ଦର୍ଶନ ରଚନା କରିଚନ୍ତି ।’

 

‘ତାହାହେଲେ ସତ୍ୟ ଯେ ଏହା ପାଷାଣ୍ଡର ଶାସ୍ତ୍ର ?’ କ୍ଷୁବ୍ଧ କଣ୍ଠରେ ଧ୍ଵନିତ ହୁଏ ଯୌବନର ଅଭିଯୋଗ, 'ପରମ ସତ୍ୟରୁ ବଞ୍ଚିତ କରି ଆପଣ କାହିଁକି ମିଥ୍ୟା ଅର୍ଥବାଦ ମତେ ଶିକ୍ଷା ଦେଇଛନ୍ତି ? କାହିଁକି ଜଣେ ସରଳମତି ଶିଶୁପ୍ରତି ଛଳନା କରିଚନ୍ତି ଆକାଶ କୁସୁମର ସ୍ଵପ୍ନ ଦେଇ ?

 

ଅମରାଣାଂ ଗୁରୁଃ ସାକ୍ଷାତ୍

ମିଥ୍ୟାବାଦୀ ସ୍ୱୟଂ ଯଦି ।

ତଦା କଃ ସତ୍ୟବକ୍ତା ସ୍ୟାତ୍

ରାଜସନ୍ତାମସଃ ପୁନଃ ।।

 

ସ୍ୱୟଂ ସୁରଗୁରୁ ଯଦି ମିଥ୍ୟାବାଦୀ, ତାହାହେଲେ ସତ୍ୟବାଦୀ କିଏ ? ପରମ ସାତ୍ତ୍ୱିକ ହେଇ ମଧ୍ୟ ତାଙ୍କର ଯଦି ଏ ଛଳନା, ତେବେ ଅନ୍ୟର ମୃଷାଭାଷଣରେ ଦୋଷ କ’ଣ ?’

 

ଉତ୍ତେଜିତ ଚାର୍ବାକକୁ ଶାନ୍ତ କରିବାକୁ ଚେଷ୍ଟା କରନ୍ତି ବୃହସ୍ପତି । ତାଙ୍କୁ ସ୍ପର୍ଶ କରି ଧୀର କଣ୍ଠରେ କହନ୍ତି, 'ମିଥ୍ୟା ଅଭିମାନ କରନି ବତ୍ସ ! ତୁମେ ଉପଯୁକ୍ତ ବୋଲି କେବଳ ଜୀବନର ଗୋଟିଏ ଅନୁଭୂତି ସତ୍ୟ ତୁମ ପାଖରେ ତୋଳି ଧରିଚି । ଯେକୌଣସି ଦର୍ଶନ ହେଉ, ଜୀବନର ସତ୍ୟ ଉପଲବ୍ଧିରୁ ତା’ର ଜନ୍ମ ନହେଲେ, କୌଣସି ଯୁକ୍ତିନିଷ୍ଠ ବୁଦ୍ଧିମାନକୁ ତାହା ଆକର୍ଷଣ କରି ପାରେନି । ଦାନବ ବିରୋଚନ, ମହର୍ଷି ଜାବାଳି, ରଜିପୁତ୍ର ଅବା ଦୈତ୍ୟ ଅରୁଣ ମୂର୍ଖ ନଥିଲେ ବତ୍ସ ! ସେମାନଙ୍କ ପରି ଧୀମାନଙ୍କୁ ଯେଉଁ ଦର୍ଶନ ମୁଗ୍ଧ କଲା ତାହା ମୃଷାଗର୍ଭ ବାକ୍‍ଚାତୁରୀ ମାତ୍ର ନୁହେଁ । ଚନ୍ଦ୍ର-ସୂର୍ଯ୍ୟ ଭଳି ପ୍ରତ୍ୟକ୍ଷ, ଜନ୍ମ-ମୃତ୍ୟୁ ଭଳି ସତ୍ୟ ମୋର ଦର୍ଶନ । ଏ ଦର୍ଶନ ଦୁଃଖୀ ମନୁଷ୍ୟକୁ ବିଶ୍ଵର ଆନନ୍ଦ ନିକେତନରେ ଆନନ୍ଦ-ଆସ୍ଵାଦନର ଆହ୍ୱାନ ଜଣାଏ । ଏହାକୁ ଭୁଲ ବୁଝି କିଏ ଯଦି ବିପଥରେ ଚାଳିତ ହୁଏ, ସେ ଦୋଷ ଦର୍ଶନର ନୁହେଁ କି ଦ୍ରଷ୍ଟାର ନୁହେଁ । ଏକହିଁ ପୁଷ୍ପରୁ ଊର୍ଣ୍ଣନାଭ ଆହରଣ କରେ ବିଷ, ମଧୁମକ୍ଷିକା ସଞ୍ଚୟ କରେ ମଧୁ । ଯାହାର ଊର୍ଣ୍ଣନାଭବୃତ୍ତି ସେ ବିଷ କେବଳ ସଂଗ୍ରହ କରିବ, ଯା’ର ମାଧୁକରୀ ସ୍ଵଭାବ ସେ ଏ ଦର୍ଶନ ଦେଇ ରଚନା କରିବ ମଧୁଚକ୍ର ।’ ସୁରଗୁରୁଙ୍କ ମୁଖରେ କମ୍ପିତ ହେଉଚି ରହସ୍ୟମୟ ଅନ୍ଧାର ଉଜୁଳି । ଚାର୍ବାକ ଲକ୍ଷ୍ୟ କରେ, ସୂର୍ଯ୍ୟ ମଣ୍ଡଳରେ ଯେପରି ମୁହୂର୍ତ୍ତେ ମୁହୂର୍ତ୍ତେ ନାନା ରଙ୍ଗର ଖେଳା ଚାଲେ–ନୀଳ, ସବୁଜ, ଲୋହିତ–ସେପରି ଋଷି ଆନନରେ ଚକିତେ ଫୁଟି ଫୁଟି ଉଠୁଚି ଉଦ୍‍ବେଗ, ଘୃଣା, କ୍ରୋଧ । ଗାଢ଼ କଣ୍ଠରେ ସେ କହିଲେ, 'ଏକଇ ପ୍ରକୃତିରେ କେବେ ବସନ୍ତର ହାସ୍ୟ, କେବେ ବା ବର୍ଷାର ଅଶ୍ରୁ; ଏକଇ ମଣିଷ କେବେ ଧୀର–ଗମ୍ଭୀର, କେବେ ବା ଲଘୁ-ଚପଳ । ଶୁଭାଶୁଭ ମିଶ୍ରିତ ଜଗତ, ସୁଖଦୁଃଖ ମିଶ୍ରିତ ଅନୁଭୂତି । ଯେ କେଉଁ ଅବସ୍ଥାରେ ମଣିଷର ଗୋଟିଏ ଗୋଟିଏ ବିରାଟ ଅଭ୍ରାନ୍ତ ଉପଲବ୍ଧି ହେଇପାରେ । ସେ ଉପଲବ୍ଧି ମିଥ୍ୟା ନୁହେଁ । ସମସ୍ତେ ଜାଣନ୍ତି–ବୃହସ୍ପତି ସୁରଗୁରୁ, ପରମ ଆସ୍ତିକ । କିନ୍ତୁ, ଆସ୍ତିକ୍ୟ ବୁଦ୍ଧି ଓ ସୁରତ୍ଵ ବିରୁଦ୍ଧରେ ଯେଉଁ ଅଭିଯୋଗ ପୁଞ୍ଜିତ ହେଇରହିଚି–ତାହା ତ କିଏ ଜାଣେନି ବତ୍ସ ! ସେ ବିକ୍ଷୋଭ ଯେ କି ପ୍ରଚଣ୍ଡ, କି ଭୀଷଣ ତା’ର ଉନ୍ମତ୍ତତା–କିଏ ତ ବୁଝେନି ! ତୁମେ ବୋଧହୁଏ ଜାଣ, ତୁମର ଗୁରୁପତ୍ନୀ ‘ତାରା’ ସୋମ କର୍ତ୍ତୃକ ଅପହୃତା ହୋଇଥିଲେ ?’

 

‘ଶୁଣିଚି ସେ କାହାଣୀ ।’

 

‘କାହାଣୀ ଶୁଣିଚ, କିନ୍ତୁ ସେଥିର ମର୍ମସତ୍ୟ ବୁଝିନ । ସାଧ୍ଵୀ, ସତ୍‍କ୍ରିୟାବତୀ ମୋର ଭାର୍ଯ୍ୟା ତାରା । ଦିନେ ପୁଷ୍ପଭାରରେ ସଜ୍ଜିତ ହେଇ ମୋର ଉଦ୍ୟାନରେ ଭ୍ରମଣ କରୁଥିଲା । ଠିକ୍ ସେଇ ସମୟରେ ସେ ଔଷଧିପତି ସୋମର ଦୃଷ୍ଟିପଥରେ ପତିତ ହେଲା । ଏକେ ଅମ୍ଳାନ ପଙ୍କଜ ସମାନ ରୂପ, ତା’ର ଉପରେ ମନୋହର ଅଙ୍ଗସଜ୍ଜା । ମୁହୂର୍ତ୍ତକରେ କାମାର୍ତ୍ତ ହେଲା ନିଶାପତି, ପାତ୍ରାପାତ୍ର ଜ୍ଞାନଶୂନ୍ୟ ହେଇ ତାରାକୁ ହରଣ କଲା । ଶୁଣିଚି, ଆର୍ତ୍ତକଣ୍ଠରେ ଅନୁଯୋଗ ଅନୁନୟ କରିଥିଲା ତାରା କିନ୍ତୁ ବିବେକହରା ଚନ୍ଦ୍ର ସେଥିପ୍ରତି କର୍ଣ୍ଣପାତ କରିନି ।’

 

ଉଚ୍ଛ୍ୱାସରୁଦ୍ଧ କଣ୍ଠ କ୍ଷଣକପାଇଁ ନୀରବ ହୁଏ । ସହଜ ହେଇ ସୁରଗୁରୁ ପୁଣି ଆରମ୍ଭିଲେ, ‘ତାରା ଅପହୃତା ହେଲା ।

 

ଦେବତାଙ୍କ ନିକଟରେ ମୁଁ ଅଭିଯୋଗ କଲି । ମର୍ମାହତ ହେଲେ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର-। ଚନ୍ଦ୍ରକୁ ଅନୁରୋଧବି କଲେ ସେମାନେ । କାହା କଥାରେ କାନ ଦେଲାନି ସକାମ ସୋମ-। ସୋମ ବିରୁଦ୍ଧରେ ସଜ୍ଜିତ ହେଲା ସୁର-ଚମୂ-ଐରାବତରେ ଇନ୍ଦ୍ର, ଶ୍ଵେତାଶ୍ଵରେ ଧର୍ମ, ଦିବ୍ୟରଥରେ କୁବେର-ବରୁଣ, ନାଗବାହନରେ ଅନନ୍ତ, ମହିଷ ପୃଷ୍ଠରେ ସ୍ଵୟଂ ଯମ । ତ୍ରିଲୋକର ଧାରଣା, ଅପରାଜେୟ ସୁର-ଶକ୍ତି । କିନ୍ତୁ ମୁଁ ବୁଝିଚି ବତ୍ସ, ସୁରଙ୍କ ଶକ୍ତି-କଳ୍ପନା ଦୁର୍ବଳ ସ୍ଥାବକର ଶକ୍ତିହୀନ ଦେବବୀର୍ଯ୍ୟ । ନିଃସାର ଯେପରି ଶାରଦୀୟ ମେଘ, ନିଃସାର ସେପରି ଦୈବଶକ୍ତି । କିଏ କହେ, ମଣିଷର ଭାଗ୍ୟବିଧାତା ଦେବତା ? ମିଥ୍ୟା କଳ୍ପନା । ଭାଗ୍ୟର ନିର୍ମାତା ସ୍ୱୟଂ ମଣିଷ-। ଅପରାଜେୟ ପୁରୁଷକାର । ‘ଦୈବେନ ଦେୟମ୍ ଇତି କାପୁରୁଷାଃ ବଦନ୍ତି ।’

 

ସୁରଗୁରୁଙ୍କ ନୟନରେ ଅଗ୍ନିସ୍ଫୁଲିଙ୍ଗ । ରୋଷଭରେ ସେ ଦୃଷ୍ଟିନିକ୍ଷେପ କରନ୍ତି ଆକାଶସ୍ଥ ସୋମ-ପ୍ରିୟା ନକ୍ଷତ୍ର-ସଙ୍ଗ ପ୍ରତି । କ୍ଷୁବ୍ଧ ଆକ୍ରୋଶ ଯେପରି ତାଙ୍କୁ ଅସ୍ଥିର କରି ପକାଇଚି । ହତବାକ୍ ଚାର୍ବାକର ହୃଦୟ ତନ୍ତ୍ରୀରେ ଅନୁରଣିତ ହୁଏ ଗୁରୁଙ୍କ ବାକ୍ୟ–‘ଦୈବେନ ଦେୟମିତି କାପୁରୁଷାଃ ବଦନ୍ତି' । ସେଇ ତନ୍ତ୍ରୀରେ କଠିଣ ଆଘାତ ହାଣି କହିଲେ ବୃହସ୍ପତି, ‘ଭାବିଥିଲି, ଯାଗ-ଯଜ୍ଞ, ମନ୍ତ୍ର, ଅଭିଚାର କ୍ରିୟା ହୁଏତ ନିଷ୍ଫଳ ନୁହେଁ । ତାରାକୁ ସୋମ-କବଳମୁକ୍ତ କରିବା ଉଦ୍ଦେଶ୍ୟରେ ଶ୍ୟେନ ଯାଗ କରିଚି, ପ୍ରୟୋଗ କରିଚି ଆଭିଚାରିକ ମନ୍ତ୍ର । ବ୍ୟର୍ଥ ହେଇଚି ସବୁ । କି ଫଳ ତେବେ ଯଜ୍ଞରେ, ହବି ହବନରେ ? ଭସ୍ମରେ ଘୃତାହୁତି; କି ଫଳ ମାରଣ-ଉଚ୍ଚାଟନ କ୍ରିୟାରେ ? ନିଷ୍ଫଳ କ୍ରିୟାକଳାପ; କି ଫଳ ବେଦୋକ୍ତ ମନ୍ତ୍ରୋଚ୍ଚାରଣରେ ? ଶକ୍ତିହୀନ ମନ୍ତ୍ର । ବୈଦିକ କର୍ମମୀମାଂସା ଲୋଭାତୁର, ଧୂର୍ତ୍ତ ବ୍ରାହ୍ମଣର ରଚନା ।’

 

ଉତ୍ତେଜିତ ତପୋଧୀର ବୃହସ୍ପତି । ରୁଦ୍ଧ ଏକ କ୍ରୁଦ୍ଧ ଗର୍ଜନ ତାଙ୍କର କଣ୍ଠରେ–ପାଷା ରୁଦ୍ଧ ବେଗବତୀ ସ୍ରୋତସ୍ଵତୀ ଯେପରି । ସ୍ରୋତସ୍ଵିନୀ ବାଧାମୁକ୍ତ ହୁଏ–କହିଲେ, ‘ଏଇ ଘଟଣାରେ ମିଥ୍ୟା ଯେପରି ମନେ ହେଇଥିଲା ଯଜ୍ଞକ୍ରିୟା, ସେପରି ଅନୁଭବ କରିଥିଲି ଏକ ରୂଢ଼ ସତ୍ୟ–ଅବାର୍ଯ୍ୟବୀର୍ଯ୍ୟ କାମ । ଅନାଦି ନିତ୍ୟ କାମନା–ଅନିରୁଦ୍ଧ ତା’ର ଗତି । ବିଶ୍ୱରେ ଶାଶ୍ୱତୀ ନାରୀ-ପୁରୁଷର ଆସଙ୍ଗ ଲିପ୍ସା । କାମନାବଶେ ସୋମ ତାରାକୁ ଅପହରଣ କରିଥିଲା । କ’ଣ ଅଭାବ ଥିଲା ତା’ର ? ସପ୍ତଲୋକର ରସାଧାର ସୋମ, ସପ୍ତବିଂଶ ନକ୍ଷତ୍ର ତା’ର ପତ୍ନୀ । ତେବେବି କାମତୃଷ୍ଣା ନିବୃତ୍ତ ହେଇନି ତା’ର । ଅନଙ୍ଗ ମୋହରେ ମୋହିତ ମହୀତଳ । ଏ ବିଷୟରେ ସୋମହିଁ କେବଳ ଅପରାଧୀ ନୁହେଁ; ତାରାକୁବି ନିର୍ଦ୍ଦୋଷ କହିଲେ ଚଳିବନି । ତାରାର ଅନ୍ତରରେ ମଧ୍ୟ ପ୍ରସୁପ୍ତ ଥିଲା ଲାଳସା; ମୋହିନୀ ନିଜେ ମୋହିତ ହେଇଥିଲା ଚନ୍ଦ୍ରର କାନ୍ତିଚ୍ଛଟାରେ । ମୁହଁରେ ସେ କହିଥିଲା, ‘ତ୍ୟଜ ମାଂ ତ୍ୟଜ ମାଂ ଚନ୍ଦ୍ର ସୁରେଷୁ କୁଳପାଂଶୁଳଃ’–କିନ୍ତୁ ‘ସାପି ସୁରାର୍ତ୍ତା' ନହେଲେ, କିଏ କି କେଉଁଠି ଶୁଣିଚି ବତ୍ସ, ଅକାମା ନାରୀ ଉଗ୍ର କାମନାର ଗ୍ରାସ ମୁହଁରେ ଆତ୍ମସମର୍ପଣ କରେ ? ପଳାୟନ କରେନା ? ପଳାୟନ କରେନା ? ପ୍ରାଣତ୍ୟାଗ କରେନା ? ବିଷାଙ୍ଗୁରୀୟ କ’ଣ ତା’ର ହାତରେ ନଥିଲା ? ଶୁଣିଚି, ସୋମ ସହ ସେ ବିହାର କରିଚି ରମ୍ୟଶୈଳରେ, ପିକୋକ୍ତ ପୁଷ୍ପୋଦ୍ୟାନରେ, ମଳୟର ମଳୟାରଣ୍ୟରେ, ତ୍ରିକୂଟରେ, ବିନ୍ଦୁ-ସରୋବରରେ । ଅକାମା ନାରୀରେ ଏତେ ଭୋଗ କି ସମ୍ଭବ ?’

 

ସ୍ତମ୍ଭିତ ଚାର୍ବାକ । କାମନାର ଏ କି ଦୁରନ୍ତ, କୁଟିଳ ଗତି ! ତାକୁ ଅଧିକତର ବିସ୍ମିତ କରି କହିଲେ ଯାଚସ୍ପତି ବୃହସ୍ପତି, ‘ଏଇ ଶାଶ୍ୱତ କାମନାରୁ ମୁଁ ବି ମୁକ୍ତ ନୁହେଁ ବତ୍ସ ।’

 

‘ଆପଣ !’ ଆତଙ୍କରେ ଚକ୍ଷୁ ମୁଦ୍ରିତ କରେ ଚାର୍ବାକ । ତା’ର ନେତ୍ରରେ ଅନ୍ଧକାର ଉପରେ ଅନ୍ଧକାର ଘନେଇ ଆସେ । ବୃହସ୍ପତି କହି ଚାଲିଚନ୍ତି : ‘ସକାମ ସୋମ, ସକାମା ତାରା । କି ମୋହମୟ ଆକର୍ଷଣ କାମନାର ! ତାରାକୁ ପରଗୃହୀତା ଜାଣି ସୁଦ୍ଧା ମୁଁ ତ ତା’ ପ୍ରତି କ୍ରୁଦ୍ଧ ହେଇ ପାରିନି । ଅନଙ୍ଗ ତପ୍ତ ହେଇ ତାକୁହିଁ କାମନା କରିଚି, କ୍ଷୁଧିତ ଭିକ୍ଷୁକ ଭଳି ଭିକ୍ଷାର୍ଥୀ ହେଇ ସୋମ ଦ୍ଵାରରେ ଭିକ୍ଷା କରିଚି ତାରାକୁ !’

 

ସତ୍ୟମୂର୍ତ୍ତି ବ୍ରାହ୍ମଣଷ୍ପତି ବୃହସ୍ପତି । କୌଣସି କଥା ସେ ଗୋପନ କରନ୍ତିନି । ସତ୍ୟର ଶିବ-ସୁନ୍ଦର ମୁଖ ଶିଷ୍ୟ ନିକଟରେ ଉନ୍ମୋଚିତ କରି ସେ କହିଲେ, ‘ସେତିକି କେବଳ ନୁହେଁ । ନିଜର ଭାର୍ଯ୍ୟା ପ୍ରତି ଆସକ୍ତ ହେଇ ମୁଁ ସନ୍ତୁଷ୍ଟ ହେଇନି । ମୁଁ ଜାଣେ ଏହା ବ୍ୟଭିଚାର, ଏହା ଅସାମାଜିକ, ତଥାପି ସ୍ଵୀକାର କରୁଚି, ଅନାଦି ଅନିରୁଦ୍ଧ କାମନାର କବଳରୁ ମୁକ୍ତି କାହାର ନାଇଁ । ଗଭୀର ଭାବରେ ମର୍ମରେ ମୁଦ୍ରିତ ହେଇଥିଲା ଏ ସତ୍ୟ ଯେଉଁଦିନ ପ୍ରଥମ ଯୌବନର ଉଚ୍ଛ୍ୱାସରେ ମୁଁ ଥିଲି ଚଞ୍ଚଳ । ପ୍ରାଣର ଉନ୍ମାଦ ନୃତ୍ୟ ଚାଲିଥିଲା ଶିରାରେ ଶିରାରେ । ନୟନର ରାଗରେ ରାଗ ରଞ୍ଜିତ ହେଇଥିଲା ଭୁବନ । ସେଇ ଭୁବନରେ ମୂର୍ତ୍ତିମତୀ ଭୁବନମୋହିନୀ ରୂପରେ ଉଦିତ ହେଲେ ଜ୍ୟେଷ୍ଠା ଭ୍ରାତୃବଧୂ ଉତଥ୍ୟପତ୍ନୀ ଅନ୍ତର୍ବତ୍ନୀ ଦେବୀ ‘ମମତା’–ମମତ୍ୱରେ ଭରା ହୃଦୟ-ଭାଣ୍ଡ, ଗୁରୁତ୍ୱରେ ଭରା ଅଙ୍ଗ-ସୁଷମା । ପରିଧାନରେ ରକ୍ତାମ୍ବର, କଣ୍ଠେ ରତ୍ନମାଳା, ଭାଲପଟରେ ରକ୍ତସିନ୍ଦୂର, ରଜୋଦ୍ୟୁତି କାମନାର ସଦ୍ୟ ପ୍ରସ୍ଫୁଟିତ ରକ୍ତକମଳ ଯେପରି ! କିଏ ଭୁଲାଇଲା ମତେ-? କିଏ ଆକର୍ଷଣ କଲା ମତେ ? କାର ମାୟାରେ ପରକୀୟାର ଆଶ୍ଳେଷରେ ବିହ୍ଵଳ, ଆତ୍ମହରା ହେଲି ମୁଁ ? ତାହା କାମନା–ଜୀବ-ହୃଦୟରେ ଚିରନ୍ତନ ସ୍ଥାୟୀ ଭାବ-ସତ୍ୟ । ଏଇ କାମନାହିଁ ବିଶ୍ୱବାସୀର ପୁରୁଷାର୍ଥ ।’

 

ନିସ୍ତବ୍ଧ ଚାର୍ବାକ । ଏଇ ସତ୍ୟମୂର୍ତ୍ତି ଗୁରୁଙ୍କୁ ସେ ମିଥ୍ୟାବାଦୀ ବୋଲି ଅଭିଯୋଗ କରିଚି ! ଲଜ୍ଜାରେ ସେ ଯେପରି ମାଟିରେ ମିଶି ଯାଉଚି । ତାକୁ ଉଦ୍ଦେଶ୍ୟ କରି ବଜ୍ରରବରେ କହିଲେ ବୃହସ୍ପତି, ‘କିନ୍ତୁ ସାବଧାନ ଚାର୍ବାକ ! ଏହା ନିଆଁ ସଙ୍ଗେ ଖେଳିବା ପରି । ଶାଶ୍ଵତୀ କାମନାର ଅର୍ଥ ନୁହେଁ ଯେ କାମ ହେବ ସମାଜ-ଶୃଙ୍ଖଳାର ବ୍ୟତିକ୍ରମ; ଭୋଗ ସୁଖହିଁ ପୁରୁଷାର୍ଥ–ଏହାର ଅର୍ଥ ନୁହେଁ ଯେ ଭୋଗୀ ଭଙ୍ଗ କରିବ ବିଶ୍ଵର ଶାନ୍ତି । ପ୍ରଜାର ପ୍ରତିନିଧି ମର୍ତ୍ତ୍ୟର ରାଜାହିଁ ସାକ୍ଷାତ୍ ପରମେଶ୍ୱର–ମୋର ଦର୍ଶନର ଆଦର୍ଶ । ରାଜାର ସମ୍ମୁଖରେ ଅବାରିତ ଭୋଗ-ପାତ୍ର, କିନ୍ତୁ ହାତରେ ତା’ର ଦଣ୍ଡ । ସେ ଦଣ୍ଡଧର । ଏଇ ଦଣ୍ଡ ସ୍ଵେଚ୍ଛାଚାରର ମହାଭୟ–‘ଦଣ୍ଡୋ ରକ୍ଷତି ଭୂତାନି ଦଣ୍ଡଃ ପାଳୟତେ ପ୍ରଜାଃ’ । ପୁରୁଷାର୍ଥ ସମ୍ଭୋଗରେ ଏଇ ଦଣ୍ଡ ଯେପରି ହସ୍ତଚ୍ୟୁତ ନହୁଏ ।’

 

ବଜ୍ରରବ ନରମ ହୁଏ, ଧୀର ଭାବରେ କହନ୍ତି ଗଣପତି ବୃହସ୍ପତି, ‘ଜୀବନରେ ଅନୁଭୂତ ଏଇ ପ୍ରତ୍ୟକ୍ଷ ସତ୍ୟରୁହିଁ ମୋର ଦର୍ଶନର ଜନ୍ମ । ଯୁଗଯୁଗ ଧରି ‘ଲୋକେଷୁ ଆୟତଃ’ ଏଇ ଦର୍ଶନ’-। ସେଥିଲାଗି ଏହାର ନାମ ‘ଲୋକାୟତ ଦର୍ଶନ’ । ଦାନବ ମୋହନ ନୁହେଁ, ଲୋକ-କଲ୍ୟାଣ ଏହାର ଲକ୍ଷ୍ୟ । ସୁନ୍ଦର ଏ ପୃଥିବୀ, ସୁନ୍ଦର ଏ ମନୁଷ୍ୟ ! ମିଥ୍ୟାଦ୍ୱାରା ଏହାକୁ ମଳିନ କରନି, ସତ୍ୟର ଆଲୋକଦ୍ୱାରା ଏହାକୁ ଆଲୋକମୟ କର । ମଧୁମୟ ସୁଖରେ ଭରା ନିଖିଳ ବିଶ୍ଵର ହୃଦୟ ଭାଣ୍ଡ ।

 

ଶିଳ୍ପୀସମ ରୁଚିସମ୍ପନ୍ନ ହେଇ, ରାଜାସମ ଦଣ୍ଡଧର ହେଇ ଏକ ସୁଖ ସମ୍ଭୋଗ କର । ମଧୁକର ସମ ମଧୁ ଭରି ରଚନା କର ସୁଖର ମଧୁଚକ୍ର ।’

 

ନୀରବ ହେଲେ ବୃହସ୍ପତି । ସେତେବେଳେ ରଜନୀର ଶେଷ ଯାମ । ପୂର୍ବାକାଶରେ ସମୁଦିତ ଅତି-ଉଜ୍ଜ୍ଵଳ ଶୁକ୍ରତାରା । ଚାର୍ବାକର ମନେହୁଏ, ଆନନ୍ଦଲୋକର ଦୂତ ଏଇ ଶୁକ୍ରତାରା ଯେପରି ବୃହସ୍ପତି ବାକ୍ୟର ଜ୍ଵଳନ୍ତ ସାକ୍ଷ୍ୟ । ଦିକ୍-ସୀମାନ୍ତରେ ସୁଶୁଭ୍ର ଏକ ଜ୍ୟୋତିଲେଖା–ସେଥିରେ ସିତାକ୍ଷରତେ ମୁଦ୍ରିତ ସତେ ଅବା ବାର୍ହସ୍ପତ୍ୟ ଦର୍ଶନର ସୂଚିପତ୍ର–‘ସୁଖମେବ ପୁରୁଷାର୍ଥଃ’-

 

ବିଶ୍ଵଭୁବନରେ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟ ପ୍ରଚାରରେ ବ୍ରତୀ ହେଇଥିଲା ଚାର୍ବାକ । ତା’ରବି କାମନା–ଅସୁନ୍ଦର ହାତରୁ ମୁକ୍ତ କରି ସୁନ୍ଦର ଧରଣୀକୁ ସୁନ୍ଦରତର ମିଥ୍ୟାରେ ବିଭ୍ରାନ୍ତ ଜଗତରେ ପ୍ରତ୍ୟକ୍ଷ ସତ୍ୟ ପ୍ରତିଷ୍ଠା କରି ଜଗତକୁ ଯୁକ୍ତିହୀନ ବିଚାର କବଳରୁ ସେ ମୁକ୍ତ କରିବ; ଦିଶହରା ମଣିଷକୁ ସେ ଦେଖାଇବ ସୁଖମୟ ଆଲୋକର ପଥ । ସେ ଦିନ ବିଶ୍ଵରେ ଅସାମ୍ୟ ରହିବନି, ରହିବନି ଅସ୍ପୃଶ୍ୟତା; ସ୍ଵାର୍ଥପରତାର କ୍ଳିନ୍ନତା ରହିବନି, ରହିବନି ଲୋଭୀର ଶୋଷଣ । ପ୍ରେମପୂର୍ଣ୍ଣ ଧରାରେ ସକଳ ମଣିଷ ହେବେ ପ୍ରେମିକ, ଦୁଃଖର ଘରେ ଜଳିବ ସୁଖର ଆନନ୍ଦ ଦୀପ । ସୁଖ ସମ୍ଭୋଗହିଁ ହେବ ପୁରୁଷାର୍ଥ କିନ୍ତୁ ସେ ଭୋଗ ସ୍ଵୈରାଚାର ନୁହେଁ । ସୁଶିକ୍ଷିତ ଚାର୍ବାକ–ସୁଶିକ୍ଷାରେ ସଂଯତ, ଶିଳ୍ପୀ ଭଳି ସୌନ୍ଦର୍ଯ୍ୟ ସମ୍ଭୋଗହିଁ ହେବ ତା’ର ଲକ୍ଷ୍ୟ ।

 

କିନ୍ତୁ ତାକୁ ଭୁଲ୍ ବୁଝିଲେ ଆସ୍ତିକ ଧାର୍ମିକ, ଭୁଲ୍ ବୁଝିଲେ ଦାନବଧର୍ମୀ ମନୁଷ୍ୟ । ଆଚମନୀୟ ଜଳରେ ଚାର୍ବାକର ସୁନ୍ଦର ଆନନର ପ୍ରତିବିମ୍ବ ତରୁଣ ତାପସକୁ ସନ୍ଧ୍ୟାର ମନ୍ତ୍ର ଭୁଲାଇ ଦେଲା । ତାର୍କିକ ବୈଦାନ୍ତିକ, ସାଂଖ୍ୟଯୋଗୀ, ନୈୟାୟିକ ଛୁଟି ଆସିଲେ ତର୍କାସ୍ତ୍ର ଧରି ‘ବେଦବିରୋଧୀ ଏ ଶାସ୍ତ୍ର–ଅଶାସ୍ତ୍ର, ସମାଜ ବିଶୃଙ୍ଖଳାର ମୂଳ ।’

 

ହୃଦୟରେ ସତ୍ୟର ବଳ, ଯୁକ୍ତିନିଷ୍ଠ ବିଚାର ଘେନି ସେମାନଙ୍କ ବିରୁଦ୍ଧରେ ଠିଆ ହେଲା ଚାର୍ବାକ–‘ଏହା ଅଶାସ୍ତ୍ର ନୁହେଁ, ବିଶ୍ଵମାନବର ଆଦି-ଦର୍ଶନ; ବିଶ୍ଵକୁ ସତ୍ୟ-ସୁନ୍ଦର କରି ଗଢ଼ିବାର ସାଧନା ।’

 

‘ଏହା ବିଶ୍ଵକୁ ଧ୍ଵଂସ ମୁଖକୁ ଠେଲି ଦେବାର କୌଶଳ,’ କୁଟିଳ ଭ୍ରୂକୁଟି କରି ଉଠିଲେ ଯାଜକ ବ୍ରାହ୍ମଣ, ‘ଏହା ପାପ, ଏହା ଅନାଚାର । ଅନନ୍ତ ନରକ ଭୋଗ କରିବାକୁ ପଡ଼ିବ ତୁମକୁ ।’

 

ଏହା କ’ଣ ଅଭିଶାପ ! ସତରେ, କ’ଣ ଏପରି ହେଲା ଜଗତରେ ! ଚାର୍ବାକକୁ କି ଭାବରେ ଗ୍ରହଣ କଲା ମଣିଷ ! ହେ ମାନବ ! ଏ କ’ଣ କରିଲ ତୁମେ ? ସୁଖହିଁ ପୁରୁଷାର୍ଥ, କାମହିଁ ସୁଖ–ଦର୍ଶନର ଏ ମୂଳସୂତ୍ର ଦାନବଧର୍ମୀ । ମନୁଷ୍ୟକୁ ମତୁଆଳ କରି ବସିଲା; ‘ଯାବଜ୍ଜୀବେତ୍ ସୁଖଂ ଜୀବେତ୍’ ବାକ୍ୟ ଅନୁସରଣରେ ଭୟଙ୍କର ଶୋଷଣ ମୂର୍ତ୍ତି ଧରି ଜାଗିଲେ ମହାମୋହ, ମହାମଦ; ‘ନ ସ୍ଵର୍ଗୋ ନାପବର୍ଗଃ’ ସୂତ୍ରର ପ୍ରତିକ୍ରିୟାରେ ବହ୍ନ୍ୟୁତ୍ସବର ସୂତ୍ରପାତ ହେଲା ଜଗତରେ ।

 

ସତରେ ଆରମ୍ଭ ହେଲା ବହ୍ନ୍ୟୁତ୍ସବ । କାମୋନ୍ମତ୍ତ, ମଦାନ୍ଧର ମତ୍ତତାରେ କୃଷ୍ଣବର୍ତ୍ମା । ବହ୍ନିର ପ୍ରଳୟଶିଖା ପ୍ରଜ୍ଜ୍ଵଳିତ ହେଲା । ଆକାଶରେ ସପ୍ତହେତି ସୂର୍ଯ୍ୟ, ସପ୍ତପେତି ସାଗରରେ ବିଭୀଷଣ ବଡ଼ବା, ମର୍ତ୍ତ୍ୟର ବନେବନେ ସକ୍ଷସ୍ର ଜିହ୍ଵ ଦାବାନଳ । ସାଗର ମେଖଳା ସୁନ୍ଦରୀ ଧରଣୀର ଶ୍ୟାମାଞ୍ଚଳରେ ବହ୍ନିର ତାଣ୍ଡବ !

 

ବହ୍ନି, ବହ୍ନି–ସର୍ବଗ୍ରାସୀ ଲେଲିହ ତା’ର ରସନା, କୁଟୀରରୁ ଗୃହ, ଗୃହରୁ ଅଟ୍ଟାଳିକା–ଜଳି ଉଠିଲା ସେ ବହ୍ନିରେ । ଜଳି ଉଠିଲା ପଲ୍ଲୀ, ନଗର, ଜନପଦ, ମହାଦେଶ । ଅଗ୍ନି-ଜଠରରେ ଚଣ୍ଡ କ୍ଷୁଧାର ଅଗ୍ନିମାନ୍ଦ୍ୟ । ତ୍ରିଲୋକ ଗ୍ରାସ କରି ସୁଦ୍ଧା କ୍ଷାନ୍ତି ନାଇଁ; କୋଟି କୋଟି ଆର୍ତ୍ତ ମନୁଷ୍ୟର ଅଶ୍ରୁ ପାନ କରି ସୁଦ୍ଧା ତା’ର ଶାନ୍ତି ନାଇଁ । କ୍ରନ୍ଦନରେ ପୂର୍ଣ୍ଣ ଧରଣୀ, ତପ୍ତ-ଶ୍ଵାସରେ ବିଷାକ୍ତ ବାୟୁ । ଚତୁର୍ଦ୍ଦିଗରେ ହାୟ ହାୟ ହାହାକାର, ଚତୁର୍ଦ୍ଦିଗରେ ଅଭିଶାପ ।

 

ଅସ୍ଥିର ଉଦ୍ଭ୍ରାନ୍ତ ଚାର୍ବାକ । ଏ ଅଗ୍ନି ତାକୁହିଁ ସ୍ପର୍ଶ କରିଚି, ତା’ରହିଁ ଦେହରେ ଲାଗିଚି ଏ ଜ୍ୱଳନ । ପାଗଳ ପରି ଚାରିଆଡ଼େ ଧାଉଁଚି ସେ । ତା’ର ଚାରୁ ଦେହ ଚମରୀ ପରି କୃଷ୍ଣବର୍ଣ୍ଣ ପାଲଟିଚି, ଜଟିଳ ହେଇ ଯାଇଚି କୁଟିଳ କେଶ, ନୀଳ ନୟନରେ ମରୁ ସଦୃଶ ରୁକ୍ଷତା, କଣ୍ଠରେ ଅନନ୍ତ ଶୁଷ୍କତା । ତଥାପି ପ୍ରାଣପଣେ ଚିତ୍କାର କରୁଚି ସେ, ‘ହେ ମାନବ ! କ୍ଷାନ୍ତ ହୁଅ, ଶାନ୍ତ ହୁଅ । ମୋ କଥା ଭଲ କରି ଶୁଣ ।’

 

କେହି ତା’ର କଥା ଶୁଣେନି । ହୁଙ୍କାର, ଗର୍ଜନ, କ୍ରନ୍ଦନ, ଦୀର୍ଘଶ୍ଵାସର ତୁମୂଳ କୋଳାହଳ-। ସେ କୋଳାହଳର ମତ୍ତ ତୋଫାନରେ ତୁଚ୍ଛ ତୁଳା ଭଳି ଚାର୍ବାକର କଥା କେଉଁଆଡ଼େ ମିଳାଇଯାଏ-। ହାୟ ଚାର୍ବାକ-ଦର୍ଶନର ପରିଣାମ ! ହାୟ କଲ୍ୟାଣୀ ଇଚ୍ଛାର ଦୁର୍ଗତି !

 

ଭୈରବ ମୂର୍ତ୍ତି ଧରି ଅଗ୍ନିଭୀତ ଚାର୍ବାକ ଆଡ଼କୁ କ୍ରୋଧଭରେ ଝପଟି ଆସନ୍ତି ରକ୍ତଚକ୍ଷୁ ତାର୍କିକ, ନୈୟାୟିକ । ବଜରବରେ ଗର୍ଜନ କରନ୍ତି ଯାଜକ ବ୍ରାହ୍ମଣ:

 

‘ଏହା ତୁମର ପାପର ଫଳ । ଧ୍ୱଂସ ହୁଅ, ଧ୍ଵଂସ ହୁଅ ତୁମେ ।’

 

‘ତୁମର ଚତୁର୍ଭୂତାତ୍ମକ ଦେହ ଚତୁର୍ଭୂତରେ ବିଲୀନ ହେଉ ।’

 

‘କାମନାର ଅନନ୍ଦ ଅସୂର୍ଯ୍ୟାଲୋକରେ ମୃତ୍ୟୁଦ୍ୱାରା ମୋକ୍ଷ ଲାଭ କର ଚାର୍ବାକ ।’

 

ପ୍ରଚଣ୍ଡ ବାକ୍‍ବଜ୍ର । ସମ୍ମୁଖେ, ପଶ୍ଚାତେ, ଊର୍ଦ୍ଧ୍ୱେ ଅଧୋଦେଶରେ ଲେଲିହାନ ଅଗ୍ନିଶିଖା । ଚାର୍ବାକ ନେତ୍ରରେ ଅନ୍ଧକାର, ମସ୍ତିଷ୍କରେ ଅସହ୍ୟ ପ୍ରଦାହ । ଘୋର ଉନ୍ମାଦ ଭଳି ତଥାପି ସେ ଶେଷ ଚେଷ୍ଟା କରି ବସେ, ପ୍ରଳୟ ବହ୍ନି ସମ୍ମୁଖରେ ପାଗଳ ଭଳି ଆସି ଦଣ୍ଡାୟମାନ ହୁଏ । ନିଷ୍ଫଳ ଚେଷ୍ଟା ।

 

ବହ୍ନି ଜଳେ । ତା’ର ସ୍ଫୁଲିଙ୍ଗ ଛିଟିକି ପଡ଼େ ଚାର୍ବାକ ଦେହରେ । କମ୍ପିତ ଅଙ୍ଗ, ସ୍ଖଳିତ ଚର, ଭୂମିରେ ମୂର୍ଚ୍ଛିତ ହେଇ ପଡ଼େ ଚାର୍ବାକ–ଭୂମି ତଳେ ଯେପରି ଲୋଟି ପଡ଼େ ଖାଣ୍ଡବ ଦାହରେ ଗାଣ୍ଡିବ-ବିଦ୍ଧ ବିହଙ୍ଗମ ।

 

ସହସା ଦେଖାଯାଏ, ସୁତୀବ୍ର ବେଗରେ ଛୁଟି ଆସୁଚନ୍ତି ସେଇ ସ୍ନେହଶୀଳା ଯୋଗିନୀ ସଦୃଶ ଏକ ଜନନୀ-ମୂର୍ତ୍ତି–ରକ୍ତମ୍ୱରା, ଏକାୟିତକୁନ୍ତଳା, ସୀମନ୍ତରେ ରକ୍ତ ସିନ୍ଦୂର, କଣ୍ଠେ ରୁଦ୍ରାକ୍ଷମାଳା, ହସ୍ତେ ସୁଦୀର୍ଘ ତ୍ରିଶୂଳ । ପ୍ରାଣପଣେ କହୁଚନ୍ତି ସେ, ‘ଚାର୍ବାକକୁ ବଞ୍ଚାଇବାକୁ ପଡ଼ିବ’–ତାଙ୍କର ନେତ୍ରରେ ସହସ୍ରଧାର ଅଶ୍ରୁ । ତାଙ୍କର ପଶ୍ଚାତ୍‍ରେ ପାଗଳିନୀ ସମ ଛୁଟି ଆସୁଚି ସେଇ ଅସ୍ପୃଶ୍ୟା ନନ୍ଦା ସଦୃଶ ଜଣେ ଶବରକନ୍ୟା । –ନବଜଳଦ ସମ ସ୍ନିଗ୍ଧ-ଶ୍ୟାମ, ପରିଧାନରେ ପର୍ଣ୍ଣବାସ, ଚିକୁରରେ ପିଞ୍ଛଚୂଡ଼ା । ତା’ର କଣ୍ଠରେବି ସେପରି ଗୋଟାଏ ଦୁର୍ବୋଧ ବାକ୍ୟ, ‘ଚାର୍ବାକକୁ ବଞ୍ଚାଇବାକୁ ପଡ଼ିବ ।’ ତା’ର ପଶ୍ଚାତ୍‍ରେ ଶାୟକବିଦ୍ଧ ପକ୍ଷୀ ଭଳି ଛୁଟି ଆସୁଚନ୍ତି ଦଗ୍ଧ ଅଙ୍ଗାର ସଦୃଶ କଙ୍କାଳସାର କୋଟି ମନୁଷ୍ୟ । ସେମାନଙ୍କର ମଧ୍ୟ ଦାବି ‘ଚାର୍ବାକକୁ ବଞ୍ଚାଇବାକୁ ପଡ଼ିବ ।’

 

ସମସ୍ତଙ୍କର ବେଦନାଘନ ସଜଳ ନେତ୍ରରେ ଅନାଗତକାଳର ସୁଖମୟ ସୁନ୍ଦର ପୃଥିବୀର ସ୍ୱପ୍ନ !*

 

*–ଚାର୍ବାକଙ୍କର ଉଲ୍ଲେଖଯୋଗ୍ୟ କୌଣସି ଜୀବନୀ ନାଇଁ; ଜନଶ୍ରୁତି-ଚାର୍ବାକ ଦେବଗୁରୁ ବୃହସ୍ପତିଙ୍କ ଶିଷ୍ୟ । ଦେବାଚାର୍ଯ୍ୟ ବୃହସ୍ପତିଙ୍କ ଉପାଖ୍ୟାନ ଗୃହୀତ ହେଇଚି ‘ଦେବୀ ପୁରାଣ’ ଓ ବ୍ରହ୍ମବୈବର୍ତ୍ତ ପୁରାଣ’ରୁ । ଚାର୍ବାକ ଦର୍ଶନର ମୂଳସୂତ୍ର ନିମନ୍ତେ ଦ୍ରଷ୍ଟବ୍ୟ ମାଧବାଚାର୍ଯ୍ୟଙ୍କ ସର୍ବଦର୍ଶନ ସଂଗ୍ରହ ।

 

(2) History of Philosophy Eastern & Westren Vol. I Chap. VII.

 

(3) ଚାର୍ବାକ ଦର୍ଶନ–ଶ୍ରୀ ଦକ୍ଷିଣାରଞ୍ଜନ ଶାସ୍ତ୍ରୀ

★★★

 

ଦୁର୍ଭଗା

 

ପ୍ରଚଣ୍ଡ ମଧ୍ୟାହ୍ନରେ, ମରୁବକ୍ଷରେ ଉତ୍ଥିତ ବିଶୁଷ୍କ ଘୂର୍ଣ୍ଣି ଭଳି ସେ ପଥ ଚାଲେ । ଅତି ଶୁଷ୍କ, ଅତିଶୟ ରୁକ୍ଷ ଦେହ, ନାସାରେ ନିଦାଘ ସୂର୍ଯ୍ୟର ଅଗ୍ନିଜ୍ୱାଳା । ସତତ କମ୍ପିତ ଅଙ୍ଗ, କମ୍ପିତ ଚରଣ । ନାଭି, ବକ୍ଷ ଓ କଣ୍ଠରେ ଘନଶ୍ଵାସ । କାଳଚକ୍ରର ଅଧିକର୍ତ୍ତା କାଳର କନ୍ୟା । ନାମ ତା’ର ଦୁର୍ଭଗା ।

 

ଦୁର୍ଭଗା ସତରେ ଦୁର୍ଭାଗା । ଦୁର୍ଭାଗ୍ୟ ତା’ର ଆଜନ୍ମ ସହଚର । କାଳର ଅବୈଧ ସଞ୍ଚରଣରେ ତା’ର ଜନ୍ମ । ଜନ୍ମରୁହିଁ କଦର୍ଯ୍ୟ ବିବର୍ଣ୍ଣ ଦେହ, ଜୀର୍ଣ୍ଣଶୀର୍ଣ୍ଣ–ଅତି କଦାକାର । ମନେ ହୁଏ, ପେଷଣ-ଯନ୍ତ୍ରରେ ନିଷ୍ପିଷ୍ଟ ରସହୀନ ଇକ୍ଷୁତ୍ଵକ । କୋଟରଗତ ଚକ୍ଷୁ, ନିଷ୍ପ୍ରଭ ତା’ର ଜ୍ୟୋତି । ପଳିତ ଜଟିଳ କେଶ, ସ୍ଖଳିତ ଦନ୍ତ, ଲୋଳିତ ଚର୍ମ । ଦେହ ମଧ୍ୟ ଶକ୍ତିହୀନ । ପିତୃଦତ୍ତ ଗୋଟିଏ ତ୍ରିବକ୍ର ଯଷ୍ଟି ଉପରେ ଭରା ଦେଇ କୁଜେଇ ହେଇ ସେ ଚାଲେ ।

 

ଯେପରି ଆକାର, ସେପରି ସ୍ଵଭାବ । କୁଟିଳ ଆଚରଣ, ଲୋଳାଙ୍ଗରେ କ୍ରୋଧର ଅସ୍ଥିର କମ୍ପନ । ଇଚ୍ଛାର ବିରୁଦ୍ଧାଚାରରେ ସେ କ୍ଷିପ୍ତ ହେଇ ଉଠେ । ଚିର ଅସହିଷ୍ଣୁ–ନୂତନରୁ କୌଣସିମତେ ସେ ସହ୍ୟ କରି ପାରେନା । ଯୌବନର ପ୍ରାଣ-ଉନ୍ମାଦନା ତା’ର ଦୁଇ ଚକ୍ଷୁର ବିଷ । ବସନ୍ତରେ, ପ୍ରକୃତି ବୁକୁରେ ଯେବେ ସବୁଜ ପ୍ରାଣର ଚେତନା ଜାଗେ, ତା’ର ହୃଦୟ ନିଦାଘର ତପ୍ତଶ୍ଵାସ ଛାଡ଼େ; ଶରତରେ, ଚନ୍ଦ୍ରିକାସ୍ନାତ କୁମୁଦ କହ୍ନାର ଯେବେ ଫୁଟେ, ସେ ଭାବୁଥାଏ ଶୀତଳ ଘନ କୁହେଳିକାର କଥା । ନିଜେ ରିକ୍ତ, ବିଗତଶ୍ରୀ–ଦୁର୍ଭଗାର ଉଲ୍ଲାସ ସେଥିପାଇଁ ରିକ୍ତତାରେ ଓ ଶ୍ରୀହୀନତାରେ ।

 

କ୍ଷୁତ୍‍କାମ, କାମନା-ବୁଭୁକ୍ଷୁ ସମାଜରେ ତା’ର ଜନ୍ମ । ଦୁର୍ଦ୍ଦମ ଭୋଗେଚ୍ଛା । ସେ ଇଚ୍ଛା ତା’ର ପୂର୍ଣ୍ଣ ହେଇନି ଜୀବନରେ । ଚିର ଅଧବା ଦୁର୍ଭଗା । ନିଜର ଅନୁରୂପ ପ୍ରତି ସେ କାମନା କରିଚି, କିନ୍ତୁ ପାଇନି । ତ୍ରିଜଗତରେ କାହାକୁ ହେଲେ ଆକୃଷ୍ଟ କରି ପାରିନି ସେ । ତା’ର ରୁକ୍ଷ, ଧୂସର, ବୀଭତ୍ସ ମୂର୍ତ୍ତି ଦେଖି ସମସ୍ତେ ଶିହରି ଉଠନ୍ତି । ବନ୍ଧ୍ୟା ନାରୀତ୍ଵ ନିଜ ଭିତରେ ଜଳଭ୍ରମି ଭଳି ଗୁମୁରି ମରେ । କ୍ଷୁବ୍ଧ ଆକ୍ରୋଶରେ ଦନ୍ତହୀନ ଦନ୍ତବେଷ୍ଟରେ ସେ ଓଷ୍ଠାଧର ଦଂଶନ କରେ । ତା’ର ସର୍ବାଙ୍ଗରେ ଯେପରି ବିସ୍ଫୋଟକର ଜ୍ଵାଳା ।

 

ଯୁଗଯୁଗାନ୍ତର ଅନନ୍ତ ନୈରାଶ୍ୟ ଭାରରେ ନମିତ ଦୁର୍ଭଗାର ଦେହ । ଅଙ୍ଗର ଅସଂଖ୍ୟ ବଳିତ ରେଖା, ଲଲାଟର ବହୁ କୁଞ୍ଚିତ ମାଂସ-ବଳୟ ସହସ୍ର ଭଗ୍ନାଶାର ସ୍ୱାକ୍ଷର ଯେପରି । ରୂଢ଼ ପ୍ରତ୍ୟାଖ୍ୟାନର ବହୁ ଆଘାତରେ ସେ କ୍ଷୁବ୍ଧ, ଅତୃପ୍ତ ଭୋଗବାସନାର ବହ୍ନିଦାହରେ ସେ ରୁକ୍ଷ । ତିକ୍ତ ସ୍ମୃତିର ଭଣ୍ଡାର ତା’ର ହୃଦୟ । ନିଃସୀମ ଶୂନ୍ୟର ଅଜସ୍ର ଉଲ୍କାପିଣ୍ଡ ଭଳି, ବିରାଟ ଶୂନ୍ୟତାରେ ଭରା ହୃଦୟରେ ସେ ସ୍ମୃତି ଜ୍ଵାଳା ହେଇ ଜଳେ । ଉପେକ୍ଷା, ଉପହାସ, ଲାଞ୍ଛନା ଓ ଗଞ୍ଜଣାରେ ଜର୍ଜର ତା’ର ଅସ୍ଥି-ପଞ୍ଜର ।

 

କୁରୁପା ସେ, କାଳର ଅକାଳ ସଂକ୍ରମଣର ଫଳ । କିନ୍ତୁ ଆଶା, ଆବେଗ ତା’ର ମଧ୍ୟ ଥିଲା । ହୃଦୟରେ ପ୍ରଚ୍ଛନ୍ନ ଥିଲା ପ୍ରଚଣ୍ଡ କାମନା । ହୁଏତ ତାହା ପ୍ରେମ ନୁହେଁ, ଉଗ୍ର ଭୋଗେଚ୍ଛା । କିନ୍ତୁ ସେ ଦୋଷ ତା’ର ନିଜର ନୁହେଁ । ବଂଶ-ପରମ୍ପରାରେ ସ୍ୱଭାବରେ ସଂକ୍ରମିତ ଦୂଷିତ ରକ୍ତକଣିକା । ତା’ର ଉତ୍ତେଜନାରେ ପାଗଳ ହେଇ ଉଠିଥିଲା ସେ । ମିଥୁନ-ସ୍ୱଭାବ ସମାଜର ଚିରାଚରିତ ନିୟମ ପ୍ରକାରେ ଭ୍ରାତା ନିକଟରେ କାମନା ନିବେଦନ କରିଥିଲା ଦୁର୍ଭଗା ।

 

କାଳର ଅନ୍ୟତମ ସୈନ୍ୟାଧ୍ୟକ୍ଷ ମୃତ୍ୟୁ, କାଳର କୃତକ ପୁତ୍ର । ଲୋକ ସଂହାରକ ମହାଭୟ, ଜୀବର ଜୀବନାନ୍ତକାରୀ–ତା’ର ଆଉ ଏକ ନାମ ଅନ୍ତକ । ପ୍ରଚଣ୍ଡ ତା’ର ଶକ୍ତି । ଦୁର୍ଭଗା ତା’ର ଭିତରେ ଦେଖିଥିଲା ନିଜର ପ୍ରତିରୂପ । ମୃତ୍ୟୁ ସର୍ବାନ୍ତକ, ଦୁର୍ଭଗା ସନ୍ତ୍ରାସ; ମୃତ୍ୟୁ ସର୍ବହର, ଦୁର୍ଭଗା ନିଦାରୁଣ ସନ୍ତାପ । ଦୁର୍ଭଗାର ସ୍ତିମିତ-ଜ୍ୟୋତି ନୟନରେ ମୃତ୍ୟୁର ମହାମେଘପ୍ରଭ କୃଷ୍ଣବର୍ଣ୍ଣ ସୁତୀବ୍ର ଆକର୍ଷଣ ସୃଷ୍ଟି କରେ, ତା’ର ଉତ୍କଟ ଲାଳସାକୁ ଉଦ୍ଦୀପିତ କରେ ଅନ୍ତକର ସଂହାର ଲୀଳା-। ଲୋଳିତ ଅଙ୍ଗର ବଳିତ ରେଖାରେ ବ୍ରଣ ଭଳି କାମ-ରୋମାଞ୍ଚ । ସେ ଭାବେ, ସର୍ବହର ଏଇ ମୃତ୍ୟୁକୁ ଯଦି ଜୀବନସଙ୍ଗୀ ଭାବରେ ପାଏ, ସାର୍ଥକ ହେବ ତା’ର ଜୀବନ ।

 

ଉତ୍କଟ କାମନାର ଆବେଗରେ ଦିନେ ସେ ଆସି ଠିଆ ହେଲା କାଳପୁତ୍ର ମୃତ୍ୟୁର ପ୍ରକୋଷ୍ଠରେ । ଚିର–ନିର୍ଲଜ୍ଜା ଦୁର୍ଭଗା, ଆଜି ତା’ର ମନରେବି ସଂକୋଚ । ବୁକୁ ଭିତରେ ଅଶାନ୍ତ ଉଚ୍ଛ୍ଵାସ, ରସନାରେ ପାଷାଣ-ଜଡ଼ତା; ମଦନର ମାଦନ-ବାଣରେ ସେ ଉନ୍ମାଦ, କିନ୍ତୁ ଶୋଷଣ-ବାଣରେ ଶୁଷ୍କ । ତଥାପି ସ୍ଖଳିତ ବଚନରେ ସମ୍ମୋହିତ ଭଳି ସେ ପ୍ରକାଶ କଲା ତା’ର କାମନା–ନର ନିକଟରେ ସକାମା ନାରୀର ଲଜ୍ମୋଦ୍‍ଭିନ୍ନ ପ୍ରଥମ ଅଭିଳାଷ; ‘ରତିକାମ । ମୁଁ, ତୁମେ ମୋର ପତି ହୁଅ ।’

 

ସମ୍ମୁଖରେ ସହସା ସର୍ପ ଦର୍ଶନ କରି ମଣିଷ ଯେପରି ଚମକି ଉଠେ, ଦୁର୍ଭଗାର କଥାରେ ସେପରି ଚମକି ଉଠିଲା ଅନ୍ତକ । ମୃତ୍ୟୁ ନିର୍ମମ କିନ୍ତୁ ଆଶ୍ଚର୍ଯ୍ୟ ତା’ର ନୀତିବୋଧ । କାମନାର ଅସାମାଜିକ ରୂପ ଦେଖି ଶିହରି ଉଠିଲା ସେ । କି କଦର୍ଯ୍ୟ ! ଲାଳସା ନିକଟରେ ତୁଚ୍ଛ ନିୟମର ଶୃଙ୍ଖଳା, ନୀତିର ଅନୁଶାସନ । ପ୍ରଥମେ ଘୃଣାରେ ସଙ୍କୁଚିତ ହେଲା ତା’ର ଆନନ, ପରମୁହୂର୍ତ୍ତରେ କ୍ରୋଧରେ ତ୍ରିବଳିକୁଞ୍ଚନ ଦେଖା ଦେଲା ଲଲାଟରେ । ତଥାପି, ପ୍ରାଣପଣ ଶକ୍ତିରେ ସେ ଦମନ କଲା ରୋଷାରୁଣ । ଦୁର୍ଭଗା କାଳକନ୍ୟା, ଆଉ ସେ କାଳର ଆଜ୍ଞାବହ ଅନୁଚର । ଯଥାସମ୍ଭବ ସଂଯତ କଣ୍ଠରେ ସେ କହିଲା, ‘କ’ଣ କହୁଚ ଦୁର୍ଭଗା ! ସମ୍ପର୍କରେ ତୁ ମୋର ଭଉଣୀ । ନିୟମର ରାଜତ୍ଵରେ ଭାଇ ଭଉଣୀର ମିଳନ ଅବୈଧ । ସମାଜ-ଶାସନ ଲଙ୍ଘନ କରିବା ଅନୁଚିତ ।’

 

‘ମିଥୁନ-ସମ୍ଭବ ସମାଜରେ ଏହା ତ ଅନିୟମ ନୁହେଁ ଅନ୍ତକ ! ସ୍ଵାମୀ ସ୍ତ୍ରୀରୂପେ ସହୋଦର ସହୋଦରାର ମିଳନ ସମ୍ପୂର୍ଣ୍ଣ ବିଧି ସଙ୍ଗତ’–ନମ୍ର କଣ୍ଠରେ କହିଲା କାମମୋହିତା ଦୁର୍ଭଗା-

 

ଧୈର୍ଯ୍ୟର ବନ୍ଧ ଯେପରି ଭାଙ୍ଗିଯିବାକୁ ଚାହୁଁଚି । ଶାସ୍ତ୍ରବିଦ୍ ନୀତିଧର ମୃତ୍ୟୁ । ଗର୍ଜନ କରି ଉଠିବାକୁ ଚାହୁଁଚି ତା’ର କଣ୍ଠ । ଦୁର୍ଭଗାବି ଜାଣେ, କୃତାନ୍ତ କାଳାନୁଚର ହେଲେବି କାମାନୁଚର ନୁହେଁ । ଶାସ୍ତ୍ରର ନିର୍ଦ୍ଦେଶ ସେ ଅକ୍ଷରେ ଅକ୍ଷରେ ପାଳନ କରେ । ସେଥିଲାଗି ଶାସ୍ତ୍ରାନୁସାରେ ବୋଲେ ଦୁର୍ଭଗା, ‘ତୁମେ ନୀତିବିଦ୍, ଶାସ୍ତ୍ର ତୁମର ନଖଦର୍ପଣରେ । ପ୍ରାର୍ଥୀର ପ୍ରାର୍ଥନା ପୂର୍ଣ୍ଣ କରିବା ଶାସ୍ତ୍ରଜ୍ଞର କର୍ତ୍ତବ୍ୟ । ରତିକାମ ମୁଁ ମତେ ରତି ଦାନ କର ।’

 

ମିନତିରେ ଭାଙ୍ଗିପଡ଼ିଲା ଦୁର୍ଭଗା । ତା’ର କୁବ୍‍ଜା ଦେହ ଆହୁରି କୁଜେଇ ଗଲା । ଶକ୍ତକୁ ମଧ୍ୟ ଦୁର୍ବଳ କରେ କାମ ।

 

ଦୁର୍ବଳାର କାତର କଣ୍ଠରେ ସେ କହେ, ‘ମୁଁ କାମମୋହିତ, ମୁଁ ଆର୍ତ୍ତ । ଆର୍ତ୍ତକୁ ରକ୍ଷା କରିବା ଧାର୍ମିକର ଧର୍ମ । ତୁମେ ଧର୍ମବୀର ।

 

ମତେ ରକ୍ଷାକର ।’

 

ଦୁର୍ଭଗା ବାକ୍ୟରେ ଈଷତ୍ ଚଞ୍ଚଳ ହୁଏ ମୃତ୍ୟୁ । ଏ ଶାସ୍ତ୍ର କୋଉଠୁ ଶିଖିଲା କାଳକନ୍ୟା-? ଆଜନ୍ମ ଦୁର୍ବିନୀତା, ଦୁର୍ନୀତିପରାୟଣା ଦୁର୍ଭଗା । ତା’ର ମୁହଁରେ ଆର୍ତ୍ତତ୍ରାଣର ନୀତିବାକ୍ୟ ! କିନ୍ତୁ ପରମୁହୂର୍ତ୍ତରେ ଅନ୍ତକ ବୁଝିପାରେ, ଅଧର୍ମ ବୈଚାଳବୃତିକ । ଧର୍ମର ଛଦ୍ମବେଶରେ ସେ ପ୍ରତାରଣା କରେ, ନୀତିର ମୋହନ ମୂର୍ତ୍ତି ଧରି ଛଳନା କରେ ପାପାଚାର । ତେଣୁ ଦୃଢ଼ ସ୍ଵରରେ ପ୍ରତିବାଦ କଲା ମୃତ୍ୟୁ କାମନାରେ ଭ୍ରାନ୍ତବୁଦ୍ଧି ତୁ । କଦର୍ଯ୍ୟ ଲାଳସା-ଲିପ୍ସା ପୂର୍ଣ୍ଣ କରିବାପାଇଁ ତୁ ଶାସ୍ତ୍ରକୁ ଉପଲକ୍ଷ କରିଚୁ । ବିଧାତାର ନିୟମ ବିଚାର ପଦ୍ଧତି ଏହା ନୁହେଁ ।’ ‘ନିୟମ !’ ଦୁର୍ଭଗାର କାମବିହ୍ଵଳ କଣ୍ଠରେ ବ୍ୟଙ୍ଗ ପ୍ରଧୂମିତ ହୁଏ, ଖୋଲିଯାଏ ଦୁଷ୍ଟାର ଛଦ୍ମ ଆଚରଣ । କୁଞ୍ଚିତ ଭ୍ରୂରେଖା, ଓଷ୍ଠରେ ବକ୍ରକୁଟିଳ ଶ୍ଳେଷ : ‘କାମନା ନିୟମ ମାନେ ନା ଅନ୍ତକ ।

 

ତା’ର ଆଉ ଏକ ନାମ ଅନିରୁଦ୍ଧ । ଅ-ନିରୁଦ୍ଧ ତା’ର ଗତି । ଆହେ ନୀତିଧର ! ତୁମର ବିଧାତା ମଧ୍ୟ ଏଇ କାମନାର ଅଧୀନ ହେଇ ସ୍ଵୀୟ କନ୍ୟାର ପଶ୍ଚାତ୍‍ଧାବନ କରନ୍ତି ।’

 

ବିଧାତା ପ୍ରତି ଏ କଟାକ୍ଷରେ ଅନ୍ତକର ବିଶାଳ କୃଷ୍ଣବପୁ କମ୍ପିଉଠେ । ଲଲାଟରେ ଭୟଙ୍କର ଭ୍ରୂକୁଟି, ରକ୍ତାକ୍ତ ଲୋଚନରେ ବହ୍ନି ଦୃଷ୍ଟି, ଦୁର୍ଭଗାର ଉକ୍ତି ଶେଷ ହେବା ପୂର୍ବରୁ, ଯୁଗାବସାନ କାଳର ସମ୍ବର୍ତ୍ତ ମେଘ ଭଳି କ୍ରୋଧରେ ଗର୍ଜନ କରି ଉଠେ ସର୍ବହର ମୃତ୍ୟୁ, ‘ଆସଙ୍ଗଲିପ୍ସୁ ଲାଳନା ତୁ-ଅତି ଅଶ୍ଳୀଳ, ଜଘନ୍ୟ ତୋର ଇଙ୍ଗିତ ।’

 

ଚାଲି ୟବାକୁ ଉଦ୍ୟତ ହୁଏ ତିକ୍ତ-ବିରକ୍ତ ଅନ୍ତକ । ବାଧା ଦେଇ ବୋଲେ କାମପ୍ରମତ୍ତା କାଳକନ୍ୟା, ‘ରତାର୍ଥିନୀ ମୁଁ, ମତେ ଗ୍ରହଣ କର ।’

 

‘ଅତି ଅଭଦ୍ର ତୁ,’ ଦୃପ୍ତ କଣ୍ଠରେ କହେ ଅନ୍ତକ । ସୁଦୀର୍ଘ ବଳବାହୁରେ ସମ୍ମୁଖରେ ବାଧା ଅପସାରଣ କରିବାକୁ ଚେଷ୍ଟା କରେ ସେ । ଉତ୍କଟ ଲାଳସା, ଘୃଣ୍ୟ ଆସଙ୍ଗ କାମନାରେ ଅନ୍ଧ, ଆଲିଙ୍ଗନ କରିବାକୁ ଝପଟି ଆସେ ଦୁର୍ଭଗା-ବିଦ୍ୟୁତ୍ ଗତିରେ ହିଂସ୍ର କାମୋନ୍ମତ୍ତତା ଯେପରି ଛୁଟି ଆସେ । ପ୍ରାଣପଣ ଶକ୍ତିରେ ତା’ର ଆକ୍ରମଣ ପ୍ରତିହତ କରି ଘୃଣା, କ୍ରୋଧ ଓ ଉତ୍ତେଜନାରେ କକ୍ଷ ତ୍ୟାଗ କରେ ଅମିତ ଶକ୍ତିଧର, କାମରିପୁ କାଳାନୁଚର ।

 

ପୁଞ୍ଜିତ ରୋଷରେ ଫୁଲି ଉଠେ ଦୁର୍ଭଗା । ସୁଦୁଶ୍ଚର କାଳର ନନ୍ଦିନୀ ସେ, କାଳକନ୍ୟା । ଆତ୍ମଦମ୍ଭରେ ଆବାଲ୍ୟ ସ୍ୱେଚ୍ଛାଚାରିଣୀ । ତିନି ଶହ ଷାଠିଏ ସହୋଦର, ତିନି ଶହ ଅଣଷଠି ସହୋଦରା ତା’ର ସ୍ୱେଚ୍ଛାର ଦାସଦାସୀ । ଜୀବନର ପ୍ରଥମ କାମନା ଅନ୍ତର ମନ୍ଥନ କରି ମହାତରଙ୍ଗ ପରି ଉତ୍ତାଳ ହେଇ ଉଠିଚି । ଉଦ୍ଦାମ ତା’ର ଗତି, ବିପୁଳ ତା’ର ଆବେଗ । ସେଇ ପ୍ରୋଦ୍ଦମ ଗତି ସମ୍ମୁଖରେ କଠିନ ବାଧା । ମନ ଭିତରେ ଗର୍ଜନ କରି ଉଠିଲା ପ୍ରତ୍ୟାହତ ଲାଳସା । ସମ୍ଭୋଗର ପ୍ରଥମ କାମନା କାଳନାଗିନୀ ଶଙ୍ଖାଧରାର ପ୍ରଥମ ଅଭିଳାଷ ଯିଏ ବ୍ୟର୍ଥ କରିଚି, ତା’ର ଉପରେ ଶଙ୍ଖାବିଷ ଢାଳି ଦେବାପାଇଁ ଉଦ୍ୟତ ହେଲା ଶଙ୍ଖିନୀ ।

 

ବିଷୋଦ୍‍ଗାରରେ ତ୍ରୁଟି କରିନି ବିଷକନ୍ୟା । ପ୍ରମାଦ ଓ ମୋହ ସୃଷ୍ଟିରେ ସେ ନିପୁଣା । ସେ ପ୍ରମାଦ ସୃଷ୍ଟି କରିଚି, ମୋହ ସୃଷ୍ଟି କରିଚି କିନ୍ତୁ ପ୍ରମତ୍ତ ଅବା ମୋହିତ ହେଇନି ନିର୍ମୋହ ମୃତ୍ୟୁ-। କାମୋନ୍ମତ୍ତା ଉଦଗ୍ର କାମନାରେ ପ୍ରୟୋଗ କରିଚି ଅଥର୍ବବେଦୋକ୍ତ ଆଭିଚାରିକ ବିଦ୍ୟା-। ବ୍ୟର୍ଥ ହେଇଚି ମନ୍ତ୍ର । ଦୁର୍ଭଗାର ଦୁର୍ଭାଗ୍ୟ, ମୃତ୍ୟୁକୁ ସେ ସ୍ଵାମୀ ରୂପରେ ପାଇନି ।

 

ଅଭିଚାର ମନ୍ତ୍ରର ଶକ୍ତି ଅସାଧାରଣ, ତ୍ରୈଲୋକ୍ୟଆକର୍ଷଣକାରୀ ତା’ର କ୍ଷମତା । କିନ୍ତୁ ପ୍ରୟୋଗ କୌଶଳରେ ବିନ୍ଦୁମାତ୍ର ତ୍ରୁଟି ହେଲେ ପ୍ରୟୋଗକାରୀକୁହିଁ ତାହା ପ୍ରତ୍ୟାଘାତ କରେ । ଅତି ଭୀଷଣ ବ୍ୟର୍ଥମନ୍ତ୍ରର ପ୍ରତିକ୍ରିୟା । ଦୁର୍ଭଗାର ବ୍ୟର୍ଥ ଆଭିଚାରିକ ମନ୍ତ୍ର ନିଜର ଦୁର୍ଭାଗ୍ୟର ପରିପୋଷକ ହେଇଚି । ଦୁର୍ଦ୍ଦମ କାମନା, ଆହୁରି ଦୁର୍ଦ୍ଦମ ବ୍ୟର୍ଥ-କାମନାର ବେଗ । ଏକକୁ ନପାଇଲେ ଦୁଇକୁ କାମନା କରେ, ସେଇଠି ନପାଇଲେ ତିନି ଆଡ଼କୁ ଯାଏଁ । ଏପରି ଭାବରେ ସେ କାମନା ତ୍ରିଭୁବନଗ୍ରାସୀ ହେଇ ଉଠେ । ଶାନ୍ତି ନାଇଁ, ସ୍ଵସ୍ତି ନାଇଁ–କେବଳ କାମନା, ଅଧିକତର କାମନା । ମୃତ୍ୟୁକୁ ପତି ରୂପରେ ନପାଇ ଉନ୍ମାଦ ହେଇଚି ଦୁର୍ଭଗା । ଅତୃପ୍ତ କାମନା ଅନ୍ୟ ପୁରୁଷପାଇଁ ପ୍ରରୋଚିତ କରିଚି ତାକୁ । ଅଦମ୍ୟ ଲାଳସା ବିସ୍ତୃତ ହେଇଚି ସ୍ଵର୍ଗର ଦେବ ସଂଘରେ, ମର୍ତ୍ତ୍ୟର ମଣିଷ ସମାଜରେ, ପାତାଳର ଦାନବ କୁଳରେ । ଦୁର୍ଭଗା ପତି ଖୋଜି ପାଇନି । ବିକୃତ କଦାକାର ତା’ର ଦେହ–ରୂପହୀନା ଜରତୀ । କୁଟିଳ ତା’ର ଗତି, ଅତିକୁଟିଳ ପ୍ରକୃତି । ସର୍ବତ୍ର ପ୍ରତ୍ୟାଖ୍ୟାନ, ଗଞ୍ଜଣା, ବିଦ୍ରୂପ । ‘ତୁମେ ମୋର ପତି ହୁଅ’–ଏଇ ପ୍ରାର୍ଥନା ଘେନି ଦୁର୍ଭଗା ଉପସ୍ଥିତ ହେଇଚି ସ୍ଵର୍ଗରେ । ସ୍ଥିର ଯୌବନ, ସୁଶ୍ରୀ ଦେବତା ତା’ର ବୀଭତ୍ସ ରୂପ ଦେଖି ଘୃଣା ଓ ଉପହାସରେ ଦୂର କରି ଦେଇଚି । ସୋତ୍‍ସୁଳ ଆଗ୍ରହରେ ସେ ଉପସ୍ଥିତ ହେଇଚି ଦାନବ ରାଜ୍ୟରେ; ଯାହାକୁ ଦେଖିଚି, ନିବେଦନ କରିଚି, ‘ତୁମେ ମୋର ପତି ହୁଅ ।’ ଯୌବନମତ୍ତ ଭୋଗପିପାସୁ ଦାନବ ରୋଷକଷାୟିତ ଲୋଚନରେ ତଡ଼ି ଦେଇଚି ତାକୁ । ପାତାଳରେ ମଧ୍ୟ ପ୍ରତ୍ୟାଖ୍ୟାତ ହେଇଚି କାଳକନ୍ୟା । ମର୍ତ୍ତ୍ୟର ମଣିଷ ତାକୁ ଦେଖି ଭୟରେ ଶିହରି ଉଠେ, ଦୂରରୁ ଦେଖୁଦେଖୁ ଭାଗି ପଳାଏ । ‘ତୁମେ ମୋର ପତି ହୁଅ’, କହିବାର ସୁଯୋଗ ସୁଦ୍ଧା ପାଏନା ଦୁର୍ଭଗା ।

 

ଦୁର୍ବହ ଦୁର୍ଭଗାର ଜୀବନ । କୋଟରଗତ ଚକ୍ଷୁ, ଚକ୍ଷୁ କୋଣରେ କାଳିମା, ଲୁଳିତ ଗଣ୍ଡ, କୁଞ୍ଚିତ ଲଲାଟ, ବିବର୍ଣ୍ଣ ବିବଶ ଅଙ୍ଗ । ଦେହରେ ଯୁଗାନ୍ତର ଶ୍ରାନ୍ତି । ପିତୃଦତ୍ତ ତ୍ରିବକ୍ର ଯଷ୍ଟିରେ ଭରା ଦେଇ ନିଃସଙ୍ଗ ଭାବରେ ସେ ତ୍ରିଭୁବନ ଘୂରି ବୁଲେ । ମୁହଁରେ ଗୋଟିଏ କେବଳ ଉତ୍ସୁକ ପ୍ରାର୍ଥନା–‘ତୁମେ ମୋର ପତି ହୁଅ ।’ କେହି ତାକୁ ପତ୍ନୀ କରିବାକୁ ପ୍ରସ୍ତୁତ ନୁହନ୍ତି, କେହି ତାକୁ ଗ୍ରହଣ କରନ୍ତିନି । କାହାକୁ ସେ ଆକର୍ଷଣ କରି ପାରେନି । ବ୍ୟର୍ଥତାରେ କମ୍ପିତ ଅଙ୍ଗ, କ୍ରୋଧରେ ସ୍ଖଳିତ ଚରଣ । ଅତୃପ୍ତ କାମନାର ବହ୍ନିଦାହରେ ସେ ରୁକ୍ଷ, ଶୁଷ୍କ–ଶୁଷ୍କାତିଭୈରବ ମରୁଭୂମି ଯେପରି-। ଜୀବନ ଶୂନ୍ୟ ହାହାକାର । ପତି ସେ ପାଏନା ।

 

ନୈରାଶ୍ୟର ସ୍ତୂପ ପୁଞ୍ଜୀଭୂତ ହୁଏ ତଥାପି ସେ ଆଶା ପରିତ୍ୟାଗ କରେନା । ଅନିର୍ବାଣ ଆଶାର ଦୀପ, ସ୍ତିମିତଜ୍ୟୋତି ନୟନରେ ମଧ୍ୟ ଆଶାର ସନ୍ଧାନୀ ଆଲୋକ । ସେଇ ଆଲୋକ ନେଇ ପତି ଅନ୍ୱେଷଣରେ ତ୍ରିଭୁବନ ପରିକ୍ରମଣ କରେ ପତିମ୍ବରା ଦୁର୍ଭଗା । ଶ୍ୟାମଳ ଭୂତଳ ତାକୁ ଭଲ ଲାଗେନି; ଶ୍ୟାମଳତାରେ ବିରକ୍ତି, ଧୂସରତାରେ ଆସକ୍ତି । ବିଶ୍ଵର ଆନନ୍ଦ ନିକେତନରେ ସେ ଶାନ୍ତି ପାଏନା । ସେ ଜାଣେ, ଆନନ୍ଦ ନିକେତନରେ ଦୁର୍ଲ୍ଲଭ ତା’ର ସ୍ଵାମୀ । ଜୀବନର ମତ୍ତ କୋଳାହଳରେ ସେ ଅସହିଷ୍ଣୁ ହେଇ ଉଠେ ।

 

ଦୁର୍ଭଗା ପତି ଖୋଜି ଫେରେ ଶୀତର ନିହାରିକାମୟ ତମସାରେ । ନିଷ୍ପତ୍ର, ଶୁଷ୍କ ଶୀତର ଧୂସର ପ୍ରକୃତି; ବୁକୁରେ ତା’ର ସୀମାହୀନ ରିକ୍ତତା । ସେ ମଧ୍ୟ ଯେପରି ଦୁର୍ଭାଗା ପରି ପତିହୀନା । ସହାନୁଭୂତିରେ ପୂର୍ଣ୍ଣ ହେଇ ଉଠେ ଦୁର୍ଭଗାର ଅନ୍ତର । ପ୍ରଦୋଷର ରହସ-ଘନ ଆଲୋକ-ଛାୟାରେ ସେ କ୍ଷଣେ ଠିଆ ହେଇଯାଏ । ଅସୁରପ୍ରିୟା ସନ୍ଧ୍ୟା–ବୁକୁରେ ତା’ର କାହା ପ୍ରତି ଅଭିଯୋଗ ଯେପରି, ମୁଖରେ ବିଷାଦର ଛାୟା । ପତିମତୀ ହେଲେବି ସନ୍ଧ୍ୟା ସୁଖୀ ନୁହେଁ ? ସ୍ଵାମୀର ସୋହାଗରୁ କି ବଞ୍ଚିତା ସେ ? କି ଏକ ରକମ ମାୟା ହୁଏ ଦୁର୍ଭଗା ତା’ର ଉପରେ ।

 

ଶିଥିଳ ଗତିରେ କେବେକେବେ ସେ ଆସି ଉପସ୍ଥିତ ହୁଏ ନିର୍ଜନ ଶ୍ମଶାନ ଭୂମିରେ । ନିବିଡ଼ ଅନ୍ଧକାର । ସେଇ ଅନ୍ଧକାର ବୁକୁରେ କେତେଟି ଚିତା । ଗଳିତ ସ୍ଵର୍ଣ୍ଣପିଣ୍ଡ ଭଳି ତ୍ରବ୍ୟାଦ ଅଗ୍ନି ଶ୍ମଶାନର ରକ୍ତ ନୟନ ଯେପରି । କେଉଁ ଚିତା ଲିଭି ଆସୁଚି, ଅଗ୍ନିକୁଣ୍ଡରେ ଆଲୋହିତ ଦୀପ୍ତି । ପ୍ରିୟଜନଙ୍କ ସଦ୍ୟ ଶୋକାଶ୍ରୁ ପୋଛି ହେଇ ଯାଇଚି କିନ୍ତୁ ପ୍ରତ୍ୟେକର ଛାତିରେ ଚିତାର ତପ୍ତଶ୍ଵାସ । କେଉଁଠି ବା ଧୂମରେ ଆଚ୍ଛନ୍ନ ମରୁଦ୍‍ବାହ । ଶ୍ମଶାନ-ଧୌତ ଜଳରୁ ଉଠେ ଧୂଆଁର କୁଣ୍ଡଳୀ । ଦୂରରେ ହରିଧ୍ଵନି ସଙ୍ଗେ ଶିବାଧ୍ୱନି–କାହାର ଅଭିଶାପ ଯେପରି ! ଅଭିଶାପବାଣୀ ଉଚ୍ଚାରଣ କରୁଚି ରିକ୍ତ ଶ୍ମଶାନ, ନିସ୍ତେଜ ଚିତା, ଧୂମାଚ୍ଛନ୍ନ ସମୀରଣ; ଅଭିଶାପବାଣୀ ଉଚ୍ଚାରଣ କରୁଚି ପ୍ରିୟ-ବିରହିତ ଶୋକାର୍ତ୍ତ ମଣିଷ । ମୃତ୍ୟୁକୁ ଉଦ୍ଦେଶ୍ୟ କରି ଅଭିଶାପ ଦେଉଚି ନିଖିଳ ଭୁବନ : ‘ଏପରି ଚିତା ଜଳୁ ତୋର ଛାତିରେ, ଏପରି ରିକ୍ତ ହୁଅ ତୁ’ ! ନିଜ ଅନ୍ତରର ପ୍ରତିଧ୍ଵନି ଶୁଣି ଉଲ୍ଲସିତ ହୁଏ ଦୁର୍ଭଗା । ଏଇ ଭୟାବହ ସ୍ଥାନରେ ଟିକିଏ ଆଶାର ଆଲୋକ ସେ ଦେଖିବାକୁ ପାଏ । ସେ ଶୁଣିଚି, ଶ୍ମଶାନରେ ବାସ କରନ୍ତି ଅସଂଖ୍ୟ ପ୍ରେତ ପିଶାଚ । ସେମାନେ ହୁଏତ ଦୁର୍ଭଗାକୁ ଗ୍ରହଣ କରି ପାରନ୍ତି । ଶଙ୍ଖଚୂର୍ଣ୍ଣି ପ୍ରେତିନୀ କେଉଁଠି ଅଛି ? ସଧବା ସ୍ତ୍ରୀର ପ୍ରେତାତ୍ମା ଶଙ୍ଖାଚୂର୍ଣ୍ଣି । ସେ ତ ସୌଭାଗ୍ୟବତୀ–ତା’ର ସ୍ଵାମୀ ଥିଲା । ଦୁର୍ଭଗା ସ୍ଵାମୀହୀନା । କ୍ଷୀଣ ଦୃଷ୍ଟି ତୀବ୍ରତର କରି ସେ ସୌଭାଗ୍ୟବତୀ ଶଙ୍ଖଚୂର୍ଣ୍ଣିକୁ ଦେଖିବାକୁ ଚାହେଁ । ତା’ର କପାଳରେ ଏବେବି ହୁଏତ ସିନ୍ଦୂର ବିନ୍ଦୁ ଉଜ୍ଜ୍ଵଳ ରହିଚି ।

 

ତପ୍ତ ଦୀର୍ଘଶ୍ଵାସ ବାହାରି ଯାଏଁ ଦୁର୍ଭଗା ଛାତିରୁ । ସେ ରୂପହୀନା, କଦାକାର, ସେଥିଲାଗି ତାକୁ କେହି ଗ୍ରହଣ କରୁ ନାହାନ୍ତି । ମୃତ୍ୟୁ କହିଚି, ସେ ଅଭବ୍ୟ; ଅଭଦ୍ର ତା’ର ଆଚରଣ-। ସେ ଭାବି ପାଏନି, ତା’ର ଆଚରଣରେ ଅଭଦ୍ରତା କୋଉଠି ରହିଲା । ରୂପ ବଂଶଗତ, ଆଚରଣ ସ୍ୱଭାବଗତ । ହୁଏତ ବକ୍ରକୁଟିଳ ଦେହ ଭଳି ବକ୍ରକୁଟିଳ ତା’ର ଆଚରଣ । ଏ ଜଗତରେ ନିର୍ଦ୍ଦୋଷ କିଏ ? ଏଇ ତ ଏବେବି କୃଷ୍ଣ ବସନରେ ସର୍ବାଙ୍ଗ ଆବୃତ କରି ବସିଚି ବହୁ କୁକ୍ରିୟାରେ ଲୀନା ପୃଥିବୀ । ସେ ବି ପତିମତୀ, ଦୌମ୍ପିତାର ପତ୍ନୀ । ଦୂରରେ ଦୁଶ୍ଚରିତ୍ରା ମଘା, ଅଶ୍ଳେଷା । ପାପ ନକ୍ଷତ୍ର ସେମାନେ, ତଥାପି ପତିତ୍ୟକ୍ତା ନୁହନ୍ତି, ସ୍ଵାମୀହୀନା ନୁହନ୍ତି । କୁଚରିତ୍ରା ହେଉ, ନିର୍ଲଜ୍ଜା ହେଉ, ପୁଂଶ୍ଚଳୀ ହେଉ, ହେଉ ବା ସ୍ଵୈରିଣୀ–ଏ ଜଗତରେ କିଏ ପତିବଞ୍ଚିତା ? ଦୁର୍ଭଗା ପରି ଦୁର୍ଭାଗ୍ୟ କାହାର ? ବିଧାତା ପାଖରେ ସେ ଅଭିଯୋଗ କରେ–କାହିଁକି, କାହିଁକି ଏ ଅଭିଶାପ ତା’ର ଉପରେ ?

 

ଆଉ ଯେପରି ଭାବି ପାରୁନି ଦୁର୍ଭଗା । କ୍ଳାନ୍ତ, ଅତିଶୟ କ୍ଳାନ୍ତ ସେ । ଶ୍ରାନ୍ତ ଦେହରେ ଯଷ୍ଟି ଉପରେ ଭରା ଦେଇ ସେ ବସେ । ଦୁଇ ଆଖି ଆଚ୍ଛନ୍ନ ହେଇ ଆସେ, ମୁଣ୍ଡ ବୁଲେଇ ହୁଏ । ସଳଖରେ ସେ ବସି ପାରେନି, ବସିବାମାତ୍ରେ ମୁଣ୍ଡଟା ଆଗକୁ ଝୁଲିପଡ଼େ । ଦୁଇ ଆଣ୍ଠୁ ଭିତରେ ମୁହଁ ଗୁଞ୍ଜି ସେ ଭାବେ । ଦେଖିଲେ ମନେ ହେବ, ଅନାଦି କାଳ ଧରି ଗୋଟାଏ ତ୍ରିମୁଣ୍ଡି ଯେପରି ଭାବି ବସିଚି । ଟିକିଏ ନିଦ ଲାଗିଲେ ସେ କିଛି ଶାନ୍ତି ପାଆନ୍ତା କିନ୍ତୁ ଆଖିରେ ତା’ର ନିଦ ନାଇଁ । ସୁଯୋଗ ପାଇ ନିଦ୍ରାବି ତାକୁ ପରିତ୍ୟାଗ କରିଚି । ମଝିରେ ମଝିରେ ଟିକିଏ ଢୁଳେଇ ପଡ଼େ ଅବଶ୍ୟ, ତାହା ମଧ୍ୟ ମୁହୂର୍ତ୍ତକ ପାଇଁ ।

 

କାଳଚକ୍ର ଆବର୍ତ୍ତିତ ହୁଏ । ଅଜାଣତରେ ବିତିଯାଏ ଦିନ–ବ୍ରହ୍ମାଙ୍କ ସତ୍ଵମୟ ତନୁର ବିଗ୍ରହ; ବିତିଯାଏ ରାତ୍ରି–କମଳଯୋନିଙ୍କ ତମୋମୟ ତନୁର ପ୍ରତିମା । ଆବର୍ତ୍ତିତ ହୁଏ ପ୍ରଭାତ, ମଧ୍ୟାହ୍ନ, ସନ୍ଧ୍ୟା । ଋତୁର ଅୟନରେ ଫୁଲ ଫୁଟେ, ଫୁଲ ମଉଳେ–ହରିତ ହୁଏ ହରିଦ୍ରାବରଣ । ଦୁର୍ଭଗା ତଥାପି ଖୋଜେ, ତଥାପି ପ୍ରତିକ୍ଷା କରେ–ଜରତୀର ନୟନରେ କେବଳ ପ୍ରତିସ୍ଵପ୍ନ ।

 

ସହସା ସେଦିନ ନିଶୀଥ ରାତ୍ରରେ କୌଣସି ଶବ୍ଦରେ ବିଚଳିତ ହୁଏ ଦୁର୍ଭଗା । ତାକୁ ଭଲ ଶୁଣାଯାଏନି । ତଥାପି ତା’ର ମନେ ହେଲା, ବହୁଦୂରରେ ଯେପରି କ୍ଷୀଣ ଏ ଧ୍ଵନି ଭାସି ଆସୁଚି । ଅନେକ ଦୂରରେ ଗୋଟାଏ ଜ୍ୟୋତିରେଖା ଯେପରି ଦେଖା ଯାଉଚି । ସେଇ ଜ୍ୟୋତିଶ୍ଚକ୍ରରେ ଅସ୍ପଷ୍ଟ ଶବ୍ଦଝଙ୍କାର : ଦୁର୍ଭଗା ଶୁଣିଚି, ସୁସୂକ୍ଷ୍ମ ଘନ ଜ୍ୟୋତିର ସ୍ଥୂଳ ବିକିରଣ ଧ୍ଵନିରୂପ ନାଦ । ବହିର୍ବିଶ୍ୱରେ ସେଇ ନାଦହିଁ ଶବ୍ଦବ୍ରହ୍ମ । ତାହାହେଲେ ଧ୍ଵନି ରୂପରେ କି ଅବତରଣ କରୁଚନ୍ତି ସ୍ଵୟଂ ବ୍ରହ୍ମା ? ତା’ର ଆବେଦନ ତାହାହେଲେ ପହଞ୍ଚୁଚି ବିଧାତା କାନରେ । ଦୁର୍ଭଗା ସୋତ୍କଣ୍ଠ ।

 

ସେତେବେଳେ ସପ୍ତର୍ଷିଲୋକରୁ ଅବତରଣ କରୁଥିଲେ ଦେବର୍ଷି ନାରଦ । ମୁହଁରେ ସୁମଧୁର ହରିଗୁଣଗାନ । ଋଷିଙ୍କ ଦେହ ବିଚ୍ଛୁରିତ ଦୀପ୍ତି ଛିଟିକି ପଡ଼ୁଥିଲା ମର୍ତ୍ତ୍ୟରେ । ତାଙ୍କର କଣ୍ଠନିଃସୃତ ମଧୁର ଗୀତର ଅସ୍ପଷ୍ଟ ଝଙ୍କାର ସୁଧା ବର୍ଷଣ କରୁଥିଲା ଅଶାନ୍ତ ହୃଦୟରେ । ଛାୟାପଥ ଅତିକ୍ରମ କରି ଲଘୁ ପଦ ସଞ୍ଚାରରେ ସେ ଆସି ଠିଆ ହେଲେ ଦୁର୍ଭଗା ସମ୍ମୁଖରେ ।

 

ବିସ୍ମିତ ଦୁର୍ଭଗା । କେହି ତା’ର ପାଖକୁ ଆସନ୍ତିନି, ତାକୁ ଚାହାନ୍ତିନି । ବିଶ୍ଵସଂସାରରେ ସେ ପରିତ୍ୟକ୍ତା । କରୁଣାର ଆଶୀର୍ବାଦ କିଏ ଏହି କରୁଣାମୟ ତା’ର ଆଗରେ ଆସି ଉଭା ହେଲେ-? ଜ୍ୟୋତିର୍ମଣ୍ଡିତ ଦେହ, ନବନୀତ କମନୀୟ ଅଙ୍ଗ । ପରିଧାନରେ ଶ୍ଵେତଶୁଭ୍ର ବସନ, ସ୍କନ୍ଧରେ ଲମ୍ବିତ ଦୁଗ୍ଧଧବଳ ଉତ୍ତରୀୟ । ପ୍ରସନ୍ନ ବଦନରେ ପ୍ରଶାନ୍ତ ହାସ୍ୟଛଟା । ଇୟେ କି ତାହାହେଲେ ତା’ର ବିଧି ନିର୍ଦ୍ଦିଷ୍ଟ ପତି ?

 

ଉତ୍ତେଜନାରେ କମ୍ପିତ ଶିଥିଳ ଦେହ, ଅନ୍ତରତଳେ ଅନିର୍ବଚନୀୟ ପୁଲକ । ଆବେଗରେ ଯଷ୍ଟି ଉପରେ ଭରା ଦେଇ ଉଠି ଠିଆ ହେଲା ଦୁର୍ଭଗା । ତା’ର ପାଣ୍ଡୁର ଗଣ୍ଡରେ ରକ୍ତିମା ଫୁଟି ଆସୁଚି, ବିଶୁଷ୍କ ଓଷ୍ଠରେ ହାସ୍ୟରେଖା, କଂପ୍ର କଣ୍ଠରେ ଗଦ୍‍ଗଦ୍ ଭାଷ, : ‘ତୁମେ ମୋର ପତି ହେବ ଋଷି ?’

 

ପ୍ରଥମେ ବିବ୍ରତ ବୋଧ କରନ୍ତି ତପୋଧନ ନାରଦ । ସେ ଜାଣନ୍ତି ଦୁର୍ମୁଖା ଦୁର୍ଭଗାର ସ୍ଵଭାବ । ଅତି ନିର୍ଲଜ୍ଜ ଅଭଦ୍ର ତା’ର ଆଚରଣ । ବ୍ୟର୍ଥ ହେଲେ, ସଙ୍ଗେ ସଙ୍ଗେ ଅଭିଶାପ ବର୍ଷଣ କରେ । ପ୍ରଥମେ ଗୋଟାଏ କୌତୁକ-ଶ୍ଳେଷ ଉଚ୍ଚାରିତ ହେବାକୁ ଚାହେଁ ନାରଦଙ୍କ ବାକ୍ୟରେ । କିନ୍ତୁ ପରମୁହୂର୍ତ୍ତରେ ସେ ଆତ୍ମସମ୍ବରଣ କରନ୍ତି । କରୁଣାର ପ୍ରତିମୂର୍ତ୍ତି–ସ୍ନେହ ପ୍ରବାହରେ ଆପ୍ଳୁତ ତାଙ୍କର ଅନ୍ତର । ବେଦନାର୍ତ୍ତ ହୃଦୟ, ଅଶ୍ରୁଛଳଛଳ ନୟନ–ସେ ଭାବନ୍ତି, ସତରେ ବଡ଼ ଅନାଥା ଦୁର୍ଭଗା । ତ୍ରିଜଗତରେ ସେ ପ୍ରତ୍ୟାଖ୍ୟାତା, ସ୍ଵାମୀବଞ୍ଚିତା । ତା’ପରି ଅଭାଗୀନି ଆଉ କିଏ ଅଛି ? ନୀରବ, ନିଷ୍ପନ୍ଦ ପ୍ରେମିକଭକ୍ତ ନାରଦ, ନୟନରେ କରୁଣାର ଧାରା ।

 

ଋଷିଙ୍କୁ ନୀରବ ଦେଖି ନିରାଶାର ଅନ୍ଧାର ପୁଣି ଘନୀଭୂତ ହୁଏ ଦୁର୍ଭଗା ମନରେ । ଇୟେବି କ’ଣ ତାକୁ ପ୍ରତ୍ୟାଖ୍ୟାନ କରିବେ ? ଶକ୍ତି ସଞ୍ଚୟ କରି ଶେଷ ଚେଷ୍ଟା କରେ ଦୁର୍ଭଗା । ‘ରତିକାମା ନାରୀ ମୁଁ । ଜଗତରେ କିଏ ହେଲେ ମୋର ପତି ହେବାକୁ ଚାହୁଁ ନାହାନ୍ତି । କୃପାଳୁ ଋଷିର କରୁଣାରୁ ମଧ୍ୟ ମୁଁ କ’ଣ ଶେଷରେ ବଞ୍ଚିତା ହେବି ?’

 

ସକାତର କଂପ୍ରକଣ୍ଠ । ବିଶ୍ଵର ହତାଶା ବେଦନାରେ ମଥିତ କରୁଣ ଆବେଦନ । ଅଧୀର ହେଲେ ତପୋଧନ । ସ୍ଵଭାବ-କୋମଳ ଯାହାଙ୍କର ହୃଦୟ ସାମାନ୍ୟ କାତର ପ୍ରାର୍ଥନାରେ ସହଜରେ ସେ ବିଚଳିତ ହେଇଯାନ୍ତି । ସୁଧାବୋଳା କଣ୍ଠରେ କହିଲେ କରୁଣକାନ୍ତ ଦେବର୍ଷି, ‘ମୁଁ ତୋର ପତି ହେବିନି, କିନ୍ତୁ ପତି ତୁ ନିଶ୍ଚୟ ପାଇବୁ । ସୃଷ୍ଟିର ଅଭିଶାପ ହେଲେବି ବିଧାତାର ସୃଷ୍ଟିରେ ତୁ ଅବାଞ୍ଛିତ ନୋହୁ । ପ୍ରବଳ ତୋର ସମ୍ଭୋଗକାମନା, ବ୍ୟର୍ଥତାରେ ତୁ କ୍ଳାନ୍ତ । ପାଞ୍ଚାଳ ପୁରୀ ଆକ୍ରମଣ କରିବାକୁ ଆସୁଚନ୍ତି ଦୁର୍ଦ୍ଧର୍ଷ ଯବନ ସେନା, ଅଧ୍ୟକ୍ଷ ତା’ର ଯବନେଶ୍ୱର । ତୁ ତା’ର ପାଖକୁ ଯିବୁ, ସେ ତତେ ଆଶ୍ରୟ ହେବ । ମୁଁ ବର ଦେଉଚି, ଅତୃପ୍ତ ସମ୍ଭୋଗକାମନା ଅବଶ୍ୟ ତୋର ପୂର୍ଣ୍ଣ ହେବ ।’

 

ଦୁର୍ଭଗାର ଅନ୍ତରରେ ନିସ୍ତେଜ ଆଶାର ଆଲୋକ ପୁଣି ଉଜ୍ଜ୍ଵଳ ହେଇ ଉଠେ । ସ୍ତିମିତପ୍ରାୟ ପ୍ରଦୀପ ଯେପରି ଲିଭୁ ଲିଭୁ ଥରେ ଥରେ ଉଜ୍ଜ୍ଵଳ ଶିଖା ତୋଳିଥାଏ, ଦୁର୍ବଳ ଦେହରେ ସେ ଅନୁଭବ କରେ ନୂତନ ଉତ୍ତେଜନା, ନିର୍ଜୀବ ରକ୍ତକଣାରେ ନବ ଚାଞ୍ଚଲ୍ୟ । ଯଷ୍ଟି ହାତରେ ସେ ନମସ୍କାର ଜଣାଏ ଋଷିଙ୍କୁ, ସ୍ପର୍ଶ କରେନି । ଦେବତା ଓ ଧୃତବ୍ରତ ଯୋଗୀକୁ ସ୍ପର୍ଶ କରିବା ଅଧିକାର ତା’ର ନାଇଁ ।

 

ଅନ୍ତରୀକ୍ଷ ପଥରେ ଅନ୍ତର୍ଦ୍ଧାନ ହେଲେ ପରମହଂସ ନାରଦ । କାଳଦତ୍ତ ଯଷ୍ଟି ଉପରେ ଭରା ଦେଇ ପତି ସନ୍ଧାନରେ ପୁଣି ଅଗ୍ରସର ହୁଏ ପତିଂବରା କାଳକନ୍ୟା । ନବୋଷାର ଆଲୋକ ସେତେବେଳେ ଦେଖା ଦେଲାଣି ପୂର୍ବ ଦିଗନ୍ତରେ ।

 

ସାରା ଦିନ ଘୂରିବି ଦୁର୍ଭାଗା । ଘୂରିଚି କଙ୍କରମୟ ପାର୍ବତ୍ୟ ପଥରେ; ଉପଳରେ କ୍ଷତବିକ୍ଷତ ହେଇଚି ଚରଣ । ସେ ଘୂରୁଚି ଜନଶୂନ୍ୟ, ଜଳଶୂନ୍ୟ ମରୁଭୂମିରେ । ମଧ୍ୟାହ୍ନ ସୂର୍ଯ୍ୟର ଖର କିରଣରେ ଦଗ୍ଧ ହେଇଚି ପଦତଳ । ପିପାସାରେ ଶୁଷ୍କ ତାଳୁ, ରସନାରେ ଦାରୁଣ ତୃଷା । ସେ ବିଭ୍ରାନ୍ତ ହେଇଚି ମରୁ ବକ୍ଷରେ ମରୀଚିକା ଦେଖି । ତଥାପି ସେ ଚାଲିଚି । ଅନ୍ତରରେ ସ୍ୱାମୀ ସଙ୍ଗ ଲାଭର ସୁତୀବ୍ର ଆକାଂକ୍ଷା । ଅବଶେଷରେ ସେ ଆସି ଠିଆ ହେଇଚି ଭବାଟବୀର ବିଶାଳ ପ୍ରାନ୍ତରରେ । ଏହାପରେହିଁ ପାଞ୍ଚାଳ ରାଜ୍ୟର ପୁରଞ୍ଜନପୁରୀ । କିନ୍ତୁ କାହିଁ ଯବନେଶ୍ଵର ? କାହିଁ ତା’ର ସୈନ୍ୟ ଦଳ ? ସମ୍ମୁଖରେ ଖାଁ ଖାଁ କରୁଚି ତପ୍ତ ଅପରାହ୍ନର ନିର୍ଜନ ପ୍ରାନ୍ତର । ଆଉ ସେ ଚାଲିପାରୁନି । ନାକ ଭିତରେ ଶ୍ରାନ୍ତିର ଅଗ୍ନିଜ୍ଵାଳା, ତପ୍ତଶ୍ୱାସରେ ନାଭିମୂଳ କମ୍ପି ଉଠୁଚି, ସବୁ ଉଦ୍ୟମ ଯେପରି ତା’ର ନିଃଶେଷିତ । ସତ୍ୟର ବାଙ୍‍ମୂର୍ତ୍ତି ଋତଦ୍ରଷ୍ଟା ଋଷି, ତାଙ୍କର ବାକ୍ୟ ତ ମିଥ୍ୟା ହେଇ ପାରେନା । ନିଶ୍ଚୟ ପୁରଞ୍ଜନ ପୁରୀ ଆକ୍ରମଣ କରିବାକୁ ଆସିବେ ତା’ର ପତି । ଦାରୁଣ ଉତ୍କଣ୍ଠାରେ ପ୍ରତୀକ୍ଷା କରେ ଦୁର୍ଭଗା ।

 

ସହସା ପ୍ରାନ୍ତର କମ୍ପିତ କରି ଆସିଲେ ଯବନବଳ । ବିଭୀଷଣ ମୂର୍ତ୍ତି ସମସ୍ତେ । କାହା ମୁହଁରେ ଅଟ୍ଟହାସ୍ୟ, କାହା ମୁହଁରେ ଚିତ୍କାର । ବୄକ-ଉଲ୍ଲୁକ ଭଳି କାହାର ବଦନ, କିଏ ବା ତୀକ୍ଷ୍ଣ ଦଂଷ୍ଟ୍ରା ଘୋର ଦର୍ଶନ । କାହା ହାତରେ ଜ୍ୱଳନ୍ତ ଅନଳ ଭଳି ସମୁଜ୍ଜ୍ଵଳ ଖଡ଼୍‍ଗ, କାହା ହାତରେ ବଜ୍ରଦଣ୍ଡ । ରଥର ଘର୍ଘର, ଅଶ୍ଵର ହ୍ରେଷା, ହସ୍ତୀର ବୃଂହଣ, ଅସ୍ତ୍ରର ଝନତ୍‍କାର–ସବୁ ମିଶି ମୁଖରେ ମୂକ ପ୍ରାନ୍ତର ।

 

ଦୁର୍ଭଗା ଅନ୍ତରରେ ଅପ୍ରମିତ ପୁଲକ କମ୍ପନ । ପାଞ୍ଚାଳପୁରବାସୀ ପକ୍ଷରେ ଯାହା ଦୁର୍ନିମିତ୍ତ, ଦୁର୍ଭଗା ପକ୍ଷରେ ଶୁଭ ମାଙ୍ଗଳିକ । ମହାସମାରୋହରେ ସମାଗତ ବରଯାତ୍ରୀ । ନବ ଉତ୍ସାହରେ ଉଠି ଠିଆ ହୁଏ ଦୁର୍ଭଗା । ସତ୍ୟମୂର୍ତ୍ତି ଋଷି, ସତ୍ୟମୟ ତାଙ୍କର ବଚନ । ଦୁର୍ଭଗାର ସ୍ତିମିତ ନୟନରେ ଖର ସନ୍ଧାନୀ ଦୃଷ୍ଟି–କାହାନ୍ତି ସୈନ୍ୟାଧ୍ୟକ୍ଷ ଯବନେଶ୍ୱର ?

 

ଏଇତ ଦୂରରେ ଦେଖା ଯାଉଚି–ନୀଳଗିରି ସଦୃଶ କୃଷ୍ଣକାୟ ମହିଷ, ତା’ର ପୃଷ୍ଠରେ ପର୍ବତ ପ୍ରମାଣ ବିଶାଳକାୟ ଏକ ମୂର୍ତ୍ତି । ସେ ଯବନେଶ୍ଵର–ଦୁର୍ଭଗାର ବିଧିନିର୍ଦ୍ଦିଷ୍ଟ ପତି । ଦୁର୍ଭଗା ହୃଦୟରେ ଦୁର୍‍ଦୁର୍ କମ୍ପନ, କି ଏକ ପ୍ରକାର ଅବଶକର ଆନନ୍ଦାନୁଭୂତି । ବହୁକାଳର କୁବ୍‍ଜ ଦେହ ଈଷିତ୍ ଋଜୁ ହେଇ ଉଠିଚି । ଦେହର ମଳିନ ଚୀର ସମ୍ବୃତ କରିନିଏ ଦୁର୍ଭଗା । କେତେ କାଳର ଜଟିଳ କେଶ କମ୍ପିତ ହସ୍ତରେ ସ୍ପର୍ଶ କରେ ସେ । ତା’ର ପରେ ଯଷ୍ଟି ଠୁଳି ଠୁଳି ବିହ୍ଵଳ ଗତିରେ ଅଗ୍ରସର ହୁଏ ଚିରକାଳର ଅଭିସାରିକା–ଚକିତା, ଉତ୍କଣ୍ଠିତା, ଆନନ୍ଦ-କମ୍ପିତା ।

 

ମୁହାଁମୁହିଁ ଠିଆ ହେଇଚି ଚିରନ୍ତନୀ ନବବଧୂ । ହୃଦୟରେ ସଭୟ ଆନନ୍ଦ-କମ୍ପନ; ସବାରି ଭିତରେ ବୋହୂ ଯେପରି । ଅନେକ ଦିନର ବିବର୍ଣ୍ଣ ମୁଖ, କ୍ଷୀଣ ଦୃଷ୍ଟି ମେଲି ଉପରକୁ ଚାହେଁ ଦୁର୍ଭଗା । ସଲଜ୍ଜ ନବବଧୂର ମୁଖଚନ୍ଦ୍ରିକା, କମ୍ପିତ ବ୍ରୀଡ଼ାକୁଞ୍ଚିତ ନେତ୍ରପଲ୍ଲବ, ଆବେଶମୟ ଚାହାଣି । ସ୍ଖଳିତ ବଚନରେ ଦୁର୍ଭଗା ମୁହଁରେ ଉଚ୍ଚାରିତ ହେଉଚି ନିଖିଳ ନାରୀ ହୃଦୟର ଚିରମକାମନା, ‘ତୁମେ କି ମୋର–’

 

କଥା ଶେଷ ହେଲାନି । ନିମେଷକରେ ଲିଭିଗଲା ବାସରକକ୍ଷର ଉଜ୍ଜ୍ଵଳ ପ୍ରଦୀପ । ନବବଧୂ ନେତ୍ରରେ କାଳରାତ୍ରିର ଅନ୍ଧକାର । କିଏ ? ଏ ଯେ କାଳର କୃତକ ପୁତ୍ର ସେଇ ମୃତ୍ୟୁ । ଯିଏ ବ୍ୟର୍ଥ କରି ଦେଇଚି ଦୁର୍ଭଗା ଜୀବନର ରଙ୍ଗୀନ ସ୍ୱପ୍ନ, ଜୀବନର ସର୍ବପ୍ରଥମ କାମନା; ଯାର ଲାଗି ଦୁର୍ଭଗାର ଏତେ ଦୁର୍ଭୋଗ–ତ୍ରିଲୋକରେ ସେ ପତି ବଞ୍ଚିତା ।

 

‘ମିଥ୍ୟା ଋଷିବାକ୍ୟ !’ ବୁକୁଫଟା ଆର୍ତ୍ତନାଦ କରି ଭୂଲୁଣ୍ଠିତ ହେଲା ଦୁର୍ଭଗା । ମନେ ହେଲା, ରୁଷିବାକ୍ୟ ଯେପରି ବଜ୍ର ଭଳି ଓହ୍ଲାଇଚି ତା’ର ବକ୍ଷରେ । ମନେ ହେଲା, ପ୍ରବଳ ଭୂମିକମ୍ପରେ ପାଦ ତଳରୁ ମାଟି ଯେପରି ଛାଡ଼ି ଯାଉଚି । ମନେ ହେଲା, ବିଦେହୀ ପ୍ରେତିନୀ ପରି ଦୁର୍ଭଗା ଆଶ୍ରୟ ନେଇଚି ମହାଶ୍ମଶାନର ଅନନ୍ତ ଶୂନ୍ୟତଳରେ ।

 

ସମ୍ମୁଖରେ ସ୍ତବ୍ଧ କାଳର ଦତ୍ତକ ମୃତ୍ୟୁ–ଦୁର୍ଭଗାର ସମ୍ପର୍କିତ ଭ୍ରାତା । ନିଶ୍ଚଳ ପୁଞ୍ଜିତ ମେଘ ପରି ଘୋର ବିଶାଳାକାର ଦେହ । ତା’ର ରକ୍ତ ନୟନରେ ଅଶ୍ରୁ ଛଳଛଳ ହୁଏ, କରୁଣ ଦୃଷ୍ଟିରେ ସେ ଚାହେଁ ଭଗ୍ନୀର ମୂର୍ଚ୍ଛାହତ ଦେହ ପ୍ରତି । ଭଗ୍ନୀ ଦୁର୍ଭଗା–ବଞ୍ଚିତା, ଆଶାହତା । ତ୍ରିଭୁବନରେ ପତି ଖୋଜି ପାଇନି ସେ ।

 

ସେତେବେଳକୁ ଅମିତବିକ୍ରମ ଆଦିତ୍ୟଦେବ ବିଦାୟ ନେଉଚନ୍ତି । ଉପରିସ୍ଥ ଆକାଶ ଘନନୀଳ । ଅସୀମ ନିଳୀମାରେ କେତେ କାଳର କେତେ ବେଦନା ଯେପରି ଜମି ରହିଚି ! ଦିଗନ୍ତରେ ରକ୍ତରଞ୍ଜିତ ସନ୍ଧ୍ୟାଭ୍ର–କେତେ ରୂଢ଼ ଆଘାତର ରକ୍ତଚିହ୍ନ ଯେପରି ! ହୁହୁ କରି ବହି ଯାଉଚି ଦିନ ଶେଷର ସମୀରଣ–ବୁକୁରେ ଯେପରି ଅନ୍ତହୀନ ନୈରାଶ୍ୟର ହାହାକାର ! ସୂର୍ଯ୍ୟର ଶେଷ ରଶ୍ମିଜାଲରେ ଅସଂଖ୍ୟ କ୍ରସରେଣୁର ଆବର୍ତ୍ତ–ଘନକମ୍ପନରେ ସ୍ପନ୍ଦିତ ଯେପରି ବ୍ୟର୍ଥତାର ସହସ୍ର ଶୁଷ୍କ ଅଶ୍ରୁକଣା !

 

ସହାନୁଭୂତିରେ, କରୁଣାରେ କଠିନ ହୃଦୟ ମୃତ୍ୟୁର ରକ୍ତଲୋଚନରେ ଅଶ୍ରୁସାଗର ଉଦ୍‍ବେଳ ହୁଏ । ଭୂମିରେ ଲୋଟି କାନ୍ଦୁଚି ତା’ର ଚିର-ଲାଞ୍ଚିତା ଭଗ୍ନୀ–ତା’ର ଶୂନ୍ୟ ହୃଦୟରେ ସ୍ଵାମୀର ସ୍ଵପ୍ନ । ମହିଷ ପୁରୁଷ ଓହ୍ଲାଇ ମୃତ୍ୟୁ ଭୂପତିତା ଦୁର୍ଭଗା ପାଖରେ ଠିଆ ହୁଏ । ଅତି କ୍ଷୀଣ, ଅତି ଶୁଷ୍କ, କଙ୍କାଳସାର ତନୁ । ଅଶ୍ରୁସଜଳ, ସ୍ନେହଦ୍ରବ କଣ୍ଠରେ ବୋଲେ ମୃତ୍ୟୁ, 'ଉଠ ଦୁର୍ଭଗା, ଋଷିବାକ୍ୟ କେବେ ବ୍ୟର୍ଥ ଯାଇନି, ବ୍ୟର୍ଥ ହୁଏନି । ପତି ଅବଶ୍ୟ ଲାଭ କରିବୁ ତୁ । ତାମସୀ ବିଦ୍ୟା ତୋର ଆୟତ୍ତ । ସେଇ ବିଦ୍ୟାବଳରେ ଅଲକ୍ଷ୍ୟଚାରୀ ହୋଇ ମର୍ତ୍ତ୍ୟର ପ୍ରତ୍ୟେକ ପ୍ରାଣୀକୁ ତୁ ସମ୍ଭୋଗ କରି ପାରିବୁ । ପତି ରୂପରେ ତୋର ଭୋଗ୍ୟ ହେବ ଯୌବନ-ଅତିକ୍ରାନ୍ତ ଯେକୌଣସି ଜୀବ । ସଂଯତ, ମିତାଚାରୀ, ଧର୍ମବୀର ଧାର୍ମିକକୁ ବଶ କରିବା ତୋ ପକ୍ଷରେ ସହଜ ହେବନି କିନ୍ତୁ ଯେଉଁମାନେ କାମାସକ୍ତ-କାମକିଙ୍କର, ଅମିତାଚାର ଭୋଗରେ ଯେଉଁମାନେ ଆକଣ୍ଠ ଲିପ୍ତ, ସେମାନଙ୍କୁ ଅତି ସହଜରେ ଆୟତ୍ତ କରି ପାରିବୁ ତୁ । ତୋର ଆଉ ଏକ ନାମ ହେବ ଜରା । କାଳର ଅବାଧ ସଂକ୍ରମଣରେ ପ୍ରତ୍ୟେକ ପ୍ରାଣୀ ଜରାର ବଶ ହେବେ । ତୋର ଭୋଗ ପୂର୍ଣ୍ଣ ହେଲେ ସେମାନେ ଆସିବେ ମୋର ଅଧିକାରକୁ । ମୋର ଅଗ୍ରଦୂତୀ ବୋଲି ତ୍ରିଲୋକରେ ମୃତ୍ୟୁଦୂତୀ ନାମରେ ତୁ ବିଖ୍ୟାତ ହେବୁ । ଯା,’ ମୋର ସୈନ୍ୟ ଦଳରେ ଅଛନ୍ତି ପ୍ରଜ୍ଵାର ଓ ସ୍ମୃତିହରା । ସେମାନଙ୍କ ସାହାଯ୍ୟରେ ସୃଷ୍ଟିର ରାଜ୍ୟରେ ପତିସମ୍ଭୋଗ କରେ; ପାଞ୍ଚାଳ ରାଜ୍ୟରେ ବିସ୍ତାର କରେ ତୋର ଅଧିକାର ।’

 

ଏତିକି କହି ଚାଲିଗଲା ମହିଷବାହାନ ମୃତ୍ୟୁ । ଗୋଧୂଳିର ଶେଷ ଆଲୋକରେ ଉତ୍ସାହଭରେ ଈଷତ୍ ଋଜୁ ହେଇ ଠିଆ ହୁଏ କୁବଜା ଦୁର୍ଭଗା । ଗୋଧୂଳିର ବସୁମତୀ ଜରାର ପ୍ରତିମୂର୍ତ୍ତି ଯେପରି । ସ୍ତିମିତ ପ୍ରଦୀପର ଶେଷ ଦୀପ୍ତି ପରି ତୃପ୍ତିର ହସ ତା’ର ମ୍ଳାନ ବଦନରେ । ଦୁର୍ଭଗାର ଲୁଳିତ ଓଷ୍ଠରେ ମଧ୍ୟ ସେଇ ହସ । ଆଉ ସେ ପତି ବଞ୍ଚିତା ନୁହେଁ, ସକଳ ପ୍ରାଣୀ ଉପରେ ତା’ର ପତ୍ନୀତ୍ଵର ଅଧିକାର । ସେଇ ଅଧିକାର ଗ୍ରହଣ କରିବାପାଇଁ ବାଡ଼ି ଠୁକି ଠୁକି ଅଗ୍ରସର ହୁଏ ମୃତ୍ୟୁଦୂତୀ ।

 

ସେତେବେଳେ ପାଞ୍ଚାଳ ପୁରୀରୁ ବାହାରି ଆସୁଚନ୍ତି ଅମିତବିକ୍ରମ ପୁରଞ୍ଜନ । ଭୋଗବତୀ ସଦୃଶ ମନୋରମ ପୁରୀରେ ସୁଖରେ ସେ ରାଜତ୍ୱ କରୁଚନ୍ତି । ଆଜି ସେଇ ପୁରୀ ଆକ୍ରମଣ କରିବାକୁ ଆସିଚି ଶତ୍ରୁ ! ସହସା ସେ ଯେପରି ସମସ୍ତ ଶକ୍ତି ହରାଇ ବସିଚନ୍ତି : ବିଦ୍ରୋହୀ ପଞ୍ଚମନ୍ତ୍ରୀ, ପଞ୍ଚ ସେନାପତି । ମ୍ଳାନ ନୟନଦୀପ୍ତି, ନେତ୍ର କୋଣରେ ଗାଢ଼ କାଳିମା ରେଖା । ସହସ୍ର ବଳିକୁଞ୍ଚିତ ତାଙ୍କର ସତେଜ ଦେହ–ପଳିତ କେଶ, ସ୍ଖଳିତ ଦନ୍ତ, ଶିଥିଳ ଅସ୍ଥିଗ୍ରନ୍ଥି । ଦୁର୍ବଳ ଦେହରେ କ୍ରୋଧର ଅସ୍ଥିର କମ୍ପନ, ମୁହୁର୍ମୁହୁଃ ସ୍ଖଳିତ ଚରଣ । କିଏ ଯେପରି ତାଙ୍କର ହାତକୁ ବଢ଼ାଇ ଦେଇଚି ଗୋଟିଏ ଯଷ୍ଟି । ସେଇ ଯଷ୍ଟି ଉପରେ ଭରା ଦେଇ ସେ ଆସୁଚନ୍ତି–ଅସହିଷ୍ଣୁ, ବିରକ୍ତ, କ୍ରୋଧାନ୍ୱିତ ।

 

ଦୂରରେ ମହିଷ ପୃଷ୍ଠରେ ବସି ତୃପ୍ତିର ହସ ହସୁଚି ଅନ୍ତକ ମୃତ୍ୟୁ । ଦୁର୍ଭଗାର ପତି ସମ୍ଭୋଗ ଆରମ୍ଭ ହେଇଚି ତାହାହେଲେ । ଅଦ୍ଭୁତ ତା’ର ପତିପ୍ରାଣତା, ଆଶ୍ଚର୍ଯ୍ୟ ପତିଚର୍ଯ୍ୟା ! ବହୁ ଦିନର କାମନା ପୂରଣ କରି ଗଭୀର ପ୍ରେମରେ, ପରମ ଯତ୍ନ ସହକାରେ, ନିଜ ରୂପରେ ତିଳତିଳ କରି ପତିକୁ ସଜାଇ ଦେଇଚି ମୃତ୍ୟୁଦୂତୀ ଜରତୀ ଦୁର୍ଭଗା ।

★★★

 

Unknown

ଅନ୍ତକ

 

ତ୍ରିଲୋକୀର ଦକ୍ଷିଣ ଦିଗରେ, ଅନ୍ଧକାରର ଉଦ୍ୟତ ଗ୍ରାସ ଭଳି ଭୟଙ୍କର, ସେଇ ଗୃହ୍ୟ ଗହ୍ଵର I ତା’ର ଭିତର ଦେଇ ବହୁଦୂର ପ୍ରସାରିତ ସୃଷ୍ଟିର ପୁରାତନୀ ପଥ I ବିଶ୍ଵମାନବର ଶାଶ୍ଵତୀ ଧ୍ରୁବା ଗତି I କିନ୍ତୁ ପରମାଶ୍ଚର୍ଯ୍ୟ ! ସେ ପଥର ପରିଚୟ କେହି ଜାଣନ୍ତିନି I ବିସ୍ମୃତିର ଅନ୍ଧାରଘେରା ନୀହାର-ଶୀତଳ ପଥ–ଘନ କୁହେଳିକାମୟ, ଗାଢ଼ ଅନ୍ଧକାରରେ ସମାଚ୍ଛନ୍ନ I ସେଇଠି ସୂର୍ଯ୍ୟ ନାଇଁ, ଚନ୍ଦ୍ର ନାଇଁ, ନକ୍ଷତ୍ର ନାଇଁ I ନିରଗ୍ନି, ନିଷ୍ପ୍ରଦୀପ–ଜ୍ୟୋତିଶୂନ୍ୟ ମହାତମିସ୍ରା I ତମିସ୍ରାର ଜ୍ୟୋତି ଶବ୍ଦ-। ସେଇଠି ନିସ୍ତବ୍ଧ ଶବ୍ଦ ତରଙ୍ଗ I ଅନ୍ଧ, ଶୁଷ୍କ ବ୍ରାହ୍ମୀ ନିଶା ଭବ ଅନନ୍ତ ଶୂନ୍ୟତା, ଅନନ୍ତ ନୈଃଶବ୍ଦ–ଅନନ୍ତ ଏକ ଅନୁତ୍ତର ଜିଜ୍ଞାସା ଯେପରି I

 

ଅଜ୍ଞାତପରିଚୟ ସେଇ ନିର୍ଗମ ନିଗୂଢ଼ ପଥର ସନ୍ଧାନ ଜାଣେ କେବଳ ସେ I ପୁରାଣ ପଥର ଅଗ୍ରପଥିକ–ଅନାଦିକାଳରୁ ସେଇ ପଥର ପଥପ୍ରଦର୍ଶକ ସେ I ସେଇ ପଥ ଭଳି ସେ ମଧ୍ୟ ରହସ୍ୟମୟ I ସେ ଅଦୃଶ୍ୟ, ଅଲକ୍ଷ୍ୟ–ଚିର-ଅଚିହ୍ନା, ଚିର-ଅଜଣା I କିଏ କହି ପାରିବ ତାକୁ ଦେଖିଚି ବୋଲି ? କିଏ ଜାଣିଚି ତା’ର ସନ୍ଧାନ ?

 

କିନ୍ତୁ ସେ ଅଛି I ଜଗତ ବକ୍ଷରେ ସେ ଏକ ନିର୍ମମ କଠିନ ସତ୍ୟ I ମମତା-କର୍ଷଣ, ମହାଭୟଙ୍କର I ତା’ର ଅମୋଘ ପଦକ୍ଷେପରେ ମର୍ତ୍ତ୍ୟଲୋକ ଆତଙ୍କରେ ଶିହରି ଉଠେ । କଳହାସ୍ୟରେ ସେ କରୁଣ କ୍ରନ୍ଦନ, ସୁଖର ନୀଡ଼ରେ ମହାଦୁଃଖ, ବସୁପୂର୍ଣ୍ଣା ବସୁନ୍ଧରାରେ ବସୁହା ବର୍ଷୋପଳ I ସେ ମୌନ କିନ୍ତୁ ଅମୋଘ ତା’ର ହସ୍ତସଙ୍କେତ I ପ୍ରଚଣ୍ତ ଶକ୍ତି, ପ୍ରଚଣ୍ଡ ବେଗ I ତା’ରହିଁ ପ୍ରବଳ ଆକର୍ଷଣରେ ସମ୍ମୋହିତ ଭଳି ତା’ର ପଶ୍ଚାତ୍‍ରେ ଦ୍ରୁତ ବେଗରେ ଧାବିତ ହୁଏ–କଷିତ କୃଷ୍ଣଛାୟା ଭଳି ଅଶରୀରୀ ସତ୍ତା, ଘୋର ଛାୟାର ପଶ୍ଚାତ୍‍ରେ ଲକ୍ଷ ଲକ୍ଷ ସୁସୂକ୍ଷ୍ମ ଛାୟାର ଜୀବାଣୁ ଯେପରି I ସେମାନେ ପାଶବଦ୍ଧ, ଲୁପ୍ତ ସ୍ମୃତି I ସେମାନେ ଜାଣନ୍ତିନି, କିପରି ସେ ପଥ ଅତିବାହିତ ହେଉଚି, କେଉଁ ସ୍ମୃତିହରା ହରଣ କରୁଚି ସ୍ମୃତି, କେଉଁ ସ୍ଵୟଂବାହିକା ହରଣ କରୁଚି ଜ୍ଞାନ I

 

ସେଇ ଭୀଷଣ ବିସ୍ମୃତିର ପଥରେ ଏକମାତ୍ର ସ୍ଥିର ବୁଦ୍ଧି, ସ୍ଥିରଦୃଷ୍ଟି ସେ I ଧ୍ରୁବା ସ୍ମୃତି, ଧ୍ରୁବ ଲକ୍ଷ୍ୟ । ସେ ପଥରେ ପଦାଙ୍କ ପଡ଼େନି I ତମିସ୍ରାରେ ନିଶ୍ଚିହ୍ନ ପଦଚିହ୍ନ I ଯେଉଁ ଅନ୍ଧକାରରେ ଆଚ୍ଛନ୍ନ ଦୃଷ୍ଟି, ସେ ଅନ୍ଧକାରରେ ସେ ଅତନ୍ଦ୍ର, ଅଭ୍ରାନ୍ତ–ଅକୁଳ ଅନ୍ଧକାର ସାଗରରେ ଅଭ୍ରାନ୍ତ ଏକ ଦିଗ୍-ଦର୍ଶନ ଯେପରି I ପ୍ରଳୟର ପ୍ରାକ୍‍କାଳ ଭଳି, ଅଟଳ ଗାମ୍ଭୀର୍ଯ୍ୟ ଘେନି, ନିଃଶବ୍ଦରେ, ଅତି ଦ୍ରୁତ ବେଗରେ ସେଇ ଗୃହାହିତ ଭୟଙ୍କର ପଥ ଅତିକ୍ରମ କରେ ସେ ।

 

ତା’ର ଜୀବନର ଆଉ ଏକ ଗୂଢ଼ ରହସ୍ୟ ତା’ର ଏକାକୀତ୍ଵ I ବହୁ ମଧ୍ୟରେ ସେ ଏକା I କୋଟି କୋଟି ସତ୍ତାର ନିୟନ୍ତା କିନ୍ତୁ ସଙ୍ଗିହୀନ I ସେ ନିଃସଙ୍ଗତା ଧାରଣାର ଅତୀତ I ଉତ୍ତପ୍ତ ମଧ୍ୟାହ୍ନରେ ତପ୍ତଘୋର ମରୁଭୂମିର ନିର୍ଜନତା ଧାରଣା କରିବା ସମ୍ଭବ, ଆସନ୍ନ ସମେଘ ସନ୍ଧ୍ୟାରେ ବିଶାଳ ପ୍ରାନ୍ତରର ବିପୁଳ ବିରଳତା ମଧ୍ୟ ବୋଧର ଅତୀତ ନୁହେଁ, ଗଭୀର ଅମାବାସ୍ୟା ରାତ୍ରିରେ ପରିତ୍ୟକ୍ତ ଶ୍ମଶାନର ଭୟାବହ ଏକାକୀତ୍ଵ ମଧ୍ୟ କଳ୍ପନା କରାଯାଇପାରେ, କିନ୍ତୁ ସକଳ ବୋଧର ଅତୀତ, ଅନିର୍ଦ୍ଦେଶ୍ୟ, ଅନିର୍ବାଚ୍ୟ ତା’ର ଏକାକୀତ୍ଵ I ସେଇ ଭୀଷଣ ଏକାକୀତ୍ଵ ଘେନି ଗାଢ଼ କୃଷ୍ଣଛାୟା ଭଳି ନିଃଶବ୍ଦରେ, ଗମ୍ଭୀର ବଦନରେ ସେ ପଥ ଚାଲେ I

 

ଦୁଦୀର୍ଘ ସେଇ ଗୁପ୍ତ ସରଣୀର ଦୁଇ ପ୍ରାନ୍ତ କୋଳାହଳ ମୁଖର । ଯେଉଁ ପ୍ରାନ୍ତରେ ଅନ୍ଧକାର ଭଳି ରହସ୍ୟମୟ ସେଇ ଗହ୍ଵର, ସେଇ ପ୍ରାନ୍ତରେ ଗୁହାର ଗ୍ରାସସ୍ୱରୂପ ପ୍ରାଣ-ପ୍ରାଚୁର୍ଯ୍ୟରେ ପୂର୍ଣ୍ଣ ହସ-କାନ୍ଦର ସଂସାର; ଅପର ପ୍ରାନ୍ତରେ କ୍ରନ୍ଦନ ଉତ୍ତରୋତ୍ତରେ ଉତ୍ତାଳ ଭୟଙ୍କରୀ ସଂଯମନୀ ପୁରୀ । ସଂଯମନୀ ପୁରୀର ପ୍ରତ୍ୟେକ ସୀମାରେ ପଥ ଦ୍ଵିଧା ବିଭକ୍ତ ହେଇଚି : ଊର୍ଦ୍ଧ୍ୱରେ ଦେବଯାନ, ନିମ୍ନରେ ପିତୃଯାନ । ଊର୍ଦ୍ଧ୍ୱରେ, ନଭୋମଣ୍ଡଳରେ ଆଲୋକ, କେବଳ ଆଲୋକର ଝରଣା । ଏଇତ ଆକାଶ ଗଙ୍ଗା ଅଳକନନ୍ଦା, ସୁଶୁଭ୍ରା ଛାୟାପଥ, ଦିବ୍ୟ ହିରଣ୍ମୟ ଆଦିତ୍ୟଲୋକ–ଆଲୋକସ୍ନାତ ଉତ୍ତରାୟଣ । ଆଉ ନିମ୍ନରେ ଅନ୍ଧକାର, ନିଦାରୁଣ ଅନ୍ଧକାର, ପୁଞ୍ଜିତ ତମିସ୍ରା ସ୍ତୂପ । ସେ ଦିଗରୁ ପାତାଳ ଗଙ୍ଗା ଭୋଗବତୀର ଉତ୍ତରଙ୍ଗ ଗର୍ଜନ, କାହାର କୁନ୍ଥନ, କାହାର ବୁକୁଫଟା ଆର୍ତ୍ତନାଦ ଯେପରି ଶୁଭୁଛି । ସେ ଦିଗରେ ପିତୃଲୋକ, ନିରୟପୁରୀ–ଦକ୍ଷିଣାୟନରେ ଗ୍ରଥିତ ଭବଚକ୍ର । ‘ଶୁକ୍ଳେ କୃଷ୍ଣେ ଗତୀହ୍ୟେତେ'–ବିଶ୍ଵର ଶାଶ୍ଵତୀ ଦୁଇ ଗତି ।

 

ଏଇ ଦ୍ୱିପଥର ସଂଯୋଗ ସ୍ଥଳରେ କେବେକେବେ ସେ ଆସି ଠିଆ ହୁଏ । ଉଗ୍ର ଦୃଷ୍ଟିରେ ଦେଖେ ଚତୁର୍ଦ୍ଦିଗକୁ । ଜୀବନର ଏକାକୀତ୍ଵ ବିଭୀଷିକା ଭଳି ତାକୁ ଯେପରି ଅଧିକାର କରି ବସିଚି । ପୃଥିବୀରେ ଯେବେ ଦିନ, ଏଇଠି ସେତେବେଳେ ରାତି । କୌମୁଦୀଧୌତ ଅନନ୍ତ ନୀରବତା । ଉପରେ ଅସୀମ ଶୂନ୍ୟ ଆକାଶ, ଆକାଶ ବକ୍ଷରେ କାଳଚକ୍ରରେ ଗ୍ରଥିତ ଅଗଣିତ ନକ୍ଷତ୍ର । ଶୂନ୍ୟତାର ଆନନ୍ଦ ଏଇ ନକ୍ଷତ୍ର ରାଜିରେ । ଆହୁରି ଦୂରରେ ଅସ୍ପଷ୍ଟ ନୀହାରିକା–ନଟିନୀ ଭଳି ନୃତ୍ୟ-ଚପଳ । ସେମାନଙ୍କର ନିଃଶବ୍ଦ ଚପଳ ଚରଣ ସ୍ପର୍ଶରେ ଶିହରିତ ଶୁଭ୍ରାଂଶୁ । ଆକାଶର ଶେଷ ସୀମାରେ ଦିଗ୍‍ବଳୟ–ବଳୟବେଷ୍ଟନରେ ଆନନ୍ଦନିଲୀନ ଦିଗ୍‍ବଧୂ । ସଙ୍ଗୀ ସହ ସୁଖୀ ନିଖିଳ ଆକାଶ–ଶୂନ୍ୟତାରେ ପୂର୍ଣ୍ଣତାର ଆନନ୍ଦ । କିନ୍ତୁ ସେ ? ସେ ଏକା, ଅଂସଲଗ୍ନ–ସୃଷ୍ଟିର ବିରାଟ ବ୍ୟତିକ୍ରମ ଯେପରି ।

 

ହାଉହାଉ କରେ ହୃଦୟ । ଅପିଙ୍ଗଳ ଅଶ୍ରୁହୀନ ନୟନ ଅତି ଶୁଷ୍କ; ଅତିଶୟ ରୁକ୍ଷ ଦୃଷ୍ଟି । ଆନନ୍ଦପୂର୍ଣ୍ଣ ଆକାଶକୁ ଚାହିଁ ସେ ଦୀର୍ଘନିଃଶ୍ୱାସ ଛାଡ଼େ । ଅସହ୍ୟ ବୋଧହୁଏ ଭୀଷଣ ଏକାକୀତ୍ଵ । ସେ ଜାଣେ, ସଂଯମନ ପୁରୀ ସେପାରିରେ–ସେ ଆଲୋକ-ଲୋକରେ ତା’ର ପ୍ରବେଶ ନିଷିଦ୍ଧ । ସେ ନକ୍ଷତ୍ର, ସେ ନୀହାରିକା, ସେ ଛାୟାପଥ, ସେ ଦିଗଙ୍ଗନା–ତା’ର ନିରାଶାର ସ୍ଵପ୍ନ ।

 

ନିଃଶବ୍ଦରେ ନିଜ କକ୍ଷପଥରେ ପଦକ୍ଷେପ କରେ ସେ । ସେ ପଥ ଅନନ୍ଦ, ଅସୂର୍ଯ୍ୟ । ‘ଅନନ୍ଦା ନାମ ତେ ଲୋକା ଅନ୍ଧେନ ତମସବୃତା ।’ କିନ୍ତୁ ସେଇ ପଥଟିହିଁ ତା’ର ଏକମାତ୍ର ଆପଣାର, ଏକାନ୍ତ ପରିଚିତ । ତା’ର ପରି ଘୋର କୃଷ୍ଣବର୍ଣ୍ଣ, ତା’ର ପରି ଗହନ-ଗଭୀର, ତା’ର ପରି ରହସ୍ୟମୟ । ଅପଲକ ଦୃଷ୍ଟିରେ ସେ ସେଇ ପଥ ଦିଗେ କ୍ଷଣେ ଚାହିଁ ରହେ । ଶୂନ୍ୟ ଜୀବନର ପ୍ରିୟତମ ବନ୍ଧୁ ସେ ପଥ–ବିଶ୍ଵଲୋକର ମହାଭୟ, ଘୋର କୁଟିଳ କିନ୍ତୁ ତା’ର ପ୍ରିୟ ବାନ୍ଧବ-। ଚିର ନୀରବ ବନ୍ଧୁ, ଚିର ନୀରବତାମୟ ବନ୍ଧୁତ୍ଵ । ମୌନ ସଖ୍ୟରେ ସୁଖ ଅଛି କି ? ଦୀର୍ଘନିଃଶ୍ଵାସ ଛାଡ଼ି ସେ ଆସି ଠିଆ ହୁଏ ପଥର ଏ ପ୍ରାନ୍ତରେ ।

 

ପଥର ଏ ପ୍ରାନ୍ତ ପ୍ରାଣମୟୀ ପୃଥିବୀ, ଉତ୍କଳ ଜୀବନ-ନଦୀ । କି ମତ୍ତତା, କି ଉଚ୍ଛ୍ୱାସ, କି ଆନନ୍ଦ ଚାଞ୍ଚଲ୍ୟ ! ମୌନବ୍ରତ ଭଙ୍ଗ କରିଚି ମତୋମୟୀ ଧରଣୀ । ସଙ୍ଗୀତମୁଖର ସମୀରଣ, କଳମୁଖର କଲ୍ଲୋଳିନୀ, ପିକକୂଜିତ କୁଞ୍ଜବନ । ପଞ୍ଚଯଜ୍ଞରେ ପ୍ରତିଷ୍ଠିତ କଲ୍ୟାଣୀ ପ୍ରଜା । ଗୃହେ ଗୃହେ ମାତା ପିତା, ଭ୍ରାତା ଭଗ୍ନୀ, ପତି ପତ୍ନୀର କଳ କୋଳାହଳ । ବାତ୍ସଲ୍ୟରେ, ପ୍ରୀତିରେ, ପ୍ରେମରେ–ମିଳନ ସୁଖର ଆନନ୍ଦ-ଗୁଞ୍ଜନରେ ଆତ୍ମହରା ସ୍ନେହମୟୀ ବସୁନ୍ଧରା ।

 

ଧରଣୀର ଏ ମିଳନଯଜ୍ଞରେ ସେ ଅନାହୂତ, ଅବାଞ୍ଛିତ । ଜଗତରେ କେହି ତାକୁ ପ୍ରାର୍ଥନା କରେନି । ସଙ୍ଗାତ୍ମକ ସମ୍ଭୋଗରେ ଜଗତରେ ସେ ଏକା, ସୃଷ୍ଟି ବକ୍ଷରେ ଏକ ମହାଶୂନ୍ୟ । ଉଦାସୀନ ସାକ୍ଷୀ ଭଳି ସେ ଦୂରରେ ଠିଆ ହେଇ ଦେଖିବାକୁ ପାଏ ନିଖିଳର ଆନନ୍ଦ ଉତ୍ସବ । ଇଚ୍ଛା କଲେ ନିମିଷକରେ ସମସ୍ତ କୋଳାହଳ ସେ ନୀରବ କରି ଦେଇପାରେ କିନ୍ତୁ ସେଥିରେ ଯୋଗ ଦେବାର ସୌଭାଗ୍ୟ ତା’ର ନାଇଁ । ଜଗତର ଆନନ୍ଦ ଜୁଆରରେ ଅବଗାହନ କରିବାର ଅଧିକାର ତା’ର ନାଇଁ ।

 

ବକ୍ଷ ଭେଦ କରି ଜାଗେ ଶୁଷ୍କ କ୍ରନ୍ଦନ । କାହିଁକି ଏ ଅଭିଶାପ ? କାହିଁକି ସେ ଏକାକୀ ? ସେ ତ ଏକାକୀ ନଥିଲା । ମିଥୁନସମ୍ଭବ ସମାଜରେ ତା’ର ଜନ୍ମ । ମାତା ଥିଲା, ପିତା ଥିଲା, ଭ୍ରାତାଭଗ୍ନୀବି ଥିଲେ । ଅଧର୍ମପ୍ରଭବ ମହାଭୟ ‘ଅନୂତ’‚ ତା’ର ଜନକ, ନିକୃତି ନିପୁଣା ‘ନିର୍ଋୁତି’ ତା’ର ଜନନୀ । କାମନା-କୁଟିଳ ସମାଜ, ଅତ୍ୟୁଗ୍ର କ୍ଷୁଧା । ନ୍ୟାୟାନ୍ୟାୟ ବିଚାରହୀନ । ଚିର ଲୋଭୀ, ଚିର ମଦାନ୍ଧ ଅଧର୍ମ କୁଳ । ଇଚ୍ଛା କଲେ ସେପରି ଜୀବନ ଗ୍ରହଣ କରି ସେ ସୁଖୀ ହେଇ ପାରିଥାନ୍ତା । କିନ୍ତୁ ପାରିନି । କେଉଁଠି ଯେପରି ତା’ର ଭିତରେ ଦେଖା ଦେଇଥିଲା ଅଦ୍ଭୁତ ଧର୍ମବୋଧ । ଦୁର୍ନୀତିର ରାଜତ୍ଵରେ ସେ ହେଇଥିଲା ଜାତିର ଧାରକ । ସେ ଉଗ୍ର, ଉଦ୍ଧତ, କ୍ରୋଧବଶ, ନିରଙ୍କୁଶ ତା’ର କ୍ଷମତା ସତ, କିନ୍ତୁ ନିରପେକ୍ଷ ତାର ବିଚାର ।

 

ନ୍ୟାୟାଧୀଶ ବିଧାତାପୁରୁଷ ତା’ର ହାତରେ ନ୍ୟସ୍ତ କରିଥିଲେ ସୁକଠିନ ଏକ କର୍ମଭାର-। ଅଧର୍ମ ବଂଶଧର ହେଲେ ମଧ୍ୟ ସେ ହେଇଥିଲା ଧର୍ମରାଜ୍ୟର ଅନୁଚର । ଯେପରି ସୃଷ୍ଟି, ସେପରି ପ୍ରଳୟ; ଯେପରି ଆନନ୍ଦ, ସେପରି ବେଦନା । ପ୍ରଳୟ-ବେଦନାର ନ୍ୟାୟଦଣ୍ଡ ବିଧାତା ତା’ର ହାତରେହିଁ ଟେକି ଦେଇଥିଲେ । କହିଥିଲେ, ‘ଦୁଃଖର ଆଘାତରେ ଧରଣୀରେ ସୁଖର ଶତଦଳ ଫୁଟାଅ ତୁମେ ଶ୍ମଶାନର ଚିତାଧୂମରେ ମେଘ ସଞ୍ଚାର କରି ସୃଷ୍ଟିର ସହାୟକ ହୁଅ ତୁମେ ! ନିଅ ଏହି ପ୍ରାଣ ଓ ଆପାନ ବାୟୁର ବିଶ୍ଳେଷକାରୀ ‘ଉକ୍ତ୍ରାନ୍ତଦା ଶକ୍ତି’‚ ନିଅ ଏହି ଅମିତପ୍ରଭ ନ୍ୟାୟ ଦଣ୍ଡ । ନବଜୀବନର ଅଭ୍ୟୁଦୟ ସୂଚିତ ହେଉ ତୁମର ‘ପ୍ରାଣଘ୍ନୀବେଦନାରେ;’ ନୀତିର ନିୟମ ରକ୍ଷା କର ପ୍ରଳୟ-ବେଦନ ହାତରେ ରଖି । କଣ୍ଟକ ମୁକୁଟରେ ମୁଁ ତୁମକୁ ଅଭିଷେକ କଲି ।’

 

ସେ ଏକ ବିସ୍ମୟକର ପୌରାଣିକ ଇତିବୃତ୍ତି । ସେତେବେଳେ ଆଦ୍ୟକଳ୍ପା ପ୍ରଜାପତି ବ୍ରହ୍ମାଙ୍କ ଋତାଭିଧ୍ୟାନରେ ପ୍ରଜାପୂର୍ଣ୍ଣ ହେଲା ସପ୍ତଲୋକ । ପରିପୂର୍ଣ୍ଣା ସୃଷ୍ଟି । ସୁନ୍ଦର ନିୟମ, ସୁନ୍ଦର ଶୃଙ୍ଖଳା । କିନ୍ତୁ ସୃଷ୍ଟି ଚାଲିଲା ଅବ୍ୟାହତ ଗତିରେ; ଦେଖା ଦେଲା ସ୍ଥାନାଭାବ । ଭୂରି ସୃଜନରେ ଶ୍ଵାସରୁଦ୍ଧ ତ୍ରିଭୁବନ । ଚିନ୍ତିତ ହେଲେ ପ୍ରଜାପତି, ସେ ଲକ୍ଷ୍ୟ କଲେ, ଶୃଙ୍ଖଳାରେ ବିଶୃଙ୍ଖଳା ସୃଷ୍ଟି କରି ଦଳେ ପ୍ରଜା ସ୍ଵାର୍ଥାନ୍ଧ, ସ୍ଵାଧିକାର-ପ୍ରମତ୍ତ ହେଇ ଉଠିଚନ୍ତି । ଉଦଗ୍ର ସେମାନଙ୍କ ଲାଳସା, ଉତ୍କଟ ଦୟା ସେମାନଙ୍କର ହୁଙ୍କାର-ଗର୍ଜରେ, ଶାସନ-ଶୋଷଣରେ ପୀଡ଼ିତା କଲ୍ୟାଣୀ ସୃଷ୍ଟି । ଅବାଞ୍ଛିତ ଜୀବନ ଭାରରେ ଭାରାକ୍ରାନ୍ତ ଧରଣୀ । କ୍ରୁଦ୍ଧ ହେଲେ ସୃଷ୍ଟିକର୍ତ୍ତା ବ୍ରହ୍ମା ! ଶାନ୍ତିର ରାଜ୍ୟରେ ଏ କି ଅଶାନ୍ତି ! କଲ୍ୟାଣୀ ସୃଷ୍ଟିରେ ଏ କି ବିପର୍ଯ୍ୟୟ !

 

ସହସା ସଂକ୍ରୁଦ୍ଧ ବ୍ରହ୍ମାଙ୍କ ଇନ୍ଦ୍ରିୟ ରନ୍ଧ୍ରରେ ଅଗ୍ନି ପ୍ରଜ୍ଜ୍ଵଳିତ ହେଲା । ଆକୁଞ୍ଚିତ ଭୃଫଳକ ଭେଦ କରି ଦକ୍ଷିଣାବର୍ତ୍ତରେ ବହିର୍ଗତ ହେଲା ସେଇ କୃଷ୍ଣବର୍ଣ୍ଣ । ବହ୍ନିଶିଖା ! ନୀଳ-ଲୋହିତ ବର୍ଣ୍ଣ, ପୁଞ୍ଜିତ ପ୍ରଗାଢ଼ କ୍ରୋଧର ଭୀଷମ ସଂହାର ମୂର୍ତ୍ତି । ନୀଳ-ଲୋହିତ ସେ ଅଗ୍ନି ଦ୍ରୁତ ଅଗ୍ରସର ହେଲା ଉଚ୍ଛୃଙ୍ଖଳ ପ୍ରଜାଗଣଙ୍କ ପ୍ରତି । ପଲକରେ ପ୍ରଳୟ । କ୍ରନ୍ଦନ କରି ଉଠିଲେ ଅତ୍ୟାଚାରୀ, ସ୍ଵାର୍ଥପର । ‘ତ୍ରାହି, ତ୍ରାହି’ ଆର୍ତ୍ତବାଣୀ ଉଚ୍ଚାରିତ ହେଉ ନ ହେଉଣୁ ଭସ୍ମୀକୃତ ହେଲେ କାମୁକ, ଲମ୍ପଟ । ରୁଦ୍ର କାଳାଗ୍ନି ସେମାନଙ୍କୁ ଧ୍ୱଂସ କରି କେବଳ କ୍ଷାନ୍ତ ହେଲାନି, ପ୍ରଚଣ୍ଡ ବେଗରେ ପ୍ରଧାବିତ ହେଲା ସମଗ୍ର ସୃଷ୍ଟି ଅଭିମୁଖେ । ସ୍ଵର୍ଗ, ମର୍ତ୍ତ୍ୟ, ପାତାଳରେ ବ୍ୟାପ୍ତ କ୍ରୋଧବହ୍ନି । କରୁଣ କ୍ରନ୍ଦରେ ପୂର୍ଣ୍ଣ ଚତୁର୍ଦ୍ଦଶ ଭୁବନ ।

 

ମହାପ୍ରଳୟର ଅଧିକର୍ତ୍ତା ମହାକାଳ ରୁଦ୍ର, କିନ୍ତୁ ସେ ଶିବ, ସେ ଶଙ୍କର । ତାଙ୍କର ବାମ ପଦର ନୃତ୍ୟରେ ରୁଦ୍ର ବୀଣାରେ ଅଗ୍ନିଧରେ, ଦକ୍ଷିଣ ପଦର ନୃତ୍ୟରେ ସୁନ୍ଦର ହେଇ ଫୁଟେ ସୃଷ୍ଟିର ଶତଦଳ । ତ୍ରିଲୋକର ଅଶିବ ଏଇ ଅକାଳ ପ୍ରଳୟରେ ସେ ବ୍ୟଥିତ ହେଲେ । ଦେବସଂଘର ପୁରୋବର୍ତ୍ତୀ ହେଇ ସେ ଉପସ୍ଥିତ ହେଲେ କ୍ରୋଧାନ୍ଧ ବ୍ରହ୍ମାଙ୍କ ନିକଟରେ । କାତର କଣ୍ଠରେ କହିଲେ, ‘କ୍ରୋଧବହ୍ନି ସମ୍ବରଣ କରନ୍ତୁ, ସମ୍ବରଣ କରନ୍ତୁ । ସୃଷ୍ଟି ଉପରେ ଏ ଉପଦ୍ରବ ଅଶିବଜନକ ।’

 

ଶୁଭଙ୍କର ଶଙ୍କରଙ୍କ ପ୍ରାର୍ଥନାରେ ପ୍ରଜାପତି ପ୍ରକୃତିସ୍ଥ ହେଲେ । ଦେଖିଲେ, ମୁହୂର୍ତ୍ତକର କ୍ରୋଧରେ ପ୍ରଳୟ ଘଟି ଯାଇଚି । ରୁଦ୍ରବହ୍ନି ତତ୍‍କ୍ଷଣାତ୍ ସେ ସଂହରଣ କଲେ । ସ୍ଵୀୟ ଦେହରେହିଁ ସଂରୁଦ୍ଧ ହେଲା ତେଜ, ଶାନ୍ତ ହେଲା ସୃଷ୍ଟି । ସବିସ୍ମୟରେ ପ୍ରଶ୍ନ କଲେ ମହାକାଳ, "କାହାର ଏ ପ୍ରଳୟଙ୍କରୀ ମହାଶକ୍ତି ? କିଏ ଏଇ ମହାଭୟଙ୍କର ଲୋକ ସଂହାରକ ?" ସହସା ଦେଖାଗଲା, ବ୍ରହ୍ମାଙ୍କ ଦକ୍ଷିଣ ଦିଗରେ ପ୍ରଜ୍ଜ୍ଵଳିତ ବହ୍ନି ସମ ଆବିର୍ଭୂତ ହେଇଚି ଅତି ଘୋର କୃଷ୍ଣବର୍ଣ୍ଣ, ମହାକାୟ ଊର୍ଦ୍ଧ୍ଵରୋମା, ଜ୍ୱଳଜ୍ଜଟା କ୍ରୋଧ-ଭୀଷଣ ଏକ ଉଗ୍ରମୂର୍ତ୍ତି ! ଏ କ’ଣ ନାରୀ ନା ପୁରୁଷ ? ଇଚ୍ଛାନୁରୂପ ବେଶଧାରୀ ଆଶ୍ଚର୍ଯ୍ୟ ଶକ୍ତି ! କ୍ଷଣକାଳ ପରେ ସ୍ପଷ୍ଟତର ହେଲା ମୂର୍ତ୍ତି । ସାତଙ୍କରେ, ସବିସ୍ମୟରେ ସକଳେ ଦେଖିଲେ, ସେ ଅନ୍ୟ କେହି ନୁହେଁ–ସେଇ ଉଗ୍ରଭୀଷଣ ନୀତିଧର ନିର୍ଋୁତି-ନନ୍ଦନ ।

 

ସେ ମଧ୍ୟ ବିସ୍ମିତ । ବୁଝି ପାରିନି କେଉଁ ଶକ୍ତି ବଳରେ ସେ ଉପସ୍ଥିତ ହେଲା ବ୍ରହ୍ମାଙ୍କ ସମ୍ମୁଖରେ । ମୁହୂର୍ତ୍ତକ ମଧ୍ୟରେ ବିଚିତ୍ର ଅଭିଜ୍ଞତା ଲାଭ କରିଚି ସେ । ପ୍ରଚଣ୍ଡ ବହ୍ନି ରୂପରେ ସେ ପ୍ରତ୍ୟକ୍ଷ କରିଚି ନିଜର ପ୍ରଳୟଙ୍କର ତେଜ, ପ୍ରତ୍ୟକ୍ଷ କରିଚି ସ୍ଵ–ଶକ୍ତିର ବିଭୀଷଣ ରୂପ । ଧ୍ୱଂସର ରୁଦ୍ରମୂର୍ତ୍ତିରେ ଅଗ୍ରସର ହେଇଚି ସେ । ତା’ର ପଦାର୍ପଣରେ ପୃଥିବୀରେ ଜାଗିଚି ଆକୁଳ କ୍ରନ୍ଦନ । କି କାତର ମିନତି ! ତଥାପି ସେ କ୍ଷାନ୍ତ ହେଇ ପାରିନି । ମାତା, ପିତା, ପତ୍ନୀର ପ୍ରାର୍ଥନା ଉପେକ୍ଷା କରି ନିର୍ମମ ଭାବରେ ସେ ଆକର୍ଷଣ କରିଚି ପ୍ରାଣୀର ପ୍ରାଣ । ଖାଲି ଆକର୍ଷଣ ନୁହେଁ, ଆହୁରି ବିସ୍ମୟକର ତା’ର ଅଭିଜ୍ଞତା । ନିଦାରୁଣ ଅନ୍ଧକାର–ସେଇ ଅନ୍ଧକାରରେ ଗୃହାହିତ, ଏକ ରନ୍ଧ୍ରପଥ । ବାୟୁହୀନ, ନିଷ୍କମ୍ପ, ହିମଶୀତଳ, ସ୍ତବ୍ଧ । ସେଇ ପଥରେ ପ୍ରଚଣ୍ଡ ବେଗରେ ସେ ଅଗ୍ରସର ହେଉଚି–ପଶ୍ଚାତ୍‍ରେ ଛାୟା ଭଳି ଅସଂଖ୍ୟ ସୁସୂକ୍ଷ୍ମ ଜୀବାଣୁ । ଆଲୋକହୀନ ସେ ମହାତମିସ୍ରାରେ କିପରି ଅଗ୍ରସର ହେଲା ? ସେ ଜାଣେନି । ଏଇ ମାତ୍ର କେବଳ ଜାଣେ, ନିଶେଷର ପ୍ରଖର ଦୃଷ୍ଟିରେ ପଥ ଦେଖିଚି ସେ; ସ୍ପଷ୍ଟ ଦେଖିଚି ପଥର ପ୍ରତିଟି ରେଖା, ପ୍ରତିଟି ମୋଡ଼, ପ୍ରତି ଅନ୍ଦିକନ୍ଦି । ଅତି ଭୀଷଣ ବିଭୀଷିକାପୂର୍ଣ୍ଣ ସେ ପଥ ।

 

ସପ୍ରଶଂସ ନୟନରେ ଚାହିଁ ପ୍ରଶ୍ନ କଲେ ମହାକଳ ମହାଦେବ, ‘ଇୟେ ସେ ?’ ସଗର୍ବରେ, ସ୍ମିତହାସ୍ୟ ଚତୁର୍ମୁଖରେ ଉତ୍ତର କଲେ ସ୍ରଷ୍ଟା ବ୍ରହ୍ମା, ‘ଇୟେ ସେ ।’ ତା’ର ପରେ ନିଜର କ୍ରୋଧମୂର୍ତ୍ତିକୁ ଉଦ୍ଦେଶ୍ୟ କରି କହିଲେ, ‘ଅଧର୍ମ ବଂଶର ଅନୃତ–ନିର୍ଋତି ନନ୍ଦନ ତୁମେ । ମୋର କ୍ରୋଧାଂଶରେ ନବଜନ୍ମ ହେଲା ତୁମର । ଆଜିଠାରୁ ଜୀବଜଗତର ସ୍ମୃତିଶକ୍ତିର ଅଧିକାରୀ ହେଲ ତୁମେ । ତୁମର ନାମ ରହିଲା ‘ମୃତ୍ୟୁ’, ତୁମେ ଜୀବନର ଅନ୍ତକାରୀ ‘ଅନ୍ତକ’ । ପଞ୍ଚଭୌତିକ ଦେହର ‘ପଞ୍ଚତ୍ଵ’–ତୁମେହିଁ ‘ଅବସାନ’ ତୁମେହିଁ ‘ନିମୀଳନ’ । ହେ ଭୟଙ୍କର ! ଯାଅ, ଇଚ୍ଛାନୁରୂପ ମୂର୍ତ୍ତି ଧାରଣ କରି, କର୍ମର ବିଧାନ ଅନୁସାରେ, ପୁରୁଷ ରୂପରେ ପୁରୁଷର ଓ ନାରୀ ରୂପରେ ନାରୀର ପ୍ରାଣ ସଂହାର କର ।’

 

ନୀରବରେ ଦଣ୍ଡାୟମାନ ରହିଲା ଅନ୍ତକ । ସହଜେ ସେ ଗମ୍ଭୀର, ସ୍ୱଳ୍ପଭାଷୀ । ଦୁଃଖରେ କଣ୍ଠ ରୁଦ୍ଧ ହେଲା ତା’ର । ଏ କ’ଣ ପୁରସ୍କାର ନା ଅଭିଶାପ ? ଅଧର୍ମ ବଂଶଧର ବୋଲି ବିଧାତା କି କଠିନ ଶାସ୍ତି ଦେଲେ ତାକୁ ? କି ନିର୍ଦ୍ଦୟ ଏ ଲୋକ–ସଂହାର କର୍ମ ! ପ୍ରୀତିର ଜଗତରେ ପ୍ରୀତିର ବନ୍ଧନ ଛିନ୍ନ କରିବାକୁ ହେବ, ସ୍ନେହର ନୀଡ଼ରୁ ହରଣ କରିବାକୁ ହେବ ପ୍ରାଣମୟ ଜୀବନ । ଅତ୍ୟନ୍ତ ହୃଦୟ ବିଦାରକ ଏ ସଂହାରକ୍ରିୟା ।

 

ବେଦନାରେ ମ୍ପିକ ହୁଏ ଅନ୍ତକର ଆୟତ-ରକ୍ତଲୋଚନ । ଅନ୍ତକର ଅନ୍ତର୍ଭାବ ବୁଝି ପାରିଲେ ଅନ୍ତର୍ଯ୍ୟାମୀ ବ୍ରହ୍ମା । ପ୍ରଶାନ୍ତ ଅନ୍ତକ କଣ୍ଠରେ କହିଲେ, ‘ମୋର ବାକ୍ୟ ଅସତ୍ୟ ହୁଏନି । ଜଗତରେ ତୁମେହିଁ ପ୍ରଥମେ ରହସ୍ୟମୟ ନିମୀଳନ ପଥ ସନ୍ଦର୍ଶନ କରିଚ । ଗୃହାହିତ ନିଗୂଢ଼ ପଥର ସନ୍ଧାନ ଜାଣିଚ ତୁମେ । ତୁମକୁହିଁ ଏ ଦୁରୂହ କର୍ତ୍ତବ୍ୟ ଗ୍ରହଣ କରିବାକୁ ହେବ ।’

 

ତଥାପି ପାଷାଣ ଭଳି ସ୍ତବ୍ଧ ରହେ ଅନ୍ତକ । ହାୟ, ପିତା ମାତା, ପତି ପତ୍ନୀର ପ୍ରୀତି ମମତାପୂର୍ଣ୍ଣ ମିଳନ-ଡୋର କିପରି ଛିନ୍ନ କରିବ ସେ ! ମହାଭୟଙ୍କର ଏ ନିମୀଳନ, ଅତି ଭୈରବ ଏ ମୃତ୍ୟୁ । ଶାନ୍ତିର ଜଗତରେ ଏ ଅଶାନ୍ତି, ଏ ଅକଲ୍ୟାଣ ! ମନେମନେ ପ୍ରାର୍ଥନା କରେ ଅନ୍ତକ–ସ୍ନେହ-ପ୍ରୀତିର ଜଗତରେ ଅକ୍ଷୟ ହେଉ ପ୍ରୀତିର ବନ୍ଧନ, ମୃତ୍ୟୁର କବଳମୁକ୍ତ ହୋଇ କଲ୍ୟାଣ ଲାଭ କରୁ ମଣିଷ ।

 

ଗମ୍ଭୀର ସ୍ୱରରେ କହିଲେ ବିଧାତା ପୁରୁଷ, ‘ଜଗତ ପକ୍ଷରେ ମୃତ୍ୟୁ ଅକଲ୍ୟାଣକର ନୁହେଁ । ଜାତ ପକ୍ଷରେ ଅବଶ୍ୟମ୍ଭାବୀ ପରିଣାମ ମୃତ୍ୟୁ । ସତ୍ୟ ଯେପରି ଜନ୍ମ, ସତ୍ୟ ସେପରି ମୃତ୍ୟୁ-

 

ମୃତ୍ୟୁର୍ଜନ୍ମବତାଂ ବୀର ଦେହେନ ସହ ଜାୟତେ ।

ଅଦ୍ୟ ବା ଅବ୍ଦ ଶତାନ୍ତେ ମୃତ୍ୟୁବୈ ପ୍ରାଣୀନାଂ ଧ୍ରୁବଃ ।।

 

ମୃତ୍ୟୁ ସନାତନ । ମୃତ୍ୟୁ ଅଛି ବୋଲି ଅବାଞ୍ଛିତ ବସ୍ତୁ ଭାରରେ ସୃଷ୍ଟି ଦୁର୍ବହ ହୁଏନି । ମୃତ୍ୟୁ ଅଛି ବୋଲି ରକ୍ଷା ହୁଏ ସୃଷ୍ଟିର ଭାରସାମ୍ୟ । ଅନ୍ତକ, ତୁମେ ଏଇ ସନାତନ ସତ୍ୟକୁ ସ୍ଵୀକାର କର, ମୋର ବାକ୍ୟ ରକ୍ଷା କର । ମୋର କ୍ରୋଧହିଁ ଲୋକ-ସଂହାର କରିବ, ତୁମେ ହେବ ନିମିତ୍ତ ମାତ୍ର ।’

 

ତଥାପି ବିଧାତାଙ୍କ ବାକ୍ୟ ସ୍ଵୀକାର କରିପାରୁନି ଅନ୍ତକ । ମଣିଷର ଅଭିଶାପ ଭୟରେ ସେ ଭୀତ ହୁଏ । ବିଚ୍ଛେଦ-କାତର ସଂସାର ଅଭିଶାପ ଦେଲେ ତାକୁହିଁ ଦେବ । ଅନ୍ୟ ଦିଗରେ ମଣିଷ ପ୍ରତି କରୁଣାରେ ପୂର୍ଣ୍ଣ ହେଇ ଉଠେ ତା’ର ଅନ୍ତର । ଏକାନ୍ତ ମନରେ ମଣିଷର କଲ୍ୟାଣ କାମନା କରେ ସେ; ଏକାନ୍ତ ମନରେ ବିଧାତାଙ୍କ କ୍ରୋଧ ଶାନ୍ତ କରିବାକୁ ଚେଷ୍ଟା କରେ । ଅନ୍ତକ ବ୍ରତୀ ହୁଏ ସୁକଠିନ ତପଶ୍ଚର୍ଯ୍ୟାରେ । ଉପବାସରେ କ୍ଷୀଣ ତନୁ, ବାୟୁଭୁକ୍ ଅନ୍ତକ ପ୍ରାର୍ଥନା କରେ, ‘ବିଧାତା ପୁରୁଷଙ୍କ କ୍ରୋଧ ଶାନ୍ତ ହେଉ, ଶାନ୍ତିମୟ ହେଉ ଜଗତ ।’ ଏକ ପଦରେ ଦଣ୍ଡାୟମାନ ହେଇ ସେ ଆକୁଳ କାମନା ଜ୍ଞାପନ କରେ, ‘ପ୍ରସନ୍ନ ବିଧାତାର ଆଶୀର୍ବାଦରେ ମୃତ୍ୟୁମୁକ୍ତ ହେଉ ଅସହାୟ ମଣିଷ–ଶାନ୍ତି ହେଉ ଜଗତର ।’ ତୀର୍ଥରୁ ତୀର୍ଥ ପରିଭ୍ରମଣ କରି ବିଶ୍ଵର କଲ୍ୟାଣ ନିମନ୍ତେ କରୁଣା ଭିକ୍ଷା କରେ ଅନ୍ତକ–ପବିତ୍ର ତୀର୍ଥ ନୀରରେ ଶୁଚିସ୍ନାନ କରି ମଣିଷ ନିମନ୍ତେ ଶାନ୍ତି ପ୍ରାର୍ଥନା କରେ ସେ ।

 

କିନ୍ତୁ ସତ୍ୟମୂର୍ତ୍ତି ବେଦଗର୍ଭ ବ୍ରହ୍ମା । ସେ କହିଲେ, ‘ଅଧର୍ମ ଭୟରେ ଅକାରଣ କାତର ହେଇଚ ତୁମେ । ତୁମର କର୍ମ ଭୟଙ୍କର ହେଲେହେଁ ପାପ ନୁହେଁ, ଅଧର୍ମ ନୁହେଁ । ନବଜୀବନର ଅଭ୍ୟୁଦୟ ସୂଚକ ତୁମର କର୍ମ–ପାପର ପ୍ରାୟଶ୍ଚିତ୍ତ, ପୁଣ୍ୟର ଆକର । ଦୁଃଖୀର ଜୀବନରେ ତୁମେ ସ୍ଵର୍ଗର ଆଶୀର୍ବାଦ, ଧାର୍ମିକ ଜୀବନରେ ଗଭୀର ପ୍ରଶାନ୍ତି । ସେମାନଙ୍କ ପାଇଁ ତୁମେ ସୁନ୍ଦର, ପରମ ସୁନ୍ଦର । ହେ ଅନନ୍ତ ମୌନ, ହେ ରୁଦ୍ର ସୁନ୍ଦର, ଯାଅ ତୁମର କର୍ମଭାର ଗ୍ରହଣ କର । ପିତୃ ତର୍ପଣରେ ଲୋକେ ଶ୍ରଦ୍ଧା ସହକାରେ ଉଚ୍ଚାରଣ କରିବେ ତୁମର ନାମ ।’

 

ଅବିଚଳ ସତ୍ୟର ବାଙ୍‍ମୂର୍ତ୍ତି ସତ୍ୟଦ୍ରଷ୍ଟା ବ୍ରହ୍ମା । ଅନିଚ୍ଛା ସତ୍ତ୍ୱେବି ପରିଶେଷରେ ତାଙ୍କର ଆଦେଶ ସ୍ଵୀକାର କରିବାକୁ ହୁଏ ଅନ୍ତକକୁ । ଅପିଙ୍ଗଳ ରକ୍ତଚକ୍ଷୁ–ସେଥିରୁ ଅଶ୍ରୁ ଉଦ୍‍ଗତ ହୁଏନି । ତଥାପି ବେଦନାରେ ଝକଝକ ହେଉଥାଏ ରକ୍ତ-ସନ୍ଧ୍ୟାର ଅଭ୍ର ଭଳି ତା’ର ରକ୍ତ ଲୋଚନ । ରାତ୍ରିଦେବୀ ତାକୁ ସଜାଇ ଦିଅନ୍ତି କାଳରାତ୍ରି, ମୋହରାତ୍ରି ଓ ମହାରାତ୍ରିର ଛାୟାରେ । ମହାକାଳ ରୁଦ୍ର ତା’ର ଦେହରେ ଆଧାନ କରନ୍ତି ରୁଦ୍ର ତେଜ । ପାଶୀ ବରୁଣ ତା’ର ହାତରେ ତୋଳି ଦିଅନ୍ତି ଅମୋଘ ପାଶ । ଧର୍ମରାଜ ଦିଅନ୍ତି ଅମିତପ୍ରଭ ନ୍ୟାୟଦଣ୍ଡ । ପ୍ରଳୟ-ବେଦନାର କଣ୍ଟକ-ମୁକୁଟରେ ଅଭିଷିକ୍ତ ହେଇ ନିଜ ସମାଜକୁ ଫେରିଯାଏ ସର୍ବ ସଂହାରକ ଅନୃତ ନନ୍ଦନ ।

 

ସମାଜରେ ତା’ପ୍ରତି ନିକ୍ଷିପ୍ତ ହେଲା ବକ୍ରକଟାକ୍ଷ । କିଏ ସଂଶ୍ଳେଷରେ କହିଲା, ‘ଆହେ, ଅଧର୍ମ ବଂଶରେ ଇୟେ ଯେ ଧର୍ମପୁତ୍ର ହେଲେ ! ପଙ୍କରେ ପଙ୍କଜ ।’ କିଏ ବ୍ୟଙ୍ଗ ହାସ୍ୟ କରି କହିଲା, ‘ଅନ୍ତକ ହେଲା ସର୍ବାନ୍ତକ । ଭଲ ହେଲା । ଆମେ ତା’ର ଆତ୍ମୀୟସ୍ଵଜନ, ଆମେ ଅମର ହେବା ।’ ସର୍ବାପେକ୍ଷା କ୍ରୁଦ୍ଧ ହେଲା କାମନା-ବୁଭୁକ୍ଷୁ ସମାଜର ନାରୀ । ଅନିରୁଦ୍ଧ ଉଚ୍ଛୃଙ୍ଖଳ କାମନାର ମହାଭୟ ମୃତ୍ୟୁ । ସେମାନେ କହିଲେ, ‘ଆମେ ଦେଖିବୁ, କେତେ ବଡ଼ ଶକ୍ତିମାନ ଏ ଅନ୍ତକ ।’

 

ସେ ଦିନ ସମାଗତ ହେଲା କାଳରାତ୍ରି ଭଳି ଦୁର୍ଯୋଗଘନ ଏକ ରଜନୀ । ଅନ୍ଧକାରରେ ଆଚ୍ଛନ୍ନ ଦିଗ୍‍ମଣ୍ଡଳ, ମହାମେଘରେ ଆବୃତ ଆକାଶ । କୃଷ୍ଣ ଯବନିକାରେ ଅବରୁଦ୍ଧ ଦୃଷ୍ଟି । ନେପଥ୍ୟେ ସମ୍ବର୍ତ୍ତ ଜୀମୂତର ଘୋର ଡମ୍ବର । ଅଣଞ୍ଚାଶ ପବନର ମତ୍ତ ହୁଙ୍କାର । ବୃକ୍ଷେ ବୃକ୍ଷେ ସଘନ କମ୍ପନ, ମୃତ୍ତିକା ଗର୍ଭରେ ହାହାଶ୍ୱାସ । ଦଶଦିଗରେ ଆଜି ବନ୍ଧନମୁକ୍ତ ଦିଗ୍‍ନାଗ, ଆଜି ଉନ୍ମତ୍ତ ସହସ୍ର ଫଣା ବାସୁକୀ । ରୁଦ୍ର ସର୍ଗର ଭୂତ-ପ୍ରେତ-ପିଶାଚମାନେ ସୃଷ୍ଟି ବ୍ୟାପୀ ଘୋର ଗର୍ଜନ କରୁଛନ୍ତି ଯେପରି । ଅନ୍ଧ ଦୃଷ୍ଟି, ବଧିର କର୍ଣ୍ଣ, ଚନ୍ଦ୍ରାହୀନ ନୟନରେ ଦୁଃସ୍ଵପ୍ନ ।

 

ସ୍ଵୀୟ ପ୍ରକୋଷ୍ଠରେ ଠିଆ ହେଇଥିଲା ଅନ୍ତକ,–ନ୍ୟାୟର ରକ୍ଷକ ନୀତିର ତତ୍ତ୍ଵାବଧାରକ-। ତାକୁ ମଧ୍ୟ ଆରମ୍ଭ କରିବାକୁ ହେବ ଏଇ ସଂହାରକ-ଲୀଳା । କି କଠିନ ବିଧାତାର ନିର୍ଦ୍ଦେଶ ! ସେ ଭାବି ପାରେନି, କାହିଁକି ଉନ୍ମାଦିନୀ ହୁଏ ପ୍ରକୃତି, କାହିଁକି ବେସୁରା ବାଜେ ସୃଷ୍ଟିର ବୀଣା ।

 

ସହସା କିଏ ତାକୁ ଡାକିଲା, ତା’ର ନାଁ ଧରି । ଚମକିତେ ଫେରି ଚାହିଁଲା ଅନ୍ତକ । ବିସ୍ମୟରେ ହତବାକ୍, ସେ ଦେଖିଲା, ବାହାରର ଉନ୍ମାଦିନୀ ଝଟିକା ଭଳି ନିର୍ଜନ କକ୍ଷର ସ୍ୱଳ୍ପାଲୋକରେ ଆସି ଠିଆ ହେଇଚି କାମାର୍ତ୍ତା ତା’ର ସହୋଦରା । କି କୁଟିଳ କଦର୍ଯ୍ୟ ଦୃଷ୍ଟି ! ବିଦ୍ୟୁତ୍ ଭଳି ତୀବ୍ର ଜ୍ଵାଳାମୟ କଟାକ୍ଷ । ବିସ୍ରସ୍ତ ବସନ, ଧୂସର କୁନ୍ତଳ । ସ୍ଫୁରିତ ଅଧରରେ ମଦିରାର ଗନ୍ଧ । ଶିହରି ଉଠିଲା ଅନ୍ତକ–ଭୟରେ ନୁହେଁ, ଘୃଣାରେ । କିନ୍ତୁ ପ୍ରତିବାଦ କରିବା ପୂର୍ବରୁ ଝଟିକା ବେଗରେ ଛୁଟି ଆସିଲା କାମିନୀ–ବଂଶର ଚିରାଗତ ବ୍ୟଭିଚାର ଯେପରି ଛୁଟି ଆସିଚି ତାକୁ ବ୍ରତଭ୍ରଷ୍ଟ କରିବାପାଇଁ । ପ୍ରାଣପଣ ଶକ୍ତି ସଞ୍ଚୟ କରି ପ୍ରସ୍ତୁତ ହେଲା ଅନ୍ତକ ।

 

ସେ କଥା କହେନି । ସହଜ ଗମ୍ଭୀର ମୃତ୍ୟୁ । ସ୍ତବ୍ଧ ନୀରବତାର ମୂର୍ତ୍ତ ପ୍ରତୀକ । ବିପୁଳ ଅନ୍ଧକାର ଭଳି ବିଶାଳ ବପୁ, ଶୁଚିମୁଖ ସଙ୍କୁ ଭଳି ଊର୍ଦ୍ଧ୍ଵରୋମା । ସଂରକ୍ତ ନୟନରେ ନୀରବରେ ସେ କେବଳ ଉତ୍ତୋଳନ କର ଦୁର୍ଦ୍ଦଣ୍ଡ କାଳଦଣ୍ଡ । ଅସ୍ପଷ୍ଟ ଆଲୋକରେ ଅତି ଭୀଷଣ ଦେଖାଯାଏ ତା’ର ମୂର୍ତ୍ତି । ଦଣ୍ଡଭୀତା ସ୍ଵେଚ୍ଛାଚାରିଣୀ ସ୍ତବ୍ଧ ଭାବରେ ଠିଆ ହେଇଥାଏ–ଯାଦୁଦଣ୍ଡ ସଞ୍ଚାଳନରେ ସ୍ତବ୍ଧ କାଳନାଗୁଣୀ ଯେପରି । ଉଦ୍ୟତ ଫଣା, ଅଗ୍ନିବର୍ଷୀ ଚକ୍ଷୁ । ବାହାରେ ସେତେବେଳେ ଅଣଚାଶ ପବନର ହୁଙ୍କାର ଭଳି ଉନ୍ମତ୍ତ ସମ୍ଵର୍ତ୍ତର ଗର୍ଜନ । ସମଗ୍ର ସୃଷ୍ଟିକୁ ଧ୍ୱଂସ କରିବାର କ୍ଷମତା ତା’ର ନାଇଁ କିନ୍ତୁ ସୃଷ୍ଟିର ଗୋଟାଏ ଅଂଶକୁ ପଙ୍ଗୁ କରି ଦେଉଚି ସେ । କ୍ରୁଦ୍ଧ ସହୋଦରାର ଅଭିଶାପ ଯେପରି ପଙ୍ଗୁ କରି ଦେଇଥିଲା ଅନ୍ତକର ଭୟଙ୍କର ଜୀବନର ଗୋଟାଏ ଦିଗ । କ୍ଷୁଭିତା ନାରୀର ତପ୍ତଶ୍ଵାସ ବିଧୂତ କଣ୍ଠରେ ଗର୍ଜନ କରି ଉଠିଥିଲା : ‘ବଂଶର ନିୟମ ଲଙ୍ଘନ କରି ଯେଉଁ ଦଣ୍ଡକୁ ବଡ଼ ମନେ କଲୁ ତୁ, ସେ ଦଣ୍ଡ ଦୁର୍ଦୈବ ସୃଷ୍ଟି କରିବ ତୋର ଜୀବନରେ । ଏ ଜଗତରେ କୌଣସି ନର କିମ୍ବା ନାରୀ ସ୍ଵେଚ୍ଛାରେ ତତେ କାମନା କରିବନି । ରେ ନିର୍ମମ ! ନୀରସ, ନିଃସଙ୍ଗ ମରୁ ଭଳି ଦାରାପତ୍ୟହୀନ ଶୁଷ୍କ, ଶୂନ୍ୟ ହେବ ତୋର ଜୀବନ ।’ ଝଡ଼ ବେଗରେ ବାହାରି ଗଲା କାମିନୀ–ଶେଷ ଆକ୍ରୋଶ ଝାଡ଼ି ଉନ୍ମାଦିନୀ ଝଟିକା ଦୂରରେ ଯେପରି ମିଳାଇ ଗଲା । ଉଦ୍ୟତ ଦଣ୍ଡ ହାତରେ ସ୍ତବ୍ଧ ହେଇ ରହିଲା ଅନ୍ତକ । ଶାନ୍ତ ଝଡ଼, ତଥାପି କାହିଁକି ଏ ମର୍ମବିଦାରର ରୁଦ୍ଧ କ୍ରନ୍ଦନ ?

 

ଅଭିଶପ୍ତ ଅନ୍ତକ ଆସି ଉଭା ହେଲା ବିଧାତାଙ୍କର ସମ୍ମୁଖରେ । ସେପରି ମୌନ, ଗମ୍ଭୀର । ବକ୍ଷ ପଞ୍ଜର ଯେପରି ତା’ର ଭାଙ୍ଗିଯାଇଚି । ବଦନରେ ସୁଗମ୍ଭୀର ବେଦନାର ଛାୟା । ‘ସାଧୁ, ସାଧୁ ଅନ୍ତକ ! ‘ଉତ୍ସାହଭରେ ଉଚ୍ଚାରଣ କଲେ ସର୍ବଦର୍ଶୀ ବିଧାତା, ‘କଦର୍ଯ୍ୟ କାମକୁ ଜୟକରି ଅକ୍ଷୟ କୀର୍ତ୍ତି ଅର୍ଜନ କର ତୁମେ । କୁଟିଳ କାମନାରେ ଯେଉଁମାନେ ଅନ୍ଧ, ଜାଣନ୍ତୁ ଯେ ଶାସ୍ତାର ଶାସ୍ତି କି ଭୟଙ୍କର ! ସକଳ କାମନାର ପରମା ନିବୃତ୍ତି, ଆଜିଠାରୁ ତୁମର ଦଣ୍ଡ ହେବ କାମ-କିଙ୍କରର ମହାଭୟ ।’

 

ବିଧାତାଙ୍କ ଉତ୍ସାହରେ ଉତ୍ସାହିତ ହୁଏନି ଅନ୍ତକ । ହାୟ, ସପ୍ରଜା ପ୍ରଜାପତି କିପରି ବୁଝିବେ ନିଃସଙ୍ଗତାର କି ଦୁଃଖ, ଶୂନ୍ୟତାର କି ହାହାକାର ! ସୁଖୀ କିପରି ବୁଝିବ ଦୁଃଖୀର ଅନ୍ତର୍ଦାହ ? ଅନ୍ତର୍ଦ୍ରଷ୍ଟା ବ୍ରହ୍ମା । ସେ ସବୁ ଦେଖନ୍ତି, ସବୁ ବୁଝନ୍ତି । ନିଃସଙ୍ଗତାର ବେଦନା ତାଙ୍କର ଅଜ୍ଞାତ ନୁହେଁ । କିନ୍ତୁ ଏ ବେଦନା ଅନ୍ତକକୁ ବହନ କରିବାକୁହିଁ ହେବ; ଏହା ବିଧାତାର ଅଭିପ୍ରେତ । ପ୍ରଶାନ୍ତ କଣ୍ଠରେ ସାନ୍ତ୍ୱନା ଦେଇ କହିଲେ, ‘ଶୁଣ ଅନ୍ତକ, ଜଗତର ଦୁରୂହ ମହତ୍ କାର୍ଯ୍ୟରେ ବ୍ରତୀ ଯେଉଁମାନେ, ସେମାନେ ସମସ୍ତେ ଏକା, ନିଃସଙ୍ଗ । ଜ୍ଞାନୀ, ଯୋଗୀ, କର୍ମୀ–ସମସ୍ତେ ଏକା । ଆତ୍ମୀୟ ସେମାନଙ୍କୁ ବର୍ଜନ କରେ, ପ୍ରିୟଜନ ମୁଖ ଫେରାଇ ନିଏ । ଏକାହିଁ ସେମାନେ ଅଗ୍ରସର ହୁଅନ୍ତି କଠିନ କର୍ମ ପଥରେ । ଚାହିଁ ଦେଖ, ଜଗତରେ ଶାଶ୍ଵତୀ ଏଇ ଗତିପଥ, ଯେଉଁ ପଥର ପରିଚାଳକ ସ୍ଵୟଂ ତୁମେ । ସେ ପଥରେ କିଏ ଏକଲା ନୁହେଁ ? କୋଟି କୋଟି ପ୍ରାଣୀ–ଏକା ଆସନ୍ତି, ଏକା ଯାନ୍ତି । ଅନନ୍ତ ପଥ ପରିକ୍ରମା କରନ୍ତି ଏକା, କର୍ମଫଳ ଭୋଗ କରନ୍ତି ଏକା । ମିଥ୍ୟା ଭ୍ରାନ୍ତି ମହାନ୍ ‘ଏକ’କୁ ‘ବହୁ’ ରୂପରେ ପ୍ରତିଭାସିତ କରେ । ଅନ୍ତକ, ତୁମେ ସେଇ ବିରାଟ ଏକକୁ ଦେଖ, ତା’ର ସ୍ୱରୂପ ଉପଲବ୍ଧି କର । ଏକ ଛଡ଼ା ଦୁଇର ଅସ୍ତିତ୍ଵ କାହିଁ ?’

 

ନୀରବ ହେଲେ ବିଧାତା ପୁରୁଷ, ନୀରବ ହୁଏ ଗୋଟିଏ ସଗମ୍ଭୀର ନାଦ । ବିସ୍ଫାରିତ ନୟନରେ ଦିବ୍ୟଦୃଷ୍ଟି ମେଲି ଦେଖେ ଅନ୍ତକ–ବିଶ୍ଵବ୍ୟାପି ରହିଚି କେବଳ ଏକ । କମଳ ଯୋନି ବ୍ରହ୍ମା, କମଳାପତି ବିଷ୍ଣୁ, ପ୍ରଳୟଙ୍କରୀ ମହାକାଳ–ସମସ୍ତେ ସେଇ ଏକର ଅନ୍ତର୍ଭୁକ୍ତ । ଏକରହିଁ ଦେହଗତ ଆକାଶ, ସାଗର, ସପ୍ତଲୋକ, ଚତୁର୍ଦ୍ଦଶ ଭୁବନ । ସର୍ବତ୍ର ଏକ । ଦୁଇର ଅସ୍ତିତ୍ଵ କେଉଁଠି ନାହିଁ । ପୁଣି ସବୁ କିଛି ଉଭେଇ ଯାଏଁ । ନିର୍ବାକ୍, ସ୍ତବ୍ଧ ମୃତ୍ୟୁ । ନୀରବରେ ସେ ବାହାରି ଯାଏଁ । ନିଶ୍ଚଳ-ଗାମ୍ଭୀର୍ଯ୍ୟରେ ସେ ଆରମ୍ଭ କରେ ବିଧି-ନିର୍ଦ୍ଦିଷ୍ଟ କର୍ମ । ବିଶ୍ଵର ସନ୍ତ୍ରାସ ସେ, ମହାଭୟଙ୍କର । ପ୍ରାଣଘ୍ନୀ ବେଦନାରେ ମୁହୂର୍ତ୍ତକରେ ସେ ନୀଳ କରି ଦିଏ ପ୍ରାଣମୟ ଦେହ, କୋଟି କୋଟି ପ୍ରାଣୀଙ୍କୁ ଘେନି ଯାଏଁ ଜୀବନ ନଦୀର ସେପାରିକୁ, ସ୍ତବ୍ଧ-ଶୀତଳ ଗୁହା ପଥରେ । ସେ ନିର୍ମୋହ, ନିର୍ମମ । ତା’ର ପଛେ ପଛେ ଧାବିତ ସହୋଦରାର ଅଭିଶାପ । ନିଃସୀମ ଏକାକୀତ୍ଵ ।

 

ଅନ୍ତରରେ କ୍ଷୋଭର ସହସ୍ର ତରଙ୍ଗ, ବାହାରେ କ୍ରୋଧର କମ୍ପନ । ଅସହିଷ୍ଣୁ ହେଇ ଉଠେ ଅନ୍ତକ । ବିଦ୍ରୋହୀ ଯେପରି ଚଞ୍ଚଳ ରକ୍ତକଣା ! ମିଥ୍ୟା, ମିଥ୍ୟା–କିଏ କହେ, ବିଶ୍ୱ ନିଃସଙ୍ଗ ? ଏ ଜଗତରେ କେହି ଏକା ନୁହେଁ । ସଂଜ୍ଞାପ୍ରିୟ ସୂର୍ଯ୍ୟ, ରୋହିଣୀପ୍ରିୟ ଚନ୍ଦ୍ର, ପୃଥିବୀ ପ୍ରିୟ ଦୌମ୍ପିତା-। ଏକାକୀ ନିରାନନ୍ଦ ସ୍ଵୟଂ ବ୍ରହ୍ମା । ‘ଏକାକୀ ନ ରେମେ’–ପୁରାଣ ପ୍ରସିଦ୍ଧ ଏ ବାକ୍ୟ । ‘ଏକୋହସ୍ମି ବହୁ ସ୍ୟାମ୍’–ଏ ଆକାଂକ୍ଷା ସ୍ଵୟଂ ପ୍ରଜାପତିର । ଆକ୍ରୋଶରେ ଉଦ୍ୟତ ହୁଏ ଭୈରବ ବାହୁ-। ଏକାକୀତ୍ଵର ବିଧାନ କି କେବଳ ତା’ର ପାଇଁ ? ରୁଦ୍ର ଉଗ୍ର ଦୃଷ୍ଟିରେ ସେ ଦେଖେ ପୃଥିବୀକୁ ବସନ୍ତର ଆବିର୍ଭାବରେ ଆରକ୍ତିମ ପ୍ରକୃତି, ଦିବ୍ୟପାଟଳ ରକ୍ତାମ୍ୱର ପରିହିତା ଧରଣୀ ନବ ବିବାହର ବଧୂ ଯେପରି; କଣ୍ଠରେ ଚମ୍ପକମାଳା, କର୍ଣ୍ଣରେ ରକ୍ତାଶୋକ କୁଣ୍ଡଳ, କଟିରେ କୁସୁମ ମେଖଳା-। ସାଲୋକ ଋତୁରଙ୍ଗ ଶାଳାରେ କିଏ ସେ ନାରୀ; ମମତା–ପ୍ରାଣ-ଚାଞ୍ଚଲ୍ୟର ସଜୀବ ପ୍ରାଣପ୍ରତିମା-। ଏଇ ମମତାକୁ ଚିହ୍ନିଚି ଅନ୍ତକ । ଜୀବନର ସ୍ଵତଃସ୍ଫୁର୍ତ୍ତ ଏକ ସ୍ଫୂର୍ତ୍ତି । ମମତାକୁ ସେ ଦେଖିଚି–ଜାୟାର ପ୍ରେମରେ, ଜନନୀର ସ୍ନେହରେ । ତାକୁ ଦେଖିଚି ଗୃହୀର ଗୃହାଙ୍ଗନରେ, ସଞ୍ଜ-ସଳିତାର ସ୍ନିଗ୍ଧ ଶିଖାରେ । ଦେହରେ ଲାବଣ୍ୟର ଉଛଳ ତରଙ୍ଗ, ନୟନରେ ମେଘର ସଜଳତା । ହୃଦୟର ଶାନ୍ତି, କରୁଣାର କମକାନ୍ତି ମମତା । ଧରଣୀ ମମତାଧନ୍ୟା । ହାହା କରି ଉଠେ ନିଃସଙ୍ଗ ମୃତ୍ୟୁର ହୃଦୟ । କ୍ଷୁତ୍କାମ ସମାଜର ଚିରନ୍ତନ କ୍ଷୁଧାରେ ଉନ୍ମାଦ ହେଇଚି ଶୋଣିତ କଣିକା ।

 

ସେତେବେଳେ ବସନ୍ତର ରଙ୍ଗଶାଳାରେ, ସଙ୍ଗୀତରେ ଛନ୍ଦିତ ଜୀବନର ସ୍ପନ୍ଦନ, ନୃତ୍ୟ ଚଞ୍ଚଳ ଚରଣରେ ଆଉ ଚାରୁ ଅଙ୍ଗରେ ଉଚ୍ଛଳ ପ୍ରାଣ ତରଙ୍ଗ । କୌତୁକରେ କହୁଚନ୍ତି ସଖୀ ଦଳ :

 

‘ଦେଖ ସଖି, ଅଶୋକ ହେଲା ଲାଲ ।’

 

‘ଦେଖ, ବକୁଳ ହେଲା ମୁକୁଳିତ ।’

 

‘କା’ର ସ୍ପର୍ଶରେ ଅଶୋକ ଲାଲ ହେଲା, ବକୁଳ ହେଲା ଗନ୍ଧ ବିଭୋର ?’

 

‘ମମତାର ସ୍ପର୍ଶରେ ପ୍ରାଣମୟ ବନତଳ ।’

 

‘ମମତାଧନ୍ୟ ଆଗୋ ଆଶୋକ, ଆଗୋ ବକୁଳ, ପ୍ରତିଦାନ ଦିଅ ।’

 

ହସି ହସି ଲୋଟି ପଡ଼ନ୍ତି ତରୁଣୀ ଦଳ, ବେଦନାରେ ଭରି ଉଠେ ମମତାର ଅନ୍ତର ତଳ-। ରଣିତ ହୁଏ କୋମଳ କରୁଣ କଣ୍ଠ–ସକରୁଣ ସ୍ଵରରେ ରଣିତ ଯେପରି ବୀଣାର ତାର : ‘ହାୟ ସଖୀ, ପ୍ରତିକୂଳ ବାୟୁରେ ଝରିଯାଏ ଅଶୋକ, ଝରିଯାଏ ବକୁଳ । ଆଲୋକର ଦକ୍ଷିଣ ଆଶୀର୍ବାଦ, କ୍ଷଣିକର ଏଇ ଫୁଟିଲା ଫୁଲ । ମମତାର ସ୍ପର୍ଶରେ ଲାଲ ହେଇ ଫୁଟେ, ପାଖୁଡ଼ା ମେଲି ଗନ୍ଧ ଢାଳି ଦିଏ । ତା’ର ପରେ ନିମିଷକରେ ମିଳାଇ ଯାଏଁ ଆନନ୍ଦର ବୁଦ୍ ବୁଦ୍ ! କି ପ୍ରତିଦାନ ଦେବେ ସେମାନେ ?’ କରୁଣାରେ କମ୍ପିତ ହୁଏ ମମତାର ନୀଳ ନୟନ–ବାତାହତ ନୀଳୋତ୍ପଳ ଯେପରି । ସ୍ଫୁରିତ ହୁଏ ନଧର ଓଷ୍ଠାଧର । ସହସା ତା’ର ନେତ୍ରରେ କାହାର ଯେପରି ଛାୟା ପଡ଼େ । ଅଶୋକ ବୁକୁରେ କି ପ୍ରଳୟ ମେଘର ରକ୍ତ ଛାୟା ? ବକୁଳ କି ପାଉଁଶ ଭଲି ବିବର୍ଣ୍ଣ ? ଦିବସର ଆକାଶରେ କାହିଁକି ଏତେ ତାରାର ଫୁଲ ? ଏମାନେ କିଏ ଆସୁଚନ୍ତି ? ଛାୟା ଭଲି ଅସ୍ପଷ୍ଟ, ଅଙ୍ଗୁଷ୍ଟ ପ୍ରମାଣ କୋଟି କୋଟି ଜୀବାଣୁ ! ଦ୍ରୁତ ବେଗରେ ଦକ୍ଷିଣ ଦିଗକୁ ଛୁଟିଚନ୍ତି । ପୁରୋଭାଗରେ ଅନ୍ଧକାର ଭଳି ବିଶାଳକାୟ, ରକ୍ତାମ୍ବର ପରିହିତ ଏକ ପୁରୁଷ । କିଏ ସେ ଭୟଙ୍କର ! ପ୍ରାଣର ଆନନ୍ଦ-ନିକେତନରେ ଏ କାହାର ଆବିର୍ଭାବ ?

 

ଭୟରେ ଏକ ବର୍ଣ୍ଣମୟ ବାକ୍ୟ, ଊର୍ଦ୍ଧ୍ଵବହ ଶ୍ଵାସ, ବିଘୂର୍ଣ୍ଣିତ ଦୃଷ୍ଟି, ପରିଶୁଷ୍କ କଣ୍ଠ–କରୁଣ ଚିତ୍କାର କରି ଭୂମିରେ ଲୋଟି ପଡ଼ିଲା ମମତା । ଆତଙ୍କରେ ଛୁଟି ପଳାଇ ଗଲେ ସଖୀ ଦଳ । ଦ୍ରୁତ ଆଗେଇ ଆସିଲା କ୍ଷୁଧାତୁର ଅନ୍ତକ । ଭୂମିରେ ଜାନୁ ସ୍ପର୍ଶ କରି ବସିଲା ସେ । ଉଗ୍ର ଦୃଷ୍ଟିରେ ଚାହିଁଲା ମମତାକୁ । କିନ୍ତୁ ଏ କ’ଣ ? ଏ କି ପାଣ୍ଡୁରତା ରକ୍ତାଧରରେ ! ସୂର୍ଯ୍ୟୋଦୟଙ୍ଗେ ନିମୀଳିତ କୁମୁଦିନୀ ଭଳି ସଙ୍କୁଚିତ ନେତ୍ର ଯୁଗଳ, ଚନ୍ଦ୍ରୋଦୟରେ ମୁଦ୍ରିତ ପଙ୍କଜ ଭଳି ମ୍ଳାନ ବଦନ । ଶବ୍ଦହୀନ ଚାରୁ ଅଙ୍ଗ । ଧୀରେ ସେ ସ୍ପର୍ଶ କଲା ମମତାର ଦେହ । ସୁତୀବ୍ର ହିମ-ଶିହରଣ ଖେଳିଗଲା ତା’ର ନିଜ ସର୍ବାଙ୍ଗରେ । ମମତାର ଦେହ ଯେ ତୁଷାର ଶୀତଳ ! କ’ଣ କରିଚି ସେ ? ମୁହୂର୍ତ୍ତକର ଆତ୍ମବିସ୍ମରଣ । ସେ ଆକର୍ଷଣ କରିଚି ମମତାର ପ୍ରାଣ–ରାହୁ ଭଳି ଗ୍ରାସ କରିଚି ରାକାଚନ୍ଦ୍ର ।

 

ବେଦନାରେ ନୁହେଁ, କ୍ରୋଧରେ ରକ୍ତନୀଳ–ଅନ୍ତକ ଉଠି ଠିଆ ହେଲା । ବସନ୍ତର ରକ୍ତରାଗ ଆଚ୍ଛନ୍ନ ହେଇଚି ଶୀତରଧୂମଳ ଧୂସରତାରେ । ସେ ସର୍ବାନ୍ତକ, ଜୀବନ ମହାଅବସାନ । ସେ ନିମୀଳନ, ସେ ପ୍ରଳୟ । ପ୍ରଳୟହିଁ ସୃଷ୍ଟି କରିବ ସେ । ଫଣାଟେକି ଉଭାହେଲା । ଜ୍ଵଳଜ୍ଜଟା, ମଥା ତୋଳି ଠିଆ ହେଲା ଶୁଚିମୁଖ ଶଙ୍କୁ ସଦୃଶ ରୋମାବଳୀ, ରୁଧିରବର୍ଷୀ ରକ୍ତ ମେଘ ଭଳି ଜଳି ଉଠିଲା ପିଙ୍ଗଳ ଚକ୍ଷୁ । ଉଦ୍ୟତ ପାଶ, ଉଦ୍ୟତ ଦଣ୍ଡ । ଭୟଙ୍କର ଛାୟା ଚାଲିବାକୁ ଆରମ୍ଭ କଲା । ବ୍ୟର୍ଥ କାମ ପାଗଳ ପ୍ରେମିକର ବିକଟ ପାଗଳାମୀ । ନିୟମର ରାଜତ୍ଵରେ ସ୍ୱେଚ୍ଛାଚାର ଉତ୍ତାଳ ହେଇ ଉଠିଲା । ସବୁଜ ଶସ୍ୟକ୍ଷେତ୍ର ଦଗ୍ଧ ହେଲା, ଶ୍ମଶାନ ଭୂମିରେ ପରିଣତ ହେଲା ଜନପଦ । ମାତାର ଅଶ୍ରୁ ଓ ଜାୟାର ରକ୍ତସିନ୍ଦୂରରେ ପ୍ରବାହିତ ହେଲା ରକ୍ତସିନ୍ଦୂର ସ୍ରୋତ । ମୁହୂର୍ତ୍ତେ ଅଶାନ୍ତ କ୍ରନ୍ଦନ, ପରମୁହୂର୍ତ୍ତରେ ଅନନ୍ତ ସ୍ତବ୍ଧତା ।

 

କଲ୍ୟାଣୀ ସୃଷ୍ଟି ପ୍ରତି କରୁଣାଘନ ନୟନ ମେଲି ଚାହିଁଲେ କମଳଯୋନି । ବେଦନାରେ ଉନ୍ନଥିତ ଚିତ୍ତ ପ୍ରଦେଶ, ନୟନରେ ଛଳଛଳ ଅଶ୍ରୁ । ମହାଭୟଙ୍କର ଉନ୍ମାଦକୁ ଆହ୍ୱାନ କରି ରୁଦ୍ଧ କଣ୍ଠରେ କହିଲେ ସେ, ‘ପାଗଳ, ଦେଖ ତୁମର କୀର୍ତ୍ତି ! ଦେଖ ମୋର ସୃଷ୍ଟିର କରୁଣ ଦୃଶ୍ୟ !’ ସଂରକ୍ତ ନେତ୍ରରେ ସ୍ଵୀୟ ସଂହାର ଲୀଳା ପ୍ରତି ଚାହିଁଲା ଅନ୍ତକ । ଶୂନ୍ୟତାରେ ରିକ୍ତା ବସୁମତୀ । ସମ୍ବିତ ଯେପରି ତା’ର ଫେରି ଆସିଲା, ଅପରାଧୀ ଭଳି ମସ୍ତକ ଅବନତ କରି ଠିଆ ହେଲା ସେ । ବିଚାରକ ବିଧାତା ପୁରୁଷ । ପ୍ରଥମେ ସ୍ନେହଦ୍ରବ କଣ୍ଠରେହିଁ କହିଲେ ପ୍ରଜାପତି, ‘ବ୍ୟକ୍ତିଗତ ସ୍ୱାର୍ଥ ନିମନ୍ତେ ଶକ୍ତିର ପ୍ରୟୋଗ–ଶକ୍ତିର ଅପବ୍ୟବହାର । ତୁମକୁ ଅମୋଘ ଉତ୍କ୍ରାନ୍ତିଦା ଶକ୍ତିର ଅଧିକାରୀ କରିଚି, ତୁମ ହାତରେ ଟେକି ଦେଇଚି ପ୍ରାଣଘ୍ନୀ ବେଦନା । ଏହା କ’ଣ ସ୍ୱେଚ୍ଛାଚାର କରିବା ଅଭିପ୍ରାୟରେ ? କ’ଣ କରିଚ ତୁମେ ?’

 

ଉତ୍ତେଜିତ ହେଲେ ଅମିତତେଜା ବ୍ରହ୍ମା । କଠିନ କଣ୍ଠରେ କହିଲେ, ‘ତୁମେ କ’ଣ ଭାବିଚ, ତୁମର ଶକ୍ତି ଉପରେ ଶକ୍ତି ନାଇଁ ? ତମେ କ’ଣ ଜାଣନା ବିରାଟ ବିଶ୍ଵଶକ୍ତି ନିକଟରେ ତୃଣ ଭଳି ତୁଚ୍ଛ ତୁମର ଦଣ୍ଡ ? ତୁମର ଅଧିକର୍ତ୍ତା କାଳ, କାଳର ଅଧିଶ୍ଵର ବୈବସ୍ଵତ ଯମ, ଯମର ନିୟନ୍ତା ମହାକାଳ ରୁଦ୍ର । ମହାକାଳ–ଯିଏ କଳ୍ପାନ୍ତବେଳେ ସମଗ୍ର ସୃଷ୍ଟି କଳନ କରନ୍ତି, ତାଙ୍କର କଳନ–କର୍ତ୍ତା ସେଇ ବିଶ୍ଵଶକ୍ତି । ସୃଷ୍ଟିର ମହାଭୟ ସେଇ ଶକ୍ତିର ପ୍ରକାଶନରେ ସୂର୍ଯ୍ୟ ଉଦିତ ହୁଏ, ମେଘ ବୃଷ୍ଟି କରେ, ବାୟୁ ପ୍ରବାହିତ ହୁଏ । ତା’ର ପ୍ରଶାସନରେ ସନ୍ତ୍ରସ୍ତ ମହାକାଳ, ଯମ, ଚଣ୍ଡବେଗ କାଳ । ସେ ଶକ୍ତିର କଥା ତୁମେ କ’ଣ ଜାଣନି ?

 

ସଙ୍କୋଚରେ ତୃଣ ଭଳି ମାଟିରେ ଯେପରି ମିଶିଯାଇଚି ଅନ୍ତକ । ବଜ୍ର ସ୍ଵରରେ ନିନାଦିତ ହୁଏ ସ୍ରଷ୍ଟାର କଣ୍ଠ : ‘ତୁମର ଶକ୍ତି ଆକର୍ଷଣ କରେ କାହାକୁ ? କାହାର ଉପରେ ବିସ୍ତୃତ ହୁଏ ତୁମର ଅଧିକାର ? ଏ ଜଗତରେ କ୍ଷୁଦ୍ର ଯେଉଁମାନେ, କାମକିଙ୍କର, ଭୀରୁ ଯେଉଁମାନେ–ମୃତ୍ୟୁ ପୂର୍ବରୁ ସହସ୍ରବାର ବରଣ କରନ୍ତି ମୃତ୍ୟୁ, ଅଜ୍ଞାନ ଯେଉଁମାନେ–ମୋହାନ୍ଧ, ତୁମର ଭୟରେ ସନ୍ତ୍ରସ୍ତ ହୁଅନ୍ତି । ତୁମେ କ’ଣ କୀର୍ତ୍ତିମାନର କୀର୍ତ୍ତି ଗ୍ରାସ କରି ପାରିବ ? ଅମୃତଲୋକ-ଯାତ୍ରୀର ପ୍ରାଣ କ’ଣ ଆକର୍ଷଣ କରି ପାରିବ ? ସେଇ ଚିରଚଳମାନ ମହାଜୀବନ–କାଳ ପ୍ରବାହରେ ଭାସମାନ ଅକ୍ଷୟ ଅମର ଜୀବନ–ତୁମେ କ’ଣ ତା’ର ଗତିରୋଧ କରିପାରିବ ? ତୁଚ୍ଛାତିତୁଚ୍ଛ ନିତ୍ୟ ପ୍ରଳୟ ତୁମେ, ମହାଜୀବନ ପ୍ରବାହର କ୍ଷଣିକ ଛେଦ । ଏତିକିରେ ଏତେ ଗର୍ବ ! କଳ୍ପାନ୍ତବେଳେ କିମ୍ବା ପ୍ରାନ୍ତିସଞ୍ଚରବେଳେ କେଉଁଠି ଥାଏ ତୁମର ଅସ୍ତିତ୍ୱ ?’

 

କମ୍ପିତ ହୁଏ ମୃତ୍ୟୁ–ମୋହାନ୍ଧ ଜୀବ ଯେପରି ମୃତ୍ୟୁ ନାମରେ କମ୍ପିତ ହୁଏ । ରୁଦ୍ରସ୍ଵରରେ କହିଲେ ବେଦଗର୍ଭ ବ୍ରହ୍ମା, ‘ବିନା କାରଣରେ ମମତାର ବନ୍ଧନ ଛିନ୍ନ କରିଚ ତୁମେ । ହେ ମମତାକର୍ଷଣ ! ତାହାହେଲେ କଠିନ ସତ୍ୟରେ ପରିଣତ ହେଉ ଏ ବିଧିବାକ୍ୟ–‘ଦ୍ୱେପଦେ ବନ୍ଧମୋକ୍ଷାୟ ମମେତି ନ ମମେତି ଚ’–ମମତ୍ୱ ହେଉ ବନ୍ଧନ-ମୃତ୍ୟୁର କାରଣ । କାମନାରେ ଖିନ୍ନ ହେଇ ତୁମେ ଛିନ୍ନ କରିଚ ସ୍ନେହର ଶୃଙ୍ଖଳ–ଚିରକାଳ ବଞ୍ଚିତ ହୁଅ ସ୍ନେହ-ମମତାରୁ; ଭୋଗର ସୁରାପାତ୍ର ଗରଳ ହେଉ ତୁମର ହାତରେ । ମମତାର ଅନ୍ତକାରୀ ରୂପରେ ଚିରଶୂନ୍ୟ ହେଉ ତୁମର ଜୀବନ ।’

 

ନୀରବ ହେଲେ ବ୍ରହ୍ମା । ଅପମାନ, ଦୁଃଖ ଓ ଲଜ୍ଜାରେ କମ୍ପି କମ୍ପି ବାହାରି ଆସିଲା ଅନ୍ତକ । କ୍ରୋଧର ମୂର୍ତ୍ତ ପ୍ରତୀକ ସେ, କ୍ରୋଧବଶ । ଆଜି ନିରୁଦ୍ଧ କ୍ରୋଧର ବହିଃପ୍ରକାଶ–କିଏ ଯେପରି କଠିନ ବନ୍ଧନ-ରେଖା ଟାଣି ଦେଇଚି ଦୁର୍ଦ୍ଦିନ ସ୍ରୋତ ମୁଖରେ । ଆଜି ସଂରୁଦ୍ଧ ରୋଷ, ସଂକ୍ଷୁବ୍ଧ ଗର୍ଜନ–ଆଜି ଖାଲି ଶୁଷ୍କ ଉତ୍ତାପ ।

 

ସେ ଅଭିଶାପ, ସୃଷ୍ଟିର ଅଭିଶାପ । ସେ ସର୍ବାନ୍ତକ–ବିଶ୍ଵର ଆତଙ୍କ । ପଣ୍ଡିତ-ମୂର୍ଖ, ବଳବାନ-ଦୁର୍ବଳ, ସମ୍ରାଟ-ଦରିଦ୍ର-ସମସ୍ତଙ୍କ ନିକଟରେ ସେ ମହାଭୟ । ‘ନିତ୍ୟ° ସନ୍ନିହିତୋ ମୃତ୍ୟୁଃ’–ଏ ଯେପରି ଚରମ ବିଭୀଷିକା । କିଏ ତାକୁ ପ୍ରାର୍ଥନା କରେନା, ସେ ଏକା । ଜୀବନ ତା’ର ଶୂନ୍ୟ ହାହାକାର । ହୃଦୟରେ ଅନ୍ତଗୂଢ଼ ବିସ୍ଫୋଟକର ଯନ୍ତ୍ରଣା, ମସ୍ତିଷ୍କରେ ସୁତ୍ରୀବ ଜ୍ଵାଳା, ଦେହମୟ ପ୍ରଚଣ୍ଡ ପ୍ରଦାହ । ଶାନ୍ତି ନାଇଁ, ସ୍ୱସ୍ତି ନାଇଁ । ପାଗଳ ଭଳି ସେ ଛୁଟିଯାଏ ପୁଷ୍ପିତ ଛାୟା-ବୀଥିକାକୁ–ନିମିଷକରେ ମିଳାଇ ଯାଏଁ ଛାୟା, ଶୁଷ୍କ ହୁଏ ସରିତ୍-ସରୋବର । ବହୁଘାତକ ନୀଳ ଲୋହିତ ଭଳି ଅଭିଶପ୍ତ, ଜ୍ଵାଳାମୟ ତା’ର ଜୀବନ । ରୁଦ୍ର ନୀଳଲୋହିତ–ସେ ଦିନେ ଶାପମୁକ୍ତ ହେଇଥିଲେ, କପାଳ-ମୋଚନ ତୀର୍ଥରେ ପ୍ରେମମୟୀ କପାଳୀଙ୍କ ସ୍ନେହ ସ୍ପର୍ଶରେ ଶାନ୍ତି ପାଇଥିଲେ ସେ । କିନ୍ତୁ ହାୟ, ଅନ୍ତକର ଜୀବନରେ କିଏ ବର୍ଷଣ କରିବ ସୁଧା ଧାରା ? ସୁଧାପାତ୍ର ତା’ର ସ୍ପର୍ଶରେ ଗରଳ ହେଇଯାଏ । ମମତାକୁ ହତ୍ୟା କରିଚି ସେ । କାମନାର ବଜ୍ରାଘାତରେ ସେ ପଙ୍ଗୁ, କାମିନୀର ଅଭିଶାପରେ ସେ ନିଃସଙ୍ଗ । ଜଗତରେ ସୁଦୁର୍ଲଭ ପ୍ରେମ !

 

ରକ୍ତାକ୍ତ ଅନ୍ତର ବିଦୀର୍ଣ୍ଣ କରି ଜାଗେ ଦୀର୍ଘଶ୍ଵାସ, ଜାଗେ ଶୁଷ୍କ କ୍ରନ୍ଦନ । ଅଶ୍ରୁହୀନ କ୍ରନ୍ଦନ-। ବିରାଟ ପାଷାଣ-ଶିଳା ଭଳି ଶୁଷ୍କ ତା’ର ଦେହ । ନିଷ୍ପ୍ରାଣପାଷାଣରେ ଅଭାବ ପ୍ରାଣମୟ ଅଶ୍ରୁ । ସେ ନୀରସ, ଭୈରବ–ନିର୍ଦ୍ଦୟ, ନିଷ୍କରୁଣ ଅଥଚ ଅଶ୍ରୁମୟୀ ପୃଥିବୀ । ଏଇ ତ ଗୃହ ପ୍ରାଙ୍ଗଣରେ କାନ୍ଦୁଚି ଜନନୀ । କି ଆକୁଳଭରା କ୍ରନ୍ଦନ ! କେଉଁଠି ବକ୍ଷରେ କରାଘାତ କରି କାନ୍ଦୁଚି ପିତା–ଶୋକର ଉନ୍ମାଦ ମୂର୍ତ୍ତି । ଏଇ ତ ଶୋକାତୁର ପତି । ଆହା, ଶୋକାତୁର ପତ୍ନୀ–ଅଶ୍ରୁରେ ବିଧୌତ ସିନ୍ଥାର ସିନ୍ଦୂର । ଅଶ୍ରୁର କି ଶେଷ ନାଇଁ ? ନିଖିଳ ବିଶ୍ଵରେ ଉତ୍ତାଳ ଅଶ୍ରୁ-ସିନ୍ଧୁ । ଅସହ୍ୟ ମନେହୁଏ ଅନ୍ତକର । ଅସ୍ଥିର ହେଇ ଉଠେ ସେ । ସେ ହିଁ ତ ଅବାରିତ କରିଚି ଅଶ୍ରୁର ଉତ୍ସ । ନିଜେ ଅଶ୍ରୁହୀନ, କିନ୍ତୁ ଜଗତ୍ ପାରାବାରରେ ଅଶ୍ରୁର ପ୍ଳାବନ ତା’ରହିଁ ସୃଷ୍ଟି । କଠିନ ଦାୟିତ୍ଵଭାର କରି ଅର୍ପଣ କରି ଅଭିଶାପ ଦେଇଚନ୍ତି ବିଧାତା ପୁରୁଷ ।

 

ବିଷତିକ୍ତ ସଂସାର । ସଂସାରରେ ଅପାଂକ୍ତେୟ ସେ । ଅନ୍ତ୍ୟଜ ଭଳି ସେ ଆସି ଠିଆ ହୁଏ ଶ୍ମଶାନ ପ୍ରାନ୍ତରେ । ଧୀରେ ପ୍ରଦୋଷର ଛାୟା ନଇଁ ଆସେ । ଏପରି ଭାବରେହିଁ ଆଲୋକ ଜଗତରେ ଓହ୍ଲାଏ ମୃତ୍ୟୁର ସ୍ତବ୍ଧ ଯବନିକା । ଅଦୂରରେ ଶ୍ମଶାନ–ମୃତ୍ୟୁର ନିର୍ମମ ବିଜୟକୀର୍ତ୍ତି । ସ୍ଥିରଦୃଷ୍ଟିରେ ସେ ଦିଗକୁ ଚାହିଁ ରହେ ଅନ୍ତକ । ଲହଲହ ହେଇ ଜଳୁଚି ଊର୍ଦ୍ଧ୍ଵଶିଖ ଅଗ୍ନି–ତା’ର ଜୟଧ୍ଵଜା । ଚିତ୍କାର କରୁଚନ୍ତି ଅସଂଖ୍ୟ ଶିବା–ତା’ର ଜୟଧ୍ଵନି । ସହସା ଶିହରି ଉଠେ ଅନ୍ତକ । ବିଜୟର ଆଶୀର୍ବାଦ ନୁହେଁ, ବଞ୍ଚିତର ଅଭିଶାପ ଯେପରି ରୂପ ଧରିଚି ଅନ୍ଧକାର ଶ୍ମଶାନରେ । ଅନ୍ଧକାର ଯେପରି ରାକ୍ଷସ ଭଳି କରାଳ ଗ୍ରାସ ବିସ୍ତାର କରିଚି । ରକ୍ତନୟନ ମେଲି ଚାହିଁଚି ତ୍ରବ୍ୟାଦ ଚିତାଗ୍ନି–କାହାର ରକ୍ତଚକ୍ଷୁ ଯେପରି । ସହସ୍ର ଶିବାର ଚିତ୍କାର ଯେପରି ଉନ୍ମତ୍ତ ପ୍ରତିହିଂସାର ଗର୍ଜନ ।

 

ଅଭିଶାପ ! ଅଭିଶାପ ଯେପରି ତୁରନ୍ତ ଗତିରେ ଛୁଟି ଆସୁଚି ଅନ୍ତକ ଅଭିମୁଖେ । ବ୍ରହ୍ମାଙ୍କ ଅଭିଶାପ, ସହୋଦରାର ଅଭିଶାପ, ସ୍ଵଜନବିରହିତ ଆତ୍ମୀୟଙ୍କ ଅଭିଶାପ । ଅଭିଶାପ ବାଣୀ ଉଚ୍ଚାରଣ କରିଚନ୍ତି ସୃଷ୍ଟିର ସକଳ ସ୍ନେହ-ସମ୍ପର୍କ–ମାତା, ପିତା, ଭ୍ରାତା, ଭଗ୍ନୀ । ଅବୁଝା, ଅନାଥ ଶିଶୁ ଉଚ୍ଚକଣ୍ଠରେ ଦାରୁଣ ଅଭିଶାପ ଉଚ୍ଚାରଣ କରୁଚି । ଚିତାଗ୍ନିର ହାହା ଶ୍ଵାସରେ ଅଭିଶାପ, ଶିବା କଣ୍ଠରେ ଧ୍ଵନିତ ଅଭିଶାପ, ବାୟୁରେ ପ୍ରତିଧ୍ଵନିତ ଅଭିଶାପ । ନିଖିଳ ବିଶ୍ଵର ମର୍ମରୁ ଉଚ୍ଚାରିତ ଭୟାବହ ଅଭିଶାପ । ପଳାୟନର ପଥ ପାଏନି ଅନ୍ତଜ । ରୋମହର୍ଷକ ଭୀତି ! ଶିହରିତ ଆପାଦମସ୍ତକ । ଆଶ୍ରୟ କେଉଁଠି ?

 

ସମ୍ମୁଖରେ ସେଇ ଗୃହାହିତ ପଥ । ପାଗଳ ଭଳି ତ୍ରସ୍ତରେ ସେ ସେଇ ରନ୍ଧ୍ର ପଥରେ ପଦକ୍ଷେପ କରେ ।

 

ଅନ୍ଧକାର–ନିବିଡ଼ ଅକ୍ଷକାର । ଅନ୍ଧକାରରେ ଆଜି ଆତଙ୍କଗ୍ରସ୍ତ ଅନ୍ତକ । ପରିଚିତ ପଥ, ତଥାପି ସର୍ବାଙ୍ଗରେ କିପରି ଏକ ଅଜ୍ଞାତ ଆଶଙ୍କାର ଅନୁଭୂତି । ଅନ୍ଧକାରର ବକ୍ଷ ବିଦୀର୍ଣ୍ଣ କରି ଯେପରି ଉଠୁଚି ବିକଟ, ଅଶାନ୍ତ ଚିତ୍କାର–ଚିତ୍କାର ଉଠୁଚି ରନ୍ଧ୍ର ହୀନ, ନିସ୍ତବ୍ଧ ଗୁହା ପଥରୁ । ଅଭିଶାପ ଦେଉଚି କି ପ୍ରିୟତମ ବାନ୍ଧବ ? ଅଭିଶାପ ଦେଉଚନ୍ତି କି କୋଟି କୋଟି ଅଙ୍ଗୁଷ୍ଠପ୍ରମାଣ ସତ୍ତା ? ସଭୟେ, ଊର୍ଦ୍ଧ୍ଵଶ୍ଵାସରେ ଛୁଟି ଚାଲେ ଅନ୍ତକ–ବଜ୍ର ଭୟରେ ଯେପରି ଦ୍ରୁତ ଛୁଟି ଚାଲେ ବିଶାଳ ମନ୍ଦର; ଅଙ୍କୁଶ ତାଡ଼ିତ ଐରାବତ ଯେପରି ଉନ୍ମାଦ ଭଳି ଛୁଟି ଚାଲେ । ଆତଙ୍କଗ୍ରସ୍ତ ଭୀଷଣ ମୌନ, ପ୍ରଚଣ୍ଡ ତା’ର ଗତି । ପଶ୍ଚାତ୍‍ରେ ପଡ଼ି ରହେ ସଂସାର, ପଡ଼ି ରହେ ଗହନ ଗୁହାପଥ, ପଡ଼ି ରହେ ବିଶାଳ ସଂଯମନୀ ପୁରୀ । ଅନ୍ଧ ଉନ୍ମାଦ ଭଳି ସେ ଆସି ଉପସ୍ଥିତ ହୁଏ ସେଇ ଶାଶ୍ଵତୀ ଶୁକ୍ଳ–କୃଷ୍ଣ ଗତି ପଥର, ସଂଯୋଗ ସ୍ଥଳରେ ।

 

ଭୟ ଦୂର ହୁଏ, କିନ୍ତୁ ହାହା କରି ଉଠେ ସମଗ୍ର ଅନ୍ତରାତ୍ମା I ଊର୍ଦ୍ଧ୍ୱରେ ନଭୋମଣ୍ଡଳରେ ସେଇ ତ ଦେବଯାନ, ଅର୍ଚିରଭିମାନୀ ଦେବଲୋକର ପଥ । ଅମୃତ ଓ ଅଭୟର ଆଶୀର୍ବାଦ । ସହସ୍ର ଧାରାରେ ଝରି ପଡ଼ୁଚି ଅଜସ୍ର ଆଲୋକର ଧାରା । ଜ୍ୟୋତିର ତରଙ୍ଗରେ ସଙ୍ଗୀତ-ମୁଖର ଉତ୍ତରାୟଣ । କିନ୍ତୁ ସେ ?

 

ଆଲୋକର ଆଘାତରେ କମ୍ପିତ ହେଉଚି କି ପାଷାଣ ଶିଳା ? କମ୍ପୁଚି କି ଅନ୍ଧ ଗୁହାର ପାଷାଣ ଆବୃତ ନିର୍ଝର ? ବୁକୁ ଭିତରେ କାହାର ଯେପରି ଅଶାନ୍ତ କମ୍ପନ !

 

ଏ କ’ଣ ! ଶୁଷ୍କ ପାଷାଣ ଦେହରେ ଜଳ ସଞ୍ଚାର କଲା କିଏ ? ଅନ୍ତକର ନୟନରେ ଅଶ୍ରୁ-। ଶୁଷ୍କ ନୟନରେ ପ୍ରାଣର ମୁକ୍ତଧାରା ! ସେ କେବେ କାନ୍ଦିନି । ଆଜି କାନ୍ଦୁଚି–ନିର୍ମୋହ, ନିର୍ମମ, ନିଦାରୁଣ–ମୃତ୍ୟୁ; ଅଶ୍ରୁର ଉତ୍ସ ଯେପରି ମୁକ୍ତ ହେଇ ଯାଇଚି । ଦୁଇ ନୟନ ବହି ପ୍ରବାହିତ ହେଉଚି ସ୍ଵର୍ଗ ଗଙ୍ଗାର ସୁଶୁଭ୍ର ମୁକ୍ତାଧାରା । ନିର୍ନିମେଷ ନୟନରେ ଅନ୍ତକ ଚାହିଁ ରହେ ସେଇ ନୟନ-ଧାରା ପ୍ରତି । ଅଞ୍ଜଳି ପୂର୍ଣ୍ଣ କରି ସେ ଧରି ରଖିବାକୁ ଚାହେଁ ପ୍ରାଣର ଏଇ ସଞ୍ଜୀବନୀ ସୁଧା । କିନ୍ତୁ ପାରେନି-। ବଦ୍ଧାଞ୍ଜଳିରୁ ଉଚ୍ଛୁଳି ସେ ଅଶ୍ରୁଧାରା ସଂଯମନୀ ପୁରୀ ଅତିକ୍ରମ କରେ–ଅନନ୍ତ ଅନ୍ଧକାରମୟ ଗହନ ଗୁହାପଥ ଅତିକ୍ରମ କରି ମୁକ୍ତ ଅଶ୍ରୁଧାରା କଳକଳ ଶବ୍ଦରେ ବିସ୍ତୃତ ହୁଏ ମର୍ତ୍ତ୍ୟରେ । ଅଭିଶପ୍ତ ମୃତ୍ୟୁର ଅଶାନ୍ତ ଅଶ୍ରୁ ଉଚ୍ଛ୍ଵାସରେ ପୂର୍ଣ୍ଣ ହୁଏ, ପ୍ଳାବିତ ହୁଏ ଧରାତଳ-। ଶୁଷ୍କ ବକ୍ଷର ଏହି ଅଶ୍ରୁହିଁ ମୃତ୍ୟୁର ଅଭିଶାପ ମୋଚନ କରିଚି । ବିଧାତା କହିଥିଲେ, ଏଇ ଅଶ୍ରୁ ଭୟଙ୍କର ବ୍ୟାଧି ରୂପରେ ଜୀବକୁ ଆକ୍ରମଣ କରିବ । ବ୍ୟାଧିର ଆକ୍ରମଣରେହିଁ ନିର୍ଜୀବ ହେବ ଜୀବକୁଳ-। ମଣିଷ ବ୍ୟାଧିକୁହିଁ ଅଭିଶାପ ଦେବ, ମୃତ୍ୟୁକୁ ନୁହେଁ । କିନ୍ତୁ ସତରେ ଅଭିଶାପମୁକ୍ତ ହେଇଚି କି ଅନ୍ତକ ? ମୃତ୍ୟୁର ତପ୍ତ ଅଶ୍ରୁ କି ରୋଧ କରି ପାରିଚି ବିଶ୍ଵର ଅଶ୍ରୁ-ଅଭିଶାପ ? ଭୀଷଣ ରହସ୍ୟମୟ ସେଇ ଛାୟା ଦେହକୁ ପ୍ରିୟ ବୋଲି କି ଗ୍ରହଣ କରିଚି କିଏ ?

 

ଅଲକ୍ଷ୍ୟଚାରୀ ମୃତ୍ୟୁ ଆଜି ସୁଦ୍ଧା ଅଭିଶପ୍ତ, ଆଜି ମଧ୍ୟ ଅବାଞ୍ଛିତ, ଆଜିବି ଏକା । ମୃତ୍ୟୁ ବିଭୀଷିକା, ମୃତ୍ୟୁ ଅନନ୍ତ ମୌନ, ମୃତ୍ୟୁ ବିରାଟ ରହସ୍ୟ । *

 

* ସ୍ତ୍ରୀରୂପିଣୀ ମୃତ୍ୟୁର କାହାଣୀ ଅଛି ମହାଭାରତ ଶାନ୍ତି ପର୍ବରେ । ଏଇଠି ମୃତ୍ୟୁକୁ ପୁରୁଷ ରୂପରେ କଳ୍ପନା କରାହେଇଚି । ମମତା-ମୃତ୍ୟୁ କାହାଣୀ ରୂପକ ।

★★★

 

ସ୍ମୃତିହରା

 

ଅନ୍ଧକାର ନିଶୀଥ ରାତ୍ରି । ବିଶାଳ, ନିର୍ଜନ ପ୍ରାନ୍ତରରେ ଦିଗ୍‍ଭ୍ରାନ୍ତ ପଥଚାରୀ । କେଉଁ ଦୂର ଜଳାଭୂମିରେ ଜଳି ଉଠିଚି ଆଲେୟା–ଆଲୋକର ମାୟା । ଦ୍ରୁତ ଅଗ୍ରସର ହେଉଚି ଭୟାର୍ତ୍ତ, ଭ୍ରାନ୍ତ ପଥିକ । ତା’ର ନେତ୍ରରେ ଆଶାର ନିଶା । ଦୂରରେ, ବହୁଦୂରରେ ମିଳାଇଯାଉଚି ଆଲୋକ । ବିଭ୍ରମବତୀ ଆଲେୟା ଭୁଲାଇ ସର୍ବନାଶ କରୁଚି ପଥିକର ।

 

ଉତ୍ତପ୍ତ ମଧ୍ୟାହ୍ନର ଦଗ୍ଧ ମରୁଭୂମି । ପ୍ରଚଣ୍ଡ ସୂର୍ଯ୍ୟର ଦହନରେ ଧୂଧୂ କରୁଚି ବାଲୁକା । ତାପିତ, ତୃଷ୍ଣାର୍ତ୍ତ ମରୁଯାତ୍ରୀ–

 

କଶାହତ ଉଚୈଃଶ୍ରବା ଯେପରି, ଯେପରି ଅଙ୍କୁଶ-ତାଡ଼ିତ ଐରାବତ । ସହସା ତା’ର ନୟନ ସମ୍ମୁଖରେ ଭାସି ଉଠିଲା ମରୀଚିକା–

 

ମରୁର ମାୟା । ନୟନ-ବିମୋହନ ମରୁଦ୍ୟାନ–ଶୀତଳ ଛାୟାତରୁ, ସ୍ୱଚ୍ଛ ସରସୀ-ନୀର-। ଦ୍ରୁତ ବେଗରେ ଚାଲିଲା ତୃଷିତ ପାନ୍ଥ ।

 

ହାୟ ! ଦୂରରେ–ଆହୁରି ଦୂରରେ ମିଳାଇ ଗଲା ମରୀଚିକା । ଅଦ୍ଭୁତ ଏ ଭ୍ରାନ୍ତି ।

 

ନନ୍ଦନବନ ସମ ପଞ୍ଚବଟୀ । ରାଜପୁତ୍ର, ରାଜବଧୂ ଆସିଚନ୍ତି ନିର୍ବାସନରେ । ଜୀବନରେ ଦୁଃଖ ନାଇଁ ସେମାନଙ୍କର । ବନ ଯେପରି ପ୍ରଜାପୂର୍ଣ୍ଣ ଜନପଦ । ସୁଖର ସଂସାର । ସେମାନଙ୍କରବି ଭ୍ରାନ୍ତି । ସଜୀବ ସୁନାର ହରିଣ ଆସିଚି ବଣକୁ । କି ଅଭିରାମ ସ୍ଵର୍ଣ୍ଣାଜିନ ! କି ସୁନ୍ଦର ସ୍ୱର୍ଣ୍ଣଶୃଙ୍ଗ ! ବଧୂର ପ୍ରାର୍ଥନାରେ ମୃଗ ପ୍ରତି ଧାବିତ ହେଲେ ୠଷିବେଶୀ ରାଜପୁତ୍ର । ହାୟ ମାୟା ! ସ୍ୱର୍ଣ୍ଣମୃଗ–ସେ କି ସତ୍ୟ ? ତଥାପି ଭ୍ରାନ୍ତି ହେଲେ ନରରୂପୀ ନାରାୟଣ ।

 

କିଏ ଏଇ ମୋହିନୀ, ଯା’ର ମାୟାରେ ତ୍ରିଭୁବନ ମୋହିତ ? କିଏ ଏଇ ନିକୃତି-ନିପୁଣା ଯିଏ ପ୍ରତି ମୁହୂର୍ତ୍ତରେ ଛଳନା କରି ନିଶ୍ଚିତ ଧ୍ଵଂସ ମୁଖକୁ ଟାଣି ନେଇଯାଏ ମଣିଷକୁ ? ଆଲେୟା ଭଳି ରୂପସୀ, ମୃଗତୃଷ୍ଣିକା ଭଳି ମାୟାବିନୀ–କିଏ ଏଇ ବିଭ୍ରମବତୀ, ଯିଏ ସ୍ମୃତିକୁ ନିମେଷକରେ ଡୁବାଇ ଦିଏ ବିସ୍ମୃତିର ଅତଳ ସାଗରରେ ?

 

ନାମ ତା’ର ‘ସ୍ମୃତିହରା’ । ସୃଷ୍ଟିର ପ୍ରଥମ ଲଗ୍ନରୁ ବିଶ୍ଵର ସ୍ମୃତି ହରଣ କରୁଚି ସେ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ, ସଂସାରୀ ଉପରେ ବିସ୍ତୃତ ତା’ର ଭୀଷଣ ମାୟାଜାଲ । ଭୟଙ୍କରୀ ସେ, ସ୍ମୃତିର ପ୍ରଳୟଙ୍କରୀ । ବିଷକନ୍ୟା ଭଳି ବିଭ୍ରମବତୀ ।

 

ଶୁକ୍ର-ଶୋଣିତରେ, ମାତୃଗର୍ଭରେ ସୃଷ୍ଟି ହୁଏ ଜୀବସତ୍ତାର ବିଜାଙ୍କୁର । କ୍ରମେ ଗଠିତ ହୁଏ ଅଙ୍ଗପଞ୍ଚକ, ଉପାଙ୍ଗ । ଉଦ୍ଭବ କୋଷରେ ବର୍ଦ୍ଧମାନ ସତ୍ତା–ପୂର୍ବଜନ୍ମର ସଂସ୍କାର ଓ ସ୍ମୃତିର ଗୋଟିଏ ବୁଦ୍‍ବୁଦ୍–ଅନୁଭୂତି ପ୍ରବଣ, ସମ୍ବେଦନଶୀଳ ।

 

ଗର୍ଭବାସ ଯନ୍ତ୍ରଣାରେ କାତର ସେ, ପ୍ରତିଜ୍ଞା କରେ–ଆଉ ଦୁଷ୍କର୍ମ ନୁହେଁ, ଏ ଜନ୍ମରେ ସୁକୃତି ଅର୍ଜନ କରିବ, ସୁଗତି ଲାଭ କରିବ । ସହସା ସୂତିମାରୁତ ତାକୁ ଆକର୍ଷଣ କରେ, ଅଧଃଶିରାରେ ନିଷ୍କ୍ର।ନ୍ତ ହୁଏ ଜୀବ । ଜନ୍ମମାତ୍ରେ ଅଲକ୍ଷ୍ୟରେ ଆସେ ସ୍ମତିହରା, ମୁହୂର୍ତ୍ତକରେ ଆଚ୍ଛନ୍ନ କରେ ଗର୍ଭସ୍ମୃତି । କାହିଁ ଜୀବର ଜ୍ଞାନ ? କାହିଁ ତା’ର କଲ୍ୟାଣୀ ଇଚ୍ଛା ? ‘ବିସ୍ମୃତଂ ସକଳଂ ଜ୍ଞାନଂ ଗର୍ଭେ ଯଶ୍ଚିନ୍ତିଂତଂ ହୃଦି’ । ଭ୍ରଷ୍ଟ-ସ୍ମୃତି, ମୋହଗ୍ରସ୍ତ ଜୀବ ପୁନର୍ବାର ସଂସାର-ମାୟାରେ ବଦ୍ଧ ହୁଏ । ପୁଣି କାମ, ପୁଣି କ୍ରୋଧ, ପୁଣି ପଞ୍ଚେନ୍ଦ୍ରିୟ, ଷଡ଼ରିପୁର ତାଡ଼ନା । ଏପରି କୈଶୋର, ପୌଗଣ୍ଡ, ଯୌବନ ଓ ବାର୍ଦ୍ଧକ୍ୟ–ଜୀବନସାରା ଚାଲେ ସ୍ମତିହରାରଲୀଳା । ତା’ର ପରେ ଜୀବ ଉପସ୍ଥିତ ହୁଏ ମୃତ୍ୟୁର ଦ୍ଵାରରେ । ସେତେବେଳେ ମଧ୍ୟ ଅପୂର୍ବ ମୋହିନୀ ବେଶରେ ଆସେ ମୃତ୍ୟୁଦୂତୀ ସ୍ମୃତିହରା-। ପଶ୍ଚାତ୍‍ରେ ପ୍ରିୟଜନଙ୍କ କରୁଣ କ୍ରନ୍ଦନ, ସମ୍ମୁଖରେ ବିଭ୍ରମବତୀ ସ୍ମୃତିହରାର ରୂପମାୟା-। ଅଲକ୍ଷ୍ୟ ଶକ୍ତି ବିସ୍ତାର କରି ସେ ସ୍ମତି ଆକର୍ଷଣ କରେ । ଚେତନା ଶୂନ୍ୟ ଜୀବ ମୂର୍ଚ୍ଛିତ ହୁଏ; ବୁଝି ମଧ୍ୟ ପାରେନା କିଏ କାନ୍ଦୁଚି, କିଏ ଆକର୍ଷଣ କରୁଚି । ତା’ରପରେ ଧୀରେ ମୃତ୍ୟୁ କୋଳରେ ଢଳି ପଡ଼େ-। ଆଶ୍ଚର୍ଯ୍ୟ ସେ ସ୍ମତି ବିଲୋପ !

 

ଅତି ଭୀଷଣ ସ୍ମୃତିହରାର ଉନ୍ମାଦନା । ଉନ୍ମାଦିନୀ ଭଳି ସେ ଜ୍ଞାନଶୂନ୍ୟା । ତା’ର ନିଜର ସ୍ମୃତିଭ୍ରଂଶତା ଆହୁରି ଶୋଚନୀୟ । ଅଥଚ ସେ ରୂପସୀ । ଆଲେୟା ଭଳି, ମରୀଚିକା ଭଳି, ସ୍ଵର୍ଣ୍ଣଶୃଙ୍ଗ ଭଳି ତା’ର ବିଭ୍ରାନ୍ତିକର ରୂପ । ଅବଶ୍ୟ ରୂପର ସେ ଜ୍ୟୋତି ଆଜି ଆଉ ନାଇଁ । ତଥାପି ଯେତିକି ଅବଶିଷ୍ଟ ଅଛି, ଚୁମ୍ବକ ଭଳି ତା’ର ଆକର୍ଷଣ । ଆଜି ତା’ର କଟାକ୍ଷ କ୍ରୂର, ଜଟା ଭଳି କୁଟିଳ କେଶ, ରକ୍ତାକ୍ତ କ୍ଷତବିକ୍ଷତ ଦନ୍ତପଂକ୍ତି, ଅଭିକ୍ଷତ ଅଲକ୍ତ ସମ ଚରଣ । ଆଜି ଉଗ୍ରା ଭୈରବୀ ଭଳି ସେ ଭୀଷଣା । ତଥାପି ବେଳେବେଳେ ଝଲକି ଉଠେ ସେଇ ରହସ୍ୟମୟୀର ରୂପ, ଚପଳା ଭଳି ଚକିତେ ଚମକ ଦିଏ ସେଇ ମୋହିନୀ ହାସ । ମଣିଷ ମୋହଗ୍ରସ୍ତ ହୁଏ ତା’ରହିଁ ମାୟାରେ ।

 

ରୂପର ଏ ବିପର୍ଯ୍ୟୟ କାହିଁକି ? ଭୁବନମୋହିନୀ ସୌନ୍ଦର୍ଯ୍ୟର ଏ ଶୋଚନୀୟ ପରିଣାମ କାହିଁକି ? ନୟନରେ ଉଜ୍ଜ୍ୱଳ ଦୀପ୍ତି, ସ୍ୱରବତୀ ହୃଦୟ-ତନ୍ତ୍ରୀ କି ତା’ର ନଥିଲା ? କିପରି ଲିଭିଲା ସେ ନୀଳ ନୟନର ଜ୍ୟୋତି ଆଉ ଆସିଲା ଆଲେୟାର ପାଣ୍ଡୁରତା ? କାହାର କଠୋର ଆଘାତରେ ଛିନ୍ନ ହେଲା ହୃଦୟ-ବୀଣାର ତାର ?

 

ସେ ଏକ ଲୋକ-ବିଶ୍ରୁତ, ସକରୁଣ, ପୁରାଣ କାହାଣୀ :

 

କମଳଯୋନି ବ୍ରହ୍ମାଙ୍କର ସତ୍ତ୍ଵଗୁଣାତ୍ମକ କଳେବରରୁ ଉତ୍ପନ୍ନ ହେଇଚନ୍ତି ସତ୍ତ୍ଵଗୁଣାଧାର ଧର୍ମ, ଧର୍ମପ୍ରଭବ

 

ଦେବ-ଦେବୀ, ଋଷି । ତାଙ୍କର ତମୋମାତ୍ରାତ୍ମିକା ତନୁରୁ ସୃଷ୍ଟି ହେଇଚନ୍ତି ମହାମୋହ ଅଧର୍ମ, ଅଧର୍ମପ୍ରଭବ କ୍ଷୁତ୍କାମ ଅନାସୃଷ୍ଟି; ହିଂସା, କ୍ରୂରତା, ମିଥ୍ୟାମତି, ଦୁଃଖ, ଭୟବେଦନା–ବିଶ୍ଵର ବିଭୀଷିକା ଏମାନେ । ଏଇ ବଂଶରହିଁ ଆଉ ଏକ ଲୋକତ୍ରାସ ସନ୍ତାନ ‘ଦୁଃସହ ।’

 

ଦୁଃସହ ଚିର କ୍ଷୁଧାତୁର, ଚିର ଅଧୋମୁଖ, ଚିର ଅସହିଷ୍ଣୁ । ପ୍ରଚଣ୍ଡ ଧର୍ମବୈରୀ ସେ । ତା’ର ଭାର୍ଯ୍ୟା ‘ନିର୍ମାଷ୍ଟି’ । ନିର୍ମାଷ୍ଟି ଯମଦୁହିତା । ଯେପରି କୁଟିଳା, ସେପରି ଭୟଙ୍କରୀ । ଏଇ ଦୁଃସହ ନିର୍ମାଷ୍ଟିର ଷୋଡ଼ଶ ସନ୍ତାନ–ଅଷ୍ଟପୁତ୍ର, ଅଷ୍ଟ କନ୍ୟା । ‘ତଥୋକ୍ତି’, ‘ପରିବତି’ ‘ଅଙ୍ଗଧୂକ୍’ ପ୍ରମୁଖ ପୁତ୍ର ଅତି ଭୀଷଣ; ଜଗତର ଅମଙ୍ଗଳର ନିଦାନ । ‘ନିୟୋଜିକା,’ ‘ଭ୍ରାମଣୀ,’ ‘ସ୍ୱୟଂହାରିକା’ ପ୍ରଭୃତି କନ୍ୟା ବିଶ୍ୱବିଭୀଷିକା । ବିନାଶକାଳରେ ଜୀବକୁ ଏମାନେହିଁ ଆକ୍ରମଣ କରନ୍ତି, ଅଧର୍ମ ସଙ୍ଗେ ଯୁକ୍ତ କରି ପ୍ରାଣୀକୁ ମୃତ୍ୟୁ ପଥରେ ଟାଣି ନେଇଯାନ୍ତି । ଦୁଃସହର ପ୍ରତ୍ୟେକ ସନ୍ତାନ ସାକ୍ଷାତ ମୃତ୍ୟୁଦୂତ ଓ ମୃତ୍ୟୁଦୂତୀ । ଦୌଃସହଗଣଙ୍କ ଦୌରାତ୍ମ୍ୟରେ ବ୍ୟାପ୍ତ ନିଖିଳ ଜଗତ ।

 

ସେହି ଦୁଃସହ-ନିର୍ମାଷ୍ଟିର ଅନ୍ୟତମା ନନ୍ଦିନୀ ସ୍ମତିହରା । ନିଖିଳ ମଣିଷର ଦୁଃଖର କାରଣ ସେ । ସେ କାମଗତି, କାମଚାରିଣୀ, ଛଳନାମୟୀ । ସେ ବିଦ୍ଵେଷିଣୀ–ବିଶ୍ଵ ବକ୍ଷରେ ଦାରୁଣ ଅକ୍ଷମା । ସ୍ମୃତିର ପ୍ରଳୟ ସୃଷ୍ଟିରେ ସେ ଅଦ୍ଵିତୀୟା ।

 

କିନ୍ତୁ ଆକୃତି ଦିଗରୁ ଦୁଃସହ କୁଳରେ ଆଶ୍ଚର୍ଯ୍ୟ ବ୍ୟତିକ୍ରମ ସ୍ମୃତିହରା । ଅଦ୍ଭୁତ ତା’ର ରୂପ । ସନ୍ଧ୍ୟାର ଅନ୍ଧକାରରେ ରୂପ ସମୁଦିତ ଗୋଟିଏ ମାତ୍ର ସନ୍ଧ୍ୟାତାରା ଯେପରି, ପ୍ରଳୟ ରାତ୍ରିରେ ରୂପଚଞ୍ଚଳା ଚପଳା ଯେପରି, ତମୋମୟ ତାମସକୁଳରେ ସେପରି ରୂପ ଏ କନ୍ୟାର । ମନୋହରା ସ୍ମୃତିହରା ତମିସ୍ରାର ରୂପଶିଖା ଯେପରି ।

 

କୃଷ୍ଣକାୟ ମିଥୁନ ସମାଜକୁ କେଉଁଠୁଁ ଆସିଲା ଏ ପ୍ରଭାତରଳ ଜ୍ୟୋତି–ଭାବିଭାବି କୁଳ ପାଆନ୍ତିନି ମାତାପିତା । ଏ ଯେ ସୌନ୍ଦର୍ଯ୍ୟଲକ୍ଷ୍ମୀର ଚୋରିକରା ଅଙ୍ଗକାନ୍ତି । ନୟନରେ ସୁରାଙ୍ଗନାର ସ୍ନିଗ୍ଧ ଦୀପ୍ତି, ଭ୍ରୂବିଳାସରେ ସ୍ଵରପସରୀର ଭଙ୍ଗୀ, ଅଙ୍ଗେ ଅଙ୍ଗେ ବିଦ୍ୟାଧରୀର ଲାସ୍ୟ । ରୁଚିରା ସ୍ଵର୍ଗଶ୍ରୀ ଶାପଭ୍ରଷ୍ଟା ହେଇ ଅଧର୍ମ ବଂଶକୁ ଆସିଚି ସତେ ଅବା ! ଥରୁଟିଏ ଦେଖିଲେ ସେ କାନ୍ତିଚ୍ଛଟା ନୟନ ମୋହିତ କରେ, ଦେହରେ ଜଗାଏ ଉନ୍ମାଦନା । ପରମୁହୂର୍ତ୍ତରେହିଁ ସ୍ତମ୍ଭିତ ହୁଏ ମନ, ଲୁପ୍ତହୁଏ ସ୍ମୃତିର ସୂତ୍ର । ସମସ୍ତେ ଆଦରଭରେ ତାକୁ ଡାକନ୍ତି ବିଭ୍ରମବତୀ, ଉନ୍ମାଦିନୀ । ସାର୍ଥକ ତା’ର ସ୍ମୃତିହରା ନାମ ।

 

‘ଯୋଗ୍ୟଂ ଯୋଗ୍ୟେନ ଯୋଜୟେତ୍’–ଭାବେ ଦୁଷ୍ଟମତି ଦୁଃସହ । କିନ୍ତୁ ତା’ର ରାଜ୍ୟରେ କାହିଁ ସେପରି ଯୋଗ୍ୟ ପାତ୍ର ? କୁରୂପ, କଦାକାର, ଭୀଷଣଦର୍ଶନ ପ୍ରଜାରେ ପୂର୍ଣ୍ଣ ଅଧର୍ମର କୁଳ–କିଏ ବିକଳାଙ୍ଗ ତ କିଏ ବିକୃତ । ସୁନ୍ଦରଦର୍ଶନ ପୁରୁଷ ଧର୍ମରାଜ୍ୟର ଅଧିବାସୀ । ଯେପରି ଶୁଦ୍ଧ ସେମାନଙ୍କର ଅନ୍ତର, ସେପରି ନୟନମୋହନ ରୂପ–ସ୍ୱଚ୍ଛ ଦର୍ପଣରେ ପ୍ରତିବିମ୍ବିତ ସୁନ୍ଦର ପ୍ରତିକୃତି ଯେପରି ।

 

ଅନେକ ଚିନ୍ତା କରିବା ପରେ ଦୁଃସହ ଯାଇ ଉପସ୍ଥିତ ହେଲା ରାଜା ଉଶୀନର ଶିବିପୁତ୍ର ସଭାରେ । ତ୍ୟାଗଶୁଦ୍ଧ, ନିର୍ମଳ ଶିବିବଂଶ, ଦାନଧର୍ମରେ ପ୍ରତିଷ୍ଠିତ ଉଶୀନର କୁଳ । ଶିବିପୁତ୍ର ନିଜେ ଯେପରି ଧର୍ମଶୀଳ, ସେପରି ରୂପବାନ । ଅଶ୍ୱିନୀକୁମାରଙ୍କ ଭଲି ତାଙ୍କର ରୂପ, ଶଶାଙ୍କ ସଦୃଶ କାନ୍ତି । ଦୁଃସହ ଭାବିଲା, ରୂପବାନ୍ ଅବଶ୍ୟହିଁ ରୂପର ମର୍ଯ୍ୟଦା ରକ୍ଷା କରିବେ । ସୁତରାଂ ରାଜାଙ୍କୁ ଉଦ୍ଦେଶ୍ୟ କରି ସେ କହିଲା, ‘ମୋର ବଂଶରେ କମଳାକ୍ଷୀ କମଳାଙ୍କ ଭଲି ପ୍ରସ୍ଫୁଟିତ ହେଇଚି ଗୋଟିଏ କମଳିନୀ । ନାମ ତା’ର ସ୍ମୃତିହରା । ରାଜରାଜେଶ୍ଵରୀ ଭଳି ରୂପ–ରାଜ ଭୋଗରହିଁ ଯୋଗ୍ୟା । ତା’ର ଲକ୍ଷଣ ପରୀକ୍ଷା କରି ଆପଣ ତାକୁ ଗ୍ରହଣ କରନ୍ତୁ ।’

 

ଯୋଗ୍ୟକୁ ସମାଦର କରିବା ରାଜାର କର୍ତ୍ତବ୍ୟ–ଭାବିଲେ ଶିବି ଧର୍ମରେ-ପ୍ରତିଷ୍ଠିତ ଉଶୀନର । ପରୀକ୍ଷା ଉଦ୍ଦେଶ୍ୟରେ ସେ କେତେ ଜଣ ଲକ୍ଷଣବିଦ୍ ବ୍ରାହ୍ମଣଙ୍କୁ ପ୍ରେରଣ କଲେ ଦୁଃସହ ଗୃହକୁ ।

 

ଯଥାଯୋଗ୍ୟ ଅଭ୍ୟର୍ଥନାରେ ତ୍ରୁଟି ହେଲାନି । ବ୍ରାହ୍ମଣମାନେ ଉପସ୍ଥିତ ହେଲେ ପରୀକ୍ଷା ପ୍ରକୋଷ୍ଠରେ । ବିଚିତ୍ର ଆସନ, ବିଚିତ୍ର ଭୋଜନପାତ୍ର, ବିବିଧ ଚବ୍ୟ-ଚୋଷ୍ୟ-ଲେହ୍ୟପେୟ ଆହାର୍ଯ୍ୟ । ‘ନୃତ୍ୟନ୍ତି ଭୋଜନେ ବିପ୍ରାଃ ।’ କିନ୍ତୁ ନୃତ୍ୟ କଥା ଭୁଲି ଗଲେ ବ୍ରାହ୍ମଣବର୍ଗ । ଆହାର୍ଯ୍ୟଠାରୁବି ଆକର୍ଷଣୀୟ ଏକ ରୂପ-ପ୍ରତିମା ସେମାନଙ୍କ ସମ୍ମୁଖରେ । ସେ ସ୍ମୃତିହରା, ଦୀପ୍ତ କାଞ୍ଚନ ଭଳି ଅଙ୍ଗ ବର୍ଣ୍ଣ, ପରିଧାନରେ ଶୁଭ୍ର ଚୀନାଂଶୁକ, ଶୁକ୍ର ଅଭ୍ର ଭେଦ କରି ଷୋଡ଼ଶକଳାରେ ପ୍ରକାଶିତ ହୁଏ ପରିପୂର୍ଣ୍ଣ ଚନ୍ଦ୍ର ଯେପରି, ସେପରି ସୂକ୍ଷ୍ମ ରେଶମ ଭେଦ କରି ପୂର୍ଣ୍ଣ ପ୍ରକାଶିତ ନବଯୌବନର ଫୁଲ୍ଲ ସୁଷମା । ସଯତ୍ନ-ଗଠିତ ଅଙ୍ଗରେ ସଯତ୍ନ-ବିନ୍ୟସ୍ତ ଆଭରଣ–ଗୋଟାଏ ରହସ୍ୟମୟ ସ୍ୱପ୍ନ ଯେପରି ।

 

ବିମୁଗ୍ଧ ଲକ୍ଷଣବିଦ୍ ବଟୁବୃନ୍ଦ । ‘ଅହୋ ରୂପମ୍ ଅହୋ ରୂପମ୍’ ଭାବି ଭାବି ସ୍ମୃତିବିଭ୍ରମ ଘଟିଲା ସେମାନଙ୍କର । ବିକଳ ଚିତ୍ତରେ ହାସ୍ୟକର କାଣ୍ଡ କରି ବସିଲେ ସେମାନେ । କିଏ ଆସନ ଭାବି ବସି ପଡ଼ିଲା ଆହାର୍ଯ୍ୟସ୍ଥଳୀରେ, କିଏ ଆହାର୍ଯ୍ୟ ମନେ କରି ଆସନକୁହିଁ ତୋଳି ଧରିଲା ମୁହଁରେ । କାହାର ବା ଆସନରେ ଉପବେଶନ କରିବାକୁ ଯାଇ ହେଲା ପଦସ୍ଖଳନ, କିଏ ବା ‘ପ୍ରାଣାୟ ସ୍ଵାହା’ କହି ଆହାର୍ଯ୍ୟ ଦ୍ରବ୍ୟ ଅର୍ପଣ କଲା ମସ୍ତକରେ ।

 

ଅସ୍ଥିରଚିତ୍ତ ଏଇ ବଟୁବୃନ୍ଦ ପରୀକ୍ଷା କରିବେ ତା’ର ଲକ୍ଷଣ ? ଗୁରୁ ଦନ୍ତପଂକ୍ତି ବିକାଶ କରି, ସଶ୍ଳେଷ ହାସ୍ୟ କରି ଉଠିଲା କୁଟିଳା ସ୍ମୃତିହରା । ଲଜ୍ଜିତ ହେଲେ ଲକ୍ଷଣ-ବିଶାରଦ ବ୍ରାହ୍ମଣ । ପରମୁହୂର୍ତ୍ତରେ କ୍ରୋଧରେ ଆରକ୍ତ ହେଲେ ସେମାନେ । ଅତି ଭୀଷଣ ଅପମାନିତର କ୍ରୋଧ । ସତ୍ୟକୁ ଆଚ୍ଛନ୍ନ କରେ ରୁଦ୍ରରୋଷ । ରାଜାଙ୍କ ନିକଟରେ ଉପସ୍ଥିତ ହେଇ ମିଥ୍ୟା କହିଲେ ସତ୍ୟବାଦୀ ବ୍ରାହ୍ମଣ : ‘ଅପ୍‍ସରୀ ନୁହେଁ, କାଳକର୍ଣ୍ଣୀ ଏକ ଯକ୍ଷୀ । ସାମ୍ରାଜ୍ଞୀ ହେବାର ଯୋଗ୍ୟ ସେ ନୁହେଁ ।

 

ବିନା ବିଚାରରେ ସେମାନଙ୍କ ବାକ୍ୟରେ ଆସ୍ଥା ସ୍ଥାପନ କଲେ ଧର୍ମଭୀରୁ ଉଶୀନର । ନିର୍ଲୋଭ, ସତ୍ୟସନ୍ଧ ବ୍ରାହ୍ମଣ, ସେମାନେ ମିଥ୍ୟା ବା କହିବେ କାହିଁକି ? ଦୁଃସହ ଗୃହକୁ ସମ୍ବାଦ ପ୍ରେରିତ ହେଲା, ସ୍ମୃତିହରାକୁ ଗ୍ରହଣ କରିବା ରାଜାଙ୍କ ପକ୍ଷରେ ସମ୍ଭବ ନୁହେଁ ।

 

କ୍ରୋଧରେ ଉତ୍ତପ୍ତ ହେଲା ସ୍ମୃତିହରା । ଏତେ ଦର୍ପ ରାଜାର ? ସେ କ’ଣ ଏତେ ଭଳି ନିର୍ମୋହ ଯେ ସ୍ମୃତିହରାର ରୂପ ତାଙ୍କ ପାଖରେ ତୁଚ୍ଛ ! ଥରେ ଯଦି ସୁଯୋଗ ମିଳେ, ଦେଖିନେବ ସେ, କେତେ ବଡ଼ ଯତାତ୍ମା ରାଜା ଉଶୀନର । ରୁଷ୍ଟା ହେଇ ରହିଲା ଆହତା ଭୁଜଙ୍ଗିନୀ । ସୁଯୋଗ ପାଇଲେ ସେ ବିଷୋଦ୍‍ଗାର କରିବ ।

 

ଉଶୀନରଙ୍କ ପରମ ବନ୍ଧୁ, ଆବାଲ୍ୟ ସହଚର, ସୁଯୋଗ୍ୟ ସେନାପତି ‘ଅହିପାରକ ।’ ଧର୍ମବୁଦ୍ଧିରେ ଓ କର୍ତ୍ତବ୍ୟରେ ସେ ଅବିଚଳ । ସେ ଶାସ୍ତ୍ର-ପାରଙ୍ଗମ, ଅସ୍ତ୍ରାଭିଜ୍ଞ । ରାଜା ସ୍ମୃତିହରାକୁ ପ୍ରତ୍ୟାଖ୍ୟାନ କରିଚନ୍ତି ଜାଣି ସେ ତାକୁ ବିବାହ କଲା । ରାଜା ଜାଣିଲେନି ଯେ ଆହତା ନାଗୁଣୀ ଆଶ୍ରୟ ପାଇଚି ତାଙ୍କରି ରାଜ୍ୟରେ, ଦଂଶନ କରିବାର ସୁଯୋଗ ଖୋଜୁଚି ସେ । ବନ୍ଧୁବତ୍ସଳ ଅହିପାରକ ମଧ୍ୟ ଜାଣି ପାରେନି ପତ୍ନୀର ଅଭିସନ୍ଧି । ସେ କେବଳ ଜାଣିଚି, ମର୍ମେ ମର୍ମେ ଉପଲବ୍ଧି କରିଚି ଯେ ଆଶ୍ଚର୍ଯ୍ୟ ସ୍ମୃତିହରାର ଉନ୍ମାଦିନୀ ଶକ୍ତି, ଅତିଶୟ ବିଭ୍ରାନ୍ତିକର ତା’ର ରୂପ । ଇଚ୍ଛା କଲେ ଯେକୌଣସି ଲୋକକୁ ସେ ଉନ୍ମାଦ କରି ଦେଇପାରେ ।

 

ସେଦିନ ଶିବି ରାଜ୍ୟରେ କାର୍ତ୍ତିକୀ ପୌର୍ଣ୍ଣମାସୀ ଉତ୍ସବ । ଚନ୍ଦ୍ରିକାସ୍ନାତ, ଆଲୋକ ମାଳାରେ ସଜ୍ଜିତ ସନ୍ଧ୍ୟାରେ, ସେଦିନ ରାଜା ନଗର ପ୍ରଦକ୍ଷିଣ କରନ୍ତି, ଦ୍ଵାରେ ଦ୍ଵାରେ ଉପସ୍ଥିତ ହେଇ ବିତରଣ କରନ୍ତି ଦୃଷ୍ଟି-ପ୍ରସାଦ । ଅହିପାରକ ଘରେ ରହିବାର ଉପାୟ ନାଇଁ–ନଗର ସୀମାନ୍ତରେ ଅତର୍କିତ ଆକ୍ରମଣ ପ୍ରତିହତ କରିବା ଦାୟିତ୍ୱ ତା’ର ଉପରେ । ବହିର୍ଗମନ କାଳରେ ସ୍ତୁତିହରାକୁ ଉଦ୍ଦେଶ୍ୟ କରି ସେ କହିଲା, ‘ଆଜି କାର୍ତ୍ତିକୀ ପୂର୍ଣ୍ଣିମାର ଉତ୍ସବ । ରାଜା ନିଶ୍ଚୟ ମୋର ଗୃହ ଦ୍ଵାରରେ ଉପସ୍ଥିତ ହେବେ । ତୁମେ ତାଙ୍କୁ ଦର୍ଶନ ଦିଅନି ।’

 

‘କାହିଁକି, ଭୟ କ’ଣ ?’

 

‘ଭୟ ତୁମର ଉନ୍ମାଦକର ରୂପର ।’

 

‘ରୂପଜୟୀ ରାଜର୍ଷି ଉଶୀନର । ସେ ନିର୍ମୋହ ।’

 

‘ରାଜର୍ଷି ବିଶ୍ଵାମିତ୍ର ମଧ୍ୟ ନିର୍ମୋହ ଥିଲେ । ତାଙ୍କରବି ପରାଜୟ ହେଇଥିଲା ।’

 

‘ବିଶ୍ଵାମିତ୍ରଙ୍କ ଅପେକ୍ଷା ଅକେୟ ତୁମର ରାଜା, ସେ ନିଷ୍କାମ । ପ୍ରଭୁଭକ୍ତ ସେନାପତିର ସ୍ତ୍ରୀର କର୍ତ୍ତବ୍ୟ ପାଳନ କରିବି ମୁଁ ।’

 

ଚର୍ମଚର୍ମରେ ଆବୃତ ଅହିପାରକ ବହିର୍ଗତ ହେଲା ନିଜ କର୍ତ୍ତବ୍ୟ ପଥରେ । ହାଲୁ ହାଲୁ ଜଳି ଉଠିଲା ସ୍ମୃତିହରାର ହିଂସା କୁଟିଳ ଚକ୍ଷୁ । ପ୍ରତ୍ୟାଖ୍ୟାନର ମର୍ମଜ୍ଵାଳାରେ ଅସ୍ଥିରା ରୂପପ୍ରମତ୍ତା । ଆଜି ପ୍ରତିଶୋଧ ନେବାର ମାହେନ୍ଦ୍ର ଯୋଗ ।

 

ଦାସୀକୁ ନିର୍ଦ୍ଦେଶ ଦେଲା ସେ : ‘ରାଜା ଉପସ୍ଥିତ ହେବାମାତ୍ରେ ସମ୍ବାଦ ଦେବୁ ମତେ ।’ ସ୍ଵଭାବ-ସୁନ୍ଦରୀ ତିଳୋତ୍ତମା ତା’ପରେ ମନୋନିବେଶ କଲା ଅଙ୍ଗ ପ୍ରସାଧନରେ; କନ୍ଦର୍ପର ଦର୍ପ ହରଣ କରିବାକୁ ହେବ ଆଜି ।

 

କ୍ରମେ ପ୍ରତୀଚୀ ସୀମାନ୍ତରେ ଅସ୍ତ ଗଲେ ଦୀପ୍ତ ଦୀଧିତି ଦିବାକର, ପୂର୍ବାଚଳରେ ଦେଖାଦେଲେ ଯାମିନୀଶ୍ରୀ ଚନ୍ଦ୍ର । ମହାତେଜା ମହର୍ଷି ଅତ୍ରି ନୟନ-ସମ୍ଭୂତ ସ୍ନିଗ୍ଧ ତେଜରେ ସୋମର ଜନ୍ମ–ପୂର୍ଣ୍ଣିମାରେ ତା’ର ପୂର୍ଣ୍ଣ ସମୃଦ୍ଧି । ସୁସ୍ନିଗ୍ଧ କିରଣ ବିସ୍ତାର କରି ସମଗ୍ର ସୃଷ୍ଟିରେ ରସ ସଞ୍ଚାର କରନ୍ତି ସେ । ରସମୟ ହେଇ ଉଠେ ଓଷଧିବନସ୍ପତି, ପ୍ରାଣ-ଚାଞ୍ଚଲ୍ୟରେ ଉନ୍ମାଦ ହୁଏ ନିସ୍ତରଙ୍ଗ ସାଗର । ଚନ୍ଦ୍ରାଲୋକରେ ଶିବିପୁରୀ ଅପୂର୍ବ ଶୋଭା ଧାରଣ କଲା । ଗୃହଚୂଡ଼ାରେ ଦୀପମାଳାର ଦୀପାଳି, ପୁଷ୍ପହାରରେ ସଜ୍ଜିତ ଗୃହ ତୋରଣ । ପୂର୍ଣ୍ଣଚନ୍ଦ୍ର, ଫୁଲ୍ଲ କୁସୁମ, ଉଜ୍ଜ୍ୱଳ ଦୀପାଲୋକ, ମଧୁର ସଙ୍ଗୀତ । ଉତ୍ସବମତ୍ତା ଶିବିପୁରୀ ଦ୍ଵିତୀୟ ଅମରାପୁରୀ ଯେପରି ।

 

ଅହିପାରକର ଗୃହ ମଧ୍ୟ ଆଜି ସୌନ୍ଦର୍ଯ୍ୟ ଶୋଭାରେ ସୁସଜ୍ଜିତ । ଶୁଭ୍ର ସ୍ଫଟିକରେ ନିର୍ମିତ ଦ୍ଵିତଳ ମର୍ମର ପ୍ରାସାଦ, ପ୍ରାଚୀର ଗାତ୍ରରେ ମନଃଶିଳାର ମଣିଦୀପ୍ତି । ରାତ୍ରର ସହସ୍ର ଚକ୍ଷୁ ଭଳି ଝଲମଲ ହେଉଚି ତା’ର ଦ୍ୟୁତି । ତୋରଣରେ ସହସ ଦୀପସଜ୍ଜା, ଆଲୋକରେ ଉଦ୍ଭାସିତ ପ୍ରାସାଦ ପ୍ରାକାର ।

 

ପ୍ରଜାବତ୍ସଳ ପ୍ରିୟଦର୍ଶୀ ରାଜା ଉଶୀନର ବହିର୍ଗତ ହେଇଚନ୍ତି ନଗର ଭ୍ରମଣରେ । ସପ୍ତାଶ୍ଵବାହିତ ରଥ ଚାଲିଚି ମୃଦୁମନ୍ଦ ଗତିରେ । ଅଗ୍ରେ, ପଶ୍ଚାତ୍‍ରେ ପାତ୍ର, ମିତ୍ର, ସଭାସଦ୍ । ବାଦ୍ୟ ଶବ୍ଦରେ ମୁଖର ଉତ୍ସବ-ଯାତ୍ରା । ପ୍ରିୟଦର୍ଶନ ରାଜା ଆଜି ଦ୍ୱାରେ ଦ୍ଵାରେ ଉପସ୍ଥିତ ହେଇ ଦୃଷ୍ଟି-ପ୍ରସାଦ ବିତରଣ କରୁଚନ୍ତି । ଉନ୍ମୁକ୍ତ ପୁରବାତାୟନ । ଗବାକ୍ଷ ପଥରେ ସହସ୍ର ପୁରନାରୀର ନୀଳ ଉତ୍ସୁକ ନୟନ ରାଜାଙ୍କୁ ଅଭିନନ୍ଦିତ କରୁଚି । ଉପରୁ ଧାରାସାରରେ ପୁଷ୍ପ ବୃଷ୍ଟି ହେଉଚି, ବର୍ଷିତ ହେଉଚି ପବିତ୍ର, ଶୁଭ୍ର ଲାଜାଞ୍ଜଳି । ଆଜି ରାଜା ପ୍ରଜାର ମିଳନ, ଆଜି ରାଜା ପ୍ରଜାର ଦୃଷ୍ଟିରେ ସ୍ନେହାଲିଙ୍ଗନ । ଧନ୍ୟ ରାଜା, ଧନ୍ୟ ତା’ର ପ୍ରଜା ।

 

ଉତ୍ସବ-ଯାତ୍ରା ଆସି ରହିଲା ଅହିପାରକର ଗୃହତୋରଣ ସମ୍ମୁଖରେ । କି ଆନ୍ତରିକ ନିଷ୍ଠା ! ରାଜା ଜାଣନ୍ତିନି କାହାର ଏ ଗୃହ, କିଏ ବା ଗୃହସ୍ଵାମୀ । ଯିଏ ହେଉ, ରାଜଭକ୍ତ ପ୍ରଜା । ଉତ୍ସବର ମର୍ଯ୍ୟାଦା ରକ୍ଷା କରିବାକୁ ଯଥାସାଧ୍ୟ ଯତ୍ନ କରିଚି ସେ । ପରିତୃପ୍ତ ରାଜାଙ୍କ ରଥ ଆସି ରହିଲା ବହିର୍ଦ୍ୱାରରେ । ଦାସୀ ସତ୍ଵର ଯାଇ ସ୍ମୃତିହରାକୁ ଜଣାଇଲା ରାଜାଙ୍କ ଆଗମନ ସମ୍ବାଦ । ସର୍ବଶୃଙ୍ଗାର ବେଶାଢ଼୍ୟ ସଜ୍ଜା, ପୁଷ୍ପକାରଣ୍ଡ ହସ୍ତରେ ସ୍ମୃତିହରା ଆସି ଉଭା ହେଲା ବାତାୟନ ପଥରେ । ବଙ୍କିମ ନୟନରେ ବଙ୍କିମ କଟାକ୍ଷ । କିନ୍ନରୀ ଲୀଳାରେ ସେ ପୁଷ୍ପ ବର୍ଷଣ କଲା ରାଜାଙ୍କ ମସ୍ତକରେ । ଦାସୀମାନେ କଲେ ଶଙ୍ଖଧ୍ୱନି ।

 

ସବିସ୍ମୟରେ ଊର୍ଦ୍ଧ୍ୱକୁ ଦୃଷ୍ଟିପାତ କଲେ ଯତାତ୍ମା ଉଶୀନର । ବାତାୟାନ ପଥରେ କିଏ ଏ ସୁନ୍ଦରୀ ? ଆବକ୍ଷ ମସ୍ତକ ମାତ୍ର ପ୍ରକାଶିତ–ତୈଳଚିତ୍ରରେ ଅଙ୍କିତ ଗୋଟିଏ ଚିତ୍ରାର୍ଦ୍ଧ ଯେପରି । ଏ କି ଗନ୍ଧର୍ବକନ୍ୟା, ଅପ୍‍ସରୀ ନା ସୁରବାଳା ! ରହସ୍ୟମୟ ଚନ୍ଦ୍ରାଲୋକରେ ରାଜାଙ୍କର ମନେ ହେଲା, ସ୍ୱପ୍ନାବେଶମୟ ସୁରଲୋକରେ ଉପସ୍ଥିତ ହେଇଚନ୍ତି ସେ । ଦୃଷ୍ଟି ସମ୍ମୁଖରେ ଜ୍ୟୋତିର୍ବିମଣ୍ଡିତା ସୁରକନ୍ୟା–ରାକାଚନ୍ଦ୍ର ଭଳି ଅଙ୍ଗବର୍ଣ୍ଣ, ସୁବିନ୍ୟସ୍ତ କବରୀ ସୀମାନ୍ତରେ ଚନ୍ଦନଚର୍ଚିତ ରକ୍ତସିନ୍ଦୂର । ଆହା, କି ରୂପ ! କି ଅପରୂପ ପ୍ରସାଧନ-ନୈପୁଣ୍ୟ ! ବିଧାତାର ନିର୍ମାଣ କୌଶଳ ସେଇ ଦେହରେ, ମଣିଷର କଳା ଚାତୁର୍ଯ୍ୟ ସେଇ ସଜ୍ଜାରେ–ଉଭୟର ଶିଳ୍ପରଚନା ପରସ୍ପର ପ୍ରତିଦ୍ଵନ୍ଦ୍ୱିତା କରି, ଏଇ ଅଙ୍ଗରେ ସ୍ୱ ସ୍ୱ ଶକ୍ତିସୀମା ଯେପରି ନିଃଶେଷ କରିଚନ୍ତି ।

 

ବିକ୍ରମରେ ଆଦିତ୍ୟ ତୁଲ୍ୟ ଉଶୀନର । ସଂଯମରେ ବ୍ରହ୍ମଚାରୀ ତୁଲ୍ୟ ଶିବିପୁତ୍ର, ମୁହୂର୍ତ୍ତକରେ ବିକ୍ରମ ଓ ସଂଯମ ହରାଇ ବସିଲେ ବିହ୍ଵଳ କଣ୍ଠରେ ପ୍ରଶ୍ନକଲେ, ‘କିଏ ଏଇ ରମଣୀ ?’ ଅମାତ୍ୟପ୍ରଧାନ ଉତ୍ତର କଲେ, ‘ମହାରାଜ, ଆପଣଙ୍କ ହିତକାମ ସେବକ ଅହିପାରକର ପତ୍ନୀ ଇଏ-। ଦୁଃସହ କୁଳ-ଜାତ ବିଭ୍ରମବତୀ ସ୍ମୃତିହରା ।’

 

ସ୍ମୃତିହରା ! ଯାଚକ ହେଇ ଯା’ର ପିତା, ଆସିଥିଲେ ମୋର ଦ୍ୱାରକୁ ? ଲକ୍ଷଣ ବିଶାରଦ ପଣ୍ଡିତଗଣ ଯାର ଲକ୍ଷଣ ପରୀକ୍ଷା କରି କହିଥିଲେ, ସେ ଗୋଟାଏ ପକ୍ଷୀ, କାଳକର୍ଣ୍ଣୀ ?’

 

କ୍ରୋଧରେ ଆରକ୍ତ ହେଲେ ଉଶୀନର । କରଯୋଡ଼ରେ ଅମାତ୍ୟ ନିବେଦନ କଲେ, ‘ଏଇ ବିଭ୍ରମବତୀ କନ୍ୟାକୁ ଗ୍ରହଣ କଲେ ଆପଣ ରାଜକାର୍ଯ୍ୟ ପ୍ରତି ଉଦାସୀନ ହେବେ ବୋଲି ଆପଣଙ୍କୁ ମିଥ୍ୟା କୁହାଯାଇଥିଲା ମହାରାଜ !’

 

ଈଷତ୍ ଶାନ୍ତ ହେଲେ ରାଜା । ଯଥାର୍ଥ କଥା । ଆଲୋକ ସାମାନ୍ୟ ଏ ରୂପର ଅତ୍ୟାଶ୍ଚର୍ଯ୍ୟ ମୋହିନୀ ଶକ୍ତି । ଆଶ୍ଚର୍ଯ୍ୟ ତା’ର ମାଦକତା । ନିଜର ଅଜ୍ଞାତସାରରେ, ପୁନର୍ବାର ଊର୍ଦ୍ଧ୍ୱକୁ ଦୃଷ୍ଟିନିକ୍ଷେପ କଲେ ଧର୍ମଶୀଳ ଉଶୀନର ।

 

କାହିଁ ରୂପମୟୀ ? ରୁଦ୍ଧ ବାତାୟନ, ଅନ୍ତର୍ହିତ ଲାବଣ୍ୟରାଶି । ରାଜାଙ୍କର ମନେ ହେଲା, ସହସା ଅସ୍ତମିତ ହେଇଚି ଚନ୍ଦ୍ର, ସହସା ନିର୍ବାପିତ ହେଇଚି ଦୀପମାଳା, ସହସା କୃଷ୍ଣ ଯବନିକା ଭଳି ଅବତରଣ କରିଚି ଅନ୍ଧକାର । ଆନ୍ଦୋଳିତଚିତ୍ତ ନୃପତି ଆଉ ଅଗ୍ରସର ହେଇ ପାରିଲେନି । ଗମ୍ଭୀର ସ୍ଵରରେ ସାରଥିକୁ କହିଲେ, ‘ରାଜପ୍ରାସାଦକୁ ରଥ ଫେରାଇ ନେଇ ଚାଲ ସାରଥି ।’

 

ନୀରବ ହେଲା ଉତ୍ସବ-ବାଦ୍ୟ, ନୀରବ ହେଲା ପ୍ରମତ୍ତ କୋଳାହଳ । ବିରସ ବଦନ ରାଜାଙ୍କୁ ବହନ କରି ଲଘୁ ସଞ୍ଚାରରେ ରଥ ଫେରିଗଲା ରାଜପ୍ରସାଦକୁ । ରାଜା ନୀରବ ଓ ଚିନ୍ତିତ । ସ୍ଖଳିତ ଚରଣରେ ସ୍ଵକକ୍ଷରେ ପ୍ରବେଶ କରି ଶଯ୍ୟାର ଆଶ୍ରୟ ନେଲେ । ଭିତରୁ ରୁଦ୍ଧ ହେଲା କକ୍ଷ ଦ୍ଵାର ।

 

ପରଦିନ ଆଉ ରାଜସଭା ବସିଲାନି । ଅମାତ୍ୟଗଣ ନୀରବରେ ପ୍ରତୀକ୍ଷା କରି ରହିଲେ-। ପ୍ରାର୍ଥୀ ନିରାଶ ହେଇ ଫେରିଗଲା, ବିଚାରାର୍ଥୀ ବିମୁଖ ହେଇ ଗୃହକୁ ଫେରିଲା, ରାଜସିଂହାସନ ଶୂନ୍ୟ । ଶିବିରାଜ୍ୟରେ ଏଇ ପ୍ରଥମ ନିୟମ ଭଙ୍ଗ । ରାଜା ସେଇ ଯେ ଶଯ୍ୟା ଆଶ୍ରୟ କଲେ, ଆଉ ବାହାରକୁ ଆସି ନାହାନ୍ତି । ତାଙ୍କର ଅନ୍ତର ଭିତରେ କେଉଁ ସ୍ୱର୍ଗ ଓ ନରକର କି ଭୀଷଣ ଦ୍ଵନ୍ଦ୍ଵ ଚାଲିଚି କିଏ ଜାଣେ !

ଚିନ୍ତିତ ହେଲେ ଅମାତ୍ୟବର୍ଗ । ଅହିପାରକକୁ ସେମାନେ ଜଣାଇଲେ ଯେ ସେନାପତି ଗୃହ ସମ୍ମୁଖରେ ପହୁଞ୍ଚିବା ସମୟରୁ ବିଚେତନ ହେଇଚନ୍ତି ଈଶ୍ୱରତୁଲ୍ୟ ନରେଶ୍ଵର ।

ଅହିପାରକ ବୁଝିଲା, ସର୍ବନାଶ ହେଇ ଯାଇଚି । ଅବିଳମ୍ବେ ଗୃହକୁ ଫେରି ଅଭିଯୋଗ କଣ୍ଠରେ ସ୍ମୃତିହରାକୁ ପ୍ରଶ୍ନ କଲା ସେ, ‘ରାଜାଙ୍କୁ ତୁମେ ଦର୍ଶନ ଦେଇଚ ?’

‘ମୁଁ ! କେତେବେଳେ ?’

‘ଗତକାଲି–କାର୍ତ୍ତିକୀ ପୂର୍ଣ୍ଣିମା ସନ୍ଧ୍ୟାରେ ।’

‘ସେ ରାଜା କି ନୁହନ୍ତି କିଏ ଜାଣେ ? ଗୃହଦ୍ଵାରରେ ଗୋଟିଏ ରଥ ଆସି ରହିଥିଲା । କୌଣସି ସମ୍ଭ୍ରାନ୍ତ ବ୍ୟକ୍ତି ବିବେଚନା କରି ବାତାୟନ ପଥରୁ ମୁଁ ତାଙ୍କର ମସ୍ତକରେ ପୁଷ୍ପ ବୃଷ୍ଟି କରିଛି-।’

‘ସର୍ବନାଶ କରିଚ । ସେ ହିଁ ରାଜା । ତୁମକୁ ଦେଖି ସେ ରାଜକାର୍ଯ୍ୟ ବିସ୍ମୃତ ହେଇଚନ୍ତି ।’

ବିଜୟ ଆନନ୍ଦରେ ନୃତ୍ୟ କରି ଉଠିଲା ଉନ୍ମାଦିନୀର ଅନ୍ତର । ଆଶ୍ଚର୍ଯ୍ୟ ଛଳନାମୟୀ ନାରୀ । ହୃଦୟରେ କୁଟିଳ ହାସ୍ୟ, ଆନନ୍ୟରେ ଛଦ୍ମ ବିଷାଦ-ଗାତ୍ମୀର୍ଯ୍ୟ । କପଟ-ସମବେଦନା ସ୍ଵରରେ ସେ କହିଲା, ‘ବଡ଼ ଦୁଃସମ୍ବାଦ । କିନ୍ତୁ ଉପାୟ କ’ଣ ?’

 

ଉପାୟ ! ଉତ୍ତର ଦେଇ ପାରୁନି ଅହିପାରକ । ଦୁଃଖ ଓ କ୍ରୋଧରେ ଜର୍ଜର ହୃଦୟ, ପାଗଳ ଭଳି ସେ କକ୍ଷରୁ ନିଷ୍କ୍ରାନ୍ତ ହେଲା । ବିଜୟୋଲ୍ଲାସରେ ବିହ୍ଵଳା ବିଜୟନୀ । ଶିକାରକୁ ହିଂସ୍ର ନଖରେ ଆହତ କରି, ସୁତୀବ୍ର ଉଲ୍ଲାସ ଦୃଷ୍ଟିରେ ପ୍ରତୀକ୍ଷା କରେ ବ୍ୟାଘ୍ରୀ । ଯନ୍ତ୍ରଣାରେ ଛଟପଟ ହୁଏ ଶିକାର; ପାଶବ ପ୍ରସନ୍ନତାରେ ପୂର୍ଣ୍ଣ ହେଇ ଉଠେ ବ୍ୟାଘ୍ରୀର ବଦନ । ସେ ରକମ ପୈଶାଚିକ ଉଲ୍ଲାସରେ ଉଲ୍ଲାସିତ ହୁଏ ରୂପ-ଦର୍ପିତ ସ୍ମୃତିହରା । ଉତ୍ସୁକଭରେ ସେ ପ୍ରତୀକ୍ଷା କରେ–ଆହୁରି ତୃପ୍ତିକର କି ସମ୍ବାଦ ଆଣିବ ତା’ର ସ୍ଵାମୀ ।

 

ତେଣେ ଚିନ୍ତାକ୍ଳିଷ୍ଟ ଅହିପାରକ ଉପସ୍ଥିତ ହୁଏ ପ୍ରଜାବତ୍ସଳ, ତପୋଧୀର, ଉଶୀନରଙ୍କ କକ୍ଷ ଦ୍ଵାରରେ । ଅର୍ଗଳବଦ୍ଧ କକ୍ଷ । ଭିତରେ ଅସ୍ଥିର ପଦଚାରଣ ଧ୍ଵନି । ମଧ୍ୟେ ମଧ୍ୟେ ଦୀର୍ଘ ହାହାକାର, ତୀବ୍ର ଆତ୍ମ ସଂଯମନ : ‘ଛି ଛି, ଶିବିପୁତ୍ରର ଏ କି ଚିତ୍ତ ବୈକଲ୍ୟ । ଏତେ ଦିନର ଅଭ୍ୟସ୍ତ ସଂଯମ, ଏତେ ଦିନର ଅର୍ଜିତ ଋଦ୍ଧି, ତା’ର ଏଇ ପରିଣାମ ? ରୂପମୋହରେ ପଦଭ୍ରଷ୍ଟ ଧର୍ମତ୍ମା ? ଅସଙ୍ଗ ଆଜି ସଙ୍ଗୋନ୍ମୁଖ, ଅନାସକ୍ତ ଆଜି ଅନୁରକ୍ତ ! ରାଜା କିନା ପ୍ରଜାର ସମ୍ପଦ ଲୋଲୁପ ! ଧିକ୍ ମୋର ଶିକ୍ଷା, ଧିକ୍ ମୋର ଜୀବନ ।’

 

ହୃଦୟ ବିଦୀର୍ଣ୍ଣ ହୁଏ ଅହିପାରକର । ରାଜାର ଏଇ ମୋହ, ଏଇ ଦୁଃଖର ହେତୁ ସେ । ସେ ଯଦି ସ୍ମୃତିହରାକୁ ଗ୍ରହଣ କରି ନଥାନ୍ତା, ଆଜି ଏ ବିପର୍ଯ୍ୟୟ ଘଟନ୍ତାନି । ଏହାର ପ୍ରତିବିଧାନ କରିବାକୁହିଁ ପଡ଼ିବ । ମୁହୂର୍ତ୍ତକରେ ବୁଦ୍ଧି ସ୍ଥିର କରେ ସେ, କକ୍ଷଦ୍ଵାରରେ କରାଘାତ କରି କହେ, ‘ମହାରାଜ, ଦ୍ଵାର ଖୋଲନ୍ତୁ ।’ କକ୍ଷାଭ୍ୟନ୍ତରରୁ ଉତ୍ତର ଆସେ, ‘କିଏ ?’

 

‘ମୁଁ ଅହିପାରକ ।’

 

‘ଅହିପାରକ ! ନା ନା, ତୁମେ ଫେରି ଯାଅ ।’

 

‘ମୁଁ ଫେରି ଯିବିନି । ପ୍ରଜା ରାଜାର ଦର୍ଶନ ପ୍ରାର୍ଥୀ ।’

 

‘ରାଜା ମୁଁ ନୁହେଁ । ମୋର ରାଜଧର୍ମ ବିନଷ୍ଟ ହେଇଚି ।’

 

‘ଶିବିରାଜ୍ୟରେ ରାଜଧର୍ମ ବିନଷ୍ଟ ହେଇ ପାରେନା । ଦୁଆର ଖୋଲିବାକୁ ହେବହିଁ ହେବ-। ମୁଁ କେବଳ ପ୍ରଜା ନୁହେଁ, ଆପଣଙ୍କର ଭୃତ୍ୟ । ଭୃତ୍ୟ କି ପ୍ରଭୁର ଦର୍ଶନ ଲାଭରୁ ବଞ୍ଚିତ ହେବ-?’

 

ପବିତ୍ର-ମଧୁର ପ୍ରଭୁ ଭୃତ୍ୟ ସମ୍ପର୍କ; ରାଜା ଅସ୍ଵୀକାର କରିପାରିଲେନି । କିନ୍ତୁ ଆଜି କିଏ ପ୍ରଭୁ, କିଏ ଭୃତ୍ୟ ? ଆଜି ଅନଙ୍ଗାୟତ୍ତ ଉଶୀନର । ଆର୍ତ୍ତନାଦ କରି ସେ କହନ୍ତି, ‘ମୁଁ ଆଉ ପ୍ରଭୁ ନୁହେଁ ଅହିପାରକ, ଭୃତ୍ୟଠାରୁବି ଅଧମ ।’

 

ବ୍ରହ୍ମାଣ୍ଡକ୍ଷୋଭକାରୀ ରାଜାଙ୍କ ଦୈନ୍ୟରେ ଅଶ୍ରୁ ସମ୍ବରଣ କରି ପାରୁନି ଆହିପାରକ । ସିକ୍ତ କଣ୍ଠରେ କହିଲା, ‘ଆପଣ ତ କେବଳ ରାଜା ନୁହନ୍ତି କି ପ୍ରଭୁ ନୁହନ୍ତି, ମୋର ଶୈଶବର ବନ୍ଧୁ ମଧ୍ୟ । ବନ୍ଧୁ କି କେବଳ ସମ୍ପଦକାଳର ସଙ୍ଗୀ ? ଆପଦକାଳର କେହି ନୁହେଁ ?’

 

ଏ କାକୁତି ଉପେକ୍ଷା କରି ପାରିଲେନି ଉଶୀନର । କକ୍ଷଦ୍ଵାର ଉନ୍ମୁକ୍ତ ହେଲା । ଦ୍ରୁତ କକ୍ଷରେ ପ୍ରବେଶ କରେ ଅହିପାରକ । ଏ କି ମୂର୍ତ୍ତି ହେଇଚି ରାଜାର ! ଗୋଟିଏ ରାତି ଓ ଗୋଟିଏ ଦିନର କେତୋଟି ପ୍ରହରର ବ୍ୟବଧାନ ମାତ୍ର । ଅକାଳ ବାର୍ଦ୍ଧକ୍ୟ ଦେଖା ଦେଇଚି ପୂର୍ଣ୍ଣ ଯୌବନରେ । ଚକ୍ଷୁ କୋଟରଗତ, ନୟନ କୋଣରେ ଗାଢ଼ କାଳିମା, ମୁଖରେ ବିନିଦ୍ର ରଜନୀର ଦୁଶ୍ଚିନ୍ତାର ଚିହ୍ନ–ଅଗ୍ନି ସ୍ପର୍ଶରେ ବିଶୁଷ୍କ ଅମ୍ଳାନ ପଙ୍କଜ ଯେପରି । କାତର କଣ୍ଠରେ, କୃତାଞ୍ଜଳିପୁଟରେ ବୋଲେ ଅହିପାରକ : ‘ଉପାୟ ଥାଉଁଥାଉଁ ଅସିଧାରା ବ୍ରତ କାହିଁକି ଗ୍ରହଣ କରିଚନ୍ତି ମହାରାଜ ! ସ୍ମୃତିହରା ଆପଣଙ୍କର ଦାସୀ । ଆଦେଶମାତ୍ରେ ସେ ଆପଣଙ୍କ ସେବାରେ ନିଯୁକ୍ତ ହେଇ ପାରିବ ।’

 

ତୀକ୍ଷ୍ଣଦୃଷ୍ଟିରେ ଅହିପାରକକୁ ଦେଖନ୍ତି ଧର୍ମଶୀଳ ଉଶୀନର । ସେ କାମ-ମୋହିତ ସତ କିନ୍ତୁ ବିବେକ-ରହିତ ନୁହନ୍ତି । ଲଜ୍ଜାରେ ଆରକ୍ତ ହେଇ କହନ୍ତି, ମୁଁ ସ୍ମୃତିହରାର ରୂପମୁଗ୍ଧ, ଏ କଥା ତୁମେବି ଜାଣିଚ ଅହିପାରକ ? ସମସ୍ତେ ଜାଣି ପାରିଚନ୍ତି’–କ୍ଷୋଭରେ ଭାଙ୍ଗିପଡ଼ନ୍ତି ଧର୍ମଧୀର । ସୁଗଭୀର ଆର୍ତ୍ତନାଦ ଧ୍ଵନିତ ହୁଏ ତାଙ୍କର କଣ୍ଠରେ, ‘ନିଷ୍କଳଙ୍କ ଶିବିକୁଳରେ କଳଙ୍କର କାଳିମା ଲେପନ କରିଚି ମୁଁ । ରାଜାର ଯଦି ଧର୍ମ ଗଲା, ରହିଲା ଆଉ କ’ଣ ଅହିପାରକ !’

 

‘ଆପଣଙ୍କ ପକ୍ଷରେ ଏ ଦୈନ୍ୟ ଅଶୋଭନୀୟ । ଆପଣ ରାଜା, ରାଜ୍ୟର ପ୍ରଭୁ । ରାଜ୍ୟର ଯେକୌଣସି ଦ୍ରବ୍ୟ ଗ୍ରହଣରେ ରାଜାର ପୂର୍ଣ୍ଣ ଅଧିକାର । ଆଦେଶ କରନ୍ତୁ ।’

 

‘ଏ ଯୁକ୍ତି ସ୍ୱେଚ୍ଛାଚାରୀ ରାଜତନ୍ତ୍ରର । ରାଜା ପ୍ରଜାର ରକ୍ଷକ । ରକ୍ଷକ ଯଦି ଭକ୍ଷକ ହୁଏ, ତାହାହେଲେ ତାହା ସ୍ଵୈରାଚାର । ମୁଁ ସୁରାତୁର ହେଲେହେଁ ଶାସ୍ତ୍ରଜ୍ଞାନ ହରାଇନି ଅହିପାରକ ! ବରଂ ‘ଭିକ୍ଷାର୍ଥିତଂ ନ ଚ ପରଧନାନାଂ ହି ହରଣମ୍’–ଶାଶ୍ଵତ ଏ ଶାସ୍ତ୍ର-ଶାସନ ।

 

‘ଶାସ୍ତ୍ରରେ ଏ ଅନୁଶାସନ ମଧ୍ୟ ଅଛି, ଭର୍ତ୍ତା ଇଚ୍ଛା କଲେ ପରର କଲ୍ୟାଣ ନିମନ୍ତେ ନିଜର ଭାର୍ଯ୍ୟାକୁ ଦାନ କରିପାରେ । ପତି ମୁଁ, ମୋର ପତ୍ନୀକୁ ସ୍ଵେଚ୍ଛାରେ ଦାନ କରୁଚି । ଆପଣ ଗ୍ରହଣ କରନ୍ତୁ ।’

 

କଠୋର ହୋଇ ଉଠିଲେ ଧର୍ମଧୀର ବୀର ଉଶୀନର । କହିଲେ, ‘ଶିବି ବଂଶର ରାଜା ଚିରକାଳ ଦାନ କରି ଆସିଚି । ଦାନ ଗ୍ରହଣ କରିନି । ପରାର୍ଥରେ ପ୍ରାଣ ପର୍ଯ୍ୟନ୍ତ ଦାନ କରିଚନ୍ତି ସେମାନେ । ଦୁର୍ବଳତାର ସୁଯୋଗ ନେଇ ସେଇ ମହତ୍ ମର୍ଯ୍ୟାଦାରେ ଆଘାତ ହାଣୁଚ ତୁମେ ?’

 

କ୍ଷୋଭରେ ଉନ୍ମାଦବତ୍ ହେଇ ଉଠନ୍ତି ରାଜା । ଧାର୍ମିକର ହୃଦୟ-ଦ୍ଵନ୍ଦ୍ଵ ଅତି ପ୍ରଚଣ୍ଡ, ଅତି ପ୍ରଚଣ୍ଡ ତା’ର ଅଭିଘାତ । ଆତ୍ମଦ୍ଵନ୍ଦ୍ଵରେ ସେ ଆର୍ତ୍ତନାଦ କରି ଉଠନ୍ତି । ଚିତ୍କାର କରି କହନ୍ତି । ‘ତାହା ହେଇ ପାରିବନି । ‘ଅନନ୍ତପାରା ଦୁଷ୍ପୁରା ତୃଷ୍ଣା’–ତା’ର ନିବୃତ୍ତି ନାଇଁ, ଶାନ୍ତି ନାଇଁ । ମୁଁ ମୃତ୍ୟୁ ବରଣ କରିବି କିନ୍ତୁ ତୃଷ୍ଣାକୁ ପ୍ରଶ୍ରୟ ଦେବିନି । ରାଜା ପ୍ରଜାର ନେତା, ରାଜାର ଆଦର୍ଶହିଁ ପ୍ରଜାର ଆଦର୍ଶ । ବକ୍ରପଥାନୁସାରୀ ରାଜା ପ୍ରଜାମାନଙ୍କୁ ବକ୍ରପଥକୁହିଁ ଆକର୍ଷଣ କରେ । ସେ ରାଜଧର୍ମ ଶିବିକୁଳର ରାଜଧର୍ମ ନୁହେଁ । ତୁମେ ଯାଅ ଅହିପାରକ, ମୋର ବ୍ରତ ମୁଁ ରକ୍ଷା କରିବି ।’

 

ଅହିପାରକ ଆଉ ପ୍ରତିବାଦ କରି ପାରିଲାନି । ଦୁଃଖରେ ହୃଦୟ ତା’ର ବିଦୀର୍ଣ୍ଣ ହୁଏ । କିନ୍ତୁ ଅଲଙ୍ଘନୀୟ ପ୍ରଭୁର ନିର୍ଦ୍ଦେଶ । ବେଦନାବିଧୁର ହୃଦୟରେ ସେ ରାଜସମ୍ମୁଖରୁ ବାହାରିଯାଏ ।

 

ଏ ଦିଗେ ଚରମ ରୂପ ଧାରଣ କରେ ରାଜାଙ୍କ ଅନ୍ତର୍ଦ୍ୱନ୍ଦ୍ଵ I ବିଷସ୍ଫୋଟକ ଭଳି ଗାଢ଼ ଦାହୀ ଯନ୍ତ୍ରଣା । ଏକ ଦିଗରେ ନୀତିର ଅନୁଶାସନ, ଅନ୍ୟ ଦିଗରେ ରୂପର ଉନ୍ମାଦନା; ଏକ ଦିଗରେ ବିବେକର ବାରଣ, ଅନ୍ୟ ଦିଗରେ କନ୍ଦର୍ପର ପ୍ରରୋଚନା; ଏକ ଦିଗରେ ନିୟମର ବନ୍ଧନ, ଅନ୍ୟ ଦିଗରେ ଅନିୟମିତ ମୋହ । ଅସ୍ଥିର ଉଶୀନର । ପଙ୍କରେ ବଦ୍ଧ ମତ୍ତ ହସ୍ତୀ ଯେପରି ହସ୍ତୀପକର କଠିନ କଶାଘାତରେ ପଙ୍କ ଭିତରୁ ଉଠିବାର ପ୍ରୟାସ କରେ, ଗଭୀର ପଙ୍କ ଗହ୍ଵରରୁ ସେପରି ଉଠିବାକୁ ଚେଷ୍ଟା କରନ୍ତି ରାଜା । ଭୀଷଣ ଦ୍ଵନ୍ଦ୍ଵରେ କ୍ଷତବିକ୍ଷତ ଶିବପୁତ୍ରଙ୍କ ହୃଦୟ, ବିବେକ ଓ ମୋହର ରଣଭୂମି ଯେପରି–ଦଗ୍ଧ, ପ୍ଳାବିତ, ବିପର୍ଯ୍ୟସ୍ତ ।

 

ଦଶ ଦିନ ଧରି ଚାଲିଲା ଏ ଭୀଷଣ ଦ୍ଵନ୍ଦ୍ଵ । ଦଶ ଦିନରେ ବିରହଜନିତ ଦଶ ଦଶା ଅତିକ୍ରମ କଲେ ଉଶୀନର I ଲାଳସା, ଉଦ୍‍ବେଗ, ଜାଗରଣ, ତାନବ, ଜଡ଼ିମା, ବୈୟଗ୍ର୍ୟ, ବ୍ୟାଧି, ଉନ୍ମାଦ, ମୋହ ଓ ମୃତ୍ୟୁ । ଅଷ୍ଟମ ବିବଶରେ ସ୍ପଷ୍ଟ ଉନ୍ମାଦ ଲକ୍ଷଣ ଦେଖାଦେଲା । ଘୋର ବିକାର, ଘୋର ଉନ୍ମତ୍ତତା । ନବମ ଦିବସରେ ଅଦ୍ଭୁତ ମୋହଅଚୈତନ୍ୟ, ଜଡ଼ ଦେହ । ଦଶମ ଦିବସରେ ଦଶମୀ ଦଶାରେ ଉପନୀତ ହେଲେ ଧାର୍ମିକ, ପ୍ରଜାବତ୍ସଳ ରାଜା ।

 

ବିଷାଦାଚ୍ଛନ୍ନ ରାଜ୍ୟ, ଆକୁଳ ପ୍ରଜା । ଚିନ୍ତାକ୍ଳିଷ୍ଟ ଅମାତ୍ୟ, ପୁରୋହିତ । ଶାନ୍ତି, ସ୍ଵସ୍ତ୍ୟୟନ, ପ୍ରାର୍ଥନାରେ ପୂର୍ଣ୍ଣ ଶିବିରାଜ୍ୟ । ସବୁରି ମୁହଁରେ ଗୋଟିଏ ମାତ୍ର କଥା–ସୁସ୍ଥ ହୁଅନ୍ତୁ ରାଜା, ହେଉ ଶିବିରାଜ୍ୟ । ସର୍ବାପେକ୍ଷା ମର୍ମାହତ ହେଲା ଅହିପାରକ ।

 

କିନ୍ତୁ ଉତ୍କଟ ଉଲ୍ଲାସ ଆଜି ସ୍ମୃତିହରାର । ଗର୍ବିତାର ଗର୍ବ–ସାର୍ଥକ ତା’ର ସ୍ମୃତିହରା ନାମ-। ନିଃଶେଷରେ ଖର୍ବ କରିଚି ଧାର୍ମିକର ଦମ୍ଭ, ସ୍ମୃତିଭ୍ରଂଶ କରିଛି ଯତାତ୍ମା ପୁରୁଷକୁ-। ନିଜର ପ୍ରକୋଷ୍ଠରେ ବିଜୟୋତ୍ସବର ଆୟୋଜନ କରେ କୁଟିଳା ବିଜୟିନୀ ଉନ୍ମାଦ ଭଳି ଆସି ଉପସ୍ଥିତ ହୁଏ ଅହିପାରକ :

 

‘ରାଜାଙ୍କ କଥା ନିଶ୍ଚୟ ଶୁଣିଚ ତୁମେ !’

 

‘ଓ, ସେଇ ରାଜା !’ ନିତାନ୍ତ ତାଚ୍ଛିଲ୍ୟଭରେ ଉତ୍ତର କରେ ସ୍ମୃତିହରା–ଅତି ନଗଣ୍ୟ ଘଟଣା ଯେପରି । ଅସହ୍ୟ ମନେହୁଏ ଅହିପାରକର । କ୍ଷୁବ୍ଧ କଣ୍ଠରେ କହେ,

 

‘ଦୁଃଖ ହେଉନି ତୁମର ?’

 

‘ଦୁଃଖ ? କାହିଁକି ?’ ଆଲେୟା ଭଳି କୁଟିଳ ଦୃଷ୍ଟି, ସ୍ମୃତିହରାର କଣ୍ଠରେ ବିଷର ବୀଣା, ‘ଧାର୍ମିକ ତୁମର ରାଜା, ରୂପାତଙ୍କରେ କଠିନ ତା’ର ପ୍ରାୟଶ୍ଚିତ୍ତ ।’

 

‘ଏ’ ରୂପାତଙ୍କ ସୃଷ୍ଟି କରିଚ ତୁମେ,’ ଗର୍ଜନ କରି ଉଠେ ଅହିପାରକ ।

 

‘ମୁଁ ନୁହେଁ’, ସଶ୍ଳେଷରେ ଛାଟି ମାରେ ସ୍ମୃତିହରା, ‘ଆତଙ୍କର ବୀଜ ଥିଲା ତୁମର ରାଜା ମନରେ । ବାହାରେ ଧାର୍ମିକ, ଭିତରେ କୁଟିଳ କାମନା । ଭଣ୍ଡ, କାମାଚାରୀ ଉଶୀନର ।’

 

ଲଳନାର ରସନା କୋଷମୁକ୍ତ ତରବାରି । କ୍ରୋଧରେ ଦିଗ୍‍ବିଦିଗ ଜ୍ଞାନଶୂନ୍ୟ ହୁଏ ଅହିପାରକ । ପିଧାନମୁକ୍ତ ହେବାକୁ ଚାହେଁ ଅସ୍ତ୍ରାଭିଜ୍ଞର ଅସ୍ତ୍ର । ରୁଦ୍ର ସ୍ଵରରେ ଗର୍ଜନ କରି ଉଠେ ସେ । କିନ୍ତୁ ମୁହୂର୍ତ୍ତକରେ ସ୍ତବ୍ଧ ହୁଏ ଅହିପାରକ ।

 

ତ୍ରସ୍ତଭରେ ଦୂତ ଆସି ଜଣାଇଲା, ରାଜା ଅନ୍ତିମ ଦଶାରେ ଉପନୀତ । ସଚିବ ସ୍ମରଣ କରିଚନ୍ତି ସେନାପତିଙ୍କୁ ।

 

ଝଡ଼ ବେଗରେ ବାହାରି ଯିବାକୁ ଉଦ୍ୟତ ହୁଏ ଅହିପାରକ । ବାଧା ଦିଏ ସ୍ମୃତିହରା । ପ୍ରତିହିଂସାର ଅଗ୍ନି ତା’ର ନେତ୍ରରେ, ରୂପର ଜ୍ୱଳନ ତା’ର ଦେହରେ । ସେ ଅହିପାରକର ସମ୍ମୁଖରେ ଆସି ଠିଆ ହେଲା । କ୍ରୋଧରେ ଅନ୍ଧ ଅହିପାରକ । ବଜ୍ରକଣ୍ଠରେ କହିଲା, ‘ବଞ୍ଚିବାର ଇଚ୍ଛା ଥିଲେ ପଥରୋଧ କରନି । ରାଜା ଅପେକ୍ଷା ପ୍ରେୟ ନୁହେଁ ପ୍ରିୟା; ବନ୍ଧୁତ୍ୱ ଅପେକ୍ଷା ବଡ଼ ନୁହେଁ ରୂପର ମୋହ ।’

 

ଦୁର୍ବାର ବିକ୍ରମରେ ରୂପକୁ ଦଳିତ କରି ଚାଲିଗଲା କଠିନ ବୀର୍ଯ୍ୟ ।

 

ଗର୍ଜନ କରି ଉଠେ ଅପମାନିତା, ଦଳିତା ଫଣିନୀ ଯେପରି । ଆଖିରେ ତା’ର ପୈଶାଚିକତା, ହିଂସ୍ରତା । କ’ଣ ଭାବି କେଜାଣି ସେ ଆସି ଠିଆ ହେଲା ବାତାୟନ ପଥରେ । ଦେଖିଲା, ଝଟିକା ବେଗରେ ଅହିପାରକ ଚାଲିଚି ରାଜ ସନ୍ନିଧାନକୁ ।

 

ରାଜପଥରେ ବାଧାମୁକ୍ତ ଜନସ୍ରୋତ । ସ୍ରୋତ ଚାଲିଚି ରାଜପ୍ରାସାଦ ଅଭିମୁଖେ । ସବୁରି ମୁହଁରେ ଏକମାତ୍ର ପ୍ରାର୍ଥନା–‘ହେ ଈଶ୍ଵର, ରାଜାଙ୍କୁ ରକ୍ଷା କର ।’ କିଏ ବା ବକ୍ର କଟାକ୍ଷ ନିକ୍ଷେପ କରୁଚି ଅହିପାରକର ଗୃହ ଗବାକ୍ଷ ପ୍ରତି : ‘ଏଇ ପିଶାଚୀଟାହିଁ ରାଜାର ସର୍ବନାଶ କରିଚି । ନିପାତ ଯାଉ ଯକ୍ଷୀ ।’

 

ସ୍ତବ୍ଧ ସ୍ମୃତିହରା । କିଏ ଯେପରି କଣ୍ଠରୋଧ କରୁଚି ତା’ର । କିଏ ଜାଣେ, ହୁଏତ ସ୍ତବ୍ଧ ସାଗର ତଳେ ରଚିତ ହେଉଚି ସେ କେଉଁ ଆବର୍ତ୍ତ । ଅଥବା ଏ ସ୍ତବ୍ଧତା ପ୍ରଳୟର ପୂର୍ବାଭାସ ।

 

ସହସା ଦୂରରୁ ଭାସି ଆସେ ବିଷାଦଘନ ବିପୁଳ କ୍ରନ୍ଦନ । ହାହାକାରରେ ପୂର୍ଣ୍ଣ ଗଗନ, ପୂର୍ଣ୍ଣ ପ୍ରତ୍ୟେକ ଭବନ । ଯୂପକାଷ୍ଠରେ ନିହତ ଶିର କୋଟି କୋଟି ମେଷ ଶାବକ ଯେପରି ସମବେତ ଆର୍ତ୍ତକ୍ରନ୍ଦନରେ ଦିଙ୍‍ମଣ୍ଡଳ କମ୍ପିତ କରି ତୋଳିଚନ୍ତି । ବିଦୀର୍ଣ୍ଣ ହେଇଯାଏ ସ୍ମୃତିହରାର କର୍ଣ୍ଣ । ତଥାପି ସେ ସ୍ଥିର । ତା’ର ବକ୍ଷ ବେଦନାହୀନ, ତା’ର କଣ୍ଠ କ୍ରନ୍ଦନହୀନ । ଦାସୀ ଆସି ବୃଥାରେ ଜଣାଏ, ‘ଶେଷ ନିଃଶ୍ୱାସ ତ୍ୟାଗ କରିଚନ୍ତି ପ୍ରଜାପ୍ରିୟ ଉଶୀନର ।’ ସେପରି ନିଶ୍ଚଳ ଭାବରେ ଠିଆ ହେଇ ରହିଚି ସ୍ମୃତିହରା । ଅବିକୃତ ବଦନ, ଅବିଚଳ ହୃଦୟ, ଶୁଷ୍କ ସ୍ଥିର ନୟନ–ନିଷ୍ପ୍ରାଣ, ନିଶ୍ଚଳ ପାଷାଣ ଯେପରି ।

 

ନିଷ୍ପଲକ ଦୃଷ୍ଟିପଥରେ ଦିବସର ଗତି ଅଗ୍ରସର ହୁଏ । ତ୍ରିବିକ୍ରମ ସୂର୍ଯ୍ୟର ରଥ ଆଗେଇ ଚାଲେ । ତ୍ରୁଟି, ବୋଧ, ଲବ, ନିମେଷ, କ୍ଷଣ, କାଷ୍ଠା, ଲଘୁ, ଦଣ୍ଡ, ମୁହୂର୍ତ୍ତ, ପ୍ରହର ଅତିକ୍ରାନ୍ତ ହୁଏ । ସପ୍ତାଶ୍ଵବାହିତ ହିରଣ୍ମୟ ରଥ ବର୍ତ୍ତମାନ ମସ୍ତକ ଶୀର୍ଷରେ । ତୃଷାର୍ତ୍ତ ଅଶ୍ଵ ମରୁସମ ଜିହ୍ଵା ବିସ୍ତାର କରି ଭୁବନରସ ପାନ କରୁଚି ଯେପରି । ଅନାଥ ପ୍ରଜାବର୍ଗର ହାହାକାର କ୍ଳାନ୍ତ ସପ୍ତାଶ୍ଵର ଶାନ୍ତିହୀନ ହ୍ରେଷା ଯେପରି । କିଏ ଯେପରି ଦାରୁଣ କଶାଘାତ କରିଚି ସେମାନଙ୍କୁ ।

 

କ୍ରମେ ଉପସ୍ଥିତ ହେଲା ଅପରାହ୍ନ କାଳ । ତପ୍ତଶ୍ଵାସ ପରିତ୍ୟାଗ କରୁଚି ଉତ୍ତପ୍ତ ଧରଣୀ । ଶୁଷ୍କ ସମୀରଣରେ ସମୀରିତ ଦୀର୍ଘଶ୍ଵାସ । ଗୋଟାଏ ଶୂନ୍ୟ ଘୂର୍ଣ୍ଣି ଧରଣୀ କ୍ରୋଡ଼ରୁ ଆକାଶ ଭିତରକୁ ଉଠିଯାଏ ।

 

ଶବଯାତ୍ରା ବାହାରିଚି ରାଜପଥରେ । ଅପାର ଜନସାଗର କୃଷ୍ଣସାଗରରେ କୋଟି କୋଟି କୃଷ୍ଣ ଚଳୋର୍ମି । ନୀରବରେ ବର୍ଷିତ ହେଉଚି ଅଶ୍ରୁଧାରା, କୃଷ୍ଣ ଊର୍ମିର ସିକ୍ତ ଶୀକର । କି ଗଭୀର ନିସ୍ତବ୍ଧତା ! ମଧ୍ୟଭାଗରେ ସ୍ୱର୍ଣ୍ଣପଲଙ୍କରେ ଶବାଧାର । ରକ୍ତରେଶମରେ ଆଚ୍ଛାଦିତ ଶବଦେହ, ପୁଷ୍ପମାଲ୍ୟରେ ଆବୃତ ରକ୍ତ ରେଶମ । କାଳୀୟ ଦେହରେ କି ଫୁଟି ଉଠିଲା ରକ୍ତକମଳ-!

 

ଗୃହେ ଗୃହେ ଉନ୍ମୁକ୍ତ ବାତାୟନ । ବାତାୟନ ପଥରେ ସହସ୍ର ବରାଙ୍ଗନାର ନୀଳ ଉତ୍ସୁକ ନୟନ । ଆଜି ମଧ୍ୟ ଯେପରି କାର୍ତ୍ତିକୀ ପୂର୍ଣ୍ଣିମାର ଉତ୍ସବ । ରାଜା ନଗର ପ୍ରଦକ୍ଷିଣରେ ବହିର୍ଗତ ହେଇଚନ୍ତି । ଦିକ୍‍ପାଳ ସଦୃଶ୍ୟ ମହାଭାଗ ରାଜା ଉଶୀନର । ପ୍ରିୟଦର୍ଶୀ ସେ, ଲୋକପ୍ରିୟ । ସହସ୍ର ସହସ୍ର ପୁରାଙ୍ଗନା ଅନ୍ତରର ଶୁଭକାମନା ଘେନି ପରମ ଆଗ୍ରହରେ ନୟନ ଭରି ଦର୍ଶନ କରୁଚନ୍ତି ପ୍ରିୟଦର୍ଶୀ ରାଜାକୁ । ଧାରାସାରରେ ହେଉଚି ପୁଷ୍ପବୃଷ୍ଟି–ରଙ୍ଗିନ ଶୁଭକାମନା । ବର୍ଷିତ ହେଉଚି ଶୁଭ ଲାଜାଞ୍ଜଳି–ହୃଦୟର ପବିତ୍ର ଆଶୀର୍ବାଦ । ଆଜି ମଧ୍ୟ ରାଜାଙ୍କ ଦୁଇ ପାର୍ଶ୍ଵରେ ଚାଲିଚନ୍ତି ଅମାତ୍ୟ ସଦସ୍ୟ । ସେଦିନ ସେମାନେ ଥିଲେ ମୁଖର, ଆଜି ମୂକ; ଆଜି ସେମାନଙ୍କର ମୌନବ୍ରତ । ଉପରନ୍ତୁ ଆଜି ରାଜାଙ୍କ ସଙ୍ଗେ ପଦବ୍ରଜରେ ଚାଲିଚି ସୈନ୍ୟାଧ୍ୟକ୍ଷ ଅହିପାରକ, ରାଜାଙ୍କ ଆବାଲ୍ୟବନ୍ଧୁ–ନଗ୍ନଶିର, ନଗ୍ନପାଦ, ଆନତ ଆନନ । ଗଭୀର ଶୋକରେ ନିରସ୍ତ୍ର ଅସ୍ତ୍ରବୀର ।

 

ଶବଯାତ୍ରା ଅହିପାରକର ଗୃହ ସମ୍ମୁଖକୁ ଆସିଚି । ଚଞ୍ଚଳ ହେଇ ଉଠେ ଜନସମୁଦ୍ର, ଗର୍ଜମୁଖର ହେଇ ଉଠେ ଉତ୍ତାଳ ତରଙ୍ଗ । କ୍ରୁଦ୍ଧ ଶ୍ଳେଷ ବର୍ଷିତ ହୁଏ ବାତାୟନ ଉଦ୍ଦେଶ୍ୟରେ । ପୁଣି ସବୁ ନିସ୍ତବ୍ଧ । ପୁଷ୍ପ କରଣ୍ଡ ହସ୍ତରେ ଦାସୀମାନେ ପୁଷ୍ପ ବର୍ଷଣ କରନ୍ତି । ଆଜି ସେ ପୁଷ୍ପ ବର୍ଷଣରେ ଆଉ ମୁଗ୍ଧ ଦୃଷ୍ଟିରେ କିଏ ଊର୍ଦ୍ଧ୍ଵକୁ ଦୃଷ୍ଟିପାତ କରିନି । ସଭୟେ ସ୍ଥିର ଭାବରେ ଠିଆ ହେଇଥାଏ ସ୍ମୃତିହରା । ସ୍ୱର୍ଣ୍ଣପଲଙ୍କର ଶବାଧାରରେ ରକ୍ତରେଶମରେ ଆବୃତ ଦେହ, ପୁଷ୍ପ ସମାଚ୍ଛନ୍ନ–ଅନାବୃତ କେବଳ ରାଜାଙ୍କ ବଦନ । ଟିକିଏ ସୁଶୁଭ୍ର ପାଣ୍ଡୁର ପ୍ରସନ୍ନତା । ସ୍ଥିର, ଉଦାସୀନ । କେଉଁଠି ହେଲେ କି ମଦନାତୁରତାର ଚିହ୍ନ ଅଛି ? କେଉଁଠି ନାଇଁ । ନିଷ୍ପଲକ ଦୃଷ୍ଟିରେ ଚାହିଁଥାଏ ସ୍ମୃତିହରା । ତା’ର ଆୟତ ଉଗ୍ରଚକ୍ଷୁ ଦୁଇଟି ଆହୁରି ବିସ୍ଫାରିତ ହେଇ ଯାଇଚି । ପ୍ରକାଣ୍ଡ, ନିଶ୍ଚଳ, ଅତିଶୟ ତୀବ୍ର ତା’ର ଦୃଷ୍ଟି ।

 

ଶବଯାତ୍ରା ଅହିପାରକର ଗୃହ ଅତିକ୍ରମ କରିଗଲା । ଅଦୂରରେ ଅସ୍ତ ଯାଉଚନ୍ତି ପ୍ରଦୀପ୍ତ ସ୍ଵର୍ଣ୍ଣଭାନୁ । ରଞ୍ଜିତ ସନ୍ଧ୍ୟାଭ୍ରର ଆବରଣରେ ଗୋଟିଏ ଦୀପ୍ତ ଆନନ ଯେପରି ! କିଞ୍ଚିତ ମ୍ଳାନ, କିନ୍ତୁ କି ପ୍ରଶାନ୍ତ, କି ମହନୀୟ । ଅଥଚ କିପରି ଉଦାସୀନ !

 

ଏ ଔଦାସୀନ୍ୟ ସ୍ମୃତିହରାକୁ ଉତ୍ତେଜିତ କରି ତୋଳେନା, ଏ ଅପମାନରେ ଦୁଃସହ-ନନ୍ଦିନୀ ଅସହିଷ୍ଣୁ ହେଇ ଉଠେନା । ନିଃଶେଷିତ କି ପ୍ରତିଶୋଧ ସ୍ପୃହା ? କାଳନାଗୁଣୀର ନେତ୍ରରେ ଆଜି କି ଅନ୍ଧକାର ବିରାଜିତ ?

 

ସନ୍ଧ୍ୟା ଘନେଇ ଆସେ । ଶୂନ୍ୟ ରାଜପଥରେ ଆଲୋକ ଜଳିନି । ଅହିପାରକର ଗୃହ ମଧ୍ୟ ଆଜି ନିଷ୍ପ୍ରଦୀପ । ଶୋକ କାଳିମାରେ ଆଚ୍ଛନ୍ନ ନଗରୀ, ମୂର୍ଚ୍ଛାହତ ପୁରବାସୀ । ଏଇ ଅନନ୍ତ ଶୋକର ଛାୟାରେ ଆବୃତ ହେଇ ନଇଁ ଆସେ କୃଷ୍ଣା ଦଶମୀର ତାମସୀ ରାତ୍ରି । ଶୂନ୍ୟ ଦୃଷ୍ଟିରେ ଅନାଇଁ ଥାଏ ସ୍ମୃତିହରା । ଦୁରବଗାହ ଅନ୍ଧକାରରେ ଅର୍ଥହୀନ ଦୃଷ୍ଟି ମେଲି କି ଅର୍ଥ ଯେପରି ସେ ଖୋଜୁଚି ।

 

ହୁଏତ ଏତେବେଳେକୁ ଶ୍ମଶାନ ଭୂମିରେ ପ୍ରେତକାର୍ଯ୍ୟ ଆରମ୍ଭ ହେଇଯାଇଚି ରାଜ ଚିତ ମର୍ଯ୍ୟାଦାରେ । ମନ୍ଦାକିନୀ ନୀରରେ ସ୍ନାତ ଶବ–ସପ୍ତ ଛିଦ୍ରରେ ସପ୍ତ ରତ୍ନ, ଗନ୍ଧଚନ୍ଦନରେ ଚର୍ଚିତ ରାଜଦେହ, ପରିଧାନରେ ଶ୍ଵେତ ଅମ୍ୱର । ରାଜପୁରୋହିତ ଅଶ୍ରୁସିକ୍ତ କଣ୍ଠରେ ଉଚ୍ଚାରଣ କରୁଚନ୍ତି ପ୍ରେତ-ଆବାହନ ମନ୍ତ୍ର: ‘ଏ ହି ପ୍ରେତ ସୌମ୍ୟ ଗମ୍ଭୀରେଭିଃ ପଥିଭିଃ ପୂର୍ବେଣେଭିଃ’–ଆଉ ଶୁଣାଯାଉନି ମନ୍ତ୍ର । ସହସ୍ର କଣ୍ଠର ଆର୍ତ୍ତନାଦରେ ମନ୍ତ୍ରଧ୍ଵନି ମଜ୍ଜିତ ହେଇଯାଏ । ତୁଙ୍ଗ ଓ ପଦ୍ମ ନାମକ ଗନ୍ଧଦ୍ରବ୍ୟ ମିଶ୍ରିତ ସୁଗନ୍ଧି ଚନ୍ଦନକାଷ୍ଠ ଚିତାରେ ଆରୂଢ଼ ଶବ; ସହସ୍ର କଣ୍ଠରେ ଅଗ୍ନିର ଆବାହନ; ହାହାକାର ବିପୁଳ ଆର୍ତ୍ତନାଦ । ଚିତା ଜଳି ଉଠିଚି ।

 

ନିସ୍ତବ୍ଧ ସ୍ମୃତିହରା । ତା’ର ବିସ୍ଫାରିତ ଚକ୍ଷୁ ଆହୁରି ବିସ୍ଫାରିତ ହୁଏ । କୃଷ୍ଣାଦଶମୀର ରାତ୍ରିରେ ତମସାସୁର କି ନିଦ୍ରାଭଙ୍ଗରେ ନୟନ ମେଲି ଚାହିଁଚି ? ଘୋର କୃଷ୍ଣ ଦେହରେ ଘୋର ଆରକ୍ତ ଦୃଷ୍ଟି । ଜିହ୍ଵା ତା’ର ଲେଲିହାନ । ପୁରୋହିତ କଣ୍ଠରେ ଉଚ୍ଚାରିତ ମନ୍ତ୍ର ବଜ୍ରମନ୍ଦ୍ରରେ କାହାର ଭର୍ତ୍ସନା ଯେପରି :

 

‘ବାୟୁରନିଳମମୃତଖେଦଂ ଭସ୍ମାନ୍ତଂ ଶରୀରମ୍

ଓଁ କ୍ରତୋ ସ୍ମର କୃତଂ ସ୍ମର କ୍ରତୋ ସ୍ମର କୃତଂ ସ୍ମର ।’

 

ମହାବାୟୁରେ ବିଲୀନ ପ୍ରାଣବାୟୁ । ଏଥର ସ୍ମରଣ କର, ସ୍ମରଣୀୟ ଯାହା କିଛି ସ୍ମରଣ କର; ଯାହା କରିଚ ସ୍ମରଣ କର, କୃତକର୍ମ ସ୍ମରଣ କର–‘କ୍ରତୋ ସ୍ମର କୃତଂ ସ୍ମର ।’

 

କିଛି ସ୍ମରଣ କରି ପାରୁନି ସ୍ମୃତିହରା । ଲୁପ୍ତ ପୂର୍ବସ୍ମୃତି । ଉଦ୍ଭ୍ରାନ୍ତ ଦୃଷ୍ଟି । ପ୍ରାଣପଣେ ଚେଷ୍ଟା କରୁଚି ସେ । କିଏ ସ୍ମୃତିହରା ? କାହାର ସେ ଶବ ? କାହାର ସେ ଚିତା ? ଅନ୍ଧକାରରେ ଦିଗ୍‍ଭ୍ରାନ୍ତ ପଥିକ । ବିଭ୍ରମବତୀ ଆଜି ନିଜେ ବିଭ୍ରାନ୍ତ ।

 

ସହସା ସନ୍ତ୍ରସ୍ତ ଦାସୀ କକ୍ଷରେ ପ୍ରବେଶ କରେ । ବ୍ୟାକୁଳ କଣ୍ଠରେ କହେ, ‘ସର୍ବନାଶ ଉପସ୍ଥିତ ।’ କିଛି ବୁଝି ପାରେନା ସ୍ମୃତିହରା । ଶୂନ୍ୟ ଦୃଷ୍ଟିରେ ସେ ଅନାଏଁ ଦାସୀକୁ । ଦାସୀ ଏକ ନିଃଶ୍ୱାସରେ କହେ, ‘ପ୍ରଭୁଙ୍କ ମୃତ୍ୟୁରେ କ୍ଷୁବ୍ଧ ସେନାପତି । କେହି ତାଙ୍କୁ ଧରି ରଖି ପାରିଲେନି, କେହି ବାଧା ଦେଇ ପାରିଲେନି । ରାଜାଙ୍କ ଅକାଳ ମୃତ୍ୟୁର କାରଣ ସେ–ଏଇ ବିବେଚନାରେ ସେଇ ଚିତା ଆରୋହଣ କରି ଆତ୍ମବିସର୍ଜନ କରିଚନ୍ତି ପ୍ରଭୁଭକ୍ତ ସୈନ୍ୟାଧ୍ୟକ୍ଷ ।

 

ଭୀଷଣ ଚିତ୍କାର କରି ଉଠେ ସ୍ମୃତିହରା । ବଡ଼ କ୍ଷଣର ନୀରବତା ଏକ ସଙ୍ଗେ ଉଦ୍ଦାମ ହେଇ ଉଠିଚି ଯେପରି, ସହସା ରୁଦ୍ଧ ଯେପରି ଆଗ୍ନେୟ ବିଦାରଣ । ବାଧାବନ୍ଧହୀନ ଉନ୍ମାଦ ଆବେଗାଗ୍ନି ବ୍ୟାପ୍ତ ହେବାକୁ ଯାଉଚି ଯେପରି । ଆତଙ୍କରେ ତାକୁ ଭିଡ଼ି ଧରନ୍ତି ଦଶ-ବାର ଜଣ ଦାସୀ । ସେ ଅବସ୍ଥା କି ବାଧା ମାନନ୍ତା ? ଦୁର୍ବଳାର ଦେହରେ ସହସ୍ର ପ୍ରମତ୍ତ କରିଣୀର ଶକ୍ତି । ପ୍ରୋଦ୍ଦାମ ଗତି, କଣ୍ଠରେ ମୁହୁର୍ମୁହୁଃ ସ୍ଖଳିତ ଗର୍ଜନ । ଭୀଷଣ ଚିତ୍କାର, ଭୀଷଣ ଅଙ୍ଗ-ବିଧୂନନ । କୁଟିଳା ହେଲେହେଁ ସ୍ୱଭାବ-ଦୁର୍ବଳା ନାରୀ । ସେଥି ହେତୁରୁ ଉଚ୍ଚ ତାନରେ ଝଙ୍କୃତ ହେବାକୁ ଯାଇ ଛିନ୍ନ ହୁଏ ହୃଦୟ-ତନ୍ତ୍ରୀ । ପ୍ରଳୟ କମ୍ପନରେ ବିପର୍ଯ୍ୟସ୍ତ ଦେହ-ପ୍ରକାର, ଚୂର୍ଣ୍ଣ ବିଚୂର୍ଣ୍ଣ ବୁଦ୍ଧିର ଦୁର୍ଗ ।

 

ତା’ରପରେ ସେଇ ଅନିନ୍ଦ୍ୟସୁନ୍ଦର ଦେହ କାନ୍ତିର ଏକ ଶୋଚନୀୟ ପରିଣାମ । କାଞ୍ଚନସମ ଅଙ୍ଗବର୍ଣ୍ଣ ବହୁ ଦିନର ଖର ରୌଦ୍ରରେ ବିଦୀର୍ଣ୍ଣ ହେଇଗଲା, ସୁବିନ୍ୟସ୍ତ କେଶପାଶ ହେଲା ଅବିନ୍ୟସ୍ତ । ଦୀର୍ଘଦିନର ଅଯତ୍ନରେ ଜଟା ଆକାଶ ଧାରଣ କଲା କୃଷ୍ଣ କୁନ୍ତଳ । ଚକ୍ଷୁ ହେଲା କୋଟରଗତ, ଦୃଷ୍ଟି ଅର୍ଥହୀନ । କୁଣ୍ଡଳୀକୃତା ସ୍ମୃତି–ମଧ୍ୟେ ମଧ୍ୟେ ସୂତ୍ରହୀନ ପ୍ରଳାପ । କ୍ଷଣେ ଉତ୍ତେଜନା, କ୍ଷଣେ ଗର୍ଜନ, ପରକ୍ଷଣରେ ପୁଣି ମୃତ୍ୟୁର ସ୍ତବ୍ଧତା । କେବେ ବା ବୁକୁଫଟା ଆର୍ତ୍ତନାଦ । ଅତି ମର୍ମାନ୍ତିକ ସେ କ୍ରନ୍ଦନ । ବଦ୍ଧ ଉନ୍ମାଦିନୀ ସ୍ମୃତିହରା–ସଙ୍ଗେ ସଙ୍ଗେ ଉନ୍ମାଦିନୀ ତା’ର କୁଟିଳ ପ୍ରକୃତି । ଭୀଷଣ ଆକ୍ରୋଶ, ବିଚାରହୀନ ତା’ର ଆଚରଣ । ସୁସ୍ଥ ମଣିଷକୁ ମୁହୂର୍ତ୍ତକରେ ମତୁଆଳ, ଉନ୍ମାଦ, ବିଭ୍ରାନ୍ତ କରେ ସେ । କିନ୍ତୁ ଟିକିଏ ଲକ୍ଷ୍ୟ କଲେ ଦେଖାଯାଏ, ଏଇ ବୀଭତ୍ସ ଉନ୍ମତ୍ତତା ଭିତରେବି କେଉଁଠି ଯେପରି ରହିଚି ଉଦ୍‍ଭ୍ରାନ୍ତିକର ଏକ ରୂପର ମାୟା । ଏଇ ରୂପ-ମାୟାହିଁ ମଣିଷର ସ୍ମୃତି ହରଣ କରେ ।

 

ଆଜିବି ସୃଷ୍ଟିକୁ ଉନ୍ମାଦିତ କରୁଚି ଆଲେୟା ତୁଲ୍ୟ ରୂପବତୀ ଏଇ ଉନ୍ମାଦିନୀ । ମରୀଚିକା ଭଳି ବିଭ୍ରାନ୍ତ କରୁଚି ଏଇ ବିଭ୍ରମବତୀ । ଜନ୍ମ, ଜୀବନ, ମରଣ–ସର୍ବଦା ସ୍ମୃତିହରା ଲୁପ୍ତ କରି ଦେଉଚି ସ୍ମୃତି । ତ୍ରିଲୋକମୟ ତା’ର ପ୍ରମତ୍ତ ସଞ୍ଚରଣ । ପ୍ରଚଣ୍ଡ ଆକ୍ରମଣ । ଧୃତବ୍ରତ ସଂଯମୀର ମଧ୍ୟ ନିସ୍ତାର ନାଇଁ ତା’ର କବଳରୁ । ରୂପର ମୋହିନୀ ମାୟା ସ୍ମୃତିହରା–ସେ ଉନ୍ମାଦିନୀ, ସେ ବିଭ୍ରମବତୀ; ମୃତ୍ୟୁର ଅଗ୍ରଦୂତୀ । *

 

* ଦୁଃସହ-ନନ୍ଦିନୀ ସ୍ମୃତିହରାର ପରିଚୟ ଓ ପ୍ରକୃତିର ବର୍ଣ୍ଣନା ରହିଚି ମାର୍କଣ୍ଡ ପୁରାଣରେ-। ଊଶୀନରଘଟିତ ଯେଉଁ କାହାଣୀଟି ସ୍ମୃତିହରା ଉପରେ ଆରୋପିତ ହେଇଚି, ତାହା ‘ଉନ୍ମଦସ୍ତୀ’ ଜାତକରୁ ଗୃହୀତ । କଥାସରିତ୍‍ସାଗର ଓ ବେତାଳ ପଞ୍ଚବିଂଶତି ଗ୍ରନ୍ଥରେ ମଧ୍ୟ ପରିବର୍ତ୍ତିତ ଆକାରରେ ‘ଉନ୍ମାଦିନୀ’ର କାହାଣୀ ଅଛି ।

★★★

 

Unknown

ନରକ

 

ଗମ୍ଭୀର ହେଲା ରାଜା ନରକ । ପ୍ରଦୋଷର ସ୍ୱଳ୍ପାଲୋକରେ ତା’ର ନେତ୍ରରେ ଫୁଟି ଉଠିଲା ଗୋଟାଏ ସୁତୀବ୍ର ସନ୍ଧାନୀ-ଦୃଷ୍ଟି । ସେଇ ଦୃଷ୍ଟି ଦେଇ ସେ ଦେଖିନେଲା ପ୍ରିୟତମା ମହିଷୀ ବେଦନାର ଆପାଦମସ୍ତକ ।

 

ବିଧାତାର ସୃଷ୍ଟି ରାଜ୍ୟରେ ମହାଘୋର ନିରୟଲୋକର ଅଧୀଶ୍ଵର ନରକ । ସେ ପାପୀର ଦଣ୍ଡଧର–ଦୁରନ୍ତ, ନିର୍ମମ । ତା’ର ନାମରେହିଁ ଅନ୍ଧକାର-ଘନ ଅଧୋଲୋକର ନାମ ‘ନରକ’ I ନରକ ଅତି ଭୀଷଣ, ପାପୀର ଭୋଗ୍ୟସ୍ଥାନ ।

 

ଯେପରି ଭୀଷଣ ରାଜ୍ୟ, ସେପରି ଭୟଙ୍କର ତା’ର ରାଜା । ଅଞ୍ଜନ ପର୍ବତ ସଦୃଶ ଘୋର କୃଷ୍ଣବର୍ଣ୍ଣ ଦେହ, ଜଟିଳ ପିଙ୍ଗଳ କେଶ । ତଦୁପରି ରତ୍ନମୟ ମୁକୁଟ–ସୂର୍ଯ୍ୟରଶ୍ମି ପ୍ରତିଘାତୀ ମନ୍ଦରଶୃଙ୍ଗ ଅବା । ବଳିକୁଞ୍ଚିତ ଲଲାଟ ତଳେ ତୀକ୍ଷ୍ଣ ଜ୍ଵାଳାବହୁଳ ନୟନ । ପ୍ରଳୟ ମେଘବିମ୍ବିତ ଉତ୍ତାଳ ଉଦଧିରେ ବାଡ଼ବା ସଦୃଶ ଭୟାବହ କ୍ରୋଧ-ସଂରକ୍ତ କଟାକ୍ଷ । ସେ କଟାକ୍ଷ ପାପାତ୍ମାର ମର୍ମ ଭେଦକରେ । ନରକର ବର୍ଣ୍ଣରେ ମଣିମୟ କୁଣ୍ଡଳ, କୁଣ୍ଡଳ ଦୋଳନରେ ଦେବତ୍ରାସ ଔଦ୍ଧତ୍ୟ । ଅତି ବିଭୀଷଣ ସେ ମୂର୍ତ୍ତି ।

 

ତା’ରହିଁ ସମ୍ମୁଖରେ ଉଭା ମହିଷୀ ‘ବେଦନା’ I ଆଜି ତା’ର ଅଦ୍ଭୁତ ପ୍ରାର୍ଥନା : ‘ମୁଁ ନରକ ଦେଖିବାକୁ ଚାହେଁ । ମତେ ନରକକୁ ନେଇ ଚାଲ ।’

 

ନରକର ମୁଖ ଆହୁରି ଗମ୍ଭୀର ହେଇ ଉଠେ, ଦୃଷ୍ଟି ହୁଏ ତୀକ୍ଷ୍ଣତର । ସୁଗମ୍ଭୀର କଣ୍ଠରେ ସେ କହେ, ‘ତାହା କି ସମ୍ଭବ ! ନରକ ଦେଖିବା ଅଧିକାର ସମସ୍ତଙ୍କର ନାହିଁ ।’

 

‘କାହିଁକି ନାହିଁ ?’ ବ୍ୟାକୁଳ ଭାବରେ ପ୍ରଶ୍ନ କରେ ବେଦନା ।

 

ସେପରି ଗମ୍ଭୀର କଣ୍ଠରେ କହେ ନରକ, ‘କର୍ମଫଳରୁହିଁ ସ୍ୱର୍ଗ ଅବା ନରକ ଦର୍ଶନ ଘଟେ-। ଯେଉଁମାନେ ପୁଣ୍ୟବାନ୍, ପ୍ରେମିକ–ସତ୍ୟବାନ, ଧର୍ମଶୀଳ–ସେମାନେ ଯେପରି ସୁଖ ପରେ ସୁଖ, ସ୍ୱର୍ଗ ପରେ ଅନନ୍ତସ୍ୱର୍ଗ ଭୋଗ କରନ୍ତି, ସେପରି ଯେଉଁମାନେ ପାପୀ, ମିଥ୍ୟାଚାରୀ ସେମାନେ ଭୋଗ କରନ୍ତି କ୍ଳେଶ ଆଉ ନରକ । ନରକ ଦର୍ଶନର ଅଧିକାର ଅଛି ପାପୀର-। ତୁମେ ତ ଜୀବନରେ କୌଣସି ପାପ କରିନାହଁ !’

 

ପ୍ରସଙ୍ଗ ଏଡ଼ାଇ ଯାଏଁ ବେଦନା । ଅଶ୍ରୁସିକ୍ତ କଣ୍ଠରେ କହେ, ‘ନାରକୀର କାତର କ୍ରନ୍ଦନ ମତେ ଅସ୍ଥିର କରି ତୋଳୁଚି । ମୁଁ ସହ୍ୟ କରି ପାରୁନି । ଓଃ, କି କରୁଣ ଆର୍ତ୍ତନାଦ ! ମତେ ନେଇ ଚାଲ, ମୁଁ ସେମାନଙ୍କୁ ଦେଖିବି ।’

 

ନରକର ସ୍ଵଭାବ-ଗମ୍ଭୀର ବଦନମଣ୍ଡଳ ଆହୁରି ଗମ୍ଭୀର ହେଇ ଉଠେ–ଅନ୍ଧକାର ମେଘଲୋକରେ ଆସନ୍ନ ସନ୍ଧ୍ୟାର ଘୋର ଯେପରି । କୁଟିଳ ଶକୁନ ଭଳି ରକ୍ତଚକ୍ଷୁର ସୁତୀବ୍ର ସନ୍ଧାନୀ ଦୃଷ୍ଟି ତୀବ୍ରତର କରି ସେ ପୁନର୍ବାର ମହିଷୀର ଆପାଦମସ୍ତକ ଲକ୍ଷ୍ୟ କରେ–ନିଷ୍ପାପ, ନିଷ୍କଳଙ୍କ ନୟନ; ନିର୍ମଳ, ନିଷ୍କଳୁଷ ନୟନ ଆକୃତି କି ଅନ୍ତରର ଦର୍ପଣ ନୁହେଁ ?

 

ଦୀର୍ଘଦିନ ଧରି ଦେଖି ଆସୁଚି ନରକ–କରୁଣା ଓ କୋମଳତାରେ, ସେବା ଓ ଯତ୍ନରେ ଅତୁଳନୀୟା ବେଦନା । ପ୍ରଶ୍ନର ଅତୀତ ତା’ର ପାତିବ୍ରତ୍ୟ । ସପ୍ତର୍ଷିଲୋକର ଅନସୂୟା, ଅରୁନ୍ଧତୀ ଭଳି ଅନିନ୍ଦିତା ସେ, ଅନିନ୍ଦନୀୟ ତା’ର ଚରିତ୍ର-ଗୌରବ । ସ୍ଵର୍ଣ୍ଣାକ୍ଷରରେ ହୃଦୟରେ ମୁଦ୍ରିତ ହୋଇ ଅଛି ସେଇ ପ୍ରଥମ ଦିନର ସ୍ମରଣୀୟ ଇତିହାସ, ଯେଉଁଦିନ ଭୀମକାନ୍ତ ନରକ ସମ୍ମୁଖରେ ଆସି ଉଭା ହେଇଥିଲା ବେଦନା । ଉଦ୍ୟତ-ଗ୍ରାସ ମେଘ ମୁହଁରେ ସ୍ଥିର ରହେ ଯେପରି ନୀଳ ତାରା, ବିପୁଳ କୃଷ୍ଣକାୟ ନରକ ସମ୍ମୁଖରେ ସେପରି ଠିଆ ହୋଇଥିଲା ସେ । ପରିପୂର୍ଣ୍ଣ ଶାମାଙ୍ଗୀ–ଯୌବନରେ ଉଚ୍ଛଳ । ନିଖୁଣ ନୀଳକାନ୍ତ ମଣି ସମ ନୀଳଦ୍ୟୁତି, ଶତକୁଞ୍ଚିତ ଘନନୀଳ କେଶକଳାପ, ନୀଳୋତ୍ପଳ ସମ ସୁସ୍ନିଗ୍ଧ ନୟନ, ମମତା-ମତାଣିଆ ଆବେଗ-ବିହ୍ୱଳ ଈକ୍ଷଣ–ଚାରୁସର୍ବାଙ୍ଗୀ ଅନଙ୍ଗଲତା ଯେପରି । ଏପରି ଭାବରେ କୌଣସି ନାରୀ ତା’ର ସମ୍ମୁଖରେ ଠିଆ ହୁଏନି, ଠିଆ ହେବାକୁ ସାହସ କରେନି । ନାରୀର ବିଭୀଷିକା ନରକ ।

 

ନାରୀକୁ ଦେଖି ସୁଗମ୍ଭୀର ମେଘମନ୍ଦ୍ରରେ ପ୍ରଶ୍ନ କରିଥିଲା ନରକ; ବୀଣାନିନ୍ଦିତ ମଧୁକ୍ଷରା କଣ୍ଠରେ ଉତ୍ତର ଦେଇଥିଲା ବେଦନା ତୀବ୍ର ଓ କୋମଳରେ, ଉଦାତ୍ତ ଓ ଅନୁଦାତ୍ତରେ ସଂଳାପ :

 

‘କିଏ ତୁମେ ?’

 

‘ମୁଁ ଅପହୃତା, ପତିଂବରା !’

 

‘ମତେ ଅଭିଶାପ ଦେବାକୁ ଆସିଚ ନାରୀ ?’

 

‘ତୁମକୁ ପତିରୂପରେ ବରଣ କରିବାକୁ ଆସିଚି ମୁଁ’ ।

 

‘ମତେ ! ଜାଣ ମୁଁ କିଏ ?’

 

‘ନିରୟଲୋକ ଅଧୀଶ୍ଵର, ସମ୍ରାଟ ନରକ ।’

 

‘ମୁଁ ଭୟଙ୍କର ଅତ୍ୟାଚାର–ନିର୍ମମ, ନିଷ୍ଠୁର ।’

 

‘ତୁମେ ଆସ୍ତା, ଦଣ୍ଡଧର–ନବଜୀବନର ପ୍ରେରଣା ।’

 

ହତବାକ୍ ହେଇ ଯାଇଥିଲା ରାଜା ନରକ । ଏତେ କଥା କିପରି ଜାଣିଲା ନୀଳ-ତାରା ଭଳି କ୍ଷୁଦ୍ର ଏକ ନାରୀ ! କାହିଁକି ବା ପତି ରୂପରେ ପ୍ରାର୍ଥନା କରୁଚି ତାକୁ ? ବିଶ୍ଵନେତ୍ରରେ ମହାଭୟଙ୍କର ନରକ, ନାରୀ ଜୀବନର ଦୁର୍ଦୈବ । କି ଗୋଟାଏ ଆକ୍ରୋଶ ଅନିର୍ବାଣ ଅନଳ ସମାନ ତା’ର ବୁକୁରେ ପ୍ରଜ୍ଜ୍ଵଳି ଉଠେ । ସେଇ ପ୍ରଜ୍ଜ୍ଵଳିତ କ୍ରୋଧାନଳର ଆହୂତି ଗନ୍ଧର୍ବ, କିନ୍ନର, ଯକ୍ଷ, ବିଦ୍ୟାଧର ପୁରର ସହସ୍ର ରମଣୀ । ଅପହୃତା ସେମାନେ ମଳଦିଗ୍‍ଗାଙ୍ଗୀ–ସେମାନେ ଏକ-ବେଣୀଧରା । ସେମାନଙ୍କ ତପ୍ତ ଦୀର୍ଘଶ୍ଵାସରେ ଅସ୍ଥିର ନରକ । ସହସ୍ର ମୁଖରେ ସେମାନେ ନରକକୁ ଅଭିଶାପ ଦିଅନ୍ତି । ଏପରି ଭାବରେ କିଏ ତ ତାକୁ ପ୍ରତିରୂପରେ ପ୍ରାର୍ଥନା କରିନି ! ଏ ନାରୀ କି ଜାଣେନି, କି ଅଭିଶପ୍ତ ତା’ର ଜୀବନ ! ପରିତ୍ୟକ୍ତ ମାତୃସ୍ନେହ-ବଞ୍ଚିତ, ଗୋତ୍ର-ପରିଚୟହୀନ ସେ–ଅତି କୁତ୍ସିତ, ଅତି କଠୋର । ଅସୀମ ତା’ର ପ୍ରତାପ, କଠିନ ଶାସନ, କିନ୍ତୁ ଅନ୍ତରମୟ ଶୂନ୍ୟ ହାହାକାର–ଶୂନ୍ୟଗର୍ଭ ଅଗ୍ନିଗୋଲକ ଯେପରି !

 

ନରକର ମନେ ପଡ଼େ ଅତୀତର ଏକ କାହାଣୀ : ସଦ୍ୟପ୍ରସୂତ ଅନାଥ ଏକ ଶିଶୁ । ନିର୍ଜନ ଶ୍ମଶାନ ଭୂମିରେ ପ୍ରାଣରକ୍ଷାର ତାଗିଦାରେ ପ୍ରାଣପଣେ ଚିତ୍କାର କରୁଥିଲା ସେ, କ୍ରନ୍ଦନ କରୁଥିଲା ଶୁଷ୍କ ଏକ ନରକପାଳ ଉପରେ ମସ୍ତକ ସ୍ଥାପନ କରି । ଯେଉଁ କାରଣରୁ ହେଉ ଜନନୀ ପରିତ୍ୟାଗ କରିଚି ତାକୁ । ହୁଏତ ସେ କୁଳୀନ, ହୁଏତ ମାତାର ଅବୈଧ କାମନାର ବିଷମୟ ଫଳ । ହୁଏତ ମୃତ୍ୟୁହିଁ ଥିଲା ତା’ର ଲଲାଟ-ଲିଖନ । କିନ୍ତୁ ମୃତ୍ୟୁ ଘଟିନି ତା’ର । ଅମର ବିଷବୀଜ, ଅମର ବିଷବୃକ୍ଷ । ବିଶ୍ଵତୋଚକ୍ଷୁ ବିଧାତାପୁରୁଷଙ୍କ ଦୃଷ୍ଟି ପଡ଼ିଥିଲା ତା’ର ଉପରେ । କରୁଣାଭରେ ତାକୁ ରକ୍ଷା କରିଥିଲେ କମଳଯୋନି ।

 

ଆଶ୍ରୟ ପାଇଥିଲା ମାତୃତ୍ୟକ୍ତ ଅନାଥ ଶିଶୁ । ବିଧାତାଙ୍କ ଅଭିପ୍ରାୟରେ ବର୍ଦ୍ଧିତ ହେଇଥିଲା ସ୍ରଷ୍ଟାର ଅମୋଘ ଆସ୍ତା–‘ନୈର୍ଋତୋ ନରକୋନାମ ବ୍ରାହ୍ମଣୋ ବରଦର୍ପିତଃ’ । ଯେପରି ବିପୁଳ ଦେହ, ସେପରି ନିଷ୍ଠୁର ପ୍ରକୃତି; ଯେପରି ଉତ୍ତପ୍ତ ହାହାକାରମୟ ଜୀବନ, ସେପରି କ୍ରନ୍ଦନ-ସିସୃକ୍ଷୁ ଶାସନ । କଠିନ କଣ୍ଠରେ ତାକୁ ନିର୍ଦ୍ଦେଶ ଦେଇଥିଲେ ବେଦଗର୍ଭ ବ୍ରହ୍ମା : ‘ଜନ୍ମ ପରେ ନରକପାଳରେ ମସ୍ତକ ସ୍ଥାପନ କରି ଭୂମିରେ ଶାୟିତ ଥିଲ ତୁମେ–ତୁମର ନାମ ରହିଲା ‘ନରକ’ । ତୁମେ ଭୀଷଣ ହେଲେହେଁ ମୋର ବିରାଟ ସୃଷ୍ଟିରେ ତୁମର ମଧ୍ୟ ପ୍ରୟୋଜନ ଅଛି । ସୃଷ୍ଟି ରାଜ୍ୟରେ ଯେଉଁମାନେ ଶୃଙ୍ଖଳାର ବ୍ୟଭିଚାରୀ–ଯେଉଁମାନେ ପ୍ରବଞ୍ଚକ, ନରଘାତୀ, ଅତ୍ୟାଚାରୀ, ଯେଉଁମାନେ କାମାନ୍ଧ, ମଦୋଦ୍ଧତ–ସେ ସକଳ ଅଧର୍ମ-ବନ୍ଧୁଙ୍କ ଶାସ୍ତିଦାତା ହେବ ତୁମେ । ତ୍ରିଲୋକୀର ଦକ୍ଷିଣ ଭାଗରେ ଭୂନିମ୍ନସ୍ଥ ନିରୟଲୋକ–ଆଜିଠାରୁ ତୁମେ ହେଲ ତା’ର ଅଧୀଶ୍ଵର । ତୁମ ନାମରେହିଁ ସେ ରାଜ୍ୟ ନରକ ନାମରେ ଅଭିହିତ ହେବ ।’

 

ଶିହରି ଉଠିଥିଲା ବିଭୀଷଣ ନରକ । ସେ ଭୀଷଣ ସତ୍ୟ, କିନ୍ତୁ ତା’ଠାରୁ ଆହୁରି ଭୀଷଣ ନରକ; ସେ କଠିନ, କିନ୍ତୁ ଆହୁରି କଠିନ ନରକଲୋକ । ରୁଦ୍ର-ଶାସନରେ କ୍ରନ୍ଦନମୁଖର ପ୍ରଜା–ରୌଦ୍ର, କରୁଣ, ବୀଭତ୍ସ ରସ-ସାଗରରେ ନିମଜ୍ଜିତ ହେଲେ ସୁଦ୍ଧା ମୁକ୍ତି ନାହିଁ । ଏପରି ଭୟଙ୍କର ଶାସ୍ତି । ଶୁଷ୍କ ସ୍ଵରରେ ପ୍ରତିବାଦ କରିଥିଲା ସେ । ବିଭୀଷଣ ନାଦରେ ଉତ୍ତର ଦେଇଥିଲେ ବେଦଗର୍ଭ ବ୍ରହ୍ମା : ‘ଏ କର୍ମଭାର ତୁମରହିଁ ଉପଯୁକ୍ତ । ତୁମେ ଭୟଙ୍କର, କରାଳ ତୁମର ଶାସନ–ତୁମେ ନିର୍ଦ୍ଦୟ, ନିର୍ମମ ତୁମର ପୀଡ଼ନ । ନରକପତି ହେବେ ନରକ–ଏହାହିଁ କଳ୍ପର ବିଧାନ ।’

 

ତା’ରପରେ ଟିକିଏ ନୀରବ ରହି କହିଥିଲେ ବିଧାତା-ପୁରୁଷ : ‘ସୃଷ୍ଟିର ସ୍ଵର ବିଚିତ୍ର, ବିସ୍ମୟକର । ଯାହାର କାନ ଅଛି, ସେ ଶୁଣିପାରେ ସେ ସ୍ଵନର ଐକ୍ୟତାନ । ଅନ୍ଧକାର ବକ୍ଷରେ ନିଦ୍ରା ଯାଏଁ ଆଲୋକ, ରୁଦ୍ର ବକ୍ଷରେ ସୁଖରେ ନିଦ୍ରା ଯାଏଁ ପରମ ଶିବ । କଠିନ ଶାସନ କେବଳ ଦଣ୍ଡବିଧାନ କରେନି, ଆତ୍ମାକୁ ପରିଶୁଦ୍ଧ କରେ । ଅଙ୍ଗାରର ମଳିନତ୍ଵ ସହଜରେ ଘୁଞ୍ଚେନି, କିନ୍ତୁ ସୁକଠିନ ଅଗ୍ନିତାପରେ ତାକୁ ଦଗ୍ଧ କର ଦେଖିବ, ଅଙ୍ଗାର ହୀରକ ହେଇ ଉଠିଚି । ନରକର ଶାସନ ହେବ ମଳଧୌତ ଧର୍ମ–ଜୀବନର ପ୍ରବର୍ତ୍ତକ । ହେ ନିର୍ମମ, ହେ ଅମିତ୍ର-କର୍ଷଣ ! ତୁମର ହୃଦୟହୀନ ତଣ୍ଡର ତାଡ଼ନାରେ ପାପୀର ରୋଗ କ୍ଷୟ ହେବ–ନରକାଗ୍ନିରେ ଅଗ୍ନି-ଶୁଦ୍ଧ ହେଇ ନାରକୀ ହେବ ଅଭ୍ୟୁଦୟସୂଚକ ନବଜୀବନର ଅଧିକାରୀ ।

 

ନିର୍ବାକ୍ ନରକ । ବିଧାତାପୁରୁଷଙ୍କ ନିର୍ଦ୍ଦେଶ ନତମସ୍ତକରେ ତାକୁ ସ୍ୱୀକାର କରିବାକୁ ପଡ଼େ । ତା’ର ହାହାକାରମୟ କରାଳ ଜୀବନର ଗୋଟିଏ କ୍ଷତରୁ ପ୍ରତିନିୟତ ନିର୍ଗତ ହୁଏ ତପ୍ତ ରକ୍ତ । ସେଇ ରକ୍ତହିଁ ତାକୁ ଉତ୍ତେଜିତ କରି ତୋଳେ । ତା’ର ଜୀବନର ସେଇ କ୍ଷତ ଗୋଟାଏ ଅନୁତ୍ତର ପ୍ରଶ୍ନ : ସେ କିଏ ? କାହିଁକି ସେ ପରିତ୍ୟକ୍ତ ? ମାତାର ମମତା ନିର୍ମମ ହେଲା କାହାର ଅଭିଶାପରେ ?

 

ନରକ-ପତନ ପୂର୍ବରୁ ସେଇ ପ୍ରଶ୍ନଟି କେବଳ ସେ ପଚାରିଥିଲା ସର୍ବଜ୍ଞ ବିଧାତାଙ୍କୁ : ‘ମୋର ନିରସ ଜୀବନରେ ଏକମାତ୍ର ରସର ନିର୍ଝର ଆପଣଙ୍କ ସ୍ନେହ, ଅପରିଶୋଧ୍ୟ ଆପଣଙ୍କ ଋଣ-। ଚିରକାଳ କି ଅଜ୍ଞାତ ରହିଥିବ ମୋର ପରିଚୟ ? କେବେହେଲେ କି ମୁଁ ଜାଣି ପାରିବିନି, କିଏ ମୋର ମାତା, କିଏ ମୋର ପିତା ?’

 

ପ୍ରଶାନ୍ତ କଣ୍ଠରେ ଉତ୍ତର କରିଥିଲେ ଅସ୍ଖଳିତ ସତ୍ୟର ବାଙ୍‍ମୂର୍ତ୍ତି ବ୍ରହ୍ମା, ‘ସତ୍ୟ ପ୍ରକାଶ କରିବାକୁ ହୁଏନି, ବତ୍ସ ! ସତ୍ୟ ସ୍ୱୟଂ-ପ୍ରକାଶ । ସମୟାନ୍ତରେ ଏ ସତ୍ୟ ଆପେ ଉଦ୍‍ଘାଟିତ ହେବ ।’

 

ଆଉ କିଛି କହିନି ନରକ । ରହସ୍ୟଘନ ଜିଜ୍ଞାସା ଅନ୍ତରରେ ରୁଦ୍ଧ ରଖି ସେ ଗ୍ରହଣ କରିଥିଲା ବିଧି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟଭାର । ଊର୍ଦ୍ଧ୍ଵରେ ପୁଣ୍ୟବାନ୍‍ଙ୍କ ସ୍ୱର୍ଗ, ନିମ୍ନରେ ପାପୀଙ୍କ ନରକ । ସେଇ ନରକରହିଁ ଅଧୀଶ୍ଵର ହୋଇଥିଲା ସେ । ସ୍ୱର୍ଗ ତା’ର ପ୍ରତିଦ୍ୱନ୍ଦ୍ୱୀ, ସ୍ଵର୍ଗର ଅଧିବାସୀ ତା’ର ଶତ୍ରୁ । ସ୍ୱର୍ଗର ମହାଭୟ ନରକ–ପ୍ରାଣାନ୍ତକର ବ୍ୟାଧି ଅପେକ୍ଷା ମଧ୍ୟ ଭୟଙ୍କର, ମୃତ୍ୟୁ ଅପେକ୍ଷା କରାଳ, ଯମଦୂତଠାରୁବି ଦୁରନ୍ତ । ମାତୃସ୍ନେହର ବଞ୍ଚନା ଆହୁରି ଭୀଷଣ କରିଥିଲା ତାକୁ । ସମଗ୍ର ନାରୀ ଜାତି ପ୍ରତି ତା’ର ବିତୃଷ୍ଣା । ତା’ର ଆକ୍ରମଣରେ ସନ୍ତ୍ରସ୍ତା ଯୋଷିତ୍କୁଳ । ନାରୀକୁ ସେ କରିଚି ନରକର ଦ୍ଵାର । ସହସ୍ର ରମଣୀର ଦୀର୍ଘଶ୍ୱାସରେ ଅସ୍ଥିର ନରକ, କ୍ରନ୍ଦନରେ ଉତ୍ତେଜିତ ନରକ, ଏକବେଣୀଧର । ସୀମନ୍ତିନୀର ଅଭିଶାପରେ ଉତ୍ତପ୍ତ ନରକ । ସେ ଉତ୍ତଳ, ଉନ୍ମାଦ । ଉନ୍ମତ୍ତତାରେ କଠିନ ହେଇଉଠେ ସୁକଠିନ ପୀଡ଼ନ, ନିଷ୍ପିଷ୍ଟ ହୁଅନ୍ତି କୋଟି କୋଟି ଅଙ୍ଗୁଷ୍ଠ ପ୍ରମାଣ ପୁରୁଷ । ବାହାରର ପ୍ରତାପ ଅନ୍ତରର କ୍ରନ୍ଦନକୁ ଚାପି ରଖିବାକୁ ଚାହେଁ ଯେପରି; କିନ୍ତୁ ପାରେନା । ନରକ ଯେପରି ଅନନ୍ତ ହାହାକାରରେ ପୂର୍ଣ୍ଣ ଗୋଟାଏ ଶୂନ୍ୟଗର୍ଭ ଉଲ୍କା ।

 

ସେହି ନରକକୁ–ବିଶ୍ଵଲୋକର ବିଭୀଷିକା, ନାରୀକୁଳର ମହାଭୟ, ଚିର ଅଭିଶପ୍ତ ସେଇ ନରକକୁ ସ୍ଵେଚ୍ଛାରେ ବରଣକରି ବସିଚି ଜଣେ ନାରୀ, ଯେଉଁ ନାରୀ ତା’ରହିଁ କର-ପୀଡ଼ନରେ ପୀଡ଼ିତା, ବଞ୍ଚିତା ଓ ଲାଞ୍ଛିତା । ସେ କ’ଣ ନରକକୁ ଚିହ୍ନେନି ? କୁତ୍ସିତ, ମହାଭୟଙ୍କର ନରକର ପରିଚୟ କ’ଣ ତା’ର ଅଜ୍ଞାତ ? ସକଳେ ପ୍ରାର୍ଥନା କରନ୍ତି ସୁନ୍ଦରକୁ; କିନ୍ତୁ ଯିଏ ଅସୁନ୍ଦର, ଯିଏ ଅଭିଶପ୍ତ, ଯିଏ ମହା ଭୟଙ୍କର ତାକୁ ସ୍ୱେଚ୍ଛାରେ କି ବରଣ କରେ କିଏ ?

 

ଭ୍ରୂଭଙ୍ଗ କରି ଉତ୍ତପ୍ତ କଣ୍ଠରେ ତାକୁ କହିଥିଲା ନରକ, ‘ତମେ ଜାଣ, କୋଟି କୋଟି ନାରୀ ନୟନର ଅଶ୍ରୁ ମୁଁ, ମହାଅଭିଶାପ ?’

 

ଆୟତ ନୟନ ବିସ୍ତାର କରି କୋମଳ କଣ୍ଠରେ କହିଥିଲା ନୀଳନୟନୀ ବେଦନା, ଗୋଟିଏ ନାରୀର ନୟନର ହାସ ତୁମେ, ଜୀବନର ଆଶୀର୍ବାଦ ।’

 

‘ଶୁଣ ନାରୀ, ବିରାମହୀନ ମୋର ଜୀବନ, କ୍ଳାନ୍ତିହୀନ ଶାସନ ।’

 

‘ସେଇ କ୍ଳାନ୍ତିହୀନ ଜୀବନର ମୁଁ ହେବି ଶାନ୍ତି ।’

 

‘ତୁମେ କ’ଣ ଜାଣନି, ମୁଁ ଗୋତ୍ର-ପରିଚୟହୀନ, ଆଜନ୍ମ ମାତୃ-ପରିତ୍ୟକ୍ତ ସ୍ନେହବଞ୍ଚିତ-?

 

‘ଜାଣେ, ଜାଣେ’–ଉଚ୍ଛଳ ହାସ୍ୟତରଙ୍ଗ ଲୋଟାଇ ଉତ୍ତର ଦେଇଥିଲା ମେଘବରଣୀ, ମମତାମୟୀ ବେଦନା, ‘ସେଥିଲାଗି ତ ଜାୟାର ପ୍ରେମ ଦେଇ ପୂର୍ଣ୍ଣ କରିବାକୁ ଚାହେଁ ଜନନୀର ସ୍ନେହ, ଶୂନ୍ୟ ହୃଦୟର ଅଭାବ ଦୂର କରିବାକୁ ଚାହେଁ ମମତାର ମାଧୁର୍ଯ୍ୟରେ ।’

 

ଏହାପରେ ଆଉ କିଛି କହି ପାରିନି ରାଜା ନରକ । ପ୍ରୀତିର ଯେଉଁ ଶୃଙ୍ଖଳରେ ବନ୍ଦୀ ବିଶ୍ଵଜଗତ, ସେଇ ଶୃଙ୍ଗଳରେହିଁ ବନ୍ଦୀ ହେଇଥିଲା ମଦକଳମତ୍ତ ନରକେଶ୍ଵର । ବନ୍ଦୀ ହୋଇ ବଞ୍ଚିତ ହେଇନି ସେ । ମମତାମୟୀ ବେଦନା–କରୁଣା ଓ ଶାନ୍ତିର ଏକମୂର୍ତ୍ତି । ବର୍ଷାବାରୀ ବର୍ଷଣରେ ଦାବଦଗ୍ଧ, ଶୁଷ୍କାତିଭୈରବ ଗ୍ରୀଷ୍ମ ଯେପରି ସବୁଜ ଶ୍ୟାମଳତାରେ ପୂର୍ଣ୍ଣ ହେଇ ଉଠେ, ବେଦନାର ସ୍ନେହଧାରାରେ ସେପରି ପୂର୍ଣ୍ଣ ହେଇ ଉଠିଥିଲା ନରକ । ନରକ ଜୀବନରେ ଏକେଶ୍ୱରୀ ବେଦନା, ତା’ର ପ୍ରିୟତମା ମହିଷୀ । କ୍ଳାନ୍ତ ଜୀବନରେ ପରିପୂର୍ଣ୍ଣ ଆରାମର ଗୋଟାଏ ବିଶ୍ରାମାଗାର–ଛାୟା-ଶୀତଳ, ପ୍ରୀତି ସ୍ନିଗ୍ଧ, ଶାନ୍ତ । ସ୍ୱାମୀ ସେବାରେ ବେଦନାବି ଅକ୍ଳାନ୍ତ । ଏକନିଷ୍ଠ ପାତିବ୍ରତ୍ୟ, ପତି ଇଚ୍ଛାହିଁ ତା’ର ଇଚ୍ଛା; ପତି ଆଦେଶ ତା’ର ପରମ ଆଦେଶ ।

 

ସେଇ ପତିବ୍ରତା ଆଜି ସ୍ୱାମୀ ଇଚ୍ଛା ବିରୁଦ୍ଧରେ କହୁଚି, ସେ ନରକ ଦର୍ଶନ କରିବ । ଯେତେ ନିଷେଧ କରୁଚି ନରକ, ସେତେ ଜିଗର କରୁଚି ବେଦନା; ନରକ ଯେପରି ଅଟଳ, ବେଦନା ସେପରି ଦୃଢ଼ପ୍ରତିଜ୍ଞ । ବ୍ରତୀର କଠିଣ ପଣ ଭଙ୍ଗ କରିବାକୁ ଚାହେଁ । ନରକ କହେ, ‘ଏ ଇଚ୍ଛା ପ୍ରରିତ୍ୟାଗ କର । ଅତି ଭୀଷଣ ସେ ସ୍ଥାନ ।’

 

‘ଭୀଷଣ ବୋଲି ତ ମୁଁ ଦେଖିବାକୁ ଚାହୁଁଚି ।’

 

‘ଭୀଷଣଦର୍ଶନ ନରକ-କିଙ୍କର ସେଠାରେ ଲୌହଶୂର୍ମି ଆଘାତରେ ନାରକୀଙ୍କୁ ଶାସ୍ତି ଦିଏ ।’

 

‘ନାରକୀୟ ବେଦନାରେ ମୁଁ ଆକୁଳ ହେଇ ଉଠେ । ବକ୍ଷ ପାତି ମୁଁ ନେବାକୁ ଚାହେଁ ଶୂର୍ମି ଆଘାତ ।’

 

ବେଦନାରେ କମ୍ପୁଥାଏ ବେଦନାର କଣ୍ଠ । ସସଂଶୟ ସୁତୀକ୍ଷ୍ଣଦୃଷ୍ଟି ଢାଳି ଆଉଥରେ ବେଦନାର ଆପାଦମସ୍ତକ ନିରୀକ୍ଷଣ କରେ ନରକ । ଏଥର ତୀବ୍ର ଶ୍ଳେଷ ଧ୍ଵନିତ ହୁଏ ତା’ର କଣ୍ଠରେ, ‘ନାରକୀ ନିମନ୍ତେ ନରକ-ମହିଷୀଙ୍କ ଏ ଅଭୂତପୂର୍ବ ବେଦନା ଗୋଟାଏ ନୂତନ ବିସ୍ମୟ ଯେପରି ।’

 

‘ବେଦନାର ସମବେଦନାରେ ବିସ୍ମୟ ତ କିଛି ନାହିଁ’–କମ୍ପ୍ର କଣ୍ଠରେ କହେ ବେଦନା ।

 

ଇଚ୍ଛାର ବିରୁଦ୍ଧାଚାରରେ ନରକ କ୍ଷିପ୍ତ ହେଇ ଉଠେ । ତା’ର ଧୈର୍ଯ୍ୟଚ୍ୟୁତି ଘଟେ । ବଜ୍ରସ୍ଵରରେ କହେ, ‘ଜାଣ, ନରକ ଦର୍ଶନ ଇଚ୍ଛା ହେବା ମଧ୍ୟ ପାପ ।’

 

‘ପାପ !’ କରୁଣ କଣ୍ଠରେ ଆର୍ତ୍ତନାଦ କରି ଉଠେ ବେଦନା ।

 

‘ହଁ ।’ କଠିନ କଣ୍ଠରେ କହେ ନରକ । ତ୍ଵରିତେ ପୁନର୍ବାର ମହିଷୀର ସର୍ବାଙ୍ଗରେ ତୀକ୍ଷ୍ଣଦୃଷ୍ଟି ବୁଲାଇ କହେ, ‘ଭାବି ଦେଖ, ଭଲରୂପେ ଭାବି ଦେଖ । ମତେ ବର୍ତ୍ତମାନ ଯିବାକୁ ପଡ଼ିବ ‘ଅସିପତ୍ର’ ବନକୁ । ପୃଥିବୀରୁ ଦଳେ ପାପୀୟସୀ ନାରୀ ଆସିଚନ୍ତି । ପତିକୁ ପ୍ରବଞ୍ଚନା କରି ମହାପାତକର ଭାଗୀ ହେଇଚନ୍ତି ସେମାନେ । ସେମାନଙ୍କ ପାଇଁ ଭୀଷଣ ଶାସ୍ତି ବ୍ୟବସ୍ଥା କରିବାକୁ ହେବ ।’

 

ଶିହରି ଉଠେ ବେଦନା । କାତର ସ୍ଵରରେ କହେ, ‘ମତେ ସେଠାକୁ ନେଇ ଚାଲ । ମତେ ସେମାନଙ୍କୁ ଦେଖିବାକୁ ଦିଅ ।’

 

ଆରକ୍ତ ନୟନରେ ଚାହେଁ ନରକ । କ୍ରୁଦ୍ଧ ଗର୍ଜନରେ କକ୍ଷ ପରିତ୍ୟାଗ କରୁକରୁ ସେ କହେ, "ଯଦି ପ୍ରୟୋଜନ ହୁଏ, ନରକ ମହିଷୀ ନିମନ୍ତେ ନିଶ୍ଚୟ ମୁକ୍ତ କରିବାକୁ ପଡ଼ିବ ନରକର ଦ୍ଵାର । ପ୍ରତୀକ୍ଷା କର । ମୁଁ ପାପୀୟସୀଙ୍କର ବ୍ୟବସ୍ଥା କରିଦେଇ ଆସୁଚି ।"

 

ମତ୍ତ ପଦକ୍ଷେପ କରି କକ୍ଷ ତ୍ୟାଗ କଲା ନରକ । ସେତେବେଳେ ସନ୍ଧ୍ୟା ଘୋର ହେଇ ଉଠିଥିଲା । କକ୍ଷରେ ଜଳିଥିଲା ଆଲୋକ । ବେଦନାର ମନେ ହେଲା, ଉଜ୍ଜ୍ଵଳ ଆଲୋକ ବକ୍ଷରୁ ଗୋଟାଏ କୃଷ୍ଣ ବହ୍ନିଶିଖା ସୃଷ୍ଟିକୁ ଦଗ୍ଧ କରିବାପାଇଁ ଯେପରି ବାହାରି ଗଲା । ଭୟ, ଦୁଃଖ ଓ ଅଭିମାନରେ କାନ୍ଦି ଉଠିଲା ବେଦନା । ସ୍ୱାମୀ ତା’ର ଏତେ ନିଷ୍ଠୁର !

 

ବ୍ୟାକୁଳ ଭାବରେ ପ୍ରତିଷ୍ଠା କରିଥାଏ ବେଦନା । ଅସ୍ଥିର ଚରଣରେ ସେ କକ୍ଷମୟ ପଦଚାରଣା କରେ । ଦାରୁଣ ଅସ୍ଵସ୍ତି । ପ୍ରତୀକ୍ଷା ଭଳି ଅସ୍ୱସ୍ତିକର ବୋଧ ହୁଏ ଆଉ କିଛି ନାଇଁ । ନାନା ଦୁଶ୍ଚିନ୍ତା ତା’ର ମସ୍ତିଷ୍କ ପୂର୍ଣ୍ଣ କରେ, ନାନା ଅଶାନ୍ତି ଆନ୍ଦୋଳିତ କରେ ହୃଦୟ । ସମୟ ସରୁନି; ଗୋଟାଏ ମୁହୂର୍ତ୍ତ ଯେପରି ଗୋଟାଏ ଯୁଗ ।

 

ସହସା ତା’ର ପଦଚାରଣା ବନ୍ଦ ହୁଏ । ଠ° ଠ° ଠ°...ଦୂରରେ ଯେପରି ବାଜୁଚି ନରକର ଘଣ୍ଟା । ରହସ୍ୟଘନ ଦୂରାଗତ ଧ୍ଵନି । ଆତଙ୍କିତ ହୋଇ ଉଠେ ସେ । ବେଦନା ଦେଖିନି ଯଦିଓ ଶୁଣିଚି, ବହୁବାର ଶୁଣିଚି, ଅତି ଭୟଙ୍କର ନରକଲୋକ । ତ୍ରିଲୋକୀର ଦକ୍ଷିଣ ପ୍ରାନ୍ତରେ, କାଳାଗ୍ନି ରୁଦ୍ରପୁର ଊର୍ଦ୍ଧ୍ଵରେ ଭୂଗର୍ଭସ୍ଥ ନିରୟଲୋକ । କୋଟି କୋଟି ଯୋଜନ ତା’ର ବିସ୍ତାର । ନରକର ସଂଖ୍ୟାବି ଅସଂଖ୍ୟ–ଚୌରାଅଶି ଲକ୍ଷ ନରକ । ସେଥିଭିତରୁ ପ୍ରଧାନ ଏକବିଂଶତି ନରକ-। ଅତି ଭୀତିଜନକ ସେ ସବୁ ନାମ : ରୌରବ ମହାରୌରବ, ତାମିଶ୍ର, ଅନ୍ଧତାମିଶ୍ର, କୁମ୍ଭୀପାକ, କାଳସୂତ୍ର, ଅସିପତ୍ର, ଅପ୍ରତିଷ୍ଠ, ଘଟିଯନ୍ତ୍ର, ସନ୍ଦଂଶ, ତପ୍ତଶୂର୍ମି, ସଂଶୋଷଣ, କୃମିଭୋଜନ, ପୂଜଶୋଣିତ ଭୋଜନ, ଶ୍ୱାନଭୋଜନ, ବଜ୍ରକଣ୍ଟକ ଶାଳ୍ମଳୀ, କରମ୍ଭସିକତା, ବୈତରଣୀ, ଅବୀଚି, ସୂଚମୁଖ ଓ ଅୟଃପାନ । ନାମ ସ୍ମରଣ କରି ଭୟରେ ଶିହରି ଉଠେ ବେଦନା । କେବଳ ନରକ ନୁହେଁ–ଏକବିଂଶତି ନରକରେ ପ୍ରତିଷ୍ଠିତ ଷଡ଼ଶୀତି ନରକକୁଣ୍ଡ । ଏଥି ଭିତରେ ଅତି ଭୟାବହ ଦ୍ଵାଦଶ କୁଣ୍ଡ : ବହ୍ନିକୁଣ୍ଡ, ଉଲ୍କାମୁଖ, କ୍ଷାରକର୍ଦ୍ଦମ, ଶୁକ୍ରକୁଣ୍ଡ; ବସାକୁଣ୍ଡ, ଲାଳଭକ୍ଷ; ସର୍ପକୁଣ୍ଡ, ଦଂଶକୁଣ୍ଡ, ବଜ୍ରଦଂଷ୍ଟ୍ରା, ଅଶ୍ରୁକୁଣ୍ଡ, ମସୀକୁଣ୍ଡ, ପ୍ରାଣରୋଧ । ପାପାତ୍ମାର ଅବଶ୍ୟମ୍ଭାବୀ ଗତି ଏଇ ନରକ; ଏଇ ନରକ କୁଣ୍ଡ । ରକ୍ତଲୋଚନ, ତାମ୍ରପିଙ୍ଗଳ ଜ୍ଜକିଜ୍ଜଟା କୋଟି କୋଟି ନରକଭୃତ୍ୟ ସେମାନଙ୍କ ରକ୍ଷକ । ନିର୍ଦ୍ଦୟ ସେମାନଙ୍କ ଶାସନ, ମର୍ମାନ୍ତିକ ପୀଡ଼ନ । କି ହୃଦୟ ବିଦାରକ ପାପାତ୍ମାର ଆର୍ତ୍ତନାଦ !

 

ନିଶ୍ଚଳ ପାଷାଣ ଭଳି ସ୍ତବ୍ଧ ବେଦନା । ସେଇ କ୍ରନ୍ଦନ, ସେଇ ବକ୍ଷଫଟା ହାହାକାର ନରକର ଅନ୍ଧକାର ବିଦୀର୍ଣ୍ଣ କରି ଉଠୁଚି ଯେପରି । ‘ମହାରୌରବ ନରକରୁ ଏ କି କ୍ରନ୍ଦନ ଉଠୁଚି ? ବେଦନା ଜାଣେ, ଯେଉଁମାନେ ହିଂସ୍ର, ନରଘାତୀ–ଯେଉଁମାନେ କ୍ଷମାହୀନ, ନରରକ୍ତରେ ସିକ୍ତ କରନ୍ତି ଧରାତଳ–ହିଂସାରେ ଯେଉଁମାନେ ଉନ୍ମାଦ, ସେମାନଙ୍କରହିଁ ଭୋଗସ୍ଥାନ ଭୟଙ୍କର ମହାରୌରବ । ଦ୍ୱାଦଶ ଯୋଜନ ବିସ୍ତୃତ ଏଇ ମହାନରକ–ତାମ୍ରମୟୀ ଏହାର ଭୂମି । ନିମ୍ନରେ ପ୍ରଚଣ୍ଡ ହୁତାଶନ, ଊର୍ଦ୍ଧ୍ଵରେ ପ୍ରଳୟ ସୂର୍ଯ୍ୟର ଦାହନ । ଅନଳତାପ ଉତ୍ତପ୍ତ ତାମ୍ର ଉପରେ ପଦକ୍ଷେପମାତ୍ରେ ଦେହ ଦଗ୍ଧ ହେଉଥାଏ, ଉପରୁ ଅଗ୍ନି ବର୍ଷଣ କରେ ମାର୍ତ୍ତଣ୍ଡ । ଏକେ ଦାବଦାହରେ ଦଗ୍ଧ ଦେହ, ତଦୁପରି ବଜ୍ରଦଂଷ୍ଟ୍ରା ଦଂଶଶୁକ ଆକ୍ରମଣ । ଏକାସଙ୍ଗେ ଆକ୍ରମଣ କରନ୍ତି କୋଟି ଦଂଶଶୁକ । ଦହନ ଓ ଦଂଶନରେ ଜର୍ଜର ପାପୀ "ହା ମାତା, ହା ପିତା" କ୍ରନ୍ଦନରେ ଆକୁଳ କରି ତୋଳେ ନରକର ପବନ । ଉଲ୍ଲାସରେ ପୈଶାଚିକ ହସ ହସନ୍ତି ନରକ-କିଙ୍କର । ଭୀମଦର୍ଶନ ସେମାନେ, ମମତା ହୀନ–ହସ୍ତରେ ଦଣ୍ଡ, ଅଙ୍କୁଶ । ଅଙ୍କୁଶ ତାଡ଼ନାରେ ସେମାନେ ପାପୀକୁ ଉନ୍ମାଦ କରି ତୋଳନ୍ତି । କାତର କ୍ରନ୍ଦନ, ସକାତର ଅନୁନୟ, "ତ୍ରାହି ତ୍ରାହି "ଆର୍ତ୍ତରବ । ଭୁଲରେ ସୁଦ୍ଧା କିଏ କର୍ଣ୍ଣପାତ କରେନି । ଭ୍ରମିଯନ୍ତ୍ରଣାର ସ୍ଥାପନ କରି ନରକଦାସ ସେମାନଙ୍କୁ ନିକ୍ଷେପ କରେ ‘ରୁରୁକୁଣ୍ଡ’ର । ମହାସର୍ପ ଅପେକ୍ଷା ଅଧିକ ହିଂସ୍ର, କ୍ରୂର–ଭାରଶୃଙ୍ଗ ରୁରୁ । ମହାରୁରୁ ତ ଆହୁରି ଭୟଙ୍କର । ଏହି ନାମରୁହିଁ ନରକର ନାମ ‘ରୌରବ’, ‘ମହାରୌରବ’ । କୁଣ୍ଡରେ ନିକ୍ଷିପ୍ତ ହେବାମାତ୍ରେ ଏହି ହିଂସ୍ର ତ୍ରବ୍ୟାଦ ଜନ୍ତୁ ପାପୀକୁ ଆକ୍ରମଣ କରେ । ହିଂସାର ଶାସ୍ତି ହୁଏ ହିଂସାରେ । ମର୍ମବିଦାରୀ ସେ ଶୋଚନୀୟ ପରିଣାମ !

 

କଳ୍ପନାରେ ସୁଦ୍ଧା ସେ ଦୃଶ୍ୟ ସହ୍ୟ କରି ପାରେନି ବେଦନା । ତା’ର କୋମଳ ଅନୁରରେ ତୀବ୍ରତୁଣ୍ଡ ରୁରୁର ଆକ୍ରମଣ ଯେପରି, ଯେପରି କମନୀୟ ଦେହରେ ତପ୍ତତାମ୍ରର ଅସହ୍ୟ ଦହନ । ନିଜେ ଯେପରି ମହାରୌରବରେ ପତିତ ହେଇଚି ସେ । ଆତଙ୍କରେ ଦୁଇ ହସ୍ତରେ ସେ ନୟନ ଆବୃତ କରେ । ଆବୃତ ନୟନରେ ଅନାବୃତ ହୁଏ ଯେପରି ‘ମହାତାମିଶ୍ର’ ନରକର ଦୃଶ୍ୟ ।

 

ଘୋର ଅନ୍ଧକାରରେ ସମାଚ୍ଛନ୍ନ ‘ମହାତାମିଶ୍ର’ ନରକ । ଅନ୍ଧକାର, ଖାଲି ଅନ୍ଧକାର । ସେ ଅନ୍ଧକାରରେ କିଛି ଦୃଷ୍ଟିଗୋଚର ହୁଏନି, ନିଜର ଦେହ ସୁଦ୍ଧା । ସେଇ ନିଦାରୁଣ ଅନ୍ଧକାରରେ ହିମଖଣ୍ଡପ୍ରବାହୀ ଅତି ଶୀତଳ ବାୟୁପ୍ରବାହ । ଅତି ପ୍ରଚଣ୍ଡ ତା’ର ବେଗ । ସେଇ ବାୟୁ ଆଘାତରେ ମୁହୂର୍ତ୍ତକରେ ଚୂର୍ଣ୍ଣବିଚୂର୍ଣ୍ଣ ହେଇଯାଏ ପାପୀର ଅସ୍ଥି, ମଜ୍ଜା । ଏ ଜଗତରେ ଯେଉଁମାନେ ମଦାନ୍ଧ, ଦସ୍ୟୁ, ଧର୍ମସେତୁ ଲଙ୍ଘନକାରୀ–ସେମାନେହିଁ ଏ ନରକରେ ପ୍ରବେଶ କରନ୍ତି । ଏତେ ମହାତମିସ୍ରାର ଅନ୍ଧ ଦୃଷ୍ଟି, ସେଥି ଉପରେ ହିମଶୀତଳ ବାୟୁର କଠିନ ପ୍ରହାର । ଚୂର୍ଣ୍ଣ ଦେହରୁ ଗଳିତ ରକ୍ତରେ ହିମସ୍ତୂପ ରକ୍ତତୁଷାରରେ ପରିଣତ ହୁଏ । ଶୁଷ୍କ, ତୃଷିତ, ଅନ୍ଧ ପାପୀ ସ୍ମୃତିହରା ଉନ୍ମାଦ ଭଳି ସେଇ ରକ୍ତତୁଷାର ଭକ୍ଷଣରେ ଉଦ୍ୟତ ହୁଏ । ଠିକ୍ ସେଇ ମୁହୂର୍ତ୍ତରେ ଦେଖା ଦିଏ ବଜ୍ରଦଣ୍ଡଧାରୀ ନରକ-ରକ୍ଷକ । ବଜ୍ରଦଣ୍ଡରେ ପ୍ରଚଣ୍ଡ ପ୍ରହାର ବସାଏ ପାତକୀ ମସ୍ତକରେ । ଆଘାତରେ ଆର୍ତ୍ତନାଦ କରି ଉଠେ ପରସ୍ୱାପହାରୀ ମଦାନ୍ଧ । ଦିଗ୍ୱିଦିକ ଜ୍ଞାନଶୂନ୍ୟ ହେଇ ସେ ପଳାୟନ ନିମନ୍ତେ ପଥ ଖୋଜେ-। ଅନ୍ଧକାରରେ ଦିଶାହରା, ଭ୍ରଷ୍ଟବୁଦ୍ଧି, ନଷ୍ଟସ୍ମୃତି ପାପୀ ଅଗାଧ ‘ଅଶ୍ରୁକୁଣ୍ଡ’ରେ ନିମଜ୍ଜିତ ହୁଏ ।

 

ଆଉ ଯେପରି ଭାବି ପାରୁନି ବେଦନା । ତା’ର ନେତ୍ରରେ ମଧ୍ୟ ଉତ୍ତାଳ ହୁଏ ଅଶ୍ରୁନଦୀ । ସଭୟେ ଆଖି ଖୋଲେ ସେ । ନରକରେ ନୁହେଁ; ନିଜର ପ୍ରକୋଷ୍ଠରେହିଁ ସେ ଠିଆ ହେଇଚି । ଦୀପାଲୋକରେ କକ୍ଷ ଉଜ୍ଜ୍ଵଳ । ବାତାୟନ ପଥରେ ଦେଖାଯାଏ ସେଇ ଅନ୍ଧକାର । କକ୍ଷର ଆଲୋକ ବାହାରର ଅନ୍ଧକାରକୁ ଭୟାବହ କରିଚି ଯେପରି । ସବୁ ଅନ୍ଧକାରମୟ ହେଉ । ଅନ୍ଧକାର ଓହ୍ଲାଇଚି ତା’ର ଜୀବନରେ । କି ପ୍ରୟୋଜନ ପ୍ରଦୀପର ? ଉଚ୍ଚ କଣ୍ଠରେ ସେ ଦାସୀକୁ ଡାକେ; ନିଜର ଚିତ୍କାରରେ ନିଜେ ଶିହରି ଉଠେ ସେ । ଦାସୀ କକ୍ଷରେ ପ୍ରବେଶ କରେ । ଧୀର ସଭୟ କଣ୍ଠରେ କହେ ବେଦନା, ‘ପ୍ରଦୀପ ଲିଭାଇ ଦେ ।’ ଦାସୀ ଠିକ୍ ବୁଝି ପାରେନି । ଦୀପ ଲିଭେନି, ସ୍ତିମିତ ହୁଏ । ସଭୟେ ବାହାରିଯାଏ ଦାସୀ । ଅନ୍ୟମନସ୍କ ଭାବରେ ବେଦନା ଆସି ଉଭା ହୁଏ ଗବାକ୍ଷ ପଥରେ । ବାହାରେ ନିଃସୀମ ଅନ୍ଧକାର । ଅନ୍ଧକାର-ଦର୍ପଣରେ କି ତା’ର ସ୍ଵାମୀର ପ୍ରତିବିମ୍ବ ପଡ଼ିଚି ? ଅନ୍ଧକାରରେ କାହାର ସେ ଅଙ୍ଗୁଷ୍ଠ ପ୍ରମାଣ ପ୍ରେତଦେହ ? କ’ଣ ହେଲା ବେଦନାର ! କିଏ କ’ଣ ସତରେ ସ୍ମୃତି ହରଣ କଲା ତା’ର ? ମନେ ହେଲା ସେ ଯେପରି ‘ଅବୀଚିମତ୍’ ନରକରେ ନିକ୍ଷିପ୍ତ ହେଇଚି । ନିସ୍ତରଙ୍ଗ ନୀର ସଦୃଶ ମହାଶୂନ୍ୟରେ ଅବସ୍ଥିତ ଅବୀଚି ନରକ । ନରକ-କିଙ୍କର ସୁଉଚ୍ଚ ପର୍ବତ ଶୀର୍ଷରୁ ପାପୀକୁ ଏଥିରେ ନିକ୍ଷେକ କରେ । ତରଙ୍ଗ ହୀନ, ନିରାଲମ୍ବ କଠିନ ‘ଅବୀଚି’-। ପତନ ଭୟରେ ଆତଙ୍କିତ ଜୀବ କ୍ରନ୍ଦନ କରି ଉଠେ । ପ୍ରଚଣ୍ଡ ଘୂର୍ଣ୍ଣନରେ ଘୂର୍ଣ୍ଣିତ ମସ୍ତକ, ଘୂର୍ଣ୍ଣିତ ନେତ୍ରତାରକା । ଅନନ୍ତ ଶୂନ୍ୟରେ ମୂର୍ଚ୍ଛିତ ହୁଏ ପାପମତି ।

 

ଦୁଇ ହସ୍ତରେ ନିଜର ମସ୍ତକ ତାଡ଼ନ କରେ ବେଦନା । ପ୍ରାଣପଣେ ସେ ସ୍ମୃତିକୁ ଜାବୁଡ଼ି ଧରି ରଖିବାକୁ ଚାହେଁ । ସେ ଦେଖିବାକୁ ଚାହେଁ, ଏ ନରକର ଶେଷ କେଉଁଠି I ବ୍ୟାକୁଳ ଭାବରେ ସେ ସ୍ଵାମୀଙ୍କ ଆଗମନ ପ୍ରତୀକ୍ଷା କରେ ।

 

ରାତ୍ରିର ଦ୍ଵିତୀୟ ପ୍ରହର ଅତିକ୍ରାନ୍ତ । ଏ ଦିଗେ ନିସ୍ତବ୍ଧ ଜଗତ କାନ ପାତି ଶୁଣିଲେ ଶୁଣାଯାଏ, କାହାର କୁନ୍ଥନ ଶବ୍ଦ । ସେଇ ଶବ୍ଦ ଭେଦ କରି ମଝିରେ ମଝିରେ ଯେପରି ଭାସି ଆସୁଚି ଅଜ୍ଞାତ ନରକର କ୍ରନ୍ଦନ । ସତରେ କ’ଣ ଏହା ନାରକୀ କ୍ରନ୍ଦନ ? ନା ତା’ର ହୃଦୟରେ ପ୍ରଚ୍ଛନ୍ନ କେଉଁ ପ୍ରେତର ଆର୍ତ୍ତ ଚିତ୍କାର ? ଛାତି ଧଡ଼ଧଡ଼ ହୁଏ ବେଦନାର । ସର୍ବାଙ୍ଗରେ ସଭୟ କମ୍ପନ । ଅନ୍ତଃକର୍ଣ୍ଣରେ ସେ ଶୁଣିବାକୁ ପାଏ, ନରକ କିଙ୍କରଙ୍କ ଭୈରବ ଗର୍ଜନ, ପାପୀର ‘ହା ହତୋସ୍ମି’ ଆର୍ତ୍ତନାଦ । ବୈତରଣୀ କି ଉତ୍ତାଳ ହେଇଚି ତା’ର ହୃଦୟରେ ? ନାରକୀ କ’ଣ ନୀଡ଼ ବାନ୍ଧିଚି ତା’ର ଅନ୍ତରରେ ? ଅସ୍ଥିର ହେଇ ଉଠେ ବେଦନା ।

 

ସହସା ସ୍ତିମିତ-ପ୍ରଦୀପ କକ୍ଷରେ ପ୍ରବେଶ କରେ ନରକ । କି ଭୀଷଣ ମୂର୍ତ୍ତି ! ପର୍ବତ ପ୍ରମାଣ ଦେହରେ ସରୋଷ କମ୍ପନ, କ୍ରୋଧରେ ଦପଦପ ହେଉଚି ସଂରକ୍ତ ନୟନ, ଲଲାଟରେ ସହସ୍ର କୁଞ୍ଚିତ ଭ୍ରୂଭଙ୍ଗ, କଣ୍ଠରେ ସଂକ୍ରୁଦ୍ଧ ଗର୍ଜନ–ଯେପରି ମୂର୍ତ୍ତିମାନ୍ କୃତାନ୍ତ, ଅଥବା ତା’ଠାରୁ ଆହୁରି ଭୟଙ୍କର । ଭୟରେ ଆର୍ତ୍ତନାଦ କରି ଉଠେ ବେଦନା, ‘ଏ କି ମୂର୍ତ୍ତି ତୁମର ! କାହାର ସର୍ବନାଶ କରି ଆସିଲ ?’

 

ବିକଟ ଅଟ୍ଟହାସ୍ୟ କରି, ନିଶୀଥର ମେଘମନ୍ଦ୍ରରେ କହେ ନରକ, ‘କୂଟସତ୍ୟଭାଷୀଙ୍କ ନିମନ୍ତେ ତ ଭୀଷଣ ଶାସ୍ତି ବ୍ୟବସ୍ଥା କରି ଆସିଲି ।’ ମିଥ୍ୟାଚାରୀ ‘ବିଷକୁମ୍ଭ ପୟୋମୁଖ’–ସେମାନଙ୍କ ପାଇଁ ରହିଚି ମହାଘୋର ‘ଆସିପତ୍ରବନ’ ନରକ ।

 

ଜାଜ୍ଜଲ୍ୟମାନ ଅନଳରେ ପରିବ୍ୟାପ୍ତ ସହସ୍ର ଯୋଜନ ପରିମିତ ଗଭୀର ଅରଣ୍ୟ । ଦ୍ଵାଦଶ ସୂର୍ଯ୍ୟର ତେଜରେ ଅତି ଉତ୍ତପ୍ତ ସେ ସ୍ଥାନ । ସେଠାରେ ସନ୍ନିବିଷ୍ଟ ଖଡ଼୍‍ଗଫଳକମୟ ଅସିପତ୍ର ବୃକ୍ଷ । ଆପାତ ରମଣୀୟ ଛାୟାତରୁ–ଦେଖି ମନେହୁଏ ବଡ଼ ଶୀତଳ, ବଡ଼ ସ୍ନିଗ୍ଧ । ଭ୍ରାନ୍ତି, ଭ୍ରାନ୍ତି ! ଅସିପତ୍ର ଅସି ଭଳି କ୍ଷୁରଧାର–ଉଭୟ ପ୍ରାନ୍ତ ତୀକ୍ଷ୍ଣ । ତାପଦଗ୍ଧ ତୃଷ୍ଣାର୍ତ୍ତ ଜୀବ ବଡ଼ ଆଶାରେ ସେଇ ବନ ମଧ୍ୟରେ ପ୍ରବେଶ କରେ । ଆଶାର ନିଶାରେ ଛୁଟେ ଅସିପତ୍ର ବୃକ୍ଷ ଦିଗେ । ଠିକ୍ ସେଇ ମୁହୂର୍ତ୍ତରେ ପ୍ରବାହିତ ହୁଏ ଅସିପତ୍ରପାତୀ ପ୍ରଳୟ ବାତ୍ୟା । ଶ୍ରାବଣର ଧାରା ଭଳି ପାପାତ୍ମା ଉପରେ ପତିତ ହୁଏ ତୀକ୍ଷ୍ଣଧାର ଅସିପତ୍ର । ମୁହୂର୍ତ୍ତକରେ ପଦ୍ମନାଡ଼ ସମ ଖଣ୍ଡବିଖଣ୍ଡ ହୁଏ ଦେହ, ମୁହୂର୍ତ୍ତକରେ ବିପର୍ଯ୍ୟୟ । ଆକୁଳ କ୍ରନ୍ଦନ କରିଉଠନ୍ତି ମିଥ୍ୟାଚାରୀ, ବାକ୍-ଅପହାରୀ–ମିଥ୍ୟାର କୁହୁକରେ ମିଥ୍ୟାବାଦିତାର ନିଦାରୁଣ ଶାସ୍ତି ଭୋଗ କରନ୍ତି ସେମାନେ । ଏତିକିରେ କିନ୍ତୁ ଦଣ୍ଡ ଶେଷ ହୁଏନି ।’

 

‘ଆଉ କହନି, ଆଉ କହନି’–କାତର କ୍ରନ୍ଦନ କରି ଉଠେ ବେଦନା । ଅସିପତ୍ରବନ ନରକରେ ଯେପରି ନିଜେ ପତିତ ହେଇଚି ସେ । ସଭୟେ ପଳାଇବାକୁ ଚେଷ୍ଟା କରେ ବେଦନା । ଭୀମ ବାହୁ ବିସ୍ତାର କରି ବାଧା ଦିଏ ନରକ । ସେପରି ଉତ୍କଟ ଅଟ୍ଟହାସ୍ୟରେ କକ୍ଷ ପ୍ରକମ୍ପିତ କରି କହେ, ‘ସେମାନଙ୍କ ଭିତରେ ଛଳନାମୟୀ ପୁଂଶ୍ଚଳୀବି ଅଛି । ପାପୀୟସୀ କାମିନୀ–ପତିରୂପେ ସମ୍ଭୋଗ କରିଚି ସଗୋତ୍ର ସହୋଦରକୁ–’

 

ଆହତ, ରକ୍ତାକ୍ତ ବିହଙ୍ଗ ଭଳି ନରକ କବଳରେ ଛଟପଟ ହୁଏ ବେଦନା । ଦନ୍ତେ ଦନ୍ତ ଘର୍ଷଣ କରି କ୍ରୁଦ୍ଧ ଗର୍ଜନ କରେ ନରକ, ‘ଆରେ ପାପୀୟସୀ ! ସେମାନଙ୍କ ପାଇଁ ଯେ ରହିଚି ‘ବଜ୍ରକଣ୍ଟ ଶାଳ୍ମଳୀ’ । ବ୍ୟଭିଚାରୀ ପୁରୁଷ ଆଉ ନାରୀ ନିମନ୍ତେ ନିର୍ଦ୍ଦିଷ୍ଟ ଏ ନରକ । ବଜ୍ରତୁଲ୍ୟ କଣ୍ଟକମୟ ଶାଳ୍ମଳୀ, ତପ୍ତ ଲୌହତୁଲ୍ୟ ତା’ର କଣ୍ଟକଶଳାକା । ନରକ କିଙ୍କରଙ୍କ ଅଙ୍କୁଶ ତାଡ଼ନାରେ ଜର୍ଜର ହେଇ କାମାଚାରୀ ଲମ୍ପଟ ସେଇ ଶାଳ୍ମଳୀ ବୃକ୍ଷକୁ ଆଲିଙ୍ଗନ କରେ–’

 

ଗଭୀର ଯନ୍ତ୍ରଣାରେ ଚିତ୍କାର କରି ଉଠେ ବେଦନା । ସେଥିପ୍ରତି ଭ୍ରୂକ୍ଷେପ ନକରି, ନିଷ୍ଠୁର ହାସ୍ୟରେ ହୃଦୟ ପ୍ରକମ୍ପିତ କରି କହେ ନରକ, ‘ତପ୍ତ କଣ୍ଟକରେ ବିଦ୍ଧ ରକ୍ତାକ୍ତ କାମୁଳ ଯନ୍ତ୍ରଣାରେ ଛଟପଟ ହେଉଥାଏ । ଲୌହଦଣ୍ଡ ଆଘାତରେ ତାଡ଼ନ କରି କରି ନରକଭୃତ୍ୟ ସେମାନଙ୍କୁ ନିକ୍ଷେପ କରେ ଉତ୍ତପ୍ତ ‘ଶୁକ୍ରକୁଣ୍ଡ’ରେ–’

 

ଭୟାନକ ଦନ୍ତପଂକ୍ତି ବିକାଶ କରି ଭୟାବହ ଭାବରେ ହସି ଉଠେ ନରକ । ସ୍ୱାମୀର ଏ ମୂର୍ତ୍ତି କେବେହେଲେ ଦେଖିନି ବେଦନା । ଦୁଇ ହାତରେ ମସ୍ତକ ଚିପି ଧରି ଗଭୀର ଆର୍ତ୍ତନାଦ କରି ଉଠେ ସେ । ଅଶ୍ରୁ-ଉଚ୍ଛ୍ଵସିତ କଣ୍ଠରେ କହେ, ‘କାହାର ପାପ ନାହିଁ ଏ ଜଗତରେ ? କିଏ ପାପୀ ନୁହେଁ ? ସେଥି ନିମନ୍ତେ ଏ ନିଷ୍ଠୁର ପାଶବିକ ଶାସ୍ତି ବ୍ୟବସ୍ଥା କେଉଁ ନିର୍ମମ ବିଧାତାର ?’

 

ବିଧାତା ବିରୁଦ୍ଧରେ ଅଭିଯୋଗ ଶୁଣି ସହସା ସ୍ଥିର ହେଇ ଠିଆ ହୁଏ ନରକ । ବଜ୍ରମୁଷ୍ଟି ଶିଥିଳ କରି ବେଦନାକୁ ମୁକ୍ତ କରେ । ଅତି ତୀକ୍ଷ୍ଣଦୃଷ୍ଟି ଢାଳି ପଲକେ ଦେଖି ନିଏ ବେଦନାର ପାଂଶୁ ବଦନ । ସବୁ କିଛି ନିମିଷକର ଘଟଣା । ସହସା ବଜ୍ର ଅବା ବିଦୀର୍ଣ୍ଣ ହେଲା କକ୍ଷରେ । ନରକ ଡାକେ, ‘ବେଦନା !’

 

ସ୍ୱାମୀ କଣ୍ଠରେ ଅଶ୍ରୁତପୂର୍ବ ଏ ସ୍ଵର । ସଭୟେ ଜିଜ୍ଞାସୁ ନେତ୍ରରେ ଚାହେଁ ବେଦନା । ରୁଦ୍ର ସ୍ଵରରେ କହେ ନରକ, ‘ଏବେ ସୁଦ୍ଧା ତୁମେ ନରକ ଦେଖିବାକୁ ଚାହଁ ?’

 

ମସ୍ତକ ଆନତ କରି କିଛିକ୍ଷଣ ମୌନ ରହେ ବେଦନା । ତା’ରପରେ କହେ, ‘ଜାଣେ, ନରକ ଯନ୍ତ୍ରଣାମୟ, ଭୀଷଣ; ବୀଭତ୍ସ ତା’ର ଚିତ୍ର । କିନ୍ତୁ ଯେଉଁ ଯନ୍ତ୍ରଣା ମୁଁ ଭୋଗ କରୁଚି ତାହା ନରକ ଅପେକ୍ଷାବି ଭୟଙ୍କର ।’ ଅଶ୍ରୁସଜଳ ବେଦନାର ନୟନ, ସତେ ଅବା ନୀଳ ଅମ୍ବୁଧିର ସଜଳ ଢେଉ । ଆବେଗ-କମ୍ପିତ ସ୍ଵରରେ ସେ କହୁଥାଏ, ‘ଯେତେବେଳେ ଜାଗ୍ରତ ଥାଏ ନରକର କ୍ରନ୍ଦନ ଧ୍ୱନି ମତେ ଆକୁଳ କରି ତୋଳେ । କେଉଁଠାରୁ କେଜାଣି ଭାସି ଆସେ । ‘ରକ୍ଷାକର, ରକ୍ଷାକର’ ଆର୍ତ୍ତରବ । ମୁଁ ଅସ୍ଥିର ହେଇ ଉଠେ । ହୃଦୟରେ ଅନୁଭବ ଦଂଶଶୁକ ଦଂଶନ, ତପ୍ତକୁଣ୍ଡର ଜ୍ଵାଳା ।’

 

ନରକର ରକ୍ତ ନେତ୍ରରେ ପ୍ରଖର ହେଇଉଠେ ଉଗ୍ର, ଭୀଷଣ ଦୃଷ୍ଟି । ଟିକିଏ ନିଃଶ୍ଵାସ ନେଇ କହିଚାଲେ ବେଦନା, ‘ଦିନବେଳେ ସୂର୍ଯ୍ୟବିମ୍ୱକୁ ମୁଁ ରଶ୍ମିହୀନ ଦେଖେ, ଶୁକ୍ଳ ବସ୍ତ୍ରଖଣ୍ଡ ମତେ ଦେଖାଯାଏ ଘୋର କୃଷ୍ଣବର୍ଣ୍ଣ । ମନେହୁଏ, ଛାୟାର ଅସଂଖ୍ୟ କାୟା ଘୂରୁଚି ମୋର ଚଉପାଶରେ ।’

 

ନରକର ବଦନ ମଣ୍ଡଳରେ ଗାଢ଼ ମେଘ ଉପରେ ଗାଢ଼ ମେଘ ଜମେ । କ୍ରମେ ଆହୁରି ଭୀଷଣ ଆକାର ଧାରଣ କରେ ତା’ର ଘୋର କୃଷ୍ଣ ବଦନ । ସ୍ୱଳ୍ପାଲୋକରେ ସେ ଏକ ରହସ୍ୟଘନ ଭୀଷଣ ମୂର୍ତ୍ତି । ଉଦ୍‍ଭ୍ରାନ୍ତ ଭଳି ଗର୍ଜନ କରି ସେ କହେ, ‘ଆହୁରି କିଛି ?’

 

‘ଆହୁରି ବହୁତ କିଛି’–ଅଶ୍ରୁ ରୁଦ୍ଧ ଭୀତ କଣ୍ଠରେ କହେ ବେଦନା, ‘ନିଦ୍ରାରେ ମଧ୍ୟ ଶାନ୍ତି ମୋର ନାଇଁ । ଅର୍ଦ୍ଧଚନ୍ଦ୍ରା, ଅର୍ଦ୍ଧ ଜାଗରଣ । ସେ ଅବସ୍ଥାରେ ସ୍ଵପ୍ନ ଦେଖେ, ରକ୍ତ-କୃଷ୍ଣବସ୍ତ୍ରଧାରୀ, ବିକଟାକାର ଦେହ, ହସ୍ତରେ ପାଶ, ବଜ୍ରଦଣ୍ଡ, କିଏ ମତେ ପାଶବଦ୍ଧ କରି ଟାଣି ନେଇ ଯାଉଚି ଦକ୍ଷିଣ ଦିଗକୁ ! ସମ୍ମୁଖରେ ତରଙ୍ଗାୟିତ ଦୁରନ୍ତ, ‘ବୈତରଣୀ’–-ସ୍ରୋତ ତା’ର ପୂଜ, ରକ୍ତ, ମାଂସ, ବସ । ଓଃ, କି ବୀଭତ୍ସ ! ଘୃଣାରେ ମୁଁ ସଙ୍କୁଚିତ ହୁଏ, ପଳାଇ ଆସିବାକୁ ଚାହେଁ, ପାରେନି । ବଜ୍ରଦଣ୍ଡଧାରୀ ପୁରୁଷ ବଜ୍ରଦଣ୍ଡରେ ପ୍ରଚଣ୍ତ ଆଘାତ କରେ ମସ୍ତକରେ–ମୁଁ ଚିତ୍କାର କରି ଉଠେ ଯନ୍ତ୍ରଣାରେ । ତନ୍ଦ୍ରା ଭାଙ୍ଗିଯାଏ । ଦେଖେ ତମେ ଶୋଇଚ ପାଖରେ । ତଥାପି ଭୟରେ ଦେହ ଅସାଡ଼ ହୁଏ ।’

 

ଭୟରେ କମ୍ପିତ ବେଦନାର ଦେହ । ଅସିପତ୍ରପାତି ବାୟୁ ପ୍ରହାରରେ ଯେପରି କମ୍ପିଉଠେ ପାପାତ୍ମା । ଅଗ୍ନି-କଟାକ୍ଷ ନିକ୍ଷେପ କରି ସିଂହନାଦରେ ଗର୍ଜନ କରି ଉଠେ ନରକ, ‘ତାହାହେଲେ ପ୍ରକୃତରେ ନରକ ଦର୍ଶନ ସମୟ ହେଇଚି ତୁମର । ଶୁଣ ବେଦନା, ନରକର ନିଗୂଢ଼ ତତ୍ତ୍ଵ ଉଦ୍‍ଘାଟନ କରୁଚି ତୁମ ପାଖରେ । ବେଦଗର୍ଭ ବିଧାତାଙ୍କ ଅସ୍ଖଳିତ ସତ୍ୟବାକ୍ୟ ବେଦ ଭଳି ପ୍ରଚାରିତ ହୁଏ ଜ୍ଞାନୀ, ପଣ୍ଡିତଙ୍କ କଣ୍ଠରେ । ସେମାନେ କହିନ୍ତି, ‘ଜୀବକୁ ତା’ର ପ୍ରତ୍ୟେକ କର୍ମର ଫଳ ଭୋଗ କରିବାକୁ ହୁଏ । ‘ପ୍ରାକ୍ତନଂ ବଳବତ୍ କର୍ମ’–ଏ ଉକ୍ତି ମିଥ୍ୟା ନୁହେଁ କି କଳ୍ପନାବି ନୁହେଁ । ଅନାଦି ଅବିଦ୍ୟାର ଫଳ ଦୁଷ୍କର୍ମ–ଏଇ କର୍ମହିଁ ମଣିଷକୁ ତା’ର ସ୍ଵଭାବର ବିପରୀତ ପଥରେ ଚାଳନା କରେ, ତାକୁ ପ୍ରରୋଚିତ କରେ ଦୋଷାବହ ଲୋକନିନ୍ଦିତ ପାପ କରିବାକୁ । ଏହାର ପରିମାଣ ପ୍ରକୃତି ବିପର୍ଯ୍ୟୟ, ମୃତ୍ୟୁ, ସହସ୍ର ସହସ୍ର ନରକ ଗତି ।’

 

ନିଶ୍ଚଳ ଭାବରେ ଠିଆ ରହି ଶୁଣୁଥାଏ ବେଦନା । ବଜ୍ରମନ୍ଦ୍ରରେ କହି ଚାଲିଚି ନରକ, ‘ମୃତ୍ୟୁ ପରେ ସ୍ଥୂଳ ଦେହ ଧ୍ଵଂସ ହୋଇଯାଏ । କର୍ମାନୁସାରେ ପାରଲୌକିକ ଭୋଗ ନିମନ୍ତେ ରହିଥାଏ ଅଙ୍ଗୁଷ୍ଠପ୍ରମାଣ ଗୋଟାଏ ସୂକ୍ଷ୍ମ ଲିଙ୍ଗ-ଦେହ । ତା’ର ଅନୁଭୂତି ମଧ୍ୟ ଏ ଦେହର ପରି–ସଂଜ୍ଞା, ବୋଧ, ସମ୍ବେଦନ । ଯମଦୂତ ନିଷ୍ଠୁର ପୀଡ଼ନରେ ତାଡ଼ନା କରି କରି ଏଇ ଦେହକୁ ନେଇ ଆସେ ‘ଯମ’ ଲୋକକୁ । ସେଠାରେ ହୁଏ କଠିନ ବିଚାର । ସେଇ କେଶଚିରା ଅଥବା ଛେନାରୁ ଚୋପା ଛଡ଼ାଇବା ବିଚାରରେ ଯିଏ ପାପୀ ସାବ୍ୟସ୍ତ ହୁଏ, ‘ଅବରୋହିଣୀ ଗତି’ ପ୍ରଭାବରେ ନିମେଷକରେ ଆସି ଉପସ୍ଥିତ ହୁଏ ନରକରେ । ଆରମ୍ଭ ହୁଏ ନରକ ଭୋଗ । ଏ ଭୋଗ ଯେ କି ଭୟଙ୍କର, ଜୀବିତ ମନୁଷ୍ୟ ତାହା କଳ୍ପନା କରି ପାରେନା । କାଳସୂତ୍ରରେ ଦେହ ଖଣ୍ଡିତ ହୁଏ, ଅସିପତ୍ରରେ ଶତଧା ଛିନ୍ନ ହୁଏ, ବହ୍ନିକୁଣ୍ଡରେ ଦଗ୍ଧ ହୁଏ, ଶୋଷଣକୁଣ୍ଡରେ ଶୁଷ୍କ ହେଉଥାଏ । ତଥାପି ସେ ଲିଙ୍ଗ ଦେହ ବିନଷ୍ଟ ହୁଏନି । କ୍ଳେଶ ପରେ କ୍ଳେଶ ସହ୍ୟ କରି ମଧ୍ୟ ତାକୁ ଅପେକ୍ଷା କରିବାକୁ ହୁଏ ପରବର୍ତ୍ତୀ କର୍ମଫଳ ନିମନ୍ତେ । ଜୀବର ପାରଲୌକିକ ନରକ ଭୋଗ ଘଟେ ମୃତ୍ୟୁ ପରେ । କିନ୍ତୁ ମୃତ୍ୟୁ ପୂର୍ବେ ଇହଜୀବନରେହିଁ ରହିଚି ଆଉ ଏକ ଭୟଙ୍କର ନରକ । ନାମ ତା’ର ‘ଭୌମ ନରକ ।’

 

ବହୁ ଦିନର ବୁଭୁକ୍ଷୁ ଯେପରି ଲୋଲୁପ, ଉଗ୍ର ଦୃଷ୍ଟିରେ ଚାହିଁଥାଏ ଭୋଜ୍ୟଦ୍ରବ୍ୟ ପ୍ରତି, ସେପରି ଦୃଷ୍ଟିରେ ନରକ ଆଡ଼କୁ ଅନାଏ ବେଦନା, ଗ୍ରାସ କରେ ତା’ର କଥା । ନରକ କହି ଚାଲିଚି, ‘ହଁ, ଭୌମ ନରକ । ଜୀବ ରୂପରେ ପୃଥିବୀରେ ସତ୍ତା ଜନ୍ମଗ୍ରହଣ କରିବାର ନାମହିଁ ‘ଭୌମ ନରକ’-। ଆଲୋକର ଜୀବ, ଶୁତ୍ର-ଶୋଣିତ-ପିଣ୍ଡ ରୂପରେ ବର୍ଦ୍ଧିତ ହୁଏ ମାତୃଗର୍ଭରେ, ଦଶମାସ ଦଶଦିନ ଯନ୍ତ୍ରଣା ଭୋଗ କରି ‘ପ୍ରାଜାପତ୍ୟ ବାୟୁ’ ଆକର୍ଷଣରେ ମାୟା ସଂସାରରେ ଭୂମିଷ୍ଠ ହୁଏ–କର୍ମବଶେ ଭ୍ରମଣ କରେ ‘ଭବଚକ୍ର’, ଚୌରାଅଶି ଲକ୍ଷ ଯୋନି । କେବଳ ହୁଏ ସ୍ଥାବର–ତମୋମୟ ଅନ୍ତଃସଂଜ୍ଞ ବୃକ୍ଷ, ଲତା, ଗୁଳ୍ମ; କେବେ ବା ଲାଭ କରେ ତିର୍ଯ୍ୟକ ଗତି–କୃମି ହେଇ, କୀଟ ହେଇ ଆଶ୍ରୟ କରେ ନାରକୀୟ ଯୋନି । ଏହା ମଧ୍ୟ ନରକଭୋଗ–ଏ ଭୌମ ନରକର ସଂଖ୍ୟା ଚୌରାଅଶି ଲକ୍ଷ-। ଭୌମ ନରକ ଭିତରେ ମୁଖ୍ୟ ନର-ଜୀବନ । ସୂକ୍ଷ୍ମ ବୀଜରୁ ଅଙ୍କୁରୋଦ୍‍ଗମ ଭଳି ଭ୍ରୂଣସ୍ଥ ସୂକ୍ଷ୍ମ ବୀଜରୁ ଏ ଦେହର ଉତ୍ପତ୍ତି । କି ଆକର୍ଷଣ ଏ ଦେହର ! କି ଅଦ୍ଭୁତ ତା’ର ମମତ୍ଵବୋଧ-! ପ୍ରିୟ ବନ୍ଧୁ, ପ୍ରିୟ ପତ୍ନୀ, ପ୍ରିୟ ପୁତ୍ର–ଏଇ ପ୍ରିୟଜନଙ୍କ ନିମନ୍ତେ ଅନ୍ୟାୟ କର୍ମରେ ଅର୍ଥ ସଞ୍ଚୟ; କାମୋପଭୋଗ ନିମନ୍ତେ ପରକୁ ବଞ୍ଚନା, ଶୋଷଣ; ଆତ୍ମସ୍ଵାର୍ଥ ନିମନ୍ତେ ଜଘନ୍ୟ ପୈଶୁନ, ନରହତ୍ୟା ! ସୁଖ ସୁଖ ଭାଳି ଉନ୍ମାଦ ଜୀବକୁଳ । କିନ୍ତୁ ମଣିଷ କ’ଣ ସୁଖୀ ହୁଏ ?’

 

ବିସ୍ଫାରିତ ନେତ୍ରରେ ଅନାଇ ରହେ ବେଦନା । ସେଇ ନେତ୍ର ଉପରେ ତୀକ୍ଷ୍ଣଦୃଷ୍ଟି ରଖି ଗମ୍ଭୀର ନାଦରେ କହେ ନରକ, ‘ସୁଖୀ ହୁଏନା । ବିଦ୍ୟୁତ୍ ବିକାଶ ସମ କ୍ଷଣସ୍ଥାୟୀ ସୁଖ, ପ୍ରସ୍ଫୁଟିତ ପୁଷ୍ପ ସମ ଅଚିରସ୍ଥାୟୀ ଯୌବନ । ସର୍ବୋପରି ବନ୍ଧନ-ରଜ୍ଜୁ ହସ୍ତରେ ଅପେକ୍ଷା କରେ ଦୁର୍ଜୟ କାଳ, ସୁଖ ପ୍ରମତ୍ତ ମଣିଷ ସେ କାଳ-ବୃକକୁ ଦେଖେନି–ମାଂସଲୁବ୍ଧ ମତ୍ସ୍ୟ ଯେପରି ଦେଖେନି ଲୌହ ଶଙ୍କୁ-। ଆପାତରମଣୀୟ ସୁଖରେ ବିଭୋର ହୁଏ ମଣିଷ । ବଡ଼ ମଧୁର ପଞ୍ଚେନ୍ଦ୍ରିୟ, ଷଡ଼ରିପୁର ଆକର୍ଷଣ–ବଡ଼ ସୁନ୍ଦର କାମନା-କାନ୍ତା, ଇନ୍ଦ୍ରିୟ ଭୋଗ ! ତା’ରହିଁ ବିଷମୟ ପରିଣାମ ନରକ । ଏ ନରକ ପରଲୋକର ନରକ ନୁହେଁ, ଇହଲୋକର ନରକ । ଚିରକାଳ ଧରି ପଣ୍ଡିତମାନେ କହି ଆସୁଚନ୍ତି, ଇହଲୋକରେହିଁ ରହିଚି ସ୍ଵର୍ଗ, ଇହଲୋକରେହିଁ ରହିଚି ନରକ-। ମଣିଷର ମନ ସେଇ ସ୍ଵର୍ଗ, ସେଇ ନରକ । କର୍ମର ଭୋଗ ଏଇ ସ୍ଥୂଳ ଦେହରେହିଁ ଆରମ୍ଭ ହୁଏ, ପରଲୋକର ନାରକୀୟ ଯନ୍ତ୍ରଣାର ସୂଚନା ହୁଏ ଇହଜୀବନରେ । ମଣିଷର ମନହିଁ ଦୁଷ୍କର୍ମ ଫଳରେ ଦୁଶ୍ଚିନ୍ତାର ନରକ ସୃଷ୍ଟି କରେ । ମନରେହିଁ ଜ୍ଵାଳା, ଉତ୍ତାପ–ମନହିଁ ଅନୁଶୋଚନା-ବଜ୍ରକୀଟର ସହସ୍ର ଦଂଶନ । ରୋଗ, ଶୋକ, ଦୁଃଖ, ଦାରିଦ୍ର୍ୟ, ଭୟ–ଏ ସବୁ ତ ଅଛି, ତା’ର ଉପରେ ଦୁଷ୍କୃତିଜନିତ ମାନସିକ ପୀଡ଼ା-। ଅତି ଭୀଷଣ ତା’ର ପ୍ରତିକ୍ରିୟା । ଶାନ୍ତି ନାଇଁ, ସ୍ଵସ୍ତି ନାଇଁ, ନିଦ୍ରା ନାଇଁ–ଅହରହ ବିଷଜ୍ୱାଳା । ମହାରୌରବ, ମହାତମିସ୍ରଠାରୁ ମଧ୍ୟ ଦୁଃସହ ମନ-ନରକର ବିଭୀଷିକା-। ଏଇ ବିଭୀଷିକା ଜାଗ୍ରତ ଅବସ୍ଥାରେ ଯେପରି ମଣିଷକୁ ଆକ୍ରମଣ କରେ, ସେପରି ଭୟଙ୍କର ଭାବରେ ଆକ୍ରମଣ କରେ ସ୍ୱପ୍ନ ରୂପରେ । ଦିବସର ଦୁଃଶ୍ଚିନ୍ତାହିଁ ରାତ୍ରିର ଦୁଃସ୍ୱପ୍ନ, ଦିବସର କଦର୍ଯ୍ୟ କାମନାହିଁ ରାତ୍ରିର ଭୟ-। ଏହାର ଆକ୍ରମଣରେ ମଣିଷ ସ୍ୱପ୍ନଘୋରରେ ଆତଙ୍କରେ ଆର୍ତ୍ତନାଦ କରି ଉଠେ ।’

 

କ୍ଷଣେ ନୀରବ ହୁଏ ନରକ । ନୀରବ କକ୍ଷରେ ପ୍ରତିଧ୍ଵନିତ ହେଉଚି ଯେପରି ନରକର କଣ୍ଠ । ପ୍ରକୋଷ୍ଠରେ ଆଲୋକ-ଛାୟାର ରହସ୍ୟମୟ କମ୍ପନ ! ବେଦନାର ବଦନରେ ସୁସ୍ପଷ୍ଟ ପ୍ରକାଶିତ ହୁଏ ଭୀତିର ଚିହ୍ନ । ସ୍ତିମିତପ୍ରାୟ ପ୍ରଦୀପ ଭଳି ଥରଥର କମ୍ପୁଚି ତା’ର ଦେହ, ଅଧର ପଲ୍ଲବ । ନୟନର ତାରାରେ ତାରାରେ ଚଞ୍ଚଳ କମ୍ପନ । ନିଶୀଥ କାଳର ଗର୍ଜିତ ବଜ୍ର ଭଳି ଗର୍ଜନ କରି ଉଠେ ନରକ, ‘ବେଦନା !’–ତା’ର ରକ୍ତ ନେତ୍ରରେ ଆଗ୍ନେୟ ଉଚ୍ଛ୍ଵାସ ‘ତୁମର ମଧ୍ୟ ସ୍ପଷ୍ଟ ପ୍ରକାଶିତ ହେଇଚି ସେ ନାରକୀୟ ଯନ୍ତ୍ରଣା । ଏହା କେବଳ ମନୋବେଦନା ନୁହେଁ, ନରକ ଭୟରେ ପାପୀର ମର୍ମବେଦନା । କହ, କି ଭୟଙ୍କର ପାପ କରିଚ ତୁମେ ଜୀବନରେ ?’

 

ବଜ୍ରାହତ ସମ ନିଷ୍ପନ୍ଦ ବେଦନା । ଶୁଷ୍କ ବକ୍ଷ, ଶୁଷ୍କ ରସନା–ବଜ୍ରାବାତରେ ଶୋଷିତ ଯେପରି ପାତକୀ । ଶୁଷ୍କ ସ୍ଵରରେ ସେ ବୋଲେ, ‘ମୁଁ !’

 

‘ହଁ, ତୁମେ !’ ବଜ୍ରସ୍ଵରରେ ନିନାଦିତ ହୁଏ ବିଚାରକ କଣ୍ଠ, ‘କହ କି ପାପ କରିଚ ଜୀବନରେ ? ସାବଧାନ ! ଗୋପନ କରନି, କୌଣସି କଥା ଗୋପନ କରନି ।’

 

ବେଦନାର ମନେ ହୁଏ, ବଜ୍ରଦଣ୍ଡ ହସ୍ତରେ କିଏ ଯେପରି ସମ୍ମୁଖରେ ଠିଆ ହେଇଚି, କିଏ ଯେପରି କରାଳ ଭ୍ରୂକୁଟି କରି ଅଙ୍କୁଶ ଉଦ୍ୟତ କରିଚି । ସାଧ୍ୟ ନାଇଁ, କୌଣସି କଥା ଗୋପନ କରିବ; ସାଧ୍ୟ ନାଇଁ ସେଠାରୁ ପଳାଇ ଯିବ । ଊର୍ଦ୍ଧ୍ଵରେ ଅସିପତ୍ର, ନିମ୍ନରେ ବହ୍ନିକୁଣ୍ଡ, ସମ୍ମୁଖରେ ମହାହିଂସ୍ର ରୁରୁ, ପଶ୍ଚାତ୍‍ରେ ବଜ୍ରାଙ୍କୁଶ । କମ୍ପିତ କଣ୍ଠରେ, ସ୍ଖଳିତ ବଚନରେ କହେ ବେଦନା, ‘ଚିର ଅସତ୍ୟମୟୀ ମୋର ଜନନୀ ନିର୍ୠତି, ଚିରନ୍ତନ ମିଥ୍ୟାର ବିଗ୍ରହ ମୋର ଜନକ ଅନୃତ । ସହୋଦର-ସହୋଦରା ହେଇ ସେମାନେ ସ୍ଵାମୀ-ସ୍ତ୍ରୀ ।’

 

ଭ୍ରୂଭଙ୍ଗ କରି ବୋଲେ ନରକ, ‘ସେ ପାପ ସେମାନଙ୍କର । ଜନକ-ଜନନୀ ସ୍ଵଭାବ ସନ୍ତାନରେ ସଂକ୍ରମିତ ହୁଏ; ସେମାନଙ୍କ ପାପ ସନ୍ତାନକୁ ସ୍ପର୍ଶ କରେନି ।’

 

‘ଆମେ ଭାଇ ଭଉଣୀ ଚାରିଜଣ । ଜ୍ୟେଷ୍ଠ ଅଗ୍ରଜର ନାମ ‘ଭୟା’, ଅଗ୍ରଜାର ନାମ ‘ମାୟା’ । ଭ୍ରାତା-ଭଗ୍ନୀ ହେଇ ମଧ୍ୟ, ସେମାନେ ପତି-ପତ୍ନୀ ।’

 

‘ସେ ପାପ ମଧ୍ୟ ସେମାନଙ୍କର । ଜଣେ ଭାଇ ଅବା ଭଉଣୀର କର୍ମପାଇଁ ଅନ୍ୟ ଭଉଣୀ ଦାୟୀ ହେଇ ପାରେନା ।’

 

‘ମାତା ପିତାଙ୍କ ଚତୁର୍ଥ ସନ୍ତାନ ମୁଁ ।’

 

‘ତୁମ ଉପର ଭାଇ ?’

 

‘ମାତା ସେତେବେଳେ ଥିଲେ ରଜସ୍ୱଳା । ପୂର୍ବକାଳରେ ସେ ଚଣ୍ଡାଳ ଦର୍ଶନ କଲେ । ସେଇ ଚଣ୍ଡାଳ ଔରସରେ, ମୋର ମାତାଙ୍କ କ୍ଷେତ୍ରରେ ତୃତୀୟ ସନ୍ତାନ ଆବିର୍ଭୂତ ହେଲା । ଏ କଥା ଶୁଣି ପିତା କ୍ରୁଦ୍ଧ ହେଲେ । ଆମ ସମାଜରେ ଚିର ଅବାରିତା ନାରୀ । ସେଥିଲାଗି ପିତାଙ୍କୁ ନୀରବରେ ସହ୍ୟ କରିବାକୁ ପଡ଼ିଲା ଏ ବ୍ୟଭିଚାର । କିନ୍ତୁ ପ୍ରସବର ଠିକ୍ ପୂର୍ବ କ୍ଷଣରେ ସହସା ବଜ୍ର ନିର୍ଘୋଷ କରି ଉଠିଲେ ସେ–‘ଆରେ ପୁଂଶ୍ଚଳୀ, ଏ କ୍ଷେତ୍ରଜ ସନ୍ତାନ ମୋର ଗୃହରେ ପ୍ରସୂତ ଯେପରି ନହୁଏ ।’

 

‘ତା’ରପରେ ?’

 

‘ହତଭାଗିନୀ ଜନନୀ ନିର୍ଜନ ଏକ ଶ୍ମଶାନରେ, ଅତି ଦୁଃଖରେ ସେ ସନ୍ତାନ ପ୍ରସବ କଲେ । ପ୍ରଚଣ୍ଡ ସ୍ଵଭାବ ସ୍ଵାମୀଙ୍କ ଭୟରେ ଅପତ୍ୟ ସ୍ନେହ ବିସର୍ଜନ କରିବାକୁ ସେ ବାଧ୍ୟ ହେଲେ । ସଦ୍ୟୋଜାତ ସେଇ ଅନାଥ ଶିଶୁକୁ ଅସହାୟ ଅବସ୍ଥାରେ ଶ୍ମଶାନପ୍ରାନ୍ତରେ ପରିତ୍ୟାଗ କରି, ନୟନଜଳ ପୋଛି ପୋଛି ଗୃହକୁ ଫେରି ଆସିଲେ ବ୍ୟଥା ଅଭିହତା ଜନନୀ ।’

 

ନୀରବ ହୁଏ ବେଦନା । ଦୁଃଖରେ ସିକ୍ତ ତା’ର ନୟନ । ବସ୍ତ୍ରାଞ୍ଚଳରେ ଅଶ୍ରୁମୋଚନ କରେ ସେ । କ୍ଷଣକପାଇଁ ନୀରବ ରହେ ମହାଭୟଙ୍କର ନରକ । ତା’ର ମାନସପଟରେ ମଧ୍ୟ ଜାଗି ଉଠେ ଆଉ ଗୋଟିଏ ପରିତ୍ୟକ୍ତ ଅନାଥ ଶିଶୁର ଚିତ୍ର । ଏପରି ଭାବରେ କେଉଁ ମାତା ତାକୁ ମଧ୍ୟ ବର୍ଜନ କରିଥିଲା । ଘୃଣାରେ ନାସିକା କୁଞ୍ଚିତ କରେ ନରକ । ପରମୁହୂର୍ତ୍ତରେ, କ୍ଷୋଭ ଓ କ୍ରୋଧରେ ସେ ମନେମନେ ଗର୍ଜୁଥାଏ–ଚିରକାଳ ବ୍ୟଭିଚାରିଣୀ ନାରୀ, କାମନାର ଚିରହାସୀ । ସେ କଦର୍ଯ୍ୟ କାମନା ନିକଟରେ ତୁଚ୍ଛ ସ୍ଵାମୀ-ପ୍ରେମ, ତୁଚ୍ଛ ସନ୍ତାନ-ସ୍ନେହ ! ବେଦନା ମଧ୍ୟ କ’ଣ ସେଇ ପାପରେ ପାପୀ ? ରକ୍ତନୟନରେ ଘୋର ରବ କରି ସେ କହେ ‘ଅନ୍ୟର କାହାଣୀ ଶୁଣିବାକୁ ମୁଁ ଚାହେଁନି । ତୁମର ପାପ, ତୁମର କୁକୀର୍ତ୍ତିର କଥା ଘୋଷଣା କର, ନାରୀ ।’

 

ଅସିପତ୍ରାଘାତରେ ଛିନ୍ନ ବିଛିନ୍ନ ନାରକୀ ଭଳି କରୁଣ କଣ୍ଠରେ କହେ ବେଦନା, ‘ମୋର ପାପ–ପତି ରୂପରେ ମୁଁ ବରଣ କରିଚି ସେ ଭ୍ରାତାକୁ ! ରଜସ୍ଵଳା ଅବସ୍ଥାରେ ଚଣ୍ଡାଳ-ଦୃଷ୍ଟ ହେଇ ମୋର ଜନନୀ ଯେଉଁ ଦୁର୍ଭାଗ୍ୟର ସନ୍ତାନକୁ ଜନ୍ମ ଦେଇଥିଲେ–’

 

‘ମୁଁ ! ମୁଁ ସେଇ ପରିତ୍ୟକ୍ତ ଶିଶୁ ? ତୁମର ସହୋଦର ?’ କ୍ରୋଧ ଓ କ୍ରନ୍ଦନ ମିଶ୍ରିତ କଣ୍ଠରେ ଆର୍ତ୍ତନାଦ କରି ଉଠେ ନରକ । ତା’ର ସର୍ବାଙ୍ଗରେ ବହ୍ନିଜ୍ୱାଳା ।

 

ସ୍ଥିର, ନୀଳ ନୟନରେ ସ୍ଵାମୀଙ୍କ ରକ୍ତାକ୍ତ ଲୋଚନ ପ୍ରତି ଦୃଷ୍ଟି ରଖି କ୍ଳାନ୍ତ ସ୍ଵରରେ କହେ ବେଦନା, ‘ତୁମେହିଁ ସେହି ସହୋଦର; ‘ନୈର୍ଋତୋ ନରକୋ ନାମ ବ୍ରହ୍ମଣୋ ବରଦର୍ପିତଃ ।’

 

ଦେହର ସମୟ ରକ୍ତ ଯେପରି ମସ୍ତକକୁ ଉଠି ଯାଇଚି । ଆରକ୍ତ ଚକ୍ଷୁ, ଘୂର୍ଣ୍ଣିତ ମସ୍ତକ । ‘ଧ୍ୱସ୍ତ ହୁଅ, ଧ୍ୱସ୍ତ ହୁଅ’ କହି ଭୀଷଣ ଗର୍ଜନ କରି ଉଠେ ନରକ । ଜ୍ଞାନହରା ଉନ୍ମାଦର ମନେ ହୁଏ, ନିଜେହିଁ ଧ୍ୱସ୍ତ ହେଇଚି ସେ । ବଜ୍ରକଣ୍ଟକ ଶାଳ୍ମଳୀ ଆଲିଙ୍ଗନରେ ଜର୍ଜର ଦେହ, ମହାରୌରବର ରୁରୁ ଦଂଶନରେ ବିକ୍ଷତ ଅଙ୍ଗ, ତପ୍ତକୁଣ୍ଡର ଦହନରେ ଦଗ୍ଧ ମସ୍ତିଷ୍କ–ଅବୀଚି ନରକର ନିସ୍ତରଙ୍ଗ, ନିରାଲମ୍ବ ଶୂନ୍ୟରେ ଆଶ୍ରୟହୀନ, ଘୂରିଘୂରି ସେ ଯେପରି ପଡ଼ୁଚି–ଘୋର ଅନ୍ଧକାରାଚ୍ଛନ୍ନ ମହାତମିସ୍ର ନରକ, ସଙ୍ଗେ ପତ୍ନୀରୂପା ତା’ରହିଁ ସହୋଦରା ବେଦନା । ତା’ରହିଁ ଔରସଜାତ ପୁତ୍ର ‘ଦୁଃଖ’ ଯେପରି ଆସି ଘେରି ଧରିଚି ନରକକୁ ।*

 

*ନରକ ବର୍ଣ୍ଣନା ସବୁ ପୁରାଣରେ ଅଛି । ଏଠାରେ ଶ୍ରୀମଦ୍ଭାଗବତ, ବାମନ ପୁରାଣ ଓ ବ୍ରହ୍ମବୈବର୍ତ୍ତ ପୁରାଣ ଅନୁସରଣ କରାହେଇଚି । ନରକ ସ୍ୱୀୟ ଭଗ୍ନୀ ବେଦନାକୁ ବିବାହ କରେ ଏବଂ ସେମାନଙ୍କର ପୁତ୍ର ‘ଦୁଃଖ’–ଏଇ ତଥ୍ୟ ମାର୍କଣ୍ଡେୟ ପୁରାଣରୁ ଗୃହୀତ ।

★★★

 

ଭୟା

 

ଅତି ଭୟଙ୍କର ଓ ବୀଭତ୍ସ ସେ ଦୃଶ୍ୟ । କାଳନାଗୁଣୀ ଭଳି ଘୋର କୃଷ୍ଣବର୍ଣ୍ଣା ଏକ ଲଳନା–ଦୁଇ ଆଣ୍ଠୁମାଡ଼ି ବସିଚି ମାଟି ଉପରେ । ପଛକୁ ପ୍ରସାରିତ ପଦଯୁଗଳ, ଈଷତ୍ ନତ ସମ୍ମୁଖର କଙ୍କାଳସାର ଦେହଯଷ୍ଟି । ବିକଟ କରାଳ ବଦନ, କଟା ଆଖିରେ ଅତ୍ୟୁଗ୍ର ଦୃଷ୍ଟି । ସ୍ଖଳିତ କଣ୍ଠରେ ଅସ୍ପଷ୍ଟ ଭାବରେ ଉଚ୍ଚାରିତ ଆଭିଚାରିକ ମନ୍ତ୍ର । ଦୁଇ ହସ୍ତ ଅଞ୍ଜଳିବଦ୍ଧ କରି ତୃଷିତ ଲେଲିହ ରସନାରେ କ’ଣ ଯେପରି ପାନ କରୁଚି ସେ ।

 

ତାମସୀ-ବିଦ୍ୟା ବଳରେ କଳେବର ପାନ କରୁଚି କାଳକନ୍ୟା ‘ଭୟା’ । ଦୁରନ୍ତ, ମହାଭୟଙ୍କର କାଳ । କ୍ଷମାହୀନ କରାଳ ଗ୍ରାସରେ ସେ ବିଶ୍ଵରସ ପାନ କରେ । ତା’ର ତିନିଶହ ଷାଠିଏ ପୁଅ, ତିନିଶହ ଷାଠିଏ ଝିଅ । ପ୍ରତ୍ୟେକେ ଭୀଷଣଦର୍ଶନ, ଉଗ୍ରସ୍ଵଭାବ, ପିତୃପ୍ରକୃତିର ପ୍ରତିରୂପ । ଏଇ କାଳରହିଁ ଅତ୍ୟତମା କନ୍ୟା ଭୟା । ପିତା ଭଳି ଅତ୍ୟୁଗ୍ର, ଭ୍ରାତା ଭଗିନୀ ଭଳି ଭୟଙ୍କରୀ । ତା’ର ସ୍ୱଭାବରେ ମଧ୍ୟ ଚିର ଜାଗ୍ରତ କ୍ଷୁଧା । ଉଦ୍ୟତ ଗ୍ରାସ, ଉଦ୍ଧତ ପ୍ରକୃତି । କୁଟିଳ ଭାଷଣରେ ସେ ଅଦ୍ୱିତୀୟା–ବାକ୍ୟରେ ବହ୍ନିକଣା, ଜିହ୍ଵାରେ ଦୁଷ୍ଟା ସରସ୍ଵତୀ । ଭଗ୍ନୀମାନେ ସହୋଦରାର ନାମ ରଖିଥିଲେ ‘ଦୁର୍ମୁଖା’ । ଦୁର୍ମୁଖା କେବଳ ଦୁଷ୍ଟଭାଷିଣୀ ନୁହେଁ, ସେ ଦୁଷ୍ଟ-ମୁଖରେ ପାନ କରେ ମଣିଷର କଳେବର–ନିମେଷରେ ଶୋଷଣ କରି ନିଏ ଦେହର ସଦ୍‍ଗୁଣ–ବିଦ୍ୟା, ବିନୟ, ସଦାଚାର । ଅତି ଭୀଷଣ ତା’ର ତାମସୀ-ବିଦ୍ୟା ।

 

ପିତା ଆଦରଭରେ ନୟନାନନ୍ଦ ଦୁଲାଳୀ କନ୍ୟାର ନାମ ଦେଇଥିଲେ ‘ସୁନୀଥା’ ଅର୍ଥାତ୍ ଧର୍ମଶୀଳା । ଅଧର୍ମ-ସମ୍ଭବ କାଳ ଧର୍ମର ଚିରବୈରୀ । କିନ୍ତୁ ସେ ଜାଣନ୍ତି, ଧର୍ମ ଓ ଅଧର୍ମର ଆଦିପୁରୁଷ ଏକ । ଏକ ବିରାଟ ପୁରୁଷ ବକ୍ଷରୁ ଧର୍ମ, ପୃଷ୍ଠରୁ ଅଧର୍ମର ଉତ୍ପତ୍ତି । କାଳକ୍ରମେ ବଂଶଲତିକା ବିଚ୍ଛିନ୍ନ ହେଇଚି, ଦୁଇ ବଂଶ ମଧ୍ୟରେ ଜାଗିଚି ବିରୋଧ । ବୃଦ୍ଧ କାଳ ଅନ୍ତରରେ ସେଥିଲାଗି ପ୍ରଚ୍ଛନ୍ନ ଥିଲା ଗୋଟିଏ କାମନା–ପୁନର୍ବାର ଦୁଇ ବଂଶ ଭିତରେ ହୁଏତ ମୈତ୍ରୀ ସ୍ଥାପନ କରାଯାଇପାରେ । ସେ ସ୍ଥିର କରିଥିଲେ, ଏଇ କନ୍ୟାକୁ ସମର୍ପଣ କରିବେ କୌଣସି ଧର୍ମଶୀଳ ହାତରେ, ଗୋଟାଏ ସୂତ୍ରରେ ଗୁନ୍ଥିବେ ଦୁଇ ବିରୋଧୀ କୁଳ । ସୁତରାଂ ସେ ଭୟାର ନାମକରଣ କରିଥିଲେ ସୁନୀଥା ।

 

ଶୈଶବ ଅତିକ୍ରମ କରି ସୁନୀଥା ଯୌବନରେ ପଦାର୍ପଣ କଲା, ଆଉ ସଙ୍ଗେ ସଙ୍ଗେ ପ୍ରକଟ ହେଲା ବଂଶଗତ ଦୁର୍ଗୁଣ । ବକ୍ରକୁଟିଳ ପ୍ରକୃତି, ଦୁର୍ଦ୍ଦମନୀୟ ଔଦ୍ଧତ୍ୟ । ସର୍ବୋପରି ତା’ର କଳେବର-ପାନର ମତ୍ତତା । ଚିନ୍ତିତ ହେଲେ ପ୍ରବୃଦ୍ଧ କାଳ । କେଉଁ ଧର୍ମଶୀଳ ଗ୍ରହଣ କରିବ ଏହି ଦୁର୍ବିନୀତା ଅଧର୍ମଶୀଳାକୁ ?

 

ସ୍ୱାୟମ୍ଭୂବ ମନୁବଂଶର ଧର୍ମପ୍ରଭବ ରାଜା ଅଙ୍ଗରାଜ ‘କ୍ଷୁତ’–ସୁକୃତକର୍ମୀ, ଆଚାରନିଷ୍ଠ, ଶାସ୍ତ୍ରପାରଙ୍ଗମ । ସେ ପ୍ରଜାବତ୍ସଳ, ସାଧୁ ସଜ୍ଜନଙ୍କ ଏକାଶ୍ରୟ । ତାଙ୍କର ରାଜ୍ୟରେ ନିତ୍ୟ ଯାଗ, ନିତ୍ୟ ଦାନ କ୍ରିୟା, ନିତ୍ୟ ଅତିଥି ସତ୍କାର । ପ୍ରଜାପୁଞ୍ଜ ରାଜଭକ୍ତ, ସୁଶୀଳ, ଧର୍ମପରାୟଣ ।

 

ଭୟାକୁ ନେଇ କାଳ ଉପସ୍ଥିତ ହେଲେ ଅଙ୍ଗରାଜ ଦ୍ଵାରରେ । ତ୍ରିଲୋକତ୍ରାସ ମହାମାନ୍ୟ କାଳ । ଅଙ୍ଗରାଜ ପରମ ସମାଦର ସହକାରେ ଅତିଥିକୁ ପାଦ୍ୟ-ଅର୍ଘ୍ୟ ଦେଲେ, ମଧୁପର୍କ ଓ ଆସନ ନିବେଦନ କରି ବିନୀତ ଭାବରେ କୁଶଳ ପ୍ରଶ୍ନ କଲେ । କାଳ କହିଲେ, ‘ପ୍ରାର୍ଥୀ ହେଇ ମୁଁ ତୁମ ପାଖକୁ ଆସିଚି । ମୋର ବହୁ କନ୍ୟା ଭିତରେ ଆଦରିଣୀୟା ଏଇ କନ୍ୟା ସୁନୀଥା । ସତ୍‍ପାତ୍ରରେ କନ୍ୟାଦାନ କରିବା ପିତାର କର୍ତ୍ତବ୍ୟ । ତୁମେ ଧର୍ମପରାୟଣ, ସୁକୃତିଶୀଳ । ମୋର କନ୍ୟାକୁ ଗ୍ରହଣ କର ।’

 

କାଳ ବାକ୍ୟରେ ଚିନ୍ତିତ ହେଲେ ଅଙ୍ଗରାଜ । କାଳର ବଂଶଗତ ଶୀଳାଚାର ତାଙ୍କର ଅଜ୍ଞାତ ନୁହେଁ । ଏ ବଂଶର ପୁରୁଷ ଦୁଃଶୀଳ, ନାରୀ ଦୁଃଶୀଳା–ପ୍ରତ୍ୟେକେ ଅଧର୍ମବନ୍ଧୁ, ଧର୍ମବୈରୀ-। ଅଥଚ ପ୍ରାର୍ଥୀ ସ୍ୱୟଂ କାଳ । ପ୍ରାର୍ଥୀକୁ ବିମୁଖ କରିବା ମଧ୍ୟ ଅଧର୍ମ । ତାଙ୍କର ଦୃଷ୍ଟି ଉପରକୁ ଅନ୍ଧକାର ନଇଁ ଆସେ; ସେ ଅନ୍ଧକାରରେ ପଥ ଖୋଜନ୍ତି ଆଲୋକ-ସନ୍ତାନ ଅଙ୍ଗରାଜ ।

 

ମିନତିଭରା ଗମ୍ଭୀର କଣ୍ଠରେ କାଳ କହିଲେ, ‘ଧର୍ମର ପୂତ ସ୍ପର୍ଶରେ ମୋର ବଂଶ ପବିତ୍ର ହେଉ–ଏଇ ମୋର ଆକାଂକ୍ଷା । ସ୍ପର୍ଶମଣି ସ୍ପର୍ଶରେ ଲୌହ ସ୍ୱର୍ଣ୍ଣରେ ପରିଣତ ହୁଏ, ତୁମର କରସ୍ପର୍ଶରେ କଳଧୌତ ସୁବର୍ଣ୍ଣ ଭଳି ଉଜ୍ଜ୍ୱଳ ହେଉ ମୋର କନ୍ୟା । ତୁମେ ଏହାକୁ ଗ୍ରହଣ କର । ଏଇ ସେତୁବନ୍ଧରେ ଯୁକ୍ତ ହେଉ ଧର୍ମ ଓ ଅଧର୍ମର ଦୁଇ ବିରୋଧୀ କୁଳ ।’

 

ମୁହୂର୍ତ୍ତେ ଦ୍ଵିଧା, ପରମୁହୂର୍ତ୍ତରେ ସ୍ଥିରସଂକଳ୍ପ । ସ୍ଥିତଧୀ, ସଂଯତ ଅଙ୍ଗରାଜ–ନୀଳକଣ୍ଠଙ୍କ ପରି ତାଙ୍କର ଦୁର୍ଜୟ ତପଃଶକ୍ତି । କାଳକୂଟ ସମ୍ମୁଖରେ ସେ ନିର୍ଭୟ । ତାଙ୍କ ପାଖରେ ସମାନ ମୃତ୍ୟୁ ଓ ଅମୃତ, ଭୟ ଓ ଅଭୟ । ପୁଣ୍ୟ ସ୍ପର୍ଶରେ ପାପ ଯଦି ସୁଗତି ଲାଭ କରେ, ପୁଣ୍ୟବାନ୍ କି ସେଥିରେ ବିମୁଖ ହୁଏ ? କଲ୍ୟାଣ-ମିତ୍ର ଅଙ୍ଗରାଜଙ୍କ ଆନନରେ ଧର୍ମର ଜ୍ୟୋତିର୍ମୟ ପ୍ରଭା ବିକଶିତ ହୁଏ । ମଧୁର କଣ୍ଠରେ ସେ କହିଲେ, ‘ପ୍ରାର୍ଥୀକୁ ବିମୁଖ କରିବା ଅଧର୍ମ । ଆପଣଙ୍କର ଯଦି ଏକାନ୍ତ ଏହାହିଁ ଇଚ୍ଛା, ‘ଏବମସ୍ତୁ’; ମୁଁ ସାନନ୍ଦରେ ଆପଣଙ୍କ କନ୍ୟାକୁ ଗ୍ରହଣ କରିବି ।’

 

ପ୍ରଜାଗଣ କିନ୍ତୁ ସନ୍ତୁଷ୍ଟ ହେଲେନି; ସନ୍ତୁଷ୍ଟ ହେଲେନି ରାଜ୍ୟର କଲ୍ୟାଣକାମୀ ଋଷିବୃନ୍ଦ । ଦୁର୍ନିମିତ୍ତ ଆଶଙ୍କା କରି ଶଙ୍କାକୁଳ ହେଲେ କୁଳପୁରୋହିତ । ଅଥଚ ରାଜାଙ୍କୁ ବାଧା ଦେଇ ପାରିଲେନି କେହି ହେଲେ । ସାହସ ଧରି ଯଥାବିହିତ ଆଚାରରେ କାଳ-କନ୍ୟା ଭୟାକୁ ଅଙ୍ଗରାଜ ବିବାହ କଲେ । ସୁନୀଥା ପାଇଲା ଭାର୍ଯ୍ୟାର ଅଧିକାର ।

 

‘ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା’–ଶାସ୍ତ୍ରର ଏ ଅନୁଶାସନ ଅଙ୍ଗରାଜ ଜାଣନ୍ତି । କିନ୍ତୁ ସୁନୀଥାର କୁତ୍ସିତ ମତ୍ତତା ଦେଖି ସେ ଶିହରି ଉଠିଲେ । କି ବୀଭତ୍ସ କାମବିହ୍ଵଳତା, କି କଦର୍ଯ୍ୟ କୁଟିଳ ଭାଷଣ ! ସେ କାଳାକାଳ ଜ୍ଞାନଶୂନ୍ୟା । ଭୟାବହ ଗ୍ରୀଷ୍ମର କ୍ଷୁଧାଯେପରି ଭୟାର ଗର୍ଭରେ ।

 

କେଉଁ ଦୂର ଅନ୍ଧକାରପୁରୀରୁ କାଳରାତ୍ରିର ଛାୟା ଯେପରି ଓହ୍ଲାଇ ଆସୁଚି ! କେଉଁମାନେ ବ୍ରତଭ୍ରଷ୍ଟ କରିବାପାଇଁ ଯେପରି ମେଳି ହେଉଚନ୍ତି ! ପ୍ରାଣପଣେ ଆତ୍ମଦମନ କଲେ ଅଙ୍ଗରାଜ; ସଂକଳ୍ପ କଲେ, ସଂଯମ ହେଉ ମୋର ଆଶ୍ରୟ । ବଂଶ ପରମ୍ପରାରେ, ସନ୍ତାନରେ ସଂକ୍ରମିତ ହୁଏ ପିତା-ମାତାର ସ୍ୱଭାବ । ମାତାର ପାପବୃତ୍ତିରୁ ମୁକ୍ତ ହେଉ ମୋର ପବିତ୍ର କୁଳ । ବଂଶ ଲୋପ ହେଉ ପଛେ, ଅକ୍ଷୟ ହେଇ ଥାଉ ବଂଶର ପୁଣ୍ୟ, ନିଷ୍କଳଙ୍କ ରହିଥାଉ ସ୍ଵାୟମ୍ଭୂବ ମନୁର ଗୋତ୍ର ।

 

କାମିନୀର ଉତ୍କଟ କାମନା ବ୍ୟର୍ଥ ହେଲା ଧୃତବ୍ରତ ଅମିତାଭଙ୍କ ନିକଟରେ । କିନ୍ତୁ ଭୟଙ୍କର ଆକାର ଧାରଣ କଲା ଅଭିହତା ନାରୀର ଆକ୍ରୋଶ । ଭୟାର କୁତ୍ସିତ ବଦନ ଆହୁରି ଭୟଙ୍କର ହେଲା, ବକ୍ରସ୍ଵଭାବ ହେଲା ବକ୍ରକ୍ରୂର । ସେ କି ଶକ୍ତିହୀନା–ଗର୍ଜନ କରି ଉଠିଲା ଦୁର୍ମୁଖା । କାଳକନ୍ୟା ସେ–କାଳ ଭଳି ଦୁର୍ଦ୍ଦଣ୍ଡ, ଦୁର୍ବାର ତାମସୀ ବିଦ୍ୟା ତା’ର ଆୟତ୍ତରେ; ସେ କଳେବର ପାୟୀ । ସ୍ଵାମୀର କଳେବର ସେ ପାନ କରିପାରିବନି ସତ, କିନ୍ତୁ ରାଜ୍ୟରେ ବିପର୍ଯ୍ୟୟ ସୃଷ୍ଟି କରିପାରିବ । ସେ ଗ୍ରାସ କରି ପାରିବ ପ୍ରକୃତିପୁଞ୍ଜର ସଦ୍‍ଗୁଣ ।

 

ସେଦିନ ରାତ୍ରିକାଳରେ ସେ ଉଦ୍‍ଯାପନ କଲା ସେଇ ମହାଘୋର ତାମସ ବ୍ରତ । ଅମାବାସ୍ୟାର ରାତ୍ରି । ବାହାରେ ଅନ୍ଧକାର–ତମସାବୃତା ପ୍ରକୃତି । ଆଚ୍ଛନ୍ନ ଦିଙ୍‍ମୁଖ–ମୁକ୍ତବନ୍ଧ ଯେପରି ଅଶରୀରୀ ଆତ୍ମା । ଅନ୍ଧ ଅନ୍ଧକାରରେ ସହସ୍ର ପ୍ରେତପିଶାଚର ତାଣ୍ଡବ, ନିଶାଚର-ବୃତ୍ତି ଯେପରି ନିଶୀଥର ବୁକୁରେ । ସେଇ ଭୀଷଣ ରଜନୀରେ ରାଜପ୍ରାସାଦର ଏକ ନିର୍ଜନ ପ୍ରକୋଷ୍ଠରେ ବସି ଉଜ୍ଜ୍ୱଳ ଦୀପାବଳି ନିର୍ବାପିତ କଲା ଭୟା । ଜାଳିଲା ଗୋଟାଏ ତୈଳ ପ୍ରଦୀପ । ଉତ୍ପାତହିଁ ସୃଷ୍ଟି କରିବ ସେ । ରାଜ୍ୟସାରା ବ୍ୟାକୁଳ କରି ତୋଳିବ ପୁତ୍ରକାମା ନାରୀର ବ୍ୟର୍ଥ ହାହାକାରରେ ।

 

ରାତ୍ରି ଗଭୀର ହେଲେ ମଧ୍ୟ ଶୟନ କକ୍ଷରେ ସୁନୀଥାକୁ ନ ଦେଖି ଚିନ୍ତିତ ହେଲେ ଅଙ୍ଗରାଜ । ବହୁତ ସମୟ ପ୍ରତୀକ୍ଷା କଲେ । କୁଆଡ଼େ ଗଲା ସେ । ଏପରି ତ କେବେ ହେଇନି । କାମାର୍ତ୍ତା ଆସ୍ଫାଳନ କରେ, ଗର୍ଜନ ତର୍ଜନ କରେ, ଶେଷରେ କିନ୍ତୁ ଶାନ୍ତ ହୋଇ ଢଳି ପଡ଼େ ନିଦ୍ରାର କ୍ରୋଡ଼ରେ । ଆଜି ତେବେ କ’ଣ ହେଲା ?

 

ଚିନ୍ତାକୁଳ ଚିତ୍ତରେ ରାଜା ଆସିଲେ ବାହାରକୁ । ପାର୍ଶ୍ଵକକ୍ଷରେ ପ୍ରଦୀପ ନାହିଁ, ଅଥଚ କକ୍ଷ ନିଷ୍ପ୍ରଦୀପ ମଧ୍ୟ ନୁହେଁ । ଭିତରୁ ଶୁଣାଯାଉଚି ଅସ୍ପଷ୍ଟ କଣ୍ଠଧ୍ଵନି । ସୋତ୍କଣ୍ଠ ଅଙ୍ଗରାଜ ଦ୍ଵାରମୁହଁରେ ଆସି ଉଭା ହେଲେ । ଦ୍ଵାର ଅର୍ଗଳବଦ୍ଧ ନୁହେଁ । ଟିକିଏ ଠେଲି ଦେଖିଲେ, ତୈଳ ପ୍ରଦୀପର ସ୍ଵଳ୍ପାଲୋକରେ ରହସ୍ୟଘନ କକ୍ଷ । ରୁଦ୍ଧଶ୍ୱାସରେ କକ୍ଷରେ ପ୍ରବେଶ କଲେ ସେ ।

 

ଏ କି ଭୟଙ୍କର ଦୃଶ୍ୟ ! ପ୍ରାୟାନ୍ଧକାର ପ୍ରକୋଷ୍ଠରେ ଅଭିଚାରିକ୍ରିୟାରତା ସୁନୀଥା । ସମ୍ମୁଖରେ କ୍ରିୟା-ଉପକରଣ–କପାଳ ପାତ୍ର, ରକ୍ତଜବା, ରକ୍ତସିନ୍ଦୂର । ନତଜାନୁ ହେଇ, ପଦଯୁଗଳ ପୃଷ୍ଠଦେଶକୁ ପ୍ରସାରିତ କରି ବସିଚି ସେ । ଆଗକୁ ଝୁଲି ପଡ଼ିଚି କୃଷ୍ଣସାର ବିଶୀର୍ଣ୍ଣ ଦେହ । ଆଥର୍ବଣ ମନ୍ତ୍ରର ଅସ୍ପଷ୍ଟ ହୁଙ୍କାର ତା’ର କଣ୍ଠରେ, ଦ୍ରୁତ ଅଥଚ ସବିରାମ ଭାବରେ ଚାଲିଚି ଉପାଂଶୁ ଜପ । ମଧ୍ୟେ ମଧ୍ୟେ ହସ୍ତ ଅଞ୍ଜଳିବଦ୍ଧ କରି ଉଗ୍ର ତୃଷାତୁର ଭଳି କ’ଣ ଯେପରି ପାନ କରୁଚି । ଏ କି ଯକ୍ଷୀ ନା ରାକ୍ଷସୀ ? ଡାହାଣୀ ନା ପେତିନୀ ? ଆତଙ୍କରେ ରାଜା ଶିହରିତ । ଭୟାର ନିକଟକୁ ଯାଇ ଉଚ୍ଚ କଣ୍ଠରେ ଡାକିଲେ, ‘ସୁନୀଥା, ସୁନୀଥା !’

 

ସୁନୀଥା ସେତେବେଳେ ରାଜପ୍ରାସାଦରେ ନଥିଲା । ଚାଲି ଯାଇଥିଲା ହୁଏତ କେଉଁ ଭୂତ-ପ୍ରେତ-ପିଶାଚ ଜଗତକୁ । ରାଜାଙ୍କ ଆହ୍ୱାନରେ ଅର୍ଦ୍ଧଜାଗରିତ ଭଳି ତା’ର ସମ୍ବିତ ଫେରି ଆସିଲା । ଉତ୍କଟ, ବିଭ୍ରାନ୍ତ, ଅର୍ଥହୀନ ଦୃଷ୍ଟିରେ ସେ ଚାହିଁଲା ରାଜାଙ୍କୁ । ରାଜାଙ୍କର ମନେ ହେଲା ତାଙ୍କର ଦେହ ଯେପରି ବିଶୁଷ୍କ ହେଇ ଯାଉଚି । ଚିତ୍କାର କରି ସେ କହିଲେ, ‘ଏ କ’ଣ କରୁଚ ସୁନୀଥା !’ ଉଦ୍ଭ୍ରାନ୍ତ ଭଳି ଅଟ୍ଟହାସ୍ୟ କରି ଉଠିଲା ଭୟା–ଅନ୍ଧକାରର ଅନ୍ଧ ଗର୍ଭରେ ପିଶାଚୀର ଅଟ୍ଟହାସ୍ୟ ଯେପରି, ଯେପରି ମହାତାମିସ୍ର ନରକରେ ନରକ ଦୂତର ଖଳଖଳ ଉଚ୍ଚରୋଳ । ଭୟ-କମ୍ପିତ ପଦରେ ରାଜା କକ୍ଷରୁ ନିଷ୍କ୍ରାନ୍ତ ହେଲେ ।

 

ସେ ରାତ୍ରି ପ୍ରଭାତ ହେବା ସଙ୍ଗେ ସଙ୍ଗେ ରାଜ୍ୟରେ ଘୋର ଦୁର୍ନିମିତ୍ତ ସୂଚିତ ହେଲା । ଦିନମାନରେ ଅନ୍ଧକାରାବୃତ ଦିଙ୍‍ମଣ୍ତଳ, ଧୂଳି ପଟଳରେ ଆଚ୍ଛନ୍ନ ଗଗନ । କେଉଁଠି ଉଲ୍କାମୁଖୀ ଶିବାଧ୍ଵନି, କେଉଁଠି ଅସ୍ଥିକରକା, କେଉଁଠି ବା ଅକାରଣ ଶୋଣିତ ଦୃଷ୍ଟି । ସୀମାନ୍ତରୁ ଆସିଲା ଶସ୍ୟହାନି ସମ୍ବାଦ, ଅକାଳମୃତ୍ୟୁ ଦେଖାଦେଲା ରାଜତ୍ଵରେ । ଆତଙ୍କଗ୍ରସ୍ତ ପ୍ରଜା, ଆତଙ୍କିତ ଅଙ୍ଗରାଜ । ଋଷିମାନଙ୍କୁ ନିମନ୍ତ୍ରଣ କଲେ ସେ, ଆହ୍ଵାନ କଲେ କୁଳ ପୁରୋହିତଙ୍କୁ । ସମବେତ ହେଲେ ଅଙ୍ଗିରା, କଶ୍ୟପ, ଭୃଗୁ, କ୍ରତୁ । ଅମଙ୍ଗଳ ଶାନ୍ତି ଉଦ୍ଦେଶ୍ୟରେ ସ୍ୱସ୍ତ୍ୟୟନ ହୋମ କରିବାପାଇଁ ନିର୍ଦ୍ଦେଶ ଦେଲେ ଋଷିବୃନ୍ଦ ।

 

ରାଜୋଚିତ ଆଡ଼ମ୍ବରରେ ଚାଲିଲା ହୋମର ଆୟୋଜନ । ଦେଶ-ବିଦେଶରୁ ସମାହୃତ ହେଲା ଯଜ୍ଞଦ୍ରବ୍ୟ । ନାନା ଦିଗରୁ ଆସି ଉପନୀତ ହେଲେ ବେଦବିତ୍ ଋତ୍ୱିକ, ଅଧ୍ଵର୍ଯ୍ୟୂ, ଉଦ୍‍ଗାତା, ହୋତା । ସୂତ, ଭାଟ ମାଗଧରେ ପୂର୍ଣ୍ଣ ହେଲା ଯଜ୍ଞସ୍ଥଳ । କୃତସଂକଳ୍ପ ହେଇ ରାଜା ବସିଲେ ଯଜମାନ ଆସନରେ । ବାମ ପାର୍ଶ୍ଵରେ ବସିଲା ଭାର୍ଯ୍ୟା ସୁନୀଥା । ଉଦାତ୍ତ କଣ୍ଠରେ ଉଚ୍ଚାରିତ ହେଲା ସାମଗାନ; ପଦାନୁକ୍ରମରେ ସୁସ୍ପଷ୍ଟ ମନ୍ତ୍ର ଉଚ୍ଚାରଣ କରି ହୋତା ଯଜ୍ଞଗ୍ନିରେ ହବି ଆହୂତି ଦେଲେ । କିନ୍ତୁ କି ଦୁର୍ଦୈବ ! ବେଦ ମନ୍ତ୍ରର ଆକର୍ଷଣରେ କର୍ମସାକ୍ଷୀ ଦେବତା ଆବିର୍ଭୂତ ହେଲେନି-। ବିମୁଖ ଦେବମୁଖ ଅଗ୍ନିଦେବ । ଯଜ୍ଞ–ହବି କୁଣ୍ଡ ପୂର୍ଣ୍ଣ କରି ଗଡ଼ି ଆସିଲା ବାହାରକୁ । ପୂର୍ଣ୍ଣ ସୋମ ପାତ୍ର ପୂର୍ଣ୍ଣ ହେଇ ରହିଲା । ବିସ୍ମିତ ପୁରୋହିତ ବର୍ଗ, ବିସ୍ମିତ ସମାଗତ ଋଷିବୃନ୍ଦ । ଅଙ୍ଗରାଜ ଅନ୍ତର ଆଶଙ୍କାର ଆକୁଳ । ଏ କି ବିଘ୍ନ ! ଗମ୍ଭୀର କଣ୍ଠରେ କହିଲେ ପୁରୋହିତ, ‘ରାଜା ଅପୁତ୍ରିକ-। ସେଥିପାଇଁ ଦେବତା ହବି ଗ୍ରହଣ କରି ନାହାନ୍ତି ।’

 

ଉତ୍କଟ ଉଲ୍ଲାସରେ ଜଳି ଉଠିଲା ଭୟାର ଉଗ୍ର ଚକ୍ଷୁ । ଲଜ୍ଜାରେ ଆରକ୍ତ ହେଲା ରାଜାଙ୍କ ବଦନ । ସଙ୍କୋଚରେ ସେ ମସ୍ତକ ଆନତ କଲେ । ତାଙ୍କର ନୟନ ସମ୍ମୁଖରେ ଭାସି ଉଠିଲା ପ୍ରତ୍ୟାଖ୍ୟାତା ରତିକାମା ନାରୀର କୁଟିଳ ମୁଖ, ଭାସି ଉଠିଲା ଅନ୍ଧକାର ନିଶୀଥରେ ବଞ୍ଚିତା ସୁନୀଥାର ପ୍ରାଞ୍ଜଳି-ପାନର ବିକଟ ଦୃଶ୍ୟ ! ଏଇ ଶୁଦ୍ଧ, ସରଳ ଋଷିମାନଙ୍କୁ ସେ କିପରି ବୁଝାଇବେ ଯେ ସେ କାହିଁକି ଅପୁତ୍ରିକ । ପୁତ୍ର କାମନା କି ତାଙ୍କର ନଥିଲା ? ଜୀବ ପ୍ରକୃତିର ମଜ୍ଜାଗତ ବଂଶରକ୍ଷାର ଆକୁତି । କିନ୍ତୁ ପୁତ୍ରାର୍ଥେ ଗୃହୀତା ଭାର୍ଯ୍ୟାର ସ୍ଵରୂପ ଦେଖି ସେ ଆତଙ୍କିତ ହେଇଚନ୍ତି । ଲଜ୍ଜା, ଘୃଣା ଓ ଅନୁତାପରେ ନୀରବ ହେଲେ ଅଙ୍ଗରାଜ । ଋଷିଗଣ ନିର୍ଦ୍ଦେଶ ଦେଲେ, ‘ପୁତ୍ର କାମନା କରି ଆପଣ ଯଜ୍ଞ କରନ୍ତୁ । ନିଶ୍ଚୟ ମନସ୍କାମନା ସିଦ୍ଧ ହେବ । ଯଜ୍ଞେଶ୍ଵର ଅନପତ୍ୟକୁ ଅବଶ୍ୟ ଅପତ୍ୟବାନ କରିବେ ।’ ସୁନୀଥାର ଦୀର୍ଘ ନୟନରେ ଉଲ୍ଲାସର ପୈଶାଚିକ ଦୀପ୍ତି । ପରିଶେଷରେ ଅଙ୍ଗରାଜ ସମ୍ମତ ହେଲେ । ଯଜ୍ଞରେ ଯଦି ସୁନୀଥାର ଅନ୍ତର ଶୁଦ୍ଧ ହୁଏ, ହୁଏତ ତାଙ୍କର ସୁପୁତ୍ର ଲାଭ ହେବ ।

 

ସ୍ୱସ୍ତ୍ୟୟନ ହୋମର ହୋମସ୍ଥଳୀ ପୁତ୍ରେଷ୍ଟି ଯଜ୍ଞରେ ପରିଣତ ହେଲା । ଯାଜ୍ଞିକ ଋଷିଗଣ ଯଜ୍ଞେଶ୍ୱର ଉଦ୍ଦେଶ୍ୟରେ ହବି ନିବେଦନ କରିବାମାତ୍ରେ ପରିତୃପ୍ତ ଦେବତାର ଆଶୀର୍ବାଦସ୍ୱରୂପ ଯଜ୍ଞରେ ଆବିର୍ଭୂତ ହେଲେ ଏକ ଦୀପ୍ତ ହିରଣ୍ମୟ ପୁରୁଷ–ସ୍ଵର୍ଣ୍ଣକାନ୍ତ କାନ୍ତି, କଣ୍ଠରେ କାଞ୍ଚନମାଳା, ହସ୍ତରେ ସିଦ୍ଧ ପାୟସାନ୍ନ । ବ୍ରାହ୍ମଣମାନଙ୍କ ନିର୍ଦ୍ଦେଶରେ ଅଙ୍ଗରାଜ ଅଞ୍ଜଳିପୁଟରେ ସେଇ ପାୟସ ଗ୍ରହଣ କଲେ । ଯଜ୍ଞେଶ୍ଵରଙ୍କୁ ସ୍ମରଣ କରି, ପ୍ରଥମେ ସେ ପରମାନ୍ନ ସେ ଆଘ୍ରାଣ କଲେ, ତା’ରପରେ ପାତ୍ର ଅର୍ପଣ କଲେ ରାଜ୍ଞୀ ସୁନୀଥା ହସ୍ତରେ । ନିର୍ଲଜ୍ଜା ସୁନୀଥା; ତା’ର ରସନାରେ ବହ୍ନିତୃଷା । ଋଷି, ୠତ୍ଵିକ ଓ ସଦସ୍ୟଗଣ ସମ୍ମୁଖରେହିଁ ଏକ ନିଃଶ୍ୱାସରେ ସେ ଅନ୍ନପାତ୍ର ନିଃଶେଷ କଲା । ହତବାକ୍ ଅଙ୍ଗରାଜ, ସ୍ତମ୍ଭିତ ପ୍ରଜାପୁଞ୍ଜ । କାମନାର ଏ କି ନଗ୍ନ ମୂର୍ତ୍ତି !

 

ଯଜ୍ଞ ଶେଷ ହେଲା । ଭୁରି ଦକ୍ଷିଣା ଗ୍ରହଣ କରି ବିଦାୟ ହେଲେ ବ୍ରାହ୍ମଣଗଣ । ଆଶୀର୍ବାଦ କରି ଗଲେ ରାଜ୍ୟର ମଙ୍ଗଳକାମୀ ଋଷିବୃନ୍ଦ । ଚିନ୍ତିତ ମନରେ ରାଜା ପ୍ରବେଶ କଲେ ଅନ୍ତଃପୁରରେ ।

 

ଆସନ୍ନ ସନ୍ଧ୍ୟା । ପ୍ରଦୋଷ ଛାୟାରେ ପ୍ରାୟାନ୍ଧକାର ଜଗତ । ଲୋକେ ଏହାକୁ ବୋଲନ୍ତି ଆସୁରୀ ମୁହୂର୍ତ୍ତ । ଅସୁରର ମତ୍ତତା ପ୍ରକାଶ ପାଏ ସନ୍ଧ୍ୟାର ରହସ୍ୟଘନ ଆଲୋକଛାୟାରେ, କ୍ଷୁଧାର୍ତ୍ତ କାମନାର ବୀଜ ସୃଷ୍ଟିକୁ ଆକୁଳ କରି ତୋଳେ । ଏପରି କି ସ୍ୱୟଂ ବ୍ରହ୍ମା ପର୍ଯ୍ୟନ୍ତ ବିଭ୍ରାନ୍ତ ହୁଅନ୍ତି ସନ୍ଧ୍ୟାରେ । ଯତି, ସନ୍ନ୍ୟାସୀ, ଧୃବବ୍ରତ ଗୃହୀ ସେଥିଲାଗି ଏ ସମୟରେ ନିଯୁକ୍ତ ହୁଅନ୍ତି ସନ୍ଧ୍ୟାବନ୍ଦନାରେ । ‘ଯଦହ୍ନା ପାପମାକର୍ଷମ୍’ ମନ୍ତ୍ରରେ କଳୁଷର ବୀଜାଣୁ ବିନଷ୍ଟ ହୁଏ, ହୃଦୟରେ ଜାଗେ ଅମେୟ ପ୍ରଶାନ୍ତି । କିନ୍ତୁ କଳୁଷଚିତ୍ତ ଜୀବ ସନ୍ଧ୍ୟା କ୍ଷଣରେହିଁ ପୀଡ଼ିତ ହୁଏ କାମବାଣରେ । ରୁଦ୍ରାଧିକାରଭୁକ୍ତ ସନ୍ଧ୍ୟାରେ ଯଜ୍ଞକ୍ରିୟାହୀନ ଅସୁରବୃତ୍ତି ଜୀବ ଉଦ୍ଦାମ ହେଇ ଉଠେ ଆସୁରିକ ମତ୍ତତାରେ ।

 

କାଳକନ୍ୟା ଭୟାର ଅନ୍ତରରେ ମଧ୍ୟ ଆସନ୍ନ ସନ୍ଧ୍ୟାରେ ମନ୍ମଥର ମତ୍ତ ସଞ୍ଚରଣ । ରାଜା ଅନ୍ତଃପୁରରେ ପ୍ରବେଶ କରିବାମାତ୍ରେହିଁ ବିହ୍ଵଳା ଭଳି ଛୁଟି ଆସେ ସେ; ଛୁଟି ଆସୁଚି ଯେପରି ବିଷମୁଖ ଏକ ଅବ୍ୟର୍ଥ ତୀକ୍ଷ୍ଣ ଶର । ବୁକୁରେ ପାଶବ ଉତ୍ତେଜନା, ବଦନରେ ଆଦିମତମ ଆରଣ୍ୟ ପ୍ରବୃତ୍ତିର ବୀଭତ୍ସତା । ଧର୍ମଶୀଳ ଅଙ୍ଗରାଜ ଆତଙ୍କିତ ହୁଅନ୍ତି, ଅନୁନୟ ଓ ଉପଦେଶରେ ଶାନ୍ତ କରିବାକୁ ଚେଷ୍ଟା କରନ୍ତି ଅଶାନ୍ତ ତରଙ୍ଗ । ଅଶୁଭ ମୁହୂର୍ତ୍ତର ବିଭୀଷିକା କଥା ସ୍ମରଣ କରାଇ ପୁରାଣ-ଇତିହାସରୁ ଉଦ୍ଧୃତ କରନ୍ତି ଅସଂଯତ କାମନାର ଭୀଷଣ ପରିଣାମର କେତେ ଦୃଷ୍ଟାନ୍ତ । କିନ୍ତୁ ସୁଦୁଷ୍କର ଯେପରି ବାୟୁ, ଅନିୟତ ଯେପରି ପ୍ରଳୟ କାଳର ଉଲ୍କା, ପ୍ରମତ୍ତା ଯେପରି ମଦସ୍ରାବୀ କରିଣୀ, ସେପରି ଉଦ୍ଦାମ ଭୟା । ବିଚାରହୀନ ପ୍ରଚଣ୍ଡ କ୍ଷୁଧା, କାମାନ୍ଧ ନିକଟରେ ବ୍ୟର୍ଥ ଶାସ୍ତ୍ରର ଅନୁଶାସନ । ଅସହାୟ, ଉପାୟହୀନ ଅଙ୍ଗରାଜ ।

 

ପ୍ରତ୍ୟକ୍ଷ ଫଳ ମଧ୍ୟ ଫଳିଲା ଏ ଅନାଚାରର । ଭୟାର ଦୁର୍ବିନୀତ ବ୍ୟସନ-ଭୋଗ ବାସନାରେ ଜନ୍ମଗ୍ରହଣ କଲା ଅଧର୍ମାଂଶପ୍ରଭବ ପୁତ୍ର ‘ବେଣ’ । ମାତାମହ ଭଳି ଦୁରତିକ୍ରମଣୀୟ, ମାତୁଳମାନଙ୍କ ଭଳି ଅତ୍ୟନ୍ତ କୁଟିଳ, ମାତୃସ୍ୱସାଙ୍କ ଭଳି ମହାଭୟଙ୍କର । ସେ ନିର୍ଦ୍ଦୟ, ନିଷ୍ଠୁର, ନିର୍ମମ । ଶିଶୁ ହେଲେବି ବାଳ-ଭୁଜଙ୍ଗ ଭଳି ବିଷଧର; କ୍ଷୁଦ୍ର ହେଲେବି ସର୍ବଗ୍ରାସୀ ଅଗ୍ନି ସ୍ଫୁଲିଙ୍ଗ ଭଳି ପ୍ରବଳ । ମୂର୍ତ୍ତିମାନ ଅଧର୍ମ, ହିଂସ୍ରତା ଓ ପରଶ୍ରୀକାତରତାର ମହାମଦ ଆବିର୍ଭୂତ ହେଲା ଧର୍ମପରାୟଣ ସ୍ୱାୟମ୍ଭୂବ ମନୁ ଗୋତ୍ରରେ ।

 

କିନ୍ତୁ ଏଇ ଦୁରନ୍ତ ଶିଶୁ ହେଲା ଜନନୀ ଭୟାର ନୟନାନନ୍ଦ ଦ୍ୱିତୀୟ ଆତ୍ମା । ‘ଆତ୍ମା ବୈ ଜାୟତେ ପୁତ୍ରଃ ।’ ନନ୍ଦନ-ଦର୍ପଣରେ ଆତ୍ମରୂପର ପ୍ରତିବିମ୍ବ ଦେଖି ପରିତୃପ୍ତ ହେଲା ସେ । କି ଅପୂର୍ବ ଶିଶୁର ଶୈଶବଲୀଳା ! ଯେତେ ଦେଖିଲେବି ମାତାର ଦେଖିବା ପୂର୍ଣ୍ଣ ହେଉନି । ଶିଶୁ ବେଣ ଅଟ୍ଟହାସ୍ୟ କରି ପକ୍ଷୀଶାବକର କଣ୍ଠ ଦ୍ୱିଖଣ୍ଡିତ କରେ–ଭୟା ଅନ୍ତରରେ ପୈଶାଚିକ ତୃପ୍ତି ! କ୍ରୀଡ଼ା ଛଳରେ ଅନ୍ୟାନ୍ୟ ଶିଶୁମାନଙ୍କ କଣ୍ଠ ଚିପି ଧରେ ବେଣ । ପୀଡ଼ନରେ କରୁଣ ଆର୍ତ୍ତନାଦ କରି ଉଠେ କ୍ରୀଡ଼ାସଙ୍ଗୀ–ମୁହୂର୍ତ୍ତକରେ ଦେହ ନୀଳ ହେଇଯାଏ, ମୃତ୍ୟୁରେ ନୀରବ ହୁଏ ଦୁଗ୍ଧପୋଷ୍ୟ ବାଳକ । ଉତ୍କଟ ଉଲ୍ଲାସରେ ନୃତ୍ୟ କରେ ଭୟାର ହୃଦୟ । ଭୟାର ବକ୍ରସ୍ୱଭାବର ଅବିକଳ ପ୍ରତିରୂପ ବେଣ । ଜଘନ୍ୟ ପୁତ୍ର ଗର୍ବରେ ଗର୍ବିତା କାଳକନ୍ୟା । ବେଣ ତା’ର ନୟନର ମଣି, ପ୍ରାଣର ପ୍ରାଣ । ନିମିଷେ ପୁତ୍ର ଦୃଷ୍ଟିର ଅନ୍ତରାଳ ହେଲେ ସେ ପାଗଳ ହେଇଯାଏ ।

 

କିନ୍ତୁ କ୍ଷୁଣ୍ଣ ହୁଅନ୍ତି, ଖିନ୍ନ ହୁଅନ୍ତି ଧର୍ମଭୀରୁ ଅଙ୍ଗରାଜ । ବଂଶ ଉପରେ ଏ କି ଅଭିଶାପ ! ପୂର୍ବରୁହିଁ ସେ ଏ ଆଶଙ୍କା କରିଥିଲେ–କୁମାତାର ସ୍ୱଭାବ ଦୋଷରୁ ଜନ୍ମ ନେବ କୁସନ୍ତାନ, କୁଟିଳ କାମନାର ବିଷବୀଜରୁ ଅଙ୍କୁରିତ ହେବ ଲୋକତ୍ରାସୀ ବିଷବୃକ୍ଷ । ସନ୍ତାନର ଦୁଷ୍କ୍ରିୟା ତାଙ୍କୁ ଚିନ୍ତାକୁଳ କରି ତୋଳେ । ଏହା ଅପେକ୍ଷା କି ନିଃସନ୍ତାନ ହେବା ଭଲ ନୁହେଁ ? ସଂକ୍ରାମକ ବ୍ୟାଧିର ବିଭୀଷିକାରେ ବ୍ୟାକୁଳ ଅନ୍ତରରେ ରାଜ୍ୟ, ଗୃହ, ପୁତ୍ର–ସବୁ କିଛି ଅସାର ମନେ ହୁଏ; ଅର୍ଥହୀନ ମନେ ହୁଏ ପ୍ରପଞ୍ଚସାର ସଂସାର । ଅନ୍ତରରେ ବିରକ୍ତି, ଗୃହଧର୍ମରେ ନୈରାଶ୍ୟ, ରାଜକାର୍ଯ୍ୟରେ ନିରାସକ୍ତି–ନିର୍ବିଣ୍ଣ ମହାରାଜ କ୍ଷୁତ । ଦିନେ ନିଶିଯୋଗରେ ନିଦ୍ରିତା ଦୁର୍ବିନୀତା ଭାର୍ଯ୍ୟା ଓ ଦୁର୍ବିନୀତ ପୁତ୍ରକୁ ପରିତ୍ୟାଗ କରି ନିର୍ବେଦପ୍ରାପ୍ତ ଅଙ୍ଗରାଜ ବହିର୍ଗତ ହେଲେ ନିରୁଦ୍ଦେଶ ଯାତ୍ରାରେ । ପଛରେ ପଡ଼ି ରହିଲା ସର୍ବମ୍ପୂର୍ତ୍ତିପୂର୍ଣ୍ଣ ରାଜତ୍ୱ । ପ୍ରଜାବର୍ଗ ପିତୃହୀନ ଅନାଥ ଭଳି ହାହାକାର କରି ଉଠିଲେ । ଚତୁର୍ଦ୍ଦିଗରେ ଚାଲିଲା ଅନୁସନ୍ଧାନ । ବ୍ୟର୍ଥ ଚେଷ୍ଟା । ଅନନ୍ତ ଅମୃତ ପଥର ପଥିକ ଧର୍ମଶୀଳ ଅଙ୍ଗରାଜ । ମରଜଗତର ମଣିଷ ସେ ସାବିତ୍ରୀ-ପଥର ସନ୍ଧାନ ପାଇବ କିପରି ?

 

ପ୍ରଥମେ କ୍ରୋଧରେ ଗର୍ଜନ କରି ଉଠିଲା ସ୍ୱାମୀ ପାରିତ୍ୟକ୍ତା ଦୁର୍ମୁଖା–ଅଭିହତା କାଳନାଗୁଣୀ ଯେପରି । ଅକଥ୍ୟ ଦୁରୁକ୍ତିର ଅସଂଖ୍ୟ ଦ୍ୱିରୁକ୍ତି–ସ୍ୱାମୀ ବୋଲି କ୍ଷମା ନାଇଁ, ଗୁରୁଜନ ବୋଲି ଦ୍ୱିଧା ନାଇଁ । ଆକୁଳ ସ୍ନେହରେ ସେ ବକ୍ଷକୁ ତୋଳିନେଲା ଶିଶୁ ବେଣକୁ । ପତ୍ନୀର କ୍ଷୋଭା ଉତ୍ତାଳ ହେଲା ମାତୃତ୍ୱର ଅନ୍ଧ ସ୍ନେହୋଲ୍ଲାସରେ । ସ୍ୱାମୀ ଯାଇଚି, ଯାଉ–ଧର୍ମଭୀରୁ ଦୁର୍ବଳ ସ୍ୱାମୀରେ ତା’ର ପ୍ରୟୋଜନ ନାଇଁ । ଚାହେଁନା ଶାନ୍ତିର ନିଃସୀମ ନିର୍ଜୀବତା । ବଞ୍ଚିଥାଉ ତା’ର ପୁତ୍ର-। ହୃଦୟର ଧନ ଏକ ପୁତ୍ରହିଁ ହେବ ରାଜ୍ୟର ସର୍ବସ୍ୱ, ପ୍ରଜାର ଦଣ୍ଡଧର ରାଜା । ପ୍ରାଣର ସମସ୍ତ ଦୁଃଶୀଳତାର ନିର୍ଯ୍ୟାସ ସେ ଢାଳି ଦେଲା ପୁତ୍ର ଉପରେ । ତା’ର ମାତୃତ୍ୱରେ ବର୍ଦ୍ଧିତ ହେଲା ଦୁରନ୍ତ କାଳ ଭଳିହିଁ ମହାଭୟଙ୍କର ବେଣ–ଦୁଷ୍ଟ ଏକ କାଳସର୍ପ ଯେପରି । ଏକେ ଘୋର କୃଷ୍ଣବର୍ଣ୍ଣ ଦେହ, ଅନ୍ଧ-ସ୍ନେହର ପ୍ରଶ୍ରୟରେ ଏଇ କୃଷ୍ଣତା ବିସ୍ତୃତ ହେଲା ଅନ୍ତର ଓ ଆଚରଣରେ; ବିସ୍ତୃତ ହେଲା ସର୍ବଧ୍ୱଂସୀ, ବଜ୍ରସୂଚି କାଳାନ୍ତର ନୀଳଲୋହିତ ମେଘ ଯେପରି ।

 

ନିରୁପାୟ ଅମାତ୍ୟବର୍ଗ ଓ ପ୍ରଜା । ରାଣୀ ସୁନୀଥାର ନିର୍ଦ୍ଦେଶରେ ଦୁଃଶୀଳ ବେଣକୁହିଁ ସେମାନେ ଅଙ୍ଗ ରାଜ୍ୟରେ ଅଭିଷିକ୍ତ କରିବାକୁ ବାଧ୍ୟ ହେଲେ । ଅଗ୍ନିସ୍ଫୁଲିଙ୍ଗ ଲେଲିହାନ ଶିଖା ବିସ୍ତାର କଲା ଏଥର । ମାତୃ ସ୍ୱଭାବର ପ୍ରଭାବରେ ବେଣର ଯତ୍‍ସାମାନ୍ୟ ପିତୃ ସ୍ଵଭାବ ନଷ୍ଟ ହୋଇ ଯାଇଥିଲା । ଭୀଷଣ କ୍ରୋଧ, ମହାଦମ୍ଭ, ନିର୍ମମ ନିଷ୍ଠୁରତା ସଙ୍ଗେ ଏଥର ଯୁକ୍ତ ହେଲା ଦଣ୍ଡନୀତି, ଐଶ୍ୱର୍ଯ୍ୟମତ୍ତତା ଓ ଆତ୍ମାଦରପରାୟଣତା । ନିରଙ୍କୁଶ ଗଜେନ୍ଦ୍ର ଭଳି ଦୁର୍ବିନୀତ; ମଦୋଦ୍ଧତ ବେଣ ପ୍ରଚଣ୍ଡ ଦଣ୍ଡ–ତା’ର ପୀଡ଼ନ ଓ ଯଥେଚ୍ଛାଚାରରେ ତଟସ୍ତ ତ୍ରିଭୁବନ । ବେଦ, ବ୍ରାହ୍ମଣ କାହାରିକୁ ସେ ଗ୍ରାହ୍ୟ କରେନା । ବୈଦିକ କ୍ରିୟାର ମୂର୍ତ୍ତ ପ୍ରତିବାଦ, ବ୍ରାହ୍ମଣ-ସଜ୍ଜନ ବୈରୀ, ଅଧର୍ମର ପରମ ମିତ୍ର ବେଣ । ସମାଜ-ଶୃଙ୍ଖଳା ମୂଳରେ ସେ କଠିଣ ଆଘାତ ହାଣିଲା । ବର୍ଣାଶ୍ରମ-ଧର୍ମକୁ ଉପେକ୍ଷା କରି ରାଜ୍ୟରେ ପ୍ରତିଷ୍ଠିତ କଲା ଅବୈଧ ଅନୁଲୋମ ପ୍ରତିଲୋମ ମିଳନ; ଦାମ୍ପତ୍ୟ ବନ୍ଧନ ନୁହେଁ, ସ୍ଵୈରାଚାର । ପ୍ରଦୁଷ୍ଟା ସ୍ତ୍ରୀଜାତିଠାରୁ କ୍ରମେ ଉତ୍ପନ୍ନ ହେଲେ କୁଳଘ୍ନ ବର୍ଣ୍ଣସଙ୍କର । ଆତ୍ମଦମ୍ଭରେ ଶୃଙ୍ଖଳାର ସମସ୍ତ ସୀମା ଅତିକ୍ରମ କରି ବଜ୍ରନାଦରେ ଘୋଷଣା କଲା ଭୟାନନ୍ଦନ–ତା’ର ରାଜ୍ୟରେ ନିଷିଦ୍ଧ ଦେବ ଆରାଧନା, ନିଷିଦ୍ଧ ଯାଗଯଜ୍ଞ । ଏକମାତ୍ର ରାଜାହିଁ ସାକ୍ଷାତ୍ ଈଶ୍ଵର । ଏଇ ପ୍ରତ୍ୟକ୍ଷ ପରମେଶ୍ଵର ପୂଜାହିଁ ପ୍ରଚଳିତ ହେବ ବେଣ-ରାଜତ୍ୱରେ ।

 

ଘୋଷଣା ଶୁଣି ପରିତୃପ୍ତି ଲାଭ କଲା ଭୟା । ସ୍ୱାମୀ ପ୍ରତି ପ୍ରଚ୍ଛନ୍ନ ଥିଲା ଯେଉଁ ଆକ୍ରୋଶ, ଏ ଘୋଷଣା ଯେପରି ତା’ରହିଁ ପ୍ରତିଶୋଧ । ଧର୍ମ ଉପରେ ଯୋଗ୍ୟ ଆଘାତ ହାଣିଚି ତା’ର ଉପଯୁକ୍ତ ସନ୍ତାନ । ନୟନରେ ତା’ର କୁଟିଳ-ପ୍ରସନ୍ନ ଦୃଷ୍ଟି । କିନ୍ତୁ ଅସମ୍ମାନଭୟରେ ଭୀତ ହେଲେ ଅମାତ୍ୟବର୍ଗ । କ୍ରିୟା ଲୋପରେ ପ୍ରମାଦ ଗଣିଲେ କୁଳ ପୁରୋହିତ । ଦଣ୍ଡ ଭୟରେ ସନ୍ତ୍ରସ୍ତ ହେଲେ ପ୍ରଜାକୁଳ । ପଞ୍ଚଯଜ୍ଞରେ ପ୍ରତିଷ୍ଠିତ ଗୃହମେଧୀ ଆତଙ୍କଗ୍ରସ୍ତ ହେଲେ । ଏ କି ବିପର୍ଯ୍ୟୟ !

 

ଧର୍ମହୀନ ରାଜ୍ୟ, କ୍ରିୟାହୀନ ପ୍ରଜା । ମହାଦୁର୍ଦେବ ଆସନ୍ନ ଭାବି ରାଜ୍ୟର ହିତାର୍ଥୀ ତପୋୠଦ୍ଧ ଋଷିବୃନ୍ଦ ତପସ୍ୟାର ଷଷ୍ଠାଂଶ କର ରୂପରେ ଅର୍ପଣ କରନ୍ତି ରାଜାକୁ । ତାହାହିଁ ଅଶେଷ କଲ୍ୟାଣର ଆକାର । ସେଇ କରରେହିଁ ସୁଖ ଓ ସମୃଦ୍ଧିରେ ପୂର୍ଣ୍ଣ ହୁଏ ରାଜ୍ୟ–ଶ୍ରୀ । କିନ୍ତୁ ଅନ୍ନ, ଐଶ୍ଵର୍ଯ୍ୟ, ଶ୍ରୀ ଯଜ୍ଞସମୁଦ୍ଭୁତ । ଅଧର୍ମାଚାରୀ ରାଜା ସେଇ ଯଜ୍ଞ ବନ୍ଦ କରିବାର ନିର୍ଦ୍ଦେଶ ଦେଇଚି । କ୍ଷୁଣ୍ଣ ହେଲେ ଆହିତାଗ୍ନି ୠଷି ସଂଘ । ଅନ୍ତରର ବିକ୍ଷୋଭ ବହ୍ନି ଅନ୍ତରରେ ପ୍ରଚ୍ଛନ୍ନ ରଖି ଭୃଗୁ ପ୍ରମୁଖ ପ୍ରଜାପତି ବିନୀତ ଭାବରେ ଉପସ୍ଥିତ ହେଲେ ବେଣ ସମ୍ମୁଖରେ ।

 

ଚଣ୍ଡ-ଶାସନ ଭୟାନନ୍ଦନ ଦମ୍ଭଭରେ ବସିଥିଲା ରାଜସଭାରେ । ସେ ସଭାର ମନ୍ତ୍ରୀ–କୁମନ୍ତ୍ରୀ । କୌଟିଲ୍ୟ ନୀତି ବିଶାରଦ ପଣ୍ଡିତ ବିତଣ୍ଡାବାଦୀ ଚାର୍ବାକପନ୍ଥୀ । କବି କାମଶାସ୍ତ୍ର ପାରଙ୍ଗମ । ବିଚାରମୂଢ଼ ଭୂପତିର ବିଚାରହୀନ ସଭା । ମହାମାନ୍ୟ ମୁନିଗଣ ଉପସ୍ଥିତ ହେଲେ ମଧ୍ୟ ଉଦ୍ଧତ ରାଜା ଆସନରୁ ଉଠି ପ୍ରତ୍ୟୁଦ୍‍ଗନ କଲାନି ସେମାନଙ୍କର । ମହାଔଦ୍ଧତ୍ୟରେ କେବଳ ଉଚ୍ଚାରଣ କଲା ମଦସ୍ଖଳିତ ବଜ୍ର ସ୍ୱର : କ’ଣ ଦରକାର ?

 

ବିନମ୍ର ଭାବରେ ଦଣ୍ଡାୟମାନ ରହି କହିଲେ ମୁନିଗଣ, ‘ଯଜ୍ଞରୁହିଁ ଜାତ ହୁଏ ପର୍ଜନ୍ୟ, ପର୍ଜନ୍ୟରୁ ଅନ୍ନ । ଋଦ୍ଧି ଓ ସିଦ୍ଧିର ମୂଳ ଯଜ୍ଞ । ରାଜ୍ୟରେ ଯଜ୍ଞ ନିଷିଦ୍ଧ କରିବା ଉଚିତ ହେଇନି ।’ ‘କାର ଯଜ୍ଞ ? କିଏ ଯଜ୍ଞେଶ୍ୱର ?’ ଭ୍ରୂକୁଟି-କୁଟିଳ ନୟନରେ ଗର୍ଜନ କରି ଉଠିଲା ଦାମ୍ଭିକ ବେଣ । ମହାଦମ୍ଭରେ କହିଲା, ‘ରାଜାହିଁ ଯଜ୍ଞେଶ୍ଵର, ରାଜାର ପ୍ରୀତ୍ୟର୍ଥେ କର୍ମହିଁ ଯଜ୍ଞ । ରାଜା ମର୍ତ୍ତ୍ୟର ପ୍ରତ୍ୟକ୍ଷ ଦେବତା । ରାଜା ଦେହରେହିଁ ବର୍ତ୍ତମାନ କାଳ୍ପନିକ ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଇନ୍ଦ୍ର-ମିତ୍ରାବରୁଣ-। ରାଜାର ପୂଜାହିଁ ଦେବପୂଜା; ଯଜ୍ଞର ହବି-ସୋମରେ ରାଜାରହିଁ ଅଧିକାର ।’

 

ଦୁଷ୍ଟବୁଦ୍ଧି ଆଶ୍ରୟ କରିଚି ବେଣର ରସନା । ବିନଷ୍ଟ ସଭାରେ ସଦ୍‍ବୃତ୍ତି । ଋଷିଗଣ ବୁଝିଲେ, ମାତୃ ଦୋଷରେ ଦୁଷ୍ଟ ସନ୍ତାନ । ଯେଉଁ କାମମତ୍ତା ନାରୀର ଶୋଣିତରେ ପୁଷ୍ଟ ଏଇ ପୁତ୍ରଦେହ, ଏ ଦମ୍ଭୋକ୍ତି ମଧ୍ୟ ସେଇ ଦୁର୍ମୁଖା ଜନନୀର ପ୍ରକୃତିସମ୍ଭବ । ଏହାର ପ୍ରତିକାର ଆବଶ୍ୟକ-। ଦୀପ୍ତ କଣ୍ଠରେ କହିଲେ ମହର୍ଷି ଭୃଗୁ, ‘ରାଜା ଦ୍ଵିତୀୟ ଈଶ୍ଵର । କିନ୍ତୁ ତା’ର ଉପରେ ରହିଚନ୍ତି ପରମେଶ୍ଵର । ସେ ସର୍ବନିୟନ୍ତା, ବେଦ ଓ ପୁରାଣରେ ନାନା ଛନ୍ଦରେ ତାଙ୍କର ମହିମା କୀର୍ତ୍ତିତ-।’

କ୍ରୋଧରେ କୁଞ୍ଚିତ ଭ୍ରୂଯୁଗ, ମଦଘୂର୍ଣ୍ଣିତ ଆରକ୍ତ ଲୋଚନ । ବଜ୍ରନିର୍ଘୋଷରେ କହିଲା ବେଣ, ‘ମିଥ୍ୟା କଥା । ମିଥ୍ୟା ବେଦ, ମିଥ୍ୟା ଯଜ୍ଞକ୍ରିୟା । ଏ ସକଳ ଧୂର୍ତ୍ତ, ଲୋଭୀ ବ୍ରାହ୍ମଣର ରଚନା-। ରାଜାହିଁ ସର୍ବଦେବ, ରାଜ-ଦଣ୍ଡହିଁ ସର୍ବନିୟନ୍ତା, ନୃପତିହିଁ ଏକମାତ୍ର ସ୍ଵାମୀ, ପ୍ରଭୁ । ସୈରାଚାରିଣୀ ବାରାଙ୍ଗନା ଭଳି ତୁମମାନଙ୍କର ପରପୁରୁଷରେ ଆସକ୍ତି । ଯାଅ, ସ୍ଵୀୟ ପତିରୂପ ନୃପତି ନିମନ୍ତେ ଭୋଗ୍ୟ-ସାମଗ୍ରୀ ଆହରଣ କର ।’

ବାରବାର ଯଜ୍ଞେଶ୍ଵର ନିନ୍ଦା ଶୁଣି ରୁଷ୍ଟ ହେଇ ରହିଥିଲେ ସାଗ୍ନିକ ଋଷିବୃନ୍ଦ; ଅନ୍ତର ଭିତରେ ଗୂଢ଼ ଥିଲା ପ୍ରଚଣ୍ଡ କ୍ରୋଧ । ସେଇ କ୍ରୋଧ ଦୀପ୍ତଶିଖା ବିସ୍ତାର କରି ବାହାରେ ପ୍ରଜ୍ଜ୍ୱଳିତ ହେଲା । ତପ୍ତ ତାମ୍ର ଭଳି ଆରକ୍ତ ହେଲା ୠଷି ଆନନ । ସମସ୍ୱରରେ ସେମାନେ ଉଚ୍ଚାରଣ କଲେ ଅଭିଶାପ ବାଣୀ, ‘ଦଗ୍ଧ ହୁଅ, ଧ୍ଵଂସ ହୁଅ ।’

ଋଷି ବାକ୍ୟ ସମାପ୍ତ ହେବା ଆଗରୁ ସୂଚିତ ହେଲା ଭୀଷଣ ପରିଣାମ । କ୍ରୁଦ୍ଧ ଋଷିବାକ୍ୟହିଁ ଅଗ୍ନିଗର୍ଭ ବଜ୍ର । ସେଇ ବାକ୍‍ବଜ୍ରରେ ନିମେଷେ ଗତଜୀବନ ହେଲା ବେଦ-ନିନ୍ଦୁକ ଦୁର୍ଦ୍ଧର୍ଷ ଭୟା ନନ୍ଦନ । କ୍ଷଣେ ନିସ୍ତବ୍ଧ ହେଲା ସଭାକକ୍ଷ । କିନ୍ତୁ ପରମୁହୂର୍ତ୍ତରେହିଁ ଉଠିଲା ଆର୍ତ୍ତ କ୍ରନ୍ଦନରୋଳ । ଚିରକାଳ ଭୀରୁ, ଦୁଷ୍ଟ ଅଧର୍ମାଚାରୀ ପାଖରେ ଅତି ଭୟଙ୍କର ମୃତ୍ୟୁ-ଭୟ । କୁମନ୍ତ୍ରୀ, କୁତାର୍କିକ ପଣ୍ଡିତ, ସ୍ତାବକ ଦଳର ତ୍ରସ୍ତ-ହାହାକାର ସଭାକକ୍ଷ ଅତିକ୍ରମ କରି ପ୍ରବେଶ କଲା ରାଣୀ ହଂସପୁରରେ । ପାଗଳିନୀ ଭଳି ଛୁଟି ଆସିଲା ବେଣ-ଜନନୀ ଭୟା । ରୁକ୍ଷ, ଧୂସର, ଅଲୁଳାୟିତ ବେଶ, ବିଶୁଷ୍କ ବଦନ, ଶୁଷ୍କ ପିଙ୍ଗଳ ନୟନ ।

ଶୋକାତୁର ହିଂସ୍ରତା ଅତି କରୁଣ, କିନ୍ତୁ ଅତି ଭୀଷଣ । ହାହାକାର କରି ସେ ଲୋଟି ପଡ଼ିଲା ପୁତ୍ରର ପ୍ରାଣହୀନ ଦେହ ଉପରେ । ବିଧ୍ୱସ୍ତ ବୃକ୍ଷ ଉପରେ ସବେଗରେ ପ୍ରବାହିତ ହେଲା ଶୋକର ଝଡ଼ ଯେପରି । ସ୍ତବ୍ଧତା ମଥିତ କରି ଉଠିଲା ଭୟାର ଆର୍ତ୍ତନାଦ : ‘ବେଣ, ମୋ ନୟନର ମଣି, କୁଆଡ଼େ ଗଲୁ ବାପ !’ ମର୍ମବିଦାରୀ ସେ ପୁତ୍ରଶୋକ ।

ଜନନୀର ଏ ଶୋକମୂର୍ତ୍ତି ଦେଖି ବେଦନାତୁର ହେଲେ କରୁଣାଘନ ଋଷିଗଣ । ସ୍ଵଭାବ-ଶାନ୍ତ ସେମାନେ, ଚିର ଦୟାର୍ଦ୍ର ହୃଦୟ । ରୁଦ୍ର କାରଣରେହିଁ ପ୍ରକାଶିତ ହୁଏ ସେମାନଙ୍କର ରୁଦ୍ର ତେଜ । ବେଣର ଉଦ୍ଧତ ଆଚରଣରେ ନିକ୍ଷିପ୍ତ ହେଇଥିଲା ବାଗ୍‍ବଜ୍ର । ଶୋକାର୍ତ୍ତା ଜନନୀର ଅରୁନ୍ତୁଦ କ୍ରନ୍ଦନରେ ସେ ବଜ୍ର ବିଗଳିତ ହେଲା । ସେମାନେ ଦେଖିଲେ, ସକଳ ଜନନୀ ଶୋକରେ ଏକାକାର । ମାତା କ୍ରୂରା ହେଉ, ପିଶାଚୀ ହେଉ, ହେଉବା ପାପୀୟସୀ–ସନ୍ତାନ ଶୋକରେ ସେ ଅନ୍ୟ ଜନନୀଠାରୁ ଭିନ୍ନ ନୁହେଁ । ପୁତ୍ର ଶୋକାତୁରା ଜନନୀ ଖଡ଼୍‍ଗାଘାତରେ ଛିନ୍ନ-ମୁଣ୍ଡ ଜୀବ ଯେପରି । ଦ୍ରବୀଭୂତ ହୃଦୟରେ ସେମାନେ ଦେଖିଲେ ପ୍ରାଣହୀନ ନୃପତିର ଦେହ, ଦେଖିଲେ ଜନନୀର ମର୍ମାନ୍ତିକ ଶୋକ-କରୁଣ ମୂର୍ତ୍ତି, ଦେଖିଲେ ହୀନସତ୍ତ୍ଵ ପ୍ରକୃତି ପୁଞ୍ଜର ଅସହାୟ ଆନନ । ଋଷିଗଣଙ୍କ ମନରେ ଜାଗି ଉଠିଲା ସ୍ଵାୟମ୍ଭୂବ ମନୁବଂଶର ଧର୍ମଶୀଳ, କୀର୍ତ୍ତିମାନ ନୃପତିବର୍ଗଙ୍କ ଚିତ୍ର-। ମହାନୁଭବ ‘ବତ୍ସର’ ବିନୀତ ‘ପୁଷ୍ପାର୍ଣ୍ଣ’, ସର୍ବତେଜା ‘ଚକ୍ଷୁ’, ‘ନଡ଼୍‍ବଳା-ପତି ମନୁ’, ସର୍ବୋପରି ଧର୍ମପରାୟଣ ‘କ୍ଷୁତ’ । ଏପରି ବଂଶ ନିର୍ମୂଳ ହେବ ? କିନ୍ତୁ ଉପାୟ କ’ଣ ? ତପୋବଳ ସେମାନଙ୍କର ଅଛି । ଇଚ୍ଛା କଲେ ତପଃଶକ୍ତି ପ୍ରଭାବରେ ଏଇ ମୃତ ବେଣ ଦେହରେହିଁ ସେମାନେ ପ୍ରାଣ ସଞ୍ଚାର କରି ପାରିବେ । କିନ୍ତୁ ପାପରେ ପୂର୍ଣ୍ଣ ଦୁଃଶୀଳ ବେଣ । ଏ ପାପ ଦେହ ପୁନର୍ଜୀବିତ କଲେ ପାପରହିଁ ପୁନରାବିଭାର୍ବ ଘଟିବ । ଯଦି କିଏ ଶୋଷଣ କରି ନେଇପାରେ ବେଣ ଦେହର ଦୁଷ୍କୃତି !

ଚକିତେ ଉପାୟ ଉଦ୍ଭାବିତ ହେଲା । କଳେବର ପାୟୀ ସୁନୀଥା । ଏକମାତ୍ର ସେ ହିଁ ପୁତ୍ରର ଦୁଃଶୀଳତା ପାନ କରିପାରେ । କିନ୍ତୁ ସେ କ’ଣ ସମ୍ମତ ହେବ ? ତାକୁ ସମ୍ମତ କରାଇବାକୁ ପଡ଼ିବ । ଗଭୀର କଣ୍ଠରେ ଡାକିଲେ ଋଷିପ୍ରବର ଭୃଗୁ, ‘ ରାଣୀ ସୁନୀଥା !’ ମୂର୍ଚ୍ଛାହତା ଭୟାର କର୍ଣ୍ଣରେ ଦୁରାଗତ ବଜ୍ରଧ୍ଵନି ଭଳି ଧ୍ଵନିତ ହେଲା ସେଇ ରବ । ସେ ଯେପରି ଚାଲି ଯାଇଥିଲା ଏପରି ଏକ ଲୋକକୁ ଯେଉଁଠି ଅଛି କେବଳ ମୂର୍ଚ୍ଛା ଓ ନିଦ୍ରା । ନିଦାରୁଣ ଶୋକର ଆଶ୍ରୟ ସେ ଲୋକ । ଋଷି ଆହ୍ଵାନରେ ସୁପ୍ତୋତ୍‍ଥିତ ଭଳି ଉଠି ବସିଲା ଭୟା । ସ୍ମୃତି ଓ ବିସ୍ମୃତିର ମୋହମୟ ଘୋର ବିମୂଢ଼ ଦୃଷ୍ଟି, ବିଧୂତ ଓଷ୍ଠାଧର । ସଭୟେ ସେ ମୁହଁ ତୋଳି ଚାହିଁଲା । ଶୁଷ୍କ ନୟନରେ ଗଭୀର ବେଦନାର ଛାୟା । ‘ବଂଶ ରକ୍ଷା କରିବାକୁ ହେବ । ରାଣୀକୁହିଁ ଅଗ୍ରଣୀ ହେବାକୁ ହେବ ଏ କାର୍ଯ୍ୟରେ’ କହିଲେ ଭୃଗୁ । ନିରାଶାରେ ଆଶାର ଆଲୋକ ! କାହିଁ ସେ ଭୟାର ବକ୍ରକୁଟିଳ ପ୍ରକୃତି-? କାହାର ଆଘାତରେ ବକ୍ର ଯେପରି ଋଜୁ ହେଇ ଉଠିଚି ! ସୋତ୍କଣ୍ଠ ମାତୃହୃଦୟ, ସୋତ୍ସୁକ ପ୍ରତୀକ୍ଷା ।

ଋଷି କହିଲେ, ‘ତାମସୀ-ବିଦ୍ୟାରେ ପାରଦର୍ଶିନୀ ତୁମେ । କଳେବର-ପାନରେ ଅଦ୍ୱିତୀୟା । ତୁମକୁ ପାନ କରିବାକୁ ପଡ଼ିବ ପୁତ୍ରର କଳେବର ।’ ଆତଙ୍କରେ ଶିହରି ଉଠିଲା ଭୟା । ଭୟଙ୍କରୀ ସେ, ଭୀଷଣା; କିନ୍ତୁ ତା’ଠାରୁ ମଧ୍ୟ ଭୟାବହ ଏ ନିର୍ଦ୍ଦେଶ । ମାତା ହେଇ ପୁତ୍ରର କଳେବର ପାନ ! ପିଶାଚୀ ହେଉ, ରାକ୍ଷସୀ ହେଉ, କୌଣସି ଜନନୀ ଏପରି କର୍ମ କରିନି କେବେହେଲେ । ଜନନୀ କି ସନ୍ତାନର ଦେହଭୁକ୍ ହେଇପାରେ ? କର୍କଶ ସ୍ଵରରେ ପ୍ରତିବାଦ କରେ ଭୟା, ‘ଅସମ୍ଭବ । ମାତା ସନ୍ତାନର ଦେହ ପାନକରି ପାରେନା ।’

‘ମାତାହିଁ ଚିରକାଳ ସନ୍ତାନର ଦେହ ପାନ କରେ’, କଠିନ କଣ୍ଠରେ କହିଲେ ମହର୍ଷି ଭୃଗୁ-। ତାଙ୍କର ନୟନରେ ରୋଷଦୀପ୍ତି । ‘କୁମାତାର କୁଶିକ୍ଷାହିଁ ଶୋଷଣ କରେ ସନ୍ତାନର ସଦ୍‍ଗୁଣ, ସଦ୍‍ବୃତ୍ତି । ତା’ର ଦୃଷ୍ଟାନ୍ତ ତୁମେ !’

‘ମୁଁ !’ ଶୁଷ୍କ କଣ୍ଠରେ କହେ ଭୟା । ଦେହ ଯେପରି ତା’ର ହିମ ହେଇ ଆସୁଚି । ବଜ୍ରମନ୍ଦ୍ରରେ କହିଲେ ଋଷି, ‘ହଁ, ତୁମେ ! ଧାର୍ମିକ ସ୍ଵାୟମ୍ଭୂବ ମନୁ ବଂଶରେ ଏ ପାପ ବୁଣିଚି କିଏ ? ତୁମେ । ତୁମେହିଁ ପାନ କରିଚ ଧର୍ମପୁତ୍ରର ଧର୍ମ, କ୍ଷାନ୍ତି, ଉଦାରତା ।’

ପ୍ରତିବାଦ କରି ପାରୁନି ଦୁର୍ମୁଖା । ଏକେ ଶୋକରେ ବିଦୀର୍ଣ୍ଣ ହୃଦୟ, ତା’ଉପରେ ଏ କଠିନ ଅଭିଯୋଗ । ଭଦ୍ଦାମ ଶୋକ ଓ ଦୁର୍ଜୟ କ୍ରୋଧରେ ଶୁଷ୍କ ତା’ର କଣ୍ଠ । କେବଳ କମ୍ପିତ ହୁଏ ତା’ର ନୟନ, ମୁହୁର୍ମୁହୁଃ କମ୍ପିତ ହୁଏ ଓଷ୍ଠ । ବଜ୍ରସ୍ଵରରେ ପୁଣି କହିଲେ ଭୃଗୁ, ‘ମାତା ଗୋଟାଏ ଦିଗରେ ସନ୍ତାନର ଭକ୍ଷକ ଯେପରି, ସେପରି ତା’ର ରକ୍ଷକ ମଧ୍ୟ । ମାତାହିଁ ବଂଶରେ ନବଜୀବନ ସଞ୍ଚାର କରିପାରେ । ଏତେକାଳ ତୁମେ ପାନ କରିଚ ସନ୍ତାନର ସଦ୍‍ଗୁଣ । ଏଥର ତା’ର ଦୁର୍ଗୁଣ ଶୋଷଣ କରି ବଂଶ ରକ୍ଷା କର ।’

ଦାରୁଣ ଭୟରେ କମ୍ପିତ ହୁଏ ଭୟାର ଦେହ । ସତେ ଯେପରି ନିର୍ବାପିତ ଆଶାର କ୍ଷୀଣ ଦୀପ–ସମ୍ମୁଖରେ ମୃତ୍ୟୁର ବିଭୀଷିକାମୟ ଅନ୍ଧକାର ! ରସପାୟୀ କାଳର କନ୍ୟା ସେ, କଳେବରଭୁକ୍ । କିନ୍ତୁ ଚିରକାଳ ତାମସୀ ବିଦ୍ୟାବଳରେ ସେ ପାନ କରି ଆସିଚି କଳେବରର ସଦ୍‍ଗୁଣ । ଜୀବ ଦେହର ଦୟା, କ୍ଷମା, କରୁଣା, ଧର୍ମବୁଦ୍ଧିହିଁ ତା’ର ପାନୀୟ; ଦୁଃଶୀଳତା ନୁହେଁ । ଏକେ ସନ୍ତାନର ଦେହ ପାନ, ତଦୁପରି ଏଇ ଦୁଷ୍ପାଚ୍ୟ ପାନୀୟ । କଠିଣ ହେଇ ଉଠେ ଭୟା, ବଦନରେ ଦେଖା ଦିଏ ସେଇ ପୂର୍ବ କୁଟିଳତା । ନୟନରେ ବାଘୁଣୀର ହିଂସ୍ରତା, କୁଟିଳ କେଶରେ କୋଟି କାଳନାଗୁଣୀର ଫଣା । କ୍ରୋଧରେ ଟଳମଳ ହୁଏ ତା’ର ଦେହ ।

ବଜ୍ରମନ୍ଦ୍ରରେ ଧ୍ଵନିତ ହୁଏ ସୁଗମ୍ଭୀର ଋଷିକଣ୍ଠ : ‘ଋଷି-ରୋଷ ପୁନରାୟ ଉଦ୍ଦୀପ୍ତ କରନା ରାଣି ! ପାପମତି ତୁମେ, ପାପ ପାନକରି ବଂଶ ରକ୍ଷା କର । ଅନ୍ୟଥା ବାଗ୍‍ବଜ୍ରରେ ତୁମକୁ ମଧ୍ୟ ବରଣ କରିବାକୁ ପଡ଼ିବ ପୁତ୍ର ଭଳି ଶୋଚନୀୟ ପରିଣାମ ।’ ସମ୍ମୁଖରେ ମୃତ୍ୟୁ, ପଶ୍ଚାତ୍‍ର ମୃତ୍ୟୁ । ନିର୍ବାକ୍ ଭୟା । ଏକେ ଶୋକରେ ବିଦୀର୍ଣ୍ଣ ବକ୍ଷ, ତା’ର ଉପରେ ପୁଣି ଦୁର୍ନିବାର ବାଗ୍‍ବଜ୍ରର ଭୀତି । ବିମୂଢ଼ ହୁଏ ବିଷଧର ଭୁଜଙ୍ଗିନୀ । ସମ୍ମୁଖରେ ନିଶ୍ଚିତ ମୃତ୍ୟୁ, ତଥାପି କେଉଁଠାରୁ ଯେପରି କ୍ଷତ ବକ୍ଷରେ କ୍ଷରିତ ହେଉଛି ମଧୁ-ସ୍ନେହ–କିଏ ଯେପରି ଅମୃତପଦ ସ୍ଥାପନ କରିଚି ତା’ର ଫଣାରେ ।

କମ୍ପିତ ଦେହରେ ନୀରବରେ ଉଠି ଠିଆହେଲା ଭୟା । ମନ୍ତ୍ରମୁଗ୍ଧା ଭଳି ତା’ର ପରାଧୀନତା । ସ୍ତମ୍ଭିତ ବିଦ୍ରୋହିନୀର ଶକ୍ତି । ଉଠି ଠିଆ ହେଇଚି ସେ, ଶୋକରେ ଟଳମଳ ଅଙ୍ଗ, କେତେକାଳର ବିଶୁଷ୍କ, ଶୋକାର୍ତ୍ତ ଜନନୀମୂର୍ତ୍ତି ଯେପରି ।

ତା’ରପରେ ମନ୍ତ୍ରଚାଳିତବତ୍ ଦୁଇ ଆଣ୍ଠୁରେ ଭୂମି ସ୍ପର୍ଶ କରି ବସିଲା ସେ । ପାଦ ଦୁଇଟି ପ୍ରସାରିତ କଲା ପଶ୍ଚାତ୍‍ଭାଗରେ । ବିଶୀର୍ଣ୍ଣା ଝୁଲି ପଡ଼ିଲା ସମ୍ମୁଖରେ । ଶୁଷ୍କ, କମ୍ପିତ ହାତ ଦୁଇଟି ଏକତ୍ର କରି, ପ୍ରାଞ୍ଜଳି ପାନର ମୁଦ୍ରା ଧାରଣ କରି ଓଷ୍ଠାଧର ନିକଟକୁ ନେଲା ସେ ଅଞ୍ଜଳି । ବିକଟ ମୁଖ, ବୀଭତ୍ସ ଦୃଷ୍ଟି । ସମସ୍ତ ଶକ୍ତି ସଞ୍ଚୟ କରି ସ୍ଖଳିତ କଣ୍ଠରେ କ’ଣ ଯେପରି ସେ ଉଚ୍ଚାରଣ କଲା-। ତା’ର ପରେ ଅଗସ୍ତ୍ୟ ଯେପରି ସମୁଦ୍ର ଶୋଷଣ କରିଥିଲେ, ସେପରି ଉଗ୍ର ଗ୍ରାସରେ ଶୋଷଣ କରିବାକୁ ଲାଗିଲା ପ୍ରିୟତମ ପୁତ୍ରର କଳେବର । ଏ ପାନୀୟ ଦେହର ସଦ୍‍ଗୁଣାବଳୀ ନୁହେଁ; ଅତି ଦୁଷ୍ପାଚ୍ୟ ପୈଶୁନ, ଦମ୍ଭ, କାମ, କ୍ରୋଧ ଓ ନିର୍ମମତା ।

ଦେଖୁଦେଖୁ ଭୟାର ଉଦର ସ୍ଫୀତ ହେଲା, ବକ୍ଷରେ ସଘନ ଶ୍ୱାସ ଚକ୍ଷୁତାରକା ପ୍ରଥମେ ବିସ୍ଫାରିତ ହେଲା, ତା’ର ପରେ ନିଶ୍ଚଳ ନିଃଶ୍ଵାସ ରୁଦ୍ଧ, ଦେହ ପାଷାଣ ଭଳି ଶକ୍ତ, ହିମଶୀତଳ ତା’ର ସ୍ପର୍ଶ । ସନ୍ତାନର ପାପ ପାନ କରି ପ୍ରାଣହୀନ ଦେହରେ ଟଳି ପଡ଼ିଲା କାଳକନ୍ୟା, ବେଶ-ଜନନୀ ଭୟା । ଏପର୍ଯ୍ୟନ୍ତ ତା’ର ନେତ୍ରରେ ଛଳଛଳ ହେଉଥିଲା ଏକ ବିନ୍ଦୁ କରୁଣା । ଏଥର କୁଟିଳ ନେତ୍ରର କୋଣ ଦେଇ ଗଡ଼ି ପଡ଼ିଲା ଦୁଇ ଟୋପା ଅଶ୍ରୁ । କାଳକନ୍ୟା ଭୟା ବକ୍ଷରେ କେଉଁଠି ଗୋପନ ଥିଲା ମୁକ୍ତା ଭଳି ଏଇ ଦୁଇ ଟୋପା ଅଶ୍ରୁ : ସେତେବେଳେ ମୃତ ବେଣର ଦକ୍ଷିଣ ବାହୁ ମନ୍ଥନ କରୁଥିଲେ । ତପୋୠଦ୍ଧ ୠଷିବୄନ୍ଦ । ତା’ର ମଳଧୌତ ସ୍ପନ୍ଦିତ ବାହୁରୁ ଜନ୍ମ ନେଇଥିଲେ ଦିବ୍ୟଲକ୍ଷଣଯୁକ୍ତ, ଧର୍ମପରାୟଣ, ପ୍ରଜାବତ୍ସଳ ‘ପୃଥୁ’ । ସ୍ଵାୟମ୍ଭୂବ ମନୁ ଗୋତ୍ରର ଅମିତପ୍ରଭ ନୃପତି ଏଇ ପୃଥୁ । ତାଙ୍କର ନାମରେହିଁ ସାଗର-ମେଖଳା ବସୁନ୍ଧରାର ନାମ ହେଇଚି ‘ପୃଥିବୀ’ । ସେ କାଳକନ୍ୟା ଭୟାର ପୌତ୍ର ।*

*(୧) ଶ୍ରୀମଦ୍ଭାଗବତ, ୪ର୍ଥ ସ୍କନ୍ଧ, ୧୩-୧୪ ଅଧ୍ୟାୟ ।

(୨) ବାମନ ପୁରାଣ, ୪୭ଶ ଅଧ୍ୟାୟ ।

★★★

 

ପିଙ୍ଗଳା

 

ବିଦେହ ନଗରବାସିନୀ ବିଶ୍ରୁତ ପଶ୍ୟାଙ୍ଗନା ‘ପିଙ୍ଗଳା’ ରୂପୋପଜୀବିନୀ–ରୂପର ବଡ଼େଇ ସେ କରିପାରେ । ମଧ୍ୟାହ୍ନ-ସୂର୍ଯ୍ୟ ଭଳି ପ୍ରଦୀପ୍ତ ତା’ର ଦେହକାନ୍ତି । ସୁ-ସମ ଅବୟବ କାମଦେବଙ୍କ ଶର-ସଜ୍ଜା ଯେପରି । କୃଷ୍ଣମେଘାଚ୍ଛାଦିତ ନିକଷ-କୃଷ୍ଣ ସାଗର ଜଳ ପରି ତା’ର କେଶଦାମ, ସାଗର ଜଳ ପରିହିଁ ଊର୍ମିଳ । ଆକର୍ଣ୍ଣ ବିସ୍ତୃତ ନୟନ–ତରଙ୍ଗ ପରି ଚଞ୍ଚଳ, ଅପାଙ୍ଗରେ ବଡ଼ବା କଟାକ୍ଷ । ତା’ର ତାମ୍ବୁଳରାଗରଞ୍ଜିତ ଅଧରରେ ହିଙ୍ଗୁଳର ତରଳତା ସଜ ରକ୍ତକୁ ଲଜ୍ଜିତ କରେ, ଉତ୍ତାଳ କରି ତୋଳେ ହୃଦୟ ରକ୍ତ । ତା’ର ନୟନ, ତା’ର କଟାକ୍ଷ, ତା’ର ଅଧର, ତା’ର ହାସ ଯିଏ କେଉଁ ମଣିଷର ରକ୍ତରେ ଅଗ୍ନି ସଞ୍ଚାର କରେ ।

 

ବହ୍ନିବିବିକ୍ଷୁ ପତଙ୍ଗ ପରି ପାଗଳ ମଣିଷ ରୂପୋପଜୀବିନୀ ପିଙ୍ଗଳାର ଚରଣ ତଳେ ଲୋଟି ପଡ଼େ ।

 

ପିଙ୍ଗଳାର ରୂପମୁଗ୍ଧ ନାଗରଙ୍କ ସଙ୍ଖ୍ୟା ମଧ୍ୟ ଅସଙ୍ଖ୍ୟ । ବିଦେହ ନଗରର ଯାବତୀୟ ପୁରୁଷ ତା’ର ପଦାନତ । ତା’ର ଖ୍ୟାତି ଅଙ୍ଗ, ପାଞ୍ଚାଳ ରାଜ୍ୟ ପର୍ଯ୍ୟନ୍ତ ବିସ୍ତୃତ । କିଏ ତା’ର ରୂପରେ ମୁଗ୍ଧ ହେଇଚି, କିଏ ବା ହେଇନି ? କାମାଗ୍ନିର ଅରଣି ତା’ର ଦେହ, ମୁନିର ମାନସ-ବିଭ୍ରମ ତା’ର ହାବ-ଭାବ ବିଳାସ । ପୁରୁଷମାତ୍ରେ ତା’ର ପ୍ରଣୟୀ, ପୁରୁଷମାତ୍ରେ ତା’ର ସ୍ତାବକ ।

 

ପିଙ୍ଗଳାର ରୂପୋନ୍ମତ୍ତ ସ୍ତାବକମାନଙ୍କ ମୁହଁରେ ତା’ର ରୂପର ଯେଉଁ ସ୍ତୁତି ଛନ୍ଦିତ ହୁଏ, ଭକ୍ତର ଦେବସ୍ତୁତି ମଧ୍ୟ ତା’ର ପାଖରେ ପରାଭବ ମାନେ । ସେମାନେ କହନ୍ତି, ‘ପିଙ୍ଗଳା ଭାନୁମତୀ ସୂର୍ଯ୍ୟ ପ୍ରିୟା । ସ୍ଵର୍ଗସମ୍ଭବା ସ୍ୱର୍ଗର ଦେବତାକୁ ପାଗଳ କରି ପକାଇଥିଲା । ସ୍ୱରପ୍‍ସରୀଙ୍କ ବୃତ୍ତି ନାଶ ହେବା ଦେଖି, ଅପ୍‍ସରୀଙ୍କ ଷଡ଼ଯନ୍ତ୍ରରେ, ବିଧାତା ଶାପରେ ସ୍ଵର୍ଗଭ୍ରଂଶ ହେଇଚି ସେ । ଉର୍ବଶୀ, ରମ୍ଭାର ପ୍ରତିଦ୍ଵନ୍ଦ୍ୱିନୀ–ସେଥିଲାଗି ଆସି ପତିତ ହେଇଚି ମର୍ତ୍ତ୍ୟର ବିଦେହ ନଗରରେ ।’

 

ହୁଏତ ମିଥ୍ୟା ସ୍ତାବକମାନଙ୍କ ସ୍ତୁତିବାଦ, ହୁଏତ ସମ୍ପୂର୍ଣ୍ଣ ମିଥ୍ୟାବି ନୁହେଁ । ଭଲ ପାଇବାର ଧନକୁ ମଣିଷ କହେ, ‘ଆକାଶର ଚାନ୍ଦ’ । ସ୍ତୁତି ସାମାନ୍ୟ ସତ୍ୟରହିଁ ଅତିରଞ୍ଜିତ, ଅତିଶୟୋକ୍ତି । ତାକୁ ମିଥ୍ୟା କହି ଉଡ଼ାଇ ଦେଇ ହୁଏନି । ତାହାହେଲେ ତ ମିଥ୍ୟା ହେଇଯାଏ ମନୁଷ୍ୟର କଳ୍ପନା, ମିଥ୍ୟା ହୁଏ କବି-ପ୍ରଣୀତ ପ୍ରେମର ପ୍ରଶସ୍ତି ।

 

ସତ୍ୟ ହେଉ, ମିଥ୍ୟା ହେଉ–ସ୍ତୁତି ଶୁଣି ଗର୍ବରେ ପିଙ୍ଗଳାର ବୁକୁ ଭରି ଉଠେ । ଅପରିମିତ ତା’ର ଆଶା, ଦୁର୍ଦମନୀୟ ଲୋଭ, ଉତ୍କଟ କାମନା । କାମୋନ୍ମତ୍ତ ମଣିଷ ପାଗଳପ୍ରାୟ ତା’ର ପାଦତଳେ ଲୋଟି ପଡ଼େ, ଶିକାରୀ ଭଳି ପିଙ୍ଗଳା ସେମାନଙ୍କ ବିବଶତା ଦେଖି ଉଲ୍ଲାସର ହସ ହସେ । ମଣିଷକୁ ମତୁଆଳ କରି ତେବେ ସେ ଛାଡ଼େ । କାମଧେନୁର ସ୍ଵତଃକ୍ଷରିତ କ୍ଷୀରଧାର ଭଳି ଐଶ୍ୱର୍ଯ୍ୟ ବୃଷ୍ଟି ହୁଏ ପିଙ୍ଗଳା ଚରଣରେ–ତଥାପି ତୃପ୍ତ ହୁଏନି ସେ । ଅଧିକ ଶୁଳ୍କ ଲାଭ ଆଶାରେ ସେ ଆହୁରି କୌଶଳ ବିସ୍ତାର କରେ । ମୋହିନୀ ଭୁବନମୋହନ ରୂପ ଧରି ମାୟାର ଫାନ୍ଦ ପାତେ-। ସ୍ତମ୍ବନ ମୋହନ ଉନ୍ମାଦନ ଓ ଆକର୍ଷଣରେ ସେ ଅଦ୍ୱିତୀୟା ।

 

ଲୋକେ କହନ୍ତି, ପିଙ୍ଗଳା ଯାଦୁ ଜାଣେ । ଅଭିଚାର ବିଦ୍ୟା କୁଆଡ଼େ ତା’ର ନଖଦର୍ପଣରେ । ବାହାରେ ରୂପସୀ, ଅନ୍ତରେ କୁଟିଳା । ରୂପରେ ମୋହମୁଗ୍ଧ କରି ଆଥର୍ବଣୀ ୠଷିମାନଙ୍କ ମନ୍ତ୍ର ସେ ଆତ୍ମସାତ୍ କରିଚି । ମୋହିନୀ ନହେଲେ ଏପରି ମୋହକର ପ୍ରଭାବ କି କିଏ ବିସ୍ତାର କରିପାରେ ?

 

ବିଦେହ ନଗରରେ ଦୂର-ଦୂରାନ୍ତ ବିସ୍ତୃତ ତା’ର ଅଧିକାର । ନଗରର ଦକ୍ଷିଣ ଦିଗ ତା’ର ଇଲାକା । ବାମ ଦିଗର ଅଧିକାର ସେ ଛାଡ଼ି ଦେଇଚି ଭଗ୍ନୀ ‘ଇଡ଼ା’କୁ । ଚନ୍ଦ୍ରପ୍ରଭା ରୂପିଣୀ ଇଡ଼ା, ସ୍ଵର୍ଣ୍ଣପ୍ରଭା ରୂପିଣୀ ପିଙ୍ଗଳାର ଯୋଗ୍ୟା ସହୋଦରା । ନଗରର ଦୁଇ ଦିଗରେ ବିଭ୍ରମବତୀ ବିଳାସବତୀ, ମଧ୍ୟରେ ସୁରନ୍ଧ୍ରୀ ନାରୀର ଅନ୍ତଃପୁର । ପୁରନ୍ଧ୍ରୀପୁରରେ ଭୋଗ ସଂଯମ ସହକାରେ ନିୟମିତ, ସେଇଠି ବାସନା ଉଚ୍ଛୃଙ୍ଖଳ ନୁହେଁ । ସେ ପୁରୀର ପୁରେ ପୁରେ ପ୍ରଶାନ୍ତ ଆନନ୍ଦ, ଶାନ୍ତିର ପୁଣ୍ୟ ଜ୍ୟୋତି । କିନ୍ତୁ ଇଡ଼ା-ପିଙ୍ଗଳାର ମୋହମୟ ଆକର୍ଷଣରେ ପୁରନ୍ଧ୍ରୀପୁରର ଶାନ୍ତି ଭଙ୍ଗ ହୁଏ, ପୁରୁଷ ଅସ୍ଥିର ହେଇ ଉଠେ । ସାଧ୍ଵୀର କି ସାଧ୍ୟ ଯେ ସ୍ଵୈରିଣୀର ପ୍ରଭାବକୁ ପ୍ରତିହତ କରିବ ? ଅସଂଯତ ଭୋଗରେହିଁ ମଣିଷର ଆସକ୍ତି, ପରମ ଆନନ୍ଦ ବନ୍ଧନହୀନ ପ୍ରମୋଦରେ । ବିରାଟ ପୁରୁଷଙ୍କ ପୃଷ୍ଠ ସମ୍ଭବ ଅଧର୍ମର ପ୍ରଭାବ ମଣିଷର ପ୍ରତି ରକ୍ତକଣାରେ, ଶୟତାନୀରେହିଁ ସକଳର ଉଲ୍ଲାସ । ସେଥିଲାଗି ବିଦେହ ନଗରରେ ରାଜରାଜେଶ୍ଵରୀ ଭଳି ଅକ୍ଷୁଣ୍ଣ ପ୍ରଭାବ ପଣ୍ୟାଙ୍ଗନା ପିଙ୍ଗଳାର ।

 

ପୁଂଶ୍ଚଳୀ ପିଙ୍ଗଳାର ଭୋଗାୟତନ ମଧ୍ୟ ବହୁବିସ୍ତୃତ । ଗୋଟିଏ ନୁହେଁ, ଦୁଇଟି ନୁହେଁ–ପାଞ୍ଚଗୋଟି ତା’ର ପ୍ରମୋଦଶାଳା । ପ୍ରତ୍ୟେକଟି ଭୋଗବତୀ ସଦୃଶ ସୁନ୍ଦର । ଏ ଭୋଗବତୀ ନିକଟରେ ଛାର ଇନ୍ଦ୍ରର ଅମରାବତୀ । ଗୋଟିକର ନାମ ‘ସୌରଭାଚାର’ । ସୁଗନ୍ଧ କୁସୁମର ନନ୍ଦନ କାନନ–ବହୁବର୍ଣ୍ଣ ପୁଷ୍ପର ବିଚିତ୍ର ସୌରଭ । କସ୍ତୁରୀ, କୁସୁମ ନିର୍ଯ୍ୟାସର ସୁଗନ୍ଧରେ ଆମୋଦିତ ବିଳାସ-ଭବନ । ଭ୍ରାମରବୃତ୍ତ ପୁରୁଷ ବିହ୍ଵଳ ଭାବରେ ପଳାଇ ଆସେ ଏଠାକୁ । ଗନ୍ଧ୍ୟପ୍ରସାଦ ବିତରଣ କରି କ୍ରୂରା ପିଙ୍ଗଳା ସେମାନଙ୍କୁ ପିଞ୍ଜରାବଦ୍ଧ କରି ରଖେ ।

 

ଦ୍ଵିତୀୟଟି ‘ବାରୁଣୀ ଭବନ’ । ସେଠାରେ ସଞ୍ଚିତ ଦେଶ ବିଦେଶର ଶୁକ୍ର-ସଞ୍ଜୀବନୀ ସୁରା–ଗୌଡ଼ୀ, ମାଧ୍ଵୀ, ପୈଷ୍ଟି, ଦ୍ରାକ୍ଷାରସ । ମଧୁ ଲୋଭରେ ମତୁଆଲ ମଧୁମକ୍ଷିକା ପରି, ମଧୁଲୋଭୀ ପୁରୁଷ ପ୍ରବେଶ କରେ ଏଠାରେ । ମଦସ୍ଖଳିତ ବଚନର ହୁଙ୍କାର, ମଦବିହ୍ଵଳ କଣ୍ଠର ପ୍ରଣୟ ଭାଷଣରେ ପୂର୍ଣ୍ଣ ବାରୁଣୀ-ଭବନ–ଚୁମ୍ବକ ଭଳି ତା’ର ଆକର୍ଷଣ ।

 

ପିଙ୍ଗଳାର ତୃତୀୟ ପୁରୀ ଐଶ୍ୱର୍ଯ୍ୟର ବିଳାସପୁରୀ । ଅମୂଲ୍ୟ ମଣିମାଣିକ୍ୟ-ବୈଦୁର୍ଯ୍ୟ-ବିଦ୍ରୂମଖଚିତ ଧାମ, ନାମ ତା’ର ‘ମଣିପୁର’ । କେହି କେହି କହନ୍ତି ‘ଅଗ୍ନିଭବନ’ । ପ୍ରଜ୍ଜ୍ଵଳିତ ବାସନାର ବହ୍ନିଜ୍ଵାଳା ଏଇ ଭବନର ପୁରୁଷକୁ କାମଜର୍ଜର କରି ତୋଳେ । ସେ ଯେ କି ସୁତୀବ୍ର ଉନ୍ମାଦନା, ଏକମାତ୍ର ଭୋଗୀ ବ୍ୟତୀତ ଅନ୍ୟ କେହି ଧାରଣା କରିବା ଅସମ୍ଭବ । ରୂପ ଓ ଐଶ୍ଵର୍ଯ୍ୟର ପ୍ରମତ୍ତ ଲୀଳାସ୍ଥଳ ମଣିପୁର–କାମାଗ୍ନି ତରଙ୍ଗରେ ଚିର-ତରଙ୍ଗାୟିତ ।

 

ଦ୍ୱାଦଶ ପଦ୍ମର ଧ୍ଵଜାସମନ୍ୱିତ ଚତୁର୍ଥ ପୁରୀ–ଚିର-ସମୀରିତ, ଚିର ଝଙ୍କାରମୁଖର । ଏହାର ନାମ ‘ମଧ୍ୟମା’ । ନାତିଶୀତୋଷ୍ଣ ବାୟୁମଣ୍ଡଳ, କକ୍ଷେ କକ୍ଷେ ବାସନ୍ତ ମଳୟର ମୃଦୁ ସଞ୍ଚରଣ-। କେଉଁଠାରୁ ମଧ୍ୟଲୟରେ ଝଙ୍କୃତ ହୁଏ ସୁମଧୁର ଅନାହତ ଏକ ଧ୍ୱନି । ପିଙ୍ଗଳାର ଅତି ପ୍ରିୟ ଏଇ ପ୍ରମୋଦ ଭବନ, ବିଳାସ-ଭବନର ମଧ୍ୟମଣି । ଅନେକ ମୁନି ଋଷିଙ୍କୁ ପିଙ୍ଗଳା ବିଭୋର କରି ରଖେ ଏଇ ପୁରୀରେ । ତପସ୍ୱୀର ତପୋବିଘ୍ନ ସାଧନ ନିମନ୍ତେ ଅମୋଘ ଏଇ ସଙ୍କେତ ସ୍ଥାନ-। କେତେ ଦିନ, କେତେ ରାତି ଅଙ୍ଗ ଓ ପାଞ୍ଚାଳ ରାଜ୍ୟର ରଥ ଏଇ ‘ମଧ୍ୟମା’ର ଭବନ-ଦ୍ୱାରରେ ଆସି ଠିଆ ହେଇଥାଏ । ପ୍ରମୋଦକକ୍ଷରୁ ଭାସି ଆସେ ମଦବିହ୍ଵଳତାର ଅସ୍ଫୁଟ, ଗଦ୍‍ଗଦ୍ ଗୁଞ୍ଜନ । କୁହୁକିନୀ ପିଙ୍ଗଳାର କୁହୁକରେ କୁହୁଯାମିନୀ ମଧୁର ହେଇ ଉଠେ ।

 

ନଗରର ଦକ୍ଷିଣାୟନର ଶେଷ ସୀମାରେ ଆଉ ଏକ ପ୍ରମୋଦଭବନ–ନାମ ତା’ର ‘ଶୂନ୍ୟସଦ୍ମ’ । ଆକାଶବାଣୀମୁଖରୁ ଏଇ ଭୋଗଶାଳା ଶୂନ୍ୟରେ ନିର୍ମିତ । ଶୂନ୍ୟରୁ ଆଶ୍ଚର୍ଯ୍ୟ ସୋପାନାବଳୀ ଓହ୍ଲାଇ ଆସିଚି ମାଟି ଉପରକୁ । ମାଟିର କଳକୋଳାହଳ ଏଠାରେ ଶାନ୍ତ । ଏଠାରେ କିନ୍ନର ଗନ୍ଧର୍ବଙ୍କ ମଧୁର ସଙ୍ଗୀତ ଧ୍ଵନିତ ହୁଏ । ଏଇ କକ୍ଷରେ ପିଙ୍ଗଳା ରତିକ୍ଳାନ୍ତ ନାଗରମାନଙ୍କୁ ନିଦ୍ରାରେ ବିଭୋର କରି ରଖେ । ଶ୍ରାନ୍ତ ନାଗର, ମୁଗ୍ଧ ନାଗର, ସ୍ଵର୍ଗୀୟ ସଙ୍ଗୀତର ମଧୁର ତାନରେ ଧୀରେ ନୟନ ନିମୀଳିତ କରେ । ପିଙ୍ଗଳାର ମଧ୍ୟ ବିଶ୍ରାମାଗାର ଏଇ ପୁରୀ । ଏଠାରୁ ସ୍ପଷ୍ଟ ଦେଖାଯାଏ ଉପରର ନିଃସୀମ ଆକାଶ ।

 

ରୂପର ଗୌରବରେ, ଐଶ୍ଵର୍ଯ୍ୟର ପ୍ରମତ୍ତତାରେ ମଦବିହ୍ଵଳା ପିଙ୍ଗଳା । ଶୂନ୍ୟସଦ୍ମର ବିଶ୍ରାମ କକ୍ଷକୁ ଆସିବାମାତ୍ରେ କଳ୍ପନାର ଦ୍ୱାର ତା’ର ଖୋଲିଯାଏ । କେତେ ଅଦ୍ଭୁତ ଚିନ୍ତା, କେତେ ଅଭୂତପୂର୍ବ ଭାବ । କାମମୁଗ୍ଧ ସ୍ତାବକର ସ୍ତୁତି କଳ୍ପନାରେ ତା’ର କର୍ଣ୍ଣରେ ସୁଧା ବର୍ଷଣ କରୁଥାଏ, ମନ ଚାଲିଯାଏ ସୁଦୂର କଳ୍ପଲୋକକୁ । ଆଜିବି ଏଇ ଅଳସ ମଧ୍ୟାହ୍ନରେ ଅନେକ କଥା ଭାବୁଚି ପିଙ୍ଗଳା । ଭାବୁଚି ହୁଏତ ମିଥ୍ୟା ନୁହେଁ ସ୍ତାବକର ସ୍ତୁତି, ହୁଏତ ସତ୍ୟ ଯେ ସେ ସର୍ଯ୍ୟସନାଥା ଭାନୁମତୀ, ସ୍ଵର୍ଗଭ୍ରଷ୍ଟ ସ୍ୱର୍ଦ୍ୟୁତି । ଅନ୍ୟମନସ୍କ ଭାବରେ ସ୍ୱଚ୍ଛ ଦର୍ପଣ ସମ୍ମୁଖରେ ଉଭା ହୁଏ ସେ, ଦେଖେ ନିଜର ପ୍ରତିବିମ୍ବ । ଆଶ୍ଚର୍ଯ୍ୟକର ରୂପ । ସୁଠାମ ଅବୟବ, ଯୌବନ ଭାରରେ ଢଳଢ଼ଳ ଅଙ୍ଗ, ଚାରୁ ଆନନରେ ମଦିରସ୍ରାବୀ ନୟନ । ନିଜର ମୋହିନୀ କଟାକ୍ଷରେ ନିଜେ ମୋହିତ ହୁଏ ପିଙ୍ଗଳା, ନିଜ ଅଙ୍ଗରେ ଖେଳିଯାଏ ବିଦ୍ୟୁତ୍-ଶିହରଣ । ନିଜର ରୂପରେ କିଏ ମୁଗ୍ଧ ନୁହେଁ ? ବିଶେଷତଃ ରୂପୋପଜୀବିନୀ ।

 

ନିର୍ଜନ ମଧ୍ୟାହ୍ନ । ଦୂରରୁ ଭାସି ଆସୁଚି ମୃଦୁ ସଙ୍ଗୀତ ଆକାଶବାଣୀରେ । ଅଧିକ ରାତ୍ରି ଜାଗରଣର ଶ୍ରାନ୍ତି ପିଙ୍ଗଳାର ଦେହରେ, କ୍ଳାନ୍ତି ପିଙ୍ଗଳାର ନୟନରେ । ଧୀର ପଦରେ ପଲଙ୍କ ଆଡ଼କୁ ଅଗ୍ରସର ହୁଏ ସେ, ଧୀରେ ଉଠି ବେସ ଦୁଗ୍ଧସିତ ଶଯ୍ୟାରେ । ଅବେଣୀବଦ୍ଧ ମୁକ୍ତ କେଶରାଶି, ହାତରେ ଈଷତ୍ ତୋଳି ମୁଣ୍ଡ ରଖେ ଉପାଧାନ ଉପରେ । ଶୁଭ୍ର ଉପାଧାନକୁ ଘେରି ପଡ଼ିଥିବା କେଶରାଶି ଚନ୍ଦ୍ରମଣ୍ଡଳଗ୍ରାସୀ କୃଷ୍ଣମେଘ ଯେପରି । ନିଦ୍ରାକାତର ନୟନ ଆବେଶରେ ମୁଦ୍ରିତ ହେଇ ଆସେ, ରୂପସୀର ମନରେ ନିଜ ରୂପର ସୁନେଲି ସ୍ଵପ୍ନ ! ସ୍ତାବକମାନଙ୍କ ସ୍ତୁତିର କେତେ ଛିନ୍ନାଂଶରେ ଗୋଟିଏ ସ୍ଵପ୍ନମାଳା ଯେପରି ସୃଷ୍ଟି ହେଇଚି । ପିଙ୍ଗଳା ସ୍ଵପ୍ନ ଦେଖେ : ସୃଷ୍ଟିର କେଉଁ ଅନାଦି ଯୁଗରେ ଯେପରି ଜନ୍ମିଥିଲା ସେ । ବିଧାତାର ଅତୁଳ ସୃଷ୍ଟି–ତିଳତିଳ ରୂପ ସମୁଚ୍ଚୟରେ ଏକ ତିଳୋତ୍ତମା । ପ୍ରଦୀପ୍ତ ଭାନୁ ସମ ଅଙ୍ଗ ପ୍ରଭା, ସୂର୍ଯ୍ୟ ସମାନ ତେଜ । ଯୋଗ୍ୟଂ ଯୋଗ୍ୟେନ ଯୋଜୟେତ୍ ଭାବି କମଳଯୋନି ବ୍ରହ୍ମା ତାକୁ କରିଥିଲେ ସୂର୍ଯ୍ୟ-ସନାଥା ।

 

ସୁଖର ଜୀବନ ଗଢ଼ି ଉଠିଥିଲା ତା’ର । ଦେବଚକ୍ଷୁ ଦେବଜ୍ୟୋତି ତା’ର ପତି । ସେ ତ୍ରିବିକ୍ରମ । ତ୍ରିଲୋକର ହୁତହବିରେ ତାଙ୍କର ଅଧିକାର । ପତିସୋହାଗିନୀ ପିଙ୍ଗଳା–ସୂର୍ଯ୍ୟ ପ୍ରିୟା ସେ, ଗରବିଣୀ । ଦେବତା ସମାନ ସମ୍ମାନ । ଧର୍ମରେ ପ୍ରତିଷ୍ଠିତ ତା’ର ହୃଦୟ, ସତ୍ୟରେ ପ୍ରତିଷ୍ଠିତ ତା’ର ପାତିବ୍ରତ୍ୟ । ସେ ସୂର୍ଯ୍ୟ ସ୍ଵରୂପିଣୀ ।

 

କିନ୍ତୁ ସୁଖୀ ହେଇଥିଲା କି ପିଙ୍ଗଳା ? ତା’ର ହୃଦୟରେ ସୁପ୍ତ ଥିଲା ଅପରିମିତ ଆଶା, ପ୍ରଚ୍ଛନ୍ନ ଥିଲା ପୁଷ୍ପକେଶରରେ କୀଟ ଭଳି କାମନା ଦୁର୍ବାର ଲାଳସା ମଧ୍ୟେ ମଧ୍ୟେ ତାକୁ ଚଞ୍ଚଳ କରି ତୋଳିଥାଏ । ବିହ୍ଵଳା ଭଳି ଦର୍ପଣରେ ସେ ଦେଖିଥାଏ ତା’ର ରୂପ । ଏ ରୂପ କି ଦିଗେ ଦିଗେ ଅଗ୍ନିଦାହ ସୃଷ୍ଟି କରି ପାରିବନି ? କିନ୍ତୁ ପର ମୁହୂର୍ତ୍ତରେହିଁ ଆତ୍ମଦମନ କରେ ସେ । ଛି, ଛି, ଏ କି କୁଟିଳ ପିପାସା ! ଅନ୍ତରର ନିଭୃତତମ ପ୍ରକୋଷ୍ଠର କଦର୍ଯ୍ୟ ଆକୁତି ଅନ୍ତଃକର୍ଣ୍ଣରେ ଶୁଣି ସେ ଶିହରି ଉଠି ଭାବେ–ନା, ନା, ଏହା ପାପ । ବିଧାତାର ନିୟମର ରାଜତ୍ଵରେ ସୌଭାଗ୍ୟବତୀ ସେ, ସେ ସୌଭାଗ୍ୟବତୀ ସୂର୍ଯ୍ୟପ୍ରିୟା । ସ୍ଵାମୀ ତା’ର ନିୟମର ନିୟାମକ ତ୍ରିବିକ୍ରମ ।

 

କିନ୍ତୁ ହୃଦୟର ପ୍ରଚ୍ଛନ୍ନ କାମନାହିଁ କାଳ ହେଲା ତା’ର, ରୂପ ହେଲା କାମନାର ଇନ୍ଧନ । ଅଧର୍ମପୁତ୍ର କାମ । ଭୁବନସୁନ୍ଦର ତା’ର ରୂପ, ବଦନରେ ମୋହନ ହାସ, ନୟନରେ ମୋହର ମନ୍ଦିର । ଦିନେ ସେ ଦେଖା ଦେଲା ପିଙ୍ଗଳାର ବହିର୍ଦ୍ଵାରରେ । ବିହ୍ଵଳ ହେଲା ପିଙ୍ଗଳା । ପ୍ରଥମେ ଲକ୍ଷ୍ୟ କରିନି, ହଠାତ୍ ଲକ୍ଷ୍ୟ କଲା–ତୃଷାତୁର ଦୃଷ୍ଟି ମେଲି କାମ ଦେଖୁଚି ତାକୁ, ତନ୍ନତନ୍ନ କରି ଯେପରି ଦେଖୁଚି ଅଙ୍ଗର ପ୍ରତିଟି ରେଖା । ଲାଳସାର ଦୃଷ୍ଟି ନିମିଷକରେ ବୁଝିପାରେ ନାରୀ । ମୁହୂର୍ତ୍ତକରେ ଲଜ୍ଜାରେ ରକ୍ତିମ ହୋଇ ଉଠିଲା ପିଙ୍ଗଳା । ସର୍ବାଙ୍ଗରେ ଶିହରଣ, ଶିରାରେ ଶିରାରେ ଅଦ୍ଭୁତ କମ୍ପନ । ଦ୍ରୁପ୍ତ ପଳାଇ ଆସିଲା ପିଙ୍ଗଳା, ପଳାଇ ଆସି ମୁକ୍ତିର ନିଃଶ୍ଵାସ ଯେପରି ଛାଡ଼ିଚି ସେ-। ବୁକୁରେ ଘନଶ୍ଵାସ, ଦେହମୟ ଅଦ୍ଭୁତ ଉତ୍ତେଜନା ।

 

ଶରମରେ ମରିଗଲା ପିଙ୍ଗଳା । ପତିମତୀ ନାରୀ ସେ, ଧର୍ମ ଓ ସତ୍ୟରେ ପ୍ରତିଷ୍ଠିତ ତା’ର ପାତିବ୍ରତ୍ୟ । ସେ କି ବ୍ରତଭ୍ରଷ୍ଟ ହେଇପାରେ । ସତୀତ୍ଵର ଦର୍ପରେ ଦୃଢ଼ପ୍ରତିଜ୍ଞା କରେ ପିଙ୍ଗଳା–ସେ ବ୍ରତଭ୍ରଷ୍ଟା ହେବନି । ‘ପତିର୍ହି ଦେବତା ନାର୍ଯ୍ୟାଃ’–ପତିହିଁ ସତୀର ଦେବତା, ପତିହିଁ ଧ୍ୟାନ, ପତିହିଁ ସ୍ଵର୍ଗ ।

 

ପିଙ୍ଗଳାର ବହିର୍ଦ୍ୱାର ବଦ୍ଧ ହୁଏ । ଅନ୍ତରରେ ସୁକଠିନ ତପଶ୍ଚର୍ଯ୍ୟା ।

 

କିନ୍ତୁ ସୁଦୁଷ୍କର ମନ । କେଉଁ ଅସତର୍କ ମୁହୂର୍ତ୍ତରେ କନ୍ଦର୍ପ କାମର ମୁହଁଟି ମାନସପଟରେ ଭାସି ଉଠେ । ଉଗ୍ର ଦୃଷ୍ଟିରେ ଯେପରି ପିଙ୍ଗଳାର ରୂପ ସୁଧା ପାନ କରୁଚି । ଏତେ ରୂପ ତା’ର ? ଏତେ ଶକ୍ତି ପିଙ୍ଗଳାର ? ନିଜର ରୂପ ସମ୍ପର୍କରେ ପିଙ୍ଗଳା ସଚେତନ ହେଇ ଉଠେ, ନିଜର ଶକ୍ତି କଥା ଚିନ୍ତା କରି ଆତ୍ମପ୍ରସାଦ ଜନ୍ମେ ମନରେ । ବ୍ରତ ଭାଙ୍ଗିଯାଏ, ନରମ ହେଇ ଆସେ ମନ । ତା’ର ରୂପ ଦେଖି ଯଦି କିଏ ତୃପ୍ତ ହୁଏ, କ୍ଷତି କ’ଣ ? ଦୃଷ୍ଟିଭୋଗରେ ଦେହ କ’ଣ ଅଶୁଚି ହେଇଯାଏ ?

 

ଏପରି ଭାବରେ ଉନ୍ମୁକ୍ତ ହୁଏ କାମନାର ଅର୍ଗଳ । ମନର ଅତଳରେ କେଉଁଠି ସୁପ୍ତି ଥାଏ କାମନା, ମଣିଷ ଜାଣି ସୁଦ୍ଧା ପାରେନି । ଧର୍ମ ଓ କର୍ମରେ ପ୍ରଚ୍ଛନ୍ନ ପ୍ରବୃତ୍ତି । ସହସା ଦିନେ ସେଇ କାମନା ସୁପ୍ତି ତେଜି ଜାଗି ଉଠେ । ଶିହରି ଉଠେ ମଣିଷ ! ଚାଲେ ପ୍ରାଣପଣ ଆତ୍ମସଂଯମ । କ୍ରମେ ଦ୍ୱନ୍ଦ୍ୱ, କ୍ରମେ ଶୈଥିଲ୍ୟ-ଶେଷରେ ଆତ୍ମସମର୍ପଣ । ପ୍ରବଳ ଜୁଆରରେ ସେତେବେଳେ ଭାସିଯାଏ ବିବେକ, ଧର୍ମବୁଦ୍ଧି–ତରଙ୍ଗରେ ଉତ୍ତାଳ ଦେହ, ଅନ୍ତର ।

 

ଏଇ ଅବସ୍ଥାହିଁ ହେଲା ପିଙ୍ଗଳାର । ସତୀ ନାରୀ ହେଲା କାମର ଅବୈଧ କାମିନୀ । ଭୋଗେଚ୍ଛା ସ୍ଵୀୟ ଯୁକ୍ତିରେ ଆତ୍ମସମର୍ଥନ କଲା–ପୃଥିବୀରେ କିଏ କାମନାର ଦାସ ନୁହେଁ ? କାମନା ନବ ରୋମାଞ୍ଚ, କାମନା ସୃଷ୍ଟିର ପୁଲକ । ‘ସୋହକାମୟତ’–ସେଥିଲାଗି ଜାଗିଚି ସୃଷ୍ଟିର ସୁର । ଭୋଗତନ୍ମୟ ମିଥୁନସମାଜ, ସମ୍ଭୋଗୀ ସହସ୍ରାଂଶୁ ସୂର୍ଯ୍ୟ । ସହସ୍ର ମୁଖରେ ରସସମ୍ଭୋଗ କରନ୍ତି ସେ । ଉଦ୍ଦାମ, ଉଦ୍ଧତା ପିଙ୍ଗଳା ।

 

କିନ୍ତୁ ପିଙ୍ଗଳା ସେତେବେଳେ ବୁଝିପାରି ନଥିଲା, ‘ନ ଜାତ୍ କାମଃ କାମାନ୍ ଉପଭୋଗେନ ଶାମ୍ୟତି’–ଭୋଗରେ ନିବୃତ୍ତି ନାଇଁ କାମର । ଦୁର୍ଦ୍ଦମନୀୟ କାମନା ସର୍ବଗ୍ରାସୀ ବହ୍ନି-। ବହ୍ନି ଭଳି ତା’ର ଅନନ୍ତ କ୍ଷୁଧା । ପ୍ରମକ୍ତ, ପ୍ରମତ୍ତ, ଦିଗ୍‍ଗଜ–ନିର୍ବାଧ ତା’ର ଗତି । ଅପରିମିତ ଆଶାର ଶେଷ ନାଇଁ, ଅତ୍ୟୁଗ୍ର ଲୋଭର ନାଇଁ ଶାନ୍ତି ।

 

ଅପରିମେୟ ଭୋଗେଚ୍ଛା ତାକୁ ଟାଣି ଆଣିଲା ସ୍ଵୈରାଚାର ପଥକୁ । ଏକରେ ତୃପ୍ତି ନାଇଁ, ବହୁରେ ଆସକ୍ତି । କାହିଁକି ସେ ନ ହେବ ବହୁବଲ୍ଲଭା ? ସୃଷ୍ଟି ଭୋଗମୟ । ଭୋଗାକାଂକ୍ଷାକୁ କାହିଁକି ସଂକୀର୍ଣ୍ଣ ଗଣ୍ଡିରେ ବାନ୍ଧି ରଖିବ ସେ ? ରୂପର ଦୀପ୍ତି ସେ ବିଞ୍ଛିଦେବ ବହୁ ମଧ୍ୟରେ, ସ୍ୱେଚ୍ଛାଚାରିଣୀ ହେଇ ସେ ବିହାର କରିବ ବିଶ୍ଵଲୋକରେ । କି ଆନନ୍ଦ ମୁକ୍ତିର ! କି ଆନନ୍ଦ ଏଇ ମୁକ୍ତ ନୀଳାକାଶରେ ! ସୃଷ୍ଟିର ପାତ୍ର ମଧୁମୟ–ପୁଷ୍ପରେ ମଧୁ, ଧୂଳିକଣାରେ ମଧୁ ! ମଧୁର ଅମ୍ବର, ମଧୁର ସାଗର ! ଚାଲ, ପାତ୍ରରୁ ପାତ୍ରାନ୍ତରେ, ମାଧୁକରୀ ବୃତ୍ତି ଅବଲମ୍ବନ କର, ଆକଣ୍ଠ ପାନ କର ବିଶ୍ଵମଧୁ । ପାଗଳ ହେଇ ପିଙ୍ଗଳା ରୂପର ବାଗୁଡ଼ା ବିସ୍ତାର କଲା ଦେବସଂଘରେ । ପ୍ରମତ୍ତା ପ୍ରମଦା-। ଦେହରେ ତା’ର ରୂପର ଅନଳ, ନୟନରେ ବିଷର ବିଶିଖ । ସ୍ଥିର ଯୌବନ, ରୂପବାନ୍ ଦେବତା–ଇନ୍ଦ୍ର, ସୋମ, ନାସତ୍ୟ ଓ ଦସ୍ର । ଭୋଗ ଯଦି କରିବାକୁ ହୁଏ, ଭୋଗକର ସୁନ୍ଦରକୁ, ବିଜୟର ତପ୍ତ-ଉଲ୍ଲାସ ଅଜେୟକୁ ଜୟ କରିହିଁ ସାର୍ଥକ ହୁଏ । ଅତ୍ୟାକାଂକ୍ଷାରେ ଅଧୀରା ପିଙ୍ଗଳା ।

 

କ୍ରୁଦ୍ଧ ହେଲେ ବିଧାତାପୁରୁଷ । ବଜ୍ର ଭଳି ପତିତ ହେଲା କଠିନ ଅଭିଶାପ : ‘ଦୁଷ୍ଟା ତୁମେ, ମୂର୍ତ୍ତିମତୀ ବ୍ୟଭିଚାର । ଅପରିମିତ ତୁମର ଆଶା, ଅଦମ୍ୟ ଭୋଗଲାଳସା । ସ୍ଵର୍ଗରୁ ପତନ ହେଉ ତୁମର । ବହୁ ମନୁଷ୍ୟର ଭୋଗ୍ୟ ହୁଅ ତୁମେ–ସ୍ଵର୍ଗରେ ନୁହେଁ, ମର୍ତ୍ତ୍ୟରେ ।’

 

ଲାଳସାରେ ଅନ୍ଧ ପିଙ୍ଗଳା, ଭାବି ପାରିନି କ’ଣ ହେଇପାରେ ଲାଳସାର ପରିଣାମ । ବିଧାତାର ବାକ୍ୟରେ ନେତ୍ରରେ ଅନ୍ଧକାର ଦେଖିଲା ସେ । ସୂର୍ଯ୍ୟପ୍ରିୟା ସେ, ସ୍ଵର୍ଗର ବନ୍ଦନୀୟା; ତାକୁ ଆଶ୍ରୟ କରିବାକୁ ହେବ ମର୍ତ୍ତ୍ୟର ଭୋଗଦେହ ? ଆର୍ତ୍ତନାଦ କରି ଉଠିଲା ପିଙ୍ଗଳା, ଲୋଟି ପଡ଼ିଲା ବିଧାତାଙ୍କ ଚରଣ ମୂଳରେ । ଅତି କରୁଣ କଣ୍ଠରେ ମିନତି କଲା, ‘କ୍ଷମା କରନ୍ତୁ, କ୍ଷମା କରନ୍ତୁ । ଏ ଦାରୁଣ ଅଭିଶାପ ଫେରାଇ ନିଅନ୍ତୁ ।’

 

କାମିନୀର କରୁଣ କ୍ରନ୍ଦନରେ କୋମଳ ହେଲେ କରୁଣାଘନ କମଳଯୋନି । କିନ୍ତୁ କକ୍ଷଚ୍ୟୁତ ଧୂମକେତୁ ଭଳି ଅପ୍ରତିହାର୍ଯ୍ୟ ବିଧାତାର ବାକ୍ୟ । ଯଥାସମ୍ଭବ କୋମଳ ସ୍ଵରରେ କହିଲେ, ‘ସ୍ୱର୍ଗଭ୍ରଷ୍ଟ ତୁମକୁ ହେବାକୁହିଁ ହେବ । ଅପରିମିତ ଆଶା, ଅତି ଲାଳସାର ଫଳ ଭୋଗ କରିବାକୁ ହେବ ତୁମକୁ ।’

 

‘ଏ ଅଭିଶାପରୁ କି କେବେହେଲେ ମୁଁ ଆଉ ମୁକ୍ତ ହେବିନି ?’ ପିଙ୍ଗଳାର ନେତ୍ରରେ ଅଶ୍ରୁ, କାତର କଣ୍ଠସ୍ଵର ।

 

କରୁଣାମୟ ବିଧାତାଙ୍କ ନୟନ ଛଳଛଳ ହୁଏ । ଦଣ୍ଡର ଆଘାତ ଦଣ୍ଡଦାତାର ହୃଦୟରେ ଗଭୀର ଭାବରେ ଲାଗେ । ପାପୀ କି ଶାପମୁକ୍ତ ହେବନି ? କାମନାର ଅନଳରେ ପୂର୍ଣ୍ଣାହୂତି ଦେଇ କାମିନୀ କି ଶାନ୍ତିଲାଭ କରିବନି ? ଧୀରେ ଧୀରେ ପ୍ରସନ୍ନ ହୁଏ ବିଧାତାଙ୍କ ବଦନମଣ୍ଡଳ, ଅଭୟବାଣୀ ଉଚ୍ଚାରିତ ହୁଏ ତାଙ୍କର କଣ୍ଠରେ : ‘ଅତି ଆଶା ଦୁଃଖର ମୂଳ । ଅତ୍ୟାକାଂକ୍ଷାର ନିବୃତ୍ତି ନହେଲେ ସୁଖ ସୁଦୂରପରାହତ । ସ୍ଵର୍ଗର ଦ୍ୱାର ନିଶ୍ଚୟ ଖୋଲା ରହିବ ତୁମପାଇଁ । ଯଦି କେବେ ଆଶାର ନିବୃତ୍ତି ହୁଏ, ଯଦି କେବେ ସୁଖାବହ ନିର୍ବେଦ ଲାଭ କର, ସେଇଦିନ ପୁନରପି ସ୍ଵର୍ଗକୁ ଫେରି ପାରିବ । କାମନାର ମୋକ୍ଷଧାମ ସ୍ଵର୍ଗରେ ସେଦିନ ପୁନର୍ବାର ପ୍ରତିଷ୍ଠିତ ହେବ ସୂର୍ଯ୍ୟପ୍ରିୟାର ଆସନ ।’

 

ଅନ୍ତର୍ହିତ ହେଲେ ବିଧାତା ପୁରୁଷ । ଦେଖୁଦେଖୁ ଜ୍ୟୋତିର୍ମୟ ସ୍ୱର୍ଗଲୋକରୁ ପତନ ହେଲା ପିଙ୍ଗଳାର । ତା’ର ଆଶ୍ରୟ ହେଲା ବିଦେହ ନଗରର ତାମସଲୋକ । ନଗରର ଦକ୍ଷିଣ ଦିଗରେ ଅଧିକାର ବିସ୍ତାର କରି ପିଙ୍ଗଳା ହେଲା ପୁଂଶ୍ଚଳୀ । ତା’ର ବୃତ୍ତି ସାଙ୍କେତବୃତ୍ତି । ସ୍ଵର୍ଗର ସୂର୍ଯ୍ୟପିୟା ହେଲା ମର୍ତ୍ତର ଲୋଭାତୁର, କାମାର୍ତ୍ତ ପଥିକବଧୂ । ଲୋଭ, ଲାଳସା ଓ ଆଶାର ଶେଷ ନାଇଁ ତା’ର ।

 

ସ୍ଵପ୍ନ ଭାଙ୍ଗେ । ଏହା ଯେପରି ଏକ ମୋହକର ନିଶାର ଘୋର । ପିଙ୍ଗଳା ଭାବେ, ଏ ସ୍ଵପ୍ନ କି ସତ୍ୟ ? ପରକ୍ଷଣରେହିଁ ଭୁଲ ବୁଝିପାରେ ପିଙ୍ଗଳା–ଏହା ସ୍ତୁତିର ମୋହନ ମାୟା । ସ୍ଵପ୍ନ ମିଥ୍ୟାକୁ ମଧ୍ୟ ଏପରି ଭାବରେ ସଜାଏ, ଯେପରି ମନେ ହୁଏ–ସତ୍ୟ, ଅତି ସତ୍ୟ । ମିଥ୍ୟା ପଛେ ହେଉ ସ୍ୱପ୍ନ, ସେ ଆଶା ତ୍ୟାଗ କରିବନି । କି ତୃପ୍ତି ଜୟର ଗୌରବରେ ! କି ଆନନ୍ଦ ସମ୍ଭୋଗ-ସୁଖରେ ! ମିଥ୍ୟାର ସୃଷ୍ଟି କଳ୍ପନାର ସ୍ଵର୍ଗ । ପିଙ୍ଗଳା ସେ ସ୍ୱର୍ଗ କାମନା କରେନି । ମର୍ତ୍ତ୍ୟର ଭୋଗବତୀଠାରୁ ବଡ଼ ଅମରାବତୀ ଅଛି କି ?

 

ନିଦ୍ରାର ଜଡ଼ତା ଭାଙ୍ଗି ଉଠି ବସେ ପିଙ୍ଗଳା । କିନ୍ତୁ ସ୍ଵପ୍ନ କଥା ତ ମନରୁ ଯାଉନି । ବହୁଭୋଗ୍ୟା ସେ । କ୍ଷତି କ’ଣ ? ଅମିତାଚାରୀ କିଏ ନୁହେଁ ? ବ୍ରହ୍ମା, ବିଷ୍ଣୁ, ଶିବ–କିଏ ବା ଏକନିଷ୍ଠ-? ସକାମ ଇନ୍ଦ୍ର, ସକାମ ସୋମ । ଭୋଗର ଆକାଂକ୍ଷା କି କେବଳ ପିଙ୍ଗଳାର ? କାମନାରେ ଆକଣ୍ଠମଗ୍ନ ତ୍ରିଭୁବନ । ଦେହର ପୁଂଶ୍ଚଳୀ ବୃତ୍ତି ନୟନର ଗୋଚର, କିନ୍ତୁ ମନର ସୈରାଚାର-? ଲୋକେ ଅବଶ୍ୟ ଦେଖି ପାରନ୍ତିନି କିନ୍ତୁ ମାନସିକ ସ୍ୱେଚ୍ଛାଚାରର କି ସୀମା ଅଛି ? କିଏ ଜାଣେ, ତୁମର ମନରେ ଜାଗ୍ରତ ହେଉଚି କି କୁତ୍ସିତ କାମନାର ତରଙ୍ଗ !

 

ଉତ୍ତେଜନାରେ ଶଯ୍ୟା ତ୍ୟାଗ କରି ଉଠି ଠିଆହୁଏ ପିଙ୍ଗଳା I ଶୂନ୍ୟାଗାରର ଗବାକ୍ଷପଥରେ ଦେଖା ଯାଉଚି ଅପରାହ୍ନର ରଞ୍ଜିତ ଆକାଶ, ସହସ୍ର କାମନାର ରଙ୍ଗିନ ଛବି ଯେପରି । ଗୋଟାଏ ବାଜ ପକ୍ଷୀ ଉଠୁଚି ଊର୍ଦ୍ଧ୍ଵକୁ, ଶୂନ୍ୟକୁ । ସେ ଉଠୁଚି । ଆଶାର ଶେଷ ନାଇଁ, ଶେଷ ନାଇଁ I ଆଶାର ଶେଷ ତ ସର୍ବଶେଷର ନିଃସୀମ ନିସ୍ତବ୍ଧତା । ଜୀବନରେ କିଏ ଚାହେଁ ସେ ନିସ୍ତବ୍ଧତା ? କଳରବ କରି କରି ତା’ ଦ୍ଵାରକୁ ଆସନ୍ତି ବିଶ୍ଵର ଶ୍ରୀମାନ, ରୂପବାନ୍, ଶକ୍ତିମାନ, ଗୁଣବାନ୍ । ଦେବଦତ୍ତ, ଧନଞ୍ଜୟ, କୃକରକେତୁ–ପିଙ୍ଗଳାର କଟାକ୍ଷର ଦାସ । ଏତେ ଗୌରବ ଅଛି କାହାର ? କେଉଁ ବିଜୟିନୀ ନାରୀ ଅଙ୍ଗାଧିପତି, ପାଞ୍ଚାଳାଧିପତିକୁ ଆକର୍ଷଣ କରିପାରିଚି ? ପାରିଚି କେବଳ ସେ–ବିଶ୍ଵର ମନୋମୋହିନୀ ପିଙ୍ଗଳା I ସଗର୍ବ ପଦକ୍ଷେପରେ ସେ ଅଗ୍ରସର ହୁଏ ଗବାକ୍ଷ ଆଡ଼କୁ ।

 

ବେଳା ଶେଷ ହେଇ ଆସୁଚି I କର୍ମକ୍ଳାନ୍ତ ବିଶ୍ୱ । ବିଶ୍ଵର ମନ ବିଶ୍ରାମମୁଖୀ I ଖାଲି ମନ ନୁହେଁ, ଦେହ ମଧ୍ୟ I ପୂର୍ବ ଦିଗନ୍ତର ଦିଗ୍‍ବଧୂ ଘନକୃଷ୍ଣ ମେଘାମ୍ବରୀ ପରିଧାନ କରିଚି । ପଥିକବଧୂର ଅଙ୍ଗସଜ୍ଜା ସମାପନର ଏହା ସମୟ I ଚଞ୍ଚଳା ହୁଏ ପିଙ୍ଗଳା I ତାକୁ ମଧ୍ୟ ସଜ୍ଜିତ ହେବାକୁ ହେବ । ସଙ୍କେତୋପଜୀବିନୀର ସଙ୍କେତ କେବଳ ଅଙ୍ଗଲାବଣ୍ୟ ନୁହେଁ, ଅଙ୍ଗର ଅଙ୍ଗସଜ୍ଜା ମଧ୍ୟ । କୃତ୍ରିମ ପ୍ରସାଧନରେ ଆହୁରି ସୁନ୍ଦର ହେଇ ଉଠେ ସ୍ଵଭାବ-ସୌନ୍ଦର୍ଯ୍ୟ ।

 

ସ୍ୱପ୍ନର ଦାଗ ଲିଭିନି ମନରୁ । ଆଜି ସେ ସଜ୍ଜିତ ହେବ, ସଜ୍ଜିତ ହେବ ସ୍ୱରପ୍‍ସରୀ ଉର୍ବଶୀ ଭଳି । ସେ ଆକର୍ଷଣ କରିବ ସର୍ବାପେକ୍ଷା ବେଶୀ ଶୁଳ୍କପ୍ରଦ ନାଗରକୁ । ଐଶ୍ୱର୍ଯ୍ୟ ତା’ର ଅଛି, ରାଜରାଜେଶ୍ଵରୀ ଐଶ୍ୱର୍ଯ୍ୟ I ତଥାପି ଆହୁରି ଦରକାର । ବିଧାତା କହିବେ, 'ଏ ଲୋଭ, ଅର୍ଥ ଅନର୍ଥର ମୂଳ ।’ ହେଉ ଲୋଭ–ଅର୍ଥ ଅନର୍ଥର ମୂଳ ନୁହେଁ । ପିଙ୍ଗଳା ବୁଝିଚି, ଅର୍ଥରେହିଁ ପ୍ରତିପତ୍ତି, ଅର୍ଥରେହିଁ ପ୍ରତିଷ୍ଠା : ଅର୍ଥହିଁ ରୂପ, ଅର୍ଥହିଁ ଗୁଣ, ଅର୍ଥହିଁ ଆକର୍ଷଣ I ପ୍ରଶଂସା, ଖ୍ୟାତି–ସେ ତ ତା’ର, ଯାର ଅର୍ଥ ଅଛି I ଅଧିକନ୍ତୁ, କାମ୍ୟ ଚତୁବର୍ଗର ଏକ ବର୍ଗ ଅର୍ଥ । ଅର୍ଥର ଅର୍ଥୀ କିଏ ନୁହେଁ ?

 

ମନୋମୋହିନୀର ବେଶରେ ସଜ୍ଜିତ ହେଲା ପିଙ୍ଗଳା । ନୟନରେ ନୀଳାଞ୍ଜନ, ଭ୍ରୂଦ୍ଵୟରେ ସୂକ୍ଷ୍ମ କଜ୍ଜ୍ୱଳରେଖା I ବଦନରେ ଲୋଧ୍ର ରେଣୁ, କପାଳରେ ସସିନ୍ଦୂର ଗୋରଚନା ବିନ୍ଦୁ, କପୋଳରେ ବିଚିତ୍ର ପତ୍ରଲେଖା I କର୍ଣ୍ଣରେ ମଣିମୟ କୁଣ୍ଡଳ, କଣ୍ଠରେ ରତ୍ନହାର, ହସ୍ତରେ ସ୍ଵର୍ଣ୍ଣ ବଳୟ I ସେ ପରିଧାନ କଲା ବାସନ୍ତୀ ବର୍ଣ୍ଣର ଚୀନାଂଶୁକ, କଟିରେ ମୋହନ ମେଖଳା I ନୟନ ବିଭ୍ରମ ସେ ଅଙ୍ଗସଜ୍ଜା । ମଞ୍ଜୀରରେ ମୃଦୁ ଝଙ୍କାର ତୋଳି ରତିଦର୍ପ ହାରିଣୀ ଧୀରେ ଆସି ଠିଆ ହେଲା ସୌରଭାଗାର ବହିର୍ଦ୍ୱାରରେ । ଆଜି ପିଙ୍ଗଳାର ହୃଦୟ ସାଗରରେ, ଲୋଭର ପ୍ରମତ୍ତ ହିଲ୍ଲୋଳରେ ଆଶାର ତୁଙ୍ଗ-ତରଙ୍ଗ । ଆଜି ସେ ଆକର୍ଷଣ କରିବ ସର୍ବାପେକ୍ଷା ଶୁଳ୍କପ୍ରଦ ନାଗରକୁ I ଆଜି ତା’ର ରାଜରାଜେଶ୍ଵରୀ-ହୃଦୟରେ ରାଜରାଜେଶ୍ଵର ସମ୍ଭୋଗର ଉଗ୍ର କାମନା I

 

ସୂର୍ଯ୍ୟ ଅସ୍ତ ଯାଇଚି କିନ୍ତୁ ସନ୍ଧ୍ୟା ଆହୁରି ହେଇନି । ଗୋଧୂଳିର ଅପସୃୟମାନ ଆଲୋକରେ ରଙ୍ଗିନ, ଧରଣୀ ଯେପରି ରୂପୋପଜୀବିନୀ ପିଙ୍ଗଳା I ଆକାଶ ତା’ର କଟାକ୍ଷ, ସଙ୍କେତରେ କାହାକୁ ଯେପରି ଆହ୍ଵାନ କରୁଚି I ସଙ୍କେତ ଯେପରି ଚାଲିଚି ଗୃହରେ, ଅରଣ୍ୟରେ । ଅନ୍ତଃପୁରର ନୀଳ ଉତ୍ସୁକ ନୟନ ଆକର୍ଷଣ କରୁଚି କର୍ମକ୍ଳାନ୍ତ ପୁରୁଷକୁ, ବୃକ୍ଷନୀଡ଼ ଆକର୍ଷଣ କରୁଚି ଚରନ୍-ଶାନ୍ତ ବିହଙ୍ଗକୁ । ପିଙ୍ଗଳାର ପ୍ରମୋଦଭବନର ଆକର୍ଷଣ ମଧ୍ୟ କମ୍ ନୁହେଁ । ରୂପର ଆକର୍ଷଣ ଚୁମ୍ବକ ଭଳି । କୁସୁମ୍ଭ-ନିର୍ଯ୍ୟାସର ମିଷ୍ଟ ଗନ୍ଧରେ ସୁରଭିତ ସୌରଭାଗାର, ପିଙ୍ଗଳାର ଅଙ୍ଗକସ୍ତୁରୀ ସୁବାସରେ ପ୍ରମୋଦିତ ରାଜପଥ । ସୋତ୍କଣ୍ଠରେସେ ଚାହିଁ ରହିଥାଏ ପଥିକର ପ୍ରତୀକ୍ଷାରେ, କଟାକ୍ଷରେ ମୋହିନୀ ମାୟା ।

 

ଏଇ ଯେ ଦୂରରେ ଦେଖା ଯାଉଚି ନାଗାନନ୍ଦ । ଦ୍ରୁତ ଆଗେଇ ଆସୁଚି ସେ । ନାଗର ନାଗାନନ୍ଦ । କି ବିପୁଳ ଦେହ !

 

ମୁଖରେ ସଘନ ଉଦ୍‍ଗାର । ଥରି ଯାଏଁ ପିଙ୍ଗଳାର ସର୍ବାଙ୍ଗ । ଘୃଣାରେ ସେ ମୁଖ ଫେରାଇ ନିଏ । ଉତ୍ସାହୀ ନାଗାନନ୍ଦ ଯାଉଯାଉ ରହିଯାଏ, ମୁହଁ ଗମ୍ଭୀର କରି ଉଦ୍‍ଗାର ଛାଡ଼େ । ପିଙ୍ଗଳା ତା’ଆଡ଼କୁ ଥରେ ସୁଦ୍ଧା ଫେରି ଚାହେଁନି । ନାଗାନନ୍ଦ ଟିକିଏ ପ୍ରତୀକ୍ଷା କରେ, ତା’ରପରେ ଗଭୀର ନୈରାଶ୍ୟରେ ଧୀରେ ଧୀରେ ଚାଲିଯାଏ ସମ୍ମୁଖ ପଥରେ ।

 

ଜଣକ ପରେ ଜଣେ ଦେଖା ଦିଅନ୍ତି କୂର୍ମରାଜ, କୃକରକେତୁ । ସେମାନଙ୍କୁ ଦେଖି ପିଙ୍ଗଳା ହାସ୍ୟ ସମ୍ବରଣ କରି ପାରେନି । କୂର୍ମରାଜ ସ୍ଥୂଳ ଦେହ, ସାରା କ୍ଷଣ ମିଟିମିଟି କରେ ଚକ୍ଷୁ । ଦେହ କ୍ଷଣକେ ସ୍ଫୀତ ହେଇଚି ତ ପରକ୍ଷଣରେ ପୁଣି ସଙ୍କୁଚିତ । କୃକରକେତୁ ଆହୁରି ଚମତ୍କାର । ଗର୍ଭରେ ଚିର କ୍ଷୁଧା, କଣ୍ଠରେ ଅନନ୍ତ ତୃଷା । ତ୍ରିବକ୍ର ଦେହ, ନାସାରେ ନିରନ୍ତର କ୍ଷୁତ୍କାର । କ’ଣ ଅଛି ସେମାନଙ୍କର ? ଶୁଳ୍କ ମଧ୍ୟ କ’ଣ ବା ଦେଇ ପାରିବେ ? ରୂପ ? ସେ ତ ଖାଲି ମରି ଯାଇଚି ! ପିଙ୍ଗଳା କିଛି ସଙ୍କେତ ଦିଏନି । ଉପେକ୍ଷାର ହସରେ ନିରାଶ ହେଇ ସେମାନେ ଫେରିଗଲେ ।

 

ନା, ସୌର ଗାର ଆଡ଼କୁ ଆଉ କେହି ଆସିବେନି । ସନ୍ଧ୍ୟାର ଛାୟା ଘନ ହେଇ ଆସୁଚି-। ମନରେ ଆଶାର ସହସ୍ର ଦୀପ ଜାଳି ପିଙ୍ଗଳା ଆସି ଉପସ୍ଥିତ ହୁଏ ବାରୁଣୀ ଭବନରେ-। ନିଶ୍ଚୟ ଧନୀ ନାଗର ମିଳିବ ଏଠାରେ । ତ୍ରସ୍ତ ଅଙ୍ଗବାସ ସୁବିନ୍ୟସ୍ତ କରି ସେ ଠିଆ ହୁଏ ଦେହଳୀ ଉପରେ-। ନୟନରେ ସନ୍ଧାନୀ ଦୃଷ୍ଟି । ସେ ପୁଣି କିଏ ? ଦେବଦତ୍ତ ? ହଁ, ଦେବଦତ୍ତ ।

 

ବଣିକ ଦେବଦତ୍ତ ଅର୍ଥବାନ୍ । ସାତଟା ତା’ର ବାଣିଜ୍ୟ ପୋତ କିନ୍ତୁ ଭାରି ଆଳସ୍ୟପରାୟଣ । ଦେହରେ ଆଳସ୍ୟର ବିଜୃମ୍ଭଣ । ନିଦ୍ରାକର୍ମରେ ଦେବଦତ୍ତର ଯୋଡ଼ି ନାଇଁ । ଚିର ନିଦ୍ରାଜାତର–ଜାଗ୍ରତ ଅବସ୍ଥାରେ ମଧ୍ୟ ନେତ୍ର ଅର୍ଦ୍ଧନିମୀଳିତ, ଶିବନେତ୍ର ଯେପରି । ମଦ ନିଶାରେ ଅବା ବିହ୍ଵଳ । କି ଶୁଳ୍କ ଦେବ ଦେବଦତ୍ତ ? ‘ବାଣିଜ୍ୟେ ବସତେ ଲକ୍ଷ୍ମୀ’–ଏ ଉକ୍ତି ମିଥ୍ୟା ନୁହେଁ । କିନ୍ତୁ ଚିର ଆଳସୀ ଯେ, ଚଞ୍ଚଳା ତା’ର ବାଣିଜ୍ୟଲକ୍ଷ୍ମୀ । ନିଦ୍ରାକାତର ସିଂହ ମଧ୍ୟ ଆହାର୍ଯ୍ୟରୁ ବଞ୍ଚିତ ହୁଏ । ପିଙ୍ଗଳା ଦେବଦତ୍ତକୁ ସଙ୍କେତ କରେନି । ବିରସ ବଦନ ଦେବଦତ୍ତ ଢୁଳେଇ ଢୁଳେଇ ଚାଲିଯାଏ । ଉଦ୍‍ଗ୍ରୀବ ଦୃଷ୍ଟି ମେଲି ପିଙ୍ଗଳା ପୁଣି ପ୍ରତୀକ୍ଷା କରେ ।

 

ଅନ୍ଧକାରରେ ଘୋଡ଼େଇ ହେଇ ଆସୁଚି ନାଗର ଧନଞ୍ଜୟ । ଧନପତି ଧନଞ୍ଜୟ–ଅନନ୍ତ ତା’ର ପିପାସା । ସୁଦଖୋର ମହାଜନ–ଅର୍ଥ ଶୋଷଣରେ ତା’ର ଯୋଡ଼ି ନାଇଁ । ଟଙ୍କାରେ ଅଢ଼େଇ ଅଣା ତା’ର କଳନ୍ତର–ଅନାଦାୟରେ ସେଥି ଉପରେ ଚକ୍ରବୃଦ୍ଧି । ତା’ର ବୁକୁରେ ମରୁତୃଷା । ଶୁଷ୍କ ଚକ୍ଷୁ, ଶୁଷ୍କ ମୁଖ । ଅନବରତ ହାଇ ମାରି ହରି ହରି, ଦୁର୍ଗା ଦୁର୍ଗା କରେ । ହାଇ ମାରିଲେ ଫୁଟୁକି ବଜାଏ । ହସ ଲାଗେ ପିଙ୍ଗଳାକୁ । ଅର୍ଥବାନ୍ ଧନଞ୍ଜୟ, କିନ୍ତୁ କୃପଣତା ତା’ର ମଜ୍ଜାଗତ । ପିଙ୍ଗଳାର ଆଶାନୁରୂପ ପଣ୍ୟ ଦେବାକୁ ତା’ର ମୁହଁ ଶୁଖିଯାଏ, ହାଇ ମାରେ, ଫୁଟକି ବଜାଏ । ପିଙ୍ଗଳା ଧନଞ୍ଜୟକୁ ସଙ୍କେତ କରେନି । ଧନଞ୍ଜୟର ଶୁଷ୍କ ମୁଖ ଆହୁରି ଶୁଷ୍କ ହୁଏ । ପିଙ୍ଗଳା କି ପାଉଣା ଟଙ୍କାର ଚକ୍ରବୃଦ୍ଧି ହିସାବ କରିଚି ? ନିଜ ଗରଜରେ ଅନ୍ଧକାରରେ ମିଶିଯାଏ ଧନଞ୍ଜୟ । ପିଙ୍ଗଳା ନୂତନ, ନାଗର ଆଶାରେ ପୁନର୍ବାର ସମ୍ମୁଖ ପଥ ଉପରେ ଦୃଷ୍ଟିନିକ୍ଷେପ କରେ ।

 

ନିବିଡ଼ ହେଇ ଆସିଚି ସନ୍ଧ୍ୟାର ଅନ୍ଧକାର । ପ୍ରମଃପ୍ରଚ୍ଛାଦିତା ଧରିଣୀ । ରାଜପଥରେ ଜଳି ଉଠିଛି ଦୀପାବଳି । ଅନ୍ଧାର ବକ୍ଷର ଆଲୋକ ଏଇ ଦୀପ ଅନ୍ଧକାରର ପଣ୍ୟାଙ୍ଗନା ଯେପରି । କୃତ୍ରିମ ରୂପସଜ୍ଜାରେ ଅନ୍ଧକାରର ମନ ଭୋଳ କରେ । ପିଙ୍ଗଳା ମଧ୍ୟ ବୋଧହୁଏ ଏଇ ଦୀପ ଭଳି । ମୂଢ଼ର ମନ ଭୁଲାଇବା ପାଇଁ ଦେହଳୀରେ ଠିଆ ହେଇଚି ସେ ।

 

କାହିଁ, କେହି ତ ଆସୁନି ? ପିଙ୍ଗଳା ବାରୁଣୀଭବନ ତ୍ୟାଗ କରି ଆସେ ମଣିମୟ ପୁରକୁ-। ମଣିମାଣିକ୍ୟରେ ଖଚିତ ମଣିପୁର । ଦୀପାଲୋକରେ ଝଲମଲ ହେଇଛି ସ୍ଫଟିକ, ନୀଳା, ଗୋମେଦ । କିଏ ଯେପରି ଫୁଲ ଚାଙ୍ଗୁଡ଼ାରେ ନିଆଁ ଲଗାଇ ଦେଇଚି । ପିଙ୍ଗଳାର ନୟନରେ ଆଶାର ମଣିଦ୍ୟୁତି, କଳ୍ପନାରେ ରତ୍ନର ଚାଙ୍ଗଡ଼ା । ଅଙ୍ଗସ୍ଖଳିତ ଦୁକୂଳ ସଂବୃତ କରି ସେ ମଣିପୁର ଅଳିନ୍ଦରେ ଠିଆ ହୁଏ ।

 

ପୁରଦ୍ୱାରରେ କ୍ରମେ ଆସି ଉପସ୍ଥିତ ହେଲେ ବଣିକ ‘ଅପାନ’ ଦତ୍ତ, ‘ସମାନ’ ଶ୍ରେଷ୍ଠୀ । ଅଙ୍ଗରଜାଙ୍କ ରପ୍ତାନୀ ଦ୍ରବ୍ୟର ପରିଦର୍ଶକ ଅପାନ ଦତ୍ତ । ଅତିଶୟ କର୍ମଦକ୍ଷ । ବହିର୍ବାଣିଜ୍ୟରେ ତା’ର ଅପରିସୀମ କୁଶଳତା । ମନ ତା’ର ବହିର୍ମୁଖୀ । କିନ୍ତୁ ଅଙ୍ଗରାଜଙ୍କ ଅନୁରୋଧରେ ସେ ବାହାରକୁ ଯାଇ ପାରେନି । ରାଜା ସଙ୍ଗେ ତା’ର କିପରି ଗୋଟାଏ ଗୋପନ, ଘନିଷ୍ଠ ସମ୍ପର୍କ ରହିଛି ଯେପରି । ରଜ୍ଜୁବଦ୍ଧ ଶ୍ୟେନ ପକ୍ଷୀ ଭଳି ଉଭୟେ ପରସ୍ପର ପ୍ରତି ଆସକ୍ତ । ସମାନ ଶ୍ରେଷ୍ଠୀ ମଧ୍ୟ ଅତୁଳ ସମ୍ପଦ ଓ ଶକ୍ତିର ଅଧୀଶ୍ଵର | ଲୋକେ କହନ୍ତି, ଅଙ୍ଗାରଜାଙ୍କ ପୃଷ୍ଟି ସମାନ ଶ୍ରେଷ୍ଠୀ । ତା’ର ପ୍ରଯତ୍ନରେହିଁ ରାଜ୍ୟର ଶ୍ରୀବୃଦ୍ଧି । ବଣିକ ଦ୍ୱୟ ଆସିଚନ୍ତି ପିଙ୍ଗଳାର ରତାର୍ଥୀ ହେଇ । କେତେ ରତ୍ନ, କେତେ କାଞ୍ଚନ, କେତେ ଉପଢ଼ୌକନ । କିଞ୍ଚନର ଆକିଞ୍ଚନ ।

 

ତଥାପି ମନ ଚାହେଁନି ପିଙ୍ଗଳାର । ଏମାନେ ପ୍ରଜା ମାତ୍ର । ରାଜାର ଐଶ୍ଵର୍ଯ୍ୟ ଏମାନଙ୍କର ଅପେକ୍ଷା ଅନେକ ବେଶି । ହୁଏତ ସ୍ୱୟଂ ରାଜା ଆଜି ଆସି ପାରନ୍ତି । ପଣ୍ୟଜୀବିନୀ ପିଙ୍ଗଳା କ୍ଷତିଗ୍ରସ୍ତ ହେବ କାହିଁକି ? ନେତ୍ରରେ ତା’ର ଆଲେୟାର ଆଲୋକ । ଅପାନ ଦତ୍ତ, ସମାନ ଶ୍ରେଷ୍ଠୀକୁ ସେ ପ୍ରତ୍ୟାଖ୍ୟାନ କରେ, ଫେରାଇ ଦିଏ ଐଶ୍ୱର୍ଯ୍ୟର ଉପହାର । ଆଶାର ସୀମା କେଉଁଠି-? ଦୀପାଲୋକରେ କି ଦିଗନ୍ତର ଚକ୍ରବାଳ ଦେଖାଯାଏ ? ତୀକ୍ଷ୍ଣଦୃଷ୍ଟି ମେଲି ପିଙ୍ଗଳା ଚାହିଁ ରହେ, ତା’ର ନେତ୍ରରେ ଆଜି ବସୁମାନ ବସୁପତିର ସ୍ୱପ୍ନ ।

 

କିନ୍ତୁ ଆସୁନି ତ କିଏ ଆଉ ! ଆସିବେ, ନିଶ୍ଚୟ ଆସିବେ ଭାବେ ପିଙ୍ଗଳା । ଏବେ ତ ସନ୍ଧ୍ୟା ଆହୁରି ସରିନି । ପଶ୍ଚିମାକାଶରେ ଶୁକ୍ଳା ଚତୁର୍ଥୀର ଚନ୍ଦ୍ର ଏବେବି ଅସ୍ତ ଯାଇନି । ଚତୁଷ୍କଳ ବଙ୍କିମଚନ୍ଦ୍ର, ବଦନରେ ସ୍ମିତ ହାସ । ସେ ମଧ୍ୟ ଯେପରି ପ୍ରତୀକ୍ଷା ବ୍ୟାକୁଳ । ସମୁଦ୍ରପ୍ରିୟା ଚନ୍ଦ୍ର, ତା’ର ହୃଦୟରେ ରତ୍ନାକର ସାଗରର ସ୍ୱପ୍ନ । ପିଙ୍ଗଳାର ଆଶାର ରତ୍ନାକର କିଏ ? ଚନ୍ଦ୍ରକୁ ଚାହିଁ ବିଦ୍ରୂପ ହସ ହସେ ପିଙ୍ଗଳା, ସଗର୍ବରେ ଚାହେଁ ନିଜ ପ୍ରତି । ଅପୂର୍ଣ୍ଣଚନ୍ଦ୍ର, କ୍ଷୀଣକଳା–କିନ୍ତୁ ସେ ପୂର୍ଣ୍ଣ, ଷୋଡ଼ଶ କଳାରେ ପରିପୂର୍ଣ୍ଣ ତା’ର ଯୌବନ, ନିଖୁଣ ତା’ର ଅଙ୍ଗଶ୍ରୀ । ମଣିପୁରର ଅସଙ୍ଖ୍ୟ ମଣି ଲୋଲୁପ ଦୃଷ୍ଟିରେ ତା’ର ପ୍ରସାଧିତ ପୂର୍ଣ୍ଣ ଦେହର ସ୍ପର୍ଶ କାମନା କରୁଚନ୍ତି ।

 

ଶୁକ୍ଳା ଚତୁର୍ଥୀର ଚନ୍ଦ୍ର ଅସ୍ତ ହେଲା, ଅସ୍ତ ହେଲା ବୁକେ ଘେନି ଅତୃପ୍ତ କାମନା । ଦୁରୁଦୁରୁ କମ୍ପି ଉଠିଲା ପିଙ୍ଗଳାର ହୃଦୟ । ମଣିପୁରର ମାଣିକ୍ୟଦ୍ୟୁତି ଅସହ୍ୟ ବୋଧ ହେଉଚି ଯେପରି । ସେମାନେ କି ଉପହାସ କରୁଚନ୍ତି ପିଙ୍ଗଳାକୁ ? କ୍ରୋଧଦୃଷ୍ଟି ନିକ୍ଷେପ କରି ପିଙ୍ଗଳା ତ୍ରସ୍ତପଦରେ ଅଗ୍ରସର ହେଲା ଚତୁର୍ଥ ପୁରୀ ଅଭିମୁଖେ ।

 

ଚିର ସମୀରିତ ଅନାହତପୁର ମଧ୍ୟମା । ପାଞ୍ଚାଳରାଜ, ଅଙ୍ଗରାଜଙ୍କ ଅତି ପ୍ରିୟ ପ୍ରମୋଦାଗାର । ଦ୍ଵାଦଶଦଳ ପଦ୍ମ-ଧ୍ଵଜରେ ଶୋଭିତ ଭବନଶୀର୍ଷ । ମକରକେତନ ସଦୃଶ ସେ ଧ୍ଵଜା ମୁନିର ମାନସବିଭ୍ରମ ସୃଷ୍ଟି କରେ । ଏଇ ଭବନରେ କେତେ ରାତି କେତେ ତାପସର ତପୋଭଙ୍ଗ କରିଚି ପିଙ୍ଗଳା, ନିଜେ ଅବତୀର୍ଣ୍ଣ ହେଇଚି ଉର୍ବଶୀ, ରମ୍ଭା ମେନକା, ବିଦ୍ୟୁପୂର୍ଣ୍ଣାର ଭୂମିକାରେ । ତପୋଭଙ୍ଗରେ ତାପସ ନୟନର ବହ୍ନି ସେ ଦେଖିନି କେବେହେଲେ, ଦେଖିଚି କାମନାର ଆଲୋକ, ଅନୁରାଗର ଦୀପ୍ତି । ରିକ୍ତ ଅବଧୂତକୁ ଜୟ କରି ବିଜୟର ଉଲ୍ଲାସ ଅନୁଭବ କରେ ପିଙ୍ଗଳା । କିନ୍ତୁ ଆଜି ଭିଖାରି, ରିକ୍ତ ଅବଧୂତକୁ ସେ କାମନା କରୁନି, ତା’ର ଲକ୍ଷ୍ୟ ଆଜି ଧନପତି ଅଙ୍ଗରାଜ । ‘ପ୍ରାଣେଶ’କୁ ସେ ଆଜି ଚାହେଁ ପ୍ରାଣପତି ରୂପରେ ।

 

ସ୍ଵୀୟ ଅଙ୍ଗରେ ଅପାଙ୍ଗ ଦୃଷ୍ଟି ବୁଲାଇ ନିଏ ପିଙ୍ଗଳା । କଣ୍ଠହାର, କାଞ୍ଚୀ ଯଥା ସନ୍ନିବିଷ୍ଟ । ସାତସୋରି ହାରର ଦୁଇଟି ସୋରା ସ୍ଵଚ୍ଛ ଝରଣା ଭଳି ଯେପରି ଉନ୍ନତ ପାହାଡ଼ ଭେଦ କରି ଅବତରଣ କରୁଚି । ହସ୍ତ-ଦର୍ପଣରେ ସେ ଚକିତରେ ନିଜର ମୁଖ, କେଶପାଶ ଦେଖିନିଏ । ଟିକିଏ ଶିଥିଳ ହେଇଚି କବରୀ, ଚୂର୍ଣ୍ଣକୁନ୍ତଳ କର୍ଣ୍ଣାନ୍ତରେ ବିଞ୍ଚି ହେଇ ଯାଇଚି । ନିମେଷେ କେଶ ବିନ୍ୟାସ କରି ନିଏ ସେ । ଅଧରର ତାମ୍ବୁଳ ରାଗ କିଞ୍ଚିତ୍ ମ୍ଳାନ । କରଙ୍କରୁ ଖଣ୍ଡିଏ ସୁବାସିତ ଖିଲି ପାନ ପାଟିରେ ପୂରାଏ ପିଙ୍ଗଳା । ମୁହୂର୍ତ୍ତକରେ ରକ୍ତରାଗ ବିସ୍ତୃତ ହୁଏ ଅଧରରେ, ଗଣ୍ଡ ଦେଶରେ । ବଙ୍କିମ ଭ୍ରୂଯୁଗଳ ଅନଙ୍ଗର ଉଦ୍ୟତ ଧନୁ, କଟାକ୍ଷ କୁସୁମଶର । ଅନାହତପୁରର ବହିର୍ଦ୍ୱାରରେ ଠିଆ ହୁଏ ଅନଙ୍ଗମୋହିନୀ । ମନୋଜବ ପଞ୍ଚାଶ୍ୱରଥାରୂଢ଼ ହେଇ କିଏ ଆସୁଚି ପରା ! ହଁ, ପଞ୍ଚଅଶ୍ଵ ଯୋଜିତ ରଥ । ପିଙ୍ଗଳା ସମ୍ମୁଖରେ ଆସି ଝାଙ୍କି ହେଇ ଠିଆ ହେଲା । ଗୋଟାଏ ଚଞ୍ଚଳ ଗତି ଯେପରି ସ୍ତବ୍ଧ ହେଇଗଲା ଆଖିର ପଲକରେ । ରଥରୁ ଅବତରଣ କରୁଚନ୍ତି ପାଞ୍ଚାଳରାଜ ‘ମାନସ’-। ସର୍ବାଙ୍ଗରେ ବିଦ୍ୟୁତ ତରଙ୍ଗ–ଚପଳମତି ପାଞ୍ଚାଳପତି ସଂକଳ୍ପ-ବିକଳ୍ପରେ ଚିର-ଅସ୍ଥିର-। ବଦନ, ନୟନ, ବକ୍ଷ, ଚରଣ–ସର୍ବତ୍ର ସେଇ ଚାଞ୍ଚଲ୍ୟର ତରଙ୍ଗ । ବହୁ ବିସ୍ତୃତ ତାଙ୍କର ରାଜ୍ୟ, ବହୁ ବିସ୍ତୃତ କ୍ଷମତା । ପଞ୍ଚ ଚର, ପଞ୍ଚ କର୍ମାଧ୍ୟକ୍ଷ–ପଞ୍ଚେ ପଞ୍ଚୀକୃତ ପାଞ୍ଚାଳ ରାଜ୍ୟ । ‘ଚାରୈଃ ପଶ୍ୟନ୍ତି ରାଜାନଃ’–ପାଞ୍ଚାଳରାଜ ତା’ର ପ୍ରତ୍ୟକ୍ଷ ଦୃଷ୍ଟାନ୍ତ । ଅତି ଧୂର୍ତ୍ତ ଛ’ ଜଣ ମନ୍ତ୍ରୀ କିନ୍ତୁ ଅତି ବିଶ୍ଵସ୍ତ-। ରାଜା ହେଇ ମଧ୍ୟ ପାଞ୍ଚାଳ ରାଜ ଏଇ ଷଡ଼ମନ୍ତ୍ରୀର ଅଧୀନ । ମର୍ତ୍ତ୍ୟର ଇନ୍ଦ୍ର ଯେପରି ପାଞ୍ଚାଳେଶ୍ଵର-। ଇନ୍ଦ୍ର ପରିହିଁ ଭୋଗୀ, ଇନ୍ଦ୍ର ପରି ପ୍ରତାପଶାଳୀ । ଅସୀମ ତାଙ୍କର କ୍ଷମତା । ଇଚ୍ଛା କଲେ ସୃଷ୍ଟିକୁ ସେ ନରକରେ ପରିଣତ କରି ପାରନ୍ତି, ପୁଣି ଇଚ୍ଛା କଲେ ସ୍ଵର୍ଗ କରି ପାରନ୍ତି ନରକକୁ-। ସବୁ କିଛି ନିର୍ଭର କରେ ତାଙ୍କର ଇଚ୍ଛା ଉପରେ । ସୃଷ୍ଟିର ଅମୃତ ଓ ଗରଳ–ଉଭୟ ତାଙ୍କର କରାୟତ୍ତ-

 

ନାଗରବୃତ୍ତିରେ ମଧ୍ୟ ନିପୁଣ ପାଞ୍ଚାଳରାଜ । ତରଃଷଷ୍ଠୀ କଳାର ସେ ଅଧୀଶ୍ଵର । ଅସମ୍ଭବ କଳ୍ପନା ଓ ଅଘଟନ ଘଟନ-ପଟୀୟସୀ କଳ୍ପନା ତାଙ୍କର ଇଙ୍ଗିତର ଦାସୀ । ସୁଦକ୍ଷ ଶିଳ୍ପୀ ଭଳି ସେ ବାକ୍‍ଚତୁର । କଳ୍ପନା କରି ଏପରି ଗଳ୍ପ ରଚନା କରନ୍ତି ଯେ ତାହା ମିଥ୍ୟା ବୋଲି କହି ହୁଏନି । ମଣିଷର ମନସ୍ତତ୍ତ୍ୱ ତାଙ୍କର ନଖଦର୍ପଣରେ । ଲୋକେ କହନ୍ତି, ସତ୍ୟଯୁଗରେ ସେ ହିଁ କୁଆଡ଼େ ଥିଲେ ଆଜି ‘କବିର୍ମନୀଷୀ’ ।

 

ପାଞ୍ଚାଳରାଜ ମାନସଙ୍କ ଏ କବିତ୍ଵ ପିଙ୍ଗଳା ଉପଭୋଗ କରିଚି ଅନେକ ଦିନ । ଅନେକ ଉତଳା ମାଧବୀ ରାତିରେ ମାନସଙ୍କ ସରସ ପ୍ରଣୟଭାଷଣରେ ମୋହିତ ଓ ପୁଲକିତ ହେଇଛି ପିଙ୍ଗଳା । ଲୁବ୍ଧ ଚିତ୍ତରେ ବାକ୍ୟସୁଧା ପାନ କରି ମଧ୍ୟ ତୃପ୍ତ ହେଇନି । କିନ୍ତୁ ଆଜି କବିତ୍ଵର ପିଙ୍ଗଳାର ପ୍ରୟୋଜନ ନାଇଁ । ଯେତେ ଅପ୍ରୟୋଜନର ବୋଝ ସ୍ତୂପୀକୃତ କରେ କବି । ମିଥ୍ୟାର ଫାନୁସ ରଚନାରେ ସେମାନେ ଅଦ୍ଵିତୀୟ । ବସ୍ତୁ ନୁହେଁ, ଅବସ୍ତୁ ନେଇ ସେମାନଙ୍କର କାରବାର । ପଣ୍ୟାଙ୍ଗନା ପିଙ୍ଗଳା, କାମ୍ୟ ତା’ର ପଣ୍ୟ । ବାଣୀ ବରପୁତ୍ର ନୁହେଁ, ଆଜି ଲକ୍ଷ୍ମୀ ବରପୁତ୍ରରେ ତା’ର ଆସକ୍ତି । ଐଶ୍ୱର୍ଯ୍ୟ ପାଞ୍ଚାଳରାଜଙ୍କର ମଧ୍ୟ ଅଛି, କିନ୍ତୁ ଅଙ୍ଗରାଜଙ୍କ ତୁଳନାରେ ତାହା ନଗଣ୍ୟ । ପାଞ୍ଚାଳ ତ ଅଙ୍ଗର କରଦ ରାଜ୍ୟ । ପିଙ୍ଗଳା ଇଚ୍ଛା କରି କୌଣସି ସଙ୍କେତ କରେନି, ନୀରବରେ ଠିଆ ହୋଇ ରହେ ।

 

ପ୍ରଗଳ୍‍ଭ ପାଞ୍ଚାଳରାଜ ଆସି ଠିଆ ହେଲେ ପିଙ୍ଗଳା ସମ୍ମୁଖରେ । ମୁରୁକି ହସି କହିଲେ, ‘କି ଗୋ, ଆଜି ଯେ ରାଜରାଜେଶ୍ଵରୀର ବେଶ ! କେଉଁ କନ୍ଦର୍ପର ଦର୍ପ ହରଣ କରିବି ? କଦର୍ପ ତ ଭସ୍ମ ହେଇଚି ଅନେକ ଦିନରୁ । ଅନଙ୍ଗ ଆଜି ଆଶ୍ରୟ ନେଇଚନ୍ତି ଆମମାନଙ୍କ ଅଙ୍ଗରେ । ଟିକିଏ ଦୃଷ୍ଟି ଢାଳ ସଜନି !’

 

ଉତ୍ତର ଦିଏନି ପିଙ୍ଗଳା । ଦୁରାଶାର ନିଃସୀମ ସାଗରରେ ଦୋଳାୟିତ ତା’ର ମନ । ହୁଏତ ସେ ଶୁଣିବାକୁ ପାଇଲାନି ମାନସ କଥା । ସେ ଭାବେ, ବଙ୍କିମଚନ୍ଦ୍ରଟା କୁଆଡ଼େ ଗଲା ? ନୟନରେ ତା’ର ଏବେବି କ’ଣ ଅଛି ରତ୍ନାକରର ସ୍ଵପ୍ନ ? ଅସ୍ତ ସୀମାରେ ରତ୍ନାକର କି ତାକୁ ବକ୍ଷ ଉପରକୁ ଟାଣି ନେଇଚି ?

 

ଅପ୍ରସ୍ତୁତ ପାଞ୍ଚାଳରାଜ କଣ୍ଠର ରତ୍ନାହାର ଅର୍ଘ୍ୟ ଭଳି ହସ୍ତରେ ଧାରଣ କରି କହିଲେ, ‘ଏଷ ଅର୍ଘଃ’–ବାକ୍ୟ ଶେଷ ହେବା ପୂର୍ବରୁ ସଙ୍କୋଚରେ ଘୁଞ୍ଚିଯାଏ ପିଙ୍ଗଳା । ଆହୁରି ମହାର୍ଘ ଅର୍ଘ୍ୟ ଆଜି ତା’ର କାମ୍ୟ । ଖାଲି ରତ୍ନହାର ଆଜି ତୁଚ୍ଛ । ଅମରାବତୀର ଇନ୍ଦ୍ର ମାୟା ତା’ର ଅନ୍ତରରେ । ଅଙ୍ଗପଣ୍ୟରେ ଆଜି ଇନ୍ଦ୍ରାଗାର ଜୟ କରିବ ସେ । ବାରାଙ୍ଗନା ଅଲୁବ୍ଧା ନୁହେଁ କେଉଁକାଳେ ହେଲେ–ଆଜି ଅନ୍ତହୀନ ଲୋଭ, ଅପରିମେୟ ଆଶା ।

 

ଉପେକ୍ଷାରେ କ୍ଷୁବ୍ଧ ହୁଅନ୍ତି ପାଞ୍ଚାଳରାଜ । କିନ୍ତୁ ତାହା ମୁହୂର୍ତ୍ତକ ପାଇଁ । ଚନ୍ଦ୍ରବଂଶରେ ତାଙ୍କର ଜନ୍ମ । ରସାଧାର ଯେପରି ସୋମ, ସେଭଳି ରସରେ ପୂର୍ଣ୍ଣ ତାଙ୍କ ମନର ମନ । ସରସ ଏକ ବ୍ୟଙ୍ଗ ସୋଚ୍ଚାର ହୁଏ ତାଙ୍କର କଣ୍ଠରେ : ‘ପତିବ୍ରତା ସୂର୍ଯ୍ୟପ୍ରିୟାର ଆଜି ବୋଧହୁଏ ପତି-ପ୍ରସାଦନ ବ୍ରତ । ପତିତାର ଏତେ ପତିପ୍ରାଣତା ! ଆଶ୍ଚର୍ଯ୍ୟ, ଆଗରୁ ଜାଣି ପାରିଲିନି ।’

 

ବିଦଗ୍ଧା ବାରାଙ୍ଗନା ପିଙ୍ଗଳା । ବାଚାବୈଦଗ୍‍ଧ୍ୟ ତା’ର ମଧ୍ୟ ଅସାମାନ୍ୟ । ପ୍ରତ୍ୟୁତ୍ତର ଦେବାରେ ତିଳାର୍ଦ୍ଧେବି ବିଳମ୍ବ ହୁଏନି :

 

‘ପତିପ୍ରାଣତାହିଁ ତ ବହୁପତିକ ପତିତାର ଧର୍ମ । ସେ ତ ଏକବୀରା ନୁହେଁ, ବହୁବୀରା ।’

 

‘କେଉଁ ଭାଗ୍ୟବାନ ବୀର ଆଜି ବୀରବଧୂକୁ ବ୍ରତାଚାରିଣୀ କରିଚି, ସେଇଟା ହେଇଚି ପ୍ରଶ୍ନ ।’

 

‘ସେ ଯିଏ ହୁଅନ୍ତୁ, ଅନ୍ତତଃ ଆଜିର ରାତିରେ ସେ ଚନ୍ଦ୍ର ବଂଶଜ ନୁହନ୍ତି ।’

 

‘ଠିକ୍ ଧରିଚି । ସୂର୍ଯ୍ୟମୁଖୀର ଅନ୍ତରେ ଆଜି ସୂର୍ଯ୍ୟର ଧ୍ୟାନ । କିନ୍ତୁ, ଆଗୋ ତପନପ୍ରିୟା, ନିଶୀଥରେ ଯେ ନିଶାକରରହିଁ ଏକାଧିକାର ।’

 

‘ନିଶାକରର ସେ ଏକାଧିକାର, ତୁମେ ଅବଶ୍ୟ ଜାଣ, ଦିବାକରର କୃପାରୁ । କରଦ ପାଞ୍ଚଳ–ସେ କଥା କି ଭୁଲି ଯାଉଚ ?’

 

ଆହତ ପାଞ୍ଚାଳରାଜ ମୁହୂର୍ତ୍ତକରେ ବୁଝି ପାରିଲେ କଟାକ୍ଷ । କାମାନ୍ଧ କ୍ରୋଧାନ୍ଧ ହୁଏନି ବୋଲି ନୁହେଁ । କିନ୍ତୁ କାମମୋହିତର କ୍ରୋଧ କାପୁରୁଷର କ୍ରୋଧ ଭଳି; ନିଜର ଅଙ୍ଗଲଗ୍ନ ହେଇ ଅଙ୍ଗରେହିଁ ନିର୍ବାଣ ଲାଭ କରେ । ତଥାପି ଅନ୍ତିମ ଚେଷ୍ଟା କଲେ ପାଞ୍ଚାଳରାଜ :

 

‘ପଣ୍ୟେ କ୍ରେୟ ପଣ୍ୟାଙ୍ଗନା । ସେ ଯେକୌଣସି ପଥିକର ଭୋଗ୍ୟା । ସ୍ଵୈରିଣୀ ସରୋବରରେ ଅବଗାହନ କରିବାର ଅଧିକାର ସମସ୍ତଙ୍କର–ହେଉ ସେ ରାଜା, ହେଉ ସେ ପ୍ରଜା, କିମ୍ବା କରଦରାଜ ।’

 

‘କିନ୍ତୁ ମାନସ ସରୋବରରେ ଅବଗାହନ କରିବାର ଅଧିକାର କେବଳ ରାଜହଂସର । ପୁଷ୍ପିତ ସହକାରକୁ ତ୍ୟାଗ କରି କେଉଁ ମଧୁକରୀ ଅପୁଷ୍ପ ବୃକ୍ଷକୁ କି ଭଜନା କରେ ?’

 

‘ଆଜି ତ ଖୁବ୍ ବଡ଼ବଡ଼ କଥା ଶୁଣୁଚି ତୁମ ମୁହଁରୁ ।’

 

‘ସେ ତ ତୁମମାନଙ୍କରହିଁ ଦାନ । ଆଲୋକ ଓ ଅନିଳ ଦେଇ ଆଶାର ମୁକୁଳକୁ ପୂର୍ଣ୍ଣ ପ୍ରସ୍ଫୁଟିତ କରିଚ ତୁମେମାନେ । ଅଶେଷ ଧନ୍ୟବାଦ ।’

 

ପିଙ୍ଗଳାର କଣ୍ଠସ୍ୱର ଯେପରି କମ୍ପିତ ହେଉଚି । ପାଞ୍ଚାଳରାଜ ବୁଝନ୍ତି, ଆଜି ଆଉ ଆଗେଇବାରେ ଫଳ ନାଇଁ । ହୁଏତ ପିଙ୍ଗଳା ବାଗ୍‍ଦତ୍ତା । ସେଥିରେ ଦୁଃଖ ବା କ’ଣ ? ଚଞ୍ଚଳ ପୁରୁଷ ଚିରସ୍ୱାଧୀନ । ସ୍ଵେଚ୍ଛାଚାରିଣୀ ନାରୀ ଅପେକ୍ଷାବି ସ୍ୱାଧୀନ । ସେମାନଙ୍କର ନିମନ୍ତ୍ରଣ ଅନେକ ରୂପର ମହଲରେ । ପିଙ୍ଗଳା ପ୍ରତ୍ୟାଖ୍ୟାନ କରିଚି, କରୁ; ସେ ଯାଇ ଇଡ଼ାକୁ ବରଣ କରିବେ । ଇଡ଼ା ନହେଲା ତ ଅଛି ଗାନ୍ଧାରୀ । ଆହୁରି ମଧ୍ୟ ଅଛନ୍ତି କୁହୁ, ଶଙ୍ଖିନୀ, ବାରୁଣୀ, ଅଳମ୍ବୁଷା । ନାରୀର ଅଭାବ କ’ଣ ? ବିଦେହ ନଗର, ଅଙ୍ଗ ଓ ପାଞ୍ଚାଳରେ ‘ସାର୍ଦ୍ଧ ଲକ୍ଷତ୍ରୟ’ ସଙ୍କେତୋପଜୀବିନୀ । ସମସ୍ତେ ପିଙ୍ଗଳା ପରି ଦୁରାଶା ପୋଷଣ କରନ୍ତିନି । ପାଞ୍ଚାଳରାଜ ଆଉ କାଳବିଳମ୍ବ ନକରି ପଞ୍ଚଅଶ୍ୱବାହିତ ମନୋଜବ ରଥରେ ଆରୋହଣ କଲେ । ନେତ୍ର ପଲକରେ ରଥ ଅଦୃଶ୍ୟ ହେଇଗଲା ।

 

କ’ଣ ହେଉଚି ପିଙ୍ଗଳାର ? କାହିଁକି ଏତେ ଅସ୍ଵସ୍ତି ? ପାଞ୍ଚାଳରାଜ ମାନସ । କେତେଦିନ ପିଙ୍ଗଳା ତାଙ୍କୁ କାମନା ନ କରିଚି ! ଯେଉଁଦିନ ସେ ଆସିଚନ୍ତି, ପିଙ୍ଗଳା ଅନ୍ୟ ନାଗରକୁ ବିଦାୟ କରି ଦେଇଚି ସଙ୍କେତ ବାକ୍ୟରେ । ତାଙ୍କର ସ୍ପର୍ଶରେ ଉନ୍ମାଦ ହେଇ ଉଠିଚି ପିଙ୍ଗଳା, ରକ୍ତକଣାରେ ଯେପରି ମାତାଲ ଢେଉ । ତାଙ୍କର କବିତ୍ୱରେ ସ୍ୱପ୍ନରେ ବିଭୋର ହେଇଚି ସେ–ନୟନରେ ରୂପଲୋକର ମୋହ । ଚଞ୍ଚଳକୁ ବଶ କରି ଗଭୀର ଆତ୍ମପ୍ରସାଦ ଲାଭ କରିଚି ପିଙ୍ଗଳା । ଆଜି ଅତି ଲୋଭର ବଶବର୍ତ୍ତୀ ହେଇ ପିଙ୍ଗଳା ଏ କ’ଣ କଲା ! ଅନ୍ୟମନସ୍କ ହେଇ ପଡ଼େ ବିଶ୍ଵମୋହିନୀ ।

 

ରାତ୍ରି ପ୍ରଥମ ପ୍ରହର ଅତୀତ ହେଇ ଯାଇଚି । ରାଜପଥରେ ବିରଳ ଜନସମାଗମ । ମଝିରେ ମଝିରେ ଆସୁଚନ୍ତି ଜଣେ, ଦିଜଣ; ସଙ୍କେତ କରିବା ଭଳି ପଥିକ ସେମାନେ ନୁହନ୍ତି । ଆଜି ପିଙ୍ଗଳା କାମନା କରିଚି ଅଙ୍ଗରାଜଙ୍କୁ । କାହାନ୍ତି ସେ, ତା’ର କାମନାର ସ୍ୱପ୍ନ ? ପିଙ୍ଗଳାର ଆଶା ଚଞ୍ଚଳ ହେଇ କମ୍ପୁଚି ରାଜପଥର ଦୀପାଲୋକ ଭଳି । ସେମାନେ ମଧ୍ୟ ପ୍ରତୀକ୍ଷାବ୍ୟାକୁଳ ଉତ୍କଣ୍ଠିତା ନାୟିକା । କାହାର ଧ୍ୟାନ ସେମାନଙ୍କ ବକ୍ଷରେ ? ପତଙ୍ଗ ? କାମୋନ୍ମତ୍ତ ହେଇ ଯିଏ ବିଦଗ୍ଧ ହୁଏ ରୂପର ବହ୍ନିରେ ? ପିଙ୍ଗଳାର ମନେ ହୁଏ, ପ୍ରଦୀପ ପତଙ୍ଗ-ପ୍ରିୟା ନୁହେଁ, ପ୍ରଦୀପ ଅନ୍ତରରେ ଦୂରାକାଶର ଚନ୍ଦ୍ର ତାରକାର ଧ୍ୟାନ । ସେଇ ଚନ୍ଦ୍ର ତାରକା କି ବାସ୍ତବ ମୂର୍ତ୍ତି ଧରି ଓହ୍ଲାଇ ଆସିଚନ୍ତି କେବେ ? ଆସି ନାହାନ୍ତି । ତଥାପି ତ ଆଶାହତ ହେଇନି ପ୍ରଦୀପ । ଅନନ୍ତକାଳ ଧରି ଯେପରି ପ୍ରତୀକ୍ଷା କରୁଚନ୍ତି ସେମାନେ ।

 

ପିଙ୍ଗଳାର ସନ୍ଧାନୀ ଦୃଷ୍ଟି ଆହୁରି ତୀବ୍ରତର ହୁଏ । ପ୍ରଦୀପଶ୍ରେଣୀ ଉତ୍ତୀର୍ଣ୍ଣ ହେଇ ଦୃଷ୍ଟି ଯାଇ ପଡ଼େ ଦୂର ଅନ୍ଧକାର ଉପରେ । ଅନ୍ଧକାର–ସୃଷ୍ଟିକର୍ତ୍ତା ବିଧାତାର ତାମସୀ ତନୁ । ସିସୃକ୍ଷୁ ବିଧାତା କୁଆଡ଼େ ବହୁବାର ତନୁ ତ୍ୟାଗ କରିଚନ୍ତି । ଅବୁଦ୍ଧିପୂର୍ବକ ଯେବେ ସୃଷ୍ଟି କରିବାକୁ ଉଦ୍ୟତ ହେଇଚନ୍ତି, ସୃଷ୍ଟି ହେଇଚି ଘୋର ତାମସୀ । ସେ ସୃଷ୍ଟି ସୃଷ୍ଟିର ବ୍ୟଭିଚାର, ଅମଙ୍ଗଳର ନିଦାନ । କ୍ଷୁବ୍ଧ ହେଇଚନ୍ତି ବିଧାତା, ତ୍ୟାଗ କରିଚନ୍ତି ଅଶୁଚି ତନୁ । ବିଧାତାର ସେଇ ପରିତ୍ୟକ୍ତ ତନୁହିଁ ସନ୍ଧ୍ୟା, ଦୋଷା, ନିହାରମୟ ତମଃ । ଅନ୍ଧକାର ସେଇ ତାମସୀ ତନୁର ଆଉ ଏକ ପ୍ରତିରୂପ । ପୁଂଶ୍ଚଳୀ ତମସା–ପ୍ରେତ-ପିଶାଚ ଭୋଗ୍ୟା । ବକ୍ଷରେ ତା’ର ରାକ୍ଷସୀ କ୍ଷୁଧା । ବିକଟ ଗ୍ରାସ ମେଲି ଧରିଚି ପୃଥିବୀ ଆଡ଼କୁ । ଲୋଭର ବିଶ୍ୱଗ୍ରାସୀ ରୂପ ଦେଖି ନିଜ ଅନ୍ତରରେ ନିଜେହିଁ ଶିହରି ଉଠେ ପିଙ୍ଗଳା-। ତା’ର ଆଶା ମଧ୍ୟ କ’ଣ ଏପରି କଦର୍ଯ୍ୟ, ଏପରି ସର୍ବଗ୍ରାସୀ !

 

ମଧ୍ୟମାପୁରୀ ଆଉ ଭଲ ଲାଗୁନି ପିଙ୍ଗଳାକୁ । ପ୍ରମୋଦଭବନର ପରିବର୍ତ୍ତନହୀନ ଅନାହତ ମୂର୍ଚ୍ଛନା ଅତ୍ୟନ୍ତ ଅସ୍ଵସ୍ତିକର । ଦ୍ଵାଦଶଦଳ କମଳର ସୁଉଚ୍ଚ ଧ୍ଵଜାଟା ଦେଖା ଯାଉଚି ଯେପରି ଦୈତ୍ୟ ଭଳି । ଆକାଶକୁ ଯେପରି ସ୍ପର୍ଶ କରିବାକୁ ଉଦ୍ୟତ ହେଇଚି । କି ସ୍ପର୍ଦ୍ଧା ! କାହିଁ ଆକାଶ, ଆଉ କେଉଁଠି ଏ ପତାକା ! ନା, ପାଞ୍ଚାଳରାଜ ମାନସକୁ ଉପେକ୍ଷା କରିବା ଉଚିତ ହେଇନି ପିଙ୍ଗଳାର । ଏତେ ଆଶା କି ଭଲ ? ଯଦି ଅଙ୍ଗରାଜ ପ୍ରାଣେଶ ଆଜି ନ ଆସନ୍ତି ? ବିଦେହ ନଗରରେ ରୂପୋପଜୀବିନୀ ସେ ତ ଜଣେ କେବଳ ନୁହେଁ । ଗାନ୍ଧାରୀ, ଶଙ୍ଖିନୀ, କୁହୁ–ସର୍ବୋପରି ରହିଚି ଇଡ଼ା, ତା’ର ସହୋଦରା । ଆଶଙ୍କାରେ ଧଡ଼ଧଡ଼ ହୁଏ ପିଙ୍ଗଳାର ହୃଦୟ ।

 

ରାତ୍ରିର ଦ୍ଵିତୀୟ ପ୍ରହର । ଏଇ ପ୍ରହର ଭୋଗୀର ସମ୍ଭୋଗକାଳ । ଶିଶୁ ସନ୍ଧ୍ୟାରେହିଁ ଶୋଇ ପଡ଼େ । ବୃଦ୍ଧ ଦ୍ୱିତୀୟ ଶିଶୁ–ଭୋଗ ପ୍ରତି ବୀତସ୍ପୃହ । ଶିଶୁ ଭଳି ଶଯ୍ୟାର ଆଶ୍ରୟ ନିଏ ସନ୍ଧ୍ୟାରେ ଜରାତୁର । ତା’ର ଚନ୍ଦ୍ରାଚ୍ଛନ୍ନ ନୟନର ଅନ୍ଧକାରର ଦୁଃସ୍ୱପ୍ନ, ଭୋଗପ୍ରହରରେ କାଳର ଘଣ୍ଟା ଶୁଣି ଚମକି ସେ ଉଠେ । କିନ୍ତୁ ଭୋଗୀ ଅତନ୍ଦ୍ର ଭାବରେ ଜାଗ୍ରତ ରହେ ଏଇ ଦ୍ଵିତୀୟ ପ୍ରହରରେ । ବାରାଙ୍ଗନା କିମ୍ଵା ବାରାଙ୍ଗନା କାହା ଆଖିରେ ନିଦ ନାଇଁ । ଭୋଗପ୍ରମତ୍ତର ଦେହରେ ଉତ୍ତେଜନା, ଅନ୍ତରେ କାମନାର ନୃତ୍ୟ, ନୟନରେ ରଙ୍ଗର ମଶାଲ । ବାହାରେ ଅନ୍ଧକାର, ଭିତରେ ଉଲ୍ଲାସର ଦୀପ୍ତି । ମଧୁକଣ ସଦୃଶ କାମ, ମାଧ୍ଵିକ ମଧୁ ଭଳି ମୋହକର । ହୃଦୟରେ ଅଶ୍ଳିଷ୍ଟ ହୃଦୟ, ବିଶ୍ଳିଷ୍ଟ ବହିର୍ଜଗତ ।

 

ଦାରୁଣ ଅସ୍ୱସ୍ତି ବୋଧକରେ ପିଙ୍ଗଳା । ସେ ଭାବିବାକୁ ଚେଷ୍ଟା କରେ । ଗାନ୍ଧାରୀ, ଅଳମ୍ବୁଷା, କୁହୁ–ସେମାନେ କ’ଣ ଆଜି ରାତି ପିଙ୍ଗଳା ଭଳି ନିଃସଙ୍ଗ ? ନିଃସଙ୍ଗ କାହିଁକି ହେବେ ? ଆସଙ୍ଗ କାମନାରେ ସେମାନେ ହୁଏତ ଏତେବେଳକୁ ବରଣ କରି ନେଇ ସାରିଥିବେ ଦେବଦତ୍ତ କିମ୍ଵା ଧନଞ୍ଜୟକୁ । ସେମାନଙ୍କର ପ୍ରମୋଦ କକ୍ଷରେ ଚାଲିଥିବ ଉଲ୍ଲାସର କଳରୋଜ । କୃକରକେତୁର ହାଇ ହୁଏତ ଶାନ୍ତ ହେଇଚି ଶଙ୍ଖିନୀର ବାହୁବେଷ୍ଟନରେ । ଇଡ଼ା ? ପିଙ୍ଗଳାର ପ୍ରତିଦ୍ୱନ୍ଦ୍ୱିନୀ ସହୋଦରା ? ହୁଏତ ପାଞ୍ଚାଳରାଜ ମାନସର ପଞ୍ଚାଶ୍ୱବାହିତ ଆଜାନେୟ ରଥ ତା’ର ଦ୍ଵାରରେହିଁ ବିଶ୍ରାମ ଘେନିଚି । ଲୋକେ କହନ୍ତି, ଅସାଧାରଣ ଗୁଣବତୀ ଇଡ଼ା । ତା’ର ତୁଳନାରେ ପିଙ୍ଗଳା କୁଆଡ଼େ କ୍ରୂରା, ଛଳନାମୟୀ । ଉପେକ୍ଷିତ ଶତ୍ରୁମାନେ ରଟନା କରନ୍ତି, ପିଙ୍ଗଳା ମାୟାବିନୀ–ବଶୀକରଣ, ଆକର୍ଷଣ, ଏପରି କି ମାରଣକର୍ମରେ ମଧ୍ୟ ସେ କୁଆଡ଼େ ଯାଦୁବିଦ୍ୟା ପ୍ରୟୋଗ କରେ ।

 

ଅନ୍ତଃକର୍ଣ୍ଣରେ ପିଙ୍ଗଳା ଶୁଣିବାକୁ ପାଏ ଶତ୍ରୁର ଦୁରୁକ୍ତି । ଈର୍ଷାରେ ଉନ୍ମାଦ ହେଇ ଉଠେ ସେ । ଅତୃପ୍ତ କାମନା ବୁଭୁକ୍ଷୁ ପିଶାଚୀ ଭଳି ଆଖି ହାଲୁହାଲୁ କରେ–ହୃଦୟରେ ଗର୍ଜନ କରେ କ୍ଷୁଧାତୁର ବାଘିନୀ । ଦୁରନ୍ତ ଆକ୍ରୋଶରେ ଓଷ୍ଠାଧର ଦଂଶନ କରେ ସେ । ଅଙ୍ଗରାଜ କି ଆସିବେନି ତାହାହେଲେ ? ରାତ୍ରିର ଭୋଗ-ପ୍ରହର ଅତୀତ ହେଇ ଯାଉଚି ଯେ ! ହତାଶାର ବିକ୍ଷୋଭରେ କଣ୍ଠ, ତାଳୁ ଶୁଷ୍କ ମନେହୁଏ ।

 

ସତରେ ଏଥର ପିଙ୍ଗଳା ଭୟ ପାଏ । ପଣ୍ୟାଙ୍ଗନାର ଅମିତ ପଣ୍ୟଲିପ୍ସା ତା’ର ଭିତରେ ବ୍ୟର୍ଥତାର ଗୋଟାଏ ହାହାକାର ଜାଗ୍ରତ କରେ । ବ୍ୟର୍ଥ ତାହାହେଲେ ଏ ରୂପ, ବ୍ୟର୍ଥ ଅଙ୍ଗସଜ୍ଜା ? ଉନ୍ନତ ପୀନବକ୍ଷ ପିଙ୍ଗଳାକୁ ଯେପରି ବ୍ୟଙ୍ଗ କରୁଚି, କଟିଦେଶରେ କାଞ୍ଚୀର ନିକ୍ୱଣ ଯେପରି ଉପହାସ କରୁଚି । ନୂପୁର-ଶିଞ୍ଜିନୀରେ ଗୁଞ୍ଜରିତ କି ବକ୍ରଶ୍ଳେଷ ? ପିଙ୍ଗଳାର ମସ୍ତିଷ୍କରେ ନିଆଁ ଧରିଯାଏ ।

 

ଆଉ ଭାବି ପାରୁନି ସେ । ଅଦୂରରେ ପୁରନ୍ଧ୍ରୀ ପୁରୀ–ଲୋକେ ଆଦର କରି କହନ୍ତି, ‘ସୁଷୁମ୍ନା’ ପୁରୀ । ଶାନ୍ତିର ଶୁଭ୍ରାଲୋକରେ ଉଦ୍ଭାସିତ ସର୍ବଶୁକ୍ଳା ପୁଣ୍ୟମୟୀ ପୁରୀ ପ୍ରଶାନ୍ତ, ସଦାନନ୍ଦ-। ଅନ୍ଧକାରରେ ମଧ୍ୟ ଦେଖାଯାଉଚି ଗୃହପ୍ରଦୀପର ଶାନ୍ତ ଶିଖା । କି ସ୍ନିଗ୍ଧ, କି ଶୀତଳ ! ପୁଣ୍ୟବତୀ ପୁରନ୍ଧ୍ରୀ । ତା’ର ଅନ୍ତରରେ ଦୁରାଶା ନାଇଁ, ଜ୍ଵାଳା ନାଇଁ । ପୁଣ୍ୟବାନ୍ ଗୃହମେଧୀର ଏକନିଷ୍ଠ ପ୍ରେମରେ ପୂର୍ଣ୍ଣ ତା’ର ହୃଦୟ । ସୀମନ୍ତରେ ସୌଭାଗ୍ୟରେଖା–ସତୀ ନାରୀର ବିଜୟ କେତୁ-। ଅମ୍ଳାନ ତା’ର ଦୀପ୍ତି । କି ଗଭୀର ଶାନ୍ତି ! କି ସୁଗଭୀର ତୃପ୍ତି । ପୁରନ୍ଧ୍ରୀ ପୁରୀ ଆଡ଼କୁ ଚାହିଁ ସ୍ଵୈରିଣୀ ପିଙ୍ଗଳାର ନୟନ ସଜଳ ହେଇ ଉଠେ । ଏ ଆଖିରୁ କି ଲୁହ କେବେ ଝରିବ !

 

ରାତ୍ରିର ତୃତୀୟ ପ୍ରହରରେ ପିଙ୍ଗଳା ଧୀରଚରଣରେ ଆସି ଉପସ୍ଥିତ ହୁଏ ‘ଶୂନ୍ୟସଦ୍ମ’ରେ-। ସୋତ୍କଣ୍ଠ ଅଭିସାରିକାର ଉନ୍ମାଦନା ସ୍ତିମିତ ହେଇ ଆସିଚି । ଆଉ ସେ ଉତ୍ସାହ ନାହିଁ-। ଆଶା ଅଛି–ସେ ଯେପରି ଭଗ୍ନାଂଶର ଶେଷ ଆଶା, ଅତି କ୍ଷୀଣ ତା’ର ଦୀପ୍ତି । ସୋପାନଶ୍ରେଣୀ ଅତିକ୍ରମ କରି ଧୀରେ ଧୀରେ ନିର୍ଜନ ଦେହଳୀ ଉପରେ ଆସି ସେ ଠିଆ ହୁଏ ।

 

ନିମ୍ନରେ ଜନହୀନ ପଥ । ଚାଲି ଚାଲି ଶ୍ରାନ୍ତ ହେଇ ଏଥର ଶୋଇ ପଡ଼ିଚି ଯେପରି । ପଥର ଦୀପାବଳିରେ ଏକପ୍ରକାର ନିଶ୍ଚଳ ପ୍ରଶାନ୍ତି । ରାତ୍ରିର ତୃତୀୟ ପ୍ରହରରେ ଘୁମନ୍ତ ପୃଥିବୀ । ଲୋଭୀ ପୃଥିବୀ, ଆଶାତୁର ପୃଥିବୀ–ଆଶାହତ ହେଇ ଯେପରି ଶାନ୍ତ ହେଇଚି । ପୁରନ୍ଧ୍ରୀ ପୁରୀ ଗଭୀର ନିଦ୍ରାମଗ୍ନ । ସଂଯତ କାମନାର ପବିତ୍ର ହୋମାଗ୍ନିରେ ପୂର୍ଣ୍ଣାହୂତି ଦେଇ, ପୁରୋହିତ ଯେପରି ଶାନ୍ତିମନ୍ତ୍ର ଉଚ୍ଚାରଣ କରି ଶାନ୍ତି ଜଳରେ ଅଭିଷିକ୍ତ କରି ଦେଇଚି ଗୃହସ୍ଥର ଅନ୍ତର । ଏବେ ମଧ୍ୟ ଯେପରି ଶେଷ ରାଗିଣୀ ଭଳି ଝଙ୍କୃତ ହେଉଚି ତା’ର ଅନୁରଣନ–ଓଁ ଶାନ୍ତିଃ ! ଦ୍ୟୌ ଶାନ୍ତିଃ ! ପୃଥିବୀ ଶାନ୍ତିଃ ! ଅନ୍ତରୀକ୍ଷ ଶାନ୍ତିଃ !

 

ନିରାଶ ହେଲେ ଈର୍ଷା ହୁଏନି ପିଙ୍ଗଳାର । ଉଦାର-ଦୃଷ୍ଟି ପୃଥିବୀ ଛାଡ଼ି ବିସ୍ତୃତ ହୁଏ ଊର୍ଦ୍ଧ୍ଵରେ । ନିର୍ଜନତା ଏପରି ଭାବରେହିଁ ମଣିଷର ମନକୁ ଊର୍ଦ୍ଧ୍ଵଗାମୀ କରି ତୋଳେ । ନିଃସୀମ କୃଷ୍ଣ ଆକାଶ । କି ବିରାଟ ! ଆକାଶ ବକ୍ଷରେ ଅଗଣିତ ଆଶାର ଆଲୋକ । ଉଦ୍ଦାମ ନୁହେଁ, ଉଦ୍ଧତ ନୁହେଁ । ସୁସ୍ନିଗ୍ଧ, ଶାନ୍ତ । ଏଇ ତ ଚନ୍ଦ୍ର ପତ୍ନୀ ସପ୍ତବିଂଶତି ନକ୍ଷତ୍ର–ଅଶ୍ଵିନୀ, ଭରଣୀ, କୃତ୍ତିକାଦି ଷଟ୍‍ମାତୃକା । କି ଗଭୀର ତୃପ୍ତିର ହାସ ସେମାନଙ୍କ ଆନନରେ ! ସପତ୍ନୀବିଦ୍ୱେଷ ଭୁଲି ଯାଇଚନ୍ତି ସେମାନେ । ଶୂନ୍ୟାକ୍ଷ ଅଭିଜିତ୍ ନକ୍ଷତ୍ର କେଉଁଟି ? ନୟନ ବିସ୍ଫାରିତ କରି ଦେଖିବାକୁ ଚେଷ୍ଟା କରେ ପିଙ୍ଗଳା ।

 

ଦୂରରେ ସପ୍ତର୍ଷି ମଣ୍ଡଳ–ସ୍ଥିର, ଶାନ୍ତ । ସତୀ ଅରୁନ୍ଧତୀର ନୟନ କି ସ୍ନିଗ୍‍ଧୋଜ୍ଜ୍ଵଳ ! ତାକୁ ନେଇ ସପ୍ତର୍ଷି ମଣ୍ଡଳ ଗୋଟିଏ ବିରାଟ ପ୍ରଶ୍ନବୋଧକ ଚିହ୍ନ ଭଳି ରହିଚନ୍ତି । କ’ଣ ସେ ପ୍ରଶ୍ନ ? ପିଙ୍ଗଳାର ଅପରିମିତ ଆଶାର ଶେଷ କେଉଁଠି–ଜିଜ୍ଞାସ୍ୟ କି ଏହା ? କି ଉତ୍ତର ଦେବ ପିଙ୍ଗଳା ? କି ଉତ୍ତର ଦେବ ଆଶାର ସାଗରେ ନିମଗ୍ନ ପିଙ୍ଗଳା ? ସାଧ୍ଵୀ ଅରୁନ୍ଧତୀ ଆଡ଼କୁ ଚାହିଁ ପିଙ୍ଗଳାର ବକ୍ଷ ଥରିଯାଏ । ସେଆଡ଼ୁ ଯଦି ପ୍ରଶ୍ନ ହୁଏ–‘ଭାନୁମତୀ ତୁମେ, ସୂର୍ଯ୍ୟପ୍ରିୟା; କାହିଁକି ତୁମର ପତନ ହେଲା-?’ ଲଜ୍ଜାରେ ମୁଖ ଫେରାଇ ନିଏ ପିଙ୍ଗଳା । ଅନ୍ତରେ ଅନୁଶୋଚନାର ଦଂଶନ । ସ୍ୱର୍ଗସମ୍ଭବା ସେ, ସୂର୍ଯ୍ୟସ୍ଵରୂପିଣୀ; କିନ୍ତୁ ସେ ସ୍ୱର୍ଗଭ୍ରଷ୍ଟା । ବୁକୁର ଅତଳରେ ଜାଗେ ଅଶ୍ରୁ-ଉଚ୍ଛ୍ଵାସ ।

 

ସପ୍ତର୍ଷି ମଣ୍ଡଳର ପୁଚ୍ଛରେଖାରେ ଅଦୂରେ, ଠିକ୍ ଉତ୍ତରକୁ ଉଜ୍ଜ୍ଵଳ ଧ୍ରୁବ ନକ୍ଷତ୍ର । ଗୋଟିଏ ଶିଶୁ ହୃଦୟ ଭକ୍ତି ବଳରେ ଐଶୀକୃପା ଲାଭ କରିଚି । ଜ୍ୟୋତିଶ୍ଚକ୍ରରେ ଅକ୍ଷୟ ତା’ର ଆସନ । ଶାଶ୍ଵତ ଶାନ୍ତିର ପ୍ରତୀକ ଏଇ ଧ୍ରୁବତାରା । ସଂସାରତରଙ୍ଗ ଆଡ଼କୁ ଅନିମେଷ ଚାହିଁ ରହିଚି, କରୁଣା ଦୃଷ୍ଟିରେ ଯେପରି ଦେଖୁଚି ସଂସାରର ଅଶାନ୍ତ ତରଙ୍ଗଭଙ୍ଗ, ମୌନ ଇଙ୍ଗିତରେ ଯେପରି ଆଶାପ୍ରମତ୍ତ ମଣିଷକୁ କହୁଚି, ‘ତ୍ୟାଗ କର ଅଧ୍ରୁବ ଚଞ୍ଚଳ ଆଶା, ଦମନ କର ଲୋଭ । ଦେଖ ଏଇ ଧ୍ରୁବଜ୍ୟୋତି । ଅନିର୍ବାଣ ମୋର ଦୀପ୍ତି । ମୁଁ ହିଁ ଆଶାର ଆଶା, ମୁଁ ହିଁ ଅନାଦି, ଅନନ୍ତ । ଅଶାନ୍ତିରେ ମୁଁ ଶାନ୍ତି, ଲୋଭର ପରମା ନିବୃତ୍ତି । ଚଞ୍ଚଳ ଗ୍ରହ, ଚଞ୍ଚଳ ନକ୍ଷତ୍ର କଳ୍ପାନ୍ତରେ ସେମାନଙ୍କର ପ୍ରଳୟ ହୁଏ ! ମୁଁ କେବଳ ସ୍ଥିର ରହିଥାଏ । ମୁଁ ଅବ୍ୟୟ, ଅକ୍ଷୟ, ଧ୍ରୁବ । ମୁଁ ବିଷ୍ଣୁଙ୍କ ପରମପଦ–ପରମ ଶାନ୍ତି । ମତେ ଦେଖ, ଭଲ କରି ଦେଖ ।’

 

ନିର୍ନିମେଷ ନୟନରେ ଚାହିଁ ରହେ ପିଙ୍ଗଳା । ସ୍ଥିରଦୃଷ୍ଟିରେ ବେଦନାର ଅଶ୍ରୁ ଛଳଛଳ କରେ । ତଥାପି ମନର ଅତଳରେ ଜାଗେ ସୁଖର ଜୁଆର । ଆସିବେନି, କେହି ଆସିବେନି ଆଜି । ଶୁଳ୍କର ଆଶାରେ ଆଜି ନିରାଶା । ପଣ୍ୟଜୀବିନୀ ପିଙ୍ଗଳାର ସମୂହ କ୍ଷତି । ତଥାପି କି ସୁଖକର ଏ ନୈରାଶ୍ୟ ! ଏଇ ତ, ପୂର୍ବ ଦିଗନ୍ତରେ ଉଦିତ ହେଇଚି ଶୁକ୍ର ତାରା–ତ୍ରିଯାମାର ଶେଷ ଘୋଷଣା । ଏଇ ତ, ଦିକ୍‍ଚକ୍ରବାଳରେ ଉଷାର ଶୁଭ୍ର ଜ୍ୟୋତିରେଖା–ଶୁଭ ବ୍ରାହ୍ମ ମୁହୂର୍ତ୍ତର ଚିହ୍ନ । ଯୋଗୀମାନେ ନିଦ୍ରା ତେଜିବାର ସମୟ ବର୍ତ୍ତମାନ, ଭୋଗୀମାନଙ୍କ ନିଦ୍ରାର ଭୋଗକାଳ ।

 

ପିଙ୍ଗଳାର ନେତ୍ରଯୁଗଳ ଆଚ୍ଛନ୍ନ ହେଇ ଆସୁଚି । ଶାନ୍ତିର ନିଦ୍ରା ଯେପରି ଡାକୁଚି ତାକୁ, ଡାକୁଚି ଶୂନ୍ୟ ଶଯ୍ୟା । ବିନିଦ୍ର ରଜନୀର ଶ୍ରାନ୍ତି, ତଥାପି ଶାନ୍ତି ଅନୁଭବ କରେ ପିଙ୍ଗଳା । ବିରହିଣୀ ବିପ୍ରଲବ୍ଧାର ବିରହକୁଞ୍ଜରେ ଆଜି ବୋଧହୁଏ ଭାବସମ୍ମେଳନ । କେଉଁଠ ଯେପରି କାହାର ଉତ୍ସବ ଆରମ୍ଭ ହେଇଚି–ମଧୁର ସ୍ଵରେ ବାଜିଲା କି ପ୍ରଭାତର ଶୁଭଶଙ୍ଖ !

 

କ୍ଳାନ୍ତିଭରେ ପିଙ୍ଗଳା ଶଯ୍ୟାରେ ଢଳି ପଡ଼େ । ମୁଦ୍ରିତ ନୟନରେ ଭାବେ, ‘କି ସୁଖକର ଏ ନୈରାଶ୍ୟ ! କି ଆନନ୍ଦ ଏ ନିରାଶାରେ ! ଦୁରାଶାର ତାଡ଼ନାରେ କି ଦୁଃସହ ଦୁଃଖ, ଅଶାନ୍ତି ଭୋଗ ନ କରିଚି ! ସନ୍ଧ୍ୟାରୁ ଶେଷ ରାତ୍ରି ପର୍ଯ୍ୟନ୍ତ ସ୍ଵସ୍ତି ନଥିଲା, ନଥିଲା ଶାନ୍ତି । ଲୋଭ, ଦୁରାଶା ଉନ୍ମାଦ କରି ତୋଳିଥିଲା ମତେ । ଏବେ କି ଆରାମ ! କି ମଧୁର ଏ ଲୋଭର ଅବସାନ, କି ଗଭୀର ନିରାଶାର ପ୍ରସାଦ !’

 

ପରମ ନିଶ୍ଚିନ୍ତରେ ଚକ୍ଷୁ ମୁଦ୍ରିତ କରେ ପିଙ୍ଗଳା । ଦୂରରୁ ଭାସି ଆସୁଚି ଗନ୍ଧର୍ବକଣ୍ଠର ମଧୁର ସଙ୍ଗୀତ, ସୁମଧୁର ଲୟରେ ଝଙ୍କୃତ କିନ୍ନରୀର ଗାନ । ଗବାକ୍ଷପଥରେ ପ୍ରବେଶ କରୁଚି ମୃଦୁମନ୍ଦ ସମୀରଣ । ରଜନୀ ପ୍ରଭାତକଳ୍ପା । ମଧୁର ନିଶାନ୍ତରେ ସ୍ୱପ୍ନ ଦେଖେ ପିଙ୍ଗଳା, ଅତି ମଧୁର ସ୍ଵପ୍ନ :

 

ସୁଦୂର ଦେବଯାନଲୋକରୁ ସୁଶୁଭ୍ର ଛାୟାପଥ ଉପର ଦେଇ କିଏ ଯେପରି ଓହ୍ଲାଇ ଆସୁଚନ୍ତି । ହିରଣ୍ୟବର୍ଣ୍ଣ ଜ୍ୟୋତିର୍ମୟ ବିରାଟ ତନୁ । ସମୁଜ୍ଜ୍ଵଳ ଅଥଚ ଶାନ୍ତିଘନ ସ୍ନିଗ୍ଧକାନ୍ତି । ସୁପ୍ରସନ୍ନ ବଦନ, ସୁପ୍ରସନ୍ନ ନୟନ । ଚତୁର୍ଦ୍ଦିଗରେ ନିଃସୀମ ପ୍ରଶାନ୍ତି । ପିଙ୍ଗଳା ଯେପରି ଚିହ୍ନିଚି ଏଇ ବିରାଟ ପୁରୁଷଙ୍କୁ । ହଁ ତ, ସେଇ କମଳଯୋନି ବେଦଗର୍ଭ ବ୍ରହ୍ମା ! ସେ ହିଁ ଆସି ଉଭା ହେଇଚନ୍ତି ପତିତା ପିଙ୍ଗଳା ସମ୍ମୁଖରେ । ନାମ ଧରି ଡାକୁଚନ୍ତି ତାକୁ, କଥାରେ ଅମୃତର ଧାରା : ‘ପିଙ୍ଗଳା !’

 

ବିସ୍ମିତ, ସଚକିତ ପିଙ୍ଗଳା । ତ୍ରସ୍ତଭରେ ସେ ଉଠି ଠିଆ ହୁଏ । ତା’ର ଦୁଇ କର ଆପେଆପେ ଯୁକ୍ତ ହୁଏ । କରଯୋଡ଼ରେ ସେ ପ୍ରତୀକ୍ଷା କରେ ଆଦେଶ । ବୁକୁରେ କମ୍ପନ ।

 

ବିଧାତା ପୁରୁଷ ଅଭୟର ଅଧୀଶ୍ଵର, ବାଣୀ ତାଙ୍କର ମଧୁକ୍ଷରା : ‘ପିଙ୍ଗଳା, ଆଜି ତୁମେ ଶାପମୁକ୍ତ । ଅପରିମିତ ଆଶା ଲାଗି ଅଭିଶପ୍ତ ହେଇ ତୁମେ ସ୍ୱର୍ଗଭ୍ରଷ୍ଟ ହେଇଥିଲ । ସେଦିନ ତୁମେ ଥିଲ କାମାର୍ତ୍ତା, ଭ୍ରଷ୍ଟା । ମୁଁ କହିଥିଲି, ଯେଉଁଦିନ ଏ ଆଶା ତ୍ୟାଗ କରିବ, ସେଦିନ ପୁଣି ସ୍ୱର୍ଗର ପ୍ରବେଶପଥ ଉନ୍ମୁକ୍ତ ହେବ ତୁମପାଇଁ । ଆଜି ତୁମେ ନିରାଶ ହେଇ ଦୁରାଶା ପରିତ୍ୟାଗ କରିଚ, ଶାନ୍ତ ହେଇ ବିସର୍ଜନ କରିଚ ଅମେୟ ଲୋଭ । ଆଜି ତୁମର ଅଶାନ୍ତିର ଅବସାନ । ସୁଖାବହ ନିର୍ବେଦ ତୁମକୁ ପୁଣି ସ୍ୱର୍ଗରେ ପ୍ରତିଷ୍ଠିତ କରିଚି । ତୁମେ ଆଉ ମର୍ତ୍ତ୍ୟର ସ୍ଵୈରିଣୀ, ସଙ୍କେତୋପଜୀବିନୀ ନୁହ, ତୁମେ ସେଇ ସୂର୍ଯ୍ୟସନାଥା, ସୂର୍ଯ୍ୟପ୍ରିୟା । ଏଇ ଦେଖ, ବିଶ୍ଵଚକ୍ଷୁ ବିବସ୍ଵାନ ସାଗ୍ରହରେ ତୁମର ଆଲିଙ୍ଗନ ପ୍ରତୀକ୍ଷା କରୁଚନ୍ତି । ସ୍ଵର୍ଗର ବଧୂ ସୂର୍ଯ୍ୟସ୍ଵରୂପିଣୀ ତୁମେ, ଆସ, ପୁଣି ଥରେ ସ୍ଵର୍ଗରେ ତୁମର ଆସନ ଗ୍ରହଣ କର ।’

 

ପିଙ୍ଗଳାର ମୁହଁରେ କଥା ନାଇଁ । ଆନନ୍ଦରେ କଣ୍ଠ ତା’ର ରୁଦ୍ଧ ହେଇ ଆସେ । ଆବେଗରେ କମ୍ପିତ ସର୍ବଦେହ, ଦେହରେ ପୁଲକ-ରୋମାଞ୍ଚ, ନୟନରେ ଅଶ୍ରୁ ପ୍ରବାହ । କି ଅନିର୍ବଚନୀୟ ଶାନ୍ତି ! ଶାନ୍ତିର ଅଫୁରନ୍ତ ନିର୍ଝର ଯେପରି ଅବାରିତ ହେଇଚି କେତେ କାଳ ପରେ । ଏତେ ସୁଖ, ଏତେ ଆନନ୍ଦ କାହାର ଅଛି ? ପିଙ୍ଗଳାର ନେତ୍ରଯୁଗଳ ଆବେଗରେ ନିମୀଳିତ ହେଇ ଆସେ, ମୂର୍ଚ୍ଛିତ ଭଳି ସେ ବିଧାତାପୁରୁଷଙ୍କ ପଦପ୍ରାନ୍ତରେ ଲୋଟି ପଡ଼େ । ଅମୃତ ଓ ଅଭୟର ଅଧିଶ୍ଵର ବିରାଟପୁରୁଷ । ପିଙ୍ଗଳା ଅଙ୍ଗରେ ତାଙ୍କର ଆରକ୍ତ କରକମଳର ସ୍ପର୍ଶ ବୁଲାଇ ଦିଅନ୍ତି । ତପ୍ତ ଦେହ ଶୀତଳ ହୁଏ ପିଙ୍ଗଳାର ।

 

ଅନ୍ତର୍ଦ୍ଧାନ ହେଲେ ବିଧାତାପୁରୁଷ । ଶଯ୍ୟାରେ ଉଠି ବସିଲା ପିଙ୍ଗଳା । ଅବାକ୍ ବିସ୍ମୟରେ ସେ ଦେଖେ, ପ୍ରଭାତର ଅରୁଣ ସୂର୍ଯ୍ୟ ସହସ୍ର ରଶ୍ମି ଘେରାଇ ତାକୁ ଆଲିଙ୍ଗନ କରୁଚନ୍ତି । ପିଙ୍ଗଳାର ବୁକୁରେ ଯେପରି ସୁଧା କ୍ଷରଣ କରୁଚି ସୁଧାସମୁଦ୍ର, ମଧୁବର୍ଷଣ କରୁଚି ପ୍ରଭାତର ଅମ୍ବର-। ସେ ସୁଧାଧାରାର ଶେଷ ନାଇଁ ।*

 

* ପିଙ୍ଗଳା ଉପାଖ୍ୟାନ ଅଛି ଶ୍ରୀମଦ୍ଭାଗବତରେ । ଏଠାରେ ଯୋଗଶାସ୍ତ୍ରୋକ୍ତ ପିଙ୍ଗଳା ନାଡ଼ୀର ରୂପକ ଗ୍ରହଣ କରାହେଇଚି । ସୌରଭାଗାରାଦି ପଞ୍ଚ ପ୍ରମୋଦାଗାର, ଆଧାରାଦି ପଞ୍ଚ କମଳ : ପ୍ରାଣେଶ ପ୍ରଭୃତି ନାଗର ପ୍ରାଣାଦି ବାୟୁ । ଯୋଗଶାସ୍ତ୍ର ମତରେ ପ୍ରାଣବାୟୁ ଯେ ପର୍ଯ୍ୟନ୍ତ ପିଙ୍ଗଳାରେ ପ୍ରବାହିତ ହୁଏ, ସେ ପର୍ଯ୍ୟନ୍ତ ସାଧକ ଚଞ୍ଚଳ । ପିଙ୍ଗଳା ନିରାଶ ହେଲେହିଁ ମନ, ପ୍ରାଣ ଶାନ୍ତ ହୁଏ ଏବଂ ସେବେ ଯାଇ ସାଧକ ସମାଧି-ଶାନ୍ତି ସ୍ତରକୁ ଉନ୍ନୀତ ହୁଏ ।

Image